Categories
ଆଜିର ଖବର

ଆନ୍ଧ୍ର ପ୍ରଦେଶ ମନ୍ତ୍ରୀଙ୍କ ଅଜବ ବିଶ୍ପାସ,ବର୍ଷା ପାଇଁ ନଦୀ କୂଳରେ ପାଞ୍ଚଦିନ ଧରି କରିବେ ପୂଜାପାଠ

ସମୀକ୍ଷା ବ୍ୟୁରୋ

ଅନେକ ଲୋକଙ୍କର ଭିନ୍ନ ଭିନ୍ନ ବିଶ୍ବାସ ରହିଥାଏ। ମୁଖ୍ୟତଃ ଅଶିକ୍ଷିତ ଲୋକଙ୍କ ପାଖରେ ଏହି ବିଶ୍ବାସ ବେଶୀ ଥାଏ। ହେଲେ ଜଣେ ପ୍ରଭାବଶାଳୀ ମନ୍ତ୍ରୀଙ୍କର ଯେ, ଏକ ଅଜବ ବିଶ୍ବାସ ରହିଛି ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଘଟଣାଟି ଘଟିଛି ପଡୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶରେ। ରାଜ୍ୟରେ ବର୍ଷା ହେବା ପାଇଁ ନଦୀକୂଳରେ ପୂଜା ପାଠ କରୁଛନ୍ତି ଆନ୍ଧ୍ରର ଜଣେ ମନ୍ତ୍ରୀ। ବିଶ୍ବାସ ନ ହେଲେ ମଧ୍ୟ ଘଟଣାଟି ସତ। ଆଜି ଆନ୍ଧ୍ର ପ୍ରଦେଶର ନୂଆ ଏଣ୍ଡୱାମେଣ୍ଟ ମନ୍ତ୍ରୀ ଭି. ଶ୍ରୀନିବାସ ରାଜ୍ୟରେ ବର୍ଷା ହେବା ପାଇଁ ବିଜୱାଡାର କ୍ରିଷ୍ଣା ନଦୀକୂଳରେ ଏହି ପୂଜାପାଠ କରିଛନ୍ତି। ନଦୀକୂଳର ମାଲେଶ୍ବର ଦେବସ୍ଥାନମ ନାମକ ସ୍ଥାନରେ ଥିବା କନକ ଦୁର୍ଗା ମନ୍ଦିରରେ ମନ୍ତ୍ରୀ ଏହି ପୂଜା କରିଛନ୍ତି। ବିଶ୍ବାସ ରହିଛି ଯେ, କନକ ଦୁର୍ଗା ନିକଟରେ 5 ଦିନ ଧରି ଏକ ସ୍ବତନ୍ତ୍ର ପୂଜାପାଠ କଲେ ରାଜ୍ୟରେ ବର୍ଷା ହେବ। କିଛିଦିନ ଧରି ଆନ୍ଧ୍ରରେ ମୌସୁମୀ ବାୟୁ ସକ୍ରିୟ ନ ହେବାରୁ ବର୍ଷା ହେଉ ନାହିଁ। ଏହାକୁ ଦୃଷ୍ଟିରେ ରଖି କେତେକ ସମର୍ଥକ ମନ୍ତ୍ରୀ ଶ୍ରୀନିବାସଙ୍କୁ ସ୍ବତନ୍ତ୍ର ପୂଜାପାଠ କରିବା ପାଇଁ ଅନୁରୋଧ କଲେ। ମନ୍ତ୍ରୀ ଏଥିରେ ରାଜି ହୋଇ ପୂଜା କରିବାକୁ ମନ୍ଦିର କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଲେ। ଫଳରେ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ତ୍ରୀଙ୍କୁ ପୂଜାରେ ସମସ୍ତ ସାହାର୍ଯ୍ୟ ମଧ୍ୟ ଯୋଗାଇ ଦେଉଛନ୍ତି।ପାଞ୍ଚ ଦିନ ଧରି ସେଠାରେ ମନ୍ତ୍ରୀ ପୂଜା ଅର୍ଚ୍ଚନା କରିବେ ବୋଲି ଜଣାପଡିଛି। ଏହାକୁ ନେଇ ମନ୍ତ୍ରୀଙ୍କ ସମର୍ଥକମାନେ ବେଶ୍ ଉତ୍ସାହିତ ହୋଇଥିବା ବେଳେ ବିରୋଧୀ ସମାଲୋଚନା କରିବାରେ ଲାଗିଛନ୍ତି।

Categories
ଆଜିର ଖବର

୫୦ ହଜାର ପର୍ଯ୍ୟନ୍ତ ଜମାରାଶି ଉପରେ କୌଣସି ଦେୟ ନେବ ନାହିଁ କାନାରା ବ୍ୟାଙ୍କ

କାନାରା ବ୍ୟାଙ୍କ ପକ୍ଷରୁ ଏହାର ଗ୍ରାହକ ମାନଙ୍କ ପାଇଁ ଏକ ନୂତନ ଅଫର ଘୋଷଣା କରିଛି। ଏହି ସୁବିଧା ଅନୁଯାୟୀ ଗ୍ରାହକ ମାନଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମାରାଶି ଉପରେ କୌଣସି ଶୁଳ୍କ ପ୍ରଦାନ କରିବାକୁ ପଡିବ ନାହିଁ। ଆସନ୍ତା ଜୁଲାଇ ୧ ତାରିଖରୁ କାନାରା ବ୍ୟାଙ୍କ ଏହି ସୁବିଧା ଲାଗୁ କରିବାର ନିଷ୍ପତ୍ତି ନେଇଥିବା ବେଳେ ପ୍ରତ୍ୟକ ମାସରେ ତିନୋଟି ଦେଣନେଣ ସମ୍ପୂର୍ଣ୍ଣ ଭାବରେ ଦେୟମୁକ୍ତ ରହିବ। ତିନୋଟି ଦେଣନେଣ ପରେ ପ୍ରତ୍ୟେକ ଦେଣନେଣ ଉପରେ ପ୍ରତି ହଜାର ଟଙ୍କାରେ ୧ ଟଙ୍କା ନେବ ବ୍ୟାଙ୍କ।

Categories
ଆଜିର ଖବର

ବିହାରରେ ଲୁ’ ଜନିତ ମୃତ୍ୟସଂଖ୍ୟା ୯୦ରେ ପହଞ୍ଚିଲା,  ଆଜି ପ୍ରଭାବିତ ଅଞ୍ଚଳ ଗସ୍ତ କରିବେ ନୀତିଶ୍‌

ସାରାଦେଶରେ ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ଆସିବା ପ୍ରାୟ ୧୫ ଦିନ ବିଳମ୍ବରେ ଆସିଛି। ଏବେ ତା’ର ପ୍ରକୋପ ମଧ୍ୟ ବହୁତ୍‌ କମ୍‌ ରହିଛି। ମୌସୁମୀ ଏବେବି କର୍ଣ୍ଣାଟକ-କୋଙ୍କଣଠାରେ ହିଁ ରହିଛି। ମୌସୁମୀର ବିଳମ୍ବ ଯୋଗୁଁ ସାରା ଦେଶରେ ଭୀଷଣ ଗରମ ଅନୁଭୂତ ହେଉଛି। ନିଦାଘର ଦାରୁଣ ଚିତ୍ର ଦେଖିବାକୁ ମିଳିଛି ବିହାରରେ। ଏଠାରେ ଲୁ ପାଇଁ ଏପର୍ଯ୍ୟନ୍ତ ୯୦ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ତେବେ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ରାଜସ୍ଥାନରେ ହାଲ୍‌କା ହାଲ୍‌କା ବର୍ଷା ହେବା ଯୋଗୁଁ ସେଠାରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ମୌସୁମୀର ବିଳମ୍ବ ଯୋଗୁଁ ଦେଶର ଅନେକ ଅଞ୍ଚଳରେ ପାନୀୟ ଜଳର ସମସ୍ୟା ଉତ୍ପନ୍ନ ମଧ୍ୟ ହୋଇଛି। ମସ୍ତିଷ୍କ ଜ୍ବରରେ ଶିଶୁ ମୃତ୍ୟୁ ହୋଇ ଚାଲିଥିବାବେଳେ ଅସହ୍ୟ ଗରମ ପ୍ରଭାବରୁ ଲୁ’ ଦ୍ବାରା ଲୋକଙ୍କ ମୃତ୍ୟୁ ସତେ ଯେମିତି ବିହାରବାସୀଙ୍କ ପାଇଁ ଅଭିଶାପ ପାଲଟିଯାଇଛି। ବିହାର ମୁଖ୍ୟମନ୍ତ୍ରୀ ନୀତିଶ୍‌ କୁମାର ଆଜି ରାଜ୍ୟର ଲୁ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଏହି ସମ୍ବନ୍ଧୀୟ ସମୀକ୍ଷା କରିବେ। ବିହାରର ଔରଙ୍ଗାବାଦ ଜିଲ୍ଲାରେ ୪୧ ଜଣ, ଗୟାରେ ୩୫ଜଣ ଓ ନାବାଦାରେ ୧୪ ଜଣଙ୍କ ଲୁ’ ପାଇଁ ମୃତ୍ୟୁବରଣ କରିଥିବା ଜଣାପଡିଛି। ୨୦୦୯ ପରେ ପାଟନାରେ ଚଳିତ ବର୍ଷ ଗତ ୧୦ ବର୍ଷର ଅଧିକ ତାପମାତ୍ରାର ରେକର୍ଡ ଭଙ୍ଗ କରିଛି।

Categories
ଆଜିର ଖବର

ମହାରାଷ୍ଟ୍ରର ସତାରାରେ ୪.୮ ତୀବ୍ରତାର ଭୂମିକମ୍ପ

ମହାରାଷ୍ଟ୍ରର ସତାରାରେ ଏକ ୪.୮ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି। ମାତ୍ର କିଛି ମିନିଟ୍‌ ପାଇଁ ଏହି ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲେ ମଧ୍ୟ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ପ୍ରକାଶ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସକାଳୁ ପଶ୍ଚିମ ମହାରାଷ୍ଟ୍ରର ସତାରାରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ସକାଳ ୭ଟା ୪୭ ମିନିଟ୍‌ ସମୟରେ ଘଟିଥିବା ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ପୁନେରୁ ୧୩୦ କିମି ଦୂର କୋୟନାରେ ରହିଥିଲା। କୋୟନା, ପାଟନ ଏବଂ କରାଡ ଜିଲ୍ଳାରେ ଏହି ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା।

Categories
ଆଜିର ଖବର

ବିହାରରେ ମସ୍ତିଷ୍କ ଜ୍ବର ମୃତ୍ୟୁ ସଂଖ୍ୟା ୧୪୦କୁ ବୃଦ୍ଧି: ନୀତିଶ କୁମାରଙ୍କ ଇସ୍ତଫା ଦାବି

ବିହାରର ମୁଜାଫରପୁରରେ ଶିଶୁ ମୃତ୍ୟୁ ଦିନକୁ ଦିନ ଗମ୍ଭୀର ରୂପ ନେବାରେ ଲାଗିଛି। ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୪୦ରେ ପହଞ୍ଚିଛି। ଏହା ସହିତ ନୂତନ ଭାବରେ ୨୦ ଜଣ ଶିଶୁ ମସ୍ତିଷ୍କ ଜ୍ବରରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ବ୍ୟାପିବା ପରେ ବୈଶାଳୀ ଏବଂ ହରିବଂଶପୁରରେ ଲୋକ ନିଜର ଘର ଖାଲି କରି ଅନ୍ୟ ସ୍ଥାନକୁ ପଳାଉଥିବା ଜଣା ପଡିଛି। ମସ୍ତିଷ୍କ ଜ୍ବର ବ୍ୟାପିବା ପରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏବଂ ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ଦଳ। ବିହାର ଭବନ ସାମ୍ନାରେ ବିରୋଧ ପ୍ରଦର୍ଶନ କରାଯିବା ସହିତ ଇସ୍ତଫା ଦାବି କରାଯାଇଥିଲା। ପ୍ରତ୍ୟକ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଥିଲା। ଏହା ସହିତ ସ୍ଥାନୀୟ କୋର୍ଟରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପ ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ, ଅଶ୍ବିନୀ ଚୌବେ ଏବଂ ବିହାର ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଛି। ଆସନ୍ତା ମଙ୍ଗଳବାର ଏହି ମାମଲାର ବିଚାର ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

Categories
ଆଜିର ଖବର

ଭାରତ ଏବଂ ଶ୍ରୀଲଙ୍କା ଉପରେ ଆଇଏସ୍‌ ଆକ୍ରମଣ ଆଶଙ୍କା ନେଇ ଗୁଇନ୍ଦା ସୂଚନା

ଆତଙ୍କବାଦୀ ସଙ୍ଗଠନ ଆଇଏସ୍‌ ଆଇଏସ୍‌ର ରାଡାରରେ ଭାରତ ଏବଂ ଶ୍ରୀଲଙ୍କା ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିଛି। ଇରାକ ଏବଂ ସିରିଆରେ ଆଇଏସ୍‌ ଉପରେ ଆକ୍ରମଣ ହେବା ପରେ ଏହି ଆତଙ୍କୀ ସଙ୍ଗଠନ ପକ୍ଷରୁ ବର୍ତ୍ତମାନ ବିଭିନ୍ନ ଭାରତ ମହାସାଗରୀୟ ଉପକୂଳ ରାଷ୍ଟ୍ରକୁ ଆକ୍ରମଣ କରାଯିବାର ଲକ୍ଷ୍ୟ ରଖାଯାଇଛି। ଇରାକ ଏବଂ ସିରିଆରେ ଏହି ସଙ୍ଗଠନର ନେଟଓ୍ବର୍କ ଶେଷ ହେବା ପରେ ବର୍ତ୍ତମାନ ଭାରତୀୟ ସହର କେରଳ ଏବଂ ଶ୍ରୀଲଙ୍କାର କଲମ୍ବୋକୁ ଟାର୍ଗେଟ୍‌ କରାଯାଇପାରେ ବୋଲି ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି। ଗୁଇନ୍ଦା ସାଟେଲାଇଟ୍‌ ସୂଚନା ଅନୁଯାୟୀ ଏହି ଅଞ୍ଚଳ ମାନଙ୍କରେ ଜେହାଦୀ ଆକ୍ରମଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏହା ସହିତ ଅନ୍ୟ ଭାରତୀୟ ସହର ଗୁଡିକ ମଧ୍ୟରେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କାଶ୍ମୀରରେ ମଧ୍ୟ ଆକ୍ରମଣର ପୂର୍ବାନୂମାନ ଲଗାଯାଇଛି।

Categories
ଆଜିର ଖବର

ମାଳତିପାଟପୁର-ଭୁବନେଶ୍ବର ରାସ୍ତାରେ ଦୁର୍ଘଟଣା , ୨ ମୃତ ଏବଂ ୧ ଆହତ

ବୁଧବାର ବିଳମ୍ବିତ ରାତ୍ରରେ ପୁରୀ-ଭୁବନେଶ୍ୱର ରାସ୍ତାରେ ମାଳତିପାଟପୁରଠାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ ଜଣ ପ୍ରାଣ ହରାଇଛନ୍ତି। ସୂଚନାନୁସାରେ, ଗତକାଲି ରାତି ୨ଟାରେ ଦୁଇଟି ବାଇକରେ ୬ ଜଣ ଯୁବକ ପୁରୀ ଅଭିମୁଖେ ଯାଉଥିଲେ। ସେହି ସମୟରେ ମାଳତିପାଟପୁର ଠାରେ ଗୋଟିଏ ଗାଡି ଅନ୍ଧାରରେ ହମ୍ପସକୁ ଦେଖି ନପାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୨ ଜଣ ଯୁବକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ଏହାସହ ଜଣେ ଯୁବକ ଆହତ ମଧ୍ୟ ହୋଇଛନ୍ତି। ଆହତ ଯୁବକ ପୁରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସମସ୍ତ ଯୁବକ ଭଦ୍ରକ ଜିଲ୍ଲାର ଏବଂ ସେମାନେ ପୁରୀ ଭ୍ରମଣ ପାଇଁ ଯାଉଥିଲେ ବୋଲି ଜଣାପଡିଛି।

Categories
ଆଜିର ଖବର

ଜାପାନ୍‌ରେ ୬.୪ ତୀବ୍ରତାର ଭୂକମ୍ପ ଏବଂ ସୁନାମି

ଜାପାନ୍‌ରେ ୬.୪ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପ ଫଳରେ ଜାପାନରେ ଏକ ସୁନାମି ଅନୁଭୂତ ହୋଇଛି। ବୁଧବାର ସୁନାମି ସତର୍କ ସୂଚନା ଉଠାଯିବା ପରେ ଏଥିରେ କେହି ମୃତାହତ ହୋଇ ନଥିବା ଖବର ସ୍ପଷ୍ଟ ହୋଇଛି। ଅଳ୍ପ କିଛି ଲୋକ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ମଙ୍ଗଳବାର ରାତ୍ରରେ ଘଟିଥିବା ଏହି ଭୂମିକମ୍ପରେ ଜାପାନ ପାଣିପାଗ ବିଭାଗ ପକ୍ଷରୁ ସୁନାମି ସତର୍କ ସୂଚନା ଜାରି କରାଯାଇଥିଲା। ଦୀର୍ଘ ଅଢେଇ ଘଣ୍ଟା ପରେ ବୁଧବାର ସକାଳୁ ସୁନାମି ସତର୍କ ସୂଚନା ଉଠାଯାଇଥିଲା। ଜାପାନର ରାଜଧାନୀ ଟୋକିଓର ଉତ୍ତର ଭାଗରୁ ୩୦୦ କିମି ଦୂରରେ ଏହି ଭୂକମ୍ପର କେନ୍ଦ୍ର ରହିଥିଲା। ଏହି ଘଟଣାରେ ସମୁଦାୟ ୧୬ ଜଣ ଆହତ ହୋଇଥିବା ନେଇ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୂଚନା ଦେଇଛନ୍ତି।

Categories
ଆଜିର ଖବର

ସପ୍ତଦଶ ଲୋକସଭାର ବାଚସ୍ପତି ଭାବରେ ନିର୍ବାଚିତ ହେଲେ ଓମ୍‌ ବିର୍ଲା

ରାଜସ୍ଥାନର କୋଟାରୁ ବିଜେପିର ସାଂସଦ ରହିଥିବା ଓମ୍‌ ବିର୍ଲା ଲୋକସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। ସପ୍ତଦଶ ଲୋକସଭାର ବାଚସ୍ପତି ପାଇଁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ପ୍ରସ୍ତାବକ ଭାବରେ ଓମ୍‌ଙ୍କ ନାମ ସୁପାରିଶ କରିଥିଲୋ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ନୀତିନ ଗଡ଼କରୀ ଏବଂ ଅର୍ଜୁନ ମୁଣ୍ଡା ବାଚସ୍ପତି ପଦ ନିମନ୍ତେ ଓମ୍‌ଙ୍କୁ ସମର୍ଥନ କରିବା ପରେ ସର୍ବସମ୍ମତି କ୍ରମେ ବିର୍ଲାଙ୍କୁ ନିର୍ବାଚିତ କରାଯାଇଥିଲା। ପୂର୍ବରୁ ବିଜେଡ଼ି, ଶିବସେନା, ଅକାଳୀଦଳ, ଏଲଜେପି, ୱାଇଏସ୍‍ଆର୍‍ କଂଗ୍ରେସ, ଜେଡିୟୁ ଏବଂ ଏଆଇଏଡି ଏମକେ ମଧ୍ୟ ବିର୍ଲାଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ ଜଣାଇଥିଲେ। ୧୭ ବର୍ଷ ବୟସରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିବା ବିର୍ଲା ତିନିଥର ରାଜସ୍ଥାନର ବିଧାୟକ ରହିବା ସହିତ ଦୁଇ ଥର ସାଂସଦ ରହିଛନ୍ତି। ମୋଦି ବାଚସ୍ପତି ଚେୟାର ପର୍ଯ୍ୟନ୍ତ ବିର୍ଲାଙ୍କୁ ନେବା ପରେ ନିଜ ଅଭିଭାଷଣରେ ବିର୍ଲାଙ୍କୁ ପ୍ରଶଂସା କରିଥିଲେ। କୋଟା ପରି ଏକ କ୍ଷୁଦ୍ର ସ୍ଥାନକୁ ଏକ ଛୋଟ ଭାରତରେ ପରିଣତ କରିବାରେ ବିର୍ଲାଙ୍କ ଅବଦାନ ବହୁତ ବୋଲି ମୋଦି କହିଥିଲେ।

Categories
ଆଜିର ଖବର

ରାହୁଲ ଗାନ୍ଧୀଙ୍କ ୫୦ ତମ ଜନ୍ମଦିବସ ଅବସରରେ ମୋଦିଙ୍କ ଶୁଭେଚ୍ଛା

କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ୫୦ ତମ ଜନ୍ମଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ରାହୁଲଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଏବଂ ଦୀର୍ଘମ ଜୀବନ କାମନା କରି ଶୁଭକାମନା ଜଣାଇଛନ୍ତି ମୋଦି। ସେହିପରି ରାହୁଲଙ୍କୁ ଅନ୍ୟାନ୍ୟ ଶୁଭେଚ୍ଛୁ ଏବଂ ଦଳୀୟ କର୍ମୀଙ୍କ ପକ୍ଷରୁ ଜନ୍ମଦିନ ଶୁଭକାମନା ଯୋଗୁଁ ଏହା ଟ୍ବିଟ୍ଟରରେ ଟ୍ରେଣ୍ଡରେ ରହିଥିଲା। ଫୁଲ ସିଂ ନାମକ ଜଣେ କର୍ମୀ ରାହୁଲଙ୍କ ବାସଭବନ ସମ୍ମୁଖରେ ଏକ ଯଜ୍ଞ ମଧ୍ୟ କରାଇଥିଲେ।

Categories
ଆଜିର ଖବର

ମୋର୍ଗାନଙ୍କ ରେକର୍ଡ ସଂଖ୍ୟକ ଛକ୍କା : ଆଫଗାନିସ୍ତାନକୁ ହରାଇଲା ଇଂଲଣ୍ଡ

ଇଂଲଣ୍ଡ ଅଧିନାୟକ ଇୟୋନ୍‌ ମୋର୍ଗାନ୍‌ ଗୋଟିଏ ମ୍ୟାଚ୍‌ରେ ସର୍ବାଧିକ ଛକ୍କା ମାରିବାର ବିଶ୍ବ ରେକର୍ଡ କରିଛନ୍ତି। ଗତକାଲି ଆଫଗାନିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍‌ରେ ମୋର୍ଗାନ ୧୭ଟି ଛକ୍କା ମାରିଥିଲେ। ମୋର୍ଗାନଙ୍କ ଏହି ଇନିଂସ ବଳରେ ଇଂଲଣ୍ଡ ୩୯୭/୬ର ବିଶାଳ ସ୍କୋର ହାସଲ କରିଥିଲା। ପୂର୍ବରୁ ଗୋଟିଏ ଇନିଂସରେ ୧୬ଟି ଲେଖାଏଁ ଛକ୍କା ମାରିଥିବା ରୋହିତ ଶର୍ମା, ଏବି ଡିଭିଲିୟର୍ସ ଏବଂ କ୍ରିସ୍‌ ଗେଲଙ୍କୁ ଏହି ଇିନଂସ ବଳରେ ଅତିକ୍ରମ କରିଥିଲେ ଇୟୋନ୍‌ ମୋର୍ଗାନ। ରୋହିତ ଏବଂ ଡିଭିଲିୟର୍ସ ଦିନିକିଆ ମ୍ୟାଚ୍‌ରେ ଏହି ରେକର୍ଡ ହାସଲ କରିଥିବା ବେଳେ ଜିମ୍ବାଓ୍ବେ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ରେ ଏହି ମାଇଲଖୁଣ୍ଟ ହାସଲ କରିଥିଲେ ଗେଲ୍‌। ଏହି ମ୍ୟାଚ୍‌ରେ ୨୫ଟି ଛକ୍କା ସହିତ ଦିନିକିଆରେ ୨୪ଟି ଛକ୍କାର ନିଜ ରେକର୍ଡକୁ ଭାଙ୍ଗିଛି ଇଂଲଣ୍ଡ।

Categories
ଆଜିର ଖବର

ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ନେତା ରୋଶନ ବେଗ ନିଲମ୍ବିତ

କର୍ଣ୍ଣାଟକର ବରିଷ୍ଠ କଂଗ୍ରେସ ନେତା ରୋଶନ ବେଗଙ୍କୁ ନିଲମ୍ବିତ କରାଯାଇଛି। ଦଳବିରୋଧୀ କାର୍ଯ୍ୟରେ ସମ୍ପୃକ୍ତି ନେଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ଏହି ନିଲମ୍ବନ ଆଦେଶ ଦିଆଯାଇଛି। ନିକଟରେ କଂଗ୍ରେସ ଦଳର କର୍ମୀ ତଥା କର୍ଣ୍ଣାଟକ ଦାୟିତ୍ବରେ ରହିଥିବା କେ ସି ଭେନୁଗୋପାଳଙ୍କୁ ସମାଲୋଚନା କରିବା ପରେ ରୋଶନଙ୍କ ବିରୋଧରେ ଏକ ତଦନ୍ତ କମିଟି ଗଠନ କରାଯାଇଥିଲ। ତଦନ୍ତ କମିଟିର ରିପୋର୍ଟ ଆଧାରରେ ରୋଶନଙ୍କୁ ନିଲମ୍ବନ କରାଯାଇଛି। ସେହିପରି ୧୫ ହଜାର କୋଟିର ଗହଣା ଦୁର୍ନୀତି ମାମଲାରେ ମଧ୍ୟ ବେଗଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ରହିଥିଲା।

Categories
ଆଜିର ଖବର

ଫାଲଗାମରେ ବିସ୍ଫୋରଣ : ୨ ମୃତ, ୮ ଆହତ

ଅନନ୍ତନାଗର ଫାଲଗାମରେ ଏକ ଡଙ୍ଗାରେ ବିସ୍ଫୋରଣ ଘଟି ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ଫାଲଗାମର ଲିଡ୍ଡର ନଦୀରେ ରହିଥିବା ଏକ ଡଙ୍ଗାରେ ଏହି ଆକ୍ରମଣ ଘଟିଥିଲା। ମଙ୍ଗଳବାର ସନ୍ଧ୍ୟା ସମୟରେ ଏହି ବିସ୍ଫୋରଣ ଘଟିଥିଲା। ୧୮ ଦିନ ପୂର୍ବରୁ ଘଟିଥିବା ସମାନ ଶୈଳୀର ବିସ୍ଫୋରଣରେ ଜଣେ ସ୍ଥାନୀୟ ଗାଇଡ୍‌ଙ୍କର ପ୍ରାଣହାନି ଘଟିଥିଲା। ଉକ୍ତ ଗାଇଡଙ୍କ ସ୍ମୃତିରେ ଅନୁଷ୍ଠିତ ହେଉଥିବା ଡଙ୍ଗାଚାଳନା ପ୍ରତିଯୋଗିତାରେ ଏହି ବିସ୍ଫୋରଣ ଘଟିଥଲା। ଏହି ବିସ୍ଫୋରଣରେ ଜଣେ ପ୍ରତିଯୋଗୀ ଏବଂ ଜଣେ ପର୍ଯ୍ୟଟନ ବିଭାଗ କର୍ମଚାରୀ ନିହତ ହୋଇଥିଲେ। ପ୍ରତିଯୋଗୀ ଜଣକ ରେସାଇର ସଞ୍ଜନା ହୋଇଥିବା ବେଳେ ପର୍ଯ୍ୟଟନ ବିଭାଗ କର୍ମଚାରୀ ଜଣକ ଉଧମପୁରର ରିଙ୍କୁ ରାଜା ବୋଲି ଜଣାପଡିଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ୍‌।

Categories
ବିଶେଷ ଖବର

ସ୍କୁଲ ଛୁଟିକୁ ନେଇ ସଚିବ ଓ ମନ୍ତ୍ରୀଙ୍କ ମଧ୍ୟରେ ତାଳମେଳ ନାହିଁ, ସକାଳେ ମନ୍ତ୍ରୀ କହିଲେ ଛୁଟି ବଢିବନି, ସଂଧ୍ୟାରେ ସଚିବ କହିଲେ ଛୁଟି ହେବ

ସମୀକ୍ଷା ବ୍ୟୁରୋ

ବର୍ତ୍ତମାନ ନୂଆ ମନ୍ତ୍ରୀମାନେ ଆକ୍ସନ ମୁଡରେ ଥିବା ବେଳେ ଗୋଟିଏ ଗୋଟିଏ ସ୍ଥାନରେ ମନ୍ତ୍ରୀଙ୍କ ନିଷ୍ପତି ଫୁସ ହେଇଯାଉଛି। ପୂର୍ବରୁ ଏହିପରି ଘଟଣା ବହୁତ ଘଟିଯାଇଛି। ହେଲେ ଏବେ ନୂଆ ମନ୍ତ୍ରୀମଣ୍ଡଳରେ ନୂଆ ମନ୍ତ୍ରୀଙ୍କ ଅବସ୍ଥା ମଧ୍ୟ ସେହିପରି ହେବାରେ ଆରମ୍ଭ ହେଲାଣି। ଆଜି ଗଣଶିକ୍ଷା ବିଭାଗର ଘଟିଯାଇଥିବା ସ୍କୁଲ ଛୁଟି ଘଟଣା ହେଉଛି ଏହାର ଜ୍ବଳନ୍ତ ଉଦାହରଣ। ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସରକାର ଛୁଟି ବଢାଇବେ କି ନାହିଁ, ସେ ନେଇ ସକାଳେ ସାମ୍ବାଦିକମାନେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ ପଚାରିଥିଲେ। ମନ୍ତ୍ରୀ ତାଙ୍କର ମନ୍ତ୍ରିଆ ଢଙ୍ଗରେ ରୋକଠୋକ ମନାକରିଦେଲେ ଆଉ ଛୁଟି ବଢିବ ନାହିଁ। 19 ତାରିଖରେ ସ୍କୁଲ ଖୋଲିବ ବୋଲି ପୂର୍ବରୁ ଯେଉଁ ଘୋଷଣା ହୋଇଥିଲା ତାହା ବଳବତ୍ତର ରହିଛି। ଅର୍ଥାତ 19 ତାରିଖରେ ସମସ୍ତ ସ୍କୁଲ ଖୋଲିବ। ହେଲେ ଆଶ୍ଚର୍ଯ୍ୟର କଥା ସଂଧ୍ୟାରେ ସଚିବ ପ୍ରଦୀପ୍ତ ମହାପାତ୍ର କହିଲେ ଯେ, ସ୍କୁଲ ଛୁଟି ବୃଦ୍ଧି କରାଗଲା। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଚାଲୁ ରହିଥିବାରୁ ଏହି ଛୁଟିକୁ ଆସନ୍ତା ଜୁନ 25 ତାରିଖ ପର୍ଯ୍ୟନ୍ତ ବଢାଗଲା। ନୋଟିସ ବି ପ୍ରେସକୁ ଜାରୀ କରାଗଲା।

ଏସବୁ ଘଟଣାକୁ ନେଇ ବର୍ତ୍ତମାନ ଚାରିଆଡେ ଚର୍ଚ୍ଚା। ପ୍ରଶ୍ନ ଉଠୁଛି ଯେ, ଗଣଶିକ୍ଷା ମନ୍ତ୍ରୀ ଏବଂ ସଚିବଙ୍କ ମଧ୍ୟରେ ତାଳମେଳ ରହୁ ନାହିଁ କି? ଯଦି ସଚିବ ଛୁଟି ଘୋଷଣା କରିବାର ଥିଲା ତେବେ ସେ ମନ୍ତ୍ରୀଙ୍କ ପରାମର୍ଶ ନେଇ ଥିଲେ କି ନାହିଁ। ଯଦି ମନ୍ତ୍ରୀଙ୍କ ପରାମର୍ଶ ନେଇ ଥିଲେ ତେବେ ମନ୍ତ୍ରୀ କିପରି ଏହି ଘଟଣାରେ ଅନ୍ଧାରରେ ରହିଲେ। ଏସବୁ ପ୍ରଶ୍ନର ଗୋଟିଏ ଉତ୍ତର ଯେ, ମନ୍ତ୍ରୀ ଓ ସଚିବଙ୍କ ମଧ୍ୟରେ ବୋଧହୁଏ ତାଳମେଳ ରହୁ ନାହିଁ।

କେବଳ ଏହି ଘଟଣା ନୁହେଁ ପୂର୍ବରୁ ଏହିପରି ଅନେକ ଘଟଣା ଘଟିଛି। ଯେତେବେଳେ ସ୍କୁଲ ଓ ଗଣଶିକ୍ଷା ସଚିବ ଅପରାଜିତା ଷଡଙ୍ଗୀ ଥିଲେ ସେତେବେଳେ ମଧ୍ୟ ଏହିପରି ଘଟଣା ଦେଖିବାକୁ ମିଳିଥିଲା। ସେ ସମୟର ଗଣଶିକ୍ଷା ମନ୍ତ୍ରୀ ପ୍ରତାପ ଜେନା ମଧ୍ୟ ଅପଦସ୍ତ ହୋଇଥିଲେ। ଅପରାଜିତା ସେତେବେଳେ ସ୍କୁଲ ଶିକ୍ଷୟତ୍ରୀଙ୍କ ଶାଢୀ ଗୋଲାପି ରଂଗର କରିବା ହେଉ କିମ୍ବା ସ୍କୁଲର ମାନ ବୃଦ୍ଧି ପଦକ୍ଷେପ ହେଉ, ସେ ଏକାକି ନିଷ୍ପତି ନେଇ ଯାଉଥିଲେ। ଏ ସଂପର୍କରେ ମନ୍ତ୍ରୀଙ୍କୁ ପଚାରିଲେ ସେ ଜାଣି ନ ଜାଣିବା ପରି ବ୍ୟବହାର ପ୍ରଦର୍ଶନ କରିଥିଲେ। ତାଙ୍କର ଶାରୀରିକ ଢଙ୍ଗରୁ ସ୍ପଷ୍ଟ ହେଉଥିଲା ଯେ, ଏହି ନିଷ୍ପତି ସଂପର୍କରେ ସେ ସଂପୂର୍ଣ୍ଣ ଅଜ୍ଞ ଥିଲେ।

ଅପରାଜିତାଙ୍କ ଏପରି ପଦକ୍ଷେପକୁ ନେଇ ସେତେବେଳେ ପ୍ରତାପ ମୁଖ୍ୟ ସଚିବଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କର ବଦଳି ପାଇଁ ଅନୁରୋଧ କରିଥିଲେ। ହେଲେ ତାହା ଫସର ଫାଟିଯାଇଥିଲା। ସେ ସମୟରେ ଅବଶ୍ୟ ଅପରାଜିତାଙ୍କ ପଦକ୍ଷେପକୁ ବହୁ ସମର୍ଥନ ମିଳିଥିଲା। ହେଲେ ମନ୍ତ୍ରୀଙ୍କ ଅବସ୍ଥାରେ ପରିବର୍ତ୍ତନ ହୋଇ ନ ଥିଲା। ବର୍ତ୍ତମାନ ପ୍ରତାପଙ୍କ ପରି ସମୀର ମଧ୍ୟ ଜଣେ ବେଶ୍ ଟାଣୁଆ ନେତା। ହେଲେ ସେ ଘରେ ପଶୁ ପଶୁ ତାଙ୍କର ଏପରି ଅବସ୍ଥା ଯେତେବେଳେ ହେଲାଣି, ଆଗକୁ ଆହୁରି କଣ ହେବ ତାହା ଜଳଜଳ କରି ଦେଖାଯାଉଛି।

Categories
ଆଜିର ଖବର

ଡାକ୍ତରଙ୍କ ସୁରକ୍ଷା ସମ୍ପର୍କିତ ଯାଚିକାର ଆଗାମୀ ଶୁଣାଣୀ ଜୁଲାଇରେ ହେବ : ସୁପ୍ରିମ୍‌କୋର୍ଟ

ପଶ୍ଚିମବଙ୍ଗରେ ଡାକ୍ତର ଆକ୍ରମଣକୁ ଦେଶ ସାରା ବିରୋଧ ପ୍ରଦର୍ଶନ ପୂର୍ବକ ଡାକ୍ତରମାନେ ଧର୍ମଘଟ କରିଥିଲେ। ଏହି ସମ୍ପର୍କିତ ଏକ ମାମଲା ସୁପ୍ରିମ୍‌କୋର୍ଟରେ ଦାଏର କରାଯାଇଥିଲା। ଆଜି ସୁପ୍ରିମ୍‌କୋର୍ଟ ଏହି ଯାଚିକାର ଶୁଣାଣୀ କରି ଏହି ସମ୍ପର୍କିତ ଆଗାମୀ ଶୁଣାଣୀ ଜୁଲାଇରେ ହେବ ବୋଲି ନିଷ୍ପତ୍ତି ଦେଇଛନ୍ତି। ଗତକାଲି ମମତା ସରକାର ଓ ଡାକ୍ତରଙ୍କ ବୈଠକ ସଫଳ ରହିଥିବାବେଳେ ଧାରଣାରୁ ଓହରିଛନ୍ତି ଡାକ୍ତର ସମୂହ। ସୁପ୍ରିମ୍‌କୋର୍ଟ ଡାକ୍ତରଙ୍କ ସୁରକ୍ଷା ଏକ ବଡ଼ ପ୍ରଶ୍ନ ବୋଲି କହିଛନ୍ତି। ଏହି ମାମଲାରେ ବିସ୍ତୃତ ଶୁଣାଣୀ କରି ଆଦେଶ ଜାରି କରିବା ପାଇଁ କୋର୍ଟ ନିଷ୍ପତ୍ତି ନେଇଛନ୍ତି। ସାରା ଦେଶରେ ଡାକ୍ତରଙ୍କ ସୁରକ୍ଷା ଦେବା ଉପରେ ବିସ୍ତୃତ ଆଲୋଚନାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି।

Categories
ଆଜିର ଖବର

ସ୍ନାନ ସାରି ଜ୍ବରରେ ଶ୍ରୀଜୀଉ : ଶ୍ରୀଅଲରାନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ

ମଙ୍ଗଳବାରଠାରୁ ବ୍ରହ୍ମଗିରିସ୍ଥିତ ଶ୍ରୀଅଲାରନାଥଙ୍କ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି। ଅଲାରନାଥ ପୀଠରେ ମହାପ୍ରଭୁଙ୍କ ଅଣସର ଦର୍ଶନ ଲାଗି ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉଙ୍କ ସ୍ନାନଯାତ୍ରା ସମାପନ ହେବା ପରେ ମହାପ୍ରଭୁ ଅଣସରରେ ରହିଛନ୍ତି। ଶ୍ରୀଜୀଉ ମହାସ୍ନାନ ପରେ ଜ୍ବରରେ ପୀଡ଼ିତ ରହିବେ। ଏଥିପାଇଁ ଅଣସର ଘରେ ରହିବେ। ଏହି ସମୟରେ ତାଙ୍କୁ ଓଷୁଦ ଓ ଫୁଲ୍ଲରୀ ତେଲ ଲାଗି ହେବ। ଅଣସର ଘରେ ରହିବା ପରେ ଶ୍ରୀଗୁଣ୍ଡିଚା ଦିନ ଶ୍ରୀଜୀଉ ଅଣସର ଘରୁ ବାହାରି ରଥଯାତ୍ରା କରିବେ। ଶ୍ରୀଜୀଉଙ୍କ ଅଣସର ସମୟରେ ଶ୍ରୀଅଲରାନାଥଙ୍କ ଦର୍ଶନ କରାଯାଇଥାଏ। ମହାପ୍ରଭୁ ଅଣସର ଘରେ ରହିବା ପରେ ଏବେ ଶ୍ରୀମନ୍ଦିରରେ  ଶ୍ରୀଜୀଉଙ୍କ ପଟିଦିଅଁ ପୂଜା ପାଇବେ।

Categories
ଆଜିର ଖବର

ଶିଶୁ ମୃତ୍ୟୁକୁ ନେଇ ନୀତିଶ୍‌ଙ୍କ ଉପରେ ବର୍ଷିଲେ ରାବ୍ରୀ ଦେବୀ

ବିହାରରେ ମସ୍ତିଷ୍କ ଜ୍ବରରେ ଶିଶୁ ମୃତ ସଂଖ୍ୟା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ୧୨୯ଜଣ ଶିଶୁ ପ୍ରାଣ ହରାଇ ସାରିଲେଣି। ଆଜି ମୁଖ୍ୟମନ୍ତ୍ରୀ ନିତୀଶ୍‌ କୁମାର୍‌ ମୁଜାଫର୍‌ପୁର ଗସ୍ତ କରିଛନ୍ତି। ତେବେ ତାଙ୍କ ଗସ୍ତକୁ ନେଇ ଶିଶୁଙ୍କ ସମ୍ପର୍କୀୟମାନେ ଆକ୍ରୋଶ ପ୍ରକଟ କରିବା ପୂର୍ବକ ତାଙ୍କୁ ବିରୋଧ କରିଛନ୍ତି। ଏହି ଶିଶୁ ମୃତ୍ୟୁକୁ ନେଇ ରାବ୍ରୀ ଦେବୀ ନୀତିଶ ସରକାରଙ୍କୁ ଟାର୍ଗେଟ କରିଛନ୍ତି। କହିଛନ୍ତି  ପ୍ରତିବର୍ଷ ହଜାର ହଜାର ଶିଶୁ ମୃତ୍ୟୁବରଣ କରୁଥିବାବେଳେ ସରକାରଙ୍କ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଔଷଧ ଓ ଚିକିତ୍ସା ଅଭାବରୁ ଗରିବ ଶିଶୁ ମୃତ୍ୟୁମୁଖରେ ପଡୁଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ପିକ୍‌ନିକ୍‌ କରୁଛନ୍ତି, ସରକାରଙ୍କ ସମ୍ବେଦନା ନାହିଁ। ଶିଶୁ ମୃତ୍ୟୁକୁ ନେଇ ଏନଡିଏ୍‌କୁ କଟାକ୍ଷ କରି ଏହା ଏନ୍‌ଡିଏର ଦାୟିତ୍ବହୀନତା ବୋଲି କହିଛନ୍ତି ରାବ୍ରୀ ଦେବୀ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ବେପୁରଆ ମନେଭାବ ଓ ଦାୟିତ୍ବହୀନତା ପାଇଁ ୧୦୦ରୁ ଅଧିକ ନିଷ୍ପାପ ଶିଶୁଙ୍କ ମସ୍ତିଷ୍କ ଜ୍ବର ବାହାନାରେ ହତ୍ୟା କରାଯାଉଛି। ପ୍ରତିବର୍ଷ ହଜାର ହଜାର ଶିଶୁ ମୃତ୍ୟୁମୁଖରେ ପଡୁଥିବାବେଳେ ଏହାକୁ ରୋକିବା ପାଇଁ କୌଣସି ପଦେକ୍ଷପ ନିଆଯାଉନାହିଁ। ବିହାରର ସ୍ବାସ୍ଥ୍ୟବିଭାଗ ଆଇସିୟୁରେ ରହିଛି। ଏହା ସହିତ ରାବ୍ରୀ ଦେଇ ଆହୁରି ମଧ୍ୟ କହିଛନ୍ତି ଯେ, ବିହାରରେ ଡବଲ୍‌ ଇଂଜିନ୍‌ର ସରକାରରହିଛି, ତଥାପି ଶିଶୁ ବଳି ଦିଆଯାଉଛି।

Categories
ଆଜିର ଖବର

ଚୀନ୍‌ରେ ଭୂମିକମ୍ପ : ୧୧ ମୃତ, ୧୨୩ ଆହତ

ଚୀନର ସିଚୁଆନ ପ୍ରାନ୍ତରେ ସୋମବାର ରାତି ଓ ମଙ୍ଗଳବାର ସକାଳୁ ଭୂମିକମ୍ପର ଦୁଇଟି ଶକ୍ତିଶାଳୀ  ଝଟ୍‌କା ଲାଗିଛି। ଏହି ଦୁଇଟି ଝଟକାରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ଲୋକଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ୧୨୩ ଜଣ ଆହତ ହୋଇଥିବା ଖବର ମିଲିଛି। ଚୀନର ଭୂକମ୍ପ କେନ୍ଦ୍ର ସିଇଏନ୍‌ସି ଅନୁଯାୟୀ ଭୂମିକମ୍ପର ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୦ ରହିଥିଲେ।  ସୂଚନା ଅନୁଯାୟୀ ସୋମବାର ରାତି ୧୦ଟା ୫୫ ମିନିଟରେ ଇବିନ ସହରରେ ଚାଙ୍ଗିଙ୍ଗ ଅଞ୍ଚଳରେ ଭୂମିକମ୍ପ ହୋଇଥିଲା। ମଙ୍ଗଳବାର ସକାଳୁ ଦ୍ବିତୀୟଥର ପାଇଁ ୫.୩ ତିବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ସିଚୁଆନ୍‌ ପ୍ରାନ୍ତରେ ଦମକଳ ବିଭାଗ ତରଫରୁ ୬୩ଟି ଗାଡ଼ି ଓ ୩୦୨ଜଣ କର୍ମୀଙ୍କ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Categories
ଆଜିର ଖବର

ଓଡ଼ିଆ ଯବାନ୍‌ଙ୍କ ସମେତ ୫ ଯବାନ୍‌ ଶହୀଦ୍‌, ଜୈଶ୍‌ ମହମ୍ମଦର କମାଣ୍ଡର ଆତଙ୍କୀ ସଜ୍ଜାଦ ଭଟ୍ଟଙ୍କ ସମେତ ତିନି ଆତଙ୍କୀ ନିହତ

ପୁଣି ଅଶାନ୍ତ ହୋଇଛି ସୀମା। ଜମ୍ମୁ କାଶ୍ମୀରରେ ସୁରକ୍ଷା ବଳ ଓ ଆତଙ୍କୀଙ୍କ ଆକ୍ରମଣରେ ଗତ ୨୪ ଘଣ୍ଟା ମଧ୍ୟରେ ଜଣେ ମେଜର୍‌ଙ୍କ ସମେତ ଚାରିଜଣ ଯବାନ୍‌ ଶହୀଦ୍‌ ହୋଇଛନ୍ତି। ସୁରକ୍ଷାବଳଙ୍କ ଦ୍ବାରା  ଆତଙ୍କୀ ସଂଗଠନ  ଜୈଶ୍‌-ମହମ୍ମଦର କମାଣ୍ଡର ସଜ୍ଜାଦ୍‌ ଭଟ୍ଟଙ୍କ ସମେତ ତିନି ଆତଙ୍କବାଦୀ ନିହତ ହୋଇଛନ୍ତି। ଅନନ୍ତନାଗରେ ଆଜି ସକାଳୁ ମଧ୍ୟ ଗୁଳିବିନିମୟ ଜାରି ରହିଛି। ସେହିପରି ଜମ୍ମୁକାଶ୍ମୀରରେ ଫୁଲଓ୍ବାମାର ଈଦଗାହ ଅରିହଲ ଅଞ୍ଚଳରେ ଆତଙ୍କବାଦୀମାନେ ସେନାର ଗାଡି ଉପରେ ଆଇଡି ବ୍ଲାଷ୍ଟ କରିଛନ୍ତି। ଏହି ଆକ୍ରମଣରେ କେସ୍ପର ଗାଡି କ୍ଷତିଗ୍ରସ୍ତ ହୋଇଛି।  ଏହି ଆକ୍ରମଣରେ ୫ ଜଣ ଯବାନ ଆହତ ହୋଇଛନ୍ତି। ଶହୀଦ୍‌ ଯବାନ୍‌ଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ୍‌ ରହିଛନ୍ତି। ଯବାନ୍‌ ଜଣକ କାମାକ୍ଷନଗରର ବଡଶୁଂଆଳ ଗ୍ରାମର ଅଜିତ୍‌ ସାହୁ। ସେ ୨୦୧୫ରେ ଭାରତୀୟ ସେନାରେ ଯୋଗ ଦେଇଥିଲେ।

Categories
ଆଜିର ଖବର

ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶିତ

ଓଡ଼ିଶାର ୩ଟି ରାଜ୍ୟସଭା ଆସନର ଉପ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତିନୋଟି ପଦ ପାଇଁ ପୃଥକ ପୃଥକଭାବେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ। ଜୁନ୍ ୨୫ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିହେବ। ଜୁଲାଇ ୫ ତାରିଖରେ ଉପ ନିର୍ବାଚନ ହେବ। ନିର୍ବାଚନ କମିଶନ ୩ଟି ଆସନ ପାଇଁ ଏକକ ବାଲାଟ୍ ପେପରରେ ଭୋଟ୍ ପରିବର୍ତ୍ତେ ପ୍ରତ୍ୟେକ ପ୍ରାର୍ଥୀଙ୍କ ନିମନ୍ତେ ଭିନ୍ନ ଭିନ୍ନ ବାଲାଟ୍‌ ପେପରରେ ଭୋଟ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚଳିତ ଲୋକସଭା ନିର୍ବାଚନରେ ବିଜୟୀ ହେବା ପରେ ତିନି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ପ୍ରତାପ ଦେବ ଇସ୍ତଫା ଦେଇଛନ୍ତି। ଖାଲିପଡ଼ିଥିବା ଏହି ତିନି ସାଂସଦ ସ୍ଥାନରେ ଉପ ନିର୍ବାଚନ ହେବ।

Categories
ଆଜିର ଖବର

ବିଜେଡ଼ି ସଂସଦୀୟ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ : ଏନଡ଼ିଏ ଲୋକସଭା ବାଚସ୍ପତି ପ୍ରାର୍ଥୀ ଓମ ବିର୍ଲାଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି

ଏନ୍‌ଡିଏ ସମର୍ଥିତ ଲୋକସଭା ବାଚସ୍ପତି ପ୍ରାର୍ଥୀଙ୍କୁ ବିଜେଡି ଦେବ ସମର୍ଥନ। ଲୋକସଭାର ଆଗାମୀ ବାଚସ୍ପତି ପ୍ରାର୍ଥୀ ନେଇ ଏନଡିଏ୍‌ ବିଜେପି ସାଂସଦ ଓମ୍‌ ବିର୍ଲାଙ୍କୁ ଚୟନ କରିଛି।ଏନଡିଏର ବାଚସ୍ପତି ପ୍ରାର୍ଥୀ ଓମ ବିର୍ଲାଙ୍କୁ ବିଜୁ ଜନତା ଦଳ ସମର୍ଥନ ଦେବ ବୋଲି ସୂଚନା ରହିଛି। ଏହା ପୂର୍ବରୁ ବିଜେପି ତରଫରୁ ବିର୍ଲାଙ୍କୁ ସମର୍ଥନ ଦେବା ପାଇଁ ବିଜେଡ଼ିକୁ ଅନୁରୋଧ କରାଯାଇଥିଲା। ତେଣୁ ବିଜେଡ଼ିର ସଂସଦୀୟ ଦଳର ବୈଠକରେ ଏନଡ଼ିଏ ପ୍ରାର୍ଥୀଙ୍କୁ ସମର୍ଥନ ଦେବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଖବର ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର ସୂଚନା ଦେଇଛନ୍ତି। ସୁମିତ୍ରା ମହାଜନଙ୍କ ସ୍ଥାନ ଗ୍ରହଣ କରିବେ ଏହି ୫୭ ବର୍ଷୀୟ ରାଜସ୍ଥାନ କୋଟାର ସାଂସଦ ଓମ୍‌ ବିର୍ଲା।  ସେ ରାଜସ୍ଥାନ ବିଧାନସଭାକୁ ୩ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ବେଳେ ଦୁଇ ଦୁଇ ଥର ସାଂସଦ ରୂପେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ସାଂସଦ ବିର୍ଲା ଦିନ ୧୨ଟା ସମୟରେ ବାଚସ୍ପତି ପଦବୀ ପାଇଁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିବା ସମ୍ଭାବନା ରହିଛି। ତେବେ ଏନ୍‌ଡିଏର ଏହି ପ୍ରାର୍ଥୀ ନିର୍ବିବାଦୀୟ ଭାବେ ନିର୍ବାଚିତ ହେବା ନେଇ ସୂଚନା ରହିଛି। ବିଜେଡ଼ି ସହିତ ଓ୍ବାଇଏସ୍‌ଆର୍‌ କଂଗ୍ରେସ ମଧ୍ୟ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ ମତ ପ୍ରକାଶ କରିଛି।