ରାଷ୍ଟ୍ରୀୟ ରାଇଫଲ୍ସର ଜନୈକ ଯବାନ ହୃଦ୍ଘାତରେ ପ୍ରାଣ ହରାଇଛନ୍ତି। ମଙ୍ଗଳବାର ଉତ୍ତର କାଶ୍ମୀରର ବାରମୂଳା ଜିଲ୍ଲାରେ ଯବାନ ଜଣକ ହୃଦଘାତରେ ପ୍ରାଣ ହରାଇଛନ୍ତି। ବାରମୂଳାର ଓ୍ବାପ୍ଲୁନା ସିଙ୍ଗପୋରାରେ ରାଷ୍ଟ୍ରୀୟ ରାଇଫଲ୍ସ ୫୨ର କ୍ୟାମ୍ପ ଚାଲିଥିବା ସମୟରେ ଏହି ଅଘଟଣ ଘଟିଛି। ୪୦ ବର୍ଷୀୟ ରାଜେଶ କୁମାରଙ୍କୁ କ୍ୟାମ୍ପ ସମୟରେ ହୃଦ୍ଘାତ ଆସିବାରୁ ତାଙ୍କର ମୃତ୍ୟୁ ଘଟିଛି। ଯବାନ ଜଣଙ୍କୁ ତୁରନ୍ତ ନିକଟସ୍ଥ ଆର୍ମି ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଇଛି।
Tag: thesamikhsya
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ବିଜେପିର ବରିଷ୍ଠ ନେତା ନିତିନ ଗଡ଼କରୀ ଏବଂ ପ୍ରତାପ ଷଡ଼ଙ୍ଗୀ ମଙ୍ଗଳବାର ଦାୟିତ୍ଵ ଗ୍ରହଣ କରିଛନ୍ତି। ଉଭୟେ ମଙ୍ଗଳବାର ପୂର୍ବାହ୍ନରେ ଏକାଠି କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ବ ଗ୍ରହଣ କରିଥିଲେ। ପରେ ସେଠାରେ ଏକା ସମୟରେ ଦାୟିତ୍ଵ ନେଇଥିଲେ। ନିତିନ ଗଡ଼କରୀ ମଧ୍ୟମ, କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ(ଏମଏସଏମଇ) କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ଵ ନେଇଥିବାବେଳେ ପ୍ରତାପ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ। କାର୍ଯ୍ୟାଳୟର ଅଧିକାରୀମାନେ ସେମାନଙ୍କୁ ସ୍ବାଗତ କରିବା ସହ ଶୁଭେଚ୍ଛା ଜଣାଇଥିଲେ। ପ୍ରଥମ ଥର ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିବା ଷଡଙ୍ଗୀ ଏମ୍ଏସ୍ଏମ୍ଇ ବିଭାଗ ସହିତ ଗୋପାଳନ , ମତ୍ସ୍ୟ ଏବଂ ପଶୁପାଳନ ବିଭାଗର ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି।
ଗତକାଲି କେରଳରେ ଜଣେ ଯୁବକ ଜ୍ବରରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ନିପା ଭାଇରସ୍ ନେଇ ଆତଙ୍କ ସୃଷ୍ଟି ହୋଇଥିଲା। ଆଜି କେରଳ ସରକାରଙ୍କ ପକ୍ଷରୁ ଯୁବକ ଜଣଙ୍କ ନିପା ଦ୍ବାରା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି। ମଙ୍ଗଳବାର ପୁନେରୁ ଭାଇରୋଲୋଜି ପରୀକ୍ଷାଗାରରୁ ଚୂଡାନ୍ତ ରିପୋର୍ଟ ଆସିବା ପରେ ଯୁବକ ସଂକ୍ରମିତ ଥିବା ଘୋଷଣା କରାଯାଇଛି। ଏହା ସହିତ ଅନ୍ୟ ୪ ଜଣ ମଧ୍ୟ ନିପା ଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଅନ୍ୟ ୪ ଜଣଙ୍କ ମଧ୍ୟରେ ଯୁବକଙ୍କ ଚିକିତ୍ସା କରୁଥିବା ଦୁଇ ଜଣ ନର୍ସ ରହିଥିବା ଜଣାପଡିଛି। ଯୁବକ ଜଣଙ୍କ କିଛି ଦିନ ହେବ ଥ୍ରୀସୁର୍ରେ ରହିଥିବାରୁ ଉକ୍ତ ଅଞ୍ଚଳ ଉପରେ ଏବଂ ନିକଟରେ ଅବସ୍ଥାନ କରିଥିବା ସମସ୍ତ ସ୍ଥାନ ଉପରେ ନଜର ରଖାଯାଇଛି। ସମୁଦାୟ ୮୦ ଜଣଙ୍କୁ ନୀରିକ୍ଷଣରେ ରଖାଯାଇଛି। ଏହା ମଧ୍ୟରୁ ୨୨ ଜଣ କଲେଜ ଛାତ୍ର ରହିଥିବା ଜଣାପଡିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଏହି ମାମଲା ନେଇ କେରଳ ସ୍ବାସ୍ଥ୍ୟ ମନ୍ତ୍ରୀ କେକେ ଶୈଳଜାଙ୍କ ସହିତ ସମ୍ପର୍କରେ ରହିଛନ୍ତି। କେନ୍ଦ୍ର ସରକାର ଖୁବ୍ ଶୀଘ୍ର ମନୋକ୍ଲୋନାଲ ଆଣ୍ଟିବଡି (ଆଣ୍ଟି ଭାଇରସ୍ ଟୀକା) ପଠାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଶୈଳଜା। ୨୦୧୮ ମେ ମାସରେ ନିପା ଭାଇରସ୍ ପ୍ରଭାବରେ କେରଳରେ ୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଜଣଙ୍କର ପ୍ରାଣହାନି ଘଟିଥିଲା। କୋଝିକୋଡ ଏବଂ ମଲ୍ଲାପୁରମ୍ରେ ଏହା ସର୍ବାଧିକ କ୍ଷତି ଘଟାଇଥିଲା।
କ୍ରମାଗତ ତୃତୀୟ ଦିନ ପାଇଁ ଦୃଢ ରହିଛି ଭାରତୀୟ ଅର୍ଥନୀତି। କ୍ରମାଗତ ତୃତୀୟ ଦିନ ପାଇଁ ଭାରତୀୟ ମୁଦ୍ରା ଡଲାର ତୁଳନାରେ ଶକ୍ତିଶାଳୀ ରହିଛି। ଗତକାଲି ୩୧ ପଇସା ବଢିଥିବା ବେଳେ ଆଜି ପୁନର୍ବାର ୨୬ ପଇସା ବଢିଛି ଭାରତୀୟ ମୁଦ୍ରାର ମୂଲ୍ୟ। ଗତକାଲି ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୬୯.୨୬ ପଇସା ରହିଥିବା ବେଳେ ଆଜି ଏହା ୬୯ ଟଙ୍କାରେ ପହଞ୍ଚିଛି। ଅଶୋଧିତ ତୈଳ ମୂଲ୍ୟରେ ହ୍ରସ ପାଇବା ଯୋଗୁଁ ଏହା ସମ୍ଭବ ହୋଇଛି ବୋଲି ଅର୍ଥନୈତିକ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ଜୁନ୍ ୩,୪,ଏବଂ ୬ରେ ଆରବିଆଇର ଅର୍ଥନୈତିକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ଏଥିରେ ସୁଧହାର ହ୍ରାସ ହେବା ନେଇ ପୂର୍ବାନୁମାନ ଲଗାଇଛନ୍ତି ବିଶେଷଜ୍ଞ।
ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ଦୀର୍ଘ ଅଢେଇ ବର୍ଷ ପରେ କଟକକୁ ଫେରିଛି ଅନ୍ତରାଷ୍ଟ୍ରୀୟ ଦିନିକିଆ କ୍ରିକେଟ୍। ଓ୍ଵେଷ୍ଟଇଣ୍ଡିଜର ଆଗାମୀ ଭାରତ ଗସ୍ତରେ ତୃତୀୟ ଦିନିକିଆ ମ୍ୟାଚ୍ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଡିସେମ୍ବର ୨୨ରେ ଖେଳାଯିବ। ତୃତୀୟ ଦିନିକିଆ ଦିବାରାତ୍ର କ୍ରିକେଟ୍ ହେବା ନେଇ ସୂଚନା ଦେଇଛନ୍ତି ଓସିଏ ପରିଚାଳନା କମିଟିର ଅଧ୍ୟକ୍ଷ ଧିରେନ ପଲେଇ। ବାରବାଟୀ ଷ୍ଟାଡିୟମ୍ରେ ଶେଷ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ୨୦୧୭ ଡିସେମ୍ବର ୨୦ରେ ଖେଳାଯାଇଥିଲା। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ଟି-୨୦ ମୁକାବିଲା ଅନୁଷ୍ଠିତ ହୋଇଥିଲା। ବାରବାଟୀରେ ଏ ପର୍ଯ୍ୟନ୍ତ ୨ଟି ଟେଷ୍ଟ, ୧୮ଟି ଦିନିକିଆ ଓ ଗୋଟିଏ ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ଖେଳାଯାଇଛି। ଚଳିତବର୍ଷ ଡିସେମ୍ବରରେ ୱେଷ୍ଟଇଣ୍ଡିଜ୍ ଭାରତ ଗସ୍ତରେ ଆସିବ। ଏହି ଗସ୍ତରେ ତିନୋଟି ଲଖାଏଁ ଟି-୨୦ ଓ ଦିନିକିଆ ମ୍ୟାଚ୍ ଖେଳାଯିବ। ପ୍ରଥମ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଡିସେମ୍ବର ୬ ରୁ ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହା ପରେ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଡିସେମ୍ବର ୧୫ରେ ଚେନ୍ନାଇରେ ଖେଳାଯିବ। ଡିସେମ୍ବର ୧୮ରେ ଦ୍ୱିତୀୟ ମ୍ୟାଚ୍ ବିଶାଖାପଟନମ ଏବଂ ୨୨ ତାରିଖରେ ତୃତୀୟ ମ୍ୟାଚ୍ କଟକରେ ଖେଳାଯିବ।
ବାଚସ୍ପତି ଦୌଡରେ ଜୁଏଲ ଓରାମ ଆଗୁଆ
ବିଜେପିର ବରିଷ୍ଠ ନେତା ଜୁଏଲ ଓରାମ ଲୋକସଭାର ବାଚସ୍ପତି ଦୌଡରେ ଆଗୁଆ ଅଛନ୍ତି। ଜୁଏଲ୍ ଓରାମ, ମାନେକା ଗାନ୍ଧୀ ଏବଂ ଏସ୍ ଏସ୍ ଆଲୁଓ୍ବାଲିଆ ବାଚସ୍ପତି ପଦ ଦୌଡରେ ରହିଥିବା ନେଇ ସୂଚନା ମିଳିଛି। ଚଳିତ ସପ୍ତଦଶ ଲୋକସଭାର ବାଚସ୍ପତି ନିର୍ବାଚନ ଆସନ୍ତା ଜୁନ୍ ୧୯ ତାରିଖରେ ଅନୁଷ୍ଠିତ ହେବ। ଜୁଏଲ୍ ଓରାମ ୨୦୧୪ ଏନ୍ଡିଏ ସରକାରରେ ଆଦିବାସୀ ମନ୍ତ୍ରାଳୟ ଦାୟିତ୍ବରେ ରହିଥିବା ଜୁଏଲ୍ଙ୍କୁ ଚଳିତ ସରକାରରେ କୌଣସି ଦାୟିତ୍ବ ମିଳିନଥିଲା। ଫଳ ସ୍ବରୂପ ଜୁଏଲଙ୍କୁ ବାଚସ୍ପତି ପଦ ପ୍ରଦାନ କରି ସନ୍ତୁଷ୍ଟ କରିବା ନେଇ ବିଜେପି ଉଦ୍ୟମ କରୁଛି ବୋଲି କୁହାଯାଉଛି। ସେହିପରି ଉପ ବାଚସ୍ପତି ଦୌଡରେ ବିଜେଡି ନେତା ଭର୍ତ୍ତୂହରି ମହତାବ ଆଗରେ ରହିଥିବା ସୂଚନା ମିଳିଛି। ମାନେକାଙ୍କୁ ମଧ୍ୟ କୌଣସି ପଦବୀ ମିଳି ନଥିବାରୁ ସେ ମଧ୍ୟ ବାଚସ୍ପତି ଦୌଡରେ ଆଗରେ ରହିଛନ୍ତି।
ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ପରଲୋକ
ଓଡିଆ ଚଳଚ୍ଚିତ୍ର ଜଗତର ଖ୍ୟାତାନାମା ହାସ୍ୟ ଅଭିନେତା ସଲିଲ ମିତ୍ରଙ୍କ ପରଲୋକ ହୋଇଛି। ସୋମବାର ବିଳମ୍ବିତ ରାତିରେ କିମ୍ସ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି। ମେ ୧୨ ରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଗୁରୁତର ହୋଇ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଦୀର୍ଘ ୨୨ ଦିନର ସଂଘର୍ଷ କରିବା ପରେ ସେ ଜୀବନ ଯୁଦ୍ଧ ହାରି ଯାଇଛନ୍ତି। ଓଡିଆ ଟିଭି ଜଗତରେ ମଧ୍ୟ ସଲିଲ୍ ମିତ୍ର ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଥିଲେ। ୧୯୯୯ ମସିହାରେ ‘ପୁଅ ଭାଙ୍ଗି ଦେଲା ସୁନା ସଂସାର’ ଚଳଚ୍ଚିତ୍ରରୁ ସେ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏତଦ୍ ବ୍ୟତୀତ ସେ ଅନେକ ଗୁଡିଏ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୀତ ଚଳଚ୍ଚିତ୍ର ହେଉଛି ଅର୍ଜୁନ (୨୦୦୫), ଶୁଭ ବିବାହ (୨୦୧୦), ହିରୋ ପ୍ରେମ କଥା (୨୦୧୧), ବାଳୁଙ୍ଗା ଟୋକା (୨୦୧୧), କେବେ ତୁମେ ନାହଁ କେବେ ମୁଁ ନାହିଁ (୨୦୧୨), ତୁ ମୋ ଆରମ୍ଭ ତୁ ମୋ ଶେଷ (୨୦୧୨), ଗଞ୍ଜା ଲଢେଇ (୨୦୧୪), ଗପ ହେଲେ ବି ସତ (୨୦୧୫), ଏବଂ ସିଷ୍ଟର ଶ୍ରୀଦେବୀ (୨୦୧୭)।
ମଧ୍ୟପ୍ରଦେଶ ସରକାର ଅନ୍ୟ ପଛୁଆ ବର୍ଗ (ଓବିସି) ସଂରକ୍ଷଣର ବର୍ତ୍ତମାନର କୋଟାକୁ ବଢାଇ ଦେଇଛନ୍ତି। କମଲନାଥଙ୍କ ସରକାର ଓବିସି ସଂରକ୍ଷଣକୁ ୧୪ ରୁ ୨୭ ପ୍ରତିଶତକୁ ବୃଦ୍ଧି କରିବାକୁ ଅନୁମତି ଦେଇଦେଇଛି। ସୋମବାର ଦିନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ପ୍ରସ୍ତାବ ପାରିତ ହୋଇଛି। ମଧ୍ୟପ୍ରଦେଶ ବିଧାନସଭାର ମୌସୁମୀ ଅଧିବେଶନରେ ଏହି ପ୍ରସ୍ତାବକୁ ପାରିତ କରାଯିବ ବୋଲି ସୂଚନା ମିଳିଛି। ମଧ୍ୟପ୍ରଦେଶ ଆଇନ ମନ୍ତ୍ରୀ ପିସି ଶର୍ମା କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ ଘୋଷଣା କରିଥିଲେ। ଏହି ପ୍ରସ୍ତାବକୁ ସୋମବାର କ୍ୟାବିନେଟ ମଞ୍ଜୁରୀ ଦେଇଛି। ଆସନ୍ତା ବିଧାନସଭା ଅଧିବେଶନରେ ଏହାକୁ ପାରିତ କରାଯାଇ ଆଇନ ଅଣାଯିବ।
ଉତ୍ତରପ୍ରଦେଶ ସପା-ବସପା ମହାମେଣ୍ଟରେ ଔପଚାରିକ ଭାବରେ ବ୍ରେକ୍ ଲାଗିଛି। ସାଧାରଣ ନିର୍ବାଚନରେ ମହାମେଣ୍ଟର ପରାଜୟ ପାଇଁ ବିଏସପି ସୁପ୍ରିମୋ ମାୟାବତୀ ଏସପି ସୁପ୍ରିମୋ ଅଖିଲେଶ ଯାଦବଙ୍କୁ ଦାୟୀ କରିଛନ୍ତି। ତେଣୁ ୧୧ଟି ଆସନରେ ହେବାକୁ ଥିବା ଆଗାମୀ ଉପ-ନିର୍ବାଚନରେ ବିଏସପି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଆଜି ମାୟାବତୀ କହିଛନ୍ତି। ଚଳିତ ସାଧାରଣ ନିର୍ବାଚନରେ ସପା ବସପା ନିଜର ସମସ୍ତ ରାଗ ଅଭିମାନ ଭୁଲି ଏକତ୍ର ହୋଇ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିଲେ। ଲୋକସଭା ନିର୍ବାଚନ ସହ ବିଧାନସଭା ନିର୍ବାଚନରେ ମଧ୍ୟ ଏକତ୍ର ଲଢିବେ ବୋଲି ନିର୍ବାଚନୀ ସଭାରେ ମାୟାବତୀ ଓ ଅଖିଳେଶ କହିଥିଲେ। ତେବେ ନିର୍ବାଚନ ଫଳାଫଳରେ ବିଜେପି ପାଖରୁ ଏହି ମହାମେଣ୍ଟର ପରାଜୟ ବରଣ ପରେ ଅଖିଳେଶଙ୍କୁ ସମସ୍ତ ଦୋଷ ଦେଇଛନ୍ତି ମାୟାବତୀ। ନିର୍ବାଚନରେ ମେଣ୍ଟରୁ ଯେତିକି ଆଶା କରାଯାଇଥିଲା ପରିଣାମ ତା’ଠାରୁ ମଧ୍ୟ କମ୍ ରହିଛି ଏବଂ ଏହାସହିତ ଯାଦବଙ୍କ ଭୋଟ ଟ୍ରାନ୍ସଫର ହୋଇପାରି ନ ଥିଲା ବୋଲି ମାୟା କହିଛନ୍ତି। କେବଳ ଏତିକି ନୁହେଁ, ଏସ୍ପି ଅଧ୍ୟକ୍ଷ ଅଖିଳେଶ ଯାଦବ ନିଜ ପତ୍ନୀ ଓ ଭାଇଙ୍କୁ ନିର୍ବାଚନରେ ଜିତାଇ ପାରିଲେ ନାହିଁ ବୋଲି ମାୟାବତୀ କହିଛନ୍ତି। ତେବେ ମାୟାଙ୍କ ଏପରି କଥାରୁ ମହାମେଣ୍ଟର ଫାଟ ହୋଇଥିବାର ଜଣାପଡୁଛି। ଚଳିତ ନିର୍ବାଚନରେ ଚଳିତ ନିର୍ବାଚନରେ ୮୦ ଲୋକସଭା ଆସନରୁ ବିଜେପି ୬୨ଟି ଓ ସହଯୋଗୀ ‘ଆପନା ଦଳ’ ୨ଟି ଆସନରେ ବିଜୟୀ ହୋଇଛନ୍ତି। ସେହିପରି ମହାମେଣ୍ଟର ବିଏସପି ୧୦ଟି, ଏସପି ୫ଟି ଜିତିଥିବା ବେଳେ ଆରଏଲଡି କୌଣସି ଆସନ ଜିତି ନାହିଁ।
ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ମହିଳାମାନଙ୍କ ପାଇଁ ଏକ ବିଶେଷ ଘୋଷଣା କରି ଦେଇଛନ୍ତି। ଏବେ ରାଜଧାନୀରେ ମହିଳାମାନେ ସରକାରୀ ବସ୍, କ୍ଲଷ୍ଟର ବସ୍ ଓ ମେଟ୍ରୋ ଟ୍ରେନ୍ରେ ମାଗଣାରେ ଯାତ୍ରା କରିପାରିବେ। ସୋମବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏହି ଘୋଷଣା କରିଛନ୍ତି। ଏହି ନିୟମ ଆସନ୍ତା ୨-୩ ମାସ ମଧ୍ୟରେ ଲାଗୁ ହେବ ବୋଲି ସେ କହିଛନ୍ତି। ଏନେଇ ଡିଟିଏସ୍ ଓ ମେଟ୍ରୋ ଅଧିକାରୀଙ୍କୁ ଏକ ସପ୍ତାହ ମଧ୍ୟରେ ଏକ ପ୍ରପୋଜାଲ ତିଆରି କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଏହାକୁ କିପରି କାର୍ଯ୍ୟକାରୀ କରାଯିବ ସେ ନେଇ ମଧ୍ୟ ସାଧାରଣ ଜନତାଙ୍କ ମତ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନାଯୋଗ୍ୟ, ଗତ ଲୋକ ସଭା ନିର୍ବାଚନରେ ୭ଟି ଯାକ ଆସନ ହରାଇବା ପରେ ଆମ ଆଦମୀ ପାର୍ଟି(ଏଏପି) ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଏପରି କରିଥିବା ଆଲୋଚନା ହେଉଛି। କେଜ୍ରୀଓ୍ବାଲାଙ୍କ ଏପରି ନିଷ୍ପତ୍ତି ପରେ ମନୋଜ ତିଓ୍ବାରୀ କେଜରୀଓ୍ବାଲଙ୍କୁ ଟାର୍ଗେଟ୍ କରିଛନ୍ତି। ମନୋଜ କହିଛନ୍ତି ଯେ, ନିର୍ବାଚନ ଆସୁଥିବାରୁ ଜନତାଙ୍କୁ ବିଭ୍ରାନ୍ତି କରିବା ପାଇଁ କେଜ୍ରୀଓ୍ବାଲ ଏପରି ଯୋଜନା ସବୁ କରୁଛନ୍ତି ବୋଲି କହିଛନ୍ତି।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଓ୍ବାଇଏସ୍ ଜଗନ ମୋନହ ରେଡ୍ଡି ପ୍ରଥମ ପର୍ଯ୍ୟାୟରେ ଆଶା କର୍ମୀଙ୍କୁ ଦେଇଛନ୍ତି ଭେଟି। ମେଡିକାଲ ଓ ସ୍ବାସ୍ଥ୍ୟ ବିଭାଗରେ କାମ କରୁଥିବା ଆଶାକର୍ମୀଙ୍କ ଦରମାକୁ ତିନିଗୁଣା ବଢାଇଛନ୍ତି। ଆଶା କର୍ମୀଙ୍କ ଦରମା ୩ହଜାର ଟଙ୍କାରୁ ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି ଜଗନ ମୋହନ। ୩୦ ମଇରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ରୂପେ ଜଗନମୋହନ ଶପଥ ଗ୍ରହଣ କରିଥିଲେ। ଚଳିତ ନିର୍ବାଚନରେ ଜଗନ ମୋହନଙ୍କ ଓ୍ବାଇଏସ୍ଆର୍ କଂଗ୍ରେସ ପାର୍ଟି ୧୭୫ ସଂସଦୀୟ ବିଧାନସଭା ଆସନରୁ ୧୫୧ଟି ଆସନରେ ବାଜିମାତ୍ କରିଛନ୍ତି।
ତେଲେଙ୍ଗାନାରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆରଏସ୍) ତିନୋଟି ଉପ ନିର୍ବାଚନରେ ବିଜୟୀ ହୋଇଛି। ସୋମବାର ତିନି ଆସନର ନିର୍ବାଚନ ଫଳାଫଳ ପ୍ରକାଶ ପାଇଥିବା ବେଳେ ତିନି ଆସନରେ ଟିଆରଏସ୍ ବିଜୟୀ ହୋଇଛି। ନାଲଗୋଣ୍ଡା, ଓ୍ବାରାଙ୍ଗଲ ଏବଂ ରଙ୍ଗା ରେଡ୍ଡୀରେ ଟିଆରଏସ୍ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ନାଲଗୋଣ୍ଡାରୁ ଟେରା ଚିନ୍ନାପା ରେଡ୍ଡୀ, ଓ୍ବାରାଙ୍ଗଲରୁ ପୋଚମ ପଲ୍ଳୀ ଶ୍ରୀନିବାସ ରେଡ୍ଡୀ ଏବଂ ରଙ୍ଗାରେଡ୍ହୀରୁ ପି ମହେନ୍ଦ୍ର ରେଡ୍ହୀ ବିଜୟୀ ହୋଇଛନ୍ତି। ଲୋକସଭା ନିର୍ବାଚନର ଫଳାଫଳ ପରେ ଏହା ଟିଆରଏସ୍ ପାଇଁ ଖୁସି ଖବର। ଲୋକ ସଭାରେ ଟିଆରଏସ୍ ୧୩-୧୪ ଆସନରେ ବିଜୟୀ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ ଦଳ ମାତ୍ର ୯ଟି ଆସନରେ ବିଜୟୀ ହୋଇଥିଲା। ଉପ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଶୁଭେଚ୍ଛା ଜଣାଇଛନ୍ତି।
ନିଜର ଅପ୍କମିଙ୍ଗ ଫିଲ୍ମ ସୁପର୍ -୩୦ର ଏକ ନୂତନ ପୋଷ୍ଟର ରିଲିଜ୍ କରିଛନ୍ତି ହ୍ରିତିକ୍ ରୋଶନ୍। ନିକଟରେ ଚୀନ୍ରେ କାବିଲ୍ର ପ୍ରଚାରରେ ବ୍ୟସ୍ତଥିବା ହ୍ରିତିକ୍ ସୋସିଆଲ ମିଡିଆରେ ନିଜ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟର ରିଲିଜ୍ ସହିତ ହ୍ରିତିକ୍ ଫିଲ୍ମର ଟ୍ରେଲର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଆସନ୍ତା କାଲି ଫିଲ୍ମର ଟ୍ରେଲର ରିଲିଜ୍ ହେବ। ଏହି ନୂଆ ପୋଷ୍ଟରରେ ଯୋଗ୍ୟ ବନନ୍ତୁ ବୋଲି ଲେଖାଯିବା ସହିତ ହ୍ରିତିକ ବର୍ଷାରେ ଭିଜୁଥିବା ଦେଖାଦେଇଛି। ଫିଲ୍ମଟିରେ ହ୍ରିତିକ୍ ଆନନ୍ଦ କୁମାରଙ୍କ ଚରିତ୍ରରେ ନଜର ଆସିବେ। ହ୍ରିତିକଙ୍କ ସହିତ ପଙ୍କଜ ତ୍ରୀପାଠୀ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଚରିତ୍ରରେ ନଜର ଆସିବେ। ଆସନ୍ତା ଜୁନ୍ ୧୨ ତାରିଖରେ ଏହି ଫିଲ୍ମଟି ରିଲିଜ୍ ହେବାକୁ ଯାଉଛି।
୧୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ନିଖୋଜ
ଆସାମର ଜୋରହାଟରୁ ଛାଡିଥିବା ଏକ ବିମାନ ନିଖୋଜ ହୋଇଯାଇଛି। ଅରୁଣାଚଳ ପ୍ରଦେଶ ଅଭିମୁଖେ ଯାତ୍ରା କରୁଥିବା ଏହି ବିମାନରେ ୧୩ ଜଣ ଯାତ୍ରୀ ରହିଥିଲେ। ନିଖୋଜଙ୍କ ମଧ୍ୟରେ ୮ ଜଣ ବିମାନ କର୍ମଚାରୀ ରହିଥିବା ବେଳେ ୫ ଜଣ ଯାତ୍ରୀ ରହିଥିଲେ। ସୋମବାର ସକାଳୁ ବିମାନଟି ଆସାମର ଜୋରହାଟରୁ ଛାଡିଥିଲା ଏବଂ ୧୨.୨୫ରେ ଏହା ଅରୁଣାଚଳ ପ୍ରଦେଶର ମେଚୁକା ବିମାନବନ୍ଦରରେ ପହଞ୍ଚିବାର ଥିଲା। ଆଣ୍ଟୋନୋଭ ଏନ୍ ୩୨ର ଏହି ବିମାନଟି ସହିତ ଦିନ ୧ଟା ପରଠାରୁ ସମ୍ପର୍କ ସ୍ଥାପନ ହୋଇପାରିନଥିଲା। ଭାରତୀୟ ବାୟୁସେନା ପକ୍ଷରୁ ବିମାନଟିକୁ ଖୋଜିବା ନିମନ୍ତେ ସର୍ଚ୍ଚ ଅପରେସନ୍ ଜାରି କରାଯାଇଛି। ଋଷୀୟ ବୈଷୟିକ କୌଶଳରେ ନିର୍ମିତ ଏହି ବିମାନଟି ଭାରତୀୟ ବାୟୁସେନା ପକ୍ଷରୁ ବିଗତ ୪ ଦଶନ୍ଧି ଧରି ବ୍ୟବହାର କରାଯାଉଛି।
ଚଳିତ ବର୍ଷର ଅନ୍ୟତମ ବିବାଦୀୟ ଫିଲ୍ମ ‘ଦ ତାଶକେଣ୍ଟ ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କାଶ୍ମିରୀ ପଣ୍ଡିତଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ତାଶକେଣ୍ଟ ଫାଇଲ୍ସର ସଫଳତା ପରେ ଅଗ୍ନିହୋତ୍ରୀ କାଶ୍ମିରୀ ପଣ୍ଡିତଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରିବାର ନିଷ୍ପତ୍ତି ନେଇଛନ୍ତି। ଏଭଳି ସମ୍ବେଦନଶୀଳ ମାମଲାକୁ ନେଇ ବଲିଉଡ୍ ସର୍ବଦା ଫିଲ୍ମ ତିଆରି କରିବା ଆବଶ୍ୟକ ବୋଲି ଅଗ୍ନିହୋତ୍ରୀ କହିଛନ୍ତି। ମୁଁ ସର୍ବଦା କାଶ୍ମୀରୀ ପଣ୍ଡିତଙ୍କ କାହାଣୀ ବଡ ପରଦାରେ ଦେଖାଇବା ପାଇଁ ଆଗ୍ରହୀ ଥିଲି ଏବଂ କୌଣସି ଏକ ପୁସ୍ତକକୁ ଫିଲ୍ମର ରୂପରେଖ ଦେବା ନିମନ୍ତେ ଯୋଜନା ରହିଥିଲା। ମାତ୍ର ବର୍ତ୍ତମାନ ଏହାର କାହାଣୀ ନିଜେ ଲେଖିବା ସହିତ କାଶ୍ମୀର ଉପତ୍ୟକା ଯାଇ ଏହାର ପ୍ରାକ୍ ପ୍ରସ୍ତୁତି କରୁଛନ୍ତି ବିବେକ। ଫିଲ୍ମର କାହାଣୀ ନିମନ୍ତେ ବିବେକ ଦେଶର ବିଭିନ୍ନ ସ୍ଥାନରେ ରହିଥିବା କାଶ୍ମିରୀ ପଣ୍ଡିତଙ୍କୁ ଭେଟି ସେମାନଙ୍କ ଅଭିଜ୍ଞତା ଶୁଣୁଛନ୍ତି। ସେହିପରି ସେନାକୁ କାଶ୍ମୀରରେ ସର୍ବଦା ନକରାତ୍ମକ ଢଙ୍ଗରେ ଦେଖା ଯାଉଥିବାରୁ ଏହା ମଧ୍ୟ ତାଙ୍କ ଫିଲ୍ମର ଏକ ଅଂଶବିଶେଷ ହେବ ବୋଲି କହିଛନ୍ତି ଅଗ୍ନିହୋତ୍ରୀ। ଆସନ୍ତା ୬ ମାସ ମଧ୍ୟରେ ଫିଲ୍ମର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡିଛି।
ସୁଜୁକି ମୋଟର ସାଇକେଲ ଇଣ୍ଡିଆ (ଏସ୍ଏମ୍ଆଇପିଏଲ୍) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମେ ମାସରେ କମ୍ପାନୀର ଦୁଇ ଚକିଆ ଯାନ ବିକ୍ରିରେ ୧୭.୭୦ ପ୍ରତିଶତର ଅଭିବୃଦ୍ଧି ଘଟିଛି। ଚଳିତ ମାସରେ କମ୍ପାନୀ ପକ୍ଷରୁ ୬୨ ହଜାର ୫୯୬ଟି ଦୁଇ ଚକିଆ ଯାନ ବିକ୍ରି କରାଯାଇଛି। ଗତ ବର୍ଷ ସମାନ ସମୟରେ ୫୩ହଜାର ୧୬୭ଟି ଦୁଇ ଚକିଆ ଯାନ ବିକ୍ରି କରାଯାଇଛି। ସେହିପରି ସୁଜୁକିର ସମୁଦାୟ ଅଭିବୃଦ୍ଧି ୨୨ ପ୍ରତିଶତକୁ ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ରପ୍ତାନୀ ଏବଂ ଘରୋଇ ବିକ୍ରିକୁ ମିଶାଇ ଚଳିତ ବର୍ଷ ୭୧ ହଜାର ୬୪୦ ଦୁଇ ଚକିଆ ଯାନ ବିକ୍ରି ହୋଇଥିବା ବେଳେ ୨୦୧୮ରେ ସମାନ ସମୟରେ ୫୮ ହଜାର ୬୮୨ଟି ଦୁଇ ଚକିଆ ଯାନ ବିକ୍ରି ହୋଇଥିଲା। ଗ୍ରାହକମାନଙ୍କ ମଧ୍ୟରେ ସୁଜୁକି ଆଦୃତ ହେଉଥିବାର ଏହା ଏକ ଉଦାହରଣ ବୋଲି କମ୍ପାନୀର ଉପ ସଭାପତି ଦେବାଶିଷ ହାଣ୍ଡା ପ୍ରକାଶ କରିଛନ୍ତି।
ଯମୁନା ଏକ୍ସପ୍ରେସ ଓ୍ବେରେ ଏକ ଦୁର୍ଘଟଣା ଘଟି ୪ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ବଲଦେବ ଜିଲ୍ଲାରେ ଏକ ଡବଲ ଡେକର ବସ୍ ଓଲଟି ପଡିବାରୁ ଏହି ଘଟଣା ଘଟିଛି। ବରିଷ୍ଠ ପୋଲିସ୍ ଅଧିକାରୀ ସତ୍ୟରାଜ ଅନିରୁଦ୍ଧ ପଙ୍କଜ କହିଛନ୍ତି ବସ୍ଟି ଦିଲ୍ଲୀରୁ ମଧ୍ୟପ୍ରଦେଶର ଭିଣ୍ଡ ନିମନ୍ତେ ଯାତ୍ରା କରୁଥିଲା। ରବିବାର ରାତିରେ ଗଡସାଉଲି ଗ୍ରାମର ୧୩୨ ନମ୍ବର ମାଇଲଖୁଣ୍ଟ ନିକଟରେ ଏହି ଦୁର୍ଘଟଣା ଘଟିଛି। ବସ୍ଟି ରାସ୍ତାର ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା। ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଛନ୍ତି। ଆହତ ମାନଙ୍କୁ ଆଗ୍ରାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୁଜାଫରପୁର ସେଲ୍ଟର ହୋମ୍ରେ ଅନ୍ତେବାସୀଙ୍କୁ ନିର୍ଯାତନା ଏବଂ ୧୧ଜଣ ଛାତ୍ରୀଙ୍କ ହତ୍ୟା ମାମଲାରେ ତଦନ୍ତ ରିପୋର୍ଟ ପାଇଁ ସିବିଆଇକୁ ତିନି ମାସର ସମୟ ଦେଇଛନ୍ତି ସୁପ୍ରିମ୍କୋର୍ଟ। ସୋମବାର ବିଚାରପତି ଇନ୍ଦୁ ମଲହୋତ୍ରା ଏବଂ ଏମ୍ ଆର ଶାହଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଏହି ନିଷ୍ପତ୍ତି ନେଇଛନ୍ତି। ସେଲ୍ଟର ହୋମ୍ରେ ରହୁଥିବା ଏକାଧିକ ମହିଳା ଅନ୍ତେବାସୀଙ୍କୁ ଯୌନ ନିର୍ଯାତନା ଏବଂ ଏହାର ଭିଡିଓ କରାଯାଇ ନିର୍ଯାତନା ଦିଆ ଯାଉଥିବାର ଅଭିଯୋଗ ଆସିଥିଲା। ଟାଟା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସ ପକ୍ଷରୁ ଏହି ମାମଲାକୁ ସାମ୍ନାକୁ ଅଣାଯିବା ପରେ ଏହାର ତଦନ୍ତ କରାଯାଇଥିଲା। ପ୍ରାରମ୍ଭିକ ଭାବରେ ବିହାର ପୋଲିସ୍ ମାମଲାର ତଦନ୍ତ କରୁଥିଲା। ତଦନ୍ତ ପ୍ରକ୍ରିୟା ସ୍ବଚ୍ଛ ଏବଂ ଅବାଧ ନଥିବା ନେଇ ଅଭିଯୋଗ ଆସିବା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। ପୂର୍ବରୁ ଜୁନ୍ ୩ ତାରିଖ ସୁଦ୍ଧା ସିବିଆଇକୁ ଏହାର ଚୂଡାନ୍ତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
ଆସନ୍ତା ପାଞ୍ଚ ବର୍ଷ ନିମନ୍ତେ ପୁନର୍ବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଭାବରେ ନିଯୁକ୍ତି ପାଇଛନ୍ତି ଅଜିତ୍ ଡୋଭାଲ। ଏହି ପଦବୀ ସହିତ ଡୋଭାଲ୍ଙ୍କୁ ଆସନ୍ତା ୫ ବର୍ଷ ନିମନ୍ତେ କ୍ୟାବିନେଟ୍ ପାହ୍ୟା ମଧ୍ୟ ମିଳିଛି। ଜାତୀୟ ସୁରକ୍ଷା ପରିଷଦ ପାଇଁ ତାଙ୍କର ଅବଦାନ ଯୋଗୁଁ ଡୋଭାଲଙ୍କୁ ଏହି ପଦବୀ ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ଦ୍ବିତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରେ ଡୋଭାଲଙ୍କୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ରାଜନାଥ ସିଂଙ୍କୁ ପ୍ରତିରକ୍ଷା ବିଭାଗ ମିଳିବା ପରେ ଡୋଭାଲଙ୍କ ପରିବର୍ତ୍ତନ ନେଇ ଅନୁମାନ ଲଗାଇଥିଲେ। ମାତ୍ର ଭାରତର ଆତଙ୍କବାଦ ନିରୋଧୀ ମିଶନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଡୋଭାଲଙ୍କୁ ଏହି ପୁରସ୍କାର ମିଳିଛି। ୧୯୬୮ ବ୍ୟାଚ୍ର ଆଇପିଏସ୍ ଅଫିସର୍ ଡୋଭାଲ୍ ଗୁଇନ୍ଦା ବିଭାଗର ମୁଖ୍ୟ ଭାବରେ ପୂର୍ବରୁ କାର୍ଯ୍ୟ କରି ସାରିଥିବା ବେଳେ ଆତଙ୍କବାଦ ବିରୋଧୀ ମାମଲାରେ ଦେଶର ଏକ ନମ୍ବର ଅଫିସର ରହିଛନ୍ତି। ପୁଲଓ୍ବାମା ଆକ୍ରମଣ ପରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ଏବଂ ୨୦୧୬ରେ ସର୍ଜିକାଲ୍ ଷ୍ଟ୍ରାଇକ୍ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଡୋଭାଲ୍।
କେରଳରେ ଜଣେ ଯୁବକ ଜ୍ବରରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେବା ପରେ ନିପା ଭାଇରସ୍ ନେଇ ଆତଙ୍କ ସୃଷ୍ଟି ହୋଇଛି। ଏର୍ଣ୍ଣାକୁଲମ୍ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ପୁନେର ଭାଇରୋଲୋଜି ପରୀକ୍ଷାଗାରରୁ ଚୂଡାନ୍ତ ରିପୋର୍ଟ ଆସିବା ପରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯିବ। ମଙ୍ଗଳବାର ପୁନେରୁ ଚୂଡାନ୍ତ ରିପୋର୍ଟ ଆସିବ ବୋଲି ଜଣା ପଡିଛି। କୋଚିର ଏକ ଘରୋଇ ହସ୍ପିଟାଲରେ ଯୁବକ ଜଣକ ଚିକିତ୍ସିତ ହେଉଛନ୍ତି। ଏହି ଘଟଣା ପରେ ସର୍ବ ସାଧାରଣରେ ଆତଙ୍କ ଦେଖା ଦେଇଥିବା ବେଳେ କରଳ ସ୍ବାସ୍ଥ୍ୟ ମନ୍ତ୍ରୀ କେ କେ ଶୈଳଜା ଏହି ଖବରକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ବର୍ତ୍ତମାନ ସୁଦ୍ଧା କୌଣସି ପରୀକ୍ଷଣ ରିପୋର୍ଟ ଆସିନାହିଁ। ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ କୌଣସି ଗୁଜବ ପ୍ରଚାର ନ କରିବା ପାଇଁ ଅନୁରୋଧ କରିଛନ୍ତି ଶୈଳଜା। ସରକାର କୌଣସି ବିପର୍ଯ୍ୟୟ ପାଇଁ ଆଗୁଆ ପ୍ରସ୍ତୁତ ଅଛନ୍ତି ବୋଲି ଶୈଳଜା ପ୍ରକାଶ କରିଛନ୍ତି। ୨୦୧୮ ମେ ମାସରେ ନିପା ଭାଇରସ୍ ପ୍ରଭାବରେ କେରଳରେ ୨୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୨ ଜଣଙ୍କର ପ୍ରାଣହାନି ଘଟିଥିଲା। କୋଝିକୋଡ ଏବଂ ମଲ୍ଲାପୁରମ୍ରେ ଏହା ସର୍ବାଧିକ କ୍ଷତି ଘଟାଇଥିଲା।
ମୋଦି ସରକାରର ଦ୍ବିତୀୟ କାର୍ଯ୍ୟକାଳରେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି। ଏହି ଦାୟିତ୍ବ ମିଳିବା ପରେ ରାଜନାଥ ସିଂ ସୋମବାର ଦିନ ସିଆଚେନ୍ ଗ୍ଲାସିୟର ପହଞ୍ଚିଛନ୍ତି। ସେଠାରେ ସେ ସୁରକ୍ଷା ବ୍ୟବସ୍ଥା ଓ ଯବାନମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା କରିଛନ୍ତି। ତାଙ୍କ ସହ ସେନା ମୁଖ୍ୟ ବିପିନ ରାଓ୍ବତ ମଧ୍ୟ ରହିଛନ୍ତି। ବିଶ୍ୱର ସର୍ବୋଚ୍ଚ ମିଲିଟାରୀ ପୋଷ୍ଟ ଭାବେ ପରିଚିତ ସିଆଚେନ୍ ଗ୍ଲାସିୟରରୁ ସେ ଶ୍ରୀନଗର ଯିବାର କାର୍ଯ୍ୟକ୍ରମ ରହିଛି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ନିରୋଧ ଅଭିଯାନ ସମ୍ପର୍କରେ ମଧ୍ୟ ଆଲୋଚନା କରିଛନ୍ତି। ଏହାସହିତ ପାକିସ୍ତାନ ସୀମାକୁ ଲାଗିରହିଥିବା ଭାରତର ବିଭିନ୍ନ ଅଂଶରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ନଜର ପକାଇଛନ୍ତି ରାଜନାଥ।