Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

କଂଗ୍ରେସ ସଭାପତିଙ୍କ ନାମ ହେଲା ଘୋଷଣା, ନିରଂଜନଙ୍କ ଇସ୍ତଫା ହେଲା ଗୃହୀତ

ଭୁବନେଶ୍ବର: ବହୁ ବାଦବିବାଦ ପରେ ଆଜି ଏଆଇସିସି ଓଡିଶା ପ୍ରଦେଶ କଂଗ୍ରେସର ସଭାପତିଙ୍କ ନାମ ଘୋଷଣା କରିଛି। ସେ ହେଉଛନ୍ତି ପୂର୍ବତନ ସାଂସଦ ତଥା ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ। ଆଜି ଏ ନେଇ ଏଆଇସିସି ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହା ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ଉଲ୍ଲେଖ କରାଯାଇଛି।

ଏହି ବିଜ୍ଞପ୍ତିରେ ପ୍ରଥମେ କୁହାଯାଇଛି ଯେ, ପ୍ରଦେଶ କଂଗ୍ରେସ ସଭାପତି ପଦରୁ ନିରଜଂନ ପଟ୍ଟନାୟକଙ୍କ ଇସ୍ତଫା ଗୃହୀତ ହୋଇଛି। ଏଥିସହିତ ନୂଆ ସଭାପତି ଭାବେ ଶରତ ପଟ୍ଟନାୟକଙ୍କୁ ନିଯୁକ୍ତି ଦିଆଯାଇଛି। ନିଂରଜନ ପଟ୍ଟନାୟକ ତାଙ୍କ କାର୍ଯ୍ୟକାଳ ଭିତରେ ବେଶ୍ ଭଲ କାମ କରିଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି।

ଶରତ ପଟ୍ଟନାୟକ ବଲାଙ୍ଗୀରରୁ ୧୯୯୧ ଏବଂ ୧୯୯୬ ରେ ଦୁଇଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ଏଥି ସହତି ସେ ୨୦୦୦ ରୁ ୨୦୦୪ ପର୍ଯ୍ୟନ୍ତ ପିସିସି ସଭାପତି ଭାବେ ଦାୟିତ୍ୱରେ ଥିଲେ। ତାଙ୍କର ନିଯୁକ୍ତି ପରେ ସେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ରାହୁଳ ଗାନ୍ଧୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଆମେ ମିଳିମିଶି କାମ କରିବାକୁ ପଦକ୍ଷେପ ନେବୁ ବୋଲି ଶରତ କହିଛନ୍ତି।

ସେହିପରି ଓଡିଶା ପ୍ରଭାରୀ ଚେଲ୍ଲାକୁମାର ମଧ୍ୟ ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ଶରତ ପଟ୍ଟନାୟକଙ୍କୁ ନେଇ ଦଳ ଭଲ ପ୍ରଦର୍ଶନ କରିବ। ଶରତ ପଟ୍ଟନାୟକଙ୍କ ବହୁ ବଡ ଅଭିଜ୍ଞତା ରହିଛି। ତାଙ୍କର ନେତୃତ୍ବରେ ଦଳ ନିଶ୍ଚିତ ଭଲ କରିବ। ବହୁ ନେତା ଏହି ରେସରେ ଥିଲେ, ହେଲେ ସେମାନଙ୍କ ଭିତରେ ଶରତ ପଟ୍ଟନାୟକଙ୍କ ଅଭିଜ୍ଞ ସଂପର୍ଣ୍ଣ ନେତା ଭାବେ ତାଙ୍କୁ ଏହି ପଦବୀ ପାଇଁ ମନୋନିତ କରାଯାଇଛି।

ଶରତ ପଟ୍ଟନାୟକଙ୍କୁ ସଭାପତି ଭାବେ ଘୋଷଣା କରାଯିବା ପରେ ପ୍ରଦେଶ କଂଗ୍ରେସ ମହଲରେ ଉତ୍ସାହ ଖେଳିଯାଇଛି।