Categories
ଜାତୀୟ ଖବର ଧର୍ମ ବିଶେଷ ଖବର ରାଜ୍ୟ ଖବର

ଅଧାରେ ଅଟକିଲା ପ୍ରଭୃ ଜଗନ୍ନାଥଙ୍କ ରଥ, ମଝିରେ ମା ସୁଭଦ୍ରା, ଶରଧାବାଲିରେ ତାଳଧ୍ବଜ

ପୁରୀ: ଅଧାରେ ଅଟକିଲା ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ସେହିପରି ମା ସୁଭଦ୍ରାଙ୍କ ରଥ ମଧ୍ୟ ଅଧାରେ ଅଟକିଛି। କେବଳ ବଡ ଭାଇ ବଳଭଦ୍ରଙ୍କ ରଥ ତାଳଧ୍ବଜ ରଥ ଶରଧାବାଲିରେ ପହଞ୍ଚି ସାରିଛି। ସଂଧ୍ୟା ହେବାରୁ ଆଉ ରଥ ଟଣା ହୋଇପାରିଲା ନାହିଁ। ପୁଣି ଆସନ୍ତାକାଲି ବୁଧବାରରେ ଦୁଇ ରଥକୁ ଟାଣି ଟାଣି ନିଆଯିବ।

ଆଜି ଅପରାହ୍ନରେ ରଥର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ତାଳଧ୍ବଜ ରଥକୁ ଭକ୍ତମାନେ ୩ଟା ୪ ମିନିଟରେ ହରିବୋଲ ହୁଳହୁଳି ଦେଇ ଟାଣିଟାଣି ନେଇଯାଇ ଥିଲେ। ଖରା ହେବା ସତ୍ବେ ଭକ୍ତମାନେ ଆନନ୍ଦରେ ରଥ ଟାଣିଟାଣି ନେଇ ଯାଇଥିଲେ। ତାଳଧ୍ବଜ ରଥ ଗୁଣ୍ଡିଚା ମନ୍ଦିରର ଶରଧାବାଲିରେ ପହଞ୍ଚିପାରିଥିଲା।

ସେହିପରି ତାଳଧ୍ବଜ ପରେ ମା ସୁଭଦ୍ରାଙ୍କ ଦେବଦଳନ ରଥ ୩ଟା ୫୫ରେ ଗଡିବା ଆରମ୍ଭ କରିଥିଲା। ମା ସୁଭଦ୍ରାଙ୍କ ରଥ ଟାଣି ନେବାରେ ଭକ୍ତଙ୍କ ମଧ୍ୟରେ ବେଶ ଆଗ୍ରହ ପରିଲକ୍ଷିତ ହୋଇଥିଲା। ହେଲେ ମା ସୁଭଦ୍ରା ଶେଷ ପର୍ଯ୍ୟନ୍ତ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିପାରି ନ ଥିଲେ। ସଂଧ୍ୟା ହେବାରୁ ମାଙ୍କ ରଥ ବଡଶଙ୍ଖ ନିକଟରେ ଅଟକି ରହିଛି।

ଶେଷରେ ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ରଥ ଅପରାହ୍ନ ୪ଟା ୪୦ରେ ଗଡିବା ଆରମ୍ଭ କରିଥିଲା। ଏହି ରଥକୁ ଟାଣିବାରେ ଭକ୍ତମାନେ ବହୁ ସମୟ ଧରି ଅପେକ୍ଷା କରି ରହିଥିଲେ। ଡାହୁକ ଡାକରାରେ ଗୋଟିଏ ନିଃଶ୍ବାସରେ ଭକ୍ତମାନେ ପ୍ରଭୃଙ୍କୁ ଭିଡି ନେଇଥିଲେ। ହେଲେ ମା ସୁଭଦ୍ରାଙ୍କ ରଥ ଆଗରେ ଅଟକି ଯିବାରୁ ପ୍ରଭୃ ମଧ୍ୟ ବଳଗଣ୍ଡି ମାଉସୀମା ମନ୍ଦିରେ ନିକଟରେ ଅଟକି ଯାଇଛନ୍ତି।

ମନ୍ଦିର ପ୍ରଶାସନ ଅନୁସାରେ ଆସନ୍ତାକାଲି ବୁଧବାରରେ ପୁଣି ରଥଟଣା ନୀତି ଆରମ୍ଭ ହେବ। ମା ସୁଭଦ୍ରା ଏବଂ ବଡଠାକୁରଙ୍କ ରଥ ଶରଧାବାଲିରେ ପହଞ୍ଚିବା ପରେ ତିନିଠାକୁର ଗୁଣ୍ଡିଚା ମନ୍ଦିରକୁ ବିଜେ କରିବେ। ସେଠାରେ ଶ୍ରୀଜିୟୁ ସାତ ଦିନ ଅବସ୍ଥାନ କରି ତାଙ୍କର ଜନ୍ମବେଦୀରେ ଦର୍ଶନ କରିବେ। ସେଠାରେ ଆଡପ ଅଭଡା ଲାଗି ହେବ, ଯାହାକୁ ପାଇବା ପାଇଁ ଭକ୍ତମାନେ ଆତୁର ସହକାରେ ଅପେକ୍ଷା କରିଥାନ୍ତି।

Categories
RathJatra ଧର୍ମ ବିଶେଷ ଖବର

ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ନେଇ ବିଭିନ୍ନ ପୁରାଣରେ କଣ ବର୍ଣ୍ଣନା କରାଯାଇଛି ଜାଣିଛନ୍ତି କି ?

ଭୁବନେଶ୍ବର, ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ପରଂପରା କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ଏହାର ପ୍ରମାଣ ବିଭିନ୍ନ ସମୟରେ ଐତିହାସିକମାନେ ବର୍ଣ୍ଣନା କରିଛନ୍ତି। ସେହିପରି ବହୁ ପ୍ରାଚୀନ ପୁରାଣରେ ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ମଧ୍ୟ ରହିଛି। ସେଗୁଡିକ ମଧ୍ୟରେ ରହିଛି ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା ଏବଂ ଶାରଦା ପୁରାଣ ପରି ଅସଂଖ ପୁରାଣ ପୋଥୀରେ ଏହାର ବର୍ଣ୍ଣନା ରହିଛି।

ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି ଯେ, ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା କାହିକିଁ ବିଶ୍ୱର ଏକ ସହସ୍ର ଅଶ୍ୱମେଧ ଯଜ୍ଞର ଫଳ ମିଳିଥାଏ ବୋଲି ବିଶ୍ୱାସ କରାଯାଏ । ତେଣୁ ପୁରାଣମାନଙ୍କରେ କୁହାଯାଇଛି, ଶ୍ରୀମନ୍ଦିରରେ ଦଶବର୍ଷ ଦର୍ଶନ କଲେ ଯାହା ଫଳ ମିଳେ ଗୁଣ୍ଡିଚା ମନ୍ଦିରରେ ଏକ ଦିବସ ଦର୍ଶନରେ ସେତିକି ଫଳ ଲାଭ ହୁଏ।

ସ୍କନ୍ଧ ପୁରାଣ ଅନ୍ତର୍ଗତ ଉତ୍କଳ ଖଣ୍ଡର ୩୩ଶ ଅଧ୍ୟାୟ ଠାରୁ ୩୫ଶ ଅଧ୍ୟାୟ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ପାଳିତ ମହାପ୍ରଭୁମାନଙ୍କ ରଥଯାତ୍ରାର ସବିଶେଷ ବିବରଣି ରହିଅଛି। ଏଥିରେ ଏହି ରଥଯାତ୍ରାକୁ ‘ନବଦିନାତ୍ମିକା ଯାତ୍ରା’ କୁହାଯାଏ। ଏହାର ତିନୋଟି ଅଙ୍ଗ । ପ୍ରଥମ ଅଙ୍ଗ -ପୂର୍ବ ଯାତ୍ରା, ଦ୍ୱିତୀୟ ଯାତ୍ରା- ଗୁଣ୍ଡିଚା ମଣ୍ଡପରେ ଅବସ୍ଥାନ ବା ଆଡ଼ପ, ତୃତୀୟ ଅଙ୍ଗ- ବାହୁଡା ଯାତ୍ର। ଠାକୁରମାନେ ଗୁଣ୍ଡିଚା ମଣ୍ଡପ ଉପରେ ଥିବା ସମୟରେ ବନ ଜାଗରଣ ବ୍ରତ ପାଳନ କଲେ ମହାପୁଣ୍ୟ ହୁଏ ବୋଲି ବର୍ଣ୍ଣନା କରାଯାଇଛି।

ସେହିପରି ଚୈତନ୍ୟ ଚରିତାମୃତ ଗ୍ରନ୍ଥର ରଚୟିତା କବିରାଜ କୃଷ୍ଣ ଦାସ ଉକ୍ତ ଗ୍ରନ୍ଥରେ ଶ୍ରୀକ୍ଷେତ୍ରରେ ପାଳିତ ରଥଯାତ୍ରାର ଯେଉଁ ବିବରଣ ପ୍ରଦାନ କରିଛନ୍ତି, ତାହା ଦୀର୍ଘ ପାଞ୍ଚ ଶହ ବର୍ଷ ପୂର୍ବର ଅଟେ। ସେ ଚୈତନ୍ୟଙ୍କ ଶିଷ୍ୟ ରଘୁନାଥ ଦାସ ଗୋସ୍ୱାମୀଙ୍କ ଶିଷ୍ୟ ଥିଲେ । ଚୈତନ୍ୟ ଚରିତାମୃତ ଗ୍ରନ୍ଥରୁ ଜଣାଯାଏ, ଶ୍ରୀଚୈତନ୍ୟ ତାଙ୍କ ପାର୍ଷଦମାନଙ୍କ ସହିତ ରଥଯାତ୍ରା ସମୟରେ ଗୁଣ୍ଡିଚା ମନ୍ଦିର ମାର୍ଜନା କରୁଥିଲେ। ସେମାନେ ଛୋଟ ବଡ଼ ମନ୍ଦିର ମାର୍ଜନା ଓ ଶୋଧନ ତଥା ଶେଷରେ ଜଗମୋହନ ପରିଷ୍କାର କରୁଥିଲେ ।

ବର୍ତ୍ତମାନ ଗଜପତି ମହାରାଜ ରଥ ଉପରେ ଛେରାପହଁରା କଲା ପରି ସେତେବେଳେ ହେଉନଥିଲା। ରାଜା ରଥ ତଳେ ପଥରେ ଛେରା ପହଁରା କରୁଥିଲେ । ପ୍ରତାପରୁଦ୍ର ଦେବ ନିଜେ ସୁନା ଛାଉଣୀଦ୍ୱାରା ପଥ ପରିଷ୍କାର କରୁଥିଲେ, ରାଜା ପଥ ମଧ୍ୟରେ ସୁଗନ୍ଧି ଚନ୍ଦନ ଜଳ ସିଞ୍ଚନ କରୁଥିଲେ । ସେ ସମୟରେ ରଥଟଣାରେ ଗୌଡ଼ ନାମକ ସମ୍ପ୍ରଦାୟ ନିଯୁକ୍ତ ହେଉଥିଲେ ।

ନୀଳାଦ୍ରୀ ମହୋଦୟ ର ବର୍ଣ୍ଣନା ଅନୁଯାୟୀ ମହାପ୍ରଭୁଙ୍କ ଆବିର୍ଭାବ ପରେ ତାଙ୍କ ପାଇଁ ରାଜା ଇନ୍ଦ୍ରଦ୍ୟୁମ୍ନ ମନ୍ଦିର ନିର୍ମାଣ କରିଥିଲେ । ସେହି ମନ୍ଦିରକୁ ପ୍ରଜପିତା ବ୍ରହ୍ମାଙ୍କ ଦ୍ୱାରା ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମଲୋକ ଯାଇଥିଲେ । ସେଠାରୁ ବ୍ରହ୍ମାଙ୍କୁ ନେଇ ଆସିଥିଲେ । ବ୍ରହ୍ମା ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସହ ଶଙ୍ଖନିଧି ଓ ପଦ୍ମନିଧିଙ୍କୁ ପଠାଇଥିଲେ । ନାରଦ ଏବଂ ଅନ୍ୟ ଦୁଇ ଦେବଦୂତଙ୍କ ସହ ଇନ୍ଦ୍ରଦ୍ୟୁମ୍ନ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ମହାପ୍ରଭୁଙ୍କ ପଣି ରଥ ନିର୍ମାଣ କରଯାଇଥିଲା ।