Categories
ଆଜିର ଖବର ରାଜ୍ୟ ଖବର

ରାଜ୍ୟପାଳଙ୍କ ଅଭିଭାଷଣରୁ ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେସନ

ଭୁବନେଶ୍ବର,ଆଜିଠାରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେସନ। ଏହି ଅଧିବେସନ ଦୁଇଟି ପର୍ଯ୍ୟାୟରେ ଏପ୍ରିଲ 9 ତାରିଖ ପର୍ଯ୍ୟନ୍ତ ଚାଲିବ। ପରଂପରା ଅନୁସାରେ ବଜେଟ ଅଧିବେସନର ପ୍ରଥମ ଦିନରେ ରାଜ୍ୟପାଳ ଅଭିଭାଷଣ ରଖିବେ। ସେହି ଅନୁସାରେ ଆଜି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଗୃହରେ ନିଜର ଅଭିଭାଷଣ ରଖିବେ। ସେଥିପାଇଁ ବିଧାନସଭାର ପରିସରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ରାଜ୍ୟପାଳ ବିଧାନସଭାରେ ପହଁଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯିବ। ତାପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ତାଙ୍କୁ ଗୃହ ଭିତରକୁ ପାଛୋଟି ନେବେ। ଏହାପରେ ରାଜ୍ୟପାଳ ତାଙ୍କର ଅଭିଭାଷଣ ରଖିବେ। ଆସନ୍ତା 18 ତାରିଖ ଦିନ ଅର୍ଥମନ୍ତ୍ରୀ ନିରଂଜନ ପୂଜାର ଚଳିତ 2020-21 ବର୍ଷ ପାଇଁ ବଜେଟ ଉପସ୍ଥାପାନ କରିବେ।

ଗୃହରେ କିପରି ଶାନ୍ତି ଶୃଙ୍ଖଳା ବଜାଇ ରହିବ ସେ ନେଇ ବାଚସ୍ପତି ଗତକାଲି ଏକ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିରେ ସଭ୍ୟମାନେ ଗୃହ ମଧ୍ୟଭାଗକୁ ନ ଆସି ନିଜନିଜ ଆସନରେ ଛିଡା ହୋଇ ଅଭିଯୋଗ କରିପାରିବେ ବୋଲି ବାଚସ୍ପତି ସମସ୍ତଙ୍କୁ ଅନୁରୋଧ କରିଥିଲେ। ସେହିପରି ସବୁଦଳର ପୃଥକ ପୃଥକ ବୈଠକ କରାଯାଇ ରଣନିତି ପ୍ରସ୍ତୁତ କରାଯାଇଛି। ତେବେ ଏଥର ବିଭିନ୍ନ ପ୍ରସଂଗ ନେଇ ବିରୋଧ ସରକାରଙ୍କୁ ଘେରିବାର ସମ୍ଭାବନା ରହିଛି।