Categories
ଆଜିର ଖବର ରାଜ୍ୟ ଖବର

ବାଣପୁର କଳିଙ୍ଗ କନ୍ୟା କଳା ପରିଷଦର ମୁଖ୍ୟ ସଙ୍ଗଠିକା ରଞ୍ଜୁବାଳାଙ୍କୁ ବିଶ୍ଵ ନାଟ୍ୟମେଳାରେ ‘କଳା ଗୌରବ’ ସମ୍ମାନ

ଭୁବନେଶ୍ଵର: ବରିଷ୍ଠ ଶିକ୍ଷୟତ୍ରୀ ତଥା ନାଟ୍ୟ ସଙ୍ଗଠିକା ରଞ୍ଜୁବାଳାଙ୍କୁ ଚଳିତ ବର୍ଷ ବିଶ୍ଵ ନାଟ୍ୟ ମେଳାରେ ‘କଳା ଗୌରବ’ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ କରାଯାଇଛି। ପେଶାରେ ଶିକ୍ଷକତା ମାତ୍ର ନିଶାରେ ଓଡିଆ ମଞ୍ଚ ନାଟକର ଅଭିବୃଦ୍ଧି ପାଇଁ ସେ କାର୍ଯ୍ୟରତ।

ରଞ୍ଜୁବାଳା ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ କଳିଙ୍ଗ କନ୍ୟା କଳା ପରିଷଦର ମୁଖ୍ୟ ସଙ୍ଗଠିକା। ତାଙ୍କ ମାନସ କନ୍ୟା ‘କଳିଙ୍ଗ କନ୍ୟା କଳା ପରିଷଦ’ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବହୁ ନାଟକ ପରିବେଷଣ କରି ଖ୍ୟାତି ଲାଭ କରିଛି।

ସ୍ଵାମୀ ମଞ୍ଚ ନିର୍ଦ୍ଦେଶକ ପ୍ରମୋଦ କୁମାର ସ୍ଵାଇଁଙ୍କର ସେ ଅନ୍ୟତମ ପ୍ରେରଣାଦାତ୍ରୀ ହୋଇ ଏହି ନାଟ୍ୟ ଦମ୍ପତି ଅଶି ଦଶକରୁ ଓଡିଆ ମଞ୍ଚ ନାଟକ ପାଇଁ କାମ କରିଆସୁଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ନୂଆପଡା ପଦ୍ମମୁକୁନ୍ଦ ବିଦ୍ୟାନିକେତନରେ କାର୍ଯ୍ୟରତ ରଞ୍ଜୁବାଳାଙ୍କୁ ‘କଳା ଗୌରବ’ ସମ୍ମାନ କଟକ କଳା ବିକାଶ କେନ୍ଦ୍ରରେ ବିଶ୍ଵ ନାଟ୍ୟମେଳା-୨୦୨୪ ଅବସରରେ ବିଶିଷ୍ଟ ନାଟ୍ୟବିତ ତଥା ନାଟ୍ୟ ପ୍ରତିଯୋଗିତାରେ ବିଚାରକ ମଣ୍ଡଳୀଙ୍କ ଉପସ୍ଥିତିରେ ସ୍ଵତନ୍ତ୍ର ଅତିଥି ରବି ରଞ୍ଜନ ସାହୁଙ୍କଠାରୁ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଏହାସହିତ ସେ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି।