ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ରବିବାର ଦିନ ଅଯୋଧ୍ୟାରେ ରାମ ଲାଲାଙ୍କ ଦର୍ଶନ କରିଛନ୍ତି। ଉଦ୍ଧବଙ୍କ ସହିତ ତାଙ୍କ ପରିବାର ସଦସ୍ୟ ତଥା ସାଂସଦମାନେ ଉପସ୍ଥିତ ରହିଥିଲେ । ଦର୍ଶନ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ଉଦ୍ଧବ କହିଛନ୍ତି ଯେ, ରାମ ମନ୍ଦିର ନିର୍ବାଚନୀ ମୁଦ୍ଦା ନୁହେଁ, ପ୍ରଥମେ ରାମ ମନ୍ଦିର ପରେ ସରକାର ବୋଲି ନାରା ଦେଇଥିବାର ଉଦ୍ଧବ କହିଛନ୍ତି । ରାମମନ୍ଦିରର ବିଷୟ ବର୍ଷ ବର୍ଷ ଧରି କୋର୍ଟରେ ରହିଛି । ଏହାଉପରେ ଚର୍ଚ୍ଚା ମଧ୍ୟ ଲାଗି ରହିଛି କିନ୍ତୁ ଆମ ପାଖରେ ଏବେ ମଜବୁତ୍ ସରକାର ରହିଛି । ଆମର ସମ୍ପୂର୍ଣ୍ଣ ଭରସା ରହିଛି କି, ରାମ ମନ୍ଦିରର ନିର୍ମାଣ ଶୀଘ୍ର ଆରମ୍ଭ ହେବ। ଠାକରେ ଆହୁରି ମଧ୍ୟ କହିଛନ୍ତି ଯେ, ବାବ୍ରି ମସଜିତ ଢାଞ୍ଚା ଭାଙ୍ଗିବାରେ ଶିବସେନା ଆଗରେ ଥିଲା, ଏବେ ମନ୍ଦିର ନିର୍ମାଣରେ ମଧ୍ୟ ଆମେ ଆଗକୁ ଆସିଛୁ । ରାମ ମନ୍ଦିର ଅଯୋଧ୍ୟରେ ହିଁ ନିର୍ମାଣ ହେବ ବୋଲି ସେ ଦୋହରାଇବା ସହିତ ଯଦି କେନ୍ଦ୍ର ସରକାର ରାମ ମନ୍ଦିର ନିର୍ମାଣ ପାଇଁ ଅଧ୍ୟାଦେଶ ଆଣନ୍ତି ତେବେ ନିଶ୍ଚୟ ସମର୍ଥନ କରିବେ ବୋଲି କହିଛନ୍ତି ଉଦ୍ଧବ । ସାରା ଦେଶ ତଥା ବିଶ୍ବରେ ହିନ୍ଦୁ ସମାଜର ଏକତା ଜରୁରୀ । କେନ୍ଦ୍ରର ମୋଦୀ ସରକାର ହିନ୍ଦୁମାନଙ୍କୁ ସୁଦୃଢ କରିବା ଭଳି ସରକାର ବୋଲି କହିଛନ୍ତି ଉଦ୍ଧବ । ଉଦ୍ଧବଙ୍କ ସହିତ ସଞ୍ଜୟ ଯାଦବ, ଅଭୟ ଦ୍ବିବେଦୀ, କେନ୍ଦ୍ରମନ୍ତ୍ରୀ ଅରବିନ୍ଦ ସାଓ୍ବନ୍ତ, ସଦାଶିବ ଲୋଖଣ୍ଡେ ଓମ୍ ରାଜେ ଓ ଆଦିତ୍ୟ ଠାକୁର ପ୍ରମୁଖ ଉପସ୍ଥିତ ରହିଥିଲେ ।
Tag: thesamikhsya
ବିହାରର ମୁଜାଫରପୁରରେ ଆକ୍ୟୁଟ୍ ଏନ୍ସେଫାଲାଇଟିସ୍ ସିଣ୍ଡ୍ରୋମ୍ ଏବଂ ଜାପାନିଜ୍ ଏନ୍ସେଫାଲାଇଟିସ୍ ରୋଗରେ ଆକ୍ରାନ୍ତ ହୋଇ ମୃତଶିଶୁଙ୍କ ସଂଖ୍ୟା ୮୪ ହୋଇଛି । ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଦନ ସ୍ଥିତିର ସମୀକ୍ଷା କରିବା ସହିତ ବିହାରର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ଓ ବିଭାଗୀୟ ସଚିବଙ୍କ ସହିତ ଆଲୋଚନା କରିଛନ୍ତି । ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଆଖି ସାମ୍ନାରେ ୫ ବର୍ଷର ଶିଶୁ ଏହି ଜ୍ବରରେ ମୃତ୍ୟୁ ବରଣ କରିଛି । ଜୁନ୍ ୧ରୁ ୧୭୮ ଶିଶୁ ଏସ୍କେଏମ୍ସିଏଚ୍ରେ ଏବଂ ୭୨ ଶିଶୁ କେଜ୍ରିଓ୍ବାଲ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି। ଶିଶୁଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକଟ କରିବା ସହିତ ମୃତକଙ୍କ ପରିବାରକୁ ପ୍ରତ୍ୟେକ ୪.୪ ଲକ୍ଷଟଙ୍କା ଅନୁକମ୍ପାରାଶିର ଘୋଷଣା କରିଛନ୍ତି ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ରବିବାର ନିଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ମୁମ୍ବାଇ ରାଜଭବନରେ ଅନୁଷ୍ଠିତ ଏହି ସମ୍ପ୍ରସାରଣରେ ୧୩ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ବିରୋଧୀ ରହିଥିବା ତଥା ନିକଟରେ ବିଜେପିରେ ଯୋଗ ଦେଇଥିବା ରାଧାକ୍ରିଷ୍ଣା ଭିଖେ ପାଟିଲଙ୍କୁ ମନ୍ତ୍ରୀ ପଦ ମିଳିଛି। ଅନ୍ୟମାନଙ୍କ ମଧ୍ୟରେ ମୁମ୍ବାଇ ବିଜେପି ସଭାପତି ଆଶିଷ ସେଲାର ମଧ୍ୟ ଶପଥ ଗ୍ରହଣ କରିଛନ୍ତି। ଭିଖେ ପାଟିଲ, ଆଶିଷ ସେଲାର, ଜଦ୍ୟୁତ୍ କ୍ଷୀରସାଗର, ଡ. ସଞ୍ଜୟ କୁଟେ, ସୁରେଶ ଦଗାଡୁ ଖାଡେ, ଡ. ଅନୀଲ ବୋଣ୍ଡେ, ଡ. ଅଶୋକ ଉଇକେ ଏବଂ ତାନାଜୀ ସାଓ୍ବନ୍ତ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ୨୦୧୮ରେ କୃଷିମନ୍ତ୍ରୀ ପାଣ୍ଡୁରଙ୍ଗ ଫୁଣ୍ଡକରଙ୍କ ଦେହାନ୍ତ ପରେ ଏହି ସମ୍ପ୍ରସାରଣ ସହିତ ଫଡନବିସ୍ ସରକାରଙ୍କ ମନ୍ତ୍ରୀଙ୍କ ସଂଖ୍ୟା ୩୭ରେ ପହଞ୍ଚିଛି।
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାଓ୍ବତ୍ ୨୦୨୧ ମସିହାରେ ଅନୁଷ୍ଠିତ ହେବାକୁ ଥିବା କୁମ୍ଭ ମେଳା ନିମନ୍ତେ ୫ ହଜାର କୋଟି ଦାବି କରିଛନ୍ତି। ହରିଦ୍ବାରରେ ଅନୁଷ୍ଠିତ ଏହି ମେଳା ନିମନ୍ତେ ଏକ କାଳୀନ ୫ ହଜାର କୋଟିର ଅର୍ଥରାଶି ଦାବି କରିଛନ୍ତି। ରାଓ୍ବତ୍ ଶନିବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି ନିଜର ଦାବି ଉପସ୍ଥାପନ କରିଥିଲେ। ଆସନ୍ତା କୁମ୍ଭ ମେଳାରେ ୧୫ କୋଟି ଶ୍ରଦ୍ଧାଳୁ ଯୋଗ ଦେବେ ବୋଲି ଜଣାପଡିଛି। ଏହି ଅର୍ଥ ରାଶି ୨୦୨୦ ସୁଦ୍ଧା ପ୍ରଦାନ କରିବା ପାଇଁ ସୀତାରମଣଙ୍କୁ ନିବେଦନ କରିଛନ୍ତି।
ରାଜସ୍ଥାନର ସୁମନ ରାଓ ୨୦୧୯ର ମିସ୍ ଇଣ୍ଡିଆ ଓ୍ବାଲ୍ଡ ଟାଇଟଲ୍ ହାସଲ କରିଛନ୍ତି । ଶନିବାର ଦିନ ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ସୁମନ୍ ଏହି ଆଓ୍ବାର୍ଡ ହାସଲ କରିଛନ୍ତି । ସେ ୨୦୧୯ ମିସ୍ ଓ୍ବାଲ୍ଡ ପ୍ରତିଯୋଗିତାରେ ଭାରତ ତରଫରୁ ପ୍ରତିନିଧିତ୍ବ କରିବେ । ୨୦୧୮ର ମିସ୍ ଇଣ୍ଡିଆ ଅନୁକ୍ରିତି ବ୍ୟାସ୍ ତାଙ୍କୁ ମିସ୍ ଇଣ୍ଡିଆ ଟାଇଟଲ୍ରେ ଅଭିଷିକ୍ତ କରିଥିଲେ । ଏହି ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍ ହୋଇଛନ୍ତି ତେଲେଙ୍ଗାନାର ସଞ୍ଜନା ଭିଜ୍ ସେହିପରି ବିହାରର ଶ୍ରେୟା ଶଙ୍କର ମିସ୍ ଇଣ୍ଡିଆ ୟୁନାଇଟେଡ୍ କଣ୍ଟିନେଟ୍ ଓ ଛତିଶଗଡ଼ର ଶିବାନୀ ଯାଦବ୍ ମିସ୍ ଗ୍ରାଣ୍ଡ୍ ୨୦୧୯ର ଟାଇଟଲ୍ ହାସଲ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବଲିଉଡ୍ କୋରିଓଗ୍ରାଫର୍ ରେମୋ ଡିସୁଜା, ଅଭିନେତ୍ରୀ ହ୍ୟୁମା କୁରେସୀ, ଚିତ୍ରାଙ୍ଗଦା ସିଂ, ଫ୍ୟାଶନ୍ ଡିଜାଇନର୍ ଫାଲ୍ଗୁନୀ ସେନ୍ ପିକକ୍ ଓ ଭାରତୀୟ ଫୁଟବଲର୍ ସୁନୀଲ୍ ଛେତ୍ରୀ ପ୍ରମୁଖ ସାମିଲ୍ ହୋଇଥିଲେ । ଆୟୋଜିତ ରଙ୍ଗାରଙ୍ଗା କାର୍ଯ୍ୟକ୍ରମରେ କ୍ୟାଟ୍ରିନା କୈଫ୍, ବିକି କୌଶଲ୍ ଓ ମୌନୀ ରୟ ପ୍ରମୁଖ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ବଲିଉଡ୍ ନିର୍ମାତା ନିର୍ଦ୍ଦେଶକ କରନ୍ ଜୋହର୍, ଅଭିନେତା ଭିକି କୌଶଲ୍ ଓ ମିସ୍ ଇଣ୍ଡିଆ ଓ୍ବାଲ୍ଡ ୨୦୧୮ର ମାନୁଷୀ ଚିଲ୍ଲାର ।
ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ
ସଂସଦୀୟ ବୈଠକର ଗୋଟିଏ ଦିନ ପୂର୍ବରୁ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ରବିବାର ସଂସଦ ପରିସରରେ ଦେଶର ବିଭିନ୍ନ ସମସ୍ୟା ନେଇ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ସୁରୁଖୁରୁରେ ସଂସଦର ଉଭୟ ଗୃହର ପରିଚାଳନା ନେଇ ବିରୋଧୀ ଦଳଙ୍କ ସହିତ ଆଲୋଚନା ହୋଇଥିବା ଜଣାପଡିଛି। ଏହି ଆଲୋଚନାରେ ଟ୍ରିପଲ୍ ତଲାକ୍, ଶିକ୍ଷକ ସଂରକ୍ଷଣ ବିଲ୍, ଆଧାର ବିଲ୍ ଉପରେ ମଧ୍ୟ ଆଲୋଚନା ହୋଇଥିଲା। ଆସନ୍ତା ସୋମବାରରୁ ଲୋକସଭାର ପ୍ରଥମ ଅଧିବେଶମନ ଆରମ୍ଭ ହୋଇ ଜୁଲାଇ ୨୬ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୪ ତାରିଖରେ ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ ସହିତ ଜୁଲାଇ ୫ରେ ବଜେଟ୍ ଉପସ୍ଥାପନ କରାଯିବ। ଜୁନ୍ ୧୯ ତାରିଖରେ ଅସ୍ଥାୟୀ ବାଚସ୍ପତି ବୀରେନ୍ଦ୍ର କୁମାର ନବନିର୍ବାଚିତ ସାଂସଦଙ୍କ ଶପଥ ଗ୍ରହଣ କରାଇବା ସହିତ ବାଚସ୍ପତି ନିର୍ବାଚନ ମଧ୍ୟ କରାଇବେ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁନ୍ ୨୦ ତାରିଖରେ ଉଭୟ ଗୃହକୁ ସମ୍ବୋଧିତ କରିବେ।
ଜମ୍ମୁ କାଶ୍ମୀର ରାଜ୍ୟପାଳଙ୍କ ଅଧୀନରେ ରହିଥିବା ଦୁର୍ନୀତି ନିବାରଣ ବିଭାଗ (ଏସିବି) ପକ୍ଷରୁ ଶ୍ରୀନଗର ନଗର ପାଳିକାର ଡେପୁଟି ମେୟରଙ୍କ ବିପକ୍ଷରେ ଏକ ମାମଲା ରୁଜୁ କରାଯାଇଛି। ଡେପୁଟି ମେୟର ଶେଖ୍ ଇମ୍ରାନଙ୍କ ସମେତ ଜମ୍ମୁ କାଶ୍ମୀର ବ୍ୟାଙ୍କ ଏବଂ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ନାମରେ ମଧ୍ୟ ଏହି ମାମଲା ରୁଜୁ କରାଯାଇଛି। ଶେଖ୍ ଇମ୍ରାନ୍ଙ୍କ ଫାର୍ମ କେହଓ୍ବା ଗ୍ରୁପ୍କୁ କୋଟି କୋଟି ଟଙ୍କାର ସବ୍ସିଡି ଛାଡ କରାଯିବା ନେଇ ଏହି ମାମଲା ରୁଜୁ କରାଯାଇଛି। ପୁଲଓ୍ବାମାର ଲସ୍ସିପୋରାରୁ ଏସିବିର ଜଣେ ଅଧିକାରୀ ଇମ୍ରାନ ଏବଂ ଅନ୍ୟ ମାନଙ୍କ ନାମରେ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲା ଦାୟର କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଏସିବି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ କେହଓ୍ବା ଗ୍ରୁପ୍ ୧୩୮ କୋଟି ଟଙ୍କାର ଋଣ ନେଇଥିଲା। ବ୍ୟାଙ୍କ ପକ୍ଷରୁ ଏହାକୁ ପ୍ରଥମେ ୭୮ କୋଟିକୁ ହ୍ରାସ କରାଯାଇଥିଲା। ପରବର୍ତ୍ତୀ ଦୁଇଟି କିସ୍ତିରେ ଏହାକୁ ୫୫ କୋଟି ଏବଂ ସର୍ବଶେଷରେ ୨୭ କୋଟିକୁ ହ୍ରାସ କରାଯାଇଥିଲା।
ଆମେରିକାକୁ ତାହାର ନିଜ ଭାଷାରେ ଜବାବ ଦେଇଛି ଭାରତ। ଭାରତ ପକ୍ଷରୁ ଆମଦାନୀ କରାଯାଉଥିବା କୃଷି ଉତ୍ପାଦ ସମେତ ୨୮ଟି ଦ୍ରବ୍ୟ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରିଛି। ଏହା ଦ୍ୱାରା ଆମେରିକାକୁ ଭାରତରେ ନିଜ ଦ୍ରବ୍ୟ ବିକ୍ରି କରିବାକୁ ହେଲେ ଅଧିକ ଟିକସ ଦେବାକୁ ପଡିବ। ଏନେଇ ସରକାରଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରିଛନ୍ତି। କେନ୍ଦ୍ରୀୟ ପରୋକ୍ଷ କର ଏବଂ ସୀମା ଶୁଳ୍କ ବୋର୍ଡ ନିଜର ଏକ ପୁରୁଣା ଅଧିସୂଚନାକୁ ସଂଶୋଧିତ କରି ଗତକାଲି ନୂଆ ବିଜ୍ଞପ୍ତି ପ୍ରକାଶ କରିଥିଲା। ବିଆଇସି ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ ଆମେରିକାରେ ଉତ୍ପାଦିତ ହେଇଥିବା ୨୮ଟି ଉତ୍ପାଦ ଉପରେ ଟିକସ ଲଗାଯିବ। ତେବେ ଅନ୍ୟ ଦେଶର ଉତ୍ପାଦ ଉପରେ କର ଅପରିବର୍ତିତ ରହିବ ବୋଲି ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ପୂର୍ବ ଆର୍ଥିକ ବର୍ଷରେ ଭାରତର ଆମେରିକାରୁ ରପ୍ତାନୀ ମୂଲ୍ୟ ୪୭.୯ ମିଲିୟନ୍ ଡଲାର ରହିଥିଲା। ଏହି ସମୟରେ ୨୬.୭ ମିଲିୟନ୍ ଡଲାରର ଆମଦାନୀ ହୋଇଥିଲା। ଏବେ ଏହି ନିଷ୍ପତି ଫଳରେ ଦେଶକୁ ୨୧.୭କୋଟି ଡଲାରର ଅତିରିକ୍ତ ରାଜସ୍ୱ ମିଳିବ। ଆମଦାନୀ ଶୁଳ୍କ ବୃଦ୍ଧି ପାଇଥିବା କୃଷିଜାତ ଦ୍ରବ୍ୟ ମଧ୍ୟରେ ଚଣା, ମସୁର ଡାଲି, ସେଓ, ଅଖରୋଟ ପ୍ରମୁଖ ରହିଛି।
ଚଳିତ କ୍ରିକେଟ୍ ବିଶ୍ବକପ୍ରେ ମୁକାବିଲା କରିବାକୁ ଯାଉଛନ୍ତି ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ। ମାଞ୍ଚେଷ୍ଟରରେ ଅନୁଷ୍ଠିତ ହେବାକୁ ଥିବା ଏହି ମୁକାବିଲାରୁ ଦର୍ଶକ ଏକ ପ୍ରତିଦ୍ବନ୍ଦିତାପୂର୍ଣ୍ଣ ମୁକାବିଲା ଆଶା କରୁଛନ୍ତି। ଦୁଇ ଦେଶର ମୁକାବିଲାରେ ଭାରତ ଆଗୁଆ ରହିଥିବା ବେଳେ ଏହି ମୁକାବିଲାରେ ବିଜୟୀ ହେବାକୁ ଚେଷ୍ଟା କରିବ ବିରାଟ କୋହଲିଙ୍କ ଭାରତୀୟ ଦଳ। ପୂର୍ବରୁ ଉଭୟ ଦଳ ପରସ୍ପର ସହିତ ବିଶ୍ବକପ୍ରେ ୬ଥର ସାମ୍ନାସାମ୍ନି ହୋଇଥିବା ବେଳେ ଭାରତ ସମସ୍ତ ଥର ବାଜି ମାରି ନେଇଛି। ଏହି ମୁକାବିଲାରେ ବିଜୟୀ ହୋଇ ଭାରତ ୭-୦ ର ଲକ୍ଷ୍ୟ ରଖିଛି। ପାକିସ୍ତାନ ପକ୍ଷରୁ ଭେଟେରାନ୍ ସୋଏବ ମଲ୍ଳିକ, ଫକର ଜମାନ ଏବଂ ମହମ୍ମଦ ଆମିରଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ଭାରତ ପକ୍ଷରୁ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମ୍ରାଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ। ସେହିପରି ମାଞ୍ଚେଷ୍ଟର ପିଚ୍ ସର୍ବଦା ପେସ୍ ବୋଲରଙ୍କୁ ସୁହାଉଥିବାରୁ ଭାରତ ପକ୍ଷରୁ କୁଲ୍ଦୀପ ଯାଦବଙ୍କ ସ୍ଥାନରେ ମହମ୍ମଦ ଶାମିଙ୍କୁ ଖେଳାଇପାରେ ଭାରତ।
ସ୍ଥାନ : ମାଞ୍ଚେଷ୍ଟର, ଓଲ୍ଡ ଟ୍ରାଫୋର୍ଡ
ସମୟ : ଅପରାହ୍ନ ୩:୦୦ଟା
ବିହାରରେ ୪୩ ଜଣଙ୍କର ଅଂଶୁଘାତ ଜନିତ ମୃତ୍ୟୁ
ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ଅଂଶୁଘାତରେ ୪୩ ଜଣଙ୍କର ମୃତ୍ୟୁ ଘଟିଛି। ଔରଙ୍ଗାବାଦରେ ସର୍ବାଧିକ ୩୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗୟାରେ ୭ଜଣ ଏବଂ ନୱାଦାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ୭୦ରୁ ଅଧିକ ଲୋକ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଔରଙ୍ଗାବାଦ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁରେନ୍ଦ୍ର କୁମାର ସିଂହ କହିଛନ୍ତି ମୁଣ୍ଡବିନ୍ଧା, ଡିହାଇଡ୍ରେସନ ଏବଂ ପ୍ରବଳ ମୁଣ୍ଡ ବୁଲାଇବା ଆଦିରେ ଆକ୍ରାନ୍ତ ହୋଇ ୩୦ରୁ ଅଧିକ ଲୋକ ଚିକିତ୍ସିତ ହେଉଛନ୍ତି। ରାଜ୍ୟର ବିଭିନ୍ନ ଭାଗରେ ଗତ ୩ଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଫଳରେ ସାଧାରଣ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଗତକାଲି ପାଟନା, ଗୟା, ଔରଙ୍ଗାବାଦ, ନୱାଡା ଏବଂ ଡେହେରୀରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ଆସନ୍ତା ୨ ଦିନ ଯାଏ ସ୍ଥିତି ଅପରିବର୍ତ୍ତିତ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।
ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ଗୋଷ୍ଠୀ ସଙ୍ଘର୍ଷ ଘଟିଛି। ଏହି ଘଟଣାରେ ୩ ଜଣ ତୃଣମୂଳ କର୍ମୀ ନିହତ ହୋଇଛନ୍ତି। ଏକ ବାଇକ୍ରେ ଆସି କିଛି ଅଜଣା ଆତତାୟୀ ଗୁଳିମାଡ କରିବା ସହିତ ବୋମା ଫିଙ୍ଗିଥିଲେ। ଦୋମକାଲର କୁଚିୟାମୋରା ଗ୍ରାମରେ ଏହି ସଙ୍ଘର୍ଷ ଘଟିଛି। ଦୁଇ ମୃତ ବ୍ୟକ୍ତିଙ୍କ ପରିବାର ଏହି ଘଟଣା ପଛରେ ବିଜେପିର ହାତ ରହିଥିବା ନେଇ ଅଭିଯୋଗ କରିଛନ୍ତି। ଦୋମକାଲ ପୋଲିସ୍ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ଏହି ଘଟଣାରେ ତୃଣମୂଳ କର୍ମୀ ନିହତ ହୋଇଥିବାର ଖବର ମିଳିଥିବା ବେଳେ ଏହାକୁ ନେଇ ତଦନ୍ତ ଜାରି ରହିଛି। ପୋଲିସ୍ ପକ୍ଷରୁ ଉକ୍ତ ଅଞ୍ଚଳରେ ଚଢାଉ କରାଯାଇଥିବା ବେଳେ କାହାରିକୁ ଗିରଫ କରାଯାଇନାହିଁ।
ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଧର୍ମଘଟ ପଞ୍ଚମ ଦିନରେ ପହଞ୍ଚିଛି। ଏହା ମଧ୍ୟରେ ଗୃହ ମନ୍ତ୍ରାଳୟ ଏହି ଧର୍ମଘଟ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନୋଟିସ୍ ଜାରି କରିଛି। କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଏହି ନୋଟିସ୍ ଜାରି କରିବା ସହିତ ଏହି ସମ୍ପର୍କିତ ତୁରନ୍ତ ଏକ ରିପୋର୍ଟ ଦେବାକୁ ତଲବ କରିଛନ୍ତି। ଏହି ନୋଟିସ୍ରେ କୁହାଯାଇଛି ଯେ, ଡାକ୍ତରଙ୍କ ଧର୍ମଘଟର ପ୍ରଭାବ ସାରା ଦେଶରେ ପଡିଛି। ପଶ୍ଚିମବଙ୍ଗ ବ୍ୟତୀତ ଏହି ଧର୍ମଘଟରେ ଅନ୍ୟ ରାଜ୍ୟର ଡାକ୍ତରମାନେ ମଧ୍ୟ ସାମିଲ୍ ହୋଇଛନ୍ତି। କେନ୍ଦ୍ର ମମତାଙ୍କୁ ଏହାର କାରଣ ଦର୍ଶାଇବା ସହିତ ଧର୍ମଘଟକୁ ରୋକିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି ସେ ଉପରେ ବିସ୍ତୃତ ରିପୋର୍ଟ ଦେବା ପାଇଁ କୁହାଯାଇଛି। ପୂର୍ବରୁ ମଧ୍ୟ ଗୃହମନ୍ତ୍ରାଳୟ ପଶ୍ଚିମବଙ୍ଗରେ ହେଉଥିବା ଅଶାନ୍ତି ବାତାବରଣକୁ ନେଇ ନୋଟିସ୍ ପଠାଇଥିଲେ। ଡାକ୍ତରଙ୍କ ଧର୍ମଘଟ ଯୋଗୁଁ ଦୁଇ ନବଜାତଙ୍କ ବିନା ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଛି। ଏବେବି ପଶ୍ଚିମବଙ୍ଗରେ ମମତା ସରକାର – ଡାକ୍ତରଙ୍କ ନିଜ ନିଜ ଜିଦ୍ରେ ଅଡ଼ି ରହିଛନ୍ତି।
ବର୍ତ୍ତମାନ ସମସ୍ତ ଷ୍ଟାର ଡିଜିଟାଲ ପ୍ଲାଟଫର୍ମ ଆଡକୁ ମୁହାଁଇ ଥିବା ବେଳେ ନିଜର ଦ୍ବିତୀୟ ଓ୍ବେବ୍ ଫିଲ୍ମ କରିବା ପାଇଁ ଯାଉଛନ୍ତି ଅମିତ୍ ସାଧ୍। ଭାରତୀୟ ଡିଜିଟାଲ ପ୍ଲାଟଫର୍ମରେ ନିଜର ଦ୍ବିତୀୟ ଓ୍ବେବ୍ ଫିଲ୍ମ ନିମନ୍ତେ ମଞ୍ଜରୀ ଫଡନିସ୍ଙ୍କ ସହିତ କାମ ଆରମ୍ଭ କରିବାକୁ ଯାଉଛନ୍ତି ସାଧ୍। ପ୍ରଥମେ ଆମାଜନ୍ ପ୍ରାଇମ୍ର ବ୍ରିଦ୍ରେ ଅଭିନୟ କରିଥିବା ବେଳେ ଏହି ଓ୍ବେବ୍ ଫିଲ୍ମଟି ଜୀ 5ର ରହିଛି। ଆସନ୍ତା ମାସରୁ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବାକୁ ଥିବା ବେଳେ ୨୦୨୦ରେ ଏହା ପ୍ରସାରିତ ହେବ। ଅମିତ୍ ସାଧ୍ ଅକ୍ଷୟ କୁମାର ଅଭିନୀତ ଗୋଲ୍ଡରେ ନଜର ଆସିଥିବା ବେଳେ ୨୦୧୮ ଫିଲ୍ମ ବା ବା ବ୍ଲାକ୍ ସିପ୍ରେ ନଜର ଆସିଥିଲେ ମଞ୍ଜରୀ।
ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ
ଆଜି ଶ୍ରୀମନ୍ଦିରରେ ଦଇତା ପ୍ରବେଶ ନୀତି ଅନୁଷ୍ଠିତ ହୋଇଛି। ଦଇତା ସେବକମାନେ ମଙ୍ଗଳ ଆଳତୀ ପରେ ପ୍ରବେଶ କରିଛନ୍ତି। ଆଜି ବାହୁଟ କଣ୍ଟ ବନ୍ଧା ନୀତି ହେଉଛି। ଆସନ୍ତାକାଲି ସେନାପଟା ବନ୍ଧା ଯିବ। ସେଥିପାଇଁ ଆସନ୍ତାକାଲି ଅପରାହ୍ନ ୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ସୋମବାର ଅର୍ଥାତ୍ ୧୭ ତାରିଖ ଦିନ ଶ୍ରୀମନ୍ଦିରରେ ସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ମହାସ୍ନାନ ହେବ। ଏହା ପୂର୍ବରୁ ଶ୍ରୀଜୀଉ ଅଙ୍ଗରକ୍ଷକ ଭାବେ ପରିଚିତ ଦଇତା ସେବକ ମାନେ ବାହୁଟ ଓ ସେନାପଟା ଲାଗି କରୁଛନ୍ତି। ଆଜି ଦଇତା ସେବକମାନେ ମଙ୍ଗଳ ଆଳତୀ ନୀତି ସମ୍ପନ୍ନ ହେବା ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିଛନ୍ତି। ପ୍ରଥମେ ବାହୁଟ ବନ୍ଧା ଯିବ। ଏହା ପରେ ଆସନ୍ତାକାଲି ସେନାପଟା ବନ୍ଧା ଯିବ। ଏଥିପାଇଁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀଜୀଉଙ୍କ ଦର୍ଶନ ବନ୍ଦ ରହିବ। ଦିନ ୨ଟା ପରେ ଦ୍ୱାର ଫିଟା ଯାଇ ମଙ୍ଗଳ ଆଳତୀ ହେବ। ଏହି ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଆଜିଠାରୁ ଦେଢା ମଜୁରୀ ମଧ୍ୟ ପ୍ରଦାନ କରାଯାଇଛି। ପୂର୍ବରୁ ଏହାକୁ ନେଇ ପ୍ରଶାସନ ପାଖରେ ଦାବି କରିଥିଲେ।
ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ ଶନିବାର ରାଜ୍ୟପାଳ ରାମ ନାଏକଙ୍କୁ ଭେଟିଛନ୍ତି। ଉତ୍ତର ପ୍ରଦେଶର ଦୁର୍ବଳ ଆଇନ ଶୃଙ୍ଖଳା ପରସ୍ଥିତି ନେଇ ଅଭିଯୋଗ କରିଛନ୍ତି ଅଖିଳେଶ। ଯୋଗୀ ଆଦିତ୍ୟନାଥ ସରକାର ଶୋଇ ରହିଥିବାରୁ ରାଜ୍ୟରେ ଅପରାଧ ହାର ଦିନକୁ ଦିନ ବୃଦ୍ଧି ପାଇଛି, ସେଥିପାଇଁ ରାଜ୍ୟପାଳଙ୍କୁ ଭେଟିଛନ୍ତି ବୋଲି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅଖିଳେଶ। ଗତକାଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ୍ ମୁଖ୍ୟ ମାନଙ୍କୁ ବଦଳି କରାଇବା ପରେ ୟୁପିରେ ଜଙ୍ଗଲରାଜ ଚାଲିଛି ବୋଲି କହିଛନ୍ତି ଅଖିଳେଶ। ଅଖିଳେଶଙ୍କ ସହିତ ବରିଷ୍ଠ ନେତା ଅହମଦ୍ ହାସନ୍ ରାଜ୍ୟପାଳଙ୍କୁ ଭେଟିଥିଲେ।
ପଞ୍ଚମ ଥର ପାଇଁ ଅନୁଷ୍ଠିତ ହେବାକୁ ଥିବା ନିତି ଆୟୋଗ ବୈଠକକୁ ବର୍ଜନ କରିବାର ନିଷ୍ପତ୍ତି ନେଇଛନ୍ତି ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ। ପ୍ରାରମ୍ଭରୁ ମମତା ବାନାର୍ଜୀ ଏହି ବୈଠକରେ ଯୋଗ ଦେବା ନେଇ ମମତା ମନା କରିଥିବା ବେଳେ ଆଜି ସକାଳୁ ଏକ କୃଷି ଜଳଯୋଗାଣ ପ୍ରକଳ୍ପର ଉଦ୍ଘାଟନ ନିମନ୍ତେ ବ୍ୟସ୍ତ ରହିଥିବାରୁ ଯୋଗ ନଦେବା ନେଇ କେସିଆର ସ୍ପଷ୍ଟ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ମିଳିଥିବା ସୂଚନା ଅନୁଯାୟୀ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ଏହି ବୈଠକକୁ ବର୍ଜନ କରିଛନ୍ତି। ଏହି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ଅନ୍ୟ ୪ ଜଣ କଂଗ୍ରେସ ନେତାଙ୍କ ସହିତ ଏକ ଆଲୋଚନାରେ ଭାଗ ନେବେ ବୋଲି ଜଣାପଡିଛି। ଚାଷୀ ମାନଙ୍କ ଋଣ ଛାଡ କରିବା ନେଇ ଏହି ଆଲୋଚନା କରାଯିବ ବୋଲି ଜଣାପଡିଛି।
ନାଳ ସଫା କରିବା ସମୟରେ ୭ ସଫେଇ କର୍ମୀ ନିହତ
ଶନିବାର ଗୁଜୁରାଟର ଭଦୋଦରାରେ ଏକ ନାଳ ସଫା କରିବା ସମୟରେ ୭ ଜଣ ସଫକେଇ କର୍ମୀଙ୍କ ମୃତ୍ୟୁ ଘଟିଛି। ଦାଭୋଇର ଫର୍ତ୍ତିକୁଲରେ ରହିଥିବା ଏକ ହୋଟେଲର ନାଳ ସଫା କରିବା ସମୟରେ ଏହି ୭ ଜଣ କର୍ମୀଙ୍କ ମୃତ୍ୟୁ ଘଟିଛି। ମୃତ ସାତ ଜଣଙ୍କ ମଧ୍ୟରେ ୪ ଜଣ ସଫେଇ କର୍ମଚାରୀ ରହିଥିବା ବେଳେ ତିନି ଜଣ ହୋଟେଲ କର୍ମଚାରୀ ରହିଛନ୍ତି। ଜଣେ ସଫେଇ କର୍ମଚାରୀ ନାଳରୁ ବାହାରି ପାରି ନଥିବା ବେଳେ ଅନ୍ୟମାନେ ତାଙ୍କୁ ଉଦ୍ଧାର କରିବା ପାଇଁ ଭିତରକୁ ଯାଇଥିବା ବେଳେ ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଥିଲେ ବୋଲି ଜିଲ୍ଲାପାଳ କିରଣ ଜାଭେରୀ ପ୍ରକାଶ କରିଛନ୍ତି।
ସାଗରିକା
ନବୀନ ସରକାରଙ୍କ ପଞ୍ଚମ ପାଳିର ବିଜୟ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛି ମହିଳା ଭୋଟ୍ । ନିର୍ବାଚନ ପୂର୍ବରୁ ବିଜେଡି ସରକାର ମହିଳାଙ୍କ ବିକାଶ ଲାଗି ଅନେକ ଯୋଜନାର ପ୍ରସ୍ତାବ ରଖିଥିଲେ। ଚଳିତଥର ନିର୍ବାଚନରେ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ ଅଗ୍ରାଧିକାର ଦେଇଥିଲା ବିଜେଡ଼ି । ଲୋକସଭାରେ ଦଳ ନିଜ ତରଫରୁ ୩୩% ମହିଳାଙ୍କୁ ଟିକଟ ଦେଇଥିଲା। ମହିଳା ସଶକ୍ତିକରଣ ଦିଗରେ ସରକାର ବିଶେଷ ଭୂମିକା ଗ୍ରହଣ କରିବେ ବୋଲି ନିର୍ବାଚନୀ ଇସ୍ତାହାରରେ ସ୍ପଷ୍ଟ ସଙ୍କେତ ଦେଇଥିଲେ। ଆସିକା ଲୋକସଭା ଆସନରୁ ପ୍ରମିଳା ବିଶୋଇଙ୍କୁ ପ୍ରାର୍ଥୀ କରାଇ ବିଜେଡ଼ି ମହିଳା ସଶକ୍ତିକରଣ ଦିଗରେ ନିଜର ଆଭିମୁଖ୍ୟକୁ ଅଧିକ ସ୍ପଷ୍ଟ କରିଥିଲା ।
ପୂର୍ବରୁ ତୃଣମୂଳସ୍ତରରୁ ମହିଳାଙ୍କୁ ସ୍ବାବଲମ୍ବୀ କରିବା ଦିଗରେ ମିଶନ ଶକ୍ତି ବେଶ୍ ବଳିଷ୍ଠ ଭୂମିକା ଗ୍ରହଣ କରିଛି । ଚଳିତ ନିର୍ବାଚନୀ ଇସ୍ତାହାରରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ୧୦୦୦ କୋଟି ଟଙ୍କାର କାର୍ଯ୍ୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା । ମହିଳା ସଶକ୍ତିକରଣ ହେଉଛି ଓଡିଶା ସରକାରଙ୍କ ଏକ ବଳିଷ୍ଠ ଯୋଜନା । ଏହାଦ୍ବାରା ମହିଳା ମନକୁ ସାମାଜିକ ସ୍ତର ରେ ଉନ୍ନତି କରିବାର ସୁଯୋଗ ମିଳିଛି । ଏହାଦ୍ବାରା ଅନେକ ମହିଳା ଆର୍ଥିକ ସ୍ଵଚ୍ଛଳତା ପାଇ ପାରିଛନ୍ତି । ଏହାଦ୍ବାରା ପୂର୍ବରୁ ସମାଜ ରେ ମହିଳାଙ୍କୁ ନେଇ ରହିଥିବା ପାରମ୍ପରିକ ମାନସିକତାରେ ସୁଧାର ଆସିଛି । ସ୍ବୟଂ ସହାୟକ ଗୋଷ୍ଠୀ ନିର୍ମାଣ କରି ଏହା ଜରିଆରେ ନାରୀମାନଙ୍କ ଆର୍ଥିକ ସ୍ଥିତି ସୁଧାରରେ ଏକ ବଡ଼ ବୈପ୍ଳବିକ ପରିବର୍ତ୍ତନ ଅଣାଯାଇପାରିଛି । ଏହା ଜରିଆରେ ବିଭିନ୍ନ ପ୍ରକାର ଋଣ କମ ସୁଧ ଅବା ବିନା ସୁଧରେ ଯୋଗାଇ ଦେବା ସହିତ ବିଭିନ୍ନ ପ୍ରକାରର ଟ୍ରେନିଂ ଦିଆଗଲା । ତେବେ ନୀବନ ସରକାରଙ୍କ ପଞ୍ଚମ ପାଳି ର ପ୍ରଥମ କ୍ୟାବିନେଟ୍ ବୈଠକରେ ସ୍ବୟଂସହାୟକ ଗୋଷ୍ଠୀଙ୍କ ନିମେନ୍ତ ୧୦୦୦ କୋଟି ଟଙ୍କାର କାର୍ଯ୍ୟକୁ ମଂଜୁର କରାଯାଇଛି ।
ନିର୍ବାଚନ ଆଗରୁ ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରାୟ ସରକାରୀ କାମ ଗୁଡିକୁ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ସମ୍ପନ୍ନ କରାଇବାକୁ ସରକାର ପଦକ୍ଷେପ ନେଇଛନ୍ତି । ଏହାଦ୍ବାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ପ୍ରସ୍ତୁତ ସାମଗ୍ରୀ ଗୁଡିକୁ ସରକାର ବିଭିନ୍ନ ବିଭାଗ ମାଧ୍ୟମ ରେ ବିକ୍ରୟ କରିବାକୁ ପଦକ୍ଷେପ ନେବାକୁ ସମସ୍ତ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ଏବଂ ମିଶନ ଶକ୍ତି ବିଭାଗ ମିଳିତ ଭାବେ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡିକୁ ସ୍କୁଲ ୟୁନିଫର୍ମ ଯୋଗାଇଦେବେ ଏବଂ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ମଞ୍ଜି ବିକ୍ରୟ ଏବଂ ଛୋଟ ଛୋଟ ନର୍ସରୀ ପରିଚାଳନା କରିବେ । ମହୁମାଛି ପାଳିବେ । ଆଇସିଡିଏସ ଯୋଜନା ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ମାଣ୍ଡିଆ ଲଡ୍ଡୁର ବିତରଣ କରାଯିବ । ସେହିପରି ସ୍କୁଲ ଏବଂ ଗଣଶିକ୍ଷା ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ମଧ୍ୟାନ୍ନ ଭୋଜନ ଲାଗି ଖାଦ୍ୟ ପ୍ରସ୍ତୁତି ଏବଂ ନେବା ଆଣିବାରେ ସାହାଯ୍ୟ କରିବେ । ସେହିପରି ଶକ୍ତି ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ସାରା ରାଜ୍ୟ ରେ ପଞ୍ଚାୟତ ସ୍ତର ରେ ବିଦ୍ୟୁତ ମିଟର ରିଡିଂରେ ସାହାଯ୍ୟ କରିବେ । ଜଙ୍ଗଲ ଏବଂ ପରିବେଶ ବିଭାଗ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ଜଙ୍ଗଲ ସୃଷ୍ଟି ଏବଂ ଯତ୍ନ ନେବାର ସହାୟକ ହେବେ । ସମନ୍ଵିତ ଜଙ୍ଗଲ ବିକାଶ ଯୋଜନାରେ ଜଙ୍ଗଲ ସୁରକ୍ଷା ରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ନିଯୋଜିତ କରାଯିବ । ମତ୍ସ୍ୟ ଏବଂ ପଶୁ ସମ୍ପଦ ବିଭାଗ ଦ୍ଵାରା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ଗ୍ରାମ ପଞ୍ଚାଯତ ସ୍ତର ରେ ମତ୍ସ୍ୟ ଚାଷ ଏବଂ ବ୍ୟୟଲର କୁକୁଡା ଚାଷ କରିବା ସହିତ ବିକ୍ରି କରି ପାରିବେ । ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଦ୍ଵାରା ଡାକ୍ତରଖାନା ଖାଦ୍ୟ ପ୍ରଦାନ , ମଶାରୀ ଏବଂ ସାନିଟାରୀ ନାପକିନର ବିତରଣ କରିପାରିବେ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଗତ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଉପରେ ୧୦ ହଜାର କିଲୋମିଟର ଗ୍ରାମ୍ୟ ସଡକର ପର୍ଯ୍ୟାୟ ଅନୁସାର ରକ୍ଷଣାବେକ୍ଷଣ ଦାୟିତ୍ଵ ନ୍ୟସ୍ତ କରାଯାଇଛି ।
ମିଶନ୍ଶକ୍ତିକୁ ସମୃଦ୍ଧ ତଥା ଦୃଢ କରିବା ଉପରେ ବିଶେଷ ପଦକ୍ଷେପ ନିଆଯାଇଛି । ତେବେ ଏହାର ମୂଳଲକ୍ଷ୍ୟ ଭିତରେ ରହିଛି ଅଧିକ ରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀ ଗଠନ କରିବା ଏବଂ ଡ଼ିଆଇଜି ରେ ପ୍ରୋତ୍ସାହନ ଦେବା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ବ୍ୟାଙ୍କ ସହ ଯୋଡିବା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ତାଲିମ ଦେବା, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କ ଦ୍ଵାରା ପ୍ରସ୍ତୁତ ଦ୍ରବ୍ୟ ର ବିକ୍ରି ରେ ସାହାଯ୍ୟ କରିବା ।
ନାରୀ ଶିକ୍ଷିତ ହେଲେ ଗୋଟେ ପରିବାର ଶିକ୍ଷିତ ହୁଏ, ସେହିପରି ନାରୀର ଉନ୍ନତିରେ ସାରା ସଂସାରର ଉନ୍ନତି । ମହିଳାମାନଙ୍କୁ ତୃଣମୂଳସ୍ତରରେ ସମୃଦ୍ଧ ତଥା ଦୃଢ କରିବା ଦିଗରେ ସରକାରଙ୍କ ଦ୍ବାରା ଏହା ଏକ ପ୍ରଶଂସନୀୟ କାର୍ଯ୍ୟ ।
ReplyForward |
ଭାରତୀୟ ବଜାରରେ ଅଲ୍ଟୋର ସିଏନ୍ଜି ମଡେଲ
ମାରୁତି ସୁଜୁକି ପକ୍ଷରୁ ଭାରତୀୟ ବଜାର ନିମନ୍ତେ ଏହାର ପ୍ରଥମ ସିଏନ୍ଜି ମଡେଲ କାର୍ ଲଞ୍ଚ କରାଯାଇଛି। ଅଲ୍ଟୋର ଏହା ପ୍ରଥମ ସିଏନ୍ଜି ପରିଚାଳିତ କାର୍। ଏହି କାର୍ରେ ବିଏସ୍-୬ ଇଞ୍ଜିନ୍ ବ୍ୟବହାର କରାଯାଇଛି। ଏହି କାର୍ର ମୂଲ୍ୟ ୪.୧୪ ଲକ୍ଷ ଟଙ୍କା ରହିଛି ଯାହାକି ପେଟ୍ରୋଲ ମଡେଲ ଠାରୁ ମାତ୍ର ୬୦ ହଜାର ଟଙ୍କା ଅଧିକ। ଏହି କାର୍ରେ ତିନି ସିଲିଣ୍ଡର ବିଶିଷ୍ଟ ଇଞ୍ଜିନ ରହିଥିବା ବେଳେ ଏହା ୪୮ ବିଏଚ୍ପି ଏବଂ ୬୯ ଏନ୍ଏମ୍ ଟର୍କର ଶକ୍ତି ପ୍ରଦାନ କରିଥାଏ। ଏହି କାର୍ର ମାଇଲେଜ୍ ୨୪ କିମି ରହିଛି। ଏହି କାର୍ ସହିତ ମାରୁତି ସୁଜୁକି ପକ୍ଷରୁ ସ୍ବିଫ୍ଟ ଏବଂ ଓ୍ବାଗନ ଆର୍ର ବିଏସ୍-୬ ମଡେଲ ବଜାରକୁ ଛଡାଯାଇଛି।
ପଞ୍ଚମ ଦିନରେ ପହଞ୍ଚିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ। ଆକ୍ରମଣର ଶିକାର ହୋଇଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇଦେବା ପରିବର୍ତ୍ତେ ମମତା ସରକାର ଆନ୍ଦୋଳନରତ ଡାକ୍ତରଙ୍କୁ ଧମକ ଓ ଚେତାବନୀ ଦେଇଥିଲେ। ଯାହାକୁ ବିରୋଧ କରି ପଶ୍ଚିମବଙ୍ଗର ଡାକ୍ତରଙ୍କୁ ସମର୍ଥନ କରିଛନ୍ତି ଅଧିକାଂଶ ରାଜ୍ୟର ଡାକ୍ତରମାନେ। ପଶ୍ଚିମବଙ୍ଗରେ ଚିକିତ୍ସା କରିବା ଅସୁରକ୍ଷିତ ଦର୍ଶାଇ ଇତି ମଧ୍ୟରେ ରାଜ୍ୟରେ ୫୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇସାରିଛନ୍ତି। ପରିଣାମସ୍ୱରୂପ ରୋଗୀ ସେବା ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି। ଏହି ଆନ୍ଦୋଳନରେ ଦେଶ ତଥା ପଶ୍ଚିମବଙ୍ଗର ବଡ଼ ବଡ଼ ଡାକ୍ତରାମାନେ ମଧ୍ୟ ସାମିଲ ହୋଇଛନ୍ତି। ଏଭଳି ସ୍ଥିତିରେ ଦାବି ପୂରଣ ଲାଗି ଏମ୍ସ ରେସିଡେଣ୍ଟ ଡାକ୍ତର ସଂଘ ପଶ୍ଚିମବଙ୍ଗ ସରକାରକୁ ୪୮ ଘଣ୍ଟାର ଚରମପତ୍ର ଦେଇଛି। ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତାଙ୍କୁ ନିସର୍ତ୍ତ କ୍ଷମା ମାଗିବାକୁ କହିଛି ଡାକ୍ତର ସଂଘ। ଏହି ସମୟ ମଧ୍ୟରେ ଡାକ୍ତରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ ବୋଲି ସଂଘ ଚେତାବନୀ ଦେଇଛି। ଏପରିକି ଦାବି ପୂରଣ ନ ହେଲେ ଆସନ୍ତା ୧୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବେ ବୋଲି ସୂଚନା ଦେଇଛନ୍ତି। ଅନ୍ୟପଟେ ଏହି ପ୍ରସଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବା ପାଇଁ ନିବେଦନ କରିଛନ୍ତି ଏବଂ ଡାକ୍ତରଙ୍କୁ ସୁରକ୍ଷା ଦେବା ବଦଳରେ ମୁଖ୍ୟମନ୍ତ୍ରୀ ମମତାଙ୍କ ଧମକକୁ ନିନ୍ଦା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। ସେହିପରି ଏହି ପ୍ରସଙ୍ଗରେ ପଶ୍ଚିମବଙ୍ଗର ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ହସ୍ତକ୍ଷେପ କରୁଥିବା ଜଣାପଡିଛି। ସେ ଏହି ବିଷୟକୁ ନେଇ ମମତାଙ୍କ ସହିତ ଆଲୋଚନା କରିବାକୁ ଚାହିଁଥିବା ସୂଚନା ରହିଛି।
ଗୁଜରାଟକୁ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିପାରେ ସାମୁଦ୍ରିକ ଝଡ ବାୟୁ। ଚଳିତ ସପ୍ତାହରେ ଏହା ଗୁଜରାଟ ଉପକୂଳରେ ସ୍ଥଳଭାଗ ଛୁଇଁବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ ଲଗାଯାଇଥିଲା। ମାତ୍ର ସ୍ଥଳଭାଗ ଛୁଇଁବା ପୂର୍ବରୁ ଏହା ଦିଗ ପରିବର୍ତ୍ତନ କରିଥିଲା। ଜୁନ୍ ୧୩ ତାରିଖରେ ଏହା ଦିଗ ପରିବର୍ତ୍ତନ କରିବା ପରେ ରାଜ୍ୟ ବାତ୍ୟାରୁ ସୁରକ୍ଷିତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଘୋଷଣା କରିଥିଲେ। ମାତ୍ର ଆଜି ଅହମଦାବାଦ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବାତ୍ୟା ପୁନର୍ବାର ଗୁଜରାଟକୁ ପ୍ରତ୍ୟାବର୍ତ୍ତନ କରିପାରେ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ରହିଛି ବୋଲି ଆଇଏମ୍ଡି ଅହମଦାବାଦ ପକ୍ଷରୁ ମନୋରମା ମହାନ୍ତି ପ୍ରକାଶ କରିଛନ୍ତି। ୧୭ ତାରିଖ ସୁଦ୍ଧା ଏହା କଚ୍ଛ ଉପକୂଳ ଛୁଇଁବାର ସମ୍ଭାବନା ରହିଛି।