Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଜଗନ୍ନାଥଙ୍କ ଭକ୍ତଙ୍କ ପାଇଁ ସମର୍ପିତ ହେଲା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ବର୍ଷା ଦେଲା ଆର୍ଶିବାଦ

ପୁରୀ: ଶେଷରେ ବହୁ ପ୍ରତୀକ୍ଷିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଉଦଘାଟନ ହୋଇଛି। ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଏହି ପ୍ରକଳ୍ପକୁ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ତାଙ୍କ ସହିତ ଗଜପତି ମହାରାଜା ଦିବ୍ୟସିଂହ ଦେବ, 5ଟି ତଥା ନବୀନ ଓଡିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ।

ମୁଖ୍ୟମନ୍ତ୍ରୀ ପ୍ରଥମେ ଶ୍ରୀସେତୁ ଦେଇ ପୁରୀରେ ପ୍ରବେଶ କରିଥିଲେ। ଏହାପରେ ସେ ଶ୍ରୀଦାଣ୍ଡ ଦେଇ ବ୍ୟାଟିର ଗାଡିରେ ମନ୍ଦିର ନିକଟକୁ ଆସିଥିଲେ। ସେଠାରେ ତାଙ୍କୁ ସ୍ବାଗତ କରାଯାଇ ମନ୍ଦିର ନିକଟକୁ ନିଆଯାଇଥିଲା। ସେଠାରେ ମନ୍ତ୍ରପାଠ ସହିତ ଉଦଘାଟିତ ହୋଇଥିଲା ପରିକ୍ରମା ପ୍ରକଳ୍ପ। ଏହାପରେ ସେଠାରେ ଚାଲିଥିଲା ପୂଜାପାଠ।

ଏହାପରେ ମୁଖ୍ୟମନ୍ତ୍ରୀ ତିନିଦିନ ଧରି ଚାଲିଥିବା ଯଜ୍ଞସ୍ଥଳରେ ଉପସ୍ଥିତ ହୋଇଥିଲେ। ସେଠାରେ ଗଜପତି ମହାରାଜ ମନ୍ତ୍ରପାଠରେ ଯଜ୍ଞରେ ପୁର୍ଣ୍ଣାହୁତି ପ୍ରଦାନ କରି ସମାପନ କରିଥିଲେ। ସେଠାରେ ମୁଖ୍ୟମନ୍ତ୍ରୀ, ନବୀନ ଓଡିଶା ଅଧ୍ୟକ୍ଷ ଏବଂ ବହୁ ବିଶିଷ୍ଠ ବ୍ୟକ୍ତି ଉପସ୍ଥିତ ରହି ଯଜ୍ଞ ସମାପନ ଉତ୍ସବରେ ଯୋଗ ଦେଇଥିଲେ।

ଏହାପରେ ମୁଖ୍ୟମନ୍ତ୍ରୀ ଏବଂ ଗଜପତି ଶ୍ରୀମନ୍ଦିର ପରିକ୍ରମା କରିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ଏହି ବିଶିଷ୍ଠ ବ୍ୟକ୍ତିମାନେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟ ଦେଖିଥିଲେ। ଏହି ସମୟରେ ତାଙ୍କ ସହିତ ଥିଲେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏବଂ ବହୁ ବିଧାୟକ, ସାଂସଦ ଓ ମନ୍ତ୍ରୀ।

ଏହାପରେ  ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଏହି ପ୍ରକଳ୍ପ ପାଇଁ ଶ୍ରମଦାନ କରିଥିବା ବିଭିନ୍ନ ନିର୍ମାଣ ଶ୍ରମିକ, କାରୀଗର ତଥା ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଫଳକ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ତେବେ ଏହି ପ୍ରକଳ୍ପ ପାଇଁ ପୂଜାପାଠ ଚାଲିଥିବା ବେଳେ ଝିପିଝିପି ବର୍ଷା ଏକ ଶୁଭ ସଙ୍କେତ ପ୍ରଦାନ କରିଥିଲା।