ଭାରତର ‘ପ୍ରିଫରେନ୍ସିଆଲ୍ ଟ୍ରେଡ୍ ଟ୍ରିଟ୍ମେଣ୍ଟ୍’ ଶେଷ କରିବାକୁ ଇଚ୍ଛୁକ ବୋଲି ଯୁକ୍ତରାଷ୍ଟ୍ର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ କହିଛନ୍ତି। ଏହି ରାଜିନାମା ବଳରେ ୫. ୬ ବିଲିୟନ୍ ଆମେରିକୀୟ ଡଲାର୍ ମୂଲ୍ୟର ଭାରତୀୟ ସାମଗ୍ରୀ ବିନା ଶୁଳ୍କରେ ଯୁକ୍ତରାଷ୍ଟ୍ର ଆମେରିକାକୁ ରପ୍ତାନି ହୁଏ। ପୂର୍ବରୁ ବିନା ଶୁଳ୍କରେ ଭାରତ ନିଜର ସାମଗ୍ରୀ ଆମେରିକାକୁ ରପ୍ତାନୀ କରିପାରୁଥିଲା କିନ୍ତୁ ଏଣିକି ଟ୍ରମ୍ପ୍ ପ୍ରଶାସନ ଏହା ଉପରେ କଟକଣା ବସାଇବେ । ଭାରତ ନିଜ ଉତ୍ପାଦ ଆମେରିକା ବଜାରରେ ପ୍ରବେଶ କରିବାକୁ ହେଲେ ଶୁଳ୍କ ଦେବାକୁ ପଡ଼ିବ । ‘ଜେନେରାଲାଇଜ୍ଡ୍ ସିଷ୍ଟମ୍ ଅଫ୍ ପ୍ରିଫରେନ୍ସେସ୍’ (ଜିଏସ୍ପି) ଯୋଜନାରେ ଥିବା ହିତାଧିକାରୀ ବିକାଶଶାଳୀ ରାଷ୍ଟ୍ର ତାଲିକାରୁ ଭାରତକୁ ବାଦ ଦେବାକୁ ଏହି ସଂକ୍ରାନ୍ତୀୟ ବିଜ୍ଞପ୍ତି ଦେଇଛନ୍ତି । ଆମେରିକା କଂଗ୍ରେସ ଏବଂ ଭାରତ ସରକାରଙ୍କୁ ଏ ସମ୍ପର୍କରେ ନୋଟିସ୍ ଜାରି କରାଯିବାର ୬୦ ଦିନ ପରେ ନିଷ୍ପତ୍ତି କାର୍ଯ୍ୟକାରୀ ହେବ । ଗତ ସପ୍ତାହରେ ଟ୍ରମ୍ପ୍ ଭାରତୀୟ ସାମଗ୍ରୀ ଉପରେ ୨୫ ପ୍ରତିଶତ ଟ୍ୟାକ୍ସ ବସାଇବାକୁ ଘୋଷଣା କରିଥିଲେ । ଆମେରିକାରେ ବାଣିଜ୍ୟକୁ ସହଜ କରିବା ଲାଗି ରହିଥିବା ପ୍ରିଫରେନ୍ସିଆଲ୍ ଟ୍ରେଡ୍ ଟ୍ରିଟ୍ମେଣ୍ଟ୍’ ବ୍ୟବସ୍ଥାରୁ ଭାରତ ସର୍ବାଧିକ ଲାଭ ହାସଲ କରୁଥିବା ଦେଶ । ଏହି ବ୍ୟବସ୍ଥା ଉଠାଇଦେବା ପରେ ଭାରତ ବିରୋଧରେ ଟ୍ରମ୍ପଙ୍କର ସବୁଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ହେବ । ଭାରତ ଅନଲାଇନ୍ କାରବାର ଉପରେ ନୂଆ ନିୟମ ପ୍ରଣୟନ କରିବା ସହ ଆମାଜନ୍, ଓ୍ବାଲମାର୍ଟ ଭଳି ଆମେରିକୀୟ ସଂସ୍ଥା ଉପରେ କେତେକ କଟକଣା ଲଗାଇବା ପରେ ଆମେରିକା ସହ ଏହାର ବାଣିଜ୍ୟ ଚୁକ୍ତି ଦୁର୍ବଳ ହେବାରେ ଲାଗିଛି ।
Tag: thesamikhsya
ଆଜି ନାଗପୁରଠାରେ ଖେଳାଯିବାକୁ ଥିବା ଦ୍ଵିତୀୟ ଦିନିକିଆରେ ଘରୋଇ ଭାରତୀୟ ଦଳ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ଭେଟିବ। ପୂର୍ବରୁ ହାଇଦ୍ରାବାଦଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବିରାଟ ବାହିନୀ ଅଷ୍ଟ୍ରେଲିଆକୁ ୬ୱିକେଟରେ ପରାଜିତ କରି ଶୃଙ୍ଖଳାକୁ ୧-୦ରେ ଅଗ୍ରଣୀ କରିଥିଲା। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୨୩୬ ରନ କରିଥିଲା, ଏହି ଛୋଟ ଲକ୍ଷ୍ୟକୁ ଭାରତୀୟ ଦଳ ୪୮.୨ ଓଭରରେ ପୂରଣ କରିନେଇଥିଲା। ଏହି ମ୍ୟାଚରେ ମହେନ୍ଦ୍ର ସିଂହ ଧୋନୀ ଏବଂ କେଦାର ଯାଦବ ଦମଦାର ଖେଳ ପ୍ରଦର୍ଶନକରି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ତୁଲେଇଥିଲେ। ଉଭୟ ଖେଳାଳି ଯଥାକ୍ରମେ ୫୯ରନ ଏବଂ ୮୧ରନ କରି ଖେଳ ଶେଷ ପର୍ଯନ୍ତ ଅପରାଜିତ ଥିଲେ। ଉଭୟ ଦଳଙ୍କ ପାଇଁ ଏହି ଶୃଙ୍ଖଳା ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ଚଳିତ ଶୃଙ୍ଖଳା ପରେ ଉଭୟଦଳ ବିଶ୍ଵକପରେ ଭାଗନେବେ। ତେଣୁ ଦୁଇଦଳ ଫର୍ମକୁ ଆସିବାପାଇଁ ଏହା ହେଉଛି ଶେଷ ସୁଯୋଗ। ଅଧିନାୟକ ବିରାଟ କୋହଲୀ ଦ୍ଵିତୀୟ ମ୍ୟାଚ ଜିତି ଶୃଙ୍ଖଳାକୁ ୨-୦ରେ ଅଗ୍ରଣୀ କରିବାପାଇଁ ନିଶ୍ଚିତ ଭାବରେ ଚେଷ୍ଟା କରିବେ । ଅନ୍ୟପକ୍ଷରେ ଟି୨୦ ସିରିଜ ବିଜେତା ଫିଞ୍ଚଙ୍କ ଦଳ କୌଣସିମତେ ଦ୍ଵିତୀୟ ମ୍ୟାଚକୁ ହାତମୁଠାରୁ ଖସେଇବାକୁ ଦେବନି। ତାଙ୍କ ଦଳ ଏହି ମ୍ୟାଚକୁ ଜିତି ଶୃଙ୍ଖଳାରେ ବନି ରହିବାପାଇଁ ଚେଷ୍ଟା ନିଶ୍ଚିତ କରିବେ ।
ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କଲେ ଆମିକସ କ୍ୟୁରୀ ରଞ୍ଜିତ୍ କୁମାର । ଆସନ୍ତା ଏପ୍ରିଲ ୨ରେ ହେବ ପରବର୍ତ୍ତୀ ଶୁଣାଣି ହେବ । ଗତ ୨୩ ତାରିଖରେ ପୁରୀ ଆସି ତଥ୍ୟ ସଂଗ୍ରହ କରିଥିଲେ ଆମିକସ କ୍ୟୁରୀ ରଂଜିତ କୁମାର । ଏହି ସମୟରେ ସେ ପୁରୀ ଗଜପତି, ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ । ମନ୍ଦିରର ନୀତି ବିଶୃଙ୍ଖଳା ନେଇ ବାରମ୍ବାର ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଆମିକସକ୍ୟୁରିଙ୍କୁ ଦାୟିତ୍ୱ ଦେଇଛନ୍ତି । ଆମିକସ କ୍ୟୁରି ଦାୟିତ୍ୱ ନେବା ପରେ ରଂଜିତ କୁମାରଙ୍କର ପ୍ରଥମ ଥର ପାଇଁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି । ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ନେଇ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟ ବିଚାର କରି ଏହି ସମ୍ପର୍କିତ ତଥ୍ୟ ହାସଲ ପାଇଁ ମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ । ଏବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଉପରେ ନଜର ରହିଛି ।
ଚଳିତ ବର୍ଷ ନିର୍ବାଚନ ଲଢିବେନି ତଥାଗତ ଶତପଥୀ
ଆସନ୍ତା ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବିଜେଡିର ଲୋକସଭା ସାଂସଦ ତଥାଗତ ଶତପଥୀ। ରାଜନୀତି ବଦଳରେ ସେ ଏବେ ସାମ୍ବାଦିକତା ଉପରେ ଗୁରୁତ୍ୱ ଦେବେ ବୋଲି ଜଣାପଡ଼ିଛି। ସେ ଦୈନିକ ଓଡ଼ିଆ ଖବର କାଗଜ ‘ଧରିତ୍ରୀ’ର ସଂପାଦକ ମଧ୍ୟ ଅଛନ୍ତି। ତେଣୁ ନିର୍ବାଚନ ନ ଲଢ଼ି ସେ ଏବେ ତାଙ୍କର ଏହି କାର୍ଯ୍ୟକୁ ଗୁରୁତ୍ୱ ଦେବେ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ, ତଥାଗତ ଶତପଥୀ ଏବେ ଢେଙ୍କାନାଳ ଲୋକସଭା ଆସନରୁ ସାଂସଦ ଅଛନ୍ତି। ୨୦୦୪ରୁ ଲଗାତାର ଭାବେ ସେ ତିନି ଥର ଏହି ଆସନରୁ ଜିତି ଲୋକସଭାକୁ ଯାଇଛନ୍ତି। ତେବେ ଛାଡ଼ିବା ସମ୍ପର୍କରେ ସ୍ପଷ୍ଟ କାରଣ ନ ଦର୍ଶାଇଥିଲେ ମଧ୍ୟ ସେ କହିଥିଲେ ଯେ, ବିଜୁବାବୁ ହିଁ ତାଙ୍କୁ ଏହି ରାଜନୀତିକୁ ଆଣିଥିଲେ, ତେଣୁ ତାଙ୍କର ଜନ୍ମଦିବସ ଅବସରରେ ହିଁ ସେ ରାଜନୀତି ଛାଡ଼ିବାକୁ ଚାହୁଁଛନ୍ତି । ଖୁବ୍ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସେ ତାଙ୍କର ନିଷ୍ପତ୍ତି ସମ୍ପର୍କରେ ଜଣାଇବେ ବୋଲି ସେ କହିଛନ୍ତି । ତେବେ ସମ୍ପ୍ରତି ଚାଲିଥିବା ଦଳ ବଦଳକୁ ନେଇ ମଧ୍ୟ ନିଜର ସ୍ପଷ୍ଟ ମତ ରଖିଛନ୍ତି । ସେ କହିଛନ୍ତି ନବୀନଙ୍କ ପ୍ରତି ତାଙ୍କର ସମ୍ମାନ ରହିଛି ଏବଂ ସେ ଅନ୍ୟ କୌଣସି ଦଳରେ ଯାେଗ ଦେବେ ନାହିଁଁ । ଆଉ ଅଳ୍ପ ଦିନ ପରେ ସାଧାରଣ ନିର୍ବାଚନ । ଠିକ୍ ଏହି ସମୟରେ ଗତକାଲି ବିିଜେଡ଼ିର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେପିରେ ବିଧିବଦ୍ଧ ଭାବେ ଯୋଗଦେବା ପରେ ଆଜି ବିଜେଡ଼ିରୁ ଅନ୍ୟ ଜଣେ ସାଂସଦ ନିର୍ବାଚନ ନ ଲଢିବାର ନିଷ୍ପତ୍ତି ନେଇ ବିଜେଡ଼ି ଭିତରେ କିଛି ଚାପା ଗୁଞ୍ଜରଣ ସୃଷ୍ଟି କରାଇଛନ୍ତି ।
ସଞ୍ଜୟ ଲୀଲା ଭନ୍ସାଲୀ ବଲିଉଡ୍ର ନବାଗତାଙ୍କୁ ଡେବ୍ୟୁ କରାଇବାକୁ ଯାଉଛନ୍ତି । ସେ ତାଙ୍କର ଆଗାମୀ ପ୍ରୋଜେକ୍ଟ ପାଇଁ ଜାଭେଦ ଜାଫେରୀଙ୍କ ପୁଅ ମିଜାନ ଜାଫେରୀଙ୍କୁ ନେବେ ବୋଲି ଜଣାପଡିଛି। ବେଶ୍ କିଛିଦିନ ହେବ ମିଜାନ ବଲିଉଡ୍ରେ ଏଣ୍ଟ୍ରି କରିବେ ବୋଲି ଆଲୋଚନା ହେଉଥିଲା। ଆଉ ଏବେ ସେ ଡେବ୍ୟୁ କରିବେ ବୋଲି ଖବର ଆସିଛି। ତେବେ ଭଁସାଲୀ ମିଜାନଙ୍କୁ ନେଇ ଖୁବ୍ଶୀଘ୍ର କାମ ଆରମ୍ଭ କରିପାରନ୍ତି ବୋଲି କୁହାଯାଉଛି। ନିକଟରେ ଶାହିଦ୍ କପୁର୍ଙ୍କ ଭାଇ ଈଶାନ୍ଙ୍କ ମଧ୍ୟ ସଞ୍ଜୟ ତାଙ୍କ ଅପ୍କମିଙ୍ଗ୍ ପ୍ରୋଜେକ୍ଟରେ ନେବେ ବୋଲି ସୂଚନା ରହିଥିଲା । ତେବେ ବଲିଉଡ୍ର ନ୍ୟୁକମର୍ଙ୍କ ସହ ଜଣେ ଦକ୍ଷ ତଥା ଅଭିଜ୍ଞସମ୍ପନ୍ନ ନିର୍ମାତା ନିର୍ଦ୍ଦେଶକଙ୍କ କାମ କରିବାକୁ ଦର୍ଶକେ ବେଶ୍ ଉତ୍ସାହିତ ରହିବେ ନିଶ୍ଚୟ ।
ବିଜେପିରେ ମିଶିଲେ ବୈଜୟନ୍ତ ପଣ୍ଡା
ବିଜେଡ଼ିରୁ ବହିସ୍କୃତ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଆଜି ବିଜେପିରେ ଯୋଗଦେଇଛନ୍ତି । ନୂଆଦିଲ୍ଲୀସ୍ଥିତ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଜୟ ବିଜେପିରେ ଯୋଗଦେଇଛନ୍ତି। ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ, ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ କଲକ ବର୍ଦ୍ଦନ ସିଂଦେଓ ପ୍ରମୁଖ ଉପସ୍ଥିତି ରହିଥିଲେ । ଏହାପରେ ବୈଜୟନ୍ତ ସେଠାରେ ଉପସ୍ଥିତ ଥିବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ସାହାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ବିଜେଡିରୁ ବହିସ୍କୃତ ହେବା ପରେ ବୈଜୟନ୍ତ କେଉଁ ଦଳରେ ଯୋଗଦେବେ ସେନେଇ ରାଜ୍ୟ ରାଜନୀତିରେ କଳ୍ପନାଜଳ୍ପନା ଲାଗିରହିଥିଲା। କିଛିଦିନ ପୂର୍ବରୁ ସେ କଂଗ୍ରେସରେ ଯୋଗଦେବା ନେଇ ବେଶ୍ ଚର୍ଚ୍ଚା ଜୋର୍ ଧରିଥିଲା । ଏପରିକି ସେ ଏକ ଆଞ୍ଚଳିକ ଦଳ ଗଠନ କରିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା । ବିଜେଡ଼ିରୁ ବହିଷ୍କୃତ ଅନ୍ୟତମ ନେତା ଦାମୋଦର ରାଉତଙ୍କ ସହ ମିଶି ଏକ ଦଳ ଗଢିବା ନେଇ ମଧ୍ୟ ଆଲୋଚନା କରାଯାଇଥିଲା । ଆସନ୍ତା ବୁଧୁବାର ଦିନ ବୈଜୟନ୍ତ ଓଡିଶା ଫେରିବେ। ସେଥିପାଇଁ ଦଳ ତରଫରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଛି ବୋଲି ବୈଜୟନ୍ତଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି।
ଅପକିଙ୍ଗ୍ ଫିଲ୍ମ ‘ର’ର ଟ୍ରେଲର ରିଲିଜ୍
ବଲିଉଡ ଅଭିନେତା ଜନ ଆବ୍ରାହମଙ୍କ ଅପ୍କମିଂ ଫିଲ୍ମ ‘ର’ ବା ‘ରୋମିଓ ଅକବର ଓ୍ବାଲଟର’ର ଟ୍ରେଲର ରିଲିଜ ହୋଇଛି। ସ୍ପାଇ ଥ୍ରିଲର ଫିଲ୍ମ ‘ରୋମିଓ ଅକବର ଓ୍ବାଲଟର’ ଏକ ସତ ଘଟଣା ଉପରେ ଆଧାରିତ ହୋଇଛି। ଏପ୍ରିଲ୍ ୫ରେ ରିଲିଜ୍ ହେବାକୁ ଥିବା ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇଛି ୨ ମିନିଟ ୪୬ ସେକେଣ୍ଡର ଏହି ଟ୍ରେଲର୍ରେ ଜନଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳିଛି। ରୋବି ଗ୍ରଓ୍ବୋଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଭିନେତା ଜନ ଆବ୍ରାହମଙ୍କ ବିପକ୍ଷରେ ନଜର ଆସିବେ ନାଗିନ୍ ମୋନି ରୟ। ଫିଲ୍ମରେ ଜନ ଆବ୍ରାହମ ଗୁପ୍ତଚର ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଜନ୍ ୧୮ରୁ ଅଧିକ ଲୁକ୍ରେ ନଜର ଆସିବେ ବୋଲି ଜଣାପଡିଛି। ଏହି ଫିଲ୍ମରେ ଜ୍ୟାକି ଶ୍ରଫ, ସିକନ୍ଦର ଖେର ଓ ସୁଚିତ୍ରା କୃଷ୍ଣାମୂର୍ତ୍ତିଙ୍କ ପ୍ରମୁଖ ନଜର ଆସିବେ ।
୪୧ ରନ୍ରେ ଭାରତକୁ ହରାଇଲା ଇଂଲଣ୍ଡ
ଭାରତର-ଇଂଲଣ୍ଡ ମହିଳା ତ୍ରିଦିବସୀୟ ପ୍ରଥମ ଟି୨୦ ମ୍ୟାଚ୍ରେ ଭାରତକୁ ୪୧ ରନ୍ରେ ହରାଇ ଇଂଲଣ୍ଡ ବାଜି ମାରିନେଇଛି । ଇଂଲଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ୍ ହରାଇ ୧୬୦ ରନ୍ କରିଥିବାବେଳେ ଭାରତ ୬ ଓ୍ବିକେଟ୍ ହରାଇ ମାତ୍ର ୧୧୬ ରନ୍ ସଂଗ୍ରହ କରିପାରିଥିଲା । ସ୍ମୃତି ମନ୍ଧାନାର ପ୍ରଥମ ଅଧିନାୟକତ୍ବରେ ଏହି ମ୍ୟାଚ୍ରେ ଭାରତର ଖେଳ ନୈରାଶ୍ୟଜନକ ରହିଥିଲା । ଭାରତ ତରଫରୁ ରାଧା ଯାଦବ ୨ଟି ଓ୍ବିକେଟ୍ ନେଇଛନ୍ତି । ଭାରତ ନ୍ୟୁଜଲାଣ୍ଡ ବିପକ୍ଷରେ ଏକଦିବସୀୟ ଶୃଙ୍ଖଳାକୁ ଜିତିଥିବାବେଳେ ପ୍ରଥମ ଟି୨୦ ମ୍ୟାଚ୍ରେ ଇଂଲଣ୍ଡଠାରୁ ପରାସ୍ତ ହୋଇଛି । ତେବେ ଭାରତକୁ ଶୃଙ୍ଖଳାକୁ ଜିତିବାକୁ ହେଲେ ପରବର୍ତ୍ତୀ ଦୁଇଟିଯାକ ମ୍ୟାଚ ଜିତିବାକୁ ପଡିବ। ବର୍ତ୍ତମାନ ଦଳ ଶୃଙ୍ଖଳାରେ ୧-୦ରେ ପଛରେ ଅଛି। ଏହି ମ୍ୟାଚରେ ବିଜୟୀ ଦଳ ପକ୍ଷରୁ ଅଧିନାୟିକା ଏଚ. ନାଇଟ ଧୁଆନ୍ଧର ପାଳି ଖେଳିଥିଲେ। ସେ ୨୦ଟି ବଲରେ ୭ଟି ଚୌକା ସହାୟତାରେ ୪୦ ରନ କରିଥିଲେ। ସେହିପରି ୱିକେଟକିପର ବ୍ୟାଟସମ୍ୟାନ ଟି.ବିଉମୋଣ୍ଟ ୫୭ଟି ବଲରେ ୬୨ ରନ କରିଥିଲେ। ପୂର୍ବରୁ ଭାରତୀୟ ଦଳ ଟସ ଜିତି ପ୍ରଥମେ ବୋଲିଂର ନିଷ୍ପତି ନେଇଥିଲା, କିନ୍ତୁ ଦଳ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ଉପରେ କୌଣସି ପ୍ରଭାବ ପକାଇପାରିନଥିଆଲା ବରଂ ଭ୍ରମଣକାରୀ ଦଳ ୧୬୦ ରନର ଏକ ବିଶାଳ ସ୍କୋରର ଲକ୍ଷ୍ୟ ଘରୋଇଦଳ ଉପରେ ରଖିଥିଲେ। ଯାହାକୁ ପିଛାକରିବାକୁଯାଇ ସ୍ମୃତି ମନ୍ଧାନାଙ୍କ ଦଳ ବିଫଳ ହେଇଥିଲା। ଦ୍ଵିତୀୟ ଟି-୨୦ ମ୍ୟାଚ ଆସନ୍ତା ୭ ତାରିଖ ଗୁରୁବାର ଦିନ ଖେଳାଯିବ।
ବିଜୁ ଜନତା ଦଳ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନାମରେ ଗଠିତ ହୋଇ ୪ଥର କ୍ଷମତାକୁ ଆସିସାରିଲାଣି । ନିକଟରେ ଆସନ୍ତା ନିର୍ବାଚନ ପାଇଁ ପ୍ରାୟ ସବୁ ଦଳ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି କରିଥିବାବେଳେ ଶାସକ ବିଜେଡ଼ି ଦଳ ନିଜ ଇସ୍ତାହାର ପ୍ରସ୍ତୁତି ପାଇଁ ଏଥର ଏକ ନୂଆ ଅଭିଯାନ ଆରମ୍ଭ କରିଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏକ ନୂତନ ଜନ ସଂପର୍କ ଅଭିଯାନ ଦଳ ଆରମ୍ଭ କରିବ। ଏହାର ନାମ ରଖାଯାଇଛି ‘‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ,ପାଳନ କରନ୍ତି ନବୀନ’’। ଏହି ଅଭିଯାନର ଶୁଭାରମ୍ଭ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି ଦଳର ରାଜ୍ୟ କାର୍ଯ୍ୟାଳୟଠାରେ କରିବେ। ଦଳର ମୁଖପାତ୍ର ଅରୁଣ ସାହୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି କହିଛନ୍ତି ଯେ, ତୃଣମୂଳ ସ୍ତରରେ ଜନମତ ସଂଗ୍ରହ କରାଯାଇ ତା’ର ଆଧାରରେ ଦଳର ଇସ୍ତାହାର ପ୍ରସ୍ତୁତ କରାଯିବ। ଏଥିପାଇଁ ଏକ ଫର୍ମ ପ୍ରସ୍ତୁତ କରାଯାଇଛି, ଯାହା ପ୍ରତ୍ୟେକ ମହିଳା କର୍ମୀମାନଙ୍କ ଦ୍ବାରା ଘରେ ଘରେ ବଣ୍ଟାଯିବ । ଜନସାଧାରଣଙ୍କଠାରୁ ଜନମତ ସଂଗ୍ରହ କରାଯିବା ପରେ ହିଁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତି ହେବ । ଏହି ଫର୍ମଟିକୁ ତିନି ଭାଗରେ ବିଭକ୍ତ କରାଯାଇଛି । ପ୍ରଥମ ଭାଗରେ ଜନସାଧାରଣଙ୍କର ଉପଲବ୍ଧି, ଦ୍ବିତୀୟ ଭାଗରେ ଦଳ କ’ଣ କ’ଣ କରିବା ଦରକାର ଓ ତୃତୀୟ ଭାଗରେ କେନ୍ଦ୍ର ସରକାରଙ୍କ ନିକଟରେ କେଉଁ କେଉଁ ଦାବି ଉପସ୍ଥାପନା କରାଯିବ ସେସବୁ ଏହି ଫର୍ମ ଜରିଆରେ ସାଧାରଣଜନତାଙ୍କର ମତାମତ ସଂଗ୍ରହ କରାଯିବ ।
ରାଫେଲ୍କୁ ନେଇ ପୁଣି ବାକ୍ଯୁଦ୍ଧ ଆରମ୍ଭ ହୋଇଯାଇଛି । ନିକଟରେ ମୋଦି ଏକ ସଭାରେ ରାଫେଲ୍ ଯୁଦ୍ଧ ବିମାନ ଥିଲେ ଭାରତକୁ ଆଉ ଏକପ୍ରକାର ସଫଳତା ମିଳିପାରିଥାନ୍ତା ବୋଲି କହିଥିବାବେଳେ ଏବେ ମୋଦିଙ୍କ ଏହି ବକ୍ତବ୍ୟକୁ ନେଇ ବିଏସ୍ପି ଅଧ୍ୟକ୍ଷା ମାୟାବତୀ ସମାଲୋଚନା କରି ଟ୍ବିଟ୍ କରିଛନ୍ତି । ଏହାକୁ ନେଇ ମାୟାବତୀ କହିଛନ୍ତି ଯେ, ମୋଦି ରାଫେଲ ଯୁଦ୍ଧ ବିମାନ କାହିଁକି ନିଜ ଶାସନ କାଳର ୫ ବର୍ଷ ମଧ୍ୟରେ ଆଣିଲେନି। ଏବେ ଶେଷ ସମୟରେ ଏପରି କହି କେବଳ ଭୋଟରଙ୍କୁ ହାତେଇବାର ଯୋଜନା କରୁଥିବା ମାୟାବତୀ ଅଭିଯୋଗ କରିଛନ୍ତି। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ବି ନିକଟରେ ମୋଦିଙ୍କୁ ଟାର୍ଟେଟ୍ କରି କହିଥିଲେ ଯେ ଚୌକିଦାର ସେନାଙ୍କ ପଇସାକୁ ଚୋରି କରି ଅମ୍ବାନୀକୁ ଦେଇଥିବାବେଳେ ସେନା ଆମର ଦେଶ ପାଇଁ ଲଢି ଶହୀଦ୍ ହେଉଛନ୍ତି ।
ରାଜସ୍ଥାନ କୋଟା ବାସିନ୍ଦା ମୁରତାଜା ଅଲ୍ଲି ହମିଦ ପୁଲଓ୍ବାମା ଶହୀଦଙ୍କ ପରିବାରକୁ ୧୧୦କୋଟି ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି। ଏହି ଅର୍ଥ ସେ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଯୋଗାଇ ଦେବେ ବୋଲି ପିଏମ୍ଓ କାର୍ଯ୍ୟାଳୟକୁ ଇମେଲ୍ କରିଥିଲେ। ମୁରତାଜା ଅଲ୍ଲି ହେଉଛନ୍ତି ରାଜସ୍ଥାନ କୋଟା ବାସିନ୍ଦା ହେଲେ ଏବେ ସେ ମୁମ୍ବାଇରେ ରହି ଆସୁଛନ୍ତି। ସେଠାରେ ସେ ସରକାରୀ କମର୍ସ କଲେଜରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏବେ ଜଣେ ଗବେଷକ ତଥା ବୈଜ୍ଞାନିକ ଭାବେ କାମ କରୁଛନ୍ତି। ଜନ୍ମରୁ ଦୃଷ୍ଟିହୀନ ମୁରତାଜା ସମ୍ପ୍ରତି ଗବେଷକ ତଥା ବୈଜ୍ଞାନିକ ଭାବେ କାର୍ଯ୍ୟରତ। ସେ ‘ଫୁଏଲ ବର୍ଣ୍ଣ ରେଡିଏଶନ ଟେକ୍ନୋଲଜି’ ଉପରେ କାମ କରୁଛନ୍ତି। ଯାହା ବିନା ଜିପିଏସ୍ରେ ଯେ କୌଣସି ଗାଡି ବା ବସ୍ତୁକୁ ଖୋଜି ପାରିବ। ମାତୃଭୂମି ପାଇଁ ଜୀବନ ଦେଇଥିବା ସୁଯୋଗ୍ୟ ସନ୍ତାନଙ୍କ ପରିବାରକୁ ସହଯୋଗର ହାତ ବଢାଇବା ପ୍ରତି ଭାରତୀୟର କର୍ତ୍ତବ୍ୟ ତେଣୁ ସେ ସହାୟତା କରିବାକୁ ଇଚ୍ଛା କରିଛନ୍ତି ବୋଲି କହିଛନ୍ତି ।
ଦୀର୍ଘ ୨୦ ବର୍ଷ ପରେ ବଲିଉଡର ଷ୍ଟାର ଫିଲ୍ମ ମେକର ସଜୟ ଲୀଲା ଭଂଶାଲୀ ଓ ସଲମାନ୍ ଖାନ୍ ଏକ ରୋମାଣ୍ଟିକ ପ୍ରୋଜେକ୍ଟରେ ଏକାଠି ହେବେ । ଫିଲ୍ମଟିର ନାଁ ‘ହମ୍ ଦିଲ୍ ଦେ ଚୁକେ ସନମ୍-୨’ ହେବ ବୋଲି ଶୁଣିବାକୁ ମିଳିଛି। ତେବେ ଏହି ରୋମାଣ୍ଟିକ୍ ଫିଲ୍ମର ମୁଖ୍ୟ ନାୟିକା କିଏ ହେବ ତାକୁ ଚାଲିଛି ଚର୍ଚ୍ଚା । ଏହି ପ୍ରୋଜେକ୍ଟରେ ସଲମାନ ନିଜ ବିପକ୍ଷରେ କ୍ୟାଟ୍ରିନା କୈଫଙ୍କୁ ନେବାକୁ ଚାହୁଁଥିବାବେଳେ ଭଂଶାଲୀ ଏଥିରେ ସହମତ ନୁହଁନ୍ତି। ସେ ସଲମାନଙ୍କ ବିପକ୍ଷରେ ଦୀପିକା ପାଦୁକୋନ୍ଙ୍କୁ ନେବାକୁ ଚାହୁଁଛନ୍ତି। ଶୁଣଇବାକୁ ମିଳିଛି ଯେ, ଭଂଶାଲୀ ଏହି ପ୍ରୋଜେକ୍ଟ ପାଇଁ କୁଆାଡ଼େ ଐଶ୍ୱର୍ଯ୍ୟା ରାୟଙ୍କୁ ରାଜି କରେଇବାକୁ ପ୍ରୟାସ କରୁଛନ୍ତି। ଏହି ରୋଲ୍ ପାଇଁ ପୂର୍ବରୁ ଅନୁଷ୍କା ଶର୍ମା, ଆଲିଆ ଭଟ୍ଟ, ଜାହ୍ନବୀ କପୁରଙ୍କ ନାଁ ଉପରେ ମଧ୍ୟ ବିଚାର କରାଯାଇଛି, ହେଲେ ସଲମାନଙ୍କ ସହ ଏମାନଙ୍କ ଯୋଡ଼ି ଭଂଶାଲୀଙ୍କୁ ପସନ୍ଦ ଆସୁନାହିଁ । ଅନ୍ୟପଟେ ଫିଲ୍ମରେ ସଲମାନଙ୍କ ସହ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ମଧ୍ୟ ନଜର ଆସିପାରନ୍ତି। ଲୋକପ୍ରିୟ ଚ୍ୟାଟ୍ ସୋ ‘କଫି ୱିଥ୍ କରନ୍ରେ-୬’ରେ ଅଭିନେତ୍ରୀ ଜଣକ କହିଥିଲେ ଯେ ତାଙ୍କର କୌଣସି ଏକ ପ୍ରୋଜେକ୍ଟକୁ ନେଇ ଭଂଶାଲୀଙ୍କ ସହ କଥାବାର୍ତ୍ତା ଚାଲିଛି ବୋଲି କହିଥିଲେ । ଫିଲ୍ମର ସୁଟିଂ ଚଳିତ ବର୍ଷ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଥିବାବେଳେ ସଲ୍ଲୁଙ୍କ ବିପକ୍ଷରେ ହିରୋଇନ୍ କିଏ ହେବେ, ତାକୁ ନେଇ ଚର୍ଚ୍ଚା ଜୋର୍ସୋର୍ରେ । ତେବେ ସଞ୍ଜୟ କ’ଣ ଐଶ୍ୱର୍ଯ୍ୟାଙ୍କୁ ସଲମାନ୍ଙ୍କ ସହ କାମ କରିବାକୁ ରାଜି କରାଇପାରିବେ, ନା ସଲ୍ଲୁ ତାଙ୍କର ଏକ୍ସ ଗାର୍ଲଫ୍ରେଣ୍ଡକୁ ନେବେ ଏହି ଫିଲ୍ମରେ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଫିଲ୍ମର କାଷ୍ଟିଂ ହୋଇସାରିଲା ପରେ ହିଁ ଜଣାପଡ଼ିବ । ତେବେ ଫିଲ୍ମଟିକୁ ସଞ୍ଜୟ ଲୀଲା ଭଂଶାଲୀ ଓ ସଲମାନ୍ ମିଳିତ ଭାବେ ପ୍ରଯୋଜନା କରିବେ। ଫିଲ୍ମଟି ୨୦୨୦ରେ ପରଦାକୁ ଆସିବ। ‘ହମ୍ ଦିଲ୍ ଦେ ଚୁକେ ସନ୍ମ୍’ ୧୯୯୯ ମସିହାରେ ପରଦାକୁ ଆସିଥିଲା । ଏହି ଫିଲ୍ମରେ ସଲମନ୍ ଖାନ୍, ଐଶ୍ବର୍ଯ୍ୟା ରାୟ ଓ ଅଜୟ ଦେବଗନ୍ ପ୍ରମୁଖ ଅଭିନୟ କରିଥିଲେ ।
ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି ମଲୟାଲମ ଅଭିନେତା ଟୋନି ଲ୍ୟୁକ୍। ବଦ୍ଲା ଫିଲ୍ମ ମାଧ୍ୟମରେ ଟୋନି ବଲ୍ଉଡ୍ରେ ଡେବ୍ୟୁ କରିବେ। ଟୋନିଙ୍କ ସହ ଫିଲ୍ମରେ ଅମିତାଭ ବଚ୍ଚନ ଓ ତାପସୀ ପନ୍ନୁ ମୁଖ୍ୟ ଭୂମିକାରେ ନଜର ଆସିବେ। ହେଲେ ଏଥିପାଇଁ ଟୋନିଙ୍କୁ କମ୍ କସରତ୍ କରିବାକୁ ପଡିନି । ସେ ଏହି ଫିଲ୍ମ ପାଇଁ ମାତ୍ର ୨ ସପ୍ତାହରେ ୧୦ କିଲୋ ଓଜନ କମାଇଛନ୍ତି। ଓଜନ କମ୍ କରିବା ଲାଗି ସେ ବିଶେଷ ଡାଏଟ୍ ମଧ୍ୟ ଅନୁସରଣ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଟୋନି ଏଥିପାଇଁ କୌଣସି ପ୍ରଫେସନାଲଙ୍କ ସହାୟତା ନ ନେଇ ନିଜେ ନିଜେ ସବୁ କିଛି କରିଛନ୍ତି। ମଡେଲ୍ ଭାବେ କ୍ୟାରିୟର୍ ଆରମ୍ଭ କରିଥିବା ଟୋନି ୨୦୧୬ରେ ‘ଓଜୋହମ୍’ ଫିଲ୍ମ ଜରିଆରେ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୭ରେ ଆସିଥିବା ‘ସକାଭୁ’ରେ ନିଜର ଏକ ପରିଚୟ ତିଆରି କରିପାରିଥିଲେ ।
ପାକିସ୍ତାନର ବାଲାକୋଟରେ ଥିବା ଜୈଶ-ଇ-ଆତଙ୍କବାଦୀ ଶିବିର ଉପରେ ଭାରତ ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ ଉପରେ ରାଜନୀତି ବେଶ୍ ସରଗରମ ରହିଛି । ବିରୋଧୀ ଏହାର ପ୍ରମାଣ ସ୍ୱରୂପ ଏହି ଏୟାର୍ ଷ୍ଟ୍ରାଇକ୍ର ବିସ୍ତୃତ ବିବରଣୀ ଚାହୁଁଛନ୍ତି ଏବଂ ଏହାର ଜବାବ ରଖୁଛି ସରକାର । ତେବେ ଏହି ସମୟରେ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି ଏୟାର୍ ଚିଫ୍ ମାର୍ଶାଲ୍ ବିଏସ୍ ଧାନୋଆ। ଏକ ଖବରଦାତା ସମ୍ମିଳନୀରେ ସେ କହିଛନ୍ତି ଭାରତୀୟ ସେନା ସବୁ ପ୍ରତିକୂଳ ପରିସ୍ଥିତିର ଯବାବ ଦେବାକୁ ଶକ୍ତି ରଖିଛି। ହେଲେ ପାକିସ୍ତାନରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ କେତେଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ଆମର କାମ ହେଲା ଲକ୍ଷ୍ୟ ଭେଦ କରିବା ମୃତଦେହ ଗଣିବା ନୁହେଁ। ତେବେ ଭାରତ ସରକାରଙ୍କ ପାଖରେ ଏହାର ସଠିକ୍ ଜବାବ ରହିଛି ବୋଲି ସେ କହିଛନ୍ତି । ଯଦି ଆକ୍ରମଣ ହୋଇନାହିଁ, ତେବେ ପାକିସ୍ତାନ ପ୍ରତି ଆକ୍ରମଣ କ’ଣ ପାଇଁ କଲା ବୋଲି ଧାନୋଆ କହିଛନ୍ତି ।
ପାକିସ୍ତାନ ଉପରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ଦିନକୁ ଦିନ ବିବାଦୀୟ ବୟାନ ସାମନାକୁ ଆସିଛି। ପୂର୍ବରୁ ବିରୋଧୀ ନେତା ମଧ୍ୟ ଏୟାର ଷ୍ଟ୍ରାଇକର ପ୍ରମାଣ ମାଗିଥିବା ବେଳେ ଏହାକୁ ନେଇ ରାଜେନୖତିକ ପାଣିପାଗ ଏବେ ବେଶ୍ ଉଷ୍ମ ରହିଛି । ସବୁବେବେଳ ବିବାଦୀୟ ବୟାନ ଦେଉଥିବା ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନବଜୋତ ସିଂହ ସିଦ୍ଧୁ ପୁଣି ଥରେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ସିଦ୍ଧୁ ଏୟାର୍ଷ୍ଟ୍ରାଇକ୍କୁ ନେଇ ଏକ ଟୁଇଟ କରି ଲେଖିଛନ୍ତି, ଆତଙ୍କବାଦୀ ଦମନ କରିବାକୁ ଯାଇଥିଲ ନା ଗଛ ଉପାଡିବାକୁ, ନା ଏହା କେବଳ ରାଜନୈତିକ ନାଟକ ଥିଲା। ସେନାଙ୍କୁ ନେଇ ରାଜନୀତି ନ କରାଯାଉ। ଦେଶ ଯେଭଳି ପବିତ୍ର ସେନା ମଧ୍ୟ ସେହିଭଳି ପବିତ୍ର ବୋଲି କହିଛନ୍ତି ସିଦ୍ଧୁ। ପୂର୍ବରୁ ମଧ୍ୟ ପୁଲଓ୍ବାମା ଆତଙ୍କୀ ଆକ୍ରମଣକୁ ନେଇ ସିଦ୍ଧୁ ଦେଇଥିବା ବିବଦୀୟ ବୟାନ ଯୋଗୁ ତାଙ୍କୁ କପିଲ ଶର୍ମା ଶୋ’ରୁ ବାହାର କରି ଦିଆଯାଇଥିଲା। ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ନେଇ ମଧ୍ୟ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ ।
ସୁପ୍ରିମକୋର୍ଟଙ୍କ ଛାଟ ହେଉ ବା ପ୍ରଶାସନର ତାଗିଦ୍, ଶ୍ରୀମନ୍ଦିରରେ ନୀତି ଶୃଙ୍ଖଳା କିଛି ବ୍ୟବସ୍ଥିତ ହୋଇ ପାରୁନାହିଁ। ଶ୍ରୀମନ୍ଦିର ଗାରଦର ତ୍ରୁଟି ଯୋଗୁ ପରମ୍ପରା ଭାଙ୍ଗିବାକୁ ଯାଉଥିଲା। ପୂଜାପଣ୍ଡା ସେବକମାନେ ଅଟକାଇଲେ। ଫଳରେ ପୂଜାପଣ୍ଡା ଓ ସୁଆରମାନେ ମୁହାଁମୁହିଁ ହୋଇଥିଲେ। ଯାହାଦ୍ବାରା ଠାକୁରଙ୍କ ନୀତି ୪୦ ମିନିଟ୍ ଧରି ଅଟକିଗଲା। ଏପରିକି ଏହି ତ୍ରୁଟି ଏବଂ ପରମ୍ପରା ମଧ୍ୟରେ ସମନ୍ବୟ ରଖିବାକୁ ସମର୍ଥ ହେଲାନାହିଁ ପ୍ରଶାସନ ଦ୍ବାରା ଗଠିତ ଶୃଙ୍ଖଳା କମିଟି। ଯାହାଦ୍ବାରା ଭୋଗ ବିଳମ୍ବ ହେଲା ଓ କଲବଲ ହେଲେ ଭକ୍ତ। ଗାରଦର ତ୍ରୁଟି ଥିବାରୁ ଏହି ବିଶୃଙ୍ଖଳାକୁ ରିପୋର୍ଟ ବି କଲାନି ଗାରଦ। ଶ୍ରୀମନ୍ଦିରରେ ଅନେକ ପରମ୍ପରା ରହିଛି। ସେଥିରୁ ଗୋଟିଏ ପରମ୍ପରା ହେଉଛି ଠାକୁରଙ୍କ ରହଣୀ ଭୋଗ। ଏହି ଭୋଗ ପାଇଁ ବାହାର ରୋଷରେ ପ୍ରସ୍ତୁତ ହୋଇଥାଏ ସାମଗ୍ରୀ। ସେଥିପାଇଁ ମଧ୍ୟ ନିର୍ଦ୍ଦିଷ୍ଟ ରୀତିନୀତି ରହିଛି। ପରମ୍ପରା ଅନୁଯାୟୀ, ଯେଉଁଦିନ ଠାକୁର ବାହାର ବିଜେ କରନ୍ତି, ଅର୍ଥାତ ରାମକୃଷ୍ଣ, ମଦନ ମୋହନ, ଶ୍ରୀଦେବୀ ଭୂଦେବୀ ବା ଶ୍ରୀ ସୁଦର୍ଶନ ବାହାରକୁ ବିଜେ କରନ୍ତି ତଥା ବାହାର ରୀତିନୀତିରେ ସାମିଲ୍ ହୁଅନ୍ତି, ସେହିଦିନ ହିଁ ବାହାର ରୋଷରେ ଭୋଗ ପ୍ରସ୍ତୁତ ହୋଇ ଲାଗିଥାଏ। ମାତ୍ର ସୁଆର ସେବକମାନେ ରହଣୀ ଭୋଗ କରିବାକୁ ଦାବି କରିଥିଲେ। ଠାକୁରଙ୍କର ବାହାର ବିଜେ ନୀତି ନଥିବା ବେଳେ ଗାରଦ ପକ୍ଷରୁ ବାହାର ରୋଷ ଚାବି ସେମାନଙ୍କୁ ଦିଆଯାଇଥିଲା। ଗାରଦ ସବୁ ଜାଣି ମଧ୍ୟ ବାହାର ରୋଷରେ ଭୋଗ ପ୍ରସ୍ତୁତ କରିବାକୁ ଦେବା ପରେ ସୁଆରମାନେ ରହଣୀ ଭୋଗ ଲାଗି କରିବାକୁ କହିଥିଲେ। ଏହାକୁ ବିରୋଧ କରିଥିଲେ ପୂଜାପଣ୍ଡା ସେବକ। ପ୍ରାୟ ୪୦ ମିନିଟ୍ ଧରି ଟଣାଓଟରା ଚାଲିଲା ପରେ ବାହାର ଭୋଗ ପ୍ରସ୍ତୁତି ବନ୍ଦ ରହିଲା । ନିଷ୍ପତ୍ତି ହେବା ପରେ ନୀତି ଚାଲିଥିଲା କିନ୍ତୁ ଠାକୁରଙ୍କ ଭୋଗ ଅଟକି ଗଲା, ଫଳରେ ଭକ୍ତମାନେ ଭୋଗ ପାଇଲେ ନାହିଁ । ଶ୍ରୀମନ୍ଦିରରେ ସଂସ୍କାର ଆଣିବା ପାଇଁ ଯଥେଷ୍ଟ ବ୍ୟବସ୍ଥା ଗ୍ରହଣ କରାଯାଉଥିବାବେଳେ ମନ୍ଦିର ଭିତରେ ପଣ୍ଡା ଓ ସୁଆରମାନଙ୍କ ଝଗଡ଼ା କିଛି ପରିବର୍ତ୍ତନ ହେଉପାରିନାହିଁ । ଏହାବ୍ୟତୀତ ନୀତି ସମନ୍ବୟ ରଖିବାକୁ ଥିବା କମିଟି ଉପରେ ମଧ୍ୟ ତା’ର ପାରିବାପଣିଆ ନେଇ ପ୍ରଶ୍ନ ଉଠିଛି । ଏ ପ୍ରସଙ୍ଗରେ ମନ୍ଦିର ପ୍ରଶାସନ ତଦନ୍ତ କରି ନୀତି ବିଶୃଙ୍ଖଳା ପାଇଁ ଦାୟୀ ଅଧିକାରୀ, କର୍ମଚାରୀ ଓ ସେବକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ହେଉଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାୟୋପିକ୍ର ସୁଟିଂ ବଡୋଦରାଠାରେ କରାଯାଇଛି। ‘ପିଏମ୍ ନରେନ୍ଦ୍ର ମୋଦୀ’ ସିନେମାରେ ଥିବା ଗୋଧ୍ରା କାଣ୍ଡ ସିନ୍ର ପିକଚରାଇଜେସନ୍ ୨୦୦୨ ଫେବୃଆରି ୨୭ ତାରିଖରେ ସାବରମତୀ ଏକ୍ସପ୍ରେସର ଏସ୍-୬ କୋଚ୍ରେ ନିଆଁ ଲାଗିଯାଇଥିଲା। ଏଥିରେ ୫୯ ଜଣଙ୍କର ପ୍ରାଣହାନି ଘଟିଥିଲା। ଏହି ଅଗ୍ନିକାଣ୍ଡ ପରେ ଗୁଜରାଟରେ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଫିଲ୍ମରେ ଗୋଧ୍ରା କାଣ୍ଡକୁ ସ୍ଥାନିତ କରିବାକୁ ନେଇ ବେଶ୍ ଚର୍ଚ୍ଚା ରହିଥିଲା । ତେବେ ଫିଲ୍ମ ରିଲିଜ୍ ପରେ ଜଣାପଡ଼ିବ ଏହି ବିଷୟବସ୍ତୁକୁ କିପରି ଚିତ୍ରାୟଣ କରାଯାଇଛି । ଓମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ‘ପିଏମ୍ ନରେନ୍ଦ୍ର ମୋଦୀ’ ଫିଲ୍ମରେ ବିବେକ ଓବେରଏ ନରେନ୍ଦ୍ର ମୋଦୀ ଭୂମିକା ନିଭାଉଛନ୍ତି। ଏଥିରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ବର୍ଖା ବିଷ୍ଟ୍, ଜରିନା ଓ୍ଵାହାବ, ବୋମନ୍ ଇରାନୀ ଏବଂ ମନୋଜ ଯୋଶୀ ପ୍ରମୁଖ କଳାକାର ଅଭିନୟ କରୁଛନ୍ତି।
ପାକିସ୍ତାନ ସଂସଦରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ଦେବାର ପ୍ରସ୍ତାବକୁ ପେଶ୍ କରିବା ପରେ ଏହାକୁ ନେଇ ବିବାଦ ଦେଖାଯାଇଥିଲା । ଏବେ ଏହି ବିଷୟରେ ଖୋଦ୍ ଇମ୍ରାନ୍ ମୁହଁ ଖୋଲିଛନ୍ତି । ଇମ୍ରାନ୍ ନୋବେଲ୍ ଶାନ୍ତି ପୁରସ୍କାରର ଯୋଗ୍ୟ ନୁହଁନ୍ତି, ତାଙ୍କ ମତରେ କାଶ୍ମୀର ସମସ୍ୟାର ସମାଧାନ କରିପାରିବା ବ୍ୟକ୍ତିବିଶେଷଙ୍କୁ ନୋବେଲ୍ ଶାନ୍ତି ପୁରସ୍କାର ମିଳିବା ଦରକାର ବୋଲି ଏକ ଟ୍ବିଟ୍ କରିଛନ୍ତି । ସେ ଏହି ଟ୍ବିଟ୍ରେ ଲେ୍ଖିଛନ୍ତି – ’ମୁଁ ନୋବେଲ୍ ଶାନ୍ତି ପୁରସ୍କାରର ଯୋଗ୍ୟ ନୁହେଁ, ଏହାକୁ ପାଇବାର ଯୋଗ୍ୟ ଯିଏ ହେବେ, ସିଏ କାଶ୍ମିରୀବାସୀଙ୍କ ଇଚ୍ଛା ମୁତାବକ କାଶ୍ମୀର ବିବାଦର ସମାଧାନ କରି ଏହି ଉପ ମହାଦ୍ବୀପ୍ରେ ଶାନ୍ତି ଓ ମାନବ ବିକାଶର ମାର୍ଗକୁ ଆଗକୁ ନେଇପାରିବେ ।’ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାମୟ ପରିସ୍ଥିତିରେ ଇମ୍ରାନ୍ ଖାନ୍ ଶାନ୍ତି ପାଇଁ ପ୍ରୟାସ କି ତତ୍ପରତା ଦେଖାଇବା ସହିତ ପାକିସ୍ତାନରେ ଫଶି ରହିଥିବା ଭାରତୀୟ ଓ୍ବିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନଙ୍କୁ ଭାରତକୁ ପଠାଇବା ପାଇଁ ସଂସଦରେ ଘୋଷଣା କରି ଇମ୍ରାନ୍ ଖାନ୍ ଶାନ୍ତି ପାଇଁ ପାଦ ବଢାଇଛନ୍ତି ଓ ଏଥିପାଇଁ ତାଙ୍କୁ ନୋବେଲ୍ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ପାକିସ୍ତାନ ସଂସଦ ଦାବି କରିଥିଲା ।
ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କୁ ‘ଭଗବାନ ମହାବୀର ଅହିଂସା ପୁରସ୍କାର’ରେ ସମ୍ମାନିତ କରାଯିବ । ଅଖିଳ ଭାରତୀୟ ଦିଗମ୍ବର ଜୈନ ମହାସମିତି ଦ୍ୱାରା ଆରମ୍ଭ କରାଯାଇଥିବା ଭଗବାନ ମହାବୀର ଅହିଂସା ପୁରସ୍କାର ପାଇବାରେ ପ୍ରଥମ ବ୍ୟକ୍ତି ହେବେ । ଏପ୍ରିଲ୍ ୧୭ ମହାବୀର ଜୟନ୍ତୀ ଅବସରରେ ଅଭିନନ୍ଦନଙ୍କୁ ଏହି ପୁରସ୍କାର ଦିଆଯିବ । ପୁରସ୍କାର ବାବଦକୁ ୨.୫୧ ଲକ୍ଷ ଟଙ୍କା ନଗଦ, ଏକ ସ୍ମୁତି ଚିହ୍ନ ଏବଂ ପ୍ରଶସ୍ତି ପତ୍ର ଦିଆଯିବ । ମିଗ-୨୧ ବାଇସନ ପାଇଲଟ ଅଭିନନ୍ଦନ ଫେବୃୟାରୀ ୨୭ ବାୟୁସେନା ସର୍ଜିକାଲ ଷ୍ଟ୍ରାଇକରେ ପାକିସ୍ତାନୀ ବାୟୁସେନାର ଏଫ-୧୬ ବିମାନକୁ ଆକ୍ରମଣ କରିଥିଲେ । ଏହା ପରେ ମିଗ ଦୁର୍ଘଟଣାଗ୍ରସ୍ତ ହେବାରୁ ସୁରକ୍ଷିତ ଭାବରେ ବିମାନରୁ ବାହାରି ଆସିଥିଲେ । ତାଙ୍କର ପାରାସୁଟ ପାକିସ୍ତାନ ଅଧିକୃତ କଶ୍ମୀରରେ ଖସିପଡ଼ିବାରୁ ପାକିସ୍ତାନୀ ସେନା ଧରି ନେଇଥିଲା । ମାତ୍ର ଅନ୍ତର୍ଜାତୀୟ ଚାପରେ ପାକିସ୍ତାନ ତାଙ୍କୁ ଛାଡ଼ିବାକୁ ବାଧ୍ୟ ହୋଇଥିଲା ।
ଆଜି ଭାରତ ବଜାରରେ ପ୍ରବେଶ କରିବ Realme 3
ଚୀନ୍ ସ୍ମାର୍ଟଫୋନ୍ କମ୍ପାନୀ Realme ଆଜି ଭାରତରେ ଲଞ୍ଚ କରିବ ନୂଆ ମୋବାଇଲ୍ ଫୋନ୍ Realme 3। ଏଥିରେ ୧୨nm ପ୍ରୋସେସ ଥିବା MediaTek Helio P70 ପ୍ରୋସେସର ରହିଛି। ଏହାସହ ଏହି ମୋବାଇଲ୍ ଫୋନର ପଛପଟରେ ଡୁଆଲ୍ ରିଅର୍ କ୍ୟାମେରା ସେଟଅପ୍। ୪, ୨୩୦ mAh ବ୍ୟାଟେରୀ ରହିଛି। ଏହାସହ ବହୁ ଅତ୍ୟାଧୁନିକ ଫିଚର ବି ରହିଥିବା କମ୍ପାନୀ ଦାବି କରିଛି। କୁହାଯାଉଛି, Realme 3 ନିକଟରେ ଲଞ୍ଚ ହୋଇଥିବା Redmi Note 7କୁ ଟକ୍କର ଦେବ। ତେବେ ଏହି ଫୋନ୍ କେତୋଟି ସେଗମେଣ୍ଟରେ ଲଞ୍ଚ ହେବ ଓ ଦାମ୍ କେତେ ରହିବ ଆଜି ଲଞ୍ଚ ହେବା ପରେ ସସପେନ୍ସ ଉପରୁ ପରଦା ହଟିବ।
ବିଜେପିରେ ଯୋଗ ଦେଇଛନ୍ତି ଟିମ୍ ଇଣ୍ଡିଆ କ୍ରିକେଟର ରବୀନ୍ଦ୍ର ଜାଡେଜାଙ୍କ ସ୍ତ୍ରୀ ରିଓ୍ୱାବା ଜାଡେଜା। ଗୁଜୁରାଟ କୃଷିମନ୍ତ୍ରୀ ଆରସି ଅଲଦୁ ଓ ସାଂସଦ ପୁନମ ମହାଜନ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। କୁହାଯାଉଛି ରିଓ୍ୱାବା ସୌରାଷ୍ଟ୍ରରୁ ନିର୍ବାଚନ ଲଢ଼ିପାରନ୍ତି। ରିଓ୍ୱାବା କହିଛନ୍ତି, ରାଜନୀତିରେ ପ୍ରବେଶ ପଛରେ ତାଙ୍କ ସ୍ୱାମୀଙ୍କ ସମର୍ଥନ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପ୍ରେରଣା। ତାଙ୍କ ଯୋଗଦାନ ଦ୍ୱାରା ଗୁଜୁରାଟରେ ରାଜପୁତ ସମାଜର ଭୋଟ ବିଜେପି ଖାତାରୁ ଆସିବ। ଗତବର୍ଷ ପତ୍ନୀଙ୍କ ସହ ମିଶି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥିଲେ ରବୀନ୍ଦ୍ର ଜାଡେଜା। ଏନେଇ ନିଜେ ପ୍ରଧାନମନ୍ତ୍ରୀ ଫଟୋ ସହ ଟ୍ୱିଟ୍ ବି କରିଥିଲେ।