ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ରାଜସ୍ଥାନର ଆଜମେରରେ ଅନୁଷ୍ଠିତ ହେବାକୁ ଥିବା ଖ୍ବାଜା ଉର୍ସ ମେଳା ପାଇଁ ଏକ ସ୍ବତନ୍ତ୍ର ଟ୍ରେନ୍ର ଘୋଷଣା କରାଯାଇଛି । ମଙ୍ଗଳବାର ପୂର୍ବତଟ ରେଳବାଇ ପକ୍ଷରୁ ଏହି ଘୋଷଣା କରାଯାଇଛି । ଖ୍ବାଜା ଉର୍ସ ମେଳା-2020 ପାଇଁ ଏହି ସ୍ବତନ୍ତ୍ର ଟ୍ରେନର ଘୋଷଣା କରାଯାଇଛି । ଯାତ୍ରୀ ମାନଙ୍କ ସୁବିଧା ପାଇଁ ଏହି ଟ୍ରେନ୍ର ଘୋଷଣା କରାଯାଇଛି । ଫେବୃୟାରୀ 26 ତାରିଖ ସକାଳ 9ଟାରୁ ଏହି ଟ୍ରେନ୍ଟି ଛାଡିବା ସହିତ ଫେବୃୟାରୀ 28 ଅପରାହ୍ନ 4ଟାରେ ଆଜମେରରେ ପହଞ୍ଚିବ । ମାର୍ଚ୍ଚ 2 ତାରିଖ ସନ୍ଧ୍ୟା 8.05ରେ ଟ୍ରେନ୍ଟି ଛାଡି ମାର୍ଚ୍ଚ 4 ଅପରାହ୍ନ 4.14ରେ ପୁରୀରେ ପହଞ୍ଚିବ । ଉଲ୍ଲେଖଯୋଗ୍ୟ ଯେ, ଖ୍ବାଜା ମଇଉଦ୍ଦିନ୍ ଚିସ୍ତିଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଉର୍ସ ମେଳା ଆୟୋଜିତ ହୋଇଥାଏ ।
Tag: Puri
ସମୀକ୍ଷା ବ୍ୟୁରୋ
ପୁରୀ : ପୁରୀ ଜିଲ୍ଲାସ୍ତରୀୟ ପ୍ୟାରେଡ୍ ଗ୍ରାଉଣ୍ଡର ସ୍ଥାନ ବଦଳିଛି । ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟସ୍ଥ ଶରଧା ବାଲିରେ ଅନୁଷ୍ଠିତ ହେଉଥିବାବେଳେ ଚଳିତ ବର୍ଷ ତାଳବଣିଆ ଇଣ୍ଡୋର ଷ୍ଟାଡିୟମ୍ରେ ପାଳିତ ହେବ ସାଧାରଣତନ୍ତ୍ର ଦିବସ । 71ତମ ସାଧାରଣତନ୍ତ୍ର ଦିବସ ଅବସରରେ ପୁରୀଠାରେ ଜାତୀୟ ପତାକା ଉତ୍ତୋଳନ କରିବେ ଆଇନମନ୍ତ୍ରୀ ପ୍ରତାପ ଜେନା । ସେହିପରି ଚଳିତଥର ମୁଖ୍ୟମନ୍ତ୍ରୀ କଟକଠାରେ ପତାକା ଉତ୍ତୋଳନ କରିବେ ନାହିଁ। ଭୁବନେଶ୍ବରରେ ରାଜ୍ୟପାଳଙ୍କ ଦ୍ବାରା ହେବାକୁ ଥିବା ପତାକା ଉତ୍ତୋଳନ ଉତ୍ସବରେ ସମ୍ମାନିତ ଅତିଥୀ ଭାବେ ଯୋଗଦେବେ। ଚଳିତ ଥର କଟକଠାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପତାକା ଉତ୍ତୋଳନ କରିବେ ।
ସମୀକ୍ଷା ବ୍ୟୁରୋ
ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ୭ଟି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ଏହାଛଡ଼ା ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପର ସମୀକ୍ଷା ମଧ୍ୟ କରିଛନ୍ତି। ପୁରୀକୁ ବିଶ୍ବସ୍ତରୀୟ ଐତିହ୍ୟସ୍ଥଳୀ କରିବାକୁ ଅଣ୍ଟା ଭିଡିଛନ୍ତି ରାଜ୍ୟ ସରକାର। ଏଥିଲାଗି ଭିତ୍ତିଭୂମିର ବିକାଶ, କ୍ଷତିଗ୍ରସ୍ତଙ୍କୁ ଥଇଥାନ, ନୂଆ ବହୁଥାକିଆ ରାସ୍ତା, ସେତୁ, ପାର୍କିଂ ଆଦିର ପରିକଳ୍ପନା କରାଯାଇଛି। ଶିଳାନ୍ୟାସ ହୋଇଥିବା ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଶ୍ରୀସେତୁ, ତୀର୍ଥଯାତ୍ରୀ କେନ୍ଦ୍ର, ବହୁତଳ କାର୍ ପାର୍କିଂ, ମ୍ୟୁନିସିପାଲିଟି ନୂତନ ମାର୍କେଟ କମ୍ପ୍ଲେକ୍ସ, ସ୍ବର୍ଗଦ୍ୱାରର ପୁନରୁଦ୍ଧାର, ସମୁଦ୍ରକୂଳରେ ଭେଣ୍ଡିଂଜୋନ ଏବଂ ମଧ୍ୟାହ୍ନଭୋଜନ ଓ ଆହାର ଯୋଜନାର କେନ୍ଦ୍ରୀକରଣ ରୋଷଶାଳା।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,03/01: ଦେଶର ସ୍ବଚ୍ଛ ବିଚ୍ର ମାନ୍ୟତା ପାଇଛି ଓଡିଶାର ପୁରୀ ଏବଂ ଗୋପାଳପୁର ସମୁଦ୍ରକୂଳ । ନ୍ୟାସନାଲ ସେଣ୍ଟର ଫର କୋଷ୍ଟାଲ ରିସର୍ଚ୍ଚ ପକ୍ଷରୁ ଏହି ତଥ୍ୟ ଶୁକ୍ରବାର ଦିନ ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରାଯାଇ ଏହି ସୂଚନା ଦିଆଯାଇଛି । ତାଲିକାରେ ପୁରୀ ଏକ ନମ୍ବର ସ୍ଥାନରେ ରହିଥିବା ବେଳେ ଗୋପାଳପୁର ଦ୍ବିତୀୟ ସ୍ଥାନରେ ରହିଛି । ତୃତୀୟ ସ୍ଥାନରେ ତାମିଲନାଡୁର ଥିରୁଭାଞ୍ଜୁର, ଚତୁର୍ଥରେ କେରଳର କାଝାକୁଟ୍ଟାମ ଏବଂ ପଞ୍ଚମ ସ୍ଥାନରେ ଗୁଜରାଟର ଡୁମାସ୍ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ଓଡିଶାର ବିଭିନ୍ନ ସମୁଦ୍ରତଟରୁ 478.2 କିଗ୍ରା ବର୍ଜ୍ୟବସ୍ତୁ ଉଦ୍ଧାର କରାଯାଇଥିଲା ।
ସମୀକ୍ଷା ବ୍ୟୁରୋ
ପୁରୀ,01/01 : ନବବର୍ଷ ପାଇଁ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖାଦେଇଛି । ନବବର୍ଷ ଅବସରରେ ରାତି ଗୋଟାଏରେ ଶ୍ରୀମନ୍ଦିର ଦ୍ବାର ସାଧାରଣ ଦର୍ଶନ ପାଇଁ ଖୋଲାଯାଇଥିବା ବେଳେ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ନୂଆବର୍ଷ ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିର ଆୟୋଜନ କରାଯାଇଛି । ନବବର୍ଷ ଉପଲକ୍ଷେ ଶ୍ରୀମନ୍ଦିରକୁ ଚଳିତ ବର୍ଷ ଭିନ୍ନ ଢଙ୍ଗରେ ସଜାଯାଇଛି । ଭକ୍ତମାନଙ୍କ ମନରେ ଆଧ୍ୟାତ୍ମିକ ଚେତନା ସୃଷ୍ଟି କରିବା ପାଇଁ ସିଂହଦ୍ୱାର ସମ୍ମୁଖରେ ଭଜନ ଓ ଜଣାଣର ବ୍ୟବସ୍ଥା କରାଯାଇଛି । ପୁରୀ ଜିଲ୍ଲା ପୋଲିସ ପକ୍ଷରୁ ଟ୍ରାଫିକ ଗାଇଡଲାଇନ ଜାରି କରାଯାଇଛି । ପାର୍କିଂ ପାଇଁ ମାଳତୀପାଟପୁର, ତାଳବଣିଆ, ଇଣ୍ଡୋର ଷ୍ଟାଡିୟମ, ଆଇଟିଆଇ ପରିସର ଓ ଜଗନ୍ନାଥ ଷ୍ଟାଡିୟମରେ ପାର୍କିଂ ବ୍ୟବସ୍ଥା କରାଯାଇଛି । ସହର ମଧ୍ୟକୁ ଭାରୀଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି । ଭକ୍ତମାନେ ଯେପରି ଶାନ୍ତିଶୃଙ୍ଖଳାର ସହିତ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ ସେଥିପାଇଁ 65 ପ୍ଲାଟୁନୁ ପୋଲିସ ମୁତୟନ କରାଯାଇଛି ।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର, ୩୦/୧୨: ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ହେରଟେଜ୍ କରିଡର ଚିଠା (ଆର୍କିଟେକଚର୍ ପ୍ଲାନ୍) ଓଡ଼ିଶାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଚିଠା ସମ୍ପର୍କରେ ଜନସାଧାରଣ ସେମାନଙ୍କର ମୂଲ୍ୟବାନ ମତକୁ ଇମେଲ ଜରିଆରେ ୨୦୨୦ ଜାନୁଆରୀ ୧୫ ସୁଦ୍ଧା ଶ୍ରୀମନ୍ଦିରର ପ୍ରଶାସନକୁ ପଠାଇବା ନିମେନ୍ତ ପରାମର୍ଶ ଦେଇଛନ୍ତି। ଜନସାଧାରଣଙ୍କ ପ୍ରସ୍ତାବକୁ ତର୍ଜମା କରାଯାଇ ଚୂଡ଼ାନ୍ତ ସ୍ଥପତି ଶୈଳୀର ରୂପରେଖ ଫେବୃଆରୀ ମାସରେ ପ୍ରକାଶିତ ହେବ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରିମଣ୍ଡଳର ସଦସ୍ୟବୃନ୍ଦଙ୍କ ସମେତ ମୁଖ୍ୟଶାସନ ସଚିବ ଓ ବରିଷ୍ଠ ପଦାଧିକାରୀପ୍ରମୁଖ ଉପସ୍ଥିତ ରହିଥିଲେ।
ମତାମତା ପଠାଇବା ପାଇଁ ଇମେଲ : [email protected]
ସେହିପରି ଶ୍ରୀଜଗନ୍ନାଥ ମନ୍ଦିରର ଐତିହ୍ୟ କରିଡର ପାଇଁ ଯେଉଁ ମଠ ଓ ବ୍ୟକ୍ତିବିଶେଷମାନେ ଜମି ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏବଂ ଏହି କାର୍ଯ୍ୟ ପାଇଁ ସମ୍ପୃକ୍ତ ଜମି ଦାନ କରିଥିବା ବ୍ୟକ୍ତବିଶେଷଙ୍କର ନାମ ଐତିହ୍ୟ କରିଡରରେ ଏକ ଫଳରେ ସବୁଦିନ ପାଇଁ ସ୍ଥାନିତ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଏହି ଐତିହ୍ୟ କରିଡର ପାଇଁ ଅଧିଗୃହୀତ ସମସ୍ତ ଜମି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରାଯିବ ବୋଲି ଘୋଷଣା କରାଯାଇଛି।
ଲୋକାର୍ପିତ ହୋଇଥିବା ଚିଠା ‘ଆର୍କିଟେକଚର୍ ପ୍ଲାନ୍’ କେବଳ କରିଡରର ସୌନ୍ଦର୍ଯ୍ୟକରଣ ଓ ବିଭିନ୍ନ ସୁବିଧା ସୁଯୋଗର ବିକାଶ ମଧ୍ୟରେ ସୀମିତ ଅଟେ। ଶ୍ରୀମନ୍ଦିର ସୁରକ୍ଷା ନିମନ୍ତେ ଯୋଜନା ପ୍ରସ୍ତୁତି ଦାୟିତ୍ବ ଏସଂକ୍ରାନ୍ତରେ ଖ୍ୟାତି ଅର୍ଜନ କରିଥିବା ବୃତ୍ତିଧାରୀମାନଙ୍କୁ ଅର୍ପଣ କରିବା ପାଇଁ ସ୍ଥିର କରାଯାଇଛି।
ପୁରୀକୁ ବିଶ୍ବସ୍ତରୀୟ ପର୍ଯ୍ୟଟନସ୍ଥଳୀରେ ସାମିଲ୍ କରିବା ନେଇ ରାଜ୍ୟସରକାର ପୁରୀର ବିକାଶ ଦିଗରେ ବିଶେଷ ଗୁରୁତ୍ବ ଦେଇଛନ୍ତି। ପୁରୀଧାମରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଅତ୍ୟାଧୁନିକ ଶୃଙ୍ଖଳିତ ଧାଡ଼ି ବ୍ୟବସ୍ଥା କରାଯିବା ସହିତ ମଝିରେ ମଝିରେ ବିଶ୍ରାମ ନେବାର ସୁବିଧା ମଧ୍ୟ କରାଯିବ। ଯାତ୍ରୀମାନଙ୍କ ପାଦ ଓ ହାତ ଧୋଇବା ନିମେନ୍ତ ଅତ୍ୟାଧୁନିକ ବ୍ୟବସ୍ଥା, ଉପଯୁକ୍ତ ଆଲୋକ, ସିସିଟିଭି ବ୍ୟବସ୍ଥା ସହିତ ପିଇବା ପାଣି ଓ ଶୌଚାଳୟର ବିକାଶ କରାଯିବ। ଶ୍ରୀମନ୍ଦିର ଚତୁର୍ପାଶ୍ବରେ ନିରାପତ୍ତା ବ୍ୟବସ୍ଥାକୁ ସୁଦୃଢ କରାଯିବ। ଶ୍ରୀଜଗନ୍ନାଥଙ୍କର ବିଭିନ୍ନ ବେଶ, ଦଶାବତାର ଏବଂ ଜଗନ୍ନାଥ ସଂସ୍କୃତିର ଅନନ୍ୟ ବୈଭବ ସମ୍ପର୍କରେ ଯାତ୍ରୀମାନଙ୍କୁ ଅବଗତ କରାଇବା ପାଇଁ ବ୍ୟବସ୍ଥା କରାଯିବ। ମୁକ୍ତାକାଶ ମଞ୍ଚରେ ଓଡ଼ିଶାର କଳା ଓ ସଂସ୍କୃତିର ପ୍ରଦର୍ଶନର ଆୟୋଜନ ମଧ୍ୟ କରାଯିବ।
ସମୀକ୍ଷା ବ୍ୟୁରୋ
ପୁରୀ,24/12 : ପୁରୀ ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି ପୋଲିସ୍ । ମାମଲାକୁ ନେଇ ତତ୍ପରତା ଦେଖାଇ ପୋଲିସ୍ ଘଟଣାର 20 ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିଛି । ମାମଲାର ମୁଖ୍ୟ ଅଭିଯୁକ୍ତ ନିଲମ୍ବିତ କନେଷ୍ଟବଳ ଜିତେନ୍ଦ୍ର ସେଠୀଙ୍କ ସହିତ 5 ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରାଯାଇଛି । ଏହା ସହିତ ମାମଲାର ଶୁଣାଣି ଫାଷ୍ଟଟ୍ରାକ କୋର୍ଟରେ କରାଯିବା ନେଇ ପୋଲିସ ପକ୍ଷରୁ ଆବେଦନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଡିସେମ୍ବର 2 ତାରିଖରେ ଯୁବତୀଙ୍କୁ ଲିଫ୍ଟ ଦେବା ବାହାନାରେ ନିଲମ୍ବିତ କନେଷ୍ଟବଳ ରାଜେନ୍ଦ୍ର ସେଠୀ ଏବଂ ଅନ୍ୟ 5 ଜଣ ଗଣ ଦୁଷ୍କର୍ମ କରିଥିଲେ । ଦୁଇ ଦିନ ମଧ୍ୟରେ ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ।
ସମୀକ୍ଷା ବ୍ୟୁରୋ, ପୁର18/12: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବାକୁ ଥିବାରୁ ବୁଧବାର ସାଧାରଣ ଦର୍ଶନ 4 ଘଣଟା ପାଇଁ ବନ୍ଦ ରହିବ । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ 2.30ରୁ 6.30 ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସମୀକ୍ଷା ବ୍ୟୁରୋ, ପୁରୀ,4/12: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଆଜି ଅନୁଷ୍ଠିତ ହେବ । ଦ୍ୱିପ୍ରହର ଧୂପ ସରିବାପରେ ଦତ୍ତ ମହାପାତ୍ର ସେବକମାନେ ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ କରିବା ସହ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, ଶଙ୍ଖ, କସ୍ତୁରୀ ଓ କଳା ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଚମକିବ । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ଅପରାହ୍ନ ଚାରିଟାରୁ ରାତି ଆଠଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।
ସମୀକ୍ଷା ବ୍ୟୁରୋ
ପୁରୀ,3/12: ନିମାପଡାରୁ ଉଠାଇ ନେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ ଅଭିଯୋଗରେ ଆଜି 4 ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ଜଣେ ନିଲମ୍ବିତ କନେଷ୍ଟବଳ ରହିଛନ୍ତି । ଜିତେନ୍ଦ୍ର ସେଠୀ ନାମକ ଏହି କନେଷ୍ଟବଳ ଜଣକ ଯୁବତୀଙ୍କୁ ଝାଡେଶ୍ବରୀ କ୍ଲବ ନିକଟସ୍ଥ କ୍ବାର୍ଟରକୁ ନେଇ ଗଣଦୁଷ୍କର୍ମ କରିଥିଲେ । ଗତକାଲି ଯୁବତୀଙ୍କ ଅଭିଯୋଗ ପରେ କନେଷ୍ଟବଳଙ୍କୁ ପଚରା ଉଚୁରା କରାଯାଇଥିଲା । ଆଜି କନେଷ୍ଟବଳଙ୍କ ଗିରଫ କରାଯାଇଥିବା ବେଳେ ଅନ୍ୟ ତିନି ଜଣଙ୍କୁ ପଚରା ଉଚୁରା କରୁଛି ପୋଲିସ୍ । କନେଷ୍ଟବଳଙ୍କୁ ପୂର୍ବରୁ ନିଲମ୍ବନ କରାଯାଇଥିବା ବେଳେ ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ କରାଯାଇଛି ।
ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର,2/12: ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ସୁରକ୍ଷା ବଳୟ ନିମନ୍ତେ ଆବଶ୍ୟକ ଥିବା ଜମିର 75 ପ୍ରତିଶତ ଘରୋଇ ଜମି ସ୍ବେଚ୍ଛାକୃତ ଭାବରେ ସଂଗୃହୀତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଛନ୍ତି । ସେପ୍ଟେମ୍ବର 25 ତାରିଖରେ ସୁରକ୍ଷା ବଳୟ ନିମନ୍ତେ 15 ଏକର ଜମି ଅଧିଗ୍ରହଣ କରାଯିବା ନେଇ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଶ୍ରୀମନ୍ଦିର ସୁରକ୍ଷା ପାଇଁ ସାଧାରଣ ଜନତା ନିଜର ବାସଗୃହ, ବ୍ୟବସାୟିକ ପ୍ରତିଷ୍ଠାନ,ହୋଟେଲ ଏବଂ ଲଜିଂ ପରିତ୍ୟାଗ କରିଛନନ୍ତି । ମହାପ୍ରଭୁଙ୍କ ଇଚ୍ଛା ଏବଂ ପ୍ରେରଣାରେ ଏହା ସମ୍ଭବ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସାଧାରଣ ଜନତାଙ୍କ ଏହି ତ୍ୟାଗ ଶ୍ରୀକ୍ଷେତ୍ରକୁ ବିଶ୍ବ ଐତିହ୍ୟ ନଗରୀ ଭାବରେ ଗଢିତୋଳିବା ପାଇଁ ସରକାରଙ୍କ ସଙ୍କଳ୍ପକୁ ଦୃଢ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
କେଦାର ମିଶ୍ର
ଶ୍ରୀଜଗନ୍ନାଥ ସଂସ୍କୃତି କେବଳ ଶ୍ରୀମନ୍ଦିର ଭିତରେ ସୀମିତ ନୁହେଁ। ମନ୍ଦିର ବାହାରେ ମେଘନାଦ ପାଚେରୀକୁ ଘେରି ରହିଥିବା ମଠ, ବିଭିନ୍ନ ସେବାୟତଙ୍କ ଘର ଓ ଖୋଦ ଗଜପତିଙ୍କ ଶ୍ରୀ ନଅର ମଧ୍ୟ ଶ୍ରୀ ଜଗନ୍ନାଥ ପରମ୍ପରାର ଅଂଶବିଶେଷ। ଦୁଇଦିନ ତଳେ ହଠାତ ଓଡିଶା ସରକାର ଯେତେବେଳେ କ୍ୟାବିନେଟ ନିଷ୍ପତ୍ତି ନେଲେ ଯେ ମନ୍ଦିର ଠାରୁ ୭୫ ମିଟର ପରିଧି ଭିତରେ ରହିଥିବା ସବୁ କୋଠାବାଡି ଖାଲି କରାଯିବ, ତାହା ଅତ୍ୟନ୍ତ ବିଚିତ୍ର ଓ ମହମ୍ମଦ ବିନ ତୁଗଲକଙ୍କ ନିଷ୍ପତ୍ତି ଭଳି ଶୁଣାଗଲା। ମନ୍ଦିର ଚାରି ପାର୍ଶ୍ଵରେ ରହିଥିବା ମଠ ଗୁଡିକ ଭାଙ୍ଗିବା ଏକପ୍ରକାର ଧାର୍ମିକ ଉତ୍ତେଜନା ସୃଷ୍ଟି କରିବ ଓ ଏହା ଐତିହ୍ୟ ବିରୋଧୀ ବୋଲି ସରକାର ବୁଝି ପାରୁନାହାନ୍ତି କେମିତି? ସବୁଠୁ ଦୁର୍ଭାଗ୍ୟର କଥା ହେଉଛି, ଏମିତି ଏକ ନିଷ୍ପତ୍ତି ନେବାକୁ ଶ୍ରୀମନ୍ଦିର ସଂସ୍କାର ଲାଗି ରାଜ୍ୟ ସରକାର ଗଠନ କରିଥିବା ଜଷ୍ଟିସ ଦାସ କମିଶନ ଏହାକୁ ସୁପାରିଶ କରିଛନ୍ତି। ଏମିତି ଏକ ସୁପାରିଶ କରିବା ପୂର୍ବରୁ ମେଘନାଦ ପାଚେରି ଠାରୁ ୭୫ ମିଟର ଭିତରେ କଣ ସବୁ ଅନୁଷ୍ଠାନ ରହିଛି, ସେ କଥା କମିଶନ ଭଲ ଭାବରେ ଅନୁଧ୍ୟାନ କରିବା ଉଚିତ ହୋଇଥାନ୍ତା।
ପୁରୀ ମନ୍ଦିରର ଭୌଗୋଳିକ ଅବସ୍ଥିତି ବିଷୟରେ ଯେଉଁମାନେ ଅବଗତ ଅଛନ୍ତି, ସେମାନେ ଭଲ ଭାବରେ ଜାଣନ୍ତି, ସେମାନଙ୍କୁ ଏ ନିଷ୍ପତ୍ତି ଏକପ୍ରକାର ଆତଙ୍କ ଭଳି ମନେହେବ। ମନ୍ଦିରକୁ ଘେରି ପୁରୀ ସହରର ତିନୋଟି ପ୍ରମୁଖ ଜନାକୀର୍ଣ୍ଣ ସାହି ରହିଛି। ମାର୍କଣ୍ଡେଶ୍ଵର ସାହି, ବାଲି ସାହି ଓ ଦୋଳମଣ୍ଡପ ସାହି। ଏହି ସାହି ଗୁଡିକରେ ଶ୍ରୀ ମନ୍ଦିର ସେବାପୂଜା ସହ ସମ୍ପୃକ୍ତ ଅନେକ ମଠ ଓ ସେବାୟତଙ୍କ ଘରବାଡି ରହିଛି। ସାରା ଭାରତର ତୀର୍ଥସ୍ଥଳ ଗୁଡିକର ଭୌଗୋଳିକ ସଂରଚନା ପ୍ରାୟ ଏମିତି। ମୁଖ୍ୟ ମନ୍ଦିର ଓ ତାକୁ ଘେରି ଆଶ୍ରମ, ମଠ ଓ ସେବାୟତଙ୍କ ବସତି। ଏହା ବହୁ ପ୍ରାଚୀନ ବ୍ୟବସ୍ଥା। ତାକୁ ଭାଙ୍ଗିଦେବାର ଅର୍ଥ ହେଉଛି, ଐତିହ୍ୟକୁ ଧ୍ଵଂସ କରିଦେବା। ମଠ ଗୁଡିକର ନିଜସ୍ଵ ଐତିହ୍ୟ ଓ ଐତିହାସିକ ମୂଲ୍ୟ ରହିଛି। ସେସବୁକୁ ଉଚ୍ଛେଦ କରିବାର ନିଷ୍ପତ୍ତି ଆଦୌ ଗ୍ରହଣୀୟ ନୁହେଁ।
ମନ୍ଦିରର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ଲାଗି ଏମିତି ବ୍ୟବସ୍ଥା କରିବାକୁ କମିଶନ କହିଛନ୍ତି ଓ ଏହାକୁ ସରକାର ବିନା ବିଚାରରେ ଗ୍ରହଣ କରିନେଇଛନ୍ତି। ମନ୍ଦିର ମଠ ପରିବେଷ୍ଟିତ ହୋଇ ରହିଛି ବୋଲି ସୁନ୍ଦର ଦିଶୁନାହିଁ କି? ମନ୍ଦିରର ସୌନ୍ଦର୍ଯ୍ୟକରଣ ମାନେ କଣ କେବଳ ବୁଗେନଭିଲା ଓ କ୍ରୋଟନ ଲଗାଇବା? ପୁରୀ ସହରର ଏକ ପ୍ରାଚୀନ ବାସ୍ନା ରହିଛି। ତାକୁ ଭାଙ୍ଗିରୁଜି ଦେବାର କୌଣସି ଅର୍ଥ ନାହିଁ। ପୁରୀ ମନ୍ଦିରର ପ୍ରାଥମିକ ସୌନ୍ଦର୍ଯ୍ୟ ହେଉଛି ଏହାର ପ୍ରାଚୀନତା। ଏହାର ଗଳି ରାସ୍ତା ଓ ପୁରୁଣା ମଠ ସବୁର କାରୁକାର୍ଯ୍ୟ । ତାକୁ ଭାଙ୍ଗିବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ।
ଏହା ସହିତ ବିଭିନ୍ନ ସେବାୟତଙ୍କ ପୈତୃକ ଘରବାଡି ଏହି ୭୫ ମିଟର ସୀମା ଭିତରେ ରହିଛି। ମନ୍ଦିରର ସୁନ୍ଦରତା ବଢାଇବାକୁ ସେବାୟତମାନଙ୍କୁ ଉଦବାସ୍ତୁ କରିବା ନ୍ୟାୟସଙ୍ଗତ ନୁହେଁ। ଶହ ଶହ ବର୍ଷର ଭିଟାମାଟି ଛାଡିବାକୁ ସେମାନଙ୍କୁ ବାଧ୍ୟ କରାଯିବା ଉଚିତ ହେବ କି? ମନ୍ଦିର ସୁରକ୍ଷା ପ୍ରସଙ୍ଗରେ ହୁଏତ ଜବରଦଖଲ ଉଚ୍ଛେଦ କରାଯାଇପାରେ। ଏଠି କହିରଖିବା ଉଚିତ ହେବ ଯେ, ବାରମ୍ବାର ବାହ୍ୟ ଶତ୍ରୁ ଆକ୍ରମଣରୁ ଶ୍ରୀଜଗନ୍ନାଥ ମନ୍ଦିରକୁ ଏହି ସେବାୟତମାନେ ହିଁ ସୁରକ୍ଷିତ ରଖି ଆସିଛନ୍ତି। ଆଜି ସେମାନଙ୍କ ଘର ଓ ଭୂମିକୁ ଶ୍ରୀମନ୍ଦିର ସୁରକ୍ଷା ଆଳରେ ମାଡିବସିବା ଠିକ ହେବନାହିଁ।
ଏ ସମ୍ପର୍କରେ ନିଷ୍ପତ୍ତି ନେବା ଆଗରୁ ପୁରୀର ନାଗରିକ, ରାଜନେତା, ଐତିହାସିକ, ସେବାୟତ ଓ ମଠାଧୀଶମାନଙ୍କ ସହ ବ୍ୟାପକ ଆଲୋଚନା ହେବା ଉଚିତ ହୋଇଥାନ୍ତା। ୭୫ ମିଟର ପରିଧିରେ କଣ କଣ ସବୁ ଅନୁଷ୍ଠାନ ରହିଛି ଓ ଐତିହ୍ୟ ଦୃଷ୍ଟିରୁ ସେଥିରୁ କିଏ କିଏ ସବୁ ଗୁରୁତ୍ୱପୂର୍ଣ୍ଣ ତାହାର ମଧ୍ୟ ଏକ ତାଲିକା ହେବା ଜରୁରୀ ଥିଲା। କେବଳ ହୁଙ୍କାପିଟା ନ୍ୟାୟରେ ଏ ପ୍ରକାର ଉଚ୍ଛେଦ ନିଷ୍ପତ୍ତି ପୁରୀ ସହରରେ ଏକ ବଡ ଧରଣର ଅଶାନ୍ତି ସୃଷ୍ଟି କରିପାରେ। ଆଇନ ଶ୍ରୁଙ୍ଖଳା ପରିସ୍ଥିତିର ସମ୍ଭାବନା ସହିତ ଇତିହାସ ପ୍ରତି ଏହା ଏକ ଆକ୍ରମଣ ବୋଲି ବାର୍ତ୍ତା ମଧ୍ୟ ଯାଇପାରେ। ଯେ କୌଣସି ଐତିହ୍ୟ ସଚେତନ ନାଗରିକ ରାଜ୍ୟ ସରକାରଙ୍କ ଏ ପ୍ରକାର ନିଷ୍ପତ୍ତିକୁ ସମର୍ଥନ କରିବ ନାହିଁ।
ବୁଧବାର ବିଳମ୍ବିତ ରାତ୍ରରେ ପୁରୀ-ଭୁବନେଶ୍ୱର ରାସ୍ତାରେ ମାଳତିପାଟପୁରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି। ସୂଚନାନୁସାରେ, ଗତକାଲି ରାତି ୨ଟାରେ ଦୁଇଟି ବାଇକରେ ୬ ଜଣ ଯୁବକ ପୁରୀ ଅଭିମୁଖେ ଯାଉଥିଲେ। ସେହି ସମୟରେ ମାଳତିପାଟପୁର ଠାରେ ଗୋଟିଏ ଗାଡି ଅନ୍ଧାରରେ ହମ୍ପସକୁ ଦେଖି ନପାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୨ ଜଣ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହାସହ ଜଣେ ଯୁବକ ଆହତ ମଧ୍ୟ ହୋଇଛନ୍ତି। ଆହତ ଯୁବକ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ଯୁବକ ଭଦ୍ରକ ଜିଲ୍ଲାର ଏବଂ ସେମାନେ ପୁରୀ ଭ୍ରମଣ ପାଇଁ ଯାଉଥିଲେ ବୋଲି ଜଣାପଡିଛି।
ସମୀକ୍ଷା ବ୍ୟୁରୋ
ବିହାର ମୁଜାଫରପୁର ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ଉଦବେଗ ଜନକ ଭାବେ ବଢିବାରେ ଲାଗିଛି। ଜାପାନୀ ଜ୍ଵର ଦ୍ବାରା ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକ ଶିଶୁ ମୃତ୍ୟୁବରଣ କରିସାରିଲେଣି। ଆହୁରି ଶହ ଶହ ଶିଶୁ ଏହି ରୋଗରେ ପିଡିତ ହୋଇ ଚିକିତ୍ସା ହେଉଛନ୍ତି। ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହିପରି ଏକ ଘଡିସନ୍ଧି ସମୟରେ ଆନ୍ତର୍ଜାତୀୟ ଖ୍ୟାତି ସଂପନ୍ନ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରୁଛନ୍ତି ସଚେତନତା। ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବାଲୁକା କଳା କରି ଏହି ରୋଗରୁ ଦୂରେଇ ରହିବା ପାଇଁ ଆହ୍ବାନ ଦେଇଛନ୍ତି। ସେ ଏହି କଳା ମାଧ୍ୟମରେ ସରକାରଙ୍କୁ ତୁରନ୍ତ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି। ସୁଦର୍ଶନ ଏବଂ ତାଙ୍କର ଛାତ୍ରଛାତ୍ରୀ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏଥିରେ ଏକ ମୃତ ଶିଶୁର ସ୍ଥାପତ୍ୟ କରିବା ସହିତ ମୋତେ ଜାପାନୀ ଜ୍ଵରରୁ ରକ୍ଷାକର ବୋଲି ସ୍ଲୋଗାନ ଲେଖିଛନ୍ତି।
କେଦାର ମିଶ୍ର
ମହାପ୍ରଭୁ ଶ୍ରୀଜଗନ୍ନାଥ ଲୋକ ଜୀବନର ମହାଦେବତା । ତାଂକର ପୂଜା ବିଧାନ ଓ ଉପଚାରରେ ଲୋକ ଜୀବନର ପ୍ରଭାବ ପ୍ରଛନ୍ନ ଭାବେ ଦେଖିବାକୁ ମିଳେ। ସ୍ନାନ ପୂର୍ଣିମା ପରେ ମହାପ୍ରଭୁଂକ ଶ୍ରୀଅଂଗ ରେ ବାଧା ହୁଏ।ଲୋକାଚାର ରେ ଏହି ସମୟରେ ମହାପ୍ରଭୁଙ୍କୁ ଜ୍ବର ହୁଏ।ଓଡିଶାର ଜନଜୀବନରେ ଏହା ଅଣସର ସମୟ। ଗ୍ରୀଷ୍ମ ପରେ ବର୍ଷା ଆସୁଥିବାରୁ ପ୍ରଚଣ୍ଡ ଗୁଳୁଗୁଳିର ସମୟ। ସ୍ନାନ ମଣ୍ଡପରୁ ମହାସ୍ନାନ ସାରି ହାତୀ ବେଶରେ ଦର୍ଶନ ଦେବା ପରେ ଚତୁର୍ଦ୍ଧା ମୂର୍ତ୍ତି ଆଉ ରତ୍ନ ସିଂହାସନକୁ ନ ଫେରି ଅଣସର ଘର କୁ ବିଜେ କରନ୍ତି । ଅଣସର ବିଧି ପ୍ରାୟ ଗୋପନ। ଶ୍ରୀମନ୍ଦିରର ମୂଳ ସେବକ ଦଇତା ଓ ପତି ସେବକ ମାନେ ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଂକ ଶ୍ରୀଅଂଗ ଫିଟା ଓ ନବ ଯୌବନ ଲାଗି କରାଇଥାନ୍ତି ।ଅଣସର ସମୟରେ ଖାଲି ଥିବା ରତ୍ନ ସିଂହାସନରେ ପଟି ଦିଅ ଓ ଦଶାବତାର ଠାକୁର ପୂଜା ପାଆନ୍ତି।ମନ୍ଦିର ବେଢା ଭିତରେ ଚାଲିଥିବା ଏହି ରହସ୍ୟମୟ ନୀତି ସମ୍ପର୍କରେ ଶ୍ରୀମନ୍ଦିର ସ୍ବତ୍ବଲିପି ଯେଉଁ ବର୍ଣ୍ଣନା କରିଛି, ତହିଁରୁ କେତୋଟି ପ୍ରମୁଖ କଥା ଜାଣିବା ଆସନ୍ତୁ-
୧. ଜୈଷ୍ଠ ପୂର୍ଣିମା ରାତିରୁ ଆଷାଢ଼ ଅମାବାସ୍ୟା ରାତି ଯାଏ ଅଣସର ବିଧାନ ଚାଲେ। ସ୍ନାନ ମଣ୍ଡପରୁ ଠାକୁରମାନେ ଅଣସର ଘରକୁ ଆସିଲା ପରେ ଶ୍ରୀଜଗନ୍ନାଥଂକ ହୀରା ଚିତା, ଶ୍ରୀବଳଭଦ୍ରଂକ ନୀଳା ଚିତା ଓ ମା ସୁଭଦ୍ରାଂକ ମାଣିକ୍ୟ ଚିତାକୁ ଓହ୍ଲାଇ ଦିଆଯାଏ। କୋଠ ସୁଆଁସିଆ ମାନେ ଗୋଟେ ଦୁଆର ଅଳ୍ପ ଖୋଲା ରଖି ଅଣସର ପିଢ ଚାରିପଟେ ବାଉଁଶ ତାଟି ବେଢେଇ ଦିଅନ୍ତି । ସେଠି ପତି ଓ ଦଇତା ସେବକ ମାନେ ପନ୍ଦରଦିନ ବ୍ୟାପୀ ଅଣସର ଉପଚାର କରନ୍ତି ।
୨. ଏପଟେ ଖାଲି ଥିବା ରତ୍ନ ସିଂହାସନକୁ ଚିତ୍ରକର ସେବାୟତଂକ ଘରୁ ପଟି ରେ ଅଂକା ଚିତ୍ରପଟ ଠାକୁରଂକୁ ବିଜେ କରାଯାଏ ।ବଳଭଦ୍ରଂକ ପୀଠରେ ବାସୁଦେବ, ସୁଭଦ୍ରାଂକ ପୀଠରେ ଭୁବନେଶ୍ବରୀ ଓ ଜଗନ୍ନାଥଙ୍କ ପୀଠରେ ନାରାୟଣ ଚିତ୍ରପଟ ରୂପେ ବିରାଜମାନ ହୁଅନ୍ତି। ତାଂକ ସହ ରତ୍ନ ସିଂହାସନରେ ଦଶାବତାର ଠାକୁର ରୂପେ ଦୋଳଗୋବିନ୍ଦ, ରାମ, ନୃସିଂହ, ଲକ୍ଷ୍ମୀ,ସରସ୍ବତୀ, କୃଷ୍ଣ ଓ ମଦନ ମୋହନ ପୂଜିତ ହୁଅନ୍ତି ।
୩. ଅଣସର ଘରକୁ ଦଇତା ଓ ପତି ସେବକଂକ ବ୍ୟତୀତ ଅନ୍ୟ କେହି ପ୍ରବେଶ କରି ପାରିବେ ନାହିଁ । ଏହି ସମୟରେ ପଣା ଓ ଚକଟା ଭୋଗ କରାଯାଏ । କେବଳ ଧଳା ଫୁଲ ଛଡା ଅନ୍ୟକିଛି ଲାଗି କରାଯାଏ ନାହିଁ । ଚକଟା ଭୋଗରେ ଧୁଆ ମୁଗ ଓ ପଣସ ଲାଗି ହୁଏ ।
୪. ଆଷାଢ କୃଷ୍ଣ ପଂଚମୀ ତିଥିରେ ଫୁଲରୀ ଲାଗି ହୁଏ । ୧୫ ସେର ରାଶି ତେଲରେ ଚୁଆ, କର୍ପୁର ଗୋଳେଇ ଔଷଧି ରୂପେ ଫୁଲରୀ ଲାଗି ହୁଏ। ଓଡିଆ ମଠ ଓ ମନ୍ଦିର ପ୍ରଶାସନ ତେଲ ଯୋଗାଉଥିବା ବେଳେ ଭଣ୍ଡାର ମେକାପ ଚୁଆ କର୍ପୂର ଇତ୍ୟାଦି ଦିଅନ୍ତି।
୫. ଦଶମୀ ତିଥିରେ ଅଣସର ଚକା ଉପରେ ଠାକୁର ମାନେ ବିଜେ କରନ୍ତି। ତିନୋଟି କାଠ ଚକା ଦଇତା ମାନେ ଅଣସର ପୀଠ କୁ ଆଣି ତା ଉପରେ ମୂର୍ତ୍ତି ମାନଂକୁ ବସାଯାଏ । ଏହା ଚକା ଦଶମୀ ବା ଅଣସର ଚକା ବିଜେ ନାମରେ ବିଖ୍ୟାତ ।
୬. ଏକାଦଶୀ ଦିନ ୧୫ ସେର ଚନ୍ଦନ କାଠ ଘୋରା ହୋଇ ଘଟୁଆରୀମାନେ ପ୍ରସ୍ତୁତ କରନ୍ତି ।ଏହି ଚନ୍ଦନ କାଠ ରାଘବଦାସ ମଠ ଓ ମନ୍ଦିର ପ୍ରଶାସନ ଯୋଗାନ୍ତି ।ଚାରି ଦିନ ଧରି ଘଟୁଆରୀ ମାନେ ଚନ୍ଦନ ଘୋରୀ ରଖିଥାନ୍ତି। ଏକାଦଶୀ ଦିନ ଏହା ମନ୍ଦିରକୁ ଆସେ। ଚନ୍ଦନରେ କର୍ପୂର ଓ କେଶର ବଟା ହୋଇ ଗୋଳା ଯାଏ । ଶ୍ରୀଅଂଗରେ ଏହି ଚନ୍ଦନ ଲାଗି ପରେ ରାଘବଦାସ ମଠ ଖଇ,କୋରା,କଦଳୀ,ପଣସ ଓ ଆମ୍ବ ଭୋଗ ଲାଗି କରାନ୍ତି ।
୭. ଅଣସର ଦ୍ବାଦଶୀ ରେ ରାଜଭୋଗ ହୁଏ। ଗଜପତିଂକ କୁଟୁମ୍ବରେ ଯେତିକି ଲୋକ ସେତିକିଟି ରୂପା ଥାଳି ମନ୍ଦିରକୁ ଆସେ।ସେଥିରେ ମହାପ୍ରଭୁଂକ ଚନ୍ଦନ ଓ ପାଟ ଡୋର ନେଇ ଦଇତା ସେବକ ମାନେ ଗଜପତିଂକ ପ୍ରାସାଦକୁ ଯାନ୍ତି। ଏହାକୁ ରାଜଭୋଗ ଦ୍ବାଦଶୀ କୁହାଯାଏ।
୮. ଅଣସର ତ୍ରୟୋଦଶୀ ଦିନ ଖଡୀ ଓ ଖଳି ଲାଗି ହୁଏ। ବର୍ଷେ ବ୍ୟବଧାନରେ ଏହା ଜଗନ୍ନାଥ ଓ ବଳଭଦ୍ର ଲାଗି ହୁଅନ୍ତି। ତେବେ ଦେବୀ ସୁଭଦ୍ରାଂକ ଅଂଗରେ ଏହା ପ୍ରତି ବର୍ଷ ଲାଗି ହୁଏ ।ଏହାକୁ ଶ୍ରୀ ପୟର ପୂଜା ବୋଲି ମଧ୍ୟ କୁହନ୍ତି।ଦୁଇ ମହଣ ଗହମ ଚୁରା ହୋଇ ଖଳି ପ୍ରସାଦ ତିଆରି ହୁଏ ।
୯. ଆଷାଢ ଚତୁର୍ଦ୍ଦଶୀ ରାତ୍ରରେ ଚତୁର୍ଦ୍ଧା ମୂର୍ତ୍ତି ନବ ଯୌବନ ବେଶ ଧାରଣ କରି ନେତ୍ରୋତ୍ସବ ଲାଗି ବିଜେ ହୁଅନ୍ତି । ଗତ ପନ୍ଦର ଦିନ ଧରି ରତ୍ନ ସିଂହାସନରେ ପୂଜା ପାଉଥିବା ପଟି ଦିଅ ଓ ଦଶାବତାର ଠାକୁର ମାନେ ନିଜ ନିଜ ସ୍ଥାନ କୁ ବାହୁଡି ଆସନ୍ତି। ରଥଯାତ୍ରା ପୂର୍ବ ରୁ ଅଣସର ପରେ ଏହାକୁ ନବଯୌବନ ଦର୍ଶନ ବା ନେତ୍ରୋତ୍ସବ ବୋଲି କୁହାଯାଏ ।
୧୦. ପ୍ରତିବର୍ଷ ଅଣସର ୧୫ ଦିନ ଲାଗି ହେଉଥିବା ବେଳେ ନବ କଳେବର ବିଧାନ ସମୟରେ ଏହା ୪୫ ଦିନ ବ୍ୟାପୀ ହୋଇଥାଏ । ଏହି ଅବସରରେ ନୁଆ ଦାରୁବିଗ୍ରହ ଅଣସର ଘରେ ନିର୍ମିତ ହୁଅନ୍ତି ଓ ପୁରୁଣା ବିଗ୍ରହ୍ଂକୁ ପାତାଳୀ କରାଯାଏ । ଏହା ପ୍ରତି ୧୪ ବା ୧୯ ବର୍ଷରେ ଥରେ ଅନୁଷ୍ଠିତ ହୁଏ।
କେଦାର ମିଶ୍ର
ଶେଷରେ ଆମେ କ୍ରିକେଟ ଓ ରଥଯାତ୍ରାକୁ ଗୋଟିଏ ବ୍ରାଣ୍ଡ ବୋଲି ଗ୍ରହଣ କରିନେଲୁ!କ୍ରିକେଟର ଯେମିତି ତେଲି ପ୍ରସାରଣ ଅଧିକାର ନିଲାମ ହୁଏ, ଏବେ ରଥଯାତ୍ରାର ବି ସେଯା ହେବାକୁ ଯାଉଛି। ଯେତେବେଳେ ଶ୍ରୀମନ୍ଦିର ପ୍ରଶାସନ କହିଲେ ଯେ ପୁରୀର ରଥଯାତ୍ରା ପ୍ରସାରଣ ଲାଗି ନିଲାମ ଡକାଯିବ ଓ ଯିଏ ଅଧିକ ଦର ହାଙ୍କିବ ତାକୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ଦିଆଯିବ। ତେବେ ଏହା କେବଳ ଟେଲିକାଷ୍ଟ ପାଇଁ ସୀମିତ ନା ଏହା ୱେବ କାଷ୍ଟ ପାଇଁ ମଧ୍ୟ ଲାଗୁ ହେବ, ସେ ବିଷୟରେ ସ୍ପଷ୍ଟତା ନାହିଁ। ତେବେ ଏକ ଧାର୍ମିକ ଯାତ୍ରାର ବ୍ୟାବସାୟିକ ପ୍ରସାରଣ ଲାଗି ସରକାର ବା ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇପାରିବେ କି? ଟେଲି ପ୍ରସାରଣ ସହିତ ବ୍ୟାପକ ପ୍ରାୟୋଜକ ଅର୍ଥ ଜଡିତ ରହୁଥିବାରୁ ଏହାର ଲାଭ ମନ୍ଦିର ପ୍ରଶାସନ ପାଇବା ଉଚିତ ବୋଲି କେହି କେହି କହୁଛନ୍ତି। ତେବେ ରଥଯାତ୍ରାର ସିଧା ପ୍ରସାରଣ ପାଇଁ ଟେଲିଭିଜନ କମ୍ପାନୀମାନେ ଯେତିକି ପୁଞ୍ଜି ବିନିଯୋଗ କରନ୍ତି, ସେଇ ଅନୁସାରେ ତାଙ୍କୁ ଲାଭ ମିଳେ କି? ବିଜ୍ଞାପନ ବାବଦକୁ ଚାନେଲ ଗୁଡିକ ଯେତିକି ଅର୍ଥ ପାଆନ୍ତି ତାର ଏକ ନିରପେକ୍ଷ ଆକଳନ ମନ୍ଦିର ପ୍ରଶାସନ କରିଛି କି?
ପ୍ରଥମତଃ ଏହା ଏକ ଧାର୍ମିକ ଉତ୍ସବ ହୋଇଥିବାରୁ ଏହାର ପ୍ରସାରଣ ଅଧିକାରକୁ ବ୍ୟବସାୟର ନିୟମରେ ଦେଖା ଯାଇ ପାରିବ ନାହିଁ। ତେବେ ଟେଲିଭିଜନ ଚାନେଲ ଗୁଡିକ ଏଥିରୁ ବ୍ୟାବସାୟିକ ଲାଭ ଉଠାଉଥିବାରୁ ସେମାନେ ନିଜର ଲାଭାଂଶ ମନ୍ଦିର ପ୍ରଶାସନକୁ ଦେବା କଥା, କୁହାଯାଉଛି। ହେଲେ ବାସ୍ତବରେ ଏ ଲାଭ କେତେ? ଯଦି ଗୋଟିଏ ସଂସ୍ଥାକୁ ଏହି ଅଧିକାର ଦିଆଯାଏ, ସେ ଏହାକୁ ନେଇ ଏକଚାଟିଆ କାରବାର କରିବ। ରଥଯାତ୍ରାକୁ ନେଇ ଯେଉଁ ବିବିଧ ଅନୁଭବ ଓ ସାଂସ୍କୃତିକ ମୂଲ୍ୟବୋଧ ରହିଛି, ତାହା ଗୋଟିଏ କମ୍ପାନୀର ଅକ୍ତିଆର ରେ ରହିବ। ଯେ ଅଧିକ ପଇସା ଦେଲା ସେ ହିଁ ରଥଯାତ୍ରାର ଦୃଶ୍ୟାବଳୀର ମାଲିକ ହୋଇଯିବ। ଆସନ୍ତାକାଲି ହୁଏତ ସାଧାରଣ ଭକ୍ତଟିଏ ଆଉ ନିଜ ମୋବାଇଲରେ ଫୋଟୋଟିଏ ମଧ୍ୟ ଉଠାଇପାରିବ ନାହିଁ। ରଥଯାତ୍ରାରେ ସାର୍ବଜନୀନତାର ଯେଉଁ ମୂଳ ବାର୍ତ୍ତା ଟି ରହିଛି ଏହା ଦ୍ଵାରା ସେଥିରେ ଆମେ ଗଭୀର ପ୍ରହାର କରୁଛୁ।
ଅନ୍ୟ ଏକ ଦୃଷ୍ଟିରୁ ଦେଖିଲେ ଏହା ରଥଯାତ୍ରାର କର୍ପୋରେଟିକରଣ ବୋଲି କୁହାଯାଇପାରେ। ନିଲାମ ମାଧ୍ୟମରେ କେବଳ ବଡ କର୍ପୋରେଟ ମାନେ ଏହାର ସିଧା ପ୍ରସାରଣ ଅଧିକାର ପାଇବେ ଓ ଓଡିଶାର ଛୋଟ ଛୋଟ ଗଣମାଧ୍ୟମ ସଂସ୍ଥା ଏଥିରୁ ବଞ୍ଚିତ ହେବେ। ଓଡିଆ ଭାଷାରେ ଯେଉଁ ଗଣମାଧ୍ୟମ ସଂସ୍ଥା ଗୁଡିକ ଅଛନ୍ତି, ସେମାନଙ୍କ ପ୍ରତି ଏହା ସିଧାସଳଖ ଅନ୍ୟାୟ। ଓଡିଶାରେ ରହି ଓଡିଆ ଭାଷାରେ ସମ୍ବାଦ ପରିବେଷଣ କରୁଥିବା ସଂସ୍ଥା ଗୁଡିକ ପ୍ରବଳ ଆର୍ଥିକ ଚାପରେ ରହୁଛନ୍ତି। ପରୋକ୍ଷରେ ରଥଯାତ୍ରାର ସିଧା ପ୍ରସାରଣ ସେମାନଙ୍କୁ ହୁଏତ କିଛିଟା ଲାଭ ଦେଉଛି। ସେହି ନାମମାତ୍ର ଲାଭ ଉପରେ ମନ୍ଦିର ପ୍ରଶାସନ ଆଖି ପକାଇବା, ସଂପୂର୍ଣ୍ଣ ରୂପେ ଅନୁଚିତ।
କୌଣସି ପ୍ରସଙ୍ଗରେ ସବୁ ଦିଗକୁ ତର୍ଜମା ନକରି ସିଧା ସିଧା ମନ୍ତବ୍ୟ ଦେବାର ଏକ ସାଧାରଣ ପ୍ରବୃତ୍ତି ଏବେ ସୋସିଆଲ ମିଡିଆର ସବୁଠୁ ବଡ ଅବଦାନ। ଏହି ପ୍ରସଙ୍ଗରେ ମଧ୍ୟ ଏମିତି ପ୍ରତିକ୍ରିୟା ଆସୁଛି, ସଟେକି ରଥଯାତ୍ରା ପ୍ରସାରଣରୁ ହଜାର ହଜାର କୋଟି ଟଙ୍କା ଗଣମାଧ୍ୟମ ସଂସ୍ଥା ଖାଇ ଯାଉଛନ୍ତି। ବାସ୍ତବତା ତାହାଠାରୁ ଯଥେଷ୍ଟ ଭିନ୍ନ। ବିଜ୍ଞାପନ ଅର୍ଥକୁ ନେଇ କମ୍ପାନୀମାନଙ୍କ ସହ ମିଡିଆ ପରିଚାଳକଙ୍କ ମୂଲଚାଲ ଦେଖିଥିବା ଲୋକ କେବେହେଲେ ଏକଥା ବିଶ୍ଵାସ କରିବା ନାହିଁ। କମ୍ପାନୀ ଗୁଡିକ ଏଥିରେ ନିଜର ଯେତିକି ଅର୍ଥ ଓ ମାନବ ସମ୍ବଳ ବିନିଯୋଗ କରନ୍ତି, ସେହି ତୁଳନାରେ ଲାଭ ଖୁବ ଗୋଟେ ବିରାଟ ଉପଲବ୍ଧି ନୁହେଁ।
ଏବେ ହୁଏତ ରିଲାଏନ୍ସ କିମ୍ବା ଅନ୍ୟ କୌଣସି ଜାତୀୟ କମ୍ପାନୀ ରଥଯାତ୍ରାର ସିଧା ପ୍ରସାରଣ ଅଧିକାର ପାଇବେ। ସେମାନଙ୍କ ସହିତ ଓଡିଆ ଗଣମାଧ୍ୟମ ସଂସ୍ଥା ପ୍ରତିଯୋଗିତା କରିପାରିବେ ନାହିଁ। ଏହା ପ୍ରତ୍ୟକ୍ଷ ଭାବରେ ମନ୍ଦିର ପ୍ରଶାସନର କାର୍ପୋରେଟିକରଣ ଓ ଏହାକୁ ସବୁସ୍ତରରେ ବିରୋଧ କରାଯିବା ନିହାତି ଉଚିତ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ସର୍କଟ ହାଉସ୍ରେ ବାତ୍ୟା ଫନିର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି। ସୂଚନାଯୋଗ୍ୟ, ମେ ୩ ତାରିଖରେ ପ୍ରଳୟଙ୍କାରୀ ବାତ୍ୟା ଫନି ପୁରୀଠାରେ ଲ୍ୟାଣ୍ଡ କରିଥିଲା। ପନି ପୁରୀ ସହରକୁ ଅନେକ କ୍ଷୟକ୍ଷତି କରିଛି। ବିଦ୍ୟୁତ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ଅନେକଙ୍କ ଘର ମଧ୍ୟ ମାଟିରେ ମିଶିଯାଇଛି। ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତ କରି କାର୍ଯ୍ୟର ସମୀକ୍ଷା କରିବା ସହିତ ପ୍ୟାକେଜ ଘୋଷଣା କରିଛନ୍ତି। ପ୍ରତି ପରିବାରକୁ ମାଗଣାରେ ଅଢେଇ ଲିଟର କିରୋସିନି ମିଳିବ ବୋଲି ସୂଚନା ରହିଛି। ୧୦ ଦିନରେ ଥରେ ଏହି କିରୋସିନ ମିଳିବ। ସେହିପରି ପ୍ରତି ପରିବାରକୁ ୫୦ କିଲୋ ଚାଉଳ ଯୋଗାଇ ଦିଆଯିବ। ରାସନକାର୍ଡ ନଥିବା ପରିବାରଙ୍କୁ ମଧ୍ୟ ଏହି ସୁବିଧା ଦିଆଯିବ। ପ୍ରଭାବିତ ଅଞ୍ଚଳରେ ୧୦ ଲକ୍ଷ ମହମବତୀ ମାଗଣା ବଣ୍ଟନ କରାଯିବ ଓ ୨ ମାସ ପାଇଁ ମାଗଣାରେ ସାନିଟାରୀ ନାପକିନ୍ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ପୁରୀର ବିଦ୍ୟୁତ ବ୍ୟବସ୍ଥାର ସମୀକ୍ଷା କରି କହିଛନ୍ତି ଯେ, ଏହି କାର୍ଯ୍ୟ ପାଇଁ ୧୦ ହଜାର ଲୋକ କାମ କରୁଛନ୍ତି। ବହୁତ ଶୀଘ୍ର ସମସ୍ତ ପୁରୀର ସମସ୍ତ ଅଞ୍ଚଳକୁ ବିଦ୍ୟୁତ ଯୋଗାଣ କରାଯିବ।
ଫନିର ପ୍ରଭାବ ବର୍ତ୍ତମାନ ଉପକୂଳ ଓଡିଶାରେ ଆରମ୍ଭ ହୋଇଯାଇଛି। ଆଜି ସକାଳୁ ଜଗତସିଂହପୁର, କେନ୍ଦ୍ରାପଡା,ଭୁବନେଶ୍ବର,ପୁରୀ, ଖୋର୍ଦ୍ଧା, ଗଂଜାମ, ଗଜପତି ପ୍ରଭୃତି ଜିଲ୍ଲାରେ ପବନ ସହିତ ଝଡବର୍ଷା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ତାଜା ସୂଚନା ଅନୁସାରେ ବର୍ତ୍ତମାନ ଫନି ପୁରୀର ପଶ୍ଚିମକେନ୍ଦ୍ରୀୟ ବଙ୍ଗୋବସାଗରଠାରୁ 80 କିଲୋମିଟର, ଦକ୍ଷିଣପୂର୍ବ ଗୋପାଳପୁରଠାରୁ 65 କିଲୋମିଟର ଏବଂ ବିଶାଖପାଟଣାମ୍ର ପୂର୍ବ-ଉତ୍ତରପୂର୍ବ 280 କିଲୋମିଟର ଦୂରରେ ରହିଛି ଫନି। ବର୍ତ୍ତମାନ ଘଣ୍ଟାକୁ 185 କିଲୋମିଟରରେ ବେଗରେ ପବନ ବହୁଥିବାର ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଘଣ୍ଟାକୁ 200 କିଲୋମିଟର ବେଗର ପବନ ବହିବ ବୋଲି ଅନୁମାନ କରାଯାଉଛି। ଗତକାଲି ରାତିରୁ ଏହାର ପ୍ରଭାବ ଧିରେ ଧିରେ ଆରମ୍ଭ ହୋଇଯାଇଛି। କେତେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ପାଣିପାଗ ବିଭାଗ ଅନୁସାରେ ଗୋପାଳପୁରରେ 15 ସେଣ୍ଟିମିଟର, ପୁରୀରେ 10 ସେମି,ଭୁବନେଶ୍ବରରେ 5 ସେମି ବର୍ଷା ହୋଇଥିବାର ରେକର୍ଡ କରାଯାଇଛି। ଏହି ସମୟରେ ପବନରେ ବେଗ ଘଣ୍ଟାକୁ 53 କିଲୋମିଟର ଥିଲା। ଆଉ ଅଳ୍ପ ସମୟ ମଧ୍ୟରେ ଫନି ଭୂମି ସ୍ପର୍ଶ କରିବ ବୋଲି ଅନୁମାନ କରାଯାଉଛି।
ସମୀକ୍ଷା ବ୍ୟୁରୋ
ଫନି ବାତ୍ୟା ବର୍ତ୍ତମାନ ଓଡିଶା ମୁହାଁ ହେଉଛି, ଏହା ସ୍ଥଳଭାଗକୁ ଖୁବ ଶିଘ୍ର ଛୁଇଁବ। ଏହାକୁ ନେଇ ରାଜ୍ୟ ପ୍ରଶାସନଠାରୁ ଆରମ୍ଭ କରି ଗଣମାଧ୍ୟମ ଏବଂ ଲୋକମାନେ ସମସ୍ତେ ତତ୍ପତରତା ପ୍ରକାଶ କରିଛନ୍ତି। ତେବେ ‘ ଫନି ‘ ବୋଲି କହାଯାଉଥିବା ଏହି ଶଦ୍ଦର ପ୍ରକୃତ ଅର୍ଥ କଣ ? ଏପରି ନାମକରଣ କିପରି ହୁଏ ? ଏହାକୁ କିଏ ନାମକରଣ କରେ ? ଏପରି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନଭିତରେ ଆସେ। ହେଲେ କିଛି ଲୋକଙ୍କୁ ଏହି କଥା ଜଣା ଥିବା ବେଳେ ବହୁ ଲୋକଙ୍କୁ ଏହା ପଛର ରହସ୍ୟ କଣ , ତାହା ଜଣା ନ ଥାଏ।
ପ୍ରଥମେ ଆସନ୍ତୁ ଜାଣିବା ପ୍ରକୃତରେ ଏହି ଫନି ଅର୍ଥ କଣ ?
‘ ଫନି ‘ ହେଉଛି ବାଙ୍ଗାଲଦେଶର ଏକ ଶଦ୍ଦ । ଯାହାର ଓଡିଆରେ ଅର୍ଥ ହେଉଛି ସାପ। ଏହାକୁ ଇଂରାଜୀରେ FANI ବୋଲି ଲେଖାଯାଏ। ହେଲେ ଏହାକୁ ଉଚ୍ଚାରଣ କଲାବେଳେ ଫୋନି ବୋଲି ଉଚ୍ଚାରଣ କରିବାକୁ ପଡିଥାଏ। କାରଣ ବାଙ୍ଗାଲଦେଶରେ ସେହିପରି ଉଚ୍ଚାରଣ କରାଯାଇଥାଏ। ଓଡିଶାରେ ସାଧାରଣତଃ ସାପ ଯେତେବେଳେ ମୁଣ୍ଡ ଟେକିଥାଏ ସେତେବେଳେ ତାହାକୁ କୁହାଯାଏ ସାପ ଫଣା ଟେକିଲା ବା ଫଣା। ତେଣୁ ବାଙ୍ଗାଲଦେଶର ଫନି ବା ସାପ ସହିତ ଓଡିଶାର ଫଣା ସହିତ ସାମଞ୍ଜସ୍ୟ ରହୁଥିବାର ପରିଲକ୍ଷିତ ହୋଇଛି।
ବାତ୍ୟାର ନାମକରଣ କିପରି କରାଯାଏ ?
ପ୍ରକୃତରେ ବାତ୍ୟାର ନାମକରଣ କରିବା କେତେକ ନିୟମ ରହିଛି। ଏହି ନିୟମ ବିଶ୍ବ ପାଣିପାଗ ସଂସ୍ଥା ବା world meteorological Organization ବା WMO ଦ୍ବାରା ନିର୍ଦ୍ଧାରିତ ହୋଇଥାଏ। ଏହି ସଂସ୍ଥା ବିଭିନ୍ନ ଦେଶକୁ ମୁଖ୍ୟତଃ ସମୁଦ୍ର କୂଳିଆ ଦେଶକୁ ନାମ ଦେବା ପାଇଁ ନିର୍ଦ୍ଦେଶ ଦେଇଥାଏ। ସେହି ଅନୁସାରେ ସମୁଦ୍ର କୂଳିଆ ଦେଶ ସେଠାରେ ଥିବା ଆଞ୍ଚଳିକ ଗ୍ରୀଷ୍ମ ମଣ୍ଡଳକୁ ଏହି ତାଲିକା ପ୍ରଦାନ କରିଥାଏ। ବିଭିନ୍ନ ମହାସାଗର ସହିତ ଥିବା ଦେଶରୁ ଆସିଥିବା ନାମକୁ ଅଲଗା ଭାବେ ବିଚାର କରାଯାଇ ଗୋଟିଏ ନାମକୁ ବଛା ଯାଇଥାଏ। ସେହି ଅନୁସାରେ ଉତ୍ତର ଭାରତୀୟ ମହାସାଗର ଦେଶରୁ ଆସିଥିବା ନାମଗୁଡିକ ଅଲଗା ଭାବେ ବିଚାର କରାଯାଇଥାଏ। ଉତ୍ତର ଭାରତ ମହାସାଗର ଦେଶ ମଧ୍ୟରେ ରହିଛି ଭାରତ, ଶ୍ରୀଲଙ୍କା,ବାଙ୍ଗାଲାଦେଶ,ମାଲଦ୍ବୀପ, ମିଆଁମାର, ଓମାନ, ପାକିସ୍ଥାନ ଏବଂ ଥାଇଲାଣ୍ଡ। ଏହି ଦେଶରୁ ଆଠଟି ଲେଖାଏଁ ନାମ ପଠାଇବା ପାଇଁ କୁହାଯାଇଥାଏ। ବାତ୍ୟା ଆସିଲେ 8 ଟି ଦେଶରୁ ଆସିଥିବା ମୋଟ 64ଟି ନାମରୁ ଗୋଟିଏ ନାମ ବଛାଯାଇଥାଏ ନାମକରଣ କରାଯାଇଥାଏ। ସେହିଅନୁସାରେ ବାଙ୍ଗଲାଦେଶ ପଠାଇଥିବା ଫନି ଅନୁସାରେ ଏହି ବାତ୍ୟାର ନାମ ଫନି ରଖାଯାଇଛି।
ନାମ ପଠାଇବାର କଣ ରହିଛି ନିୟମ ?
ଯେଉଁ ଦେଶକୁ ନାମ ଦେବା ପାଇଁ କୁହାଯାଇଥାଏ ସେମାନେ କେତେକ ନିତିନିୟମ ଭିତରେ ନାମଗୁଡିକ ପଠାଇବାକୁ ପଡିଥାଏ। ମୁଖ୍ୟତଃ ଯେଉଁ ନାମ ପଠାଇବେ ତାହା ଯେପରି କଷ୍ଟକର ଶଦ୍ଦ ହୋଇ ନ ଥିବା ସେଥିପ୍ରତି ସେହି ଦେଶ ଧ୍ୟାନ ଦେବାକୁ କୁହାଯାଇଛି। ସେହିପରି ପଠାଯାଉଥିବା ଶଦ୍ଦଟି ବଡ ହୋଇ ନ ଥିବା ଆବଶ୍ୟକ। ଏହି ଶଦ୍ଦର ଅର୍ଥ ଯେପରି ଆଞ୍ଚଳିକ ସ୍ତରରେ ସମସ୍ତେ ବୁଝିପାରୁଥିବେ ସେଥି ପ୍ରତି ମଧ୍ୟ ଧ୍ୟାନ ଦେବାକୁ କୁହାଯାଇଛି। ଏହାର କାରଣ ହେଲା ଏହି ଶଦ୍ଦଟି ଗଣମାଧ୍ୟମ ବ୍ୟବହାର କରିବାରେ ଯେପରି ଅସୁବିଧା ନ ହୁଏ ସେଥିପାଇଁ ଏହି ପଦକ୍ଷେପ ନିଆଯାଇଛି। ଏଥିସହିତ ସରକାର ସୁରକ୍ଷା ଏବଂ ରିଲିଫ ଦେବାରେ ଏହି ଶଦ୍ଦଟି ଯେପରି ସହଜରେ ବ୍ୟବହାର କରିପାରିବେ ସେଥିପାଇଁ ସଂକ୍ଷିପ୍ତ ଓ ସହଜ ନାମ ପଠାଇବା ପାଇଁ କୁହାଯାଇଛି।
ଭାରତ ଯେଉଁ ଆଠଟି ନାମ ପଠାଇଛି ସେଗୁଡିକ ହେଲା-ଅଗ୍ନି, ଆକାଶ, ବିଜୁଳି, ଜଳ, ଲହର, ମେଘ, ସାଗର ଏବଂ ବାୟୁ
ପୂର୍ବରୁ ତିତିଲି ବାତ୍ୟାର ନାମକରଣ ପାକିସ୍ଥାନ ପଠାଇଥିବା ନାମରୁ ବଛାଯାଇଥିଲା। ସେହିପରି 2017ରେ କେରଳରେ ଯେଉଁ ଓଖି ବାତ୍ୟା ହୋଇଥିଲା ତାହା ମଧ୍ୟ ବାଙ୍ଗଲାଦେଶର ନାମ ଥିଲା।
( ଆଶ୍ଚର୍ଯ୍ୟ, ମୋବାଇଲ ସ୍କ୍ରିନକୁ ଘଷିଲେ ବାହାରେ ଖବର ପରେ ଖବର, ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍ )
କେଦାର ମିଶ୍ର
ଇଂରାଜୀରେ ଗୋଟେ ପଦ ଅଛି- ଡ଼ିଜାଷ୍ଟର ଟୁରିଜମ ବା ବିପର୍ୟୟ ପର୍ୟଟନ। କୌଣସି ବନ୍ୟା, ବାତ୍ୟା, ଦୁର୍ଭିକ୍ଷ ବା ମହାମାରୀ ଭଳି ସ୍ଥିତି ଆସିଲେ ଉକ୍ତ ଘଟନା ପ୍ରତି ସଂବେଦନଶୀଳ ହେବା ପରିବର୍ତ୍ତେ ଏହାକୁ ଖବର ର ଏକ ନାଟକୀୟ ପ୍ୟାକେଜ ଭାବରେ ବ୍ୟବହାର କରିବାର ଚଳଣି ଆମ ସମୟରେ ଗଣମାଧ୍ୟମରେ ବେଶ ପରିଚିତ। ଆମ ସାମ୍ବାଦିକମାନେ ପ୍ରାକୃତିକ ବିପର୍ୟୟ ସମୟରେ ଘଟୁଥିବା ମାନବୀୟ ସଙ୍କଟ ଅପେକ୍ଷା ଏହାର ରାଜନୈତିକ ଦିଗ ପ୍ରତି ଟିକେ ଅଧିକ ଆଗ୍ରହୀ। ଯେ କୌଣସି ବାତ୍ୟାର ରିପୋର୍ଟିଂ କରୁଥିବା ସାମ୍ବାଦିକଙ୍କୁ ଦେଖିଲେ ଆମର ମନେହେବ, ସତେକି ସେ ଜଣେ ଦୁଃସାହସୀ ଖେଳାଳୀ। ଅବଶ୍ୟ ଏଥିରେ ବିଲକୁଲ ଦ୍ଵିମତ ହେବାର ନାହିଁ ଯେ, ୨୦୦ ବା ୩୦୦ ମିଟର ପବନ ଆଗରେ କ୍ୟାମେରା ଧରି ଠିଆ ହେବା କିଛି କମ ସାହସର କଥା ନୁହଁ। ଅନେକ ସମୟରେ ଆମର ଗଣମାଧ୍ୟମ ଏ ପ୍ରକାର ଗ୍ରାଉଣ୍ଡ ଜିରୋ ରିପୋର୍ଟ ମାଧ୍ୟମରେ ଲୋକଙ୍କୁ ବଡ ସାହାଯ୍ୟ ମଧ୍ୟ ଦେଇଛନ୍ତି। ତେବେ ରିପୋର୍ଟିଂ ଓ ନାଟକୀୟତା ଭିତରେ ଗୋଟେ ମୌଳିକ ପାର୍ଥକ୍ୟ ରହିଛି ବୋଲି ଆମର ସାମ୍ବାଦିକ ବନ୍ଧୁମାନେ ଭୁଲି ଯାଆନ୍ତି।
ଏକଥା କହିଲା ବେଳେ ମୁଁ ଆପଣଙ୍କୁ କହିବାକୁ ଚାହେଁ ଯେ, ଗତ ଦୁଇଦିନ ଭିତରେ ହଠାତ ଆଳୁର ଦର କିଲୋ ପିଛା ତିନି ଟଙ୍କା ବଢି ଯାଇଛି, ତାର ଏକମାତ୍ର କାରଣ ହେଉଛି, ସମ୍ଭାବ୍ୟ ବାତ୍ୟା “ଫନି”। ଶୁଣାଯାଉଛି, ଭୀଷଣରୁ ଭୀଷଣ ବାତ୍ୟାର ରୂପ ନେଇ ବାତ୍ୟା “ଫନି” ସ୍ଥଳଭାଗକୁ ଅଗ୍ରସର ହେଉଛି। ପ୍ରଥମେ ଏହା ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଉପକୂଳରେ ପଡିବ ବୋଲି ଆଶା କରାଯାଉଥିଲା। ପରେ କୁହାଗଲା, ଏହା ଓଡିଶା ଉପକୂଳରେ ସାତପଡା ଓ ବାଲେଶ୍ଵର ମଝିରେ ସ୍ଥଳଭାଗ ସ୍ପର୍ଶ କରିପାରେ। ଶେଷ ଖବର ମୁତାବକ ଏହା ପୁରୀର କୃଷ୍ଣ ପ୍ରସାଦରେ ସ୍ଥଳଭାଗ ଛୁଇଁ ପାରେ। ତେବେ ବାତ୍ୟା “ମାଡି ଆସୁଛି” ବୋଲି ଏକ ପ୍ରକାର ଆତଙ୍କ ଏବେ ଆମ ଲୋକଙ୍କୁ ଘାରିଛି। ଲୋକଙ୍କୁ ବାତ୍ୟା ସମ୍ପର୍କରେ ସୂଚନା ଦେବାକୁ ଯାଇ ଆମେ ଯେଉଁ ଭାଷାର ପ୍ରୟୋଗ କରୁ, ତାହା ଅନେକାଂଶରେ ଲୋକଙ୍କୁ ଆତଙ୍କିତ ଓ ଆବଶ୍ୟକତାଠାରୁ ଅଧିକ ଭୟାଳୁ କରିଦିଏ।
ବାତ୍ୟା ସମୟରେ ସଜାଗ, ସତର୍କ ଓ ନିର୍ଭୟ ରହିବା ସବୁଠୁ ବଡ ଆବଶ୍ୟକତା। ତେବେ ଆମର ଗଣମାଧ୍ୟମର ଭାଷାରେ ଏତେ ଅଧିକ ନାଟକୀୟତା ଥାଏ ଯେ, ଟିଭି ଦେଖି ବା ଖବର କାଗଜ ପଢି ହଠାତ ଆମେ କୁଇଣ୍ଟାଲେ ଆଳୁ ବା ମହଣେ ଚୂଡା କିଣିବାକୁ ବାହାରିପଡୁ। ଅନେକ ସମୟରେ କଳାବଜାରୀ ଓ ଲାଭଖୋର ବେପାରୀ ଏହାର ଫାଇଦା ଉଠାନ୍ତି। ମୋର ଏବେବି ମନେ ଅଛି, ଫାଇଲିନ ବାତ୍ୟା ସମୟରେ ମହମବତୀ ଗୋଟାକୁ ପଚିଶ ଟଙ୍କାରେ ବିକ୍ରି ହେଲା। ଗଣମାଧ୍ୟମର ଚର୍ଚ୍ଚା ଶୁଣି ଲୋକ ଛାନିଆ ହୋଇପଡିଲେ। ଏଠି ଗଣମାଧ୍ୟମକୁ ଭାବିବାକୁ ପଡିବ ଯେ, ଲୋକଙ୍କୁ ଛାନିଆ କରିବା ଅପେକ୍ଷା ସେମାନଙ୍କୁ ସତର୍କ କରିବା ଆମର କାମ। ସତର୍କ କରିବାକୁ ଯାଇ ଆମେ ଅଧିକ ନାଟକ କାଲେ, ତାର ପ୍ରଭାବ ଗୋଟେ ବଡ ଭୟଙ୍କର ପରିସ୍ଥିତି ସୃଷ୍ଟି କରିବ।
ଫାଇଲିନ, ହୁଡହୁଡ ଓ ତିତିଲି ବାତ୍ୟାରୁ ଆମେ ଅନେକ କଥା ଶିଖିବା କଥା, ହେଲେ ଆଜି ବି ଆମେ ପ୍ରତ୍ୟେକ ବାତ୍ୟାର ସମାନ ଆକଳନ କରୁଛୁ। ଗତ ତିନୋଟି ଯାକ ବାତ୍ୟାରେ ବାତ୍ୟା ପତ୍ତନ ଅଞ୍ଚଳ ତୁଳନାରେ ଆଭ୍ୟନ୍ତରୀଣ ଅଞ୍ଚଳରେ ଏହା ଭୟଙ୍କର କ୍ଷତି କରୁଛି। ଆମର ଫୋକସ ବାତ୍ୟା ସମୟ ଅପେକ୍ଷା ବାତ୍ୟା ପରବର୍ତ୍ତୀ ସ୍ଥିତି ଉପରେ ଅଧିକ କେନ୍ଦ୍ରୀଭୂତ ହେବା ଏବେ ଜରୁରୀ ହୋଇ ପଡିଛି। ବାତ୍ୟା ପରବର୍ତ୍ତୀ ଅଚାନକ ବନ୍ୟା ଓ ଭୂ ସ୍ଖଳନ ବିଷୟକୁ ଆମେ ଗୁରୁତ୍ଵ ଦେଇ ବିଚାର କରୁନାହୁଁ। ଏ ପ୍ରସଙ୍ଗରେ ଗଣମାଧ୍ୟମ ଅଧିକ ସଚେତନତା ସୃଷ୍ଟି କରିବା ଜରୁରୀ।
କେବଳ ପବନର ବେଗ ଓ ସରକାରୀ ପ୍ରସ୍ତୁତି କଥା ନକହି, ଆଭ୍ୟନ୍ତରୀଣ ଅଞ୍ଚଳର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଆଲୋଚିତ ହେବା ଜରୁରୀ। ରକ୍ଷା ହୋଇଛି, ଇତି ମଧ୍ୟରେ ଓଡିଶାରେ ନିର୍ବାଚନ ସଋ ଯାଇଛି। ନଚେତ ଏହାକୁ ନେଇ ରାଜନୈତିକ ପବନର ବେଗ ବାତ୍ୟାର ବେଗଠୁ ବଳି ଯାଇଥାନ୍ତା। ଏବେ ଅନ୍ତତଃ ସେ ଆଶଙ୍କା ଆଉ ନାହିଁ। ୧୯୯୯ ପରଠୁ ବିପର୍ୟୟ ମୁକାବିଲା କ୍ଷେତ୍ରରେ ଓଡିଶା ସରକାରଙ୍କ ପ୍ରସ୍ତୁତିରେ ବ୍ୟାପକ ପରିବର୍ତ୍ତନ ଆସିଛି। ଆମର ବିପର୍ୟୟ ପରିଚାଳନା ବ୍ୟବସ୍ଥା ସବୁଠୁ ଭଲ ସ୍ଥିତିରେ ରହିଛି। ତଥାପି ତିତିଲି ବାତ୍ୟା ପରେ କନ୍ଧମାଳ, ଗଜପତି ଓ ରାୟଗଡା ଜିଲାର ପାହାଡୀ ଅଞ୍ଚଳରେ ଯେଉଁ ଧାନ ଜୀବନ କ୍ଷୟ ହେଲା, ତାକୁ ରୋକିବା ଲାଗି ସ୍ଵତନ୍ତ୍ର ବ୍ୟବସ୍ଥା ହେବା ନିତାନ୍ତ ଜରୁରୀ।
ଆମେ ଆଶା କରିବା, ଭୟଙ୍କର ଓ ଆତଙ୍କପ୍ରଦ ଖବର ତିଆରି କରିବା ଅପେକ୍ଷା ଆମର ସାମ୍ବାଦିକମାନେ ଏହି ବନ୍ୟାରେ ଆମର ସହଯୋଗୀ ଭାବରେ ଆମ ସହିତ ରହିବେ!
(ମୋବାଇଲରେ ସଂକ୍ଷିପ୍ତ ଖବର ଜାଣିବା ପାଇଁ ଡାଉନଲୋଡ କରନ୍ତୁ SANKHIPTA ଆପ୍, ଏହାପରେ ସ୍କ୍ରିନକୁ ଘଷିଘଷି ପଢିଚାଲନ୍ତୁ ଖବର)
ପୁରୀ ବ୍ରହ୍ମଗିରିରେ ଗୋଷ୍ଠୀ ସଂଘର୍ଷ କାରଣରୁ ଚାରିଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଅପର ଗୋଷ୍ଠୀ ପକ୍ଷରୁ କାଜୁ ବଗିଚାରେ ନିଆଁ ଲଗାଇବା ସହ ଛୁରାମାଡ଼ ଓ ଏସିଡ ମାଡ଼ କରାଯାଇଥିବା ଜଣାପଡ଼ିଛି। ପୁରୀ ଜିଲ୍ଲା ବ୍ରହ୍ମଗିରି ଶାହାଜାନପୁରରେ କୈାଣସି କାରଣରୁ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଗୋଟିଏ ଗୋଷ୍ଠୀ କାଜୁ ବଗିଚା ଜଗିଥିବା ବେଳେ ଅନ୍ୟ ଗୋଷ୍ଠୀ ପକ୍ଷରୁ ବଗିଚାରେ ନିଆଁ ଲଗାଇବା ସହ ଆକ୍ରମଣ କରାଯାଇଛି। ଶାହାଜାନପୁର ଗାଁର ଏହି ଘଟଣାରେ ଏସିଡ଼ ମାଡ଼ରେ ଦୁଇ ଜଣ ଓ ଛୁରାମାଡ଼ରେ ଦୁଇଜଣ ଗୁରୁତର ହୋଇଛନ୍ତି। ଏନେଇ ବ୍ରହ୍ମଗିରି ଥାନାରେ ଏତଲା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଘଟଣାରେ ଚାରିଜଣ ଗୁରୁତରଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।