ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓ ହାପ୍ଟିକ୍ର ୮୭ ପ୍ରତିଶତ ଅଂଶଧନ କ୍ରୟ କରିଛି। ୭୦୦ କୋଟି ମୂଲ୍ୟରେ କମ୍ପାନୀ ଏହି ୮୭ ପ୍ରତିଶତ ଅଂଶଧନ କିଣିଥିବା ବେଳେ ପ୍ରାରମ୍ଭିକ ଭାବରେ ହାପ୍ଟିକକୁ ୨୩୦ କୋଟି ପ୍ରଦାନ କରିଛି ଜିଓ। ବଳକା ୪୭୦ କୋଟିର ଅର୍ଥରାଶି ଆସନ୍ତା ୫ ବର୍ଷ ମଧ୍ୟରେ ପ୍ରଦାନ କରାଯିବ ବୋଲି ଜଣାପଡିଛି। କମ୍ପାନୀର ବଳକା ୧୩ ପ୍ରତିଶତ ଅଂଶଧନ କମ୍ପାନୀର ପ୍ରତିଷ୍ଠାତା ଅକ୍ରିତ୍ ବୈଶ ଏବଂ କିଛି କର୍ମଚାରୀଙ୍କ ନିକଟରେ ରହିବ। ଏହି କମ୍ପାନୀ ଅଧିଗ୍ରହଣ ପରେ ଖୁବ୍ଶୀଘ୍ର ଜିଓ ନିଜର ସ୍ବତନ୍ତ୍ର ଆପ୍ର ଲଞ୍ଚ କରିବ ବୋଲି ଜିଓର ନିର୍ଦ୍ଦେଶକ ଆକାଶ ଅମ୍ବାନୀ କହିଛନ୍ତି। ସ୍ବଦେଶୀ ବୈଷୟିକ କୌଶଳ ବ୍ୟବହାର କରି ଆମାଜନ୍ର ଆଲେକ୍ସା କିମ୍ବା ଆପଲ୍ର ସିରି ପରି ଏହି ଆପ୍ ହେବ ଯେଉଁଥିରେ କି ବିଭିନ୍ନ ଭାରତୀୟ ଭାଷା ଅନ୍ତର୍ଭୁକ୍ତ ରହିବ ବୋଲି ଶ୍ରୀ ଅମ୍ବାନୀ ପ୍ରକାଶ କରିଛନ୍ତି। ବିଗତ ଦୁଇ ମାସ ମଧ୍ୟରେ ରିଲାଏନ୍ସ ଜିଓର ଏହା ଷଷ୍ଠ ଷ୍ଟାର୍ଟଅପ୍ ଅଧିଗ୍ରହଣ। ୨୦୧୭-୧୮ ଆର୍ଥିକ ବର୍ଷରେ ହାପ୍ଟିକ୍ର ଆୟ ୪.୬ କୋଟି ରହିଥିଲା ଏବଂ କମ୍ପାନୀ ୨୨.୫ କୋଟିର କ୍ଷତି ସହିଥିଲା।
Tag: thesamikhsya
ପିପିଲି, ଖୋର୍ଦ୍ଧା ଓ ଖଣ୍ଡପଡ଼ା ଆସନ ପାଇଁ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। ପିପିଲି ପାଇଁ ଦଳ ପକ୍ଷରୁ ଅଜିତ ମଙ୍ଗରାଜ ପ୍ରାର୍ଥୀ ହୋଇଥିବା ବେଳେ ଖୋର୍ଦ୍ଧା ପାଇଁ ସ୍ବାଗତିକା ପଟ୍ଟନାୟକ, ଖଣ୍ଡପଡ଼ା ପାଇଁ ବସନ୍ତ କୁମାର ମହାରଣା ପ୍ରାର୍ଥୀ ହୋଇଛନ୍ତି। ପୂର୍ବରୁ ପିପିଲି ବିଧାନସଭା ଆସନ ପାଇଁ ଦଳ ପକ୍ଷରୁ ଯୁଧିଷ୍ଠିର ସାମନ୍ତରାୟଙ୍କ ନାମ ଘୋଷଣା କରାଯାଇଥିଲା। ମାତ୍ର ବୁଧବାର ଦିନ ସନ୍ଧ୍ୟାରେ ନିର୍ବାଚନ ଲଢିବେ ନାହିଁ ବୋଲି ଶ୍ରୀ ସାମନ୍ତରାୟ ସ୍ପଷ୍ଟ କରିବା ପରେ ଦଳ ପକ୍ଷରୁ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ କରାଯାଇଛି। ଏନେଇ କଂଗ୍ରେସ ପକ୍ଷରୁ ବିଧିବଦ୍ଧ ଭାବରେ ଘୋଷଣା କରାଯାଇନଥିଲେ ମଧ୍ୟ ଉଭୟଙ୍କୁ ଟିକଟ ଦିଆଯାଇଥିବା ନେଇ ପିସିସି ପକ୍ଷରୁ ପ୍ରକାଶ କରାଯାଇଛି ।
ଜୁଆନ୍ ଗୁଆଡିଓଙ୍କ ବିପକ୍ଷରେ ଅପରାଧିକ ମାମଲା
ଭେନେଜୁଏଲାର ବିପକ୍ଷ ଦଳର ମୁଖ୍ୟ ନେତା ଜୁଆନ୍ ଗୁଆଡିଓଙ୍କ ବିପକ୍ଷରେ ଅପରାଧିକ ମାମଲା ରୁଜୁ କରାଯାଇଛି। ଦେଶର ସର୍ବୋଚ୍ଚ କୋର୍ଟରେ ଗୁଆଡିଓଙ୍କ ବିପକ୍ଷରେ ଏହି ମାମଲା ଚାଲିବ ବୋଲି ଜଣାପଡିଛି। ରହିଥିବା ପ୍ରମାଣ ଅନୁଯାୟୀ ଗୁଆଡିଓଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଦେଶଦ୍ରୋହ ଅଭିଯୋଗରେ ଏହି ମାମଲା ରୁଜୁ କରାଯାଇଥିବା ବେଳେ ଆଇନ୍ ବ୍ୟବସ୍ଥା ଅନୁଯାୟୀ ଗୁଆଡିଓଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାରୀ ଦଳର ମୁଖ୍ୟ ଜୁଲିଓ ଗାର୍ସିଆ ଜେର୍ପା କହିଛନ୍ତି। ଗୁଆଡିଓ ଯଦି ଏହି ମାମଲାରେ ସମ୍ପୃକ୍ତ ଥାନ୍ତି ତେବେ ନିଜ କର୍ମର ଦଣ୍ଡ ତାଙ୍କୁ ଭୋଗିବାକୁ ପଡିବ ବୋଲି ବିପକ୍ଷ ଦଳର ଅନ୍ୟତମ ସଦସ୍ୟ ଦିଓସାଡୋ କାବେଲୋ ପ୍ରକାଶ କରିଛନ୍ତି।
ଚମ୍ପୁଆରୁ ମୀନାକ୍ଷୀ ହେଲେ ବିଜେଡି ପ୍ରାର୍ଥୀ
ବିଜେଡି ପକ୍ଷରୁ ଚମ୍ପୁଆ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୀନାକ୍ଷୀ ମହାନ୍ତଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଛି। ଚଳିତ ନିର୍ବାଚନରେ ତ୍ରିମୁଖୀ ଲଢେଇ ଦେଖିବାକୁ ମିଳିବ। ଚମ୍ପୁଆରେ ବିଜେପି ପକ୍ଷରୁ ମୁରଲୀ ଶର୍ମା ପ୍ରାର୍ଥୀ ହୋଇଥିବା ବେଳେ ଯଦୁମଣୀ ବାରିକ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି। ଏହା ସହିତ ବିଜେଡି ବର୍ତ୍ତମାନ ସୁଦ୍ଧା ୧୪୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କେବଳ ବାରିପଦା ଏବଂ କେନ୍ଦ୍ରାପଡା ଆସନ ପାଇଁ ଘୋଷଣା ବାକି ରହିଛି।
ପରେଶ ରାଓ୍ବଲଙ୍କ ସ୍ଥାନରେ ଲଢିବେ ହସମୁଖ ପଟେଲ
ବିଜେପି ସାଂସଦ ପରେଶ ରାଓ୍ବଲଙ୍କ ସ୍ଥାନରେ ପଟିଦାର ନେତା ହସ୍ମୁଖ୍ ଏସ୍ ପଟେଲଙ୍କୁ ପ୍ରାର୍ଥୀ କରିଛି। ପୂର୍ବ ଅହମ୍ମଦାବାଦ ଅଞ୍ଚଳରୁ ସାଂସଦ ରହିଥିବା ରାଓ୍ବଲଙ୍କ ସ୍ଥାନରେ ପଟେଲ ପ୍ରାର୍ଥୀ ହୋଇଥିବା ନେଇ ବିଜେପିର ବରିଷ୍ଠ ନେତା ଜେପି ନଡ୍ଡା ସୂଚନା ଦେଇଛନ୍ତି। ପୂର୍ବ ନିର୍ବାଚନରେ ବିଜୟ ଲାଭ କରିଥିବା ରାଓ୍ବଲ୍ ପୂର୍ବ ସପ୍ତାହରେ ନିର୍ବାଚନରେ ଅଂଶଗ୍ରହଣ କରିବା ନେଇ ମନା କରିଦେଇଥିଲେ। ପ୍ରାର୍ଥୀ ଘୋଷଣା ହେବାର କିଛି ସମୟ ପୂର୍ବରୁ ରାଓ୍ବଲ୍ ଟ୍ବିଟ୍ କରି କହିଛନ୍ତି କି, ମୁଁ ସଦାସର୍ବଦା ମୋଦିଙ୍କ ସମର୍ଥକ ହାେଇ ରହିବି ମାତ୍ର ମୁଁ ନିର୍ବାଚନରେ ଅଂଶଗ୍ରହଣ କରିବି ନାହିଁ ବୋଲି ପୂର୍ବରୁ ଦଳକୁ ଜଣାଇ ସାରିଥିଲି। ପୂର୍ବରୁ ଏହି ଆସନରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରତିଦ୍ବନ୍ଦିତା କରିବେ ବୋଲି କୁହାଯାଉଥିଲା ମାତ୍ର ସେ ଅଗ୍ରାହ୍ୟ କରିବା ପରେ ହସମୁଖ ପଟେଲଙ୍କୁ ଟିକଟ ମିଳିଛି। ଚଳିତ ବର୍ଷ ପୂର୍ବ ଅହମ୍ମଦାବାଦରେ ଦୁଇ ପଟିଦାର ନେତାଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ମିଳିବ। ବିଜେପି ପକ୍ଷରୁ ହସମୁଖ ଏସ୍ ପଟେଲ ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ପକ୍ଷରୁ ଗୀତା ପଟେଲଙ୍କୁ ପ୍ରାର୍ଥୀ କରାଯାଇଛି।
ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନ କମିଶନଙ୍କ ତରଫରୁ ନୋଟିସ ଜାରି କରାଯାଇଛି। ଏକ ନିର୍ବାଚନୀ ରାଲିରେ ଭାରତୀୟ ସେନାକୁ ମୋଦିଜୀଙ୍କ ସେନା ବୋଲି ସମ୍ବୋଧନ କରିବା ପରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଆଣିଥିଲେ ପୂର୍ବତନ ନୌସେନା ମୁଖ୍ୟ ଆଡମିରାଲ୍ ଏଲ୍ ରାମଦାସ। ଏହି ଅଭିଯୋଗ ଅନୁଯାୟୀ ଯୋଗୀଙ୍କୁ ନିର୍ବାଚନ କମିଶନ ନୋଟିସ୍ ଜାରି କରିଛନ୍ତି। ଏପ୍ରିଲ୍ ୫ ତାରିଖ ସୁଦ୍ଧା ଯୋଗୀଙ୍କୁ ନିଜର ଉତ୍ତର ରଖିବା ନିମନ୍ତେ ନିର୍ଦ୍ଦେଷ ଦେଇଛନ୍ତି। ସୂଚନାଯୋଗ୍ୟ ଯ, ଗାଜିଆବାଦରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବା ଅବସରରେ ଯୋଗୀ ଆଦିତ୍ୟନାଥ କହିଥିଲେ, କଂଗ୍ରେସ ଲୋକ ମାନେ ଆତଙ୍କବାଦୀଙ୍କୁ ବିରିୟାନୀ ଖାଇବାକୁ ଦେଉଥିଲେ। ମାତ୍ର ମୋଦିଙ୍କ ସେନା ଆତଙ୍କୀଙ୍କୁ ଗୁଳି ଏବଂ ବୋମା ଦେଉଛନ୍ତି। ଭାରତୀୟ ସେନାକୁ ମୋଦିଙ୍କ ସେନା ବୋଲି ଅଭିହିତ କରିବା ନେଇ ପୂର୍ବତନ ନୌସେନା ମୁଖ୍ୟ ନିଜର ଅସନ୍ତୋଷ ଜାହିର କରିବା ସହିତ ନିର୍ବାଚନ କମିଶନଙ୍କ ନିକଟରେ ନିଜର ଅଭିଯୋଗ ବାଢିଥିଲେ। ନିର୍ବାଚନ କମିଶନ ଏହି ମାମଲାର ତଦନ୍ତ ଆଦେଶ ଦେଇଥିବା ବେଳେ ଗାଜିଆବାଦ ଜିଲ୍ଲା ମୁଖ୍ୟଙ୍କ ଠାରୁ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଭାରତୀୟ ଜନତା ପାର୍ଟି(ବିଜେପି) ବୁଧବାର ୪ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘେଷଣା କରିଛି। ଗତକାଲି ବିଜେପିରେ ମିଶିଥିବା ରଘୁନାଥ ମହାନ୍ତିଙ୍କୁ ଦଳ ବସ୍ତାରୁ ପ୍ରାର୍ଥୀ କରିଥିବା ବେଳେ ଆଉ କିଛି ବିଧାନସଭା ଆସନ ପାଇଁ ଏଯାଏଁ ପ୍ରାର୍ଥୀ ତାଲିକା ଘୋଷଣା କରିନାହିଁ ଦଳ। ଚମ୍ପୁଆ, ଭୋଗରାଇ, ବସ୍ତା ଓ ନିଆଳି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ବସ୍ତାରୁ ରଘୁନାଥ ମହାନ୍ତିଙ୍କୁ ଦଳ ପ୍ରାର୍ଥୀ କରିଛି। ଚମ୍ପୁଆ ପାଇଁ ମୁରଲୀ ଶର୍ମା, ଭୋଗରାଇ ପାଇଁ ମାନସ ମହାନ୍ତି ଏବଂ ନିଆଳିରୁ ଛବି ମଲ୍ଲୀକଙ୍କୁ ଦଳ ପ୍ରାର୍ଥୀ କରିଛି। ଦଳ ପକ୍ଷରୁ କେବଳ କାକଟପୁର ଏବଂ କେନ୍ଦ୍ରାପଡା ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି।
ପତ୍ରକାର ଗୌରୀ ଲଙ୍କେଶ ହତ୍ୟା ଘଟଣାରେ ଆରଏସ୍ଏସ୍ କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ଓ ସିପିଏମ୍ ମହାସଚିବ ସୀତାରାମ ୟେଚୁରୀଙ୍କଠୁ ୧ ଟଙ୍କା କ୍ଷତିପୂରଣ ଦାବି କରିଛି। ଏହି ମାମଲାରେ ମୁମ୍ବାଇର ଥାନେ କୋର୍ଟ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ସିପିଆଇ (ଏମ) ନେତା ସୀତାରାମ ୟେଚୁରୀଙ୍କୁ ଏପ୍ରିଲ ୩୦ ସୁଦ୍ଧା ହାଜର ହେବା ପାଇଁ ସମନ କରିଛନ୍ତି। ୨୦୧୭ ମସିହା ସାମ୍ବାଦିକ ଗୌରୀ ଲଙ୍କେଶ ହତ୍ୟା ମାମଲାରେ ଆରଏସଏସ ଓ ବିଜେପିର ହାତ ଥିବା ନେଇ ରାହୁଲ ଗାନ୍ଧି ଓ ସୀତାରାମ ୟେଚୁରୀ ପ୍ରତିକ୍ରିୟା ରଖିଥିଲେ। ଏହାପରେ ଆରଏସଏସ ସେମାନଙ୍କ ବିରୋଧରେ ମାନହାନି କେସ ଦାୟର କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ୬ ସେପ୍ଚେମ୍ବର ୨୦୧୭ରେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଥିଲେ କି ଯିଏ ବି ଆରଏସଏସ, ବିଜେପି ବିରୋଧରେ କହିବ ସେ ଆକ୍ରମଣ କିମ୍ବା ହତ୍ୟାର ଶିକାର ହେବ। ଏହା ଦେଶର କଣ୍ଠରୋଧ ବୋଲି ସେ କହିଥିଲେ। ଆରଏସଏସ ଦାୟର କରିଥିବା ମାମଲାରେ ଦର୍ଶାଇଛି ଯେ ବିନା କୌଣସି ପ୍ରମାଣରେ ରାହୁଲ ଆରଏସଏସ ଉପରେ ପ୍ରତିକ୍ରିୟା ରଖି ସଂଗଠନର ସମ୍ମାନହାନି କରୁଛନ୍ତି। ଆରଏସଏସ ପକ୍ଷରୁ କୋର୍ଟରେ ପ୍ରଥମଟି ଆରଏସଏସ ବାବଦରେ ବିନା ପ୍ରମାଣରେ କଂଗ୍ରେସ ଓ ସପିଆଇ(ଏମ)ର ନେତା ଓ କର୍ମୀ ପ୍ରତିକ୍ରିୟା ଦେବାରୁ ଦୂରେଇ ରହିବାକୁ ପ୍ରାର୍ଥନା କରାଯାଇଥିବାବେଳେ ଦ୍ବିତୀୟରେ ଏଭଳି ମିଥ୍ୟା ଆରୋପ ପାଇଁ ୧ ଟଙ୍କା କ୍ଷତିପୂରଣ ଦାବି କରିଛି ଆରଏସଏଏସ।
ପ୍ରଥମ ପର୍ଯ୍ୟାୟ ଭୋଟ୍ ଆସନ୍ତା ୧୧ ତାରିଖରେ ହେବାକୁ ଥିବାବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ନାମାଙ୍କନ ପତ୍ର ଦାଖଲ କରାଗଲାଣି। ତେବେ ଓଡ଼ିଶାରେ ରାଜନୈତିକ ଦଳମାନଙ୍କରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଦେଖାଯାଉଥିବାବେଳେ କଂଗ୍ରେସରେ ଆଜି ଏକ ବ୍ୟତିକ୍ରମ ଦେଖାଦେଇଛି। ଟିକେଟ ପାଇ ମଧ୍ୟ ଏଥର ନିର୍ବାଚନ ଲଢ଼ିବେନି ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ। ବେଗୁନିଆରୁ ପୃଥ୍ବୀଙ୍କୁ ପ୍ରାର୍ଥୀ କରିଥିଲା କଂଗ୍ରେସ ତେବେ ବ୍ୟକ୍ତିଗତ କାରଣରୁ ନିର୍ବାଚନ ଲଢ଼ିବେନି ବୋଲି କହିଛନ୍ତି ପୃଥ୍ବୀ, ଏହି ବିଷୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି। ବେଶ୍ କିଛିଦିନ ଧରି ପୃଥ୍ବୀ ବେଗୁନିଆରୁ ନିର୍ବାଚନ ଲଢିବାକୁ ନେଇ ଚର୍ଚ୍ଚାରେ ରହିଥିଲେ। ଏନେଇ ସେ ସିଧାସଳଖ ସୂଚନା ମଧ୍ୟ ଦେଇଥିଲେ। ତେବେ ନିର୍ଣ୍ଣାୟକ ମୁହୂର୍ତ୍ତରେ ପୃଥ୍ବୀ ଟିକେଟ ପାଇ ମଧ୍ୟ ନିର୍ବାଚନ ନ ଲଢିବାର ନିଷ୍ପତ୍ତି ନେବା ପରେ ଏବେ ବେଗୁନିଆରେ କଂଗ୍ରେସର ସମୀକରଣ କ’ଣ ହେବ, ତାହା ଦେଖିବାକୁ ବାକି ରହିଲା।
ବେଙ୍ଗାଲୁରୁରେ ଆଇଫୋନ୍ ନିର୍ମାଣ କରିବ ଆପଲ୍
ବେଙ୍ଗାଲୁରୁରେ ଆପଲ୍ ଏହାର ନୂତନ ଫୋନ୍ ନିର୍ମାଣ କାରଖାନା ସ୍ଥାପନ କରିବ। ଆଇଫୋନ୍ ୭ ନିର୍ମାଣ କରିବା ପାଇଁ ଏହି କାରଖାନା ପ୍ରସ୍ତୁତ କରାଯିବ। ପୂର୍ବରୁ କମ୍ପାନୀ ଚେନ୍ନାଇରେ ଆଇଫୋନ୍ ଏସ୍ଇ ଏବଂ ଆଇଫୋନ୍ ୬ଏସ୍ଇର ନିର୍ମାଣ କରୁଥିଲା। ଆପଲ୍ ପକ୍ଷରୁ କୁହାଯାଇଛି ଯେ, ଭାରତରେ କମ୍ପାନୀ ନିଜର ବ୍ୟବସାୟକୁ ବୃଦ୍ଧି କରିବାକୁ ଚାହୁଁଛି ତେଣୁ ଏହି ପଦକ୍ଷେପ ନେଇଛି ବୋଲି ଆପଲ୍ ଇଣ୍ଡିଆର ସିଇଓ ଆଶିଷ ଚୌଧୁରୀ କହିଛନ୍ତି। ଏହି ନୂତନ ପ୍ରକଳ୍ପ ନିମନ୍ତେ ଆପଲ ୫ ହଜାର କୋଟି ନିବେଶର ଲକ୍ଷ୍ୟ ରଖିଛି ବାେଲି କୁହାଯାଇଛି। ଚେନ୍ନାଇରେ ଆପଲ୍ ଫୋନ୍ ନିର୍ମାଣ କରୁଥିବା କମ୍ପାନୀ ଫକ୍ସକନ୍ ସହିତ ମଧ୍ୟ ଆପଲ୍ ଆଲୋଚନାରତ ରହିଛି ବୋଲି ଆପଲ ଇଣ୍ଡିଆ ସିଇଓ କହିଛନ୍ତି। ଭାରତରେ ଫୋନ୍ ନିର୍ମାଣ ଚୀନ୍ ଠାରୁ ଶସ୍ତା ରହିବ ବୋଲି କୁହାଯିବା ସହିତ ଏହା ଦ୍ବାରା କମ୍ପାନୀ ଭାରତୀୟ ବଜାରରେ ଓ୍ବାନ୍ ପ୍ଲସ୍ ଏବଂ ସାମସଙ୍ଗ ପରି କମ୍ପାନୀକୁ ଟକ୍କର ଦେଇ ପାରିବ। ସୂଚନାଯୋଗ୍ୟ ଯେ, ଭାରତୀୟ ଫୋନ୍ ବ୍ୟବହାରକାରୀଙ୍କ ମଧ୍ୟରେ ମାତ୍ର ୧ ପ୍ରତିଶତ ଲୋକ ଆପଲ୍ର ଫୋନ୍ ବ୍ୟବହାର କରିଥାନ୍ତି।
୪୦୦ ବନ୍ଦୀଙ୍କୁ ମୁକ୍ତ କରିବାକୁ ଭାରତର ଦାବି
ପାକିସ୍ତାନର ବିଭିନ୍ନ ଜେଲ୍ରେ ବନ୍ଦୀ ଥିବା ୪୦୦ ଭାରତୀୟଙ୍କୁ ମୁକ୍ତ କରିବା ଲାଗି ଭାରତ ପାକିସ୍ତାନ ନିକଟରେ ଦାବି କରିଛି। ଏହି ବନ୍ଦୀମାନଙ୍କ ମଧ୍ୟରେ ୩୮୫ ଜଣ ମତ୍ସ୍ୟଜୀବୀ ଏବଂ ୧୫ ଜଣ ଅନ୍ୟ ବନ୍ଦୀ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକଙ୍କ ସଜା ପୂରଣ ହେବାର ସମୟ ବିତିସାରିଥିଲେ ମଧ୍ୟ ସେମାନଙ୍କୁ ଜେଲରେ ରଖାଯାଇଛି। ଏହା ସହିତ ବାରମ୍ବାର ଅନୁରୋଧ ସତ୍ବେ ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବ ଏବଂ ଅନ୍ୟ ୪ ନାଗରିକଙ୍କୁ ସେମାନଙ୍କ ଅଧିକାରୀମାନଙ୍କ ସହ ସାକ୍ଷାତ କରିବାକୁ ସୁଯୋଗ ଦିଆଯାଉ ନ ଥିବାରୁ ନୂଆଦିଲ୍ଲୀ ପକ୍ଷରୁ ପାକ୍ ଦୂତାବାସ ସହ ଯୋଗାଯୋଗ କରାଯାଇଛି। ସୂଚନାଯୋଗ୍ୟ, ପାକ୍ରେ ଥିବା ଭାରତୀୟ ବନ୍ଦୀମାନଙ୍କୁ ମୁକ୍ତ କରିବା ଲାଗି ଭାରତ ପକ୍ଷରୁ ଦୀର୍ଘଦିନ ହେବ ଅନୁରୋଧ କରାଯାଇ ଆସୁଥିଲେ ମଧ୍ୟ ପାକିସ୍ତାନ ତାହା ଉପରେ ବିଚାର କରୁନାହିଁ। ଏହାକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ୧୦ ଜଣ ବନ୍ଦୀଙ୍କ ଦଣ୍ଡାଦେଶ ପୂରଣ ହୋଇସାରିଥିବାରୁ ସେମାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ନୂଆଦିଲ୍ଲୀ ପକ୍ଷରୁ ଦାବି କରାଯାଇଛି। ଏହା ସହ ୩୮୫ ଭାରତୀୟ ମତ୍ସ୍ୟଜୀବୀ, ଯେଉଁମାନଙ୍କ ରାଷ୍ଟ୍ରୀୟତା ଯାଞ୍ଚ ପରେ ସ୍ପଷ୍ଟ ହୋଇଛି ସେମାନଙ୍କୁ ସେମାନଙ୍କ ବୋଟ୍ ସହ ତୁରନ୍ତ ଛାଡ଼ିବାକୁ ଭାରତ କହିଛି।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ ଆଣିଛନ୍ତି ପୂର୍ବତନ ନୌସେନା ମୁଖ୍ୟ ଆଡ୍ମିରାଲ ଏଲ୍ ରାମଦାସ। ଯୋଗୀ ଭାରତୀୟ ସେନାବାହିନୀକୁ ମୋଦିଜୀଙ୍କ ସେନା ବୋଲି କହିଥିବା ମନ୍ତବ୍ୟ ଉପରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛନ୍ତି ରାମଦାସ। ସେ କହିଛନ୍ତି, ସଶସ୍ତ୍ର ବଳ କୌଣସି ବ୍ୟକ୍ତିବିଶେଷଙ୍କର ନୁହେଁ ଏହା ସଦାସର୍ବଦା ଦେଶ ଓ ଦେଶବାସୀଙ୍କ ନିକଟରେ ପ୍ରତିବଦ୍ଧ। ଏପରି ମନ୍ତବ୍ୟ କେବଳ ତାଙ୍କୁ ନୁହେଁ ବରଂ ସେନାରେ କାର୍ଯ୍ୟ କରୁଥିବା ଅନେକ ଲୋକଙ୍କ ଭାବନାକୁ ଆଘାତ ପହଞ୍ଚାଇଛି। ନିର୍ବାଚନ ନ ସରିବା ପର୍ଯ୍ୟନ୍ତ ମୁଖ୍ୟ ନିର୍ବାଚନ କମିଶନ ମୁଖ୍ୟ ହୋଇଥିବାରୁ ମୁ ଁ ତାଙ୍କ ନିକଟରେ ଅଭିଯୋଗ ବାଢିଛି ବୋଲି ରାମଦାସ କହିଛନ୍ତି। ସୂଚନାଯୋଗ୍ୟ ଯ, ଗାଜିଆବାଦରେ ଏକ ନିର୍ବାଚନୀ ରାଲୁିକୁ ସମ୍ବୋଧିତ କରିବା ଅବସରରେ ଯୋଗୀ ଆଦିତ୍ୟନାଥ ଭାରତୀୟ ସେନାକୁ ମୋଦିଙ୍କ ସେନା ବୋଲି ଅଭିହିତ କରିଥିଲେ। ରାମଦାସଙ୍କ ସହିତ ଅନ୍ୟତମ ଅବସରପ୍ରାପ୍ତ ଲ୍ୟୁଟ୍ନାଣ୍ଟ ଜେନେରାଲ୍ ଏଚ୍ ଏସ୍ ପନାଗ ମଧ୍ୟ ନିଜର ନିରାଶା ବ୍ୟକ୍ତ କରିଛନ୍ତି। ପନାଗ କହିଛନ୍ତି, ସେନାକୁ ସର୍ବଦା ରାଜନୀତିରୁ ଉର୍ଦ୍ଧ୍ବରେ ରହିଥାଏ ମାତ୍ର ବିଗତ କିଛି ବର୍ଷ ମଧ୍ୟରେ ପ୍ରତ୍ୟକ ନେତା ନିଜର ରାଜନୈତିକ ଫାଇଦା ନିମନ୍ତେ ସେନାର ଅପବ୍ୟବହାର କରୁଛନ୍ତି। ନିର୍ବାଚନ କମିଶନ ଏହି ମାମଲାର ତଦନ୍ତ ଆଦେଶ ଦେଇଥିବା ବେଳେ ଗାଜିଆବାଦ ଜିଲ୍ଲା ମୁଖ୍ୟଙ୍କ ଠାରୁ ରିପୋର୍ଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ବିଜେପିରୁ ଇସ୍ତଫା ଦେଇ ନିକଟରେ କଂଗ୍ରସରେ ଯୋଗ ଦେଇଥିବା ଭେଟେରାନ୍ ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। ସୋସିଆଲ ମିଡିଆ ସାଇଟ୍ ଟ୍ବିଟ୍ଟର ଜରିଆରେ ସମାଲୋଚନା କରି ଶଟ୍ଗନ୍ କହିଛନ୍ତି, ମୋଦିଜୀ ମୁଁ ବର୍ତ୍ତମାନ ମଧ୍ୟ ଆପଣଙ୍କର ଶୁଭଚିନ୍ତକ, ମାତ୍ର ଆପଣ ଇଭିଏମ୍ର ଅପବ୍ୟବହାର ବନ୍ଦ କରନ୍ତୁ। ଆପଣଙ୍କର ଔଦ୍ଧତ୍ୟ ସତ୍ତ୍ବେ ମୋର ଆପଣଙ୍କୁ ବିନୀତ ଅନୁରୋଧ ଆପଣ ସାମ୍ନାସାମ୍ନି ଲଢେଇରେ ଅବତୀର୍ଣ୍ଣ ହୁଅନ୍ତୁ। ଏହାପରେ ଅନ୍ୟ ଏକ ଟ୍ବିଟ୍ ଜରିଆରେ ସେ କହିଥିଲେ, କିଣାଯାଇଥିବା ଗଣମାଧ୍ୟମ ଜରିଆରେ ନିଜର ପ୍ରଚାର ପ୍ରସାର କରିବା ବଦଳରେ ରବୀଶ କୁମାର ଏବଂ ପ୍ରସୁନ୍ ବାଜପେୟୀଙ୍କ ପରି ଲୋକଙ୍କ ସହିତ ସାମ୍ବାଦିକ ସମ୍ମିଳନୀ କରନ୍ତୁ ଯେଉଁ ମାନଙ୍କୁ କେବେ କିଣାଯାଇ ପାରିବ ନାହିଁ ଏବଂ ଦେଶର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ଆପଣଙ୍କୁ ଏହା କରିବା ଉଚିତ୍ ହେବ। ସେହିପରି ମୋଦିଙ୍କ ବିଭିନ୍ନ ଗସ୍ତକୁ ଯେଜନାବଦ୍ଧ କହିବା ସହିତ ଶସ୍ତା ଲୋକପ୍ରିୟତା ପାଇଁ ମୋଦି ଏହି ରାସ୍ତା ଆପଣାଉଥିବା ଅଭିଯୋଗ ଆଣିଛନ୍ତି ଶତ୍ରୁ। ଶତ୍ରୁଙ୍କ ଏହି ଟ୍ବିଟ୍ ପରେ ସୋସିଆଲ ମିଡିଆରେ କିଛି ଲୋକ ଏହାକୁ ସମର୍ଥନ କରିଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରିଛନ୍ତି। ବିରୋଧ କରୁଥିବା ଜଣେ ଲୋକ କହିଛନ୍ତି ଯଦି ଇଭିଏମ୍ ଟ୍ୟାମ୍ପରିଂ ନେଇ ଆପଣଙ୍କ ପାଖରେ କିଛି ପ୍ରମାଣ ଅଛି ତେବେ ଏହାକୁ ନେଇ ଆପଣ ନିର୍ବାଚନ କମିଶନଙ୍କ ନିକଟକୁ ଯାଆନ୍ତୁ।
୯ ବିଧାନସଭା ଓ ୨ ଲୋକସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ। ଯାଜପୁର ଲୋକସଭା ଆସନ ପାଇଁ ଦଳ ମାନସ ଜେନାଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କଟକରୁ ପଞ୍ଚାନନ କାନୁନଗୋ ପ୍ରାର୍ଥୀ ହୋଇଛନ୍ତି। ସେହିଭଳି ୯ ବିଧାନସଭା ଆସନ ନିମନ୍ତେ ବେଗୁନିଆରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ପିପିଲିରୁ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପୁଣିଥରେ ମୈଦାନକୁଓହ୍ଲାଇଛି ଦଳ।
ବିଧାନସଭା ପ୍ରାର୍ଥୀ-
୧- ବାଲେଶ୍ବର : ମାନସ ଦାଶ ପଟ୍ଟନାୟକ
୨- ଧର୍ମଶାଳା : ସ୍ମୃତିରେଖା ପାହି
୩- ଯାଜପୁର : ସନ୍ତୋଷ କୁମାର ନନ୍ଦ
୪- ହିନ୍ଦୋଳ : ତ୍ରିନାଥ ବେହେରା
୫- କାମାକ୍ଷାନଗର : ଭବାନୀ ଶଙ୍କର ମହାପାତ୍ର
୬- ବଡମ୍ବା : ବବି ମହାନ୍ତି
୭- ପାରାଦୀପ : ଅରିନ୍ଦମ ସର୍କେଲ୍
୮- ପିପିଲି : ଯୁଧିଷ୍ଠିର ସାମନ୍ତରାୟ
୯- ବେଗୁନିଆ : ପୃଥ୍ବୀ ବଲ୍ଲଭ ପଟ୍ଟନାୟକ
କେଦାର ମିଶ୍ର
ଭୁବନେଶ୍ବରରେ ରହି ନିର୍ବାଚନର ବିଶ୍ଳେଷଣ କରିବା ଓ ଲୋକଙ୍କ ସାଙ୍ଗରେ ନିର୍ବାଚନର ଚର୍ଚ୍ଚା କରିବା ଭିତରେ ଆକାଶ ପାତାଳ ପ୍ରଭେଦ ଅଛି। ଭୁବନେଶ୍ବରରୁ ଯାହା ଦେଖାଯାଉଛି ଓ ସେଠିକାର ଟେଲିଭିଜନରୁ ଆମେ ଯେଉଁ ଦୃଶ୍ୟ ଦେଖୁଛୁ, ତାହାର ଠିକ ଅଲଗା ଚିତ୍ର ଲୋକଙ୍କ ଭିତରେ ଦେଖିବାକୁ ମିଳୁଛି। ପ୍ରଥମ ପର୍ଯାୟ ନିର୍ବାଚନ ଆଉ ମାତ୍ର ୮ ଦିନ ବାକିଥିବା ବେଳେ ଭୋଟରଙ୍କ ଭିତରେ ଆଜି ମଧ୍ୟ ଉତ୍ସାହ ଆସିନାହିଁ। ନିର୍ବାଚନରେ ଲୋକମତର ତଲାଶ କରିବାକୁ ଆଜି ଆମେ ବ୍ରହ୍ମପୁର ଓ ଆସ୍କା ଲୋକସଭା ନିର୍ବାଚନମଣ୍ଡଳୀ ବୁଲୁଥିଲୁ। ବ୍ରାହ୍ମପୁରରେ ପ୍ରଥମ ପର୍ଯାୟ ଓ ଆସ୍କାରେ ଦ୍ଵିତୀୟ ପର୍ଯାୟରେ ଭୋଟ ଗ୍ରହଣ ହେବ। ପାଖାପାଖି ୪୦୦ କିଲୋମିଟର ବୁଲିବା ପରେ ଏମିତି କିଛି ଅନୁଭବ ଆମର ହୋଇଛି, ଯାହାକୁ ଆମର ପାଠକଙ୍କ ସହ ବାଛିବା ନିହାତି ଜରୁରୀ। ଆମେ ମୂଳତଃ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ କୁ ଫୋକସରେ ରଖିବାକୁ ଭାବିଥିଲୁ। ତେବେ ହିଞ୍ଜିଳି ଯିବା ଆଗରୁ ଏହାର ଆଖପାଖ ନିର୍ବାଚନମଣ୍ଡଳୀରେ ଲୋକମତର ଅନୁଧ୍ୟାନ କରିବାକୁ ଆମେ ଚେଷ୍ଟା କରିଛୁ। ହିଞ୍ଜିଳୀର ମୁଖଶାଳା ଭାବରେ କେତୋଟି ନିର୍ଦ୍ଦିଷ୍ଟ ମତ ଆମେ ରଖୁଛୁ-
୧. ଏ ନିର୍ବାଚନରେ ଜନମତ ଆଜି ମଧ୍ୟ ଅସ୍ପଷ୍ଟ । ନିର୍ବାଚନରେ ସେମାନେ କାହାକୁ ଭୋଟ ଦେବେ ସେକଥା କହିଲାବେଳେ ସେମାନେ ବେଶ ସତର୍କ। ଏଥିରୁ ଗୋଟେ କଥା ସ୍ପଷ୍ଟ ଯେ ଏ ନିର୍ବାଚନରେ କୌଣସି ହାୱା ବୋହୁନାଇଁ। ଓଡିଶାକୁ ୧୯ ବର୍ଷ ଶାସନ କଲାପରେ ନବୀନଙ୍କ ପ୍ରତି ଲୋକଙ୍କ ଆସ୍ଥା ଯଦିଓ ତୁଟିନାହିଁ, ହେଲେ ତାଙ୍କ ନେତୃତ୍ୱ ପ୍ରତି ପ୍ରଶ୍ନହୀନ ଆବେଗ ଆଉ ନାହିଁ। ଖାଲିକୋଟରେ ଜଣେ ମହିଳା ଭୋଟର କହିଲେ, ନବୀନ ବାବୁଟି ବହୁତ ଭଲ ଲୋକ, ହେଲେ ଆମ ବିଧାୟକ ଆମର କେଉଁ କାମ କରିନାହାନ୍ତି।
୨. ଗଞ୍ଜାମ ଜିଲ୍ଲା ଗୋଟେ ସମୟରେ ବିଜୁ ଜନତା ଦଳର ଅଭେଦ୍ୟ ଦୁର୍ଗ ଥିଲା। ଆଜି ବି ଦଳର ସଂଗଠନ ଗଞ୍ଜାମରେ ମଜବୁତ ରହିଛି। ହେଲେ ପ୍ରଚାର ଅଭିଯାନରେ ଭାରତୀୟ ଜନତା ପାର୍ଟିର ଉଦ୍ୟମ ସବୁଠି ବାରି ହୋଇ ପଡୁଛି। ବିଜେଡ଼ିର ପାରମ୍ପରିକ ବିରୋଧୀ କଂଗ୍ରେସ ଏବେ ପ୍ରାୟ ଅଦୃଶ୍ୟ। କବିସୂର୍ୟନଗର ଠାରେ ଆୟୋଜିତ ଏକ ବିଜେପି ରାଲିରେ ଆମକୁ ଜଣେ ବିଜେପି କର୍ମୀ ଯାହା କହିଲେ ତାହା ବେଶ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ମତରେ ଏହା ରାଣୀଙ୍କ ନିର୍ବାଚନ ମଣ୍ଡଳୀ (ଭି. ସୁଜ୍ଞାନୀ କୁମାରୀ ଦେଓ )। ବିଜେପି ଲାଗି ଏଠି ବାଟ ସହଜ ନୁହେଁ। ହେଲେ ଆମେ ଏଥର ଭଲ ଟକ୍କର ଦେବୁ।
୩. ଏଥର ଗୋଟିଏ କଥା ସ୍ପଷ୍ଟ- ବିଜେଡ଼ିକୁ ବିଜେପି କଡା ଟକ୍କର ଦେଉଛି। ଏ ନିର୍ବାଚନ ଜମାରୁ ଏକପାଖିଆ ବା ହାୱା ର ନିର୍ବାଚନ ନୁହେଁ।
୪. ଏ ନିର୍ବାଚନରେ ମୋଦୀ ଅଛନ୍ତି, ହେଲେ ସେ କଣ କରିଛନ୍ତି, କାହା ପାଖରେ ତାର ଉତ୍ତର ନାଇଁ। ତେବେ ଲୋକପ୍ରିୟତାରେ ନବୀନଙ୍କ ସହ ମୋଦୀଙ୍କୁ ତୁଳନା କରିବାକୁ କେହି ଚାହାନ୍ତି ନାଇଁ। କୋଦଳାର ଜଣେ ଯୁବକଙ୍କ କହିବା କଥା ହେଲା, ଓଡିଶାରେ ନବୀନ ଅଛନ୍ତି। ତାଙ୍କ କାମ ଆମେ ଦେଖୁଛୁ। ହେଲେ ମୋଦୀ କଥା ଖାଲି ଟିଭିରେ ଶୁଣୁଛୁ।
୫. ଖଲିକୋଟ ବଜାରରେ ଜଣେ ଯୁବକ ଆମକୁ କହିଲେ, ସେ ବିଜେପିକୁ ଇ ଭୋଟ ଦେବେ। ସେତେବେଳେ ପାଖରେ ଠିଆ ହୋଇଥିବା ଜଣେ ଆଉଜଣେ ଭଦ୍ରବ୍ୟକ୍ତି ରାଗିକି କହିଲେ, ନୋଟବନ୍ଦୀରେ ଯେଉଁ ଲୋକ ମୋ ଟଙ୍କା ଖାଇଛି, ମୁଁ ତାକୁ ଭୋଟ ଦେବିନି। ବିମୁଦ୍ରାକରଣକୁ ନେଇ ଲୋକ ଅସନ୍ତୋଷ ଆଜି ବି ବଳବତ୍ତର ରହିଛି।
୬. ଆସ୍କା ଲୋକସଭା ଲାଗି ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରିବାଟାକୁ ଅନେକ ମଧ୍ୟବିତ୍ତ ଓ ସହରୀ ଭୋଟର ଗ୍ରହଣ କରିପାରୁନାହାନ୍ତି। କିଛି ବିଜେଡି କର୍ମୀ ଏ ପ୍ରସଙ୍ଗରେ ନିଜର ଅସନ୍ତୋଷ ଆମକୁ କହିଥିଲେ। ଯୁବକ ମାନେ ବିଜେପିର ଅନିତା ପ୍ରିୟଦର୍ଶିନୀଙ୍କୁ ପ୍ରଶଂସା କରୁଥିବା ବେଳେ ମହିଳାଙ୍କ ପ୍ରଥମ ପସନ୍ଦ ଆଜି ବି ନବୀନ ଓ ସେମାନଙ୍କ ମତରେ ତାଙ୍କ ମନୋନୀତ ପ୍ରାର୍ଥୀ ଯିଏ ହେଲେ ବି ସେ ଜିତିବ।
ପ୍ରଥମ ଥର ଲାଗି ଗଞ୍ଜାମରେ ବିଜେଡି ବିଜେପିକୁ ସାମ୍ନା କରୁଛି। ଆଗରୁ କଂଗ୍ରେସ ଓ କମ୍ୟୁନିଷ୍ଟ ମାନେ ଗଞ୍ଜାମର ମୁଖ୍ୟ ପ୍ରତିଯୋଗୀ ଥିବାବେଳେ ହଠାତ ବିଜେପିର ଅଭ୍ୟୁଦୟ ଗଞ୍ଜାମ ରାଜନୀତିରେ ଏକ ନୂଆ ଘଟଣା।
ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୧ ତାରିଖରୁ ଆରମ୍ଭ ହେବାକୁ ଥିବାବେଳେ ପ୍ରାୟ ସମସ୍ତ ରାଜନୈତିକ ଦଳମାନଙ୍କର ମାରାଥନ୍ ପ୍ରଚାର ଚାଲିଛି। ଏହି କ୍ରମରେ ବିଜେପି ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭବାନୀପାଟଣା ଗସ୍ତ ପରେ ଆଜି ତିର୍ତ୍ତୋଲର ରେଢୁଆ ହାଟ ପଡ଼ିଆ ଓ ରାହାମା ହାଟ ପଡ଼ିଆରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ସେ ଜନସଭାକୁ ସମ୍ବୋଧିତ କରି ବିଜେଡି ସରକାର ଉପରେ ହମଲା କରିଛନ୍ତି। ପରିବର୍ତ୍ତନ ଆଣିବାର ସମୟ ଆସିଛି। ବିଜେପିକୁ ସୁଯୋଗ ଦେବାକୁ ସେ ଜନତାଙ୍କୁ ଅପିଲ କରିଛନ୍ତି। ଶିବରାଜ କହିଛନ୍ତି ଯେ, ବିଜେଡି ଶାସନରେ ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ପରିପୂର୍ଣ୍ଣ ହୋଇଛି। ମହିଳାଙ୍କ ଉପରେ ଅତ୍ୟାଚାର ବଢି ଚାଲିଛି। ତେଣୁ ଏହି ବିଜେଡି ସରକାରକୁ ହଟାଇ ବିଜେପିକୁ ରାଜ୍ୟରେ କ୍ଷମତାକୁ ଆଣିବାକୁ ସମୟ ଆସିଯାଇଛି। ଦୀର୍ଘ ବର୍ଷ ଶାସନରେ ରହିବା ପରେ ବି ରାଜ୍ୟରେ ଚାଷୀଙ୍କ ଅବସ୍ଥାରେ ସୁଧାର ଆସିନାହିଁ। ଏବେ ଭୋଟ୍ ବ୍ୟାଙ୍କ ହାତେଇବା ପାଇଁ ଏବଂ ନିଶ୍ଚିତ ପରାଜୟ ଭୟରେ ସରକାର କାଳିଆ ଯୋଜନା ପ୍ରଚଳନ କରିଛନ୍ତି। ସେହିପରି କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ଶିବରାଜ ସିଂହ ଚୌହ୍ବାନ।
ବିଜେପିରେ ସାମିଲ୍ ହେଲେ ରଘୁନାଥ ମହାନ୍ତି
ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରଘୁନାଥ ମହାନ୍ତି ବିଜେପିରେ ଯୋଗଦେଇଛନ୍ତି । ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ବିଶ୍ୱଭୁଷଣ ହରିଚନ୍ଦନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଆଜି ରଘୁନାଥ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଗତ ଦୁଇଦିନ ତଳେ ସେ ଉଠାଜଳସେଚନ ନିଗମର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ବିଜୁ ଜନତା ଦଳରୁ ମଧ୍ୟ ଇସ୍ତଫା ଦେଇଥିଲେ । ଇସ୍ତଫା ଦେବା ପରେ ସେ ଦଳୀୟ ନେତୃତ୍ୱ ଉପରେ ବର୍ଷିଥିଲେ । ରଘୁନାଥ ବାଲେଶ୍ବର ଜିଲ୍ଲାର ଜଣେ ଟାଣୁଆ ନେତା ସହ ବସ୍ତା ବିଧାନସଭାର ବିଧାୟକ ରହିଥିଲେ ।
ମୋଦି ଲୋକଙ୍କୁ ଭ୍ରମିତ କରିଛନ୍ତି : ମାୟାବତୀ
ଭୁବନେଶ୍ବରରେ ବହୁଜନ ସମାଜବାଦୀ ପାର୍ଟି ସୁପ୍ରିମୋ। ଏଠାରେ ଆୟୋଜିତ ନିର୍ବାଚନୀ ସଭାରେ ମାୟାବତୀ, ମୋଦୀଙ୍କ ଉପରେ ବର୍ଷିଛନ୍ତି। ମୋଦୀ ସରକାର ଦେଶର ଧନୀ ଓ ପୁଞ୍ଜିପତିମାନଙ୍କ ପାଇଁ ଚୌକିଦାରୀ କରିଛନ୍ତି। ଗତ ପାଞ୍ଚ ବର୍ଷ ଧରି କେନ୍ଦ୍ରର ମୋଦୀ ସରକାର କେବଳ ପ୍ରତିଶୃତି ଦେଇ ଚାଲିଛନ୍ତି ବରଂ କୌଣସି ପ୍ରତିଶୃତି ପୂରଣ କରି ନାହାନ୍ତି ବୋଲି ବହୁଜନ ସମାଜ ପାର୍ଟିର ସୁପ୍ରିମୋ ମାୟାବତୀ କହିଛନ୍ତି। କଳାଧନ ରୋକିବା ଠାରୁ ଆରମ୍ଭ କରି ଦେଶରେ ଦୁର୍ନୀତି ରୋକିବାରେ ମଧ୍ୟ ମୋଦୀ ସରକାର ବିଫଳ ହୋଇଛନ୍ତି ବୋଲି ମାୟାବତୀ ଅଭିଯୋଗ କରିଛନ୍ତି। ମୋଦୀ ଲୋକଙ୍କୁ ଦେଇଥିବା ପ୍ରତିଶୃତିର ହିସାବ ଦେବା ବଦଳରେ ଗୁଳି-ଗୋଳା, ଚୀନ-ପାକିସ୍ତାନ କଥା କହି ଲୋକଙ୍କୁ ଭ୍ରମିତ କରୁଛନ୍ତି ବୋଲି ମାୟାବତୀ ଅଭିଯୋଗ କହିଛନ୍ତି। ସେହିପରି ଓଡ଼ିଶାରେ ଦଳିତ, ପଛୁଆ ବର୍ଗର ଲୋକେ ଅବହେଳିତ ହୋଇ ରହିଛନ୍ତି ବୋଲି ମାୟାବତୀ କହିଛନ୍ତି। ତେଣୁ ଗରିବ, ଦଳିତ ଓ ପଛୁଆ ବର୍ଗର ବିକାଶ ପାଇଁ ବହୁଜନ ସମାଜ ପାର୍ଟିକୁ ଜିତାଇବା ପାଇଁ ସେ ନିବେଦନ କରିଛନ୍ତି। ଏହି ସଭାରେ କୃଷ୍ଣଚନ୍ଦ୍ର ସରଗରିଆ ଉପସ୍ଥିତ ରହିଥିଲେ। କୃଷ୍ଣଚନ୍ଦ୍ର କଂଗ୍ରେସରୁ ଇସ୍ତଫା ଦେଇ ବହୁଜନ ସମାବାଦୀ ପାର୍ଟିରେ ଯୋଗଦେଇଥିଲେ।
୫୦ ବର୍ଷ ବୟସରେ ବଲିଉଡ୍ ଆକ୍ସନ ଷ୍ଟାର୍ ଅଜୟ ଦେବଗନ। ଏପ୍ରିଲ୍ ୨ ୧୯୬୯ରେ ସେ ଜନ୍ମ ହୋଇଥିଲେ। ବଲିଉଡ୍ରେ ଅଭିନୟ କରିବା ତାଙ୍କର ୨୮ ବର୍ଷ ହୋଇଗଲାଣି। ୧୯୯୧ରେ ଅଜୟ ତାଙ୍କର କ୍ୟାରିୟର ‘ଫୁଲ୍ ଔର୍ କାଣ୍ଟେ’ ଜରିଆରେ ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ ଫିଲ୍ମ ହିଁ ସୁପରହିଟ୍ ହୋଇଥିଲା। ଆଜି ବି ଦର୍ଶକ ଅଜୟଙ୍କ ଫିଲ୍ମ ଦେଖିବାକୁ ଅପେକ୍ଷା କରୁଛନ୍ତି। ଅଜୟଙ୍କ ପିତା ବଲିଉଡ୍ର ଷ୍ଟଣ୍ଟ କୋରିଓଗ୍ରାଫର ଥିଲେ। ମାତା ବୀଣା ପ୍ରଡ୍ୟୁସର ଥିଲେ। ୧୯୯୯ରେ କାଜଲଙ୍କୁ ବିବାହ କରିଥିଲେ ଅଜୟ। କାଜଲ ଏବଂ ଅଜୟଙ୍କ ବାହାଘରକୁ ୨୦ ବର୍ଷ ପୂରିଗଲାଣି। ଅଜୟଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ’ଜିଗର’, ‘ଦିଲ୍ ହେ ବେତାବ୍’, ‘ଦିବ୍ୟ ଶକ୍ତି, ‘ସଂଗମ୍’, ‘ଏକ୍ ହି ରିସ୍ତା’, ‘ସୁହାଗ୍’, ‘କାନୁନ୍’, ‘ବିଜୟ ପଥ’, ‘ଦିଲ୍ଓ୍ବାଲେ’‘, ‘ଜଙ୍ଗ୍’, ‘ଦିଲ୍ଜଲେ’, ‘ଇତିହାସ’, ‘ଇଶ୍କ’, ‘ଜଖମ୍’, ‘ହମ୍ ଦିଲ୍ ଦେ ଚୁକେ ସନମ୍’, ‘ମେଜର ସାହେବ’, ‘ପ୍ୟାର ତୋ ହୋନା ହି ଥା’, ‘‘କଚି ଧାଗେ’, ‘ହୋଗୀ ପ୍ୟାର୍ କି ଜିତ୍’, ‘ଦିଲ୍ କ୍ୟା କରେ’, ‘ଓମ୍କାରା’, ‘‘ଓ୍ବାନ୍ସ ଅପନ୍ ଏ ଟାଇମ୍ ଇନ୍ ମୁମ୍ବାଇ,’ ଗୋଲମାଲ୍ ସିରିଜ୍’, ‘ସନ୍ ଅଫ୍ ସର୍ଦ୍ଦାର୍’ ‘ସିଂଘମ୍’, ‘ରାଜନୀତି’, ‘ଆକ୍ରୋଶ’, ‘ ‘ବାଦ୍ଶାହୋ’ ପ୍ରମୁଖ । ନିକଟରେ ଅଜୟଙ୍କ ଅଭିନୀତ ‘ଟୋଟାଲ୍ ଧମାଲ୍’ ବେଶ୍ ସଫଳ ବ୍ୟବସାୟ କରିଥିବାବେଳେ ଆଗାମୀ ଫିଲ୍ମ ‘ଦେ ଦେ ପ୍ୟାର୍ ଦେ’ ମେ ୧୭ରେ ପରଦା ଉପରକୁ ଆସିବ ।
କଂଗ୍ରେସର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇବା ପରେ ଏହାକୁ ସମାଲୋଚନା କରିଛନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ। ମଙ୍ଗଳବାର କଂଗ୍ରେସର ଇସ୍ତାହାର ପ୍ରକାଶ ପାଇବା ପରେ ଜେଟ୍ଲୀ କହିଛନ୍ତି, ରାହୁଲ୍ ଗାନ୍ଧୀ ନିଜ ଟୁକୁଡା ଗ୍ୟାଙ୍ଗର କିଛି ବନ୍ଧୁଙ୍କ ମତକୁ ଏହି ଇସ୍ତାହାରରେ ସାମିଲ କରିଛନ୍ତି। କଂଗ୍ରେସ ଇସ୍ତାହାରରେ ଦାରିଦ୍ର୍ୟ ବିରୁଦ୍ଧରେ ଯୁଦ୍ଧ, କୃଷି ପାଇଁ ସ୍ବତନ୍ତ୍ର ବଜେଟ, ମନରେଗା କାର୍ଯ୍ୟ ଦିବସ ବୃଦ୍ଧି ସହିତ ଜମ୍ମୁ କଶ୍ମୀରରେ ସେନାର ସ୍ବତନ୍ତ୍ର ବଳ ପ୍ରତ୍ୟାହାର କରାଯିବ ବୋଲି ଘୋଷଣା କରିଥିଲେ। ଏହାକୁ ସମାଲୋଚନା କରି ଜେଟ୍ଲୀ କହିଥିଲେ, କଂଗ୍ରେସର ଇସ୍ତାହାର ପ୍ରସ୍ତୁତି ନିମନ୍ତେ ଏକ ପ୍ରସ୍ତାବକ ଦଳ ରହିଛି ମାତ୍ର ଦେଶର ସୁରକ୍ଷା ସମ୍ବନ୍ଧିତ ନିଷ୍ପତ୍ତି ନିମନ୍ତେ ରାହୁଲ୍ ନିଜ ଟୁକୁଡା ଗ୍ୟାଙ୍ଗରୁ ମତାମତ ନେଇଛନ୍ତି। ଜେଟ୍ଲୀ କହିଛନ୍ତି, ଆତଙ୍କବାଦ ପାଇଁ ଦୀର୍ଘ ୭୦ ବର୍ଷ ମଧ୍ୟରେ ବହୁତ କିଛି ହରାଇଛି ତେଣୁ କଂଗ୍ରେସର ଏପରି ନିଷ୍ପତ୍ତି କେତେ ଦୂର ଯଥାର୍ଥ ତାହା ଜନସାଧାରଣ ନିଷ୍ପତ୍ତି ନେବେ। ସେହିପରି ‘ଅଫ୍ପ୍ସା’ ନିୟମ ପ୍ରତ୍ୟାହାର ପାଇଁ ମଧ୍ୟ ରାହୁଲ ନିଜ ଇସ୍ତାହାରରେ ଘୋଷଣା କରିବାକୁ ସମାଲୋଚନା କରିଛନ୍ତି ଜେଟ୍ଲୀ। ଅଫ୍ପ୍ସା ମାଓବାଦୀ ଏବଂ ଜିହାଦୀ ମାନଙ୍କ ନିକଟରୁ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ରହିଛି ତେଣୁ ଏପରି ନିଷ୍ପତ୍ତି ନେଇ କଂଗ୍ରେସ ପରୋକ୍ଷରେ ଆତଙ୍କବାଦୀଙ୍କୁ ସହାୟତା କରୁଛି ବୋଲି କହିଛନ୍ତି ଜେଟ୍ଲୀ।
ବିଜେଡ଼ି ଆଜି ତା’ର ୨ଟି ଲୋକସଭା ଆସନ ଓ ୭ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ତେବେ ଭୁବନେଶ୍ବର (ମଧ୍ୟ) ପାଇଁ ମେୟର୍ ଅନନ୍ତନାରାୟଣ ଜେନାଙ୍କୁ ପ୍ରାର୍ଥୀ କରାଯାଇଛି। ଏହି ଆସନରେ ପୂର୍ବରୁ ବିଜୟ ମହାନ୍ତି ରହିଥିଲେ। ସେହିପରି ଉତ୍ତର ଭୁବେନଶ୍ବରର ଟିକେଟରେ ପ୍ରିୟଦର୍ଶୀ ମିଶ୍ରଙ୍କ ଟିକେଟ କାଟି ନୂତନ ଭାବେ ସୁଶାନ୍ତ ରାଉତଙ୍କୁ ପ୍ରାର୍ଥୀ କରାଯାଇଛି। ଖଣ୍ଡପଡ଼ାରେ ବିଧାୟକ ଅନୁଭବ ପଟ୍ଟନାୟକଙ୍କ ଜାଗାରେ ରାଜ୍ୟସଭାସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଟିକେଟ ଦେଇଛନ୍ତି ବିଜେଡ଼ି ସୁପ୍ରିମୋ। ତେବେ ଖଣ୍ଡପଡ଼ାରେ ସୌମ୍ୟଙ୍କ ପ୍ରାର୍ଥୀତ୍ବକୁ ନେଇ ବହୁ ବିବାଦ ଦେଖାଦେଇଥିଲା। ଏପରିକି ଟିକେଟ ନ ମିଳିଲେ ଅନୁଭବ ସ୍ବାଧୀନ ଭାବରେ ନିର୍ବାଚନ ଲଢିବେ ବୋଲି ମଧ୍ୟ ଶୁଣିବାକୁ ମିଳିଛି। ଗତ ନିର୍ବାଚନରେ ଏହି ଆସନରେ ବିଜେଡ଼ିର ଅନୁଭବ ପଟ୍ଟନାୟକ ଓ ଆମ ଓଡ଼ିଶା ଦଳର ଅଧ୍ୟକ୍ଷ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା। ମାତ୍ର ବହୁତ କମ ବ୍ୟବଧାନରେ ସୌମ୍ୟରଞ୍ଜନ ହାରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସୌମ୍ୟ ବିଜେଡିରେ ମିଶିଥିଲେ। ବିଜେଡିରେ ମିଶିବା ପରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ।ତେବେ ବିଜେଡ଼ି ତରଫରୁ ଚମ୍ପୁଆ, ବାରିପଦା ଓ କେନ୍ଦ୍ରାପଡ଼ା ତିନୋଟି ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା ହେବାକୁ ବାକି ରହିଛି। ତେବେ ପ୍ରତ୍ୟେକ ଥର ପରି ନୂଆ ମୁହଁକୁ ସାମିଲ୍ କରାଇଛନ୍ତି ନବୀନ ପଟ୍ଟନାୟକ। ବିଜେଡ଼ି ବିଧାନସଭା ପ୍ରାର୍ଥୀରେ ବ୍ୟାପକ ପରିବର୍ତ୍ତନ କରିଛି। ନୂଆ ମୁହଁ ସହ ପୁରୁଣା ନେତାଙ୍କୁ ସାମିଲ୍ କରାଇଛି। ପାଖାପାଖି ୧୭ଟି ବିଧାନସଭା ଆସନରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ୨୧ ଲୋକସଭା ଆସନରୁ ୭ଟିରେ ମହିଳାଙ୍କୁ ମିଳିଲା ଟିକେଟ ଦେଇ ୩୩ ପ୍ରତିଶତ ମହିଳା ପ୍ରାର୍ଥୀ ସଂରକ୍ଷଣ ପ୍ରତିଶ୍ରୁତିକୁ ପୂରଣ କରିଛି ବିଜେଡ଼ି ।
ଲୋକସଭା ପ୍ରାର୍ଥୀ-
୧.ଢେଙ୍କାନାଳ – ମହେଶ ସାହୁ
୨. କେନ୍ଦୁଝର – ଚନ୍ଦ୍ରାଣୀ ମୁର୍ମୁ
ବିଧାନସଭା ପ୍ରାର୍ଥୀ
୧. ଭୁବନେଶ୍ବର ( ମଧ୍ୟ) – ଅନନ୍ତ ନାରାୟଣ ଜେନା
୨. ଭୁବନେଶ୍ବର (ଉତ୍ତର) – ସୁଶାନ୍ତ ରାଉତ
୩. ଖଣ୍ଡପଡ଼ା – ସୌମ୍ୟରଂଜନ ପଟ୍ଟନାୟକ
୪. ପାଲଲହଡ଼ା – ଶ୍ରୀ ମୁକେଶ ପାଲ୍
୫. ଆଠ ମଲ୍ଲିକ – ଶ୍ରୀ ରମେଶ ଚନ୍ଦ୍ର ସାଏ
୬. ଯାଜପୁର – ଶ୍ରୀ ପ୍ରଣବ ପ୍ରକାଶ ଦାସ
୭. କୋରେଇ – ଆଶୋକ ବଳ