ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଜହୁର ଅହମ୍ମଦ ଶାହ ବଟାଲୀଙ୍କ ସମ୍ପତ୍ତି ଜବତ କରାଯାଇଛି। ଏହି ମାମଲାରେ ଇଡି ପକ୍ଷରୁ ବଟାଲୀ ଏବଂ ପରିବାର ସଦସ୍ୟଙ୍କ ୬.୧୯ କୋଟି ଟଙ୍କାର ସମ୍ପତ୍ତି ଜବତ କରି ନିଆଯାଇଛି। ଇଡି ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ହାଫିଜ୍ ସଇଦ୍ ଏବଂ ଏମ୍ଡି ୟୁସୁଫ୍ ଶାହକୁ ଅର୍ଥ ଯୋଗାଣ ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ହଫିଜ୍ ସଇଦ୍ଙ୍କ ଲସ୍କର ଏ ତୋଏବା ଏବଂ ଜମାତ୍ ଉଦ୍ ଦାଓ୍ବାକୁ ଅର୍ଥ ଯୋଗାଣ କରାଯାଇଥିବା ବେଳେ ଏମ୍ଡି ସଲାହୁଦ୍ଦିନଙ୍କ ହିଜ୍ବୁଲ୍ ମୁଜାହିଦ୍ଦିନିକୁ ମଧ୍ୟ ଅର୍ଥ ଯୋଗାଇ ଥିବାର ଅଭିଯୋଗ ରହିଛି। ଏହି ମାମଲାରେ ବଟାଲୀଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ପକ୍ଷରୁ ଅର୍ଥ ହେରଫେର ମାମଲା ମଧ୍ୟ ରୁଜୁ କରାଯାଇଛି। ଏନ୍ଆଇଏ ପକ୍ଷରୁ ଦାଖଲ କରାଯାଇଥିବା ମାମଲା ଅନୁଯାୟୀ ହୁରିୟାତ ନେତାଙ୍କ ପାଇଁ ଅର୍ଥ ସଂଗ୍ରହ କରୁଥିବା ବେଳେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ହୁରିୟାତର ପ୍ରଚାର କରୁଥିଲା ଜହୁର ଅହମ୍ମଦ ଶାହ ବଟାଲୀ।
Tag: thesamikhsya
ନିର୍ବାଚନ କମିଶନ ତ୍ରିପୁରାରେ ନିର୍ବାଚନ ତାରିଖ ଘୁଞ୍ଚାଇଛନ୍ତି। ପୂର୍ବ ତ୍ରିପୁରାରେ ଏପ୍ରିଲ୍ ୧୮ ତାରିଖରେ ହେବାକୁ ଥିବା ନିର୍ବାଚନକୁ ଏପ୍ରିଲ୍ ୨୩ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି କମିଶନ।ଗୁରୁତର ଆଇନ ଶୃଙ୍ଖଳା ପରସ୍ଥିତି ଯୋଗୁଁ ଏହି ନିର୍ବାଚନ ଘୁଞ୍ଚାଇ ଦିଆଯାଇଛି ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ କୁହା ଯାଇଛି। ଆଇନ ଶୃଙ୍ଖଳା ପରସ୍ଥିତି ଯୋଗୁଁ ଦୁଇଟି ଆସନରେ ନିର୍ବାଚନକୁ ବନ୍ଦ ରଖାଯାଇଛି ବୋଲି ମଙ୍ଗଳବାର ରାତିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀରାମ ତରଣୀକାନ୍ତି ସୂଚନା ଦେଇଛନ୍ତି। ମୁକ୍ତ ଏବଂ ଅବାଧ ନିର୍ବାଚନ ପାଇଁ ଆଇନ ଶୃଙ୍ଖଳା ପରସ୍ଥିତି ସଠିକ୍ ନାହିଁ ବୋଲି ସହକାରୀ ଡିଜିପି ରାଜୀବ ସିଂ ସୂଚନା ଦେବା ପରେ ନିର୍ବାଚନ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। ଡିଜିପି ଏକେ ଶୁକ୍ଲା ନିର୍ବାଚନ ସୁରକ୍ଷା ବ୍ୟବସ୍ଥା ନୀରିକ୍ଷଣ କରିବା ସହିତ ୨୩ ତାରିଖରେ ନିର୍ବାଚନ ପରିଚାଳନା କରିବେ। ତ୍ରିପୁରା କଂଗ୍ରେସ ସଭାପତି ପ୍ରଦ୍ୟୋତ ଦେବ ବର୍ମନ୍ କହିଛନ୍ତି ନିର୍ବାଚନ କମିଶନ ସଠିକ୍ ନିଷ୍ପତ୍ତି ନେଇଛନ୍ତି ବୋଲି କହିବା ସହ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ମାତ୍ର ପ୍ରଥମ ପର୍ଯ୍ୟାୟରେ ପଶ୍ଚିମ ତ୍ରିପୁରାରେ କିଛି ସ୍ଥାନରେ ହିଂସା ହୋଇଥିବାରୁ ଏଠାରେ ମଧ୍ୟ ପୁନଃ ନିର୍ବାଚନ କରାଯିବା ଉଚିତ୍ ବୋଲି ବର୍ମନ୍ କହିଛନ୍ତି।
ଆୟକର ବିଭାଗ ଏବଂ ନିର୍ବାଚନ କମିଶନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁପ୍ତ ରାଜିନାମା ହୋଇଛି ବୋଲି ଅଭିଯୋଗ କରିଛନ୍ତି ଡିଏମ୍କେ ପ୍ରାର୍ଥୀ କାନିମୋଝି। ନିଜ ଘରେ ଆୟକର ବିଭାଗର ଚଢାଉ ପରେ ଏହି ଅଭିଯୋଗ ଆଣିଛନ୍ତି ତୁଥୁକୁଡିରୁ ଡିଏମ୍କେର ଏହି ସାଂସଦ ପ୍ରାର୍ଥୀ। ମୋଦି ନିର୍ବାଚନ କମିଶନ ଏବଂ ଆୟକର ବିଭାଗକୁ ମନ ମୁତାବକ ନିଜର ରାଜନୈତିକ ଫାଇଦା ପାଇଁ ବ୍ୟବହାର କରିବା ସହିତ କେବଳ ବିପକ୍ଷରେ ଥିବା ନେତାଙ୍କ ଘରେ ଚଢାଉ କରୁଛନ୍ତି। ମଙ୍ଗଳବାର ରାତିରେ ଆୟକର ବିଭାଗ ଅଧିକାରୀଙ୍କ ଚଢାଉରୁ କିଛି ତଥ୍ୟ ମିଳିନଥିବା ବେଳେ ବିପକ୍ଷରେ ରହିଥିବାରୁ ଏପରି ରାଜନୈତିକ ଆକ୍ରମଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି କାନିମୋଝି। ଆୟକର ବିଭାଗ ଅଧିକାରୀଙ୍କ ନିକଟରେ ସର୍ଚ୍ଚ ଓ୍ବାରେଣ୍ଟ ନଥିଲା ବୋଲି ମଧ୍ୟ କାନିମୋଝି ଅଭିଯୋଗ କରିଛନ୍ତି। ପ୍ରାୟ ୨ ଘଣ୍ଟା ଧରି ଆୟକର ବିଭାଗ ଅଧିକାରୀ ମାନେ ଖୋଜିବା ଜାରି ରଖିଥିଲେ ମଧ୍ୟ କିଛି ନପାଇ ଫେରି ଯାଇଥିଲେ ବୋଲି ସୂଚନା ଦେଇଛନ୍ତି ଡିଏମ୍କେ ମହିଳା ମୋର୍ଚ୍ଚା ମୁଖ୍ୟ। ଏହି ଚଢାଉକୁ ଅଗଣତାନ୍ତ୍ରିକ ବୋଲି ଅଭିହିତ କରିବା ସହିତ ଶାସକ ଦଳ ପରାଜୟ ଭୟରେ ଏପରି କାମ କରୁଛି ବୋଲି କହିଛନ୍ତି କାନିମୋଝି। ବିଜେପି ସାଂସଦ ପ୍ରାର୍ଥୀ ତାମିଲସାଇ ସୌନ୍ଦରାଜନଙ୍କ ଘରେ କୋଟି କୋଟି ଟଙ୍କା ଲୁଚାଇ ରଖାଯାଇଥିବା ବେଳେ ଆୟକର ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ କରିଛନ୍ତି କାନିମୋଝି।
ଭୁବନେଶ୍ବରରେ ମୋଦିଙ୍କ ରୋଡ୍ ଶୋ’
ଭୁବନେଶ୍ବରେର ପ୍ରଧାନମନ୍ତ୍ରୀ ମୋଦି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ବିଜୁପଟ୍ଟନାୟକ ବିମାନବନ୍ଦରରୁ ବରମୁଣ୍ଡା ଅଭିମୁଖେ ନରେନ୍ଦ୍ର ମୋଦି ରୋଡ୍ ଶୋ’ କରିଛନ୍ତି। ହାତ ହଲେଇ ଲୋକଙ୍କ ଅଭିବାଦନ ଗ୍ରହଣ କରୁଛନ୍ତି ମୋଦି। ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଜନସମାଗମ ଦେଖିବାକୁ ମିଳିଥିଲା। ତେବେ ମୋଦିଙ୍କର ଏହା ହେଉଛି ଓଡ଼ିଶାର ଦ୍ବିତୀୟ ଥର ରୋଡ୍ ଶୋ’। ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ବିଜେପିର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦି ନିଜର ଦଳର ମନୋବଳ ଦୃଢ କରିବା ପାଇଁ ଏହି ରୋଡ ଶୋ’ କରିଛନ୍ତି। ଆଜି ସମ୍ବଲପୁରଠାରେ ଏକ ଜନସଭାରେ ଉଭୟ କଂଗ୍ରେସ ଓ ବିଜେଡ଼ିକୁ ଟାର୍ଗେଟ୍ କରିବା ସହିତ ଓଡ଼ିଶାର ଲୋକଙ୍କ ପରିବତ୍ତର୍ନ ଚାହୁଁଛନ୍ତି ବୋଲି କହିଥିଲେ।
ବ୍ରହ୍ମପୁର ଓ ମାଲକାନଗିରିର ଗୋଟିଏ ଲେଖାଏଁ ବୁଥ୍ରେ ହେବ ସାନି ଭୋଟ। ଏପ୍ରିଲ ୧୮ରେ ୨ଟି ବୁଥ୍ରେ ପୁନଃ ମତଦାନ ପାଇଁ ଘୋଷଣା କରାଯାଇଛି। ନିର୍ବାଚନ ଆୟୋଗ ପକ୍ଷରୁ ଏନେଇ ଘୋଷଣା କରିଛନ୍ତି। ପ୍ରଥମ ପର୍ଯ୍ୟାୟ ମତଦାନ ତଥ୍ୟରେ ତାଳମେଳ ନରହିବାରୁ ସାନି ଭୋଟ ହେବା ନେଇ ଘୋଷଣା କରାଯାଇଛି। ମାଲକାନଗିରିର ଏମ୍ଭି-୬୫ ବୁଥ୍ରେ ଦିନ ୭ରୁ ୪ଟା ଯାଏ ମତଦାନ, ବ୍ରହ୍ମପୁର ସିଟି ହାଇସ୍କୁଲ ବୁଥ୍ରେ ଦିନ ୭ରୁ ସଂଧ୍ୟା ୬ଟା ଯାଏ ଭୋଟ୍ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟ ମତଦାନ ଏପ୍ରିଲ୍ ୧୧ ତାରିଖରେ ହୋଇଥିବାବେଳେ ଓଡ଼ିଶାର ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ଗ୍ରହଣ ଅନୁଷ୍ଠିତ ହୋଇଥିଲା।
ଟାଇଗରଙ୍କୁ କ୍ୟାରିୟରର ୧୫ତମ ଟାଇଟଲ
ବିଶ୍ବର ପୂର୍ବତନ ଏକ ନମ୍ବର ଗଲ୍ଫ ଖେଳାଳି ଟାଇଗର ଉଡ୍ସ ନିଜ କ୍ୟାରିୟରର ୧୫ତମ ଟାଇଟଲ ହାସଲ କରିଛନ୍ତି। ଦୀର୍ଘ ୧୧ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟାଇଛନ୍ତି ଏହି ପେସାଦାର ଗଲ୍ଫର। ଅଗଷ୍ଟା ନ୍ୟାସନାଲ୍ ଟୁର୍ଣ୍ଣାମେଣ୍ଟରେ ବିଜୟୀ ହୋଇ ଉଡ୍ସ ଏହି କୃତିତ୍ବ ହାସଲ କରିଛନ୍ତି। ୨ ଅଣ୍ଡର ୭୦ ସ୍କୋର ସହିତ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହୋଇଥିଲେ ଉଡ୍ସ। ଉଡ୍ସଙ୍କ କ୍ୟାରିୟରର ଏହା ୮୧ ତମ ପିଜିଏ ଟୁର୍ ବିଜୟ ଯାହାକି ଆନ୍ତର୍ଜାତୀୟ ରେକର୍ଡ ଠାରୁ ମାତ୍ର ଗୋଟିଏ ବିଜୟ ପଛରେ ରହିଛି। ୮୨ ପିଜିଏ ଟୁର୍ର ବିଜୟ ରେକର୍ଡ ସାମ୍ ସ୍ନିଡ୍ଙ୍କ ନାମରେ ରହିଛି।
ଶେଷରେ ଟିକ୍ଟକ୍ ଉପରେ ଭାରତ ସରକାର କଟକଣା ଲଗାଇଛନ୍ତି। ଟିକ୍ଟକ୍ରେ ଅଶ୍ଲୀଳ ଭିଡିଓ ଆସୁଥିବାରୁ ଏହା ଉପରେ ବ୍ୟାନ୍ ଲଗାଇବା ପାଇଁ ମାଦ୍ରାସ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପ୍ଲେ ଷ୍ଟୋରରୁ ଏହି ଆପ୍ଲିକେଶନକୁ ହଟାଇବାକୁ ଗୁଗଲ ଏବଂ ଆପଲକୁ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଗତ ଏପ୍ରିଲ ୩ ତାରିଖରେ ମାଡ୍ରାସ ହାଇକୋର୍ଟ ଟିକ୍ଟକ ଆପ୍ ଉପରେ ପ୍ରତିବନ୍ଧକ ଲଗାଇବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଆପ୍ ଜରିଆରେ ଅଶ୍ଳୀଳ ଏବଂ ଅନୁଚିତ ସାମଗ୍ରୀ ଉପଲବ୍ଧ ହେଉଥିବା ଦର୍ଶାଇ ହାଇକୋର୍ଟ ଚିନ୍ତାବ୍ୟକ୍ତ କରିଥିଲେ। ଏପରି କି ଟିକ୍ଟକ ଭିଡିଓ କ୍ଲିପକୁ ଶେୟାର ନ କରିବାକୁ ଅନ୍ତରୀଣ ନିର୍ଦେଶ ଦେଇଥିଲେ। ତେବେ କେନ୍ଦ୍ର ସରକାର ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବାକୁ ମନା କରିଦେବା ସହ ଆସନ୍ତା ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି କହିଥିଲେ। ଫଳରେ ହାଇକୋର୍ଟଙ୍କ ରାୟ ଆଧାରରେ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଅନ୍ୟପଟେ ମାଡ୍ରାସ ହାଇକୋର୍ଟଙ୍କ ଆଦେଶ ଏକତରଫା ଏବଂ ଭେଦଭାବପୂର୍ଣ୍ଣ ବୋଲି କମ୍ପାନୀ ପକ୍ଷରୁ ଅଭିଯୋଗ କରାଯାଇଛି।
ସମାଜବାଦୀ ପାର୍ଟିରେ ଯୋଗଦେଲେ ପୁନମ ସିହ୍ନା
ଶତ୍ରୁଘ୍ନ ସିହ୍ନାଙ୍କ ପତ୍ନୀ ପୁନମ୍ ସିହ୍ନା ଆଜି ବିଧିବଦ୍ଧ ଭାବରେ ସମାଜବାଦୀ ପାର୍ଟିରେ ଯୋଗଦେଇଛନ୍ତି। ଉତ୍ତରପ୍ରଦେଶର ଲକ୍ଷ୍ନୌଠାରେ ଡିମ୍ପଲ୍ ଯାଦବଙ୍କ ଉପସ୍ଥିତିରେ ସେ ଏସ୍ପିରେ ଯୋଗଦେଇଛନ୍ତି। ସେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂଙ୍କ ସହ ଲକ୍ଷ୍ନୌରେ ଏସ୍ପି ତରଫରୁ ପ୍ରତିଦ୍ବନ୍ଦ୍ବିତା କରିବେ। ଏପ୍ରିଲ୍ ୬ ତାରିଖରେ ଶତ୍ରୁଘ୍ନ ସିହ୍ନା ବିଜେପି ଛାଡ଼ି କଂଗ୍ରେସରେ ଯୋଗଦେଇଛନ୍ତି। ସେ ତାଙ୍କ ପାରମ୍ପରିକ ଆସନ ପାଟନା ସାହିବ୍ରୁ କଂଗ୍ରେସ ତରଫରୁ ପ୍ରାର୍ଥୀ ହୋଇଛନ୍ତି। ଚଳିତଥର ବିଜେପିର ରବି ଶଙ୍କର ପ୍ରସାଦଙ୍କ ପାଟନା ସାହିବରୁ ଶତ୍ରୁଘ୍ନଙ୍କ କଡ଼ା ଟକ୍କର ହେବ।
ପାକିସ୍ତାନରେ ପାଞ୍ଚ ଆତଙ୍କବାଦୀ ନିହତ
ପାକିସ୍ତାନର ସୁରକ୍ଷା ବଳ ପକ୍ଷରୁ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରା ଯାଇଥିଲା। ଏହି ଆକ୍ରମଣରେ ୫ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ପୋଲିସ ଅଫିସରଙ୍କ ପ୍ରାଣହାନି ଘଟିଛି। ୧୫ଘଣ୍ଟା ଧରି ଚାଲିଥିବା ଏହି ସୁଟ୍ଆଉଟ୍ରେ ଅନ୍ୟ ତିନି ଜଣ ପୋଲିସ୍ ଅଫିସର୍ ଆହତ ହୋଇଛନ୍ତି। ହୟାତାବାଦର ଏକ କୋଠାରେ ସୋମବାର ରାତିରୁ ଏହି ଆକ୍ରମଣ ଚାଲିଥିଲା। ଗୁଇନ୍ଦା ସୂଚନା ଅନୁଯାୟୀ ଜନୈକ ଅବସରପ୍ରାପ୍ତ ବିଚାରପତି ଏବଂ ପୋଲିସ୍ ଆଇଜିଙ୍କୁ ହତ୍ୟା କରିବା ପାଇଁ ଏହି ଆତଙ୍କୀ ଯୋଜନା ଚଳାଇଥିଲେ। ପୋଲିସ୍ ପକ୍ଷରୁ ଆତଙ୍କୀଙ୍କୁ ଆତ୍ମସମର୍ପଣ ପାଇଁ କୁହାଯାଇଥିବା ବେଳେ ଗୁଳିଚାଳନା ହେବାରୁ ପୁଲିସ ପାଲଟା ଗୁଳିଚାଳନା କରିଥିଲା। ଆତଙ୍କୀଙ୍କ ପକ୍ଷରୁ ଗ୍ରେନେଡ୍ ଆକ୍ରମଣ କରାଯାଇଥିଲା ଯେଉଁଥିରେ ଜଣେ ପୋଲିସ୍ ଅଫିସର ପ୍ରାଣ ହରାଇଥିଲେ।
ନ୍ୟାସ୍ନାଲ୍ କନଫରେନ୍ସ ଦଳର ନେତାଙ୍କ ଘର ଉପରକୁ ଆତଙ୍କୀ ମାନେ ଆକ୍ରମଣ କରିଛନ୍ତି। ଜମ୍ମୁ କାଶ୍ମୀରର ପୁଲଓ୍ବାମାରେ ଏହି ଘଟଣା ଘଟିଛି। ପୁଲଓ୍ବାମାର ଟ୍ରାଲ ନିର୍ବାଚନ ମଣ୍ଡଳୀରୁ ଏନ୍ସିର ପ୍ରାର୍ଥୀ ଅଶ୍ରଫ୍ ଭଟ୍ଟଙ୍କ ଘର ଉପରକୁ ଏହି ଆକ୍ରମଣ ହୋଇଥିଲା। ଏକ ବ୍ୟାରେଲ୍ ଗ୍ରେନେଡ୍ ଲଞ୍ଚରରୁ ଭଟ୍ଟଙ୍କ ଘର ଉପରକୁ ଏକ ଗ୍ରେନେଡ୍ ଫିଙ୍ଗାଯାଇଥିଲା। ଏହି ଆକ୍ରମଣ ସମୟରେ ଭଟ୍ଟଙ୍କ ଘରେ ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ ଏନ୍ସିର ଅନ୍ୟତମ ପ୍ରାର୍ଥୀ ତଥା ଅବସରପ୍ରାପ୍ତ ବିଚାରପତି ହସନୈନ୍ ମସୁଦ୍ଦି ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ। ମସୁଦ୍ଦି ଅନନ୍ତନାଗ ଆସନରୁ ଏନ୍ସିର ପ୍ରାର୍ଥୀ ରହିଛନ୍ତି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଆଗୁଆ ଖରା ଛୁଟି ଘୋଷଣା କଲେ ରାଜ୍ୟ ସରକାର। ସ୍ବତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଏ ବିଷୟରେ ସୂଚନା ଦେଇଛନ୍ତି। ପୂର୍ବରୁ ମେ ୬ ତାରିଖର ହେବ ବୋଲି ସୂଚନା ରହିଥିଲା। ତେବେ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୮ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ଛୁଟି ରହିବ। କେବେ ସ୍କୁଲ ଖୋଲିବ ସେ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ଅସହ୍ୟ ତାତିରେ ସିଝୁଛି ସାରା ଓଡ଼ିଶା। ପ୍ରଚଣ୍ଡ ଖରାରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ରାଜ୍ୟରେ ଉପରମୁହାଁ ହେଲାଣି ପାରା। ପ୍ରାୟ ଜିଲ୍ଲାରେ ୪୦ ଡିଗ୍ରୀ ତଥା ତା’ ଉପରେ ତାପମାତ୍ରାର ରେକର୍ଡ କରାଯାଉଛି।
ନାମାଙ୍କନ ପତ୍ର ଦାଖଲ କଲେ ରାଜନାଥ ସିଂହ
କେନ୍ଦ୍ର ଗୃହ ମନ୍ତ୍ରୀ ତଥା ଲକ୍ଷ୍ନୌରୁ ବିଜେପି ପ୍ରାର୍ଥୀ ରାଜନାଥ ସିଂହ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ସେ ଏକ ରୋଡ ସୋ କରିଥିଲେ। ଏହି ରାଲିରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ୍ ହେବେ ବୋଲି ସୂଚନା ରହିଥିଲା। କିନ୍ତୁ ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ବୟାନ ଦେଇଥିବା କାରଣରୁ ନିର୍ବାଚନ ଆୟୋଗ ତାଙ୍କ ଉପରେ ୭୨ ଘଣ୍ଟିଆ ପ୍ରତିବନ୍ଧକ ଲଗାଇଛନ୍ତି। ଏହି ରାଲିରେ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୋର୍ଯ୍ୟ ଏବଂ ଦିନେଶ ଶର୍ମାଙ୍କ ସହିତ ଯୋଗୀ ସରକାରଙ୍କ ବହୁ ବରିଷ୍ଠ ମନ୍ତ୍ରୀମାନେ ଏଥିରେ ସାମିଲ ହୋଇଛନ୍ତି। ରାଜନାଥ ସିଂହ କୋସଳ କିଶୋର ଦଳ କାର୍ଯ୍ୟାଳୟରୁ ରୋଡ ସୋ ଆରମ୍ଭ କରି କଲେକ୍ଟ୍ରେଟରେ ପହଂଚିଥିଲେ। ୨୦୧୪ରେ ରାଜନାଥ ଏହିଠାରୁ ବହୁ ସଂଖ୍ୟାରେ ଭୋଟ ପାଇ ଜୟଯୁକ୍ତ ହୋଇଥିଲେ। ଲକ୍ଷ୍ନୌରେ ୫ମ ଚରଣ ମତଦାନ ହେବାକୁ ରହିଛି। ଅପ୍ରେଲ ୧୮ ତାରିଖ ହେଉଛି ନାମାଙ୍କନ ଭରିବାର ଅନ୍ତିମ ଦିନ।
ମହିଳା ମାନଙ୍କ ମସ୍ଜିଦ୍ ପ୍ରବେଶ ଏବଂ ପ୍ରାର୍ଥନା ଉପରେ ରହିଥିବା କଟକଣାକୁ ନେଇ ଦାୟର କରାଯାଇଥିବା ଏକ ମାମଲାକୁ ଗ୍ରହଣ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଜନୈକ ମହାରାଷ୍ଟ୍ର ଦମ୍ପତ୍ତି ମୁସଲିମ ମହିଳାଙ୍କ ମସ୍ଜିଦ୍ରେ ପ୍ରାର୍ଥନା ଉପରେ ରହିଥିବା କଟକଣା ଉଠାଇବାକୁ ନେଇ ଆବେଦନ କରିଥିଲେ। ମଙ୍ଗଳବାର ଏହି ମାମଲାକୁ ଗ୍ରହଣ କରିଛନ୍ତି ଏସ୍ ଏ ବୋବଡେ ଏବଂ ଏସ୍ ଅବ୍ଦୁଲ୍ ନଜୀରଙ୍କ ଦ୍ବାରା ଗଠିତ ଖଣ୍ଡପୀଠ। ନିକଟରେ ସବ୍ରିମାଳାରେ ମହିଳାଙ୍କ ପ୍ରବେଶ ନେଇ ରାୟ ଶୁଣାଇ ଥିବାରୁ ଏହି ମାମଲା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଖଣ୍ଡପୀଠ। ମୁମ୍ବାଇ ହାଜି ଅଲୀ ଦର୍ଘାରେ ମହିଳାଙ୍କ ପ୍ରବେଶକୁ ନେଇ ପୁଣେର ଦମ୍ପତ୍ତି ୟାସ୍ମିନ୍ ଜୁବେର ଅହମ୍ମଦ ଏବଂ ଜୁବେର ଅହମ୍ମଦଙ୍କ ପକ୍ଷରୁ ଏହି ଆବେଦନ କରାଯାଇଛି। ଏହା ସଂଖ୍ୟାଲଘୁ ମହିଳାଙ୍କ ଅଧିକାର କ୍ଷୁର୍ଣ୍ଣ କରୁଛି ବୋଲି କୋର୍ଟ କହିବା ସହିତ ଏ ନେଇ କେନ୍ଦ୍ର ସରକାର ଏବଂ ମୁସଲିମ ବୋର୍ଡ ମାନଙ୍କୁ ଏକ ନୋଟିସ୍ ଜାରି କରିଛନ୍ତି।
ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ସରିଯାଇଥିବାବେଳେ ଦ୍ବିତୀୟ ପର୍ଯ୍ୟାୟ ହେବାକୁ ରହିଛି। ଚାରିଆଡେ ନିର୍ବାଚନୀର ମାହୋଲ୍। ଉଭୟ ପ୍ରତିପକ୍ଷଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ନିର୍ବାଚନୀ ଗରମ୍ ମାହୋଲ୍ରେ ବିପକ୍ଷ ଦଳଙ୍କ ନେତାଙ୍କ ଦେଖାସାକ୍ଷାତ୍କୁ ଦେଖିଲେ ଭାରତୀୟ ରାଜନୀତିରେ ସୁନ୍ଦରତାକୁ ଦର୍ଶାଇଥାଏ। କଂଗ୍ରେସ ସାଂସଦ ତଥା ତିରୁଅନନ୍ତପୁରମ୍ର କଂଗ୍ରେସ ପ୍ରାର୍ଥୀ ଶଶି ଥରୁର୍ ସୋମବାର ଦିନ ମନ୍ଦିରରେ ତୁଳାଭରମ୍ ପୂଜା କରିବା ସମୟରେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଏହି ଦୁର୍ଘଟଣାରେ ସେ ଗମ୍ଭୀର ରୂପରେ ଆହତ ହୋଇଛନ୍ତି। ଏପରିକି ତାଙ୍କ ମୁଣ୍ଡରେ ୬ଟି ଷ୍ଟିଜ୍ ପଡିଛି। ଆଜି ଅର୍ଥାତ୍ ଏପ୍ରିଲ୍ ୧୬ ମଙ୍ଗଳବାର ଦିନ ଭାରତର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତରାମଣ ଆଜି ତାଙ୍କୁ ଦେଖିବାକୁ ହସ୍ପିଟାଲ୍ରେ ପହଞ୍ଚିଛନ୍ତି। କଂଗ୍ରେସ ସାଂସଦ ଶଶି ଥରୁର୍ଙ୍କ ସହ ବାର୍ତ୍ତାଳାପ କରି ତାଙ୍କ ଭଲ ମନ୍ଦ ବୁଝିଥିଲେ। ତେବେ ଏହାକୁ ନେଇ ଶଶି ଥରୁର୍ ଏକ ଟୁଇଟ କରିଛନ୍ତି। ତାଙ୍କ ସହ ସୀତାରମଣଙ୍କ ସାକ୍ଷାତ ସମୟର ଏକ ଫଟୋକୁ ସେୟାର କରିବା ସହିତ ଶଶୀ ଲେଖିଛନ୍ତି ଯେ, କେନ୍ଦ୍ରୀୟ ମନ୍ତ୍ରୀ ସୀତାରମଣଙ୍କ ଏହି ସ୍ବଭାବରେ ସେ ବହୁତ ଭାବବିହ୍ବଳିତ ହୋଇଛନ୍ତି, ଆଜିର ନିର୍ବାଚନୀ ବ୍ୟସ୍ତତା ଭିତରୁ ସମୟ ବାହାର କରି ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ ଜାଣିବା ପାଇଁ ହସ୍ପିଟାଲ୍ ଆସିଛନ୍ତି। ତାଙ୍କର ଏହି ସ୍ବଭାବକୁ ଭାରତୀୟ ରାଜନୀତିରେ ଶିଷ୍ଟାଚାରର ଏକ ଉଦାହରଣ ବୋଲି ଅଭିହିତ କରିଛନ୍ତି ଶଶୀ ଥରୁର୍।
ସାଗରିକା
ନାରୀ ଜୀବନର ପ୍ରତିଟି ପାହାଚରେ ନିଜକୁ ପ୍ରମାଣିତ କରି ଆସିଛି। ହାଣ୍ଡିଶାଳରୁ ଆରମ୍ଭ କରି ରାଜନୀତିର ପଶାପାଲିରେ ବାଜିମାତ୍ କରିଛି। ସାଧାରଣ ରୋଷେଇ ଘରରୁ ବାହାରି ଅନ୍ତର୍ଜାତୀୟ ସ୍ତରରେ ନିଜକୁ ପ୍ରତିପାଦନ କରାଉଛି। ଠିକ୍ ସେହିପରି ଆଜିର ନିର୍ବାଚନରେ ମହିଳା ଭୋଟର୍ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଥିବାବେଳେ ସମ୍ପ୍ରତି ରାଜନୈତିକ କ୍ଷମତା କିନ୍ତୁ ପୁରୁଷଙ୍କ କବ୍ଜାରେ ରହିଛି। ଦକ୍ଷିଣ ଭାରତ ଏବଂ ଉତ୍ତର ପୂର୍ବରେ ପୁରୁଷଙ୍କ ଠାରୁ ମହିଳାମାନେ ଅଧିକା ଭୋଟ ଦେଇ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଜୀବନର ପ୍ରତିଟି ପାହାଚରେ ଭାରତୀୟ ମହିଳାମାନେ ଉଚ୍ଚ ପଦବୀରେ ଆସୀନ ହୋଇଛନ୍ତି। ସ୍ଵତନ୍ତ୍ର ଲକ୍ଷ୍ୟ ସାଧନ ଅନୁସାରେ ଉତ୍ତରପ୍ରଦେଶରେ ୧୯୬୩ରୁ ୧୯୬୭ ଯାଏଁ ସୁଚେତା କୃପାଳିନୀଙ୍କ ଠାରୁ ନେଇ ୨୦୧୪ରେ ଗୁଜୁରାଟର ଆନନ୍ଦି ବେନ ପଟେଲ ଓ ଆଜିର ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରି ଭାରତ ବର୍ଷରେ ୧୫ ଜଣ ମହିଳା ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ସୁଷମା ସ୍ଵରାଜ ଏବଂ ନିର୍ମଳା ସିତାରମଣଙ୍କ ଭଳି ନାରୀ ନେତ୍ରୀମାନେ ଆଜିର ସମୟରେ ବହିର୍ବ୍ୟାପାର ମନ୍ତ୍ରୀ ଏବଂ ରକ୍ଷା ମନ୍ତ୍ରୀ ଭାବେ ରହି ଆସିଛନ୍ତି। ତେବେ ପ୍ରଥମ ରକ୍ଷାମନ୍ତ୍ରୀ ଓ ବର୍ହିବ୍ୟାପାର ମନ୍ତ୍ରୀ ଭାବେ ଭାରତର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧି ଏହି ସ୍ଥାନ ଅଳଙ୍କୃତ କରିଥିଲେ। ସେହିପରି ଓଡ଼ିଶାର ରାଜନୀତିରେ ମଧ୍ୟ ମହିଳା ନେତ୍ରୀଙ୍କର କମ୍ ପ୍ରଭାବ ନାହିଁ। ମାଳତୀ ଚୌଧୁରୀଙ୍କଠାରୁ ଆରମ୍ଭ କରି ଓଡ଼ିଶାର ପ୍ରଥମ ଓଡ଼ିଆ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ପର୍ଯ୍ୟନ୍ତ ପ୍ରାୟ ସମେସ୍ତ ନିଜ ନେତୃତ୍ବର ପରାକାଷ୍ଠା ଦେଖାଇଛନ୍ତି। ସମ୍ପ୍ରତି ଚଳିତ ଲୋକସଭା ନିର୍ବାଚନରେ ଓଡ଼ିଶାରେ ପ୍ରମୁଖ ରାଜନୈତିକ ଦଳମାନେ ମହିଳା ପ୍ରାର୍ଥୀଙ୍କ ଉପରେ ଜୋର୍ ଦେଇଛନ୍ତି। କିନ୍ତୁ ପ୍ରକୃତ ନିର୍ବାଚନୀ ଶକ୍ତିକୁ ଦେଖିବାକୁ ଗଲେ ନିର୍ବାଚନରେ ସାଧାରଣତଃ ପୁରୁଷଙ୍କ ଦବଦବା ରହିଆସିଛି। ମୋଟ ଉପରେ ସେଠାରେ ୪୬,୭୦୦୪୮୬୧ ପୁରୁଷ ଭୋଟରଙ୍କ ତୁଳନାରେ ୪୩,୧୬୮୯୭୨୫ ମହିଳା ଭୋଟର ରହିଛନ୍ତି। କିନ୍ତୁ ନିର୍ବାଚନୀ ତଥ୍ୟ କହୁଛି ଆନ୍ଧ୍ରପ୍ରଦେଶ ଏବଂ ମିଜୋରାମ ଭଳି ଅଧ ଡଜନରୁ ଅଧିକ ରାଜ୍ୟ ଅଛନ୍ତି ଯେଉଁଠାରେ ପୁରୁଷ ଭୋଟର ତୁଳନାରେ ମହିଳା ଭୋଟର ଅଧିକ ଅଛନ୍ତି। ତେଣୁ ସଂଖ୍ୟା ଗରିଷ୍ଠତା ରେ ମହିଳା ସଶକ୍ତିକରଣ ଯାହା ଦକ୍ଷିଣାଞ୍ଚଳ ଏବଂ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡିକ ରେ ସରକାର ଗଠନ ରେ ମହିଳା ମାନେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତି।
ଭାରତୀୟ ନିର୍ବାଚନ କମିଶନଙ୍କ ଅନୁଯାୟୀ ୨୦୧୯ ଲୋକସଭା ନିର୍ବାଚନରେ ଆନ୍ଧ୍ରପ୍ରଦେଶ, କେରଳ, ତାମିଲନାଡୁ, ପୁଡୁଚେରି, ଗୋଆ, ମଣିପୁର ଏବଂ ମିଜୋରାମରେ ମହିଳାମାନେ ତାଙ୍କ ପ୍ରତିପକ୍ଷଙ୍କୁ ପଛରେ ପକାଇ ଦେଇଛନ୍ତି।
ଆନ୍ଧ୍ରପ୍ରଦେଶରେ ମଧ୍ୟ ୧୮,୩୨୪୫୮୮ ପୁରୁଷ ଭୋଟର ତୁଳନା ରେ ୧୮,୬୦୪୭୪୨ ମହିଳା ଭୋଟର ରହିଛନ୍ତି । ଅନ୍ୟ ଏକ ଦକ୍ଷିଣାଞ୍ଚଳ ରାଜ୍ୟ କେରଳ ରେ ମହିଳା ମାନେ ଭୋଟର ତାଲିକା ରେ ପୁରୁଷ ମାନଙ୍କୁ ପଛରେ ପକାଇ ଦେଇଛନ୍ତି। ତଥ୍ୟ ଅନୁଯାୟୀ କେରଳ ରେ ୧,୨୨୯,୭୪୩ ପୁରୁଷ ଭୋଟର ତୁଳନାରେ ୧୩,୧୧୧,୧୮୯ ଜଣ ମହିଳା ଭୋଟର ରହିଛନ୍ତି।
ସେହିପରି ତାମିଲନାଡୁରେ ସଂଖ୍ୟା ରେ ମହିଳା ମାନେ ତାଙ୍କ ପ୍ରତିପକ୍ଷ ଠାରୁ ଆଗରେ ରହି ଆସିଛନ୍ତି। ସେଠାରେ ୨୯,୮୬୦,୭୬୫ ଜଣ ମହିଳା ଭୋଟର ଅଛନ୍ତି ଏବଂ ପୁରୁଷ ଭୋଟରଙ୍କ ସଂଖ୍ୟା ହେଉଛି ୨୯,୨୫୬,୯୬୦। ତାମିଲନାଡୁ ର ପଡୋଶୀ କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରି ମଧ୍ୟ ଏହି ସୂଚୀ ରେ ସାମିଲ ଯେଉଠି ୫୦୬,୩୨୦ ଜଣ ମହିଳା ଭୋଟର ତୁଳନାରେ ୪୫୩,୧୫୩ ଜଣ ପୁରୁଷ ଭୋଟର ରହିଛନ୍ତି।
ପର୍ଯ୍ୟଟକଙ୍କ ସ୍ଵର୍ଗ ଗୋଆରେ ମଧ୍ୟ ସମାନ ଅବସ୍ଥା। ସେଠାରେ ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର ଅଧିକା ଅଛନ୍ତି। ସେଠାରେ ୫୭୫,୧୩୫ ଜଣ ମହିଳା ଭୋଟର ଥିବା ବେଳେ ୫୫୧,୫୯୭ ଜଣ ପୁରୁଷ ଭୋଟର ରହିଛନ୍ତି।
ଦକ୍ଷିଣରେ ଥିବା ଦୁଇ ଉତ୍ତର ପୂର୍ବ ରାଜ୍ୟ ମଣିପୁର ଓ ମିଜୋରାମରେ ମହିଳାଙ୍କ ଭୋଟ ଜରୁରୀ ହୋଇ ପଡେ। ସେଠାରେ ମହିଳାମାନେ ତାଙ୍କ ଭୋଟ ଦ୍ଵାରା ରାଜନୈତିକ ସମୀକରଣ ବଦଳାଇ ପାରିବାର ଯଥେଷ୍ଟ ଶକ୍ତି ରଖନ୍ତି। ମହିଳାଙ୍କ ସଂଖ୍ୟା ମଣିପୁର ରେ ୯୯୦,୯୬୦ ଥିବା ବେଳେ ପୁରୁଷଙ୍କ ସଂଖ୍ୟା ୯୩୯,୯୨୬ ରହିଛି ଏବଂ ମିଜୋରାମ ରେ ମହିଳା ଭୋଟରଙ୍କ ସଂଖ୍ୟା ୪୦୨,୪୦୮ ଜଣ ଥିବାବେଳେ ପୁରୁଷଙ୍କ ସଂଖ୍ୟା ୩୮୧,୯୯୧ ରହିଛି । କିନ୍ତୁ ଆଶ୍ଚର୍ଯ୍ୟ ର କଥା ଯେ ମିଜୋରାମ କୁ ଏକ ପୁରୁଷ କୈନ୍ଦ୍ରିକ ସମାଜ ଭାବେ ଗଣା ଯାଏ।
ମେଘାଳୟରେ ସାମାଜିକ ଭାବରେ ମହିଳାମାନେ ଉତ୍ତରାଧିକାରୀ ସୂତ୍ର ରେ ଏବଂ ପାରମ୍ପରିକ ବିବାହ ପ୍ରଥା ରେ ଅଧିକା ଶକ୍ତି ଭୋଗ କରୁଥିବା ମହିଳା ଭୋଟର ଙ୍କ ସଂଖ୍ୟା ୯୩୯,୯୨୬ ଜଣ ପୁରୁଷଙ୍କ ତୁଳନା ରେ ୯୫୬,୧୩୬ ଜଣ ରହିଛି । ସମ୍ପ୍ରତି ୨୦୧୯ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମଧ୍ୟ ପୁରୁଷଙ୍କଠାରୁ ମହିଳାମାନେ ଅଧିକ ପରିମାଣରେ ମତଦାନ ଦେଇଥିବାର ଲକ୍ଷ୍ୟ କରାଯାଇଛି।
ବିବାଦୀୟ ମନ୍ତବ୍ୟ ପାଇଁ ନିର୍ବାଚନ ଆୟୋଗ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ବିଏସ୍ପି ମୁଖ୍ୟ ମାୟାବତୀଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଇବା ପରେ ଆଜମ ଖାନ ଓ ମାନେକା ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ଉପରେ ମଧ୍ୟ କଟକଣା ଲଗାଇଛନ୍ତି। ଆଜମ ଖାନଙ୍କ ଉପରେ ୭୨ ଘଣ୍ଟା ପାଇଁ କଟକଣା ଲଗାଯାଇଥିବା ବେଳେ ମାନେକା ଗାନ୍ଧୀଙ୍କ ଉପରେ ୪୮ ଘଣ୍ଟା ପାଇଁ କଟକଣା ଲଗାଯାଇଛି। ଏପ୍ରିଲ ୧୬ ତାରିଖ ସକାଳ ୧୦ଟାରୁ ଏହି କଟକଣା କାର୍ଯ୍ୟକାରୀ ହେବ। ଆଜମ ଖାନ୍ ଜୟପ୍ରଦାଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ସେହିପରି ମାନେକା ଗାନ୍ଧୀ ଏକ ରାଲିରେ ନିର୍ଦିଷ୍ଟ ଧର୍ମର ଲୋକଙ୍କୁ କିଛି ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି। ଦେଶରେ ନିର୍ବାଚନୀ ସମୟରେ ଆଚାର ସଂହିତା ଲାଗୁ ହୋଇଥିବାବେଳେ ନିର୍ବାଚନୀ ସଂସ୍କାର ପାଇଁ ନିର୍ବାଚନ ଆୟୋଗ ବେଶ୍ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ତେବେ ଏହି ଘଟଣାରେ ସୁପ୍ରିମ୍କୋର୍ଟ ତରଫରୁ ମଧ୍ୟ ଇସିଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ପ୍ରଶ୍ନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଇସି ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ମୋବାଇଲ ଫାଟି ତିନି ଗୁରୁତର
ସୁବର୍ଣ୍ଣପୁର ବିନିକାରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ ଫାଟିବାରୁ ତିନି ଜଣ ବାଳକ ଗୁରୁତର ହୋଇପଡ଼ିଛନ୍ତି। ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସମସ୍ତଙ୍କୁ ଡୁଙ୍ଗୁରିପାଲି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳେ ଡୁଙ୍ଗୁରିପାଲି ଅନ୍ତର୍ଗତ ଅଡାକଷା ଗ୍ରାମର ତିନି ଜଣ ବାଳକ ଏକ ମୋବାଇଲରେ ଖେଳୁଥିଲେ। ଏହି ସମୟରେ ମୋବାଇଲ ଫାଟିଯିବାରୁ ପିଲାମାନେ ଗୁରୁତର ହୋଇପଡ଼ିଥିଲେ। ସମସ୍ତଙ୍କୁ ଡୁଙ୍ଗୁରିପାଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପିଲାମାନଙ୍କ ପରିଚୟ ଜଣାପଡ଼ି ନାହିଁ।
ଆଜି ସମ୍ବଲପୁରରେ ନିର୍ବାଚନୀ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି ଅବସରରେ ଉଭୟ କଂଗ୍ରେସ ଏବଂ ବିଜେଡି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ପ୍ରଥମେ ସମ୍ବଲପୁରୀ ଭାଷାରେ ସଭାକୁ ସମ୍ବୋଧନ କରି ଓଡ଼ିଶା ଆସିବା ତାଙ୍କ ପାଇଁ ଏକ ତୀର୍ଥଯାତ୍ରା ବୋଲି କହିଛନ୍ତି। ସେହିପରି ଦିଲ୍ଲୀରେ ପୁଣିଥରେ ମୋଦି ସରକାର ଓ ଓଡ଼ିଶାରେ ବିଜେପି ସରକାର ହେବା ନେଇ ବେଶ୍ ଦୃଢୋକ୍ତି ପ୍ରକାଶ କରିଛନ୍ତି ମୋଦି। ସ୍ୱାଧୀନତାର ଏତେ ବର୍ଷ ପରେ ବି ଓଡ଼ିଶା ଲୋକ ଗରିବ ରହିଛନ୍ତି। ଏଠାରେ ବିଦ୍ୱେଷ, ଅସମାନତା ଭାବ ସୃଷ୍ଟି କରାଯାଇଛି। ଏଠାରେ ମହାନଦୀ, ହୀରାକୁଦ ପରି ଜଳ ସଂପଦ ରହିଛି। ଏମ୍ଏସପି ବଢ଼ାଯାଇଛି। ରାଜ୍ୟ ସେହି ଲାଭ ଚାଷୀଙ୍କୁ ଦେଉନାହିଁ। ଏଠାରେ ପିଏମ୍ କିଷାନରେ ଚାଷୀମାନେ ଲାଭ ପାଉ ନାହାନ୍ତି। ସେ କହିଛନ୍ତି ଯେ, ଓଡ଼ିଶାରେ ବି ବିଜେପି ସରକାର ହେବା ଜଣାପଡ଼ିଯାଇଛି। ମୋଦି ସରକାର ଆସିଲେ ଚାଷୀଙ୍କ ଖାତାକୁ ସିଧା ଟଙ୍କା ଯିବ। କୌଣସି ଦଲାଲ ଚାଷୀଙ୍କ ଟଙ୍କାରେ ହାତ ମାରିପାରିବ ନାହିଁ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି ଯେ, ଅଟଳ ବିହାରୀଙ୍କ ସରକାର ବେଳେ ଆଦିବାସୀ ମନ୍ତ୍ରାଳୟ ହୋଇଥିଲା। ନୂଆ ସରକାର ଆସିବା ପରେ ମତ୍ସ୍ୟ ମନ୍ତ୍ରାଳୟ ହେବ। ମତ୍ସ୍ୟ ସଂପଦ ଯୋଜନାରେ ୧୦ହଜାର କୋଟି ଖର୍ଚ୍ଚ ହେବ। ମାଛଚାଷୀଙ୍କୁ କିଷାନ କ୍ରେଡିଟ କାର୍ଡରେ ସାମିଲ କରାଯିବ। ଯେଉଁମାନେ କେବଳ ପିସି ଖାଇବା ପାଇଁ ରହିଛନ୍ତି ସେମାନେ ସାଧାରଣ ଜନତାର ଉନ୍ନତିର ଚିନ୍ତା କରିବେନି। ଖଣି ଏବଂ ଚିଟଫଣ୍ଡ ମାଫିଆଙ୍କୁ ସରକାର ପ୍ରଶ୍ରୟ ଦେଉଛନ୍ତି। ଏଠାରେ ଆଦିବାସୀଙ୍କ ସହ ଧୋକା ହେଉଛି। ବିଜେପି ସରକାର ଖଣି ଖୋଦନ ନିୟମ ପରିବର୍ତନ କରିଥିଲେ। ଡିଏମଏଫ ଆରମ୍ଭ କରିଥିଲେ। ଓଡିଶାକୁ ୬୦୦୦ କୋଟି ମିଳିଲା। କିନ୍ତୁ ଖର୍ଚ୍ଚ ହୋଇପାରିଲା ନାହିଁ। କୌଣସୀ ବିକାଶମୂଳକ କାମ ହୋଇପାରିଲା ନାହିଁ। ପୁନଶ୍ଚ ଚାଉଳ ଗୁମର ବିଷୟରେ ମୋଦି କହିଛନ୍ତି ଯେ, ଏଠାକାର ସରକାର ଚତୁରତାର ସହ କାମ କରୁଛନ୍ତି। ୧ ଟଙ୍କାରେ ଯେଉଁ ଚାଉଳ ଗରୀବଙ୍କୁ ମିଳୁଛି ସେଥିରୁ ୨୯ ଟଙ୍କା କେନ୍ଦ୍ର ଦେଉଛି। ରାଜ୍ୟ ମାତ୍ର ୨ଟଙ୍କା ଦେଉଛନ୍ତି। ଏବଂ କହୁଛନ୍ତି କି ଓଡିଶା ସରକାର ଦେଉଛନ୍ତି ବୋଲି କହିଛନ୍ତି ମୋଦି। ସେହିପରି ବିଜେପିକୁ ଭୋଟ୍ ଦେବା ପାଇଁ ଅପିଲ୍ କରି କହିଛନ୍ତି ଯେ, ମୋଦି ସରକାର ହେବା ପରେ ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ମିଳିବ, ଗତ ୫ ବର୍ଷରେ ଓଡ଼ିଶାର ଗ୍ରାମରେ ୧୨ ଲକ୍ଷ ପକ୍କା ଘର ମିଳିଛି। ଆୟୁଷ୍ମାନ ଯୋଜନା ଲାଗୁ ହେବ। ଗରିବ ପରିବାରକୁ ୫ଲକ୍ଷ ଟଙ୍କାର ମାଗଣା ସ୍ୱାସ୍ଥ୍ୟସେବା ମିଳିବ। ଭୁବନେଶ୍ୱର ଏବଂ ଦିଲ୍ଲୀରେ ଡବଲ ଇଂଜିନ ସରକାର ହେବ ବୋଲି କହିଛନ୍ତି ମୋଦି।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ପୂର୍ବତନ ହରିୟାଣା ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲାଙ୍କ ୩.୬୮ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି। ଇଡି ପକ୍ଷରୁ ଚୌତାଲାଙ୍କର ଏକ ଫ୍ଲାଟ୍, ଜମି ଏବଂ ବିଭିନ୍ନ ସ୍ଥାନରେ ରହିଥିବା ଘର ଜବତ କରାଯାଇଛି। ଇଡି ପକ୍ଷରୁ ଜବତ କରାଯାଇଥିବା ଜମି ଏବଂ ଘର ଗୁଡିକ ଦିଲ୍ଲୀ, ପଞ୍ଚକୁଲ୍ଲା ଏବଂ ଶୀର୍ଷାରେ ରହିଛି ବୋଲି ଇଡି ପକ୍ଷରୁ ସୂଚନା ଦିଆଯାଇଛି। ଅର୍ଥ ହେରଫେର ମାମଲା ନେଇ ଚୌତାଲାଙ୍କ ବିପକ୍ଷରେ ଇଡି ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି। ଏହା ସହିତ ସିବିଆଇ ପକ୍ଷରୁ ମଧ୍ୟ ଚୌତାଲାଙ୍କ ନାମରେ ଏକ ଅର୍ଥ ହେରଫେର ମାମଲା ରୁଜୁ କରାଯାଇଛି। ସିବିଆଇ ପକ୍ଷରୁ ଦାୟର କରାଯାଇଥିବା ଅଭିଯୋଗ ପତ୍ରରେ ଓମ୍ ପ୍ରକାଶଙ୍କ ବ୍ୟତିତ ଅଜୟ ଚୌତାଲା ଏବଂ ଅଭୟ ଚୌତାଲାଙ୍କ ନାମ ମଧ୍ୟ ରହିଛି। ସୂଚନାଯୋଗ୍ୟ ଯେ, ୧୯୯୩ରୁ ୨୦୦୬ ପର୍ଯ୍ୟନ୍ତ କ୍ଷମତାରେ ରହିଥିବା ଚୌତାଲାଙ୍କ ବିପକ୍ଷରେ ୬ କୋଟି ୯୭ ଲକ୍ଷ ୯୦୨୬ ଟଙ୍କା ଅନୈତିକ ଉପାୟରେ ଅର୍ଜନ କରିବା ନେଇ ଅଭିଯୋଗ ଆସିଥିଲା। ଜୁଲାଇ ୧୭, ୨୦୧୮ରେ ସିବିଆଇର ସ୍ବତନ୍ତ୍ର କୋର୍ଟ ସାମ୍ନାରେ ହାଜର ହୋଇଥିବା ବେଳେ ୪.୧୫ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଥିଲା।
ରାଜଧାନୀର ଏକ ସରକାରୀ କ୍ବାର୍ଟର୍ସରେ ଚାଲିଥିଲା ବନ୍ଧୁକ ତିଆରି କାରଖାନା। କମିଶନରେଟ ପୁଲିସ ଏହି କାରଖାନାକୁ ଠାବ କରିଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ(ଓୟୁଏଟି)ର ଜଣେ କର୍ମଚାରୀ ଉକ୍ତ କ୍ବାର୍ଟର୍ସରେ ରହୁଥିଲେ। ଖବର ପାଇ ପୁଲିସ ଚଢ଼ାଉ କରିଥିଲା। କ୍ବାର୍ଟର୍ସରୁ ୩ଟି ଅର୍ଦ୍ଧନିର୍ମିତ ବନ୍ଧୁକ ସହ ବନ୍ଧୁକ ତିଆରି ପାଇଁ ଦରକାର ପଡ଼ୁଥିବା ସରଞ୍ଜାମ, ବିପୁଳ ପରିମାଣରେ ବାରୁଦ ଓ ଗୁଳି ପୁଲିସ ଜବତ କରିଛି।
ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କ ହତ୍ୟା ମାମଲାରେ କେନ୍ଦ୍ରାଞ୍ଚଳ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ ତଦନ୍ତ ତଦାରଖ କରିବେ ବୋଲି ଡିଜିପି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି। ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଏକ ଟିମ ତଦନ୍ତ ସହାୟତା ପାଇଁ ପହଂଚିଛି। ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା ଚାଲିଥିବା ଡଜିପି କହିଛନ୍ତି। ବିଜେପିର ମଣ୍ଡଳ ସଭାପତି ମଙ୍ଗୁଳି ଜେନା ଗତକାଲି ରାତ୍ରରେ ଦୁର୍ବୁତ୍ତଙ୍କ ଗୁଳିର ଶିକାର ହୋଇଥିଲେ। ବିଜେପି ଏହି ଘଟଣାରେ ବିଜେଡ଼ିକୁ ଦାୟୀ କରିଥିଲା। ତେବେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ ନିନ୍ଦା କରିବା ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଇସିଙ୍କୁ ନିବେଦନ କରିଥିଲେ।