ଗତକାଲି ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିସନ୍। ମୋଟ ୭ଟି ପର୍ଯାୟରେ ନିର୍ବାଚନ ହେବ। ଏପ୍ରିଲ ୧୧ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ମେ’ ମାସ ୧୯ ତାରିଖରେ ସପ୍ତମ ଅର୍ଥାତ୍ ଶେଷ ପର୍ଯ୍ୟାୟ ନିର୍ବାଚନ ହେବ। ସେହିପରି ଓଡିଶାରେ ୪ଟି ପର୍ଯ୍ୟାୟରେ ଏପ୍ରିଲ ୧୧, ୧୮, ୨୩ ଏବଂ ୨୯ ତାରିଖରେ ମତଦାନ ହେବ। ୨୧ଟି ଲୋକସଭା ଏବଂ ୧୪୭ଟି ବିଧାନସଭା ଆସନ ପାଇଁ ଏକାସଙ୍ଗେ ମତଦାନ ନିଆଯିବ। ମେ’ ୨୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ। ତେବେ ନିର୍ବାଚନୀ ତାରିଖ ଘୋଷଣା ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନ ତାରିଖ ଘୋଷଣାକୁ ସ୍ୱାଗତ କରିବା ସହିତ ନିର୍ବାଚନ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ନବୀନ। ଏଥିସହିତ ଖୁବ୍ ଶୀଘ୍ର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇବା ନେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିର୍ବାଚନରେ ବିଜେଡ଼ି ବେଶ୍ ଭଲ କରିବ ବୋଲି ନବୀନ ଦୃଢୋକ୍ତି କରିଛନ୍ତି । ୪ ପାଳି ଧରି ଓଡ଼ିଶାର ଶାସନ ଡୋରି ସମ୍ଭାଳି ଥିବା ନବୀନ ପଟ୍ଟନାୟକ ଏଥରର ଲୋକସଭା ଆସନ ପାଇଁ ୩୩ ପ୍ରତିଶତ ମହିଳା ନିର୍ବାଚନ ଲଢିବେ ବୋଲି ଘାେଷଣା କରିଛନ୍ତି।
Tag: thesamikhsya
ଲୋକସଭା ନିର୍ବାଚନ ଓ ଦେଶର ୪ଟି ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବାଜି ଗଲାଣି। ୨୦୧୯ ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ଆୟୋଗ ୫୪୩ ଲୋକସଭାରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଲୋକସଭା ସହିତ ଓଡ଼ିଶାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ ହେବ। ଏପ୍ରିଲ ୧୧, ୧୮, ୨୩ ଓ ୨୯ରେ ମତଦାନ ହେବ ଏବଂ ମେ ୨୩ରେ ଫଳାଫଳ ଘୋଷଣା ହେବ। ତେବେ ରାଜ୍ୟ ନିର୍ବାଚନୀ ନେଇ ବିସ୍ତୃତ ନିର୍ବାଚନୀ ସୂଚୀ ପ୍ରକାଶ ପାଇଛି। ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ସୂଚୀ ପ୍ରକାଶ ପାଇଛି। ପ୍ରଥମ ପର୍ଯ୍ୟାୟ ଏପ୍ରିଲ୍ ୧୧ରେ ହେବାକୁ ଥିବା ୪ଟି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ମଣ୍ଡଳୀରେ ଭୋଟ୍ ଗ୍ରହଣ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଲୋକସଭା ଆସନରେ ମତଦାନ ହେବ। ସେହିପରି ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ମାର୍ଚ୍ଚ ୧୮ରେ ପ୍ରକାଶ ପାଇବ। ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୪ ରହିଛି। ଏପ୍ରିଲ ୧୮ରେ ହେବାକୁ ଥିବା ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ୫ଟି ଲୋକସଭା ଆସନ ଓ ୩୫ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ୫ଟି ଲୋକସଭା ଆସନ ହେଉଛି ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ, ଆସିକା। ଦ୍ଵିତୀୟ ପର୍ଯ୍ୟାୟ ଭୋଟର ବିଜ୍ଞପ୍ତି ମାର୍ଚ୍ଚ ୧୯ରେ ପ୍ରକାଶ ପାଇବ। ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ମାର୍ଚ୍ଚ ୨୬, ନାମାଙ୍କନ ପତ୍ର ଯାଞ୍ଚ ମାର୍ଚ୍ଚ ୨୭ ଓ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ମାର୍ଚ୍ଚ ୨୯ ରହିଛି। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଏପ୍ରିଲ ୨୩ରେ ହେବ। ଏହି ପର୍ଯ୍ୟାୟରେ ୬ଟି ଲୋକସଭା ଆସନ ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ଵର ପାଇଁ ମତଦାନ ହେବ। ଏହା ସହିତ ୪୨ଟି ବିଧାନସଭାରେ ମଧ୍ୟ ନିର୍ବାଚନ ହେବ। ଏହି ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି- ମାର୍ଚ୍ଚ ୨୮ରେ ପ୍ରକାଶ ପାଇବ । ଏପ୍ରିଲ୍ ୪ ତାରିଖ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ଥିବାବେଳେ ନାମାଙ୍କନ ପତ୍ର ଯାଞ୍ଚ ପାଇଁ ଏପ୍ରିଲ୍ ୫ ତାରିଖ ଓ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଏପ୍ରିଲ୍ ୮ ତାରିଖ ରଖାଯାଇଛି । ରାଜ୍ୟର ଚତୁର୍ଥ ପର୍ଯ୍ୟାୟ ମତଦାନ ଏପ୍ରିଲ୍ ୨୯ରେ ଅନୁଷ୍ଠିତ ହେବ । ଏଥିରେ ୬ଟି ଲୋକସଭା ଓ ୪୨ଟି ବିଧାନସଭା ଆସନରେ ମତଦାନ ହେବ। ଏହି ଲୋକସଭା ଆସନ ହେଉଛି ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର। ଏହି ପର୍ଯ୍ୟାୟର ବିଜ୍ଞପ୍ତି ତାରିଖ- ଏପ୍ରିଲ ୨ ତାରିଖ ରଖାଯାଇଛି ।
ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହାକୁ ନେଇ ବିବାଦ ଦେଖାଦେଇଛି। ଏପ୍ରିଲ୍ ୧୧ ଠାରୁ ମେ ୧୯ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ସାରା ଭାରତ ବର୍ଷରେ ଭୋଟିଂ ଅନୁଷ୍ଠିତ ହେବ। ଜୁନ୍ ୩ରେ ଲୋକସଭାର କାର୍ଯ୍ୟକାଳ ସରିବାକୁ ରହିଛି। ଏହି ସମୟରେ ଲୋକସଭା ନିର୍ବାଚନ ତାରିଖକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। ମୁସଲିମ୍ ଧର୍ମଗୁରୁ ଓ ମୁସଲିମ୍ ନେତାମାନେ ଏହି ତାରିଖକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି। ରାମଜାନ ମାସରେ ଏହି ନିର୍ବାଚନୀ ତାରିଖକୁ ନେଇ ସେମାନେ ବିରୋଧ କରିଛନ୍ତି। ମୁସଲିମ୍ ଧର୍ମଗୁରୁ ଓ କିଛି ଦଳର ମୁସଲିମ୍ ନେତାମାନେ ରାମଜାନ ମାସରେ ମତଦାନକୁ ମନା କରିଛନ୍ତି। ଲକ୍ଷ୍ନୌର ମୁସଲିମ୍ ଧର୍ମଗୁରୁ ଖାଲିଦ୍ ରଶୀଦ୍ ଫିରଗୀ, ବଙ୍ଗଳାର ମମତା ସରକାରଙ୍କ ମନ୍ତ୍ରୀ ଫିରହାଦ କରୀମ୍ ଓ ଦିଲ୍ଲୀର ଆପ୍ ବିଧାୟକ ଅମାନତୁଲ୍ଲା ରାମଜାନ ସମୟରେ ନିର୍ବାଚନ ହେବାକୁ ନେଇ ଅସନ୍ତୁଷ୍ଟ ରହିଛନ୍ତି। ମାସ ସାରା ମୁସଲିମ୍ଧର୍ମାବଲମ୍ବୀ ରୋଜା କରିବା ସମୟରେ ନିର୍ବାଚନରେ ଅଂଶଗ୍ରହଣ କରିବା ସେମାନଙ୍କ ପକ୍ଷେ କଷ୍ଟକର ହେବ ବୋଲି କହିଛନ୍ତି। ତୃଣମୂଳ ନେତା ତଥା କଲିକତା ମେୟର ଫିରହାଦ୍ କରୀମ୍ଙ୍କ ମତରେ ବିହାର, ପଶ୍ଚିମବଙ୍ଗାଳ ଓ ଉତ୍ତରପ୍ରଦେଶ ରାଜ୍ୟରେ ମୁସଲିମ୍ଙ୍କ ସଂଖ୍ୟା ବହୁତ ଅଧିକ। ଏହି ସବୁ ରାଜ୍ୟରେ ରାମଜାନ ଚାଲିବା ସମୟରେ ନିର୍ବାଚନ କିପରି ହୋଇପାରିବ ବୋଲି ପ୍ରଶ୍ନ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କୁ ନିର୍ବାଚନ କମିଶନଙ୍କ ପାଖରେ କୌଣସି ଅଭିଯୋଗ ନାହିଁ । କେବଳ ଏହି ତିନୋଟି ରାଜ୍ୟରେ ଅଧିକ ସଂଖ୍ୟକ ମୁସଲମାନ ସମ୍ପ୍ରଦାୟ ରହୁଥିବାରୁ ସେମାନଙ୍କୁ ଏହିସମୟରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡ଼ିବ। ମେ ୬ରୁ ପବିତ୍ର ରାମଜାନ ମାସ ଆରମ୍ଭ ହୋଇଯିବ। ମେ ୬, ମେ ୧୨, ଓ ମେ ୧୯ରେ ନିର୍ବାଚନ ହେବାକୁ ରହିଛି। ଏହି ଦିନଗୁଡ଼ିକୁ ନେଇ ମୁସଲିମ୍ ଧର୍ମଗୁରୁ ଓ ମୁସଲିମ୍ ନେତାମାନେ ନିର୍ବାଚନୀ ତାରିଖକୁ ବିରୋଧ କରିଛନ୍ତି ।
ଏନ୍କାଉଣ୍ଟରରେ ନିହତ ହୋଇଛି ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ମୁଦାସୀର ଅହମଦ୍ ଖାନ୍ ଓ ସଜ୍ଜାଦ । ଏହି ଦୁହିଁଙ୍କ ସହିତ ଜୈଶ୍-ଇ-ମହମ୍ମଦର ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଛନ୍ତି। ଦକ୍ଷିଣ କାଶ୍ମୀର ତ୍ରାଲ୍ ଅଞ୍ଚଳରେ ଗତକାଲି ମଧ୍ୟରାତ୍ରରେ ହୋଇଥିବା ଏନ୍କାଉଣ୍ଟରରେ ମୁଦାସୀର ଓ ସଜ୍ଜାଦ ନିହତ ହୋଇଥିବା କୁହାଯାଉଛି। ତ୍ରାଲର ପିଙ୍ଗଲିଶ୍ ଅଞ୍ଚଳରେ ମୁଦାସୀର ଓ ଆଉ କିଛି ଆତଙ୍କବାଦୀ ଥିବା ନେଇ ସୂଚନା ପାଇବା ପରେ ସୁରକ୍ଷାକର୍ମୀମାନେ ସେଠାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଜୈଶ୍ ଆତଙ୍କବାଦୀ ମୁଦାସୀର ଅହମଦ୍ ଖାନ୍ ପୁଲୱାମା ଘଟଣାର ମାଷ୍ଟରମାଇଣ୍ଡ ଥିବାେବେଳେ ଏହି ଆତଙ୍କୀ ଆକ୍ରମଣରେ ବ୍ୟବହାର କରାଯାଇଥିବା କାର୍ର ମାଲିକ ଥିଲେ ସଜ୍ଜାଦ । ୨୩ ବର୍ଷୀୟ ମୁଦାସୀର ଜଣେ ଇଲେକ୍ଟ୍ରିସିଆନ୍। ସେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଇଲେକ୍ଟ୍ରିକାଲ୍ରେ ଆଇଟିଆଇ କରିଥିଲା ବୋଲି ସୂଚନା ମିଳିଛି । ପୁଲୱାମାରେ ଆକ୍ରମଣ ପାଇଁ ସେ ଗାଡ଼ି ଓ ବିସ୍ଫୋରକ ବ୍ୟବସ୍ଥା କରିଥିବା ସମସ୍ତ ପ୍ରମାଣ ତଦନ୍ତକାରୀ ସଂସ୍ଥାକୁ ମିଳିଛି।
ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏକ ପ୍ରେସମିଟରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ହେବ। ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଦ୍ବିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୮ରେ, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ରେ ଓ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୨୯ରେ ହେବ। ପଞ୍ଚମ ପର୍ଯ୍ୟାୟ ମତଦାନ ମେ ୬ରେ, ଷଷ୍ଠ ପର୍ଯ୍ୟାୟ ମତଦାନ ମେ ୧୨ରେ ଓ ସପ୍ତମ ପର୍ଯ୍ୟାୟ ମତଦାନ ମେ ୧୯ ତାରିଖରେ ହେବ। ଓଡିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏପ୍ରିଲ ୧୧ରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟର ଅର୍ଥାତ ଏପ୍ରିଲ ୨୯ରେ ଓଡିଶାରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏପ୍ରିଲ ୧୧ରେ ଓଡିଶାର ୪ଟି ଲୋକସଭା ଆସନ, ଏପ୍ରିଲ ୧୮ରେ ୫ଟି ଆସନ, ଏପ୍ରିଲ ୨୩ରେ ୬ଟି ଆସନ ଓ ଏପ୍ରିଲ ୨୯ରେ ୬ଟି ଆସନରେ ଭୋଟଗ୍ରହଣ କରାଯିବ। ଲୋକସଭା ଓ ବିଧାନସଭା ନିର୍ବାଚନ ଓଡିଶାରେ ଏକ ସଙ୍ଗେ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ଆସନଗୁଡିକର ନିର୍ବାଚନ ସେହି ତାରିଖରେ ହେବ। ମେ୨୩ତାରିଖରେ ସାରା ଦେଶରେ ଗୋଟିଏ ଦିନରେ ଭୋଟ ଗଣତି ହେବ।
ଦେଶରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏଥର ନିର୍ବାଚନରେ ସବୁ ବୁଥରେ ଭିଭିପିଏଟି ବ୍ୟବହାର କରାଯିବ। ଏହି ସମୟ ମଧ୍ୟରେ ସରକାର ଭୋଟରଙ୍କୁ ପ୍ରଭାବିତ କଲାଭଳି କୌଣସି ନୀତି ଘୋଷଣା କରିପାରିବେ ନାହିଁ। ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି। ୨୦୧୪ରେ ଦେଶରେ ୯ଲକ୍ଷ ମତଦାନ କେନ୍ଦ୍ର ହୋଇଥିଲା ବେଳେ ଏ ବର୍ଷ ଏହା ୧୦ଲକ୍ଷକୁ ବୃଦ୍ଧି ପାଇଛି ।ଲୋକସଭା ନିର୍ବାଚନରେ ୯୦କୋଟି ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ । ୧୮-୧୯ ବର୍ଷ ବୟସର ୧.୫୯ କୋଟି ନୂଆ ଭୋଟର ଚଳିତ ଥର ଭୋଟ ଦେବେ। ଗତ ନିର୍ବାଚନରେ ଦେଶରେ ଭୋଟରଙ୍କ ସଂଖ୍ୟା ୮୩.୪କୋଟି ଥିଲା। ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକାରେ ନାଁ ଯୋଡାଯାଇପାରିବ। ତେଣୁ ଏହି ସଂଖ୍ୟା ଆହୁରି ବଢିପାରେ। ନିର୍ବାଚନ ଓ ନାମ ସଂପର୍କିତ ସୂଚନା ଯାଞ୍ଚ ପାଇଁ ହେଲପଲାଇନ ନମ୍ବର ୧୯୫୦କୁ ବ୍ୟବହାର କରିପାରିବେ। ଶବ୍ଦ ପ୍ରଦୂଷଣ ରୋକିବାକୁ ରାତି ୧୦ଟାରୁ ସକାଳ ୬ଟା ମଧ୍ୟରେ ଡାକବାଜି ଯନ୍ତ୍ର ବ୍ୟବହାର ଉପରେ କଟକଣା ଜାରି କରାଯାଇଛି। ସମସ୍ତ ଗୁରୁତ୍ବପୂର୍ଣ ଘଟଣାର ଭିଡିଓ ରେକର୍ଡିଙ୍ଗ କରାଯିବ।
ପ୍ରାର୍ଥୀପତ୍ର ଦାଖଲ ସମୟରେ ପ୍ରାର୍ଥୀମାନେ ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ସଂପର୍କିତ ସମସ୍ତ ତଥ୍ୟ ଦାଖଲ କରିବେ। ସୋସିଆଲ ମିଡିଆରେ ରାଜନୈତିକ ବିଜ୍ଞାପନ ପୂର୍ବରୁ ଅନୁମତି ନେବାକୁ ପଡିବ। ବିଭିନ୍ନ ରାଜନୈତିକ ଦଳର ବିଜ୍ଞାପନ ସଂପର୍କରେ ନଜର ରଖିବାକୁ ନିର୍ବାଚନ କମିଶନ ଗୁଗୁଲ, ଫେସବୁକ, ଟ୍ବିଟର ଓ ୟୁ଼୍ଟ୍ୟୁବକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ସୋସିଆଲ ମିଡିଆ ବିଜ୍ଞାପନ ସଂପର୍କିତ ଅଭିଯୋଗ ଶୁଣିବା ପାଇଁ ଜଣେ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି। ସୋସିଆଲ ମିଡିଆ ବିଜ୍ଞାପନ ମଧ୍ୟ ପ୍ରାର୍ଥୀଙ୍କ ଖର୍ଚ୍ଚରେ ମିଶିବ। ସି-ଭିଜିଲ ଆପ ଜରିଆରେ ଲୋକମାନେ ନିର୍ବାଚନରେ ଅନିୟମିତିତା ସଂପର୍କିତ ସୂଚନା ଗୋପନୀୟରେ ଦେଇପାରିବେ। ନିର୍ବାଚନ କମିଶନଙ୍କ ପକ୍ଷରୁ ଗତ ବର୍ଷ ଏହି ଆପ ଲଞ୍ଚ ହୋଇଥିଲା। କୌଣସି ରାଜନୈତିକ ଦଳ ବା ପ୍ରାର୍ଥୀ ପ୍ରତିରକ୍ଷା ବିଭାଗ କିମ୍ବା କୌଣସି ଯବାନଙ୍କ ଫଟୋକୁ ନିର୍ବାଚନରେ ବ୍ୟବହାର କରିପାରିବେ ନାହି ଁ।
ଦେଶରେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରା ଏକ ପ୍ରେସମିଟରେ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ୭ଟି ପର୍ଯ୍ୟାୟରେ ଦେଶରେ ନିର୍ବାଚନ ହେବ। ଏପ୍ରିଲ ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଦ୍ବିତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୧୮ରେ, ତୃତୀୟ ପର୍ଯ୍ୟାୟ ଏପ୍ରିଲ ୨୩ରେ ଓ ଚତୁର୍ଥ ପର୍ଯ୍ୟାୟ ଭୋଟଗ୍ରହଣ ଏପ୍ରିଲ ୨୯ରେ ହେବ। ପଞ୍ଚମ ପର୍ଯ୍ୟାୟ ମତଦାନ ମେ ୬ରେ, ଷଷ୍ଠ ପର୍ଯ୍ୟାୟ ମତଦାନ ମେ ୧୨ରେ ଓ ସପ୍ତମ ପର୍ଯ୍ୟାୟ ମତଦାନ ମେ ୧୯ ତାରିଖରେ ହେବ। ଓଡିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଏପ୍ରିଲ ୧୧ରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟର ଅର୍ଥାତ ଏପ୍ରିଲ ୨୯ରେ ଓଡିଶାରେ ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏପ୍ରିଲ ୧୧ରେ ଓଡିଶାର ୪ଟି ଲୋକସଭା ଆସନ, ଏପ୍ରିଲ ୧୮ରେ ୫ଟି ଆସନ, ଏପ୍ରିଲ ୨୩ରେ ୬ଟି ଆସନ ଓ ଏପ୍ରିଲ ୨୯ରେ ୬ଟି ଆସନରେ ଭୋଟଗ୍ରହଣ କରାଯିବ। ଲୋକସଭା ଓ ବିଧାନସଭା ନିର୍ବାଚନ ଓଡିଶାରେ ଏକ ସଙ୍ଗେ କରାଯିବ ବୋଲି ମୁଖ୍ୟ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ଆସନଗୁଡିକର ନିର୍ବାଚନ ସେହି ତାରିଖରେ ହେବ। ମେ୨୩ତାରିଖରେ ସାରା ଦେଶରେ ଗୋଟିଏ ଦିନରେ ଭୋଟ ଗଣତି ହେବ।
ପୁଲୱାମା ଆକ୍ରମଣ ଘଟଣାର ମାଷ୍ଟରମାଇଣ୍ଡ ଜଣେ ୨୩ ବର୍ଷୀୟ ଇଲେକ୍ଟ୍ରିସିଆନ ମୁଦାସିର ଅହମଦ ଖାନ ଓରଫ ମହମ୍ମଦ ଭାଇ । ସେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ । ଗତ ମାସ ୧୪ ତାରିଖରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଥିଲେ । ଜଣେ ସରକାରୀ ଅଧିକାରୀଙ୍କ କହିବା ଅନୁଯାୟୀ, ମୁଦାସିର ବିସ୍ଫୋରଣରେ ବ୍ୟବହୃତ ଗାଡି ଓ ବିସ୍ଫୋରକ ମୁଦାସିର ହିଁ ଜବତ କରିଥିଲା । ମହଲାର ଟ୍ରାଲ ଅଞ୍ଚଳର ବାସିନ୍ଦା ମୁଦାସିର ୨୦୧୭ ମସିହାରେ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା । ଆତଙ୍କବାଦୀ ନୁର ଅହମ୍ମଦ ତାନ୍ତ୍ରୀ ଦ୍ବାରା ସେ ଏହି ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା । ମୁଦାସିର ସ୍ନାତକ ପରେ ଇଲେକେଟ୍ରିକାଲରେ ଆଇଟିଆଇ କରିଛି । ତାର ବାପା ଜଣେ ଦିନ ମଜୁରିଆ। ଏବେ ମୁଦାସିର ଫେରାର ଅଛି। ପୋଲିସ ତାକୁ ଖୋଜୁଛି ।
ବୁର୍ଲାରେ ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ
ବୁର୍ଲାରେ ଜଣେ ସ୍ବାଇନ ଫ୍ଳୁ ରୋଗୀ ଆଜି ଚିହ୍ନଟ ହୋଇଛନ୍ତି । ସେ ଗତ ୩ ଦିନ ହେଲା ଅସୁସ୍ଥ ହୋଇ ବୁର୍ଲା ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ରକ୍ତ ନମୁନାରୁ ସେ ସ୍ବାଇନ ଫ୍ଳୁରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସ୍ବାଇନ ଫ୍ଲୁ ଦେଖାଦେଇଥିବାରୁ ବଡମେଡିକାଲ କର୍ତ୍ତୃପକ୍ଷ ଏଥିପାଇଁ ଏକ ସ୍ବତନ୍ତ୍ର ୱାର୍ଡ ତିଆରି କରିଛନ୍ତି । ଏହି ୱାର୍ଡରେ କେବଳ ସ୍ବାଇନ ଫ୍ଲୁ ରୋଗୀମାନଙ୍କୁ ଚିକିତ୍ସା କରାଯିବ । ଦୀର୍ଘ ଦିନ ପରେ ପୁଣି ସ୍ବାଇନ ଫ୍ଲୁ ରୋଗୀ ଚିହ୍ନଟ ହୋଇଥିବାରୁ ମେଡିକାଲ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ତେବେ ଠିକ ଭାବେ ରୋଗୀଙ୍କ ଚିକିତ୍ସା କରାଯିବ ବୋଲି ବଡମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି ।
ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦିନିକିଆ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚରେ ଶିଖର ଧାୱନ ୯୭ ବଲରେ ଶତକ ହାସଲ କରିଛନ୍ତି । ଏହା ତାଙ୍କର ଷୋଡଶ ଶତକ । ୨୫.୨ ଓଭରରେ ଶିଖର ଧାୱନ ଓ ରୋହିତ ଶର୍ମା ଭାରତକୁ ୧୫୦ରନରେ ପହଞ୍ଚାଇଥିଲେ । ଏହି ମ୍ୟାଚରେ ରୋହିତ ତାଙ୍କର ୪୦ତମ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି ।
ଇଥିଓପିଆ ଏୟାରଲାନ୍ସର ଏକ ବିମାନ ବୋଇଙ୍ଗ ୭୩୭ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ବିମାନଟି ଆଡିସ ଏବାବାରୁ ନାଇରୋବି ଯାଉଥିଲା। ବିମାନରେ ୧୪୯ଜଣ ଯାତ୍ରୀ ଓ ୮ଜଣ ବିମାନ କର୍ମଚାରୀ ଥିଲେ। ଇଥିଓପିଆ ରାଜଧାନୀର ଦକ୍ଷିଣପୂର୍ବରେ ୬୨ କିଲୋମିଟର ଦୂରରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କ ମୃତ୍ୟୁ ହେଇଥିବା ସୂଚନା ମିଳିଛି। ସେମାନଙ୍କ ଭିତରୁ୪ ଜଣ ଭାରତୀୟ ଅଛନ୍ତି। ଆଜି ସକାଳେ ଏହି ଘଟଣା ଘଟିଛି । କୋଉ କାରଣରୁ ଏଭଳି ଦୁର୍ଘଟଣା ଘଟିଛି ତାକୁନେଇ ସରକାରଙ୍କ ପକ୍ଷରୁ ତଦନ୍ତ ଜାରିରହିଛି । ଇଥିଓପିଆ ପ୍ରଧାନମନ୍ତ୍ରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଯାତ୍ରୀ ମାନଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ।
ସ୍ବୟଂ ସହାୟକ ଗୋଷ୍ଠୀ ବା ଏସଏଚଜିଗୁଡିକ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ମିଶନ ଶକ୍ତି ମହିଳା ସମାବେଶରେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି । ଏସଏଚଜି ଗୁଡିକୁ ତିନି ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଯୋଗାଇ ଦିଆଯିବ । ନୂଆ ଏସଏଚଜିଗୁଡିକୁ ୧୫ହଜାର ଟଙ୍କାର ଆର୍ଥିକ ସହାୟତା ଦିଆଯାଉଥିବାବେଳେ ମଣ୍ଡଳସ୍ତରୀୟ ଏସଏଚଜି ମହାସଂଘ ଗୁଡିକୁ ୨୫ଲକ୍ଷ ଟଙ୍କା ଦିଆଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । କେନ୍ଦ୍ରାପଡାରେ ଏକ କୋଟି ଟଙ୍କା ବ୍ୟୟରେ ମିଶନ ଶକ୍ତି ଭବନ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ମହିଳାମାନଙ୍କ ବିକାଶ ପାଇଁ ତାଙ୍କ ସରକାର ବଦ୍ଧପରିକର ଥିବା କଥା ଦୋହରାଇଥିଲେ । ବିଜୁ ବାବୁ ମହିଳା ସଶକ୍ତିକରଣ ସାରା ଦେଶରେ ପାଇଁ ପ୍ରଥମେ ପଦକ୍ଷେପ ନେଇଥିଲେ । ତେଣୁ ବିଜୁ ବାବୁଙ୍କ କର୍ମଭୂମିରେ ଏହି ଭବନ ପ୍ରତିଷ୍ଠା କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।
କ୍ରିକେଟ ଖେଳର ସବୁଠାରୁ ବଡ ଫର୍ମାଟ ବିଶ୍ଵକପ ଟୁର୍ଣ୍ଣାମେଣ୍ଟ ଆଉ ଅଳ୍ପ କିଛିଦିନ ବାକି ରହିଛି । ଏହି ଟୁର୍ଣ୍ଣାମେଣ୍ଟରେ ଉଭୟ ଭାରତ ଏବଂ ଅଷ୍ଟ୍ରେଲିଆ ଭାଗ ନେଉଥିବାରୁ ଦୁଇଦଳ ପାଇଁ ଚଳିତ ଶୃଙ୍ଖଳା ମହତ୍ବପୂର୍ଣ୍ଣ ହୋଇପଡିଛି। ଚଳିତ ପେଟିଏମ ଶୃଙ୍ଖଳାର ପ୍ରଥମ ତିନୋଟି ମ୍ୟାଚ ଶେଷ ହୋଇଥିବା ବେଳେ ଘରୋଇ ଭାରତୀୟ ଦଳ ଦୁଇଟି ମ୍ୟାଚ ଏବଂ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ଗୋଟିଏ ମ୍ୟାଚରେ ବିଜୟ ଲାଭ କରିଛନ୍ତି। ଏହି ୫୦ଓଭର ବିଶିଷ୍ଠ ଶୃଙ୍ଖଳାରେ ୫ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଭାରତ ୨-୧ ରେ ଆଗୁଆ ରହିଛି। ବିଶ୍ଵକପ ପାଇଁ ପ୍ରସ୍ତୁତ ହେବାକୁ ଉଭୟଦଳ ପାଇଁ ଏହା ହେଉଛି ଶେଷ ସୁଯୋଗ। ତେଣୁ ବାକି ରହିଥିବା ଆଉ ଦୁଇଟି ମ୍ୟାଚ ପାଇଁ ଉଭୟ ଦଳର ନଜର ରହିଛି। ଭାରତ ଆଜିର ମ୍ୟାଚରେ ବିଜୟ ହୋଇ ଶୃଙ୍ଖଳା ହାତେଇବାକୁ ଅଶା ରିଖିଥିବାବେଳେ, ସେପଟେ ଅଷ୍ଟ୍ରେଲିଆ ଦଳ ନିଜର ସମ୍ପୁର୍ଣ୍ଣ କୌଶଳ ଲଗାଇ ଶୃଙ୍ଖଳାକୁ ଫେରିବାକୁ ଚେଷ୍ଟା କରିବ। ଫିଞ୍ଚଙ୍କ ଦଳ କର ବା ମର ସ୍ଥିତିରେ ରହିଥିବା ବେଳେ କୌଣସିମତେ ଅବଶିଷ୍ଟ ଦୁଇଟି ମ୍ୟାଚ ହାତଛଡା କରିବା ପାଇଁ ଚାହିଁବ ନାହିଁ। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀ କିଛି ଖେଳାଳିଙ୍କୁ ପରିବର୍ତ୍ତନ କରି ନୂଆ ଖେଳାଳିକୁ ଅବଶିଷ୍ଟ ମ୍ୟାଚରେ ସ୍ଥାନ ଦେଇପାରନ୍ତି ବୋଲି ସୂଚନା ରହିଛି।
ମିଜୋରାମରେ ମଦ ବିକ୍ରି ବନ୍ଦ ହେବ
ମିଜୋରାମରେ ପୁଣି ଥରେ ମଦ ବିକ୍ରି ଉପରେ ଅଙ୍କୁଶ ଲାଗିବ । ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ବିଲ୍କୁ ମଂଜୁରୀ ମିଳିଛି । ମିଜୋରାମରେ ମଦ ବିକ୍ରି ନିଷେଧ ବିଲ୍ ୨୦୧୯କୁ ବିଧାନସଭାରେ ପେଶ୍ କରାଯିବ । ୨୦ ମାର୍ଚ୍ଚରୁ ବିଧାନସଭା ଅଧିବେଶନ ଆରମ୍ଭ ହେବାକୁ ରହିଛି । ସତ୍ତାରେ ଥିବା ମିଜୋ ନେଶନ୍ ଫ୍ରଣ୍ଟ ଗତ ବର୍ଷ ନଭେମ୍ବରରେ ବିଧାନସଭାରେ ସମ୍ପୂର୍ଣ୍ଣ ମଦ ବିକ୍ରି ନିଷେଧ ଜାରି କରିବାର ଘୋଷଣା କରିଥିଲେ । ଏବେ ଏମ୍ଏନ୍ଏଫ୍ ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ମଦ ନିଷେଧ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ମିଜୋରାମରେ ଏହି ମଦ ନିଷେଧ ଆଇନ୍ ଲାଗି ହୋଇଥିଲା । ୧୯୯୭ରୁ ଜାନୁଆରୀ ୨୦୧୫ ପର୍ଯ୍ୟନ୍ତ ଏହି ନିୟମ କାର୍ଯ୍ୟକାରୀ ରହିଥିଲା । କିନ୍ତୁ କଂଗ୍ରେସ ସରକାର ଶାସନକୁ ଆସିବା ପରେ ପୁନର୍ବାର ମଦ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଥିଲେ । ବିହାର ଓ ଗୁଜୁରାଟରେ ମଧ୍ୟ ମଦ ବିକ୍ରି ଉପରେ ନିଷେଧାଦେଶ ରହିଛି ।
ନିର୍ବାଚନ ଯେତିକି ପାଖେଇ ପାଖେଇ ଆସୁଛି, ନେତାଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପର ରାଜନୀତି ସେତିକି ବଢିବାରେ ଲାଗିଛି । ବିଶେଷ କରି ବିଭିନ୍ନ ମୁଦ୍ଦାକୁ ପ୍ରସଙ୍ଗ କରି କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରୁଛି କଂଗ୍ରେସ । କର୍ଣ୍ଣାଟକର ହାବେରୀ ଠାରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି, ବିଜେପି ନେତୃତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି । ସେ କହିଛନ୍ତି, ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହି ଘଟଣାର ମାଷ୍ଟରମାଇଣ୍ଡ ଜୈସ-ଏ-ସଂଗଠନର ମୁଖ୍ୟ ମାସୁଦ ଆଜହରକୁ ପାକିସ୍ତାନରେ ଛାଡ଼ିଲା କିଏ ବୋଲି ପ୍ରଶ୍ନ କରିଛନ୍ତି ରାହୁଲ୍ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି । ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଭାରତ ଜେଲରେ ବନ୍ଦୀ ଥିବା ମାସୁଦ୍ ଅଜହରକୁ କିଏ ମୁକ୍ତ କଲା ? ଏବଂ ଶହୀଦ୍ ହୋଇଥିବା ଯବାନ୍ଙ୍କ ମୃତ୍ୟୁ ପାଇଁ ପରୋକ୍ଷରେ କିଏ ଦାୟୀ ବୋଲି ରାହୁଲ୍ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି । ମାସୁଦ୍କୁ ବିଜେପି ପାକିସ୍ତାନକୁ ଛାଡ଼ିଥିବାବେଳେ ଏବେ ଏହାକୁ ନେଇ ରାଜନୀତି କରୁଛି ବୋଲି ରାହୁଲ୍ ଗାନ୍ଧି କହିଛନ୍ତି ।
ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ–ମହମ୍ମଦ ବିରୋଧରେ ପାକ ସରକାର ଏଯାଏ କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ବରଂ ଏହି ଆତଙ୍କୀ ସଂଗଠନକୁ ସୁରକ୍ଷା ଦେଇ ଆସୁଛନ୍ତି । ପୁଲ୍ୱାମା ଆକ୍ରମଣ ପାଇଁ ଜୈଶ ନିଜକୁ ଦାୟୀ କରିଥିବାବେଳେ ପାକ୍ ସରକାର କିନ୍ତୁ ଏହାକୁ ମାନିବାକୁ ନାରାଜ୍ ରହିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆତଙ୍କବାଦୀ ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଉଥିବା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ସେହିପରି କୁଖ୍ୟାତ ଆତଙ୍କୀ ମାସୁଦକୁ ନେଇ ମଧ୍ୟ ପାକିସ୍ତାନର କାର୍ଯ୍ୟକଳାପ ବେଶ୍ ସନ୍ଦେହଜନକ ରହିଛି । ପାକିସ୍ତାନ ଏବେ ଆତଙ୍କବାଦୀଙ୍କ ମୁଖପାତ୍ର ଭାବେ କାମ କରୁଛି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ନୂଆ ଚିନ୍ତାଧାରାରେ ନୂଆ ପାକିସ୍ତାନ କଥା କହୁଥିବାବେଳେ ଜୈଶ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ବିଫଳ ରହିଛନ୍ତି । ଗୋଟିଏ ପଟେ ଆତଙ୍କବାଦକୁ ସହଯୋଗ କରିବେ ନାହିଁ ବୋଲି ଇମ୍ରାନ୍ ଖାନ୍ କହୁଥିବାବେଳେ ଜୈଶ୍ଙ୍କୁ ଘୋଡେଇ ରଖିବା ତାଙ୍କର ଦୋମୁହାଁ ନୀତିକୁ ପ୍ରମାଣିତ କରୁଛି । ସେହିପରି ଭାରତର ୨ଟି ଯୁଦ୍ଧ ବିମାନକୁ ଖସାଇ ଦେଇଥବା ନେଇ ପାକିସ୍ତାନ ଦାବି କରୁଥିବା ବେଳେ ଏହା ସମ୍ପୂର୍ଣ୍ଣ ରୂପେ ମିଥ୍ୟା । ଯଦି ଏହା ସତ୍ୟ, ତେବେ ଏହାର ପ୍ରମାଣ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ମଧ୍ୟ ହସ୍ତାନ୍ତର କରୁନାହିଁ କାହିଁକି। ପାକିସ୍ତାନ ଆତ୍ମପ୍ରଚାର ପାଇଁ ମିଥ୍ୟା ପ୍ରଚାର କରୁଛି ।
ଆଜି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କନ୍ଧମାଳର ବାଲିଗୁଡ଼ାରେ ଆୟୋଜିତ କାଳିଆ ଓ ମିଶନ ଶକ୍ତି ମହାସମାବେଶରେ ଯୋଗଦେଇଛନ୍ତି । ୟଏହି ଅବସରରେ କନ୍ଧମାଳର ଉନ୍ନତି ପାଇଁ ସରକାର ତତ୍ପର ବୋଲି କହିଛନ୍ତି ନବୀନ। ସେ ଆହୁରି କହିଛନ୍ତି ଯେ କାଳିଆ ଯୋଜନାରୁ ଭୂମିହୀନ ଓ ଗରିବ ଚାଷୀଙ୍କୁ ସହାୟତା ମିଳୁଛି। ତାଙ୍କ ସରକାର ଚାଷୀଙ୍କ ପ୍ରତି ସମର୍ପିତ। ଏହି ଯୋଜନାରେ ମିଳୁଥିବା ଅର୍ଥକୁ ଚାଷବାସରେ ବିନିଯୋଗ କରି ଉନ୍ନତି କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ସର୍ବଦା ଗରିବ ଚାଷୀ ଓ ଗରିବ ଜନସାଧାରଣଙ୍କ ସହ ରହିଛନ୍ତି । ଏପ୍ରିଲ୍ ପହିଲା ସୁଦ୍ଧା କାଳିଆ ଯୋଜନାରୁ ବଂଚିତ ହିତାଧିକାରୀଙ୍କୁ ଟଙ୍କା ମିଳିବ ବୋଲି ନବୀନ କହିଛନ୍ତି ।
ଦ୍ୱିତୀୟଥର ପାଇଁ କ୍ୟାବିନେଟ୍ ସମ୍ପ୍ରସାରଣ କରିଛନ୍ତି ଗୁଜରାଟ ସରକାର । ଜଣେ ବିଜେପିର ବରିଷ୍ଠ ନେତା ଏବଂ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ୨ ଜଣ ବିଧାୟକଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି । ଶୁକ୍ରବାର ଦିନ ବିଜେପିରେ ମିଶିଥିବା କଂଗ୍ରେସ ବିଧାୟକଙ୍କ ଜୱାହର ଚଭଡ଼ା କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବାବେଳେ ଅନ୍ୟ ୨ ଜଣ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି। ୩ ନୂଆ ମନ୍ତ୍ରୀଙ୍କ ସହ ରୂପାନୀ ସରକାରରେ ମନ୍ତ୍ରୀସଂଖ୍ୟା ୨୪ରେ ପହଞ୍ଚିଛି । କଂଗ୍ରେସ ଓବିସି ନେତା ବିଧାୟକ ଅଳ୍ପେଶ ଠାକୁର ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଅଳ୍ପେଶ ଠାକୁର ସମସ୍ତ ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ସେ କଂଗ୍ରେସରେ ରହିବେ ଓ ଲୋକଙ୍କ ସମସ୍ୟାର ସମାଧାନ କରିବା ହେଉଛି ତାଙ୍କର ପ୍ରାଥମିକତା ବୋଲି ସେ କହିଛନ୍ତି ।
ଯୁବ ବିଜେଡ଼ିର ଉପସଭାପତି ପ୍ରକାଶ ତ୍ରିପାଠୀଙ୍କୁ ଦଳ ନିଲମ୍ବିତ କରିଛି । ତାଙ୍କୁ ପଦ ଓ ଦଳରୁ ନିଲମ୍ବନ କରାଯାଇଛି । ସହିଦ ନଗର ଥାନାରେ ପଶି ପୋଲିସ୍ କର୍ମଚାରୀ ମାଡ଼ ମାରିଥିଲେ ବୋଲି ଅଭିଯୋଗ ରହିଥିଲା । ଆଜି ତାଙ୍କୁ ସକାଳେ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ, ଗତ ୩ ତାରିଖ ରାତିରେ ଥାନା ଭିତରେ ପଶି ବିଜେଡିର କିଛି ନେତା ଓ କର୍ମୀ ପୁଲିସ୍କୁ ନିର୍ଧୂମ ପିଟିଥିଲେ। ପୁଲିସ୍ କର୍ମଚାରୀଙ୍କ ସମେତ ପୁଲିସ୍ ହେପାଜତରେ ଥିବା ଅନ୍ୟ ୩ ଯୁବକଙ୍କୁ ବିଜେଡି ନେତା ପ୍ରକାଶ ତ୍ରିପାଠୀ ଏବଂ ତାଙ୍କ ସମର୍ଥକ ନିସ୍ତୁକ ମାଡ଼ ମାରିଥିବା ପୁଲିସ୍ କର୍ମଚାରୀ ଅଭିଯୋଗ କରିଥିଲେ। ଏହି ମାମଲା ପରଠୁ ପ୍ରକାଶ ଫେରାର ଥିଲେ। ତେବେ ତାଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲରୁ କମିଶନରେଟ୍ ପୁଲିସ୍ ଉପରେ ପ୍ରବଳ ଚାପ ପଡ଼ିଥିଲା। ପୂର୍ବରୁ ଏହି ମାମଲାରେ ୬ ଜଣଙ୍କୁ ଗିରଫ କରାଯାଇଛି।
ବିଜେଡ଼ି ନେତା ବାବୁ ସିଂହ ଦଳ ଛାଡ଼ି ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ ବିଜେଡିର ଭୁବନେଶ୍ୱର ଜିଲ୍ଲାର କାର୍ଯ୍ୟକାରୀ ସଭାପତି ଥିଲେ। ସେ ଆଜି ତାଙ୍କ ପଦବୀ ସହିତ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ବି ଇସ୍ତଫା ଦେଇଛନ୍ତି। ଦଳ ତାଙ୍କ ପ୍ରତି ଗୁରୁତ୍ବ ନ ଦେବାରୁ ସେ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି । ସେ ଭୁବନେଶ୍ୱରର ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ଟିକେଟ୍ରେ ନିର୍ବାଚନ ଲଢ଼ିବାକୁ ଆଶା ରଖିଥିଲେ। ତେବେ ବାବୁ ଏବେ କେଉଁ ଦଳରେ ଯୋଗଦେବେ, ଏନେଇ କିଛି ସୂଚନା ମିଳିପାରିନାହିଁ ।
ବଲିଉଡ୍ ମିଷ୍ଟର ପରଫେକ୍ଟନିଷ୍ଟ ଆମୀର୍ ଖାନ୍ ଏବେ ସୁପରହିଟ୍ ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ୍’ର ହିନ୍ଦୀ ରିମେକ୍ରେ ନଜର ଆସିବେ । ୨୦୧୮ରେ ଫିଲ୍ମ ‘ ଦ ଠଗସ୍ ଅଫ୍ ହିନ୍ଦୁସ୍ତାନ’ ପରଦାକୁ ଆସିଥିଲା । ବିଗ୍ ବଜେଟ୍ର ଏହି ଫିଲ୍ମର ବହୁ ନାମୀଦାମୀ କଳାକାର ଥିବା ସତ୍ତ୍ବେ ଫିଲ୍ମଟି ବକ୍ସ ଅଫିସ୍ରେ ମାତ ଖାଇଯାଇଥିଲା । ଏହି ଫିଲ୍ମରେ ବିଗ୍ବି ଅମିତାଭ ବଚ୍ଚନ, କ୍ୟାଟ୍ରିନା କୈଫ୍, ଫତିମା ସାନା ଶେଖ୍ ପ୍ରମୁଖ ଅଭିନୟ କରିଥିଲେ । ଏହି ଫିଲ୍ମଟି ଫ୍ଲପ୍ ହେବା ପରେ ଆମୀର୍ ଏବେ ନିଜ ଫିଲ୍ମ କ୍ୟାରିଅର୍କୁ ନେଇ ବେଶ୍ ଯତ୍ନବାନ ହୋଇପଡିଛନ୍ତି । ତେବେ ‘ମହାଭାରତ’ ଭଳି ଏକ ବିଗ୍ ବଜେଟ୍ର ଫିଲ୍ମ ପ୍ରସ୍ତୁତି କରିବା ନେଇ ବେଶ୍ ଚର୍ଚ୍ଚାରେ ରହିଥିଲେ । କିନ୍ତୁ ମିଳିଥିବା ସୂଚନା ଅନୁସାରେ ଆମୀର୍ ଖାନ୍ ତାଙ୍କ ଡ୍ରିମ୍ ପ୍ରୋଜେକ୍ଟ ‘ମହାଭାରତ’କୁ କିଛି ସମୟ ପାଇଁ ବନ୍ଦରଖିଛନ୍ତି । ଏହା ପୂର୍ବରୁ ସେ ଏକ ହଲିଉଡ୍ ଫିଲ୍ମର ହିନ୍ଦୀ ରିମେକ୍ରେ ନଜର ଆସିବେ ବୋଲି ଜଣାପଡିଛି । ଆମୀର୍ ୧୯୯୪ ମସିହାର ସୁପରହିଟ୍ ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ୍’ର ହିନ୍ଦୀ ରିମେକ୍ କରିବେ ବୋଲି ଜଣାପଡିଛି । ‘ଫରେଷ୍ଟ ଗମ୍ପ୍’ ୧୯୮୬ ମସିହାର ଉଇନ୍ଷ୍ଟନ୍ ଗ୍ରୁମ୍ଙ୍କ ଲୋକପ୍ରିୟ ଉପନ୍ୟାସ ‘ଫରେଷ୍ଟ ଗମ୍ପ୍’କୁ ନେଇ ଏହା ପ୍ରସ୍ତୁତ କରାଯାଇଥିଲା ।
ଗତକାଲି ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଳେଖନୀୟ ପ୍ରତିପାଦନ ପାଇଁ ନାରୀଙ୍କୁ ସମ୍ମାନ କରାଯାଇଥିଲା । ଏହି ନାରୀମାନଙ୍କ ମଧ୍ୟରେ ରହିଛନ୍ତି ବୈଜ୍ଞାନିକ, ସାମାଜିକ କର୍ମୀ, ଏସିଡ୍ ପୀଡ଼ିତା ଏବଂ ସଶସ୍ତ୍ର ବଳ । ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୪୧ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ପ୍ରତିବର୍ଷ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟରେ ମହିଳାଙ୍କ ଅବଦାନ ଲାଗି ଏହି ପୁରସ୍କାର ଦିଆଯାଉଛି। ଏହି ପୁରସ୍କାର ଉତ୍ସବ୧୯୯୧ ମସିହାରୁ ଅନୁଷ୍ଠିତ ହୋଇ ଆସୁଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ଏହି ସମ୍ମାନଜନକ ପୁରସ୍କାର ବିଭିନ୍ନ ବ୍ୟକ୍ତି ଓ ଅନୁଷ୍ଠାନକୁ ଦିଆଯାଉଛି। ବେସାମରିକ କ୍ଷେତ୍ରରେ ଦେଶରେ ମହିଳାଙ୍କ ପାଇଁ ଏହାକୁ ସର୍ବୋଚ୍ଚ ସମ୍ମାନ ଭାବେ ପରିଗଣିତ କରାଯାଇ ଆସୁଛି। ଚଳିତ ବର୍ଷ ଏହି ସମ୍ମାନ ପାଇଥିବା ବ୍ୟକ୍ତିତ୍ୱଙ୍କ ମଧ୍ୟରେ ଏସିଡ୍ ଆକ୍ରମଣର ଶିକାର ହୋଇଥିବା ସାମାଜିକ କର୍ମୀ ପ୍ରଜ୍ଞା ପ୍ରସୁନ, ‘ରାଣୀ ମିସ୍ତ୍ରୀ’ ସୁନିତା ଦେବୀ ଓ ଦେଶର ପ୍ରଥମ ମହିଳା ମେରାଇନ ପାଇଲଟ ରେସମା ନିଲୋଫର ପ୍ରମୁଖ ରହିଛନ୍ତି।