Categories
ବିଶେଷ ଖବର

ପାଟକୁରା ନିର୍ବାଚନରେ ସବୁ ବୁଥରେ ଘୋଟାଲା ହୋଇଛି ବୋଲି କହି ବିଜେପି ନିଜ ପରାଜୟର ସଙ୍କେତ ଦେଉଛି କି?

ସମୀକ୍ଷା ବ୍ୟୁରୋ

ପାଟକୁରା ନିର୍ବାଚନ ସରିଛି ଓ ଆସନ୍ତା ୨୪ରେ ଏହାର ଫଳାଫଳ ଘୋଷଣା ହେବ। ହେଲେ ଫଳ ବାହାରିବା ଆଗରୁ ଇଭିଏମ କୁ ନେଇ ଯେଉଁ ପ୍ରକାର ଗଣ୍ଡଗୋଳ ଘଟୁଛି ଓ ଭୁବନେଶ୍ବରରେ ବିଜେପି ନେତାମାନେ ଯେଉଁପ୍ରକାର ପ୍ରତିକ୍ରିୟା ରଖୁଛନ୍ତି, ସେଥିରୁ ଗୋଟେ କଥା ର ଆଭାସ ଅବଶ୍ୟ ମିଳୁଛି। ପାଟକୁରାରେ ବିଜେପି ନିଜ ସଫଳତାକୁ ନେଇ ବିଶେଷ ଆଶାବାଦୀ ଥିବାଭଳି ଲାଗୁନାହିଁ। ଯଦିଓ ଦଳୀୟ ପ୍ରାର୍ଥୀ ବିଜୟ ମହାପାତ୍ର ନିଜ ପରାଜୟକୁ ନେଇ ଦୃଢୋକ୍ତି ରଖିଛନ୍ତି ଓ ତାଙ୍କର ଅନୁଗତ କିଛିଜଣ ସାମ୍ବାଦିକ ସେ ଅତି କମ ବ୍ୟବଧାନରେ ଜିତିବେ ବୋଲି ପ୍ରଚାର ଚଳାଇଛନ୍ତି, ବିଜେପି କିନ୍ତୁ ନିଜ ଆଚରଣରେ ପରାଜୟକୁ ଏକ ପ୍ରକାର ସ୍ଵୀକାର କରିନେଉଛି। ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ,  ପାଟକୁରାରେ ସବୁ ବୁଥରେ ଇଭିଏମ ଜାଲସାଜି ହୋଇଛି ଓ ସବୁ ପ୍ରିଜାଇଡିଂ ଅଫିସର ବିଜେଡ଼ିକୁ ସାହାଯ୍ୟ କରିଛନ୍ତି।

ଏ ପ୍ରକାର କାହାଣୀ ନିର୍ବାଚନ ପରେ ଆତ୍ମା ବିଶ୍ବାସର ଅଭାବରୁ ଆସିଥାଏ। ବର୍ତ୍ତମାନ ସମୟରେ ସାରା ଦେଶରେ ବିଜେପି ଇଭିଏମ ଜାଲସାଜିକୁ ଅସ୍ଵୀକାର କରୁଥିବା ବେଳେ ପାଟକୁରାରେ ଏକାକୀ ତାହା ସମ୍ଭବ ହେବ କେମିତି? କେତୋଟି ସମ୍ବେଦନଶୀଳ ବୁଥରେ ହୁଏତ କିଛି ଅନିୟମିତତା ହୋଇଥାଇପାରେ, ହେଲେ ପୁରା ନିର୍ବାଚନ ସହ ସମ୍ପୃକ୍ତ ସବୁ ପ୍ରିଜାଇଡିଂ ଅଫିସର ବିଜେଡ଼ିର ସହଯୋଗୀ ବୋଲି କହିବା ହାସ୍ୟାସ୍ପଦ ବ୍ୟାପାର। ଗୋଟେ ପୁରା ନିର୍ବାଚନ ମଣ୍ଡଳୀର ଭୋଟ ଗ୍ରହଣ ରେ ଗଡବଡି ହେବା ଅସମ୍ଭବ ନିଶ୍ଚୟ। ତାପରେ ଏକାକୀ ଗୋଟିଏ ନିର୍ବାଚନ ମଣ୍ଡଳୀ ରେ ଭୋଟ ଗ୍ରହଣ ହେଉଥିବାରୁ ସବୁ ରାଜନୈତିକ ଦଳ, ଗଣମାଧ୍ୟମ ଓ ଭୋଟରଙ୍କ ନଜର ଏହାର ପ୍ରତ୍ୟେକ ବୁଥ ଉପରେ ରହିଛି। ତେଣୁ ନିର୍ବାଚନ ପ୍ରକ୍ରିୟାରେ କୌଣସି ପ୍ରକାର ସାମାନ୍ୟ ତ୍ରୁଟି ବିଚ୍ୟୁତି ହେଲେ ଏହାକୁ ଲୋକଙ୍କ ନଜରରୁ ଲୁଚା ଯାଇପାରିବ ନାହିଁ।

ତେବେ ଏକଥା ମଧ୍ୟ ସତ୍ୟ ଯେ ବିଜେପି ନିଜର ପାଟକୁରା ଗଣିତ ବିଷୟରେ ମୂଳରୁ ସଚେତନ। ବିଜୟ ମହାପାତ୍ରଙ୍କୁ ଜିତାଇବା ଲାଗି ବିଜେପି ଯେ ଆବଶ୍ୟକୀୟ ହୋମୱାର୍କ କରିନାହିଁ, ସେକଥା ଜଳ ଜଳ ଦିଶୁଛି। ତେଣୁ ଫଳ ବାହାରିବା ଆଗରୁ ଇଭିଏମ ପ୍ରସଙ୍ଗ ଉଠାଇ ବିଜେପି ନିଜର ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରୁଛି। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ମଧ୍ୟ ଜାଣନ୍ତି ଯେ ଦଳ ତାଙ୍କ ପଛରେ ସେତେ ଦୃଢତାର ସହିତ ଛିଡା ହୋଇନାହିଁ। ଏବେ ନିଜ ମୁଣ୍ଡରୁ ଦୋଷ ଛଡାଇବାକୁ ଇଭିଏମ ଓ ପ୍ରିଜାଇଡିଂ ଅଫିସରଙ୍କ ବାହାନା କରାଯାଉଛି। ଯଦି ସତରେ ସବୁ ବୁଥରେ ଇଭିଏମ ଜାଲସାଜି ହୋଇଛି, ତେବେ ଏହାର ପ୍ରମାଣ ଦେଖାଇ ପୁରା ନିର୍ବାଚନକୁ ରଦ୍ଦ କରାଯାଉ ବୋଲି ବିଜେପି ଦାବି କରିବ କି? ଯଦି ନିର୍ବାଚନ କମିଶନ ବିଜେପିର ଦାବି ଣ ମାନନ୍ତି ତାହେଲେ ବିଜେପି ହାଇକୋର୍ଟ ରେ ମାମଲା ଦାୟର କରିବ କି?

ସମସ୍ତେ ଜାଣନ୍ତି ଆସନ୍ତା ୪୮ ଘଣ୍ଟା ପାଇଁ ଏହା କେବଳ ଏକ ଗାଲୁଗପ। ରାଜ୍ୟସଭା ନିର୍ବାଚନରେ ବିଜେଡ଼ିଠାରୁ ମାତ୍ରାଧିକ ଅନୁଗ୍ରହ ନେଇ ସାରିଲା ପରେ ବିଜେଡି ବିରୋଧରେ କହିବାକୁ ବିଜେପି ପାଖରେ ଆଉ ବିଶେଷ କିଛି ନାହିଁ। ପାଟକୁରାରେ ବିଜେପି ବିଜେଡି ଲଢେଇ ଅପେକ୍ଷା ବିଜୟ ମହାପାତ୍ର ବନାମ ବିଜେଡି ଲଢେଇ ଦେଖିବାକୁ ମିଳିଥିଲା। ବିଜେପି ଭଲଭାବରେ ଜାଣେ ଯେ, ବିଜୟ ମହାପାତ୍ର ଜିତିଲେ ମଧ୍ୟ ତାହାର ଶ୍ରେୟ ବିଜେପିକୁ ମିଳିବ ନାହିଁ। ତେଣୁ ପ୍ରକାରାନ୍ତରେ ନିର୍ବାଚନ ଫଳ ବାହାରିବା ଆଗରୁ ବିଜେପି ନିଜ ପରାଜୟକୁ ସୁରକ୍ଷା ଦେବାଲାଗି ଇଭିଏମକୁ ଏକ କବଚ ଭାବରେ ବ୍ୟବହାର କରିବାକୁ ଚାହୁଁଛି।

Categories
ବିଶେଷ ଖବର

ବିଜେଡିରେ ମିଶିବେ ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ,ଯିବେ ରାଜ୍ୟସଭା: ବିଜୟ ମହାପାତ୍ରଙ୍କ ପ୍ରଚାରକୁ ନ ଆସିବାର ଏହା ହେଉଛି ମୁଖ୍ୟ କାରଣ

ସମୀକ୍ଷା ବ୍ୟୁରୋ

ପୁଣି ଥରେ ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତାହା ହେଉଛି ଦିଲ୍ଲୀପ ବିଜେଡିକୁ ଫେରିବାର ପ୍ରାୟ ନିଶ୍ଚିତ। କାରଣରେ କୁହାଯାଇଛି ଯେ, ଦିଲ୍ଲାପ ତାଙ୍କର ଘନିଷ୍ଠ ବନ୍ଧୁ ବିଜୟ ମହାପାତ୍ରଙ୍କ ପ୍ରଚାର ପାଇଁ ଆସିଲେ ନାହିଁ। ଯେତେବେଳେ ସାଧାରଣ ନିର୍ବାଚନ ଚାଲିଥିଲା ସେତେବେଳେ ଦିଲ୍ଲୀପ ପାଟକୁରା ଆସି ବିଜୟ ମହାପାତ୍ରଙ୍କୁ ସାକ୍ଷାତ କରିଥିଲେ। ମୁଁ ବିଜେପି ପାଇଁ ନୁହେଁ ବରଂ ବିଜୟଙ୍କ ପାଇଁ ପ୍ରଚାର କାର୍ଯ୍ୟ କରିବି ବୋଲି ଦିଲ୍ଲୀପ ଗଣମାଧ୍ୟମ ଆଗରେ କହିଥିଲେ। ହେଲେ ପରବର୍ତ୍ତି ସମୟରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲାଙ୍କ ମୃତ୍ୟୁ ଏବଂ ଫନି ବାତ୍ୟା ପାଇଁ ମଧ୍ୟ ନିର୍ବାଚନ ସ୍ଥଗିତ ରହିଲା। ହେଲେ ଯେତେବେଳେ ନିର୍ବାଚନ ହେଲା, ଦିଲ୍ଲୀପ ତାଙ୍କ କଥା ରଖି  ଆଉ ବିଜୟଙ୍କ ପ୍ରଚାର ପାଇଁ ଆସିଲେ ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ ଦିଲ୍ଲୀପ ପୁଣି ଥରେ ବିଜେଡିକୁ ଫେରିବେ। ତେବେ ବର୍ତ୍ତମାନ ପାଇଁ ଯେଉଁ କାରଣ ସବୁ ଚର୍ଚ୍ଚା ଚାଲିଛି ତାହା ହେଲା

1-ଦିଲ୍ଲୀପ ଦେଇଥିବା ପ୍ରତିଶୃତି  କେବେ ଭାଙ୍ଗନ୍ତି ନାହିଁ। ହେଲେ ପାଟକୁରା ନିର୍ବାଚନରେ ସେ ଦେଇଥିବା ପ୍ରତିଶୃତିକୁ ଭାଙ୍ଗିଲେ। ଅନ୍ୟପଟେ ବିଜୟ ଦିଲ୍ଲୀପଙ୍କ ମଧ୍ୟରେ ବହୁ ଘନିଷ୍ଠ ସଂପର୍କ ମଧ୍ୟ ରହିଛି। ଏପରି ସ୍ଥଳେ ଦିଲ୍ଲୀପ ପ୍ରଚାରକୁ ନ ଆସିବା ଘଟଣାଟି ସନ୍ଦେହ ସୃଷ୍ଟି କରିଛି।

2-ବ୍ରାହ୍ଣଣୀ ସେତୁ ଏବଂ ଆଇଜିଏଚକୁ ସୁପର ସ୍ପେଶାଲିଟ ହସପିଟାଲରେ ପରିଣତ ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ସେହି ପ୍ରତିଶୃତି ପାଳନ ନ ହେବାରୁ ଦିଲ୍ଲୀପ ବିଜେପି ଛାଡିଲେ। ହେଲେ ବିଜୟଙ୍କୁ ଦିଲ୍ଲୀପ ଯେଉଁ ପ୍ରତିଶୃତି ଦେଇଥିଲେ ସେ ନିଜେ ପାଳନ କଲେ ନାହିଁ।

3-କୌଣସି ପ୍ରକାରରେ ବିଜୟ ମହାପାତ୍ର ବିଧାନସଭାରେ ପ୍ରବେଶ ନ କରନ୍ତୁ ତାହା ବିଜେଡି ଚାହୁଁଛି। ସେଥିପାଇଁ ବିଜୟଙ୍କ ଯେତେସବୁ ଦୃଢ ମାଧ୍ୟମ ରହିଛି ତା ଉପରେ ବିଜେଡି ନଜର ରଖି ସେମାନଙ୍କୁ ନିୟନ୍ତ୍ରଣ କରିଛି। ଯାହା ଫଳରେ ଦିଲ୍ଲୀପ ପ୍ରଚାରକୁ ଆସି ନାହାଁନ୍ତି ବୋଲି କୁହାଯାଉଛି।

4-୨୦୨୦ ମସିହାରେ ଓଡିଶାର ଆଉ କେତୋଟି ରାଜ୍ୟସଭା ପଦ ଖାଲି ହେଉଛି। ସୁତ୍ର କହୁଛି ଯଦି ଦିଲ୍ଲୀପ ବିଜୟଙ୍କ ପାଇଁ ପ୍ରଚାର ନ କରିବେ ତେବେ ତାଙ୍କୁ ରାଜ୍ୟସଭା ସଦସ୍ୟ ପଦ ଦିଆଯିବ। ବିଜେଡି ଏହି ପ୍ରତିଶୃତି ଦେଇଥିବାରୁ ସେଥିପାଇଁ ଦିଲ୍ଲୀପ ପାଟକୁରା ଆସିଲେ ନାହିଁ।

ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ବିଜୟ ଏବଂ ଦିଲ୍ଲୀପ ଏକା ସଙ୍ଗରେ ବିଜେପିରୁ ଇସ୍ଥଫା ଦେଇଥିଲେ। ସେତେବେଳେ ପ୍ରଚାର ହୋଇଥିଲା ଯେ, ଉଭୟ ବିଜେଡିରେ ମିଶିବେ। ହେଲେ ଦୀର୍ଘ ଦିନ ବିତିଗଲା ସିନା ତାହା ହେଲା ନାହିଁ। ଶୁଣାଗଲା ଯେ, ବିଜୟ ମଧ୍ୟ ବିଜେଡି ଯାଆନ୍ତୁ ବୋଲି କୁଆଡେ ଦିଲ୍ଲୀପ ଚାହୁଁଥିଲେ। ଯାହା ବିଜେଡି ତରଫରୁ ସବୁଜ ସଙ୍କେତ ଦିଆଗଲା ନାହିଁ। ଫଳରେ ଉଭୟ ବିଜେଡିରେ ମିଶିବା ସମ୍ଭବ ହୋଲା ନାହିଁ। ଏହାର କିଛି ଦିନ ପରେ ଦିଲ୍ଲୀପ ଏକା ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ। ସେତେବେଳେ ଜଣାପଡିଥିଲା ଯେ, ବିଜୟ ନୁହେଁ କେବଳ ଦିଲ୍ଲୀପ ବିଜେଡିରେ ମିଶିବେ। ହେଲେ ସାଧାରଣ ନିର୍ବାଚନ ପୂର୍ବରୁ ତାହା ମଧ୍ୟ ହେଲା ନାହିଁ। ବରଂ ଦିଲ୍ଲୀପଙ୍କୁ ଛାଡି ବିଜୟ ବିଜେପିରେ ପୁଣି ଥରେ ଯୋଗଦେଲେ। ଏହାପରେ ଦିଲ୍ଲୀପଙ୍କ ସ୍ବର ମଧ୍ୟ ବଦଳିଯାଇଥିଲା। ପୂର୍ବରୁ ବିଜେପିକୁ ତୀବ୍ର ସମାଲୋଚନା କରୁଥିବା ଦିଲ୍ଲୀପ ଦଳକୁ ପ୍ରଶଂସା କଲେ। ଫଳରେ ସେତେବେଳେ ଦିଲ୍ଲୀପ ମଧ୍ୟ ବିଜେପିକୁ ଫେରିବେ ବୋଲି ଆଶା କରାଯାଉଥିଲା। ଯାହା ହେଲା ନାହିଁ। ତେବେ ବର୍ତ୍ତମାନ ସମୀକରଣ ଅନୁସାରେ ଦିଲ୍ଲୀପ ବିଜେପି ନୁହେଁ ବିଜେଡିରେ ଖୁବ ଶିଘ୍ର ସାମିଲ ହେବେ ବୋଲି ସମ୍ଭାବନା ସୃଷ୍ଟି ହୋଇଛି।

Categories
ବିଶେଷ ଖବର

ବାତ୍ୟା ବେଳେ ବି ରାଜନୀତି ଜରୁରୀ ! ବାତ୍ୟା ଆଖିରେ ପାଟକୁରା ଓ ବେଚାରା ନିର୍ବାଚନ ଅଧିକାରୀ

 କେଦାର ମିଶ୍ର

ନିର୍ବାଚନ ସରୁ ସରୁ ଓଡିଶାର ସାମାଜିକ ପରିମଣ୍ଡଳ ଟିକେ ଶାନ୍ତ ରହିବା ବୋଲି ଆମେ ବିଚାର କରୁଥିଲୁ। ହେଲେ ଠିକ ସେଇ ସମୟରେ ଗୋଟେ ଦିଗରୁ ଭୟଙ୍କର ବାତ୍ୟା “ଫନୀ” ଓଡିଶା ଉପକୂଳକୁ ମାଡି ଆସୁଛି ଓ ବାତ୍ୟାକୁ କେନ୍ଦ୍ର କରି ଓଡିଶା ରାଜନୀତିର ଘୂର୍ଣ୍ଣି ଆହୁରି ଭୟଙ୍କର ଲାଗୁଛି। ଆପାତତଃ ଶାନ୍ତିପୂର୍ଣ୍ଣ ଭାବରେ ଓଡିଶାର ଚାରୋଟି ଯାକ ପର୍ୟାୟ ନିର୍ବାଚନ ସମାହିତ କରିଥିବାରୁ ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଧନ୍ୟବାଦ ପାଇବା ପରିବର୍ତ୍ତେ ଭାରତୀୟ ଜନତା ପାର୍ଟି ଓ ଏହାର ସଦା କ୍ରୋଧିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ରୋଶର ଶିକାର ହୋଇଛନ୍ତି। ଓଡିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଜଣେ ଭ୍ରଷ୍ଟ ଅଧିକାରୀ ବୋଲି ଧର୍ମେନ୍ଦ୍ର ଅଭିଯୋଗ କରିଛନ୍ତି। ଏ ପ୍ରକାର ଅଭିଯୋଗର ଆଧାର କଣ, ସେ କଥା କାହାକୁ ଜଣାନାହିଁ। ଓଡିଶା ଯେତେବେଳେ ଏକ ବିରାଟ ପ୍ରାକୃତିକ ବିପର୍ୟୟକୁ ମୁକାବିଲା କରିବାକୁ ଯାଉଛି ସେତେବେଳେ ଏ ପ୍ରକାର ରାଜନୈତିକ ଆକ୍ଷେପ ପ୍ରତି ଆକ୍ଷେପ ବଡ ଦୁର୍ଭାଗ୍ୟଜନକ। ନିର୍ବାଚନ ଏବେ ସରିଯାଇଛି। ଆସନ୍ତା ୧୯ ତାରିଖରେ ପାଟକୁରା ଉପ ନିର୍ବାଚନ ହେବା କଥା। ତାକୁ ନେଇ ଏ ସବୁ ନାଟକ।

ଭୟଙ୍କର ବାତ୍ୟା “ଫନୀ” ଓଡିଶା ଉପକୂଳରେ କେଉଁଠି ସ୍ଥଳଭାଗ ଛୁଇଁବ ସେ କଥା ଏଯାଏ ସ୍ପଷ୍ଟ ହୋଇନି। ତେବେ ପୁରୀରୁ ଦୀଘା ମଝିରେ ଏହା କେଉଁଠି ହେଲେ ସ୍ଥଳଭାଗକୁ ପ୍ରବେଶ କରିପାରେ। ବାତ୍ୟା ମୁକାବିଲା ବର୍ତ୍ତମାନ ସମୟର ସବୁଠୁ ବଡ ଚିନ୍ତା। ସେତେବେଳେ ପାଟକୁରା ନିର୍ବାଚନ ହେବା ନହେବା, ଖୁବ ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ। ତେବେ ପାଟକୁରାକୁ ନେଇ ଗତ ମାସେ ହେଲା ଅନେକ ରୋଚକ ରାଜନୈତିକ ମୋଡ ଆସିଛି। ପ୍ରଥମେ ବିଜୟ ମହାପାତ୍ର ବର୍ଷାଧିକ କାଳ ବିଜେପିଠାରୁ ଅଭିମାନ କରି ଦୂରରେ ରହିଲେ। ତାଙ୍କୁ ବିଜେପି ପୁରୁଣା ଆସବାବ ଭଳି ବ୍ୟବହାର କରୁଛି ବୋଲି କହି ସେ ବିଜେପିରୁ ଇସ୍ତଫା ଦେଇ ଚାଲିଆସିଥିଲେ। ତେବେ ହଠାତ ତାଙ୍କର ମାନଭଞ୍ଜନ ହେଲା। ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦାନ କରିବା ପରେ ସେ ପ୍ରଥମେ ବିଜୟଙ୍କୁ ନିଜ ପାଖକୁ ନେଇ ଆସିଲେ। ପୁରୁଣା ଆସବାବ ପୁଣି ଥରେ ନିଜ ଜାଗାକୁ ଫେରି ଆସିଲା। ତେବେ ପୁରୁଣା ଜାଗା କହିଲେ, ସେଇ ପାଟକୁରା। ବିଜୟଙ୍କୁ ବିଜେପି ପାଟକୁରାର ପ୍ରାର୍ଥୀ କଲା।

ବିଜୟଙ୍କ ପ୍ରତିଦ୍ବନ୍ଦ୍ବୀ ଭାବରେ ବିଜେଡି ନିଜର ବର୍ଷିୟାନ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଥିଲା। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଲାପରେ ବେଦୁ ବାବୁଙ୍କ ଦେହାନ୍ତ ହେଲା। ଆମ ଜାଣିବାରେ ବେଦ ପ୍ରକାଶ ଅଗ୍ରୱାଲାଙ୍କ ଦେହାନ୍ତକୁ ଆମେ  ଆମ ସମୟର ସବୁଠୁ ବଡ ରାଜନୈତିକ ମୃତ୍ୟୁ ବୋଲି କହିପାରିବା। ବିଜେପି ଓ ବିଜୟ ଅଭିଯୋଗ କଲେ ଯେ ଜାଣିଶୁଣି ନିର୍ବାଚନ ଘୁଞ୍ଚାଇବାକୁ ଏଠାରେ ବେଦ ପ୍ରକାଶ ଅଗ୍ରୱାଲାଙ୍କୁ ବିଜେଡି ଟିକଟ ଦେଇଥିଲା। ଏହାର ସିଧା ଅର୍ଥ ହେଉଛି, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ମତେ ବୋଧହୁଏ ଯମରାଜା ବେଦପ୍ରକାଶଙ୍କୁ ଇହ ଧାମରୁ ନେଇଗଲେ! ବିଜୟଙ୍କୁ ହଇରାଣ କରିବା ଲାଗି ଖୋଦ ଯମରାଜ ମଧ୍ୟ ନବୀନଙ୍କ ସହ ଷଡଯନ୍ତ୍ରରେ ସାମିଲ ବୋଲି ଆମେ ମାନିବାକୁ ବାଧ୍ୟ!

ତେବେ ଯମରାଜା ତାଙ୍କ କାମ କରିବା ପରେ ଏବେ ଇନ୍ଦ୍ର ମଧ୍ୟ ନବୀନଙ୍କ ସହ ମିଶି ବିଜୟ ଓ ବିଜେପି ବିରୋଧରେ ଷଡଯନ୍ତ୍ର ଆରମ୍ଭ କରିଛନ୍ତି। ପାଟକୁରା ନିର୍ବାଚନ ଆସନ୍ତା ମେ ୧୯ ରେ ହେବା ପୂର୍ବରୁ ଏବେ ବାତ୍ୟା “ଫନୀ” ଆସି ପହଞ୍ଚି ଯାଇଛି। ବାତ୍ୟାକୁ ଆଳ କରି ପାଟକୁରା ନିର୍ବାଚନ ଘୁଞ୍ଚାଇବାକୁ ବିଜେଡି ଦରଖାସ୍ତ କରିଛି ଓ ଏହା ବିରୋଧରେ ବିଜେପି ଠିଆ ହୋଇଛି। ଶେଷ ନିଷ୍ପତ୍ତି ନିର୍ବାଚନ କମିଶନ ନେବେ। ହେଲେ ସାଧାରଣ ଓଡିଆ ଭାବରେ ଆମର ପ୍ରଶ୍ନ ହେଲା, ଆଜ୍ଞାମାନେ! ୧୪୬ ଟି ବିଧାନସଭା ନିର୍ବାଚନ ସରି ତ ଗଲାଣି। ବାତ୍ୟାର କ୍ଷୟକ୍ଷତି ଭିତରେ ଆଉ ଗୋଟେ ବିଧାନସଭା ନିର୍ବାଚନ ଯଦି କିଛି ଦିନ ଘୁଞ୍ଚିଯାଏ, ତାହେଲେ କଣ ବା ଅସୁବିଧା ହେବ କି ? ହୁଏତ ଏଥିଲାଗି ଶାସକ ଦଳ ଟିକେ ଅଧିକ ସମୟ ପାଇଯିବ। ତେବେ ମେ ୨୩ ପରେ ବିଜେଡି କଣ ଶାସକ ଦଳ ହୋଇ ରହିବ ବୋଲି ବିଜେପି ମାନି ନେଇ ସାରିଛି ?

ଅସଲ କଥା ହେଉଛି, ଏ ସମ୍ପର୍କିତ ଚୂଡାନ୍ତ ନିଷ୍ପତ୍ତି ନିର୍ବାଚନ କମିଶନ ନେବେ। ତା ପୂର୍ବରୁ ପୂର୍ବରୁ ବିଜେପିର ବିଳିବିଳା ବଡ ଅରୁଚିକର ଲାଗୁଛି। ନିର୍ବାଚନ କମିଶନଙ୍କୁ ଭେଟି ଧର୍ମେନ୍ଦ୍ର କହିଛନ୍ତି- “ସମ୍ଭାବ୍ୟ ବାତ୍ୟା ପରିପ୍ରେକ୍ଷୀରେ ରାଜ୍ୟରେ ନିର୍ବାଚନ ଆଚରଣ ବିଧି କଟକଣା ହଟାଇବା ନେଇ ମୁଖ୍ୟଶାସନ ସଚିବଙ୍କ ସ୍କ୍ରିନିଂ କମିଟି ତରଫରୁ ଅନୁରୋଧ କରାଯାଇଥିଲା। ଯାହାକୁ କମିଶନ ଗ୍ରହଣ କରି ନିର୍ବାଚନ ଆଚରଣ ବିଧି କୋହଳ କରିଛନ୍ତି। ସମ୍ଭାବ୍ୟ ପ୍ରାକୃତିକ ଦୁର୍ବିପାକ ପରିପ୍ରେକ୍ଷୀରେ କେବଳ ବାତ୍ୟା ମୁକାବିଲା ଜନିତ ଆବଶ୍ୟକୀୟ ପଦକ୍ଷେପ ପାଇଁ ନିର୍ବାଚନ ଆଚରଣ ବିଧିକୁ କୋହଳ କରାଯାଇଥିବା ମୁଖ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି। କିନ୍ତୁ ଆଚରଣ ବିଧି ହଟିବା ଆଳରେ ରାଜ୍ୟର ବିଜେଡି ସରକାର ୧୦୦୦ କୋଟି ଟଙ୍କାର ମିଛ ବିଲ୍ ଅନୁମୋଦନ କରି ଦଳୀୟ କର୍ମୀଙ୍କୁ ମାଲେମାଲ୍ କରିବା ପାଇଁ ଷଡ଼ଯନ୍ତ୍ର କରୁଥିବା ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ରାଜ୍ୟରେ ନିର୍ବାଚନ ସରିଛି। ଜନାଦେଶ ବିଜେପି ସପକ୍ଷରେ ଯାଇ ସାରିଛି। ନବୀନବାବୁ ଦୀର୍ଘ ୧୯ ବର୍ଷ ଧରି ଓଡି଼ଶାକୁ ଲୁଟ୍ କରିଛନ୍ତି, ଆଉ ଓଡ଼ିଶା ଲୋକଙ୍କ ଝାଳବୁହା ଅର୍ଥକୁ ତାଙ୍କୁ ଲୁଟ୍ କରିବାକୁ ଦିଆଯାଇ ପାରିବ ନାହିଁ।

ଏ କଥାର କିଛି ଅର୍ଥ ସତରେ ଅଛି କି ? ବାତ୍ୟା ସମୟରେ ୧୧ ଟି ଜିଲ୍ଲାରୁ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ହଟାଇ ଦେଇଛନ୍ତି। ବାତ୍ୟା ସହାୟତା ଓ ରିଲିଫ କାମ ଲାଗି ତାହା ଜରୁରୀ। ତେବେ ଏଥିରୁ ହଜାରେ କୋଟି ବିଜେଡି ସରକାର କେମିତି ଓ କେଉଁ ବାଗରେ ହଡପ କରିବେ, ଆମେ ତାହା ବୁଝି ପାରୁନାହୁଁ ? ତା ପରେ ମନ୍ତ୍ରୀଙ୍କ କଥା ମୁତାବକ ଯଦି ତାଙ୍କ ସରକାର ଆସୁଛି, ତାହେଲେ ଏ ସରକାର ଯଦି କିଛି ଗଫଲତି କରେ, ତାର ବିଲ ଅଟକା ଯାଇପାରିବ ଓ ଦୋଷୀମାନଙ୍କୁ ବନ୍ଧା ଯାଇପାରିବ।

ଦୁର୍ଦ୍ଦିନ ସମୟରେ ସବୁ ରାଜନୈତିକ ଦଳ ହାତକୁ ହାତ ମିଳାଇ ଏବେ ଲୋକଙ୍କ ସେବା କରିବାର ସମୟ ଆସିଛି। ନିର୍ବାଚନ ସରିଗଲାଣି। ଭାଷଣ ଓ ବୟାନବାଜିରେ ଜନମତ ଆଉ ପ୍ରଭାବିତ ହେବାର ନାହିଁ। ଏବେ ଅନ୍ତତଃ ରାଜନୀତିରେ ମଣିଷପଣିଆ କିଛି ତ ରହୁ !

( ଆଶ୍ଚର୍ଯ୍ୟ, ମୋବାଇଲ ସ୍କ୍ରିନକୁ ଘଷି ଚାଲିଲେ ବାହାରୁଛି ଖବର ପରେ ଖବର, ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍ )

Categories
ଆଜିର ଖବର

ପାଟକୁରା ପାଇଁ ବିଜ୍ଞପ୍ତି ପ୍ରକାଶ,ମେ ୧୯ରେ ନିର୍ବାଚନ

ପାଟକୁରାରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ ୧୯ ତାରିଖରେ ପାଟକୁରାରେ ନିର୍ବାଚନ ଅନୁଷ୍ଠିତ ହେବ। ସୂଚନାଯୋଗ୍ୟ ଯେ, ବରିଷ୍ଠ ବିଜେଡି ନେତା ତଥା ପାଟକୁରାରୁ ଦୁଇ ଥର ବିଧାୟକ ରହିଥିବା ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ଅକାଳ ବିୟୋଗ ପରେ ନିର୍ବାଚନ ଆୟୋଗ ନିର୍ବାଚନ ସ୍ଥଗିତ ରଖିଥିଲେ। ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ମେ ୧ ତାରିଖରେ ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ରହିଥିବା ବେଳେ ୨ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି। ମେ ୧୯ ରବିବାର ଦିନ ପାଟକୁରାରେ ଭୋଟ ଗ୍ରହଣ ହେବ।

Categories
ଆଜିର ଖବର

ପାଟକୁରାରେ ନିର୍ବାଚନ ନେଇ ସିଇଓଙ୍କ ସୂଚନା : ବିଜେଡ଼ି ଦେବ ପ୍ରାର୍ଥୀ

ପାଟକୁରାରେ ରାଜନୈତିକ ବାତାବରଣ ବେଶ୍‌ ଉଷ୍ମ ରହିଛି। ପାଟକୁରାରେ ବିଜେଡ଼ିର ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକ ଯୋଗୁଁ ସେଇ ବିଧାନସଭା ଆସନରେ ନିର୍ବାଚନ ସ୍ଥଗିତ ରହିଛି। ଏହି ନିର୍ବାଚନ ମଣ୍ଡଳୀକୁ ନେଇ ସିଇଓ ସୂଚନା ଦେଇଛନ୍ତି। ତେବେ ଏଇ ବିଧାନସଭା ଆସନରେ ବିଜେଡ଼ି ସାନି ପ୍ରାର୍ଥୀ ଦେବ। ଅନ୍ୟ କୌଣସି ଦଳଙ୍କୁ ପ୍ରାର୍ଥୀ ବଦଳାଇବାକୁ ସୁଯୋଗ ଦିଆଯିବ ନାହିଁ। ନିର୍ବାଚନ କେବେ ହେବ, ସେନେଇ ତାରିଖ ଘୋଷଣା କରାଯାଇନାହିଁ। ଏହି ନିର୍ବାଚନ ଆସନରେ ବିଜେପି ତରଫରୁ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ତେବେ ଏହି ଆସନରେ ବିଜେଡ଼ି ତରଫରୁ କିଏ ପ୍ରାର୍ଥୀ ହେବ, ତାହା ଆଗାମୀ ସମୟ କହିବ।

Categories
ଆଜିର ଖବର

ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ

ବିଜେଡ଼ି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରଓ୍ବାଲାଙ୍କ ଦେହାନ୍ତ ଯୋଗୁ କେନ୍ଦ୍ରାପଡ଼ାର ପାଟକୁରା ବିଧାନସଭା ନିର୍ବାଚନ ସ୍ଥଗିତ। ସ୍ଥଗିତ ନେଇ ରିଟର୍ଣ୍ଣିଂ ଅଫିସର ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ଆସନରୁ ବିଜେପିର ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଥିଲେ। ତେବେ ଗତକାଲି ବିଜେଡ଼ି ପ୍ରାର୍ଥୀଙ୍କ ବେଦପ୍ରକାଶ ଅଗ୍ରଓ୍ବାଲଙ୍କ ମୃତ୍ୟୁ ପରେ ସେହି ନିର୍ବାଚନ ମଣ୍ଡଳୀର ନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଇସିଆଇଙ୍କ ପରବର୍ତ୍ତୀ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପର୍ଯ୍ୟନ୍ତ ଏହି  ନିର୍ବାଚନକୁ ସ୍ଥଗିତ ରଖାଯାଇଛି।

Categories
ବିଶେଷ ଖବର

ଓଡିଶା ରାଜନୀତିର ଜଣେ ଭୀଷ୍ମ ପିତାମହ ଥିଲେ ବେଦପ୍ରକାଶ ଅଗ୍ରୱାଲା, ୮୩ ବର୍ଷ ବୟସରେ ମଧ୍ୟ ସେ ରାଜନୀତିରେ ଥିଲେ ସକ୍ରିୟ

ସମୀକ୍ଷା ବ୍ୟୁରୋ

ବେଦପ୍ରକାଶ ଅଗ୍ରୱାଲା। ନିର୍ବାଚନ ଯୁଦ୍ଧରେ ଲଢେଇ କରି ଜିତିବାର ଆଶା ରଖିଥିଲେ , ହେଲେ ତା ପୂର୍ବରୁ ସେ ଜୀବନ ଯୁଦ୍ଧରେ ହାରିଗଲେ। ୮୩ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ରାଜ୍ୟର ବରିଷ୍ଠ ନେତା ବେଦ ପ୍ରକାଶ ଅଗ୍ରୱାଲା। ଏହି ଖବର ଜଣାପଡିବା ପରେ ସାରା ଓଡିଶାରେ ଶୋକର ଛାୟା ଖେଳିଯାଇଛି। କାରଣ ସେ ସାଧାରଣ ଜୀବନରେ ଯେପରି ସରଳ ଓ ଆମାୟିକ ଥିଲେ ରାଜନୀତିରେ ମଧ୍ୟ ବେଶ୍ ଦୃଢ ଥିଲେ। ବେଦପ୍ରକାଶ ଦୀର୍ଘ ଦିନ ଧରି ଅସୁସ୍ଥତା ସତ୍ବେ ସେ ନିର୍ବାଚନ ମଇଦାନରେ ଲଢେଇ କରିବାରେ ସକ୍ଷମ ଥିଲେ। ସେଇଥି ପାଇଁ ବିଜେଡି ତାଙ୍କୁ ଏଥର ପାଟକୁରା ନିର୍ବାଚନ ମଣ୍ଡଳି ପାଇଁ ବିଧାନସଭା ପ୍ରାର୍ଥୀ କରିଛି। ସାମାନ୍ୟ ଭଲ ହେବା ପରେ ସେ ହସପିଟାଲରୁ ଯାଇ ନିଜର ପ୍ରାର୍ଥୀ ପତ୍ର ଦାଖଲ ମଧ୍ୟ କରିଛନ୍ତି। ହେଲେ ବର୍ତ୍ତମାନ ସବୁକିଛି ଓଲଟ ପାଲଟ ହୋଇଯାଇଛି। ତାଙ୍କର ମୃତ୍ୟୁ ପରେ ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନ ସ୍ଥଗିତ ହୋଇ ପୁନଃ ନିର୍ବାଚନ ଅନୁଷ୍ଠିତ ହେବ।

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଘନିଷ୍ଠ ସହଯୋଗୀ ଥିଲେ ବେଦପ୍ରକାଶ ଅଗ୍ରୱାଲା। ସେହିସମୟରେ ସେ କେନ୍ଦ୍ରାପଡା ଆସନରୁ ୪ ଥର ବିଧାୟକ ଭାବେ ଜିତି ଥିଲେ। ଏହାପରେ କେନ୍ଦ୍ରପଡା ଆସନ ସୀମା ସଂରକ୍ଷିତ ହେବା ପରେ ସେ ପାଟକୁରାକୁ ନିଜ ନିର୍ବାଚନ ମଣ୍ଡଳି ଭାବେ ବାଛିଥିଲେ। ପାଟକୁରାରୁ ସେ ୨୦୦୯ ଏବଂ ୨୦୧୪ ମସିହା ନିର୍ବାଚନରେ ଜିତି ଦୁଇ ଥର ବିଧାୟକ ମଧ୍ୟ ହୋଇଛନ୍ତି। ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସମୟରେ ସେ ଅର୍ଥମନ୍ତ୍ରୀ ହୋଇ ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି। ଏପରିକି ଗ୍ରାମ୍ୟ ଉନ୍ନୟନ, ସାଧାରଣ ବଣ୍ଟନ ପରି ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ ବେଦ ପ୍ରକାଶ ଅଗ୍ରୱାଲା। ସେ ନିଜ ନିର୍ବାଚନ ମଣ୍ଡଳିରେ ରହି ଲୋକଙ୍କ ସେବାକୁ ବେଶୀ ଗୁରୁତ୍ବ ଦେଇଆସୁଥିଲେ। ପରିଣତ ବୟସରେ ମଧ୍ୟ ତାଙ୍କ ଉପରେ ନବୀନ ଭରସା କରିଥିଲେ। ଯାହା ଦ୍ବାରା ତାଙ୍କୁ ପାଟକୁରାରୁ ଟିକେଟ ଦେବା ସହିତ ବିଜୁ ଜନତା ଦଳର ଇସ୍ତାହାର କମିଟର ଅଧ୍ୟକ୍ଷ ଭାବେ ମଧ୍ୟ ନିଯୁକ୍ତି ଦେଇଥିଲେ। ବେଦପ୍ରକାଶ ଚଳିତ ନିର୍ବାଚନ ପାଇଁ ଇସ୍ତାହାର ମଧ୍ୟ ପ୍ରସ୍ତୁତ କରିଛନ୍ତି। ହେଲେ ହଠାତ ଅସୁସ୍ଥ ହୋଇପଡିବାରୁ ତାଙ୍କର ଧର୍ମପତ୍ନୀ ତାଙ୍କ ପୁଅଙ୍କୁ ଟିକେଟ ଦେବା ପାଇଁ ଅନୁରୋଧ କରିଥିଲେ। ହେଲେ ନବୀନ ବେଦପ୍ରକାଶଙ୍କୁ ହିଁ ଟିକେଟ ଦେଇ ନିର୍ବାଚନ ମଇଦାନରେ ଲଢେଇ କରିବା ପାଇଁ କହିଥିଲେ। ବହୁ କଷ୍ଟରେ ବେଦପ୍ରକାଶ ନିଜେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି, ଲୋକଙ୍କୁ ଭୋଟ ଭିକ୍ଷା ମଧ୍ୟ କରିଛନ୍ତି। ହେଲେ ପୁଣି ଥରେ ସେ ଅସୁସ୍ଥ ହୋଇପଡିବାରୁ ଭୁବନେଶ୍ବର ହସପିଟାଲରେ ଭର୍ତ୍ତି ହୋଇଥିଲେ।

ସମସ୍ତଙ୍କର ଆଶା ଥିଲା ସେ ସୁସ୍ଥ୍ୟ ହୋଇ ଫେରିବେ ଆଉ ନିର୍ବାଚନ ଲଢିବେ। ହେଲେ ସେ ଆଶା ହିଁ ଆଶାରେ ରହିଗଲା। ବର୍ତ୍ତମାନ ପାଟକୁରା ଆସନରେ ବେଦୁଙ୍କ ବିରୋଧରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି ରାଜ୍ୟ ରାଜନୀତିର ବରିଷ୍ଠ ନେତା ବିଜୟ ମହାପାତ୍ର। ଏକଦା ବିଜୟ ବେଦୁ ଗୋଟିଏ ଦଳରେ ରହି କାର୍ଯ୍ୟ କରୁଥିଲେ। ଆଉ ସେତେବେଳେ କେନ୍ଦ୍ରାପଡାରୁ ଏହି ଦୁଇ ନେତା ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। କେନ୍ଦ୍ରାପଡା ସବୁବେଳେ ଓଡିଶା ରାଜନୀତିକୁ ପ୍ରଭାବିତ କରିଥାଏ। ଏଥର ମଧ୍ୟ କେନ୍ଦ୍ରାପଡା ଲୋକସଭା ଓ ବିଧାନସଭା ଉପରେ ସାରା ରାଜ୍ୟ ଏପରିକି ଦିଲ୍ଲୀ ଦରବାରର ମଧ୍ୟ ନଜରରେ ରହିଛି। କାରଣ ଏଠାରେ ଲୋକସଭା ପାଇଁ ହେଭିୱେଟ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ସହ ଅନୁଭବ ମହାନ୍ତିଙ୍କ ଲଢେଇ ହେଉଛି। ସେହିପରି କେନ୍ଦ୍ରାପଡାର ପାଟକୁରା ମଧ୍ୟ ସାରା ରାଜ୍ୟର ନଜର ରହଥିଲା। କାରଣ ହେଲା ସେଠାରେ ବେଦୁଙ୍କ ସହିତ ବିଜେପିର ହେଭିୱେଟ ବିଜୟ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନ ବେଦପ୍ରକାଶଙ୍କ ଦେହାନ୍ତ ପରେ ସେହି ନିର୍ବାଚନ ମଣ୍ଡଳିର ରାଜନୈତିକ ରୂପରେଖ ସଂପୂର୍ଣ୍ଣ ବଦଳିଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ।

( ଫଟାଫଟ ଖବର ଜାଣିବା ପାଇଁ ଆପଣଙ୍କ ମୋବାଇଲର ପ୍ଲେ-ଷ୍ଟୋରକୁ ଯାଇ ଡାଉନଲୋଡ କରନ୍ତୁ SANKHIPTA ଆପ, ଏହାପରେ ମୋବାଇଲ ସ୍କ୍ରିନକୁ ଆଙ୍ଗୁଠିରେ ତଳୁ ଉପରକୁ ଘଷି ପଢି ଚାଲନ୍ତୁ ଖବର ପରେ ଖବର )