Categories
ଆଞ୍ଚଳିକ

ମାସ୍କ ଓ ପି.ପି.ଇ. କିଟ୍ ଦୁର୍ନୀତିର ସିବିଆଇ ତଦନ୍ତ ଦାବି

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: କରୋନା ମହାମାରୀ ସମୟରେ ମାସ୍କ ଓ ପି.ପି.ଇ. କିଟ୍ କିଣାରେ ଦୁର୍ନୀତି ହୋଇଥିବା ନେଇ ସି.ବି.ଆଇ. ତଦନ୍ତ ପାଇଁ ଗଂଜାମ ଜିଲ୍ଲା କଂଗ୍ରେସ ପକ୍ଷରୁ ବ୍ରହ୍ମପୁର ଆର୍‌ଡ଼ିସି ଏବଂ ଛତ୍ରପୁରରେ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଛି । ଏନେଇ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଅଭିଯୋଗ ପତ୍ର ପ୍ରଦାନ କରିଥିବାବେଳେ ଛତ୍ରପୁରରେ ମଧ୍ୟ ଜିଲ୍ଲାପାଳଙ୍କୁ ଅଭିଯୋଗ ପ୍ରଦାନ କରାଯାଇଛି । ସମଗ୍ର ରାଜ୍ୟ କରୋନା ବିରୋଧରେ ଲଢ଼ୁଥିବାବେଳେ ରାଜ୍ୟ ସରକାର କରୋନା ଜନିତ ପି.ପି.ଇ. କିଟ୍ ଓ ମାସ୍କ କିଣାରେ ବ୍ୟାପକ ହରିଲୁଟ୍ କରିଛନ୍ତି । ଏପିରିକି ଟେଷ୍ଟିଂ କିଟ୍ କିଣିବାରେ ମଧ୍ୟ ଅନେକ ଅନିୟମିତତା ହେବାର ଜଣାପଡ଼ିଛି । ସବୁଠାରୁ ଦୁର୍ଭାଗ୍ୟର ବିଷୟ ରାଜ୍ୟ ସରାକର ଯେଉଁ ପି.ପି.ଇ. କିଟ୍‌ଗୁଡ଼ିକ କିଣିଛନ୍ତି ତାହା ଅତି ନିମ୍ନମାନର ଅଟେ । ରାଜ୍ୟ ସରକାର ଯେଉଁ ମାସ୍କଗୁଡ଼ିକ ଷୋହଳ ଟଙ୍କାରେ କିଣିଛନ୍ତି ତାହା ଖୋଲା ବଜାରରେ ମାତ୍ର ଛଅଟଙ୍କାରେ ମିଳୁଛି ।

ସଂପୃକ୍ତ କଂପାନୀ ଅନ୍ୟ ରାଜ୍ୟକୁ ବହୁତ୍ କମ୍ ଦରରେ ବିକ୍ରି କରିଛି । ଅତଏବ ରାଜ୍ୟ ସରକାରଙ୍କ କରୋନା ଜନିତ ଦୁଃଖ ସମୟରେ ମଧ୍ୟ ସାଧାରଣ ଲୋକଙ୍କ ଟଙ୍କାକୁ ଲୁଟ୍ କରିବାର ଅଭିଳାଷକୁ ବନ୍ଦ କରିନାହାନ୍ତି । ରାଜ୍ୟରେ ସାଧାରଣ ଲୋକ କରୋନାର ମହାମାରୀ ବିରୁଦ୍ଧରେ ଲଢ଼ିବା ପାଇଁ କୋଟି କୋଟି ଟଙ୍କା ଦାନ କରିଥିବାବେଳେ ଏଭଳି ଖର୍ଚ୍ଚ ତାହା ଅତ୍ୟନ୍ତ ନିନ୍ଦନୀୟ । ଗଭୀର ସଂକଟ ଓ ଆର୍ଥିକ ଅନାଟନ ଭିତରେ ସାଧାରଣ ଲୋକଙ୍କ ଅର୍ଥକୁ ଲୁଟ୍ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଏହି ସମସ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ବା ସିବିଆଇ ତଦନ୍ତ କରିବାକୁ ଦାବି ହୋଇଛି । ଯଦି ରାଜ୍ୟ ସରକାର ଏସ୍‌ଏଚ୍‌ଜି ଗ୍ରୁଫ ଗଠନ କରି ତଥା ମହିଳା ସଶକ୍ତୀକରଣ କଥା କହୁଥିବାବେଳେ ସେମାନଙ୍କଠାରୁ ମାସ୍କ ନ କିଣି ବାହାରୁ କାହିଁକି କିଣିଲେ ତାହା ପ୍ରଶ୍ନବାଚୀ । ଦାବିପତ୍ର ପ୍ରଦାନ ସମୟରେ ଛତ୍ରପୁରରେ କଂଗ୍ରେସ ଜିଲ୍ଲା ସଭାନେତ୍ରୀ ସ୍ୱରୂପା ତ୍ରିପାଠୀ, ସାନଖେମଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନଙ୍କ ସହ ବହୁ ନେତା ସ କର୍ମୀ ଉପସ୍ଥିତ ଥିବାବେଳେ ବ୍ରହ୍ମପୁରରେ କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ତ୍ରିନାଥ ବେହେରା, ଭୋକାଲି ସେଠୀ, ପ୍ରଫୁଲ ପଣ୍ଡା, ସୁବାସ ରାଉତ, ଭକ୍ତଚରଣ ସାହୁ, ଇଜୁ ଅମିନ୍ ଖାନ୍‌, ବାବୁଲ ବେଗ୍‌, ଶିବରାମ ପାତ୍ର, ନିରୂପମା ପଟ୍ଟନାୟକ, ଉଦୟ ପାଣିଗ୍ରାହୀ, ଏସ.୍ ଦଣ୍ଡପାଣି, ସିଦ୍ଧାନ୍ତ ସାହୁ ପ୍ରମୁଖ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ ।