ମନି ଲଣ୍ଡରିଂ ମାମଲାରେ ରବର୍ଟ ଭଦ୍ରାଙ୍କୁ ଦିଲ୍ଲୀର ଏକ କୋର୍ଟ ବିଦେଶ ଯିବାକୁ ଅନୁମତି ଦେଇଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଖରାପ ଥିବାରୁ ସେ ବିଦେଶ ଯିବାକୁ କୋର୍ଟଙ୍କ ଅନୁମତି ଲୋଡିଥିଲେ। କୋର୍ଟ ପକ୍ଷରୁ ତାଙ୍କ ଆବେଦନର ବିଚାର କରାଯାଇ ଏଭଳି ରାୟ ଦିଆଯାଇଛି। ତେବେ ତାଙ୍କୁ ଆମେରିକା ଏବଂ ନେଦରଲାଣ୍ଡ ଯିବାକୁ ଅନୁମତି ମିଳିଛି। ୬ ସପ୍ତାହ ପାଇଁ ସେ ବିଦେଶ ଯାଇପାରିବେ। ଏହି ସମୟ ମଧ୍ୟରେ କୌଣସି ଲୁକ୍ଆଉଟ୍ ନୋଟିସ୍ ଜାରି ହେଲେ ତାହା ଲାଗୁ ହେବ ନାହିଁ ବୋଲି କୋର୍ଟ ସୂଚନା ଦେଇଛନ୍ତି।
Tag: thesamikhsya
ପୂର୍ବତନ ବିଜେପି ସହଯୋଗୀ ତଥା ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ନେତା ଉପେନ୍ଦ୍ର କୁଶଓ୍ବାହା ବିଜେପି ଜେଡିୟୁ ବିବାଦରେ ମୁହଁ ଖୋଲିଛନ୍ତି। ବିଜେପି ନୀତିଶ କୁମାରଙ୍କ ଧୋକା ନମ୍ବର ଦୁଇ ପାଇଁ ପ୍ରସ୍ତୁତ ରହିବା ଉଚିତ୍ ବୋଲି କୁଶଓ୍ବାହା ମତ ଦେଇଛନ୍ତି। ଜନାଦେଶକୁ ଅପମାନିତ କରିବାରେ ନୀତିଶ ସିଦ୍ଧହସ୍ତ ଏବଂ ପୂର୍ବରୁ ଅନେକ ବାର ସେ ଏପରି କରି ସାରିଛନ୍ତି ତେଣୁ ବିଜେପି ନୀତିଶଙ୍କ ଧୋକା ନମ୍ବର ୨ ପାଇଁ ପ୍ରସ୍ତୁତ ରହିବା ଉଚିତ। ଏମିତି କୌଣସି ବ୍ୟକ୍ତି ବିଶେଷ ବା ରାଜନୈତିକ ଦଳ ନାହିଁ ଯାହାକୁ ନୀତିଶ ଠକି ନାହାନ୍ତି ତେଣୁ ବିଜେପି ସାବଧାନ ରହିବା ଉଚିତ୍। କୁଶଓ୍ବାହା କହିଛନ୍ତି, ଜେଡିୟୁ ନେତା ଜୁନ୍ ୨୦୧୩ରେ ବିଜେପି ସହିତ ମେଣ୍ଟ କରିଥିଲେ। ପରେ ଆରଜେଡି ଏବଂ କଂଗ୍ରେସ ସହିତ ମିଶି ବିହାରରେ ମହାମେଣ୍ଟ ଗଠନ କରିଥିଲେ ଯାହାକୁ ୨୦୧୭ରେ ଛାଡି ପୁନର୍ବାର ବିଜେପି ସହିତ ହାତ ମିଶାଇଥିଲେ। ମାତ୍ର ଚଳିତ କ୍ୟାବିନେଟ୍ ପୂର୍ବରୁ ମନ୍ତ୍ରୀପଦକୁ ନେଇ ପୁନର୍ବାର ବିଜେପି ହାତ ଛାଡିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବିହାରରେ ନିଜର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରି ନୀତିଶ ଜଣେ ମଧ୍ୟ ବିଜେପି ନେତାଙ୍କୁ ଦଳରେ ସାମିଲ କରିନଥିଲେ।
ସିରିୟାରେ ବିସ୍ଫୋରଣ : ୧୪ ମୃତ
ରବିବାର ଦିନ ସିରିୟାରେ ହୋଇଥିବା ଭୟଙ୍କର ବିସ୍ଫୋରଣରେ ୧୪ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ଏଥିରେ ୨୮ ଜଣ ଗୁରୁତର ହୋଇଛନ୍ତି। ସିରିୟାର ଉତ୍ତର-ପଶ୍ଚିମ ସହର ଆଜାଜରେ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ଏକ କାର ଫୁଟିବାର ୧୪ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ଅନ୍ୟ ୨୮ ଜଣ ଲୋକ ଆହତ ହୋଇଥିବା ସ୍ଥାନୀୟ ପୋଲିସ ଗଣମାଧ୍ୟମକୁ ସୂଚନା ଦେଇଛି। ସମସ୍ତ ଆହତମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ସୂଚନା ରହିଛି।
ଜମ୍ମୁ କାଶ୍ମୀରର ସୋପିଆଁରେ ପୋଲିସ୍ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏହି ଏନ୍କାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ସୋମବାର ସକାଳୁ ଦକ୍ଷିଣ କାଶ୍ମୀରର ସୋପିଆଁରେ ଏହି ଏନ୍କାଉଣ୍ଟର ଘଟିଥିଲା। ପୋଲିସ୍ର ସୂଚନା ଅନୁଯାୟୀ, ପୋଲିସ୍ ପକ୍ଷରୁ ପେଟ୍ରୋଲିଂ ଚାଲିଥିବା ସମୟରେ ମୂଲୁ ଚିତ୍ରଗାମରେ ଆତଙ୍କୀ ମାନେ ପ୍ରଥମେ ଗୁଳିଚାଳନା କରିଥିଲେ। ପାଲଟା ଗୁଳିଚାଳନାରେ ଆତଙ୍କୀ ନିହତ ହୋଇଥିଲେ। ସୂଚନାଯୋଗ୍ୟ ଯେ, କାଶ୍ମୀର ଉପତ୍ୟାକାରେ ନିହତ ହେଉଥିବା ୭୫ ପ୍ରତିଶତ ଲୋକ ସ୍ଥାନୀୟ ବୋଲି ଜଣାପଡିଛି। ଦୁଇ ନିହତଙ୍କ ମରଶରୀରର ସନ୍ଧାନ କରୁଛି ପୋଲିସ୍।
କେଦାର ମିଶ୍ର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ଉଭୟ ବିଜେପୁର ଓ ହିଂଜିଳି ବିଧାନସଭା ଆସନରୁ ଜିତିଥିବାରୁ, ବିଧି ମୁତାବକ ତାଙ୍କୁ ଗୋଟିଏ ଆସନ ଛାଡିବାକୁ ପଡିଛି। ଶେଷ ନିଷ୍ପତ୍ତି କ୍ରମେ ନବୀନ ବାବୁ ତାଙ୍କର ପୁରୁଣା ଆସନ ହିଂଜିଳିକୁ ରଖିଥିବା ବେଳେ ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ଏହାର ପରିଣତି ସ୍ଵରୂପ ଆସନ୍ତା ମାସେ ଦୁଇ ମାସ ଭିତରେ ବିଜେପୁରରେ ଇଉପିଏ ନିର୍ବାଚନ ଅନୁଷ୍ଠିତ ହେବ। ହୁଏତ ପାଟକୁରା ଓ ବିଜେପୁର ଆସନ ପାଇଁ ଏକା ସାଙ୍ଗରେ ଉପ ନିର୍ବାଚନ ଅନୁଷ୍ଠିତ ହୋଇପାରେ। ମନ୍ତ୍ରୀ ମଣ୍ଡଳ ଗଠନ ଓ ବିଭାଗ ବଣ୍ଟନ ବେଳେ ପଶ୍ଚିମ ଓଡିଶା ଉପରେ ଯେଉଁ ପ୍ରକାର ଗୁରୁତ୍ଵ ଦିଆଗଲା, ସେଥିରୁ ଗୋଟେ ସଙ୍କେତ ସ୍ପଷ୍ଟ ଥିଲା ଯେ, ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡୁଛନ୍ତି। ତାହା ସହିତ, ବିଜେପୁରକୁ ଏକ ସ୍ଵତନ୍ତ୍ର ପ୍ୟାକେଜ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ସମ୍ଭାବ୍ୟ ଉପ ନିର୍ବାଚନକୁ ମିଶାଇ ଗତ ଦୁଇ ବର୍ଷରେ ବିଜେପୁରରେ ଏହା ହେବ ତୃତୀୟ ନିର୍ବାଚନ। ଓଡିଶାର ନିର୍ବାଚନୀ ଇତିହାସରେ ଲଗାତାର ଏମିତି ତିନୋଟି ନିର୍ବାଚନ ହେବାରେ ବିଜେପୁର ବୋଧେ ପ୍ରଥମ ଇତିହାସ ସୃଷ୍ଟି କରିବ।
ଐତିହାସିକ ଦୃଷ୍ଟିରୁ ବିଜେପୁର ପଶ୍ଚିମ ଓଡିଶାର ଏକ ପ୍ରମୁଖ ଶକ୍ତି କେନ୍ଦ୍ର ଭାବରେ ରହି ଆସିଛି। ବିଶେଷ କରି କଂଗ୍ରେସ ରାଜନୀତିରେ ବିଜେପୁରର ସ୍ଥାନ ସ୍ଵତନ୍ତ୍ର। ୧୯୬୧ ରେ ବିଜେପୁର ନିର୍ବାଚନ ମଣ୍ଡଳୀ ଗଠିତ ହେବା ପରଠୁ ଏଠାରୁ ୮ ଥର କଂଗ୍ରେସ ପ୍ରାର୍ଥୀ ମାନେ ଜିତି ଆସିଛନ୍ତି। ୨୦୦୪ ରୁ ୨୦୧୪ ପର୍ୟନ୍ତ ବିଜେଡି ହାୱାକୁ ପ୍ରତିହତ କରି ଏଠାରୁ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ତିନିଥର ନିର୍ବାଚିତ ହୋଇଥିଲେ। ୨୦୧୮ରେ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ବିଜୁ ଜନତା ଦଳରେ ଯୋଗଦାନ କରିଥିଲେ। ସେ ବର୍ଷ ଅନୁଷ୍ଠିତ ଉପ ନିର୍ବାଚନରେ କଂଗ୍ରେସ ଓ ବିଜେଡ଼ିର ପାରମ୍ପରିକ ସଂଘର୍ଷ ଭିତରକୁ ବିଜେପି ଧସେଇ ପଶିଥିଲା ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ବରେ ବିଜେପୁର ଉପ ନିର୍ବାଚନକୁ ୨୦୧୯ ସାଧାରଣ ନିର୍ବାଚନର ସେମିଫାଇନାଲ ବୋଲି କୁହାଗଲା। ତେବେ ସେଇ ସେମିଫାଇନାଲରେ ବିଜେଡି ବିପୁଳ ବିଜୟ ହାସଲ କରିଥିଲା। ସ୍ଵର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ବିପୁଳ ଭୋଟରେ ସେଠାରୁ ନିର୍ବାଚନ ଜିଣିଥିଲେ।
୨୦୧୯ ନିର୍ବାଚନ ବେଳକୁ ବିଜେପୁର ପୁଣି ଇତିହାସ ରଚନା କଲା। ନିଜର ୨୦ ବର୍ଷର ରାଜନୈତିକ ଜୀବନରେ ପ୍ରଥମଥର ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଏକା ସାଙ୍ଗରେ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ସେହି କ୍ରମରେ ହିଂଜିଳି ଓ ବିଜେପୁର ରୁ ନବୀନ ବାବୁ ନିର୍ବାଚନ ଲଢିଥିଲେ ଓ ସ୍ଵାଭାବିକ ଭାବରେ ଦୁଇଟି ଯାକ ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ। ଏବେ ବିଜେପୁରରେ ପୁଣି ନିର୍ବାଚନ ହେବ।
ହାରା ହାରି ପ୍ରତି ୮ ମାସରେ ଗୋଟିଏ ନିର୍ବାଚନର ସାମ୍ନା କରୁଥିବା ନିର୍ବାଚନ ମଣ୍ଡଳୀର ଭୋଟରଙ୍କ ଉପରେ ଏହାର କି ପ୍ରକାର ମନସ୍ତାତ୍ତ୍ଵିକ ପ୍ରଭାବ ପଡିବ, ସେ ବିଷୟରେ ଆମେ କ୍ଵଚିତ ଭାବିଥାଉ। ସାଧାରଣ ଭାବରେ ଦେଖିଲେ ନିର୍ବାଚନକୁ ଆଖି ଆଗରେ ରଖି, ଏ ଅଞ୍ଚଳ ଲାଗି ସ୍ଵତନ୍ତ୍ର ପ୍ୟାକେଜ ମିଳୁଛି। ବିକାଶର ଗତି ସହିତ ରାଜନୈତିକ ଚାପ କୁ ଆମେ କେବେ ତୁଳନା କରି ଦେଖିଛୁ କି?
ମୁଖ୍ୟମନ୍ତ୍ରୀ ବିଜେପୁର ଆସନ ଛାଡିବା ସମୟରେ ଅନ୍ତତଃ ଲୋକଙ୍କର ଏଇ ମାନସିକ ଚାପ ବିଷୟରେ ଭାବିବା ଉଚିତ ଥିଲା। ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଜିତିଛନ୍ତି। ସେଠାରେ ହୁଏତ ଏକ ଉପ ନିର୍ବାଚନ ନୂଆ ଅନୁଭବ ହୋଇଥାନ୍ତା। ବିଜେପୁର ଲାଗି ଆସନ୍ତା ତିନିମାସ ପୁଣି ରାଜନୈତିକ ଉନ୍ମାଦନାର ପରିବେଶ ରହିବ। ସାଧାରଣ ନିର୍ବାଚନ ତୁଳନାରେ ଉପ ନିର୍ବାଚନର ରାଜନୈତିକ ଚାପ ବହୁତ ବେଶୀ। ଏବେ ଉଭୟ ବିଜେପି ଓ ବିଜେଡି ବିଜେପୁରକୁ ନିଜ ସମ୍ମାନର ପ୍ରଶ୍ନ ଭାବରେ ଗ୍ରହଣ କରିବେ। ଲୋକଙ୍କ ଭିତରେ ରାଜନୀତିକୁ ନେଇ ପ୍ରବଳ ମାନସିକ ଚାପ ରହିବ। ଭୋଟ ଦେବାର ଚାପ, ପ୍ରଲୋଭନ ଓ ପ୍ରଭାବର ଚାପ, ରାଜନୈତିକ ହିଂସାର ଚାପ ଓ ସର୍ବୋପରି ଜୀବନ ରାଜନୀତି ସର୍ବସ୍ଵ ହୋଇଯିବାର ଚାପରୁ ବିଜେପୁର ଜନତା ମୁକ୍ତି ପାଇବା ଉଚିତ। ଏ ଉପ ନିର୍ବାଚନ ବିଜେପୁର ଲୋକଙ୍କ ଉପରେ ଏକ ପ୍ରକାର ମାନସିକ ଅତ୍ୟାଚାର ବୋଲି କୁହା ଯାଇପାରେ।
( Download SANKHIPTA app to read short news on your mobile )
ସମୀକ୍ଷା ବ୍ୟୁରୋ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ସେ ବିଧାନସଭାର ବାଚସ୍ପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ବାଚସ୍ପତି ମଧ୍ୟ ତାଙ୍କ ଇସ୍ତଫାକୁ ଗ୍ରହଣ କରିସାରିଛନ୍ତି ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ଆସିଥିବା ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ତାଙ୍କର ପାରଂପାରିକ ଆସନ ହିଞ୍ଜିଳିର ବିଧାୟକ ପଦକୁ ବଜାଇ ରଖିଲେ। ହେଲେ ବିଜେପୁର ଆସନରୁ ଇସ୍ତଫା ପ୍ରଦାନ କରିଛନ୍ତି। ବିଜେପୁରବାସୀ ଯେପରି ତାଙ୍କୁ ବହୁ ଭୋଟରେ ଜିତାଇଥିଲେ ସେଥିପାଇଁ ସମସ୍ତଙ୍କୁ ଧନ୍ୟବାଦ। ତେବେ ବିଜେପୁରର ବିକାଶ ସେହିପରି ଜାରି ରହିବ ବୋଲି କୁହାଯାଇଛି। ସାଧାରଣତଃ ସାମ୍ବିଧାନିକ ନିୟମ ଅନୁସାରେ ଜଣେ ଦୁଇଟି ଆସନରୁ ନିର୍ବାଚିତ ହୋଇଥିଲେ ମଧ୍ୟ ଶପଥ ନେବା ବେଳେ ସେ ଗୋଟିଏ ଆସନ ପାଇଁ ଶପଥ ନେବେ। ଶପଥ ନେବାର 15 ଦିନ ମଧ୍ୟରେ ଗୋଟିଏ ଆସନ ଛାଡିବାକୁ ବାଧ୍ୟ ହେବେ। ସେହି ଅନୁସାରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳି ଆସନର ବିଧାୟକ ଭାବେ ଶପଥ ନେଇ, ବିଜେପୁର ଆସନରୁ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ବିଜେପୁରରୁ ନବୀନ ଇସ୍ତଫା ଦେବା ପରେ ଓଡିଶାରେ ଦୁଇଟି ବିଧାନସଭା ଆସନ ଖାଲି ପଡିଲା। ଗୋଟିଏ ପାଟକୁରା ଏବଂ ବର୍ତ୍ତମାନ ବିଜେପୁର। ବର୍ତ୍ତମାନ ସୁଦ୍ଧା ପାଟକୁରା ଆସନ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନ ଥିବାରୁ ଏକାଥରେ ଏହି ଦୁଇଟି ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ଜଣାପଡିଛି।
ପ୍ରଖ୍ୟାତ ଲୋକଗୀତ ନୃତ୍ୟଶିଳ୍ପୀ ହରିଶ କୁମାର ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ରବିବାର ରାଜସ୍ଥାନର ଜୋଧପୁରରେ ସଙ୍ଗଠିତ ଏହି ଦୁର୍ଘଟଣାରେ କୁମାରଙ୍କ ସମେତ ଅନ୍ୟ ତିନି ଜଣ ଲୋକଗୀତ ଶିଳ୍ପୀ ମଧ୍ୟ ପ୍ରାଣ ହରାଇଛନ୍ତି। କଳାକାରଙ୍କୁ ନେଇ ଯାଉଥିବା ଏସ୍ୟୁଭି ଏକ ଟ୍ରକ୍ରେ ପିଟି ହେବା ପରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ଅନ୍ୟାନ୍ୟ ୫ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଜୈସଲମେରର ବାସିନ୍ଦା କୁମାର ଯିଏକି କ୍ବିନ୍ ହରିଶ୍ ନାମରେ ବିଖ୍ୟାତ ‘ଘୁମର୍ ଏବଂ କଲ୍ବେଲା’ ପରି ନୃତ୍ୟ ଶୈଳୀକୁ ସେ ଲୋକ ଗୀତ ସହ ଯୋଡିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲ।
ଆର୍ଟିକିଲ୍ ୧୫ର ଟ୍ରେଲର ରିଲିଜ୍କୁ ନେଇ ଚର୍ଚ୍ଚାରେ ରହିଥିବା ଆୟୁଷ୍ମାନ ଖୁରାନାଙ୍କ ଅପକମିଙ୍ଗ ଫିଲ୍ମ ବାଲାକୁ ନେଇ ଏକ ନୂତନ ବିବାଦ ଦେଖା ଦେଇଛି। କାହାଣୀ ଚୋରି ଅଭିଯୋଗରେ ଜନୈକ ସହକାରୀ ନିର୍ଦ୍ଦେଶକ ଫିଲ୍ମର ନିର୍ମାତା, ନିର୍ଦ୍ଦେଶକ ଏବଂ ଅଭିନେତାଙ୍କ ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସହକାରୀ ନିର୍ଦ୍ଦେଶକ କମଲ କାନ୍ତ ଚନ୍ଦ୍ରା ଆୟୁଷ୍ମାନ ଖୁରାନା, ନିର୍ଦ୍ଦେଶକ ଅମର କୌଶିକ୍ ଏବଂ ପ୍ରଯୋଜକ ଦୀନେଶ ଭିଜନଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ସମାନ କାହାଣୀକୁ ନେଇ କମଲ କାନ୍ତ ରେଜିଷ୍ଟର କରିଥିବାରୁ ବାଲାର ନିର୍ମାତାଙ୍କ ବିରୋଧରେ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। କମଲ କାନ୍ତ ଧାରା ୪୨୦(ଠକେଇ) ଏବଂ ଧାରା ୪୦୬ (ବିଶ୍ବାସ ଭଙ୍ଗ)ରେ ଅଭିଯୋଗ ଆଣି ଏହି ମାମଲା ରୁଜୁ କରିଛନ୍ତି।
ଆମେରିକା ଏହାର ଭିସା ନିୟମରେ ପରିବର୍ତ୍ତନ ଆଣିଛି। ଆମେରିକା ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ନୂଆ ନିୟମ ଅନୁସାରେ ଏବେ ଆବେଦନକାରୀଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟର ନାମ ଏବଂ ତାଙ୍କର ୫ ବର୍ଷର ରେକର୍ଡ ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ହେବ। ଏହାବ୍ୟତୀତ ନିଜ ଇ-ମେଲ ଏବଂ ଫୋନ ନମ୍ବର ବି ଦେବାକୁ ପଡ଼ିବ। ଫଳରେ ପ୍ରଶାସନ ଯେତେବେଳେ ଚାହିଁବ ଆବେଦନକାରୀଙ୍କ ଆକାଉଣ୍ଟ ଯାଞ୍ଚ କରିପାରିବ। ସେହିପରି ଆବେଦନକାରୀଙ୍କୁ ବିଗତ ୧୫ ବର୍ଷ ଭିତରେ ତାଙ୍କ ଜୀବନ ଏବଂ ଶରୀରରେ ହୋଇଥିବା ପରିବର୍ତ୍ତନ ସମ୍ପର୍କରେ ବି ପଚରା ଯାଇପାରିବ। ଏହି ନିୟମଗୁଡ଼ିକର ପ୍ରସ୍ତାବ ଗତବର୍ଷ ଦିଆଯାଇଥିଲା। କିନ୍ତୁ ଏହା ଦ୍ବାରା ୧୪ କୋଟି ୭୦ ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ଅନୁମାନ କରି ଏହାକୁ ବନ୍ଦ ରଖାଯାଇଥିଲା। ତେବେ ଏହି ନୂଆ ନିୟମରୁ କିଛି କୁଟନୈତିକ ଏବଂ ଅଫିସିଆଲ ଭିସା ଆବେଦନକାରୀଙ୍କୁ ବାଦ ଦିଆଯିବ। ନିୟମ ସମ୍ପର୍କରେ ଆମେରିକା ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ନାଗରିକମାନଙ୍କର ସୁରକ୍ଷାକୁ ଧ୍ୟାନରେ ରଖି ନିୟମରେ ପରିବର୍ତ୍ତନ କରାଯାଇଛି।
ନୂତନ ଭାବରେ ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ବ ଗ୍ରହଣ କରିଥିବା ରାଜନାଥ ସିଂ ସୋମବାର ସିଆଚେନ୍ ଗ୍ଲାସିଅର୍ ଯିବେ। ବିଶ୍ବର ସର୍ବୋଚ୍ଚ ଯୁଦ୍ଧ କ୍ଷେତ୍ର ସିଆଚେନ୍ ଗ୍ଲେସିଅର ଭ୍ରମଣ କରିବା ସହିତ ସାମରିକ ସୁରକ୍ଷା ଅଧିକାରୀଙ୍କ ସହିତ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ। ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହି ଭ୍ରମଣ ସମୟରେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ୍ ଏବଂ ଅନ୍ୟାନ୍ୟ ବରିଷ୍ଠ ସେନାଧିକାରୀ ଉପସ୍ଥିତ ରହି ସ୍ଥିତି ସମୀକ୍ଷା କରିବେ। ପାକିସ୍ତାନ ସୀମାନ୍ତରେ ସୁରକ୍ଷା ବ୍ୟବସ୍ଥା ସହିତ ସ୍ଥଳ ସେନା ଏବଂ ବାୟୁସେନାର ପରିଚାଳନା ନେଇ ଆଲୋଚନା କରାଯିବ ବୋଲି ଜଣାପଡିଛି। ଏହି ଆଲୋଚନାରେ ନଦର୍ନ ଆର୍ମି କମାଣ୍ଡର ଲ୍ୟୁଟନାଣ୍ଟ ଜେନେରାଲ୍ ରଣବୀର ସିଂ, ୧୪ କର୍ପସ୍ କମାଣ୍ଡର ଏବଂ କାର୍ଗିଲ ହିରୋ ଓ୍ବାଇ କେ ଯୋଶୀ ଯୋଗ ଦେଇ ସିଆଚେନ୍ର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମତ ରଖିବେ ବୋଲି ଜଣାପଡିଛି। ଶନିବାର ଦାୟିତ୍ବ ଗ୍ରହଣ ପରେ ସୁରକ୍ଷା ସଚିବ ସଞ୍ଜୟ ମିତ୍ର ଏବଂ ଅନ୍ୟ ତିନି ସଚିବ ରାଜନାଥଙ୍କୁ ବିଭିନ୍ନ ପ୍ରତିରକ୍ଷା ପ୍ରକଳ୍ପ ସମ୍ପର୍କରେ ବୁଝାଇଥିଲେ।
ଗତବର୍ଷର ଚାମ୍ପିୟନ୍ସ ଲିଗ୍ ପରାଜୟକୁ ପଛରେ ପକାଇ ନିଜର ଷଷ୍ଠ ୟୁରୋ ଲିଗ୍ ଟ୍ରଫି ହାସଲ କରିଛି ଲିଭର ପୁଲ୍। ଟଟ୍ଟେନ୍ହାମ୍କୁ ୨-୦ ରେ ପରାସ୍ତ କରି ଦଳ ନିଜର ଷଷ୍ଠ ଟାଇଟଲ୍ ହାସଲ କରିଛି। ମ୍ୟାନେଜର ଭାବରେ ଜର୍ଗନ୍ କ୍ଲପ୍ଙ୍କର ମଧ୍ୟ ଏହା ପ୍ରଥମ ଟାଇଟଲ୍। ସେହିପରି ବିଫଳତା ପାଇଁ କ୍ରମାଗତ ସମାଲଗୋଚିତ ହେଉଥିବା ମୋ ସଲାହ ମଧ୍ୟ ଦଳକୁ ବିଜୟୀ କରାଇବା ସହିତ ଫର୍ମକୁ ଫେରିଛନ୍ତି। ଗତବର୍ଷ ସଲାହଙ୍କ କାନ୍ଧରେ ଆଘାତ ଯୋଗୁଁ ଦଳ ରିଅଲ ମାଦ୍ରିଦ୍ ନିକଟରୁ ପରାଜିତ ହୋଇଥିଲେ ମଧ୍ୟ ସଲାହଙ୍କ ଗୋଲ ବଳରେ ଚଳିତ ବର୍ଷ ଟ୍ରଫି ଉପରେ କବ୍ଜା କରି ନେଇଛି ଦଳ। ଶେଷ ୨୦ ମିନିଟ୍ରେ ଟଟ୍ଟେନହାମ୍ ପ୍ରତ୍ୟାବର୍ତ୍ତନର ଚେଷ୍ଟା କରିଥିଲେ ମଧ୍ୟ ଲିଭରପୁଲ୍ ରକ୍ଷଣଭାଗ ଚମତ୍କାର ପ୍ରଦର୍ଶନ କରିଥିଲେ। ମ୍ୟାଚ୍ ଶେଷ ହେବାର ୧୦୮ ସେକେଣ୍ଡ ପୂର୍ବରୁ ସଲାହ୍ ପେନାଲ୍ଟି କିକ୍ରୁ ଗୋଲ୍ ସ୍କୋର କରି ଦଳକୁ ବିଜୟୀ କରାଇଥିଲେ।
ଅକ୍ଷୟ କୁମାର ଏବଂ କିଆରା ଆଡଭାନୀ ଅଭିନୀତ ଫିଲ୍ମ ଲକ୍ଷ୍ମୀ ବମ୍ବର ନିର୍ଦ୍ଦେଶକ ପଦରୁ ଓହରି ଯାଇଥିବା ରାଘବା ଲରେନ୍ସ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫିଲ୍ମର ଫାଷ୍ଟ ଲୁକ୍ ଅକ୍ଷୟ କୁମାର ଟ୍ବିଟ୍ଟର ଜରିଆରେ ସେୟାର କରିବା ପରେ ଲରେନ୍ସ ଏହି ଫିଲ୍ମରୁ ଓହରି ଯାଇଥିଲେ। ଫିଲ୍ମରେ ତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉନଥିବା ଅଭିଯୋଗ କରି ଫିଲ୍ମରୁ ଓହରି ଯାଇଥିଲେ ଲରେନ୍ସ। ମାତ୍ର ଅକ୍ଷୟ କୁମାରଙ୍କ ହସ୍ତକ୍ଷେପ ପରେ ପ୍ରଯୋଜକ ଏବଂ ରାଘବାଙ୍କ ମଧ୍ୟରେ ରହିଥିବା ସମସ୍ୟାର ସମାଧାନ ହେବା ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି ରାଘବା। ଶନିବାର ଅକ୍ଷୟ କୁମାରଙ୍କ ସହିତ ଏକ ଫଟୋ ସେୟାର କରି ରାଘବା ନିଜ ପ୍ରତ୍ୟାବର୍ତ୍ତନ ନେଇ ଘୋଷଣା କରିଥିବା ବେଳେ ଅକ୍ଷୟ କୁମାର, ଫିଲ୍ମର ପ୍ରଯୋଜକ ଶବିନା ଖାନ୍ ଏବଂ ନିଜ ଫ୍ୟାନ୍ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ନେପାଳର ପ୍ରଧାନମନ୍ତ୍ରୀ କେ.ପି. ଓଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେପାଳ ଗସ୍ତ କରିବାକୁ ଆମନ୍ତ୍ରଣ କରିଛନ୍ତି। କ୍ରମାଗତ ଗସ୍ତ ଦ୍ବାରା ଦ୍ବିପାକ୍ଷିକ ସମ୍ବନ୍ଧ ଅଧିକ ମଜଭୁତ ହେବ ବୋଲି ଆଶା ରଖିଛନ୍ତି ଓଲି। ଗୁରୁବାର ମୋଦିଙ୍କ ଦ୍ବିତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରେ ଆସିଥିଲେ। ସୂଚନାଯୋଗ୍ୟ ଯେ ଏହି ଭବ୍ୟ ସମାରୋହକୁ ବିମ୍ଷ୍ଟେକ୍ ରାଷ୍ଟ୍ରସମୂହର ନେତୃବୃନ୍ଦଙ୍କୁ ନିମନ୍ତ୍ରଣ କରାଯାଇଥିଲା। ବିମ୍ଷ୍ଟେକ୍ରେ ଭାରତ ବ୍ୟତୀତ ବାଂଲାଦେଶ, ମ୍ୟାଁମାର୍, ଶ୍ରୀଲଙ୍କା, ଥାଇଲାଣ୍ଡ, ନେପାଳ ଓ ଭୁଟାନ ସଦସ୍ୟ ଅଛନ୍ତି। ନେପାଳ ବୈଦେଶିକ ମନ୍ତ୍ରଣାଳୟର ଏକ ବିବୃତି ଅନୁଯାୟୀ ମୋଦି ନେପାଳର ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି। ଶୁକ୍ରବାର ନିଜ ଦେଶକୁ ଫେରିଯାଇଥିବା ଓଲି ତାଙ୍କର ନୂଆଦିଲ୍ଲୀ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ। ଉଭୟ ଦେଶ ମଧ୍ୟରେ କିଭଳି ସମ୍ପର୍କ ସୁଦୃଢ଼ ହେବ, ସେ ସମ୍ପର୍କରେ ଦୁହେଁ ଆଲୋଚନା କରିଥିଲେ। ଦୁଇ ଦେଶର ଲାଭ ହେବାଭଳି ସହଯୋଗକୁ ବୃଦ୍ଧି କରିବାପାଇଁ ମଧ୍ୟ ଏହି ବୈଠକରେ ଚର୍ଚ୍ଚା ହୋଇଥିଲା।
ଝାଡ଼ଖଣ୍ଡର ଦୁମ୍କା ଜଙ୍ଗଲରେ ରବିବାର ଭୋର ସମୟରେ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି। ଏଥିରେ ଜଣେ ଯବାନ ଶହୀଦ ହୋଇଥିବାବେଳେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି। ଏଥିସହ ୪ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଦୁମକା ଏସପି ୱାଇ. ଏସ. ରମେଶ କହିଛନ୍ତି। ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ କମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ଉଚ୍ଚ ପଦସ୍ଥ ଅଧିକାରୀମାନେ ଘଟଣା ଉପରେ ନଜର ରଖିଛନ୍ତି। ସୂଚନାଯୋଗ୍ୟ, ଗତ ଶନିବାର ଦିନ ଆସାମର ଚିରାଙ୍ଗ ଜିଲା ଅନ୍ତର୍ଗତ ବାସୁଗାଓ ଅଞ୍ଚଳରୁ ଯବାନମାନେ ୨ ଜଣ ମାଓବାଦୀଙ୍କୁ ଗିରଫ କରିଥିଲେ। ଉଭୟ ମାଓବାଦୀ ମୁସଲିମ ମୌଳବାଦୀ ସଂଗଠନ(ଏମଏଫଓ)ର ମୋଫିଜୁଲ ଇସଲାମ ଏବଂ ଫରମାନ ଅଲି ବୋଲି ଜଣାପଡ଼ିଛି। ସେମାନଙ୍କଠାରୁ ବହୁ ପରିମାଣର ଟଙ୍କା, ଅସ୍ତ୍ରଶସ୍ତ୍ର ଏବଂ ପାସ୍ପୋର୍ଟ ଜବତ ହୋଇଥିଲା।
ସମୀକ୍ଷା ବ୍ୟୁରୋ
ଭି. କାର୍ତ୍ତିକେୟାନ୍ ପାଣ୍ଡିଆନ, ଏ ନାଁଟି ସହିତ ଓଡିଶାର ରାଜନୀତି ବେଶ ପରିଚିତ। ଗତ ପାଞ୍ଚ ବର୍ଷ ଭିତରେ ଏହି ବରିଷ୍ଠ ଆଇଏଏସ ଅଧିକାରୀ ଜଣକ ସର୍ବ ସାଧାରଣରେ ପଦେ ବି କଥା କହିନାହାନ୍ତି। ଅଥଚ ତାଙ୍କୁ ନେଇ ଓଡିଶାର ରାଜନୀତି ଗତ ପାଞ୍ଚ ବର୍ଷ ଧରି ଗତିଶୀଳ ରହିଛି। ତାଙ୍କୁ କେତେବେଳେ ଓଡିଶାର ବାସ୍ତବ କ୍ଷମତା କେନ୍ଦ୍ର ବୋଲି କୁହାଯାଉଛି, ତ ପୁଣି କେବେ ତାଙ୍କରି ନିର୍ଦ୍ଦେଶରେ ଓଡିଶାର ଶାସକ ଦଳ ପରିଚାଳିତ ବୋଲି ଅଭିଯୋଗ ଆସୁଛି। ବିରୋଧୀ ଦଳର ରାଜନୈତିକ ଆକ୍ରମଣରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତୁଳନାରେ ତାଙ୍କର ପ୍ରମୁଖ ସଚିବ ଭି. କାର୍ତ୍ତିକ ପାଣ୍ଡିଆନ ହିଁ ରହି ଆସିଛନ୍ତି। କିଛି ବିରୋଧୀ ତ ସିଧା ସିଧା ପାଣ୍ଡିଆନଙ୍କୁ ନିଜର ରାଜନୈତିକ ପ୍ରତିପକ୍ଷ ବୋଲି ଭାବି ନେଇଛନ୍ତି। ଗତ ସାଧାରଣ ନିର୍ବାଚନରେ ପାଣ୍ଡିଆନ ହିଁ ଥିଲେ ବିରୋଧୀ ଦଳର ପ୍ରମୁଖ ଲକ୍ଷ୍ୟ ଓ ତାହା ହିଁ ନବୀନ ପଟ୍ଟନାୟକଙ୍କ ଲାଗି ଥିଲା ସବୁଠୁ ବଡ ଆଶୀର୍ବାଦ। ନବୀନଙ୍କ ଆଗରେ ପାଣ୍ଡିଆନ ଏକ ସୁରକ୍ଷା ଢାଲ ଭଳି ଛିଡା ହୋଇଛନ୍ତି। ବିରୋଧୀଙ୍କ ଆକ୍ରମଣ ପାଣ୍ଡିଆନଙ୍କ ଉପରେ କେନ୍ଦ୍ରୀଭୂତ ହେଉଥିବା ବେଳେ ନବୀନ ନିଜର ନିଷ୍କଳଙ୍କ ଭାବମୂର୍ତ୍ତିକୁ ଆହୁରି ଚମକପ୍ରଦ କରିବାରେ ସଫଳ ହୋଇଛନ୍ତି।
ଗତ ବର୍ଷ ପାଣ୍ଡିଆନଙ୍କ ସରକାରୀ ବାସଭବନ ଉପରେ କିଛି ବିରୋଧୀ ଦଳର ଗୁଣ୍ଡା ଆକ୍ରମଣ କରିଥିଲେ। ପରବର୍ତ୍ତୀ ସମୟରେ ନବୀନଙ୍କର କେତେଜଣ ପୁରୁଣା ବନ୍ଧୁ ଯେଉଁମାନେ କି ଭିନ୍ନ ପରିସ୍ଥିତିରେ ନବୀନଙ୍କ ବଡ ବିରୋଧୀ ପାଲଟିଲେ, ସେମାନଙ୍କ ଲାଗି ପାଣ୍ଡିଆନ ଥିଲେ ଏକ ନମ୍ବର ଶତ୍ରୁ। ବିଶେଷ କରି ବୈଜୟନ୍ତ ପଣ୍ଡା ଓ ତାଙ୍କ ଦ୍ଵାରା ପରିଚାଳିତ ଏକ ଟେଲିଭିଜନ ଚାନେଲରେ ପାଣ୍ଡିଆନଙ୍କ ନାଁ ରେ ପ୍ରତିଦିନ କିଛି ନା କିଛି ଖବର /ଅପଖବର ବାହାରୁଥିଲା । ବହୁ ଅଭିଯୋଗର ଏକତରଫା ପ୍ରଚାର ଆମର ଗଣମାଧ୍ୟମରେ ସେବେ ଚାଲିଥିଲା, ଆଜି ମଧ୍ୟ ଚାଲିଛି। ତେବେ ଏ ସବୁର କୌଣସି ଉତ୍ତର/ସ୍ପଷ୍ଟୀକରଣ କେବେହେଲେ ପାଣ୍ଡିଆନ ଦେଇନାହାନ୍ତି। ଜଣେ ଶ୍ରୁଙ୍ଖଳିତ ସରକାରୀ କର୍ମଚାରୀ ଭାବରେ ସେ ସବୁ ସମୟରେ ଆଢୁଆଳରେ ଓ ନୀରବରେ ରହି ଆସିଛନ୍ତି।
ପୁରା ନିର୍ବାଚନୀ ପ୍ରଚାର ସମୟରେ ପାଣ୍ଡିଆନଙ୍କୁ କେହି କେବେ ଦେଖିବାର ସୁଯୋଗ ପାଇ ନାହାନ୍ତି। ବିଜୁ ଜନତା ଦଳର ବିପୁଳ ବିଜୟ ପରେ ପଞ୍ଚମ ଥର ଲାଗି ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କଲେ ସେତେବେଳେ ପାଣ୍ଡିଆନକୁ କ୍ୟାମେରା ଆଗରେ ଦେଖିବାକୁ ମିଳିଲା। ତେବେ କୌଣସି ପରିସ୍ଥିତିରେ ମଧ୍ୟ ତାଙ୍କ ପାଟିରୁ ପଦେ କଥା ମଧ୍ୟ ଫିଟିନାହିଁ। ନୀରବରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବିଶ୍ଵସ୍ତ ଅଧିକାରୀ ଭାବରେ ସେ ନିଜର ଦାୟିତ୍ଵ ନିର୍ବାହ କରୁଛନ୍ତି। କ୍ଷମତା କେନ୍ଦ୍ରର ମୁଖ୍ୟ ବିନ୍ଦୁରେ ଥାଇ ମଧ୍ୟ ଏତେ ନୀରବ ରହିବା ସବୁଠୁ ଆଶ୍ଚର୍ଯ୍ୟଜନକ ଘଟନା। ତେବେ ନବୀନ ସରକାରଙ୍କର ସଫଳତା ଓ ପ୍ରତୀତି ସରକାରୀ ଯୋଜନାର ଲୋକ ପକ୍ଷକୁ ସଠିକ ଭାବରେ ଉପସ୍ଥାପନ କରିବାର ଯେଉଁ ଦକ୍ଷତା, ସେଥିରେ ପାଣ୍ଡିଆନ ଏ ସରକାର ର ସବୁଠୁ ସଫଳ ରଣନୀତିକାର ବୋଲି କୁହାଯାଇପାରିବ। ମୁଖ୍ୟମନ୍ତ୍ରୀଙ୍କର ପ୍ରତ୍ୟେକ ପଦକ୍ଷେପକୁ ସଠିକ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇ ପାରିବାର ଓ ସେସବୁର ସଫଳ ରୂପାୟନ କୁ ନେଇ ଲୋକଙ୍କ ମନରେ ବିଶ୍ଵାସ ଜନ୍ମାଇ ପାରିବାର ଶ୍ରେୟ ପାଣ୍ଡିଆନଙ୍କ ପାଖକୁ ଯିବ।
ନିର୍ବାଚନ ପରେ ଏବେ ହଠାତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପାଣ୍ଡିଆନଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହାପରେ, ମୁଖ୍ୟମନ୍ତ୍ରୀଙ୍କ ସବୁଠୁ ବିଶ୍ଵସ୍ତ ସେନାପତି ଭାବରେ ତାଙ୍କୁ ପ୍ରଶାସନିକ ସ୍ତରରେ ସେ ସୀମିତ ରହିବେ ନା ରାଜନୈତିକ ସ୍ତରରେ ମଧ୍ୟ ତାଙ୍କର କିଛି ଭୂମିକା ରହିବ, ତାକୁ ନେଇ ଏବେ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଛି। ତେବେ ସବୁ ପ୍ରକାର ଚର୍ଚ୍ଚା ଓ ଅପଚର୍ଚ୍ଚାର ଉର୍ଦ୍ଧ୍ଵରେ ରହି କାମ କରିବାର ବିଚକ୍ଷଣତା ହେଉଛି ପାଣ୍ଡିଆନଙ୍କ ସଫଳତା। ନବୀନଙ୍କର ୨୦ ବର୍ଷର ରାଜନୈତିକ ଜୀବନରେ ବହୁ ସହଯୋଗୀ ଆସିଛନତି ଓ ଯାଇଛନ୍ତି। ହେଲେ ପାଣ୍ଡିଆନ ସେ ସମସ୍ତଙ୍କଠୁ ଅଲଗା। ରାଜନୈତିକ ଅଭିଳାଷ ଅପେକ୍ଷା ଆନ୍ତରିକ ଭାବରେ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠାବାନ ରହିବା ହିଁ ତାଙ୍କର ଭିନ୍ନତା। ସବୁ ସମାଲୋଚନା ଓ କୁତ୍ସାକୁ ଅଣଦେଖା କରି ଅବିଚଳିତ ଭାବରେ ନିଜର କାମ କରିଯିବା ଯୋଗୁଁ ତାଙ୍କୁ ହୁଏତ ଓଡିଶାର ଇତିହାସ ଏକ ଭିନ୍ନ ପରିଚୟରେ ମନେ ରଖିବ।
(ମୋବାଇଲରେ ସଂକ୍ଷିପ୍ତ ଖବର ପଢିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta , ଏହାପରେ ସ୍ପ୍କ୍ରିନରୁ ତଳୁ ଉପରକୁ ଠେଲି ପଢି ଚାଲନ୍ତୁ ଖବର ପରେ ଖବର)
ପୂର୍ବତନ ବିମାନ ଚଳାଚଳ ମନ୍ତ୍ରୀ ପ୍ରଫୁଲ୍ଲ ପଟେଲଙ୍କୁ ଇଡିର ସମନ, ବହୁ କୋଟି ଟଙ୍କାର ବେଆଇନ ଅର୍ଥ କାରବାର ମାମଲାରେ ଜେରା କରିବ ଇଡି। ବିମାନ ଚଳାଚଳରେ ହୋଇଥିବା ଦୁର୍ନୀତି ଘଟଣାରେ ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ନୋଟିସ୍ କରିଛି। ତାଙ୍କୁ ଜୁନ୍ ୬ରେ ବ୍ୟକ୍ତିଗତ ଭାବେ ଇଡିରେ ହାଜର ହେବାକୁ ଏହି ନୋଟିସ୍ରେ କୁହାଯାଇଛି। ବିଦେଶ ବିମାନ କମ୍ପାନୀଗୁଡ଼ିକୁ ଫାଇଦା ଦେବା ଘଟଣାରେ ପ୍ରଫୁଲ୍ଲ ପଟେଲ୍ଙ୍କ ଭୂମିକା ସନ୍ଦେହ ଘେରରେ ରହିଛି। ଇଣ୍ଡିଆନ୍ ଏୟାର୍ଲାଇନ୍ସ ଦ୍ବାରା ୨୦୦୬ ଫେବୃଆରୀରେ ବିମାନ ଅଧିଗ୍ରହଣ ବିଷୟରେ ନିୟନ୍ତ୍ରକ ଓ ମହାଲେଖାପରୀକ୍ଷକ (କ୍ୟାଗ୍) ଅଗଷ୍ଟ ୧୭, ୨୦୧୧କୁ ରିପୋର୍ଟରେ ଆଇଏଏଲ୍ର ଅନୁମୋଦିତ ୮,୩୯୯,୬୦ କୋଟି ଟଙ୍କାର ୪୩ଟି ବିମାନ କ୍ରୟରେ ବହୁ କୋଟିର ଦୁର୍ନୀତି ହୋଇଥିବାର ଜଣାଯାଇଥିଲା। ଅନ୍ୟପକ୍ଷରେ ଇଡି ସହ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ପ୍ରଫୁଲ୍ଲ କହିଛନ୍ତି।
ଗଙ୍ଗା ନଦୀକୁ ବାରମ୍ବାର ପ୍ରଦୂଷିତ କରୁଥିବାରୁ ତିନୋଟି ରାଜ୍ୟକୁ ୨୫ ଲକ୍ଷ ଟଙ୍କାର ଜରିମାନା ପ୍ରଦାନ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍ଜିଟି)। ବିହାର, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଉପରେ ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ(ଏନଜିଟି) ଅସନ୍ତୋଷ ପ୍ରକାଶ କରିବା ସହିତ ଏହି ୩ଟି ରାଜ୍ୟକୁ ୨୫ ଲକ୍ଷ ଟଙ୍କା ଲେଖାଏ ଜରିମାନା ଲାଗୁ କରିଛନ୍ତି। ରାଜ୍ୟଗୁଡ଼ିକ ଦୂଷିତ ପାଣିକୁ ସ୍ବଚ୍ଛ ନ କରି ସିଧାସଳଖ ଗଙ୍ଗାକୁ ଛାଡ଼ୁଥିବାରୁ ନଦୀର ଦଳ ଦୂଷିତ ହେଉଛି। ତେଣୁ ଏନଜିଟି ଉପରୋକ୍ତ ୩ ରାଜ୍ୟକୁ ସିୱେଜ ପ୍ରକଳ୍ପ ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ ମଧ୍ୟ କୌଣସି ରାଜ୍ୟ ତାହାକୁ ପାଳନ କରିନାହାନ୍ତି। ବିହାର ବର୍ତ୍ତମାନ ସୁଦ୍ଧା ଗୋଟିଏ ହେଲେ ସିୱେଜ ପ୍ରକଳ୍ପ ଶେଷ କରି ନ ଥିବାବେଳେ ପଶ୍ଚିମବଙ୍ଗା ୨୨ରୁ ୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରିଛି। ଝାଡ଼ଖଣ୍ଡ ବି ଆବଶ୍ୟକ ସଂଖ୍ୟକ ସିୱେଜ ପ୍ରକଳ୍ପ କରିବାରେ ବିଫଳ ହୋଇଛି। ଏ ନେଇ ଏନଜିଟି ୩ ରାଜ୍ୟକୁ ନୋଟିସ ଜାରି କରିଥିଲେ ବି କୌଣସି ରାଜ୍ୟ ପକ୍ଷରୁ ପ୍ରତିନିଧି ହାଜର ହୋଇ ନ ଥିଲେ। ତେଣୁ ରାଜ୍ୟଗୁଡ଼ିକର ଆଭିମୁଖ୍ୟ ଉପରେ ଟ୍ରିବ୍ୟୁନାଲ ଅସନ୍ତୋଷ ପ୍ରକାଶ କରିବା ସହ ଏଭଳି ଗମ୍ଭୀର ମାମଲାରେ ସରକାରଙ୍କ ସମ୍ବେଦନହୀନତା ଚିନ୍ତାର ବିଷୟ ବୋଲି କହିଛନ୍ତି।
ଆମେରିକାର ଭର୍ଜିନିଆ ବିଚ୍ର ଏକ ମୁନିସିପାଲିଟି କାର୍ଯ୍ୟାଳୟରେ ଗୁଳିମାଡରେ ୧୨ ଜଣ ନିହତ ହୋଇଛନ୍ତି। ଜଣେ କର୍ମଚାରୀ ଆଖିବୁଜା ଗୁଳିମାଡ଼ କରି ନିଜର ୧୨ ଜଣ ସହକର୍ମୀଙ୍କୁ ହତ୍ୟା କରିଛନ୍ତି। ଏହି ଗୁଳିମାଡ଼ରେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ପୁଲିସ କର୍ମଚାରୀ ରହିଛନ୍ତି। ପୁଲିସ ପକ୍ଷରୁ ପାଲଟା ଗୁଳି ଚାଳନାରେ ସମ୍ପୃକ୍ତ କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ଅପରାହ୍ନରେ ଭର୍ଜିନିଆ ମ୍ୟୁନିସିପାଲ ସେଣ୍ଟରରେ ଏହି ଘଟଣା ଘଟିଛି। ଏହି କର୍ମଚାରୀ ଜଣକ ଏକ ପିସ୍ତଲରେ ସାଇଲେନ୍ସର ଲଗାଇ ଏହି ଆକ୍ରମଣ କରିଥିଲେ। ଗୁଳିମାଡ଼ ସମୟରେ କର୍ମଚାରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ଶୁକ୍ରବାର ଅପରାହ୍ନରେ ସେ ଅଫିସରେ କାର୍ଯ୍ୟ କରୁଥିବାବେଳେ ହଠାତ ବନ୍ଧୁକ ବାହାର କରି ଗୁଳି ଚଳାଇଥିଲେ।
ଭାଇସ୍ ଆଡମିରାଲ କରମବୀର ସିଂ ଦେଶର ନୂତନ ନୌସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ପୂର୍ବରୁ କରମବୀରଙ୍କୁ ନୌସେନା ମୁଖ୍ୟ ଭାବରେ ଘୋଷଣା କରାଯାଇଥିବା ବେଳେ ସେ ଆଜି ଦାୟିତ୍ବ ଗ୍ରହଣ କରିଛନ୍ତି। କରମବୀରଙ୍କ ନିଯୁକ୍ତିକୁ ବିରୋଧ କରି ମାମଲା ଦାୟର କରିଥିବା ଭାଇସ୍ ଆଡମିରାଲ ବିମଳ ବର୍ମାଙ୍କୁ ମଧ୍ୟ ନିରାଶ ହେବାକୁ ପଡିଛି। ବର୍ମାଙ୍କ ଠାରୁ କନିଷ୍ଠ ହୋଇଥିବାରୁ କରମବୀରଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଏକ ପିଟିସନ୍ ଦାଖଲ କରିଥିଲେ ବର୍ମା। ମାତ୍ର କେନ୍ଦ୍ର ସରକାର ବର୍ମାଙ୍କ ପିଟିସନ୍କୁ ଖାରଜ କରିବା ସହିତ ନୌସେନା ମୁଖ୍ୟ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି କରମବୀର ସିଂ। ନ୍ୟସ୍ନାଲ ଡିଫେନ୍ସ ଏକାଡେମୀ (ଏନ୍ଡିଏ)ରୁ ପାଶ୍ କରିଥିବା କରମବୀର ସିଂ ୧୯୮୦ ରେ ନୌସେନାରେ ଯୋଗ ଦେଇଥିଲେ। ୧୯୮୨ ରେ ହେଲିକପ୍ଟର ପାଇଲଟ୍ ଭାବରେ କାର୍ଯ୍ୟ କରିଛନ୍ତି କରମବୀର। ଏହା ସହିତ ଦେଶର ପ୍ରଥମ ହେଲିକପ୍ଟର ପାଇଲଟ୍ ଭାବରେ ନୌସେନା ମୁଖ୍ୟ ହେବାରୁ ସୌଭାଗ୍ୟ ହାସଲ କରିଛନ୍ତି କରମବୀର। ଭାରତୀୟ ନୌସେନା ଅଧୀନରେ ୭୦୦୦ କିମିର ସମୁଦ୍ରତଟ ରହିଛି ଏହାର ସୁରକ୍ଷା ବଡ ଜ୍ୟାଲେଞ୍ଜ ରହିବ ବୋଲି କରମବୀର ପ୍ରକାଶ କରିଛନ୍ତି।
କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଗୁରୁବାର ଶପଥ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସମେତ ଅନ୍ୟ ୫୭ ଜଣ ନେତା ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଶପଥ ଗ୍ରହଣ କରିଥିଲେ। ବିଭିନ୍ନ ବିଶ୍ବନେତା ଏବଂ ବଲିଉଡ୍ ତାରକାଙ୍କ ସମ୍ମୁଖରେ ନିଜ ମନ୍ତ୍ରୀମଣ୍ଡଳ ଶହ ଶପଥ ଗ୍ରହଣ କରିଥିଲେ ମୋଦି। ଗତକାଲି ଶପଥ ଗ୍ରହଣ ହୋଇଥିଲେ ମଧ୍ୟ କୌଣସି ମନ୍ତ୍ରୀଙ୍କୁ ସେମାନଙ୍କର ପଦବୀ ପ୍ରଦାନ କରାଯାଇନଥିଲା। ଆଜି ଅପରାହ୍ନ ୫ ଟାରେ ମୋଦି କ୍ୟାବିନେଟ୍ର ପ୍ରଥମ ବୈଠକ ବସିବ। ଏହି କ୍ୟାବିନେଟରେ ଶପଥ ଗ୍ରହଣ କରିଥିବା ମନ୍ତ୍ରୀ ମାନଙ୍କ ମଧ୍ୟରେ ଏହି ବୈଠକରେ ବିଭାଗ ଆବଣ୍ଟନ କରାଯିବ। ବରିଷ୍ଠ ନେତା ଅରୁଣ ଜେଟ୍ଲୀ ଏବଂ ସୁଷମା ସ୍ବରାଜ ମନ୍ତ୍ରୀମଣ୍ଡଳରେ ନଥିବାରୁ ଅମିତ ଶାହା ଏବଂ ରାଜନାଥ ସିଂଙ୍କ ମଧ୍ୟରେ ଗୃହ ବିଭାଗ ଏବଂ ଅର୍ଥ ବିଭାଗ ବଣ୍ଟନ ହେବାର ସମ୍ଭାବନା ରହିଛି। ସେହିପରି ନିର୍ମଳା ସୀତାରମଣ ପ୍ରତିରକ୍ଷା ଏବଂ ସ୍ମୃତି ଜୁବିନ୍ ଇରାନୀଙ୍କ ହାତକୁ ବୈଦେଶିକ ମନ୍ତ୍ରାଳୟ ଯିବାର ସମ୍ଭାବନା ରହିଛି।
ସପ୍ତଦଶ ଲୋକସଭାରେ ଦେଶର ୧୫ ତମ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦୀ। କ୍ରମାଗତ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବା ମୋଦିଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପଦ ଏବଂ ଗୋପନୀୟତାର ଶପଥପାଠ କରାଇଛନ୍ତି। ମୋଦିଙ୍କ ସମେତ ୫୮ ଜଣ ଏନ୍ଡିଏ ସଦସ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ୨୪ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି। ୯ ଜଣଙ୍କୁ ରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ) ଦାୟିତ୍ବ ମିଳିଥିବା ବେଳେ ବାକି ସମସ୍ତଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ଆଶ୍ଚର୍ଯ୍ୟ ଜନକ ଭାବରେ ସୁଷମା ସ୍ବରାଜଙ୍କୁ କ୍ୟାବିନେଟ ତଥା ମନ୍ତ୍ରୀମଣ୍ଡଳରୁ ବାଦ ଦିଆଯାଇଛି। ଅସୁସ୍ଥତା କାରଣରୁ ଚଳିତ ବର୍ଷ ନିର୍ବାଚନ ଲଢିନଥିଲେ ସୁଷମା ସ୍ବରାଜ। ଓଡିଶାରୁ ମଧ୍ୟପ୍ରଦେଶ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବା ବେଳେ ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି। ଗତଥରର ଆବଦିବାସୀ ମନ୍ତ୍ରାଳୟ ଦାୟିତ୍ବରେ ରହିଥିବା ଜୁଏଲ୍ ଓରାମଙ୍କୁ କୌଣସି ଦାୟିତ୍ବ ଦିଆଯାଇ ନାହିଁ। ଚଳିତ ମନ୍ତ୍ରୀ ମଣ୍ଡଳରେ ସମୁଦାୟ ୧୯ ଜଣ ନୂତନ ଚେହେରା ଦେଖିବାକୁ ମିଳିଥିବା ବେଳେ ୬ ଜଣ ପ୍ରଥମ ଥର ପାଇଁ କ୍ୟାବିନେଟରେ ସ୍ଥାନ ପାଇଛନ୍ତି।
ବିଶ୍ୱର ସର୍ବବୃହତ୍ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ରାଷ୍ଟ୍ରମୁଖ୍ୟ, ଶାସନ ମୁଖ୍ୟ, ସମ୍ବିଧାନ ବିଶେଷଜ୍ଞ ଓ କୂଟନୈତୀଜ୍ଞ ମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗଦେଇଛନ୍ତି। ସରକାରଙ୍କ ପ୍ରଥମେ ପଡ଼ୋଶୀ ନୀତି ଦୃଷ୍ଟିରୁ ଭାରତ ବିମ୍ଷ୍ଟେକ୍ ରାଷ୍ଟ୍ରସମୂହର ମୁଖ୍ୟମାନଙ୍କୁ ଏହି ଉତ୍ସବକୁ ଆମନ୍ତ୍ରଣ କରିଛି। ବାଂଲାଦେଶ, ଶ୍ରୀଲଙ୍କା, କିରଗିଜ୍ ସାଧାରଣତନ୍ତ୍ର ଓ ମ୍ୟାଁମାର ରାଷ୍ଟ୍ରପତି ଏବଂ ମରିସସ୍, ନେପାଳ, ଭୁଟାନର ପ୍ରଧାନମନ୍ତ୍ରୀ ତଥା ଥାଇଲାଣ୍ଡର ସ୍ୱତନ୍ତ୍ର ଦୂତ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଛନ୍ତି।
ସେହିପରି ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ, ବରିଷ୍ଠ କଂଗ୍ରେସ ନେତା ଘୁଲାମ ନବୀ ଆଜାଦ, ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବ, ବିଜେପିର ବରିଷ୍ଠ ନେତା ଏଲ୍ କେ ଆଡଭାନୀ ଏବଂ ଭେଟେରାନ୍ ମୁରଲୀ ମନୋହର ଯୋଶୀଙ୍କୁ ପ୍ରଥମ ଧାଡିରେ ବସିଥିବାର ନଜର ଆସିଥିଲେ। ଶିଳ୍ବପତି ମୁକେଶ ଅମ୍ବାନୀଙ୍କ ସମେତ ଅନେକ ବଲିଉଡ୍ ତାରକା ଶପଥ ଗ୍ରହଣ ତାଲିକାରେ ସାମିଲ ହୋଇଥିଲେ। ବଲିଉଡ୍ ତାରକାଙ୍କ ମଧ୍ୟରେ କଙ୍ଗନା ରଣାଓ୍ବତ, ସାହିଦ କପୁର, ଅନୁପମ ଖେର, କରଣ ଜୋହର, ବିବେକ ଓବେରୟ ଏବଂ ଜିତେନ୍ଦ୍ର ଉପସ୍ଥିତ ଥିଲେ। ତେଲୁଗୁ ଷ୍ଟାର ରଜନୀକାନ୍ତ ମଧ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।
କ୍ୟାବିନେଟ୍ରେ ସ୍ଥାନ ପାଇଥିବା ମନ୍ତ୍ରୀ :
ରାଜନାଥ ସିଂହ
ଅମିତ ଶାହ
ନିତ୍ନୀ ଗଡ୍କରୀ,
ପିୟୂଷ ଗୋଏଲ୍
ନିର୍ମଳା ସୀତାରମଣ
ରାମବିଳାଶ ପାଶ୍ବାନ
ନରେନ୍ଦ୍ର ସିଂ ତୋମାର
ହରସିମରତ୍ କୌର୍ ବାଦଲ୍
ରବିଶଙ୍କର ପ୍ରସାଦ
ପ୍ରକାଶ ଜାଭେଡ଼କର
ସ୍ମୃତି ଇରାନୀ
ଥାଓ୍ବରଚନ୍ଦ ଗେହଲଟ୍
ଏସ୍ ଜୟଶଙ୍କର
ସଦାନନ୍ଦ ଗୌଡ଼ା
ଧର୍ମେନ୍ଦ୍ର ପ୍ରଧାନ
ମୁଖତାର୍ ଅବ୍ବାସ ନକ୍ଭୀ
ଡ. ହର୍ଷ ବର୍ଦ୍ଧନ
ଅର୍ଜୁନ ମୁଣ୍ଡା
ପ୍ରହ୍ଲାଦ ଯୋଶୀ
ମହେନ୍ଦ୍ର ନାଥ ପାଣ୍ଡେ
ଅରବିନ୍ଦ ସାଓ୍ବନ୍ତ
ଗିରିରାଜ ସିଂ
ଗଜେନ୍ଦ୍ର ସିଂ ଶେଖାଓ୍ବତ୍
ରମେଶ ପୋଖରିୟାଲ ନିଶଙ୍କ