Categories
ଆଜିର ଖବର

ଦଳରୁ ଇସ୍ତଫା ଦେଲେ ପି. ସୁଧାକର ରେଡ୍ଡି, କଂଗ୍ରେସରେ ପଇସା ବଦଳରେ ଟିକେଟ ମିଳୁଛି ବୋଲି ଅଭିଯୋଗ କଲେ

ଲୋକସଭା ନିର୍ବାଚନର ଠିକ୍‌ ପୂର୍ବରୁ ତେଲେଙ୍ଗାନାର ମୁଖ୍ୟ ବିପକ୍ଷ ଦଳ କଂଗ୍ରେସକୁ ଝଟ୍‌କା ଲାଗିଛି। ୧୦ ଏମଏଲ୍‌ଏ ଟିଆରଏସ୍‌ରେ ମିଶିବା ପରେ କଂଗ୍ରେସର ଅନ୍ୟ ଜଣେ ବରିଷ୍ଠ ନେତା ପି. ସୁଧାକର ରେଡ୍ଡି ଆଜି ଇସ୍ତଫା ଦେଇଛନ୍ତି। ତେବେ ସେ ବିଜେପିରେ ମିଶିବେ ବୋଲି ଶୁଣିବାକୁ ମିଳୁଛି। ତେଲେଙ୍ଗାନା ବିଧାନ ପରିଷଦର ପୂର୍ବ ସଦସ୍ୟ ସୁଧାକର ରେଡ୍ଡି ପରିଷଦର ସଦସ୍ୟ ରୂପେ ନିଜ କାର୍ଯ୍ୟକାଳ ସମାପ୍ତ ହେବାର ଦୁଇ ଦିନ ପରେ ଏହି ନିର୍ଣ୍ଣୟ ନେଇଛନ୍ତି। ସେ ରାଜ୍ୟର ନେତାମାନଙ୍କର କାର୍ଯ୍ୟରେ ଅସନ୍ତୁଷ୍ଟ ରହିଥିବାବେଳେ ­ନିର୍ବାଚନରେ ଟିକେଟ ଦେବା ପାଇଁ କଂଗ୍ରେସ କୋଟି କୋଟି ଟଙ୍କା ଦାବି କରୁଛି ବୋଲି କହିଛନ୍ତି ସୁଧାକର। ଏଭଳି ଅଭିଯୋଗ ଆଣି ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଏକ ଚିଠି ଲେଖି ଜଣାଇବା ସହ ଇସ୍ତଫା ଦେଇଛନ୍ତି ସୁଧାକର। “କଂଗ୍ରେସ ତା’ର ମୌଳିକ ଆଦର୍ଶ ଓ ଚିନ୍ତାଧାରା ହରାଇ ବସିଛି, ଦଳ ନେତା ବାଛିବା ସ୍ଥାନରେ ଦଳୀୟ କର୍ମୀଙ୍କ ପାଖରୁ ଟଙ୍କା ଆଦାୟ କରି ବ୍ୟବସାୟ ଉପରେ ଅଧିକ ଗୁରୁତ୍ବ ଦେଉଛି। ଏହାକୁ ନେଇ ସେ ବେଶ୍‌ ମର୍ମାହତ ହୋଇଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି।