Categories
ବିଶେଷ ଖବର

ବିଜେଡ଼ିରେ ଅଶାନ୍ତ ଗ୍ରହର ପରମ୍ପରା, ପଞ୍ଚମ ପାଳିରେ ପ୍ରଦୀପ ମହାରଥି ନେଇପାରନ୍ତି ସେ ଭୂମିକା

କେଦାର ମିଶ୍ର

ବିଜୁ ଜନତା ଗଠନ ହେବା ଦିନଠୁ ଏହା କ୍ଷମତାରେ ରହି ଆସିଛି। ୧୯୯୮ ରୁ ଆଜି ପର୍ଯ୍ୟନ୍ତ ଦଳର ଶୀର୍ଷ କ୍ଷମତା ନବୀନ ପଟ୍ଟନାୟକଙ୍କ ହାତରେ ରହି ଆସିଛି। ତେବେ ବିଜେଡି ଭିତରେ ନବୀନଙ୍କ ନେତୃତ୍ଵ ଅନେକ ସମୟରେ ଅଗ୍ନି ପରୀକ୍ଷାର ସମ୍ମୁଖୀନ ହୋଇଛି। ବନ୍ଧୁତା ଓ ବିଶ୍ଵାସଘାତକତାର ଦୀର୍ଘ ଅନୁଭୂତି ନବୀନ ବାବୁଙ୍କର ରହିଛି। ପାଞ୍ଚଥର ସରକାର ଗଢିବା ଭିତରେ ବିଭିନ୍ନ ପର୍ଯ୍ୟାୟରେ ବିଜେଡି ଭିତରେ କିଛି ନେତା ଅସନ୍ତୁଷ୍ଟ ଓ ରୁଷ୍ଟ ହୋଇଛନ୍ତି। ଗୋଟେ ପୁରୁଣା ସିନେମାର ନାଁ ଅନୁସାରେ ଆମେ ଏମାନଙ୍କୁ ଅଶାନ୍ତ ଗ୍ରହ ବୋଲି କହିପାରିବା। ନବୀନଙ୍କୁ ବିରୋଧ କରିବାକୁ ଯାଇ ଏଇ ନେତାମାନେ ନିଜେ ସମାପ୍ତ ହୋଇ ଯାଇଛନ୍ତି। ବିଜେଡ଼ିରୁ ନବୀନଙ୍କ ଅନୁଗ୍ରହରୁ ବଞ୍ଚିତ ହୋଇ ଏମିତି ଜଣେ ବି ନେତା ନାହାନ୍ତି ଯିଏ ଅନ୍ୟ କେଉଁଠି ଉଧେଇ ପାରିଛନ୍ତି।

ପ୍ରଥମ ପର୍ଯ୍ୟାୟର ସରକାର ଗଠନ ବେଳେ ଏଇ ଧାରା ବିଜୟ ମହାପାତ୍ରଙ୍କଠାରୁ ଆରମ୍ଭ ହୋଇଥିଲା। ଅନଭିଜ୍ଞ ନବୀନଙ୍କୁ କ୍ଷମତାରେ ବସାଇ ବାସ୍ତବ କ୍ଷମତାକେନ୍ଦ୍ର ହେବାର ସ୍ଵପ୍ନ ଦେଖୁଥିବା ବିଜୟ ମହାପାତ୍ରଙ୍କୁ ସେ ଏମିତି ଏକ ଝଟକା ଦେଇଥିଲେ ଯେ, ବିଜୟ ଆଜି ମଧ୍ୟ ଉଠିବା ଅବସ୍ଥାକୁ ଆସିନାହାନ୍ତି। ତା ପରେ ପରେ ନଳିନୀକାନ୍ତ ମହାନ୍ତି, ରାମକୃଷ୍ଣ ପଟ୍ଟନାୟକ, ପଂଚାନନ କାନୁନଗୋ, ବ୍ରଜକିଶୋର ତ୍ରିପାଠୀ, ଦିଲ୍ଲୀପ ରାୟ ପ୍ରମୁଖ ସେଇ ଅଶାନ୍ତ ଗ୍ରହର ଭୂମିକା ନେଇ କକ୍ଷଚ୍ୟୁତ ହୋଇଛନ୍ତି। ବିଜେଡି ଭିତରେ ଏଇ ନେତାମାନେ ଗୋଟେ ସମୟରେ ବେଶ ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଥିଲେ। ୨୦୦୦ରେ ନବୀନ ବାବୁ ପ୍ରଥମ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ନେବାର କିଛି ବର୍ଷ ଭିତରେ ଏକଦା ବିଜୁ ପଟ୍ଟନାୟକଙ୍କ ପ୍ରମୁଖ ସଚିବ ଥିବା ପ୍ୟାରୀମୋହନ ମହାପାତ୍ର ବିଜେଡ଼ିର ଅନ୍ୟତମ କ୍ଷମତାକେନ୍ଦ୍ର ହେବା ଆରମ୍ଭ କଲେ। ଏଠି କହି ରଖିବା ଉଚିତ ହେବ ଯେ, ନବୀନଙ୍କ କ୍ଷମତା ବଳୟ ଭିତରେ ଯିଏ ବି ଦ୍ଵିତୀୟ କ୍ଷମତାକେନ୍ଦ୍ର ହେବାର ଚେଷ୍ଟା କରିଛି, ତାର ଡେଣା କଟିଛି।

ପ୍ୟାରୀ ବାବୁଙ୍କ ଭାଗ୍ୟରେ ମଧ୍ୟ ଠିକ ସେୟା ଘଟିଲା। ପ୍ରାୟ ଦଶ ବର୍ଷ ଧରି ଦ୍ଵିତୀୟ କ୍ଷମତାକେନ୍ଦ୍ର ବୋଲାଉଥିବା ପ୍ୟାରୀମୋହନ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ବିଜେଡ଼ିରୁ ତଡା ଖାଇଲେ। ବିଜେଡ଼ିରୁ ବିତାଡିତ ହେବାପରେ ପ୍ୟାରୀଙ୍କ ରାଜନୈତିକ ଜୀବନ ଅନ୍ଧାର ହୋଇଗଲା ଓ ଏହାର ଅଳ୍ପଦିନ ପରେ ସେ ଆରପାରିକୁ ଚାଲିଗଲେ। ୨୦୧୪ ରୁ ୧୯ ଭିତରେ ଏଇ ଅଶାନ୍ତ ଗ୍ରହମାନଙ୍କର ସଂଖ୍ୟା ଟିକେ ଅଧିକ ଥିଲା। ୨୦୧୪ ନିର୍ବାଚନ ପରେ ପରେ ବିଜେଡ଼ିର ପ୍ରଭାବଶାଳୀ ସାଂସଦ ବୈଜୟନ୍ତ ପଣ୍ଡା ଅଶାନ୍ତ ହେବା ଆରମ୍ଭ କରିଥିଲେ। କ୍ରମଶଃ ବୈଜୟନ୍ତଙ୍କ ସହ ନବୀନଙ୍କ ଦୂରତା ବଢିଲା ଓ ୨୦୧୭  ପଞ୍ଚାୟତ ନିର୍ବାଚନ ପରେ ବିଜେଡ଼ିରୁ ବୈଜୟନ୍ତଙ୍କ ନାଁ କଟିଲା। ତେବେ ଏହି ପାଳିରେ ସବୁଠୁ ବଡ ଅଶାନ୍ତ ଗ୍ରହର ଭୂମିକା ନେଇଥିଲେ ମନ୍ତ୍ରୀ ଦାମୋଦର ରାଉତ। ଦାମୋଦର ରାଉତ ମନ୍ତ୍ରୀମଣ୍ଡଳରେ ରହି ମଧ୍ୟ ସରକାରକୁ ଅଡୁଆରେ ପକାଇବାରେ ପ୍ରମୁଖ ଭୂମିକା ନେଉଥିଲେ। ଏହାର ପରିଣତି ତାଙ୍କୁ ଯଥାଶୀଘ୍ର ଭୋଗିବାକୁ ପଡିଥିଲା। ପ୍ରଥମେ ମନ୍ତ୍ରୀମଣ୍ଡଳରୁ ଓ ପରେ ଦଳରୁ ତଡା ଖାଇ ଦାମୋଦର ବାବୁ ଏବେ ପରାସ୍ତ ନେତାର ଭାଗ୍ୟ ନେଇ ଅଛନ୍ତି।

ବାରମ୍ଵାର ଦଳ ଭିତରେ ଅଶାନ୍ତି ଓ ଅସନ୍ତୋଷକୁ ସାମ୍ନା କରିଆସୁଥିବା ନବୀନ ଅସନ୍ତୁଷ୍ଟଙ୍କୁ “ସାଇଜ” କରିବାର କଳାରେ ଢେର ଅଭିଜ୍ଞତା ହାସଲ କରିଛନ୍ତି। ପଞ୍ଚମ ପାଳି ସରକାର ଗଢିବା ବେଳେ ବିଜେଡି ଭିତରେ ବୋଧହୁଏ ପ୍ରଥମ ଅଶାନ୍ତ ଗ୍ରହ ଭାବରେ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କର ପାଟି ଟିକେ ବେଶୀ ଶୁଭୁଛି। ମନ୍ତ୍ରୀ ହୋଇନଥିବାରୁ ବିଧାନସଭା ଭିତରେ ସରକାରକୁ ଅକଳରେ ପକାଇବାକୁ ମହାରଥୀ ବାରମ୍ବାର ପ୍ରୟାସ କରୁଛନ୍ତି। ସେଥିପାଇଁ ତାଙ୍କୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପରୋକ୍ଷ ତାଗିଦ ମଧ୍ୟ କଲେଣି। ବିଧାନସଭାରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରଦୀପ ମହାରଥୀଙ୍କୁ ଯେମିତି ଛିଗୁଲାଇଛନ୍ତି, ସେଟା କଦାପି ତାଙ୍କର ବ୍ୟକ୍ତିଗତ ସାହସ ହୋଇନଥିବ। ମହାରଥୀଙ୍କୁ ଏହା ମାଧ୍ୟମରେ ଏକ ପ୍ରକାର ପରୋକ୍ଷ ଚେତାବନୀ ଦିଆଯାଇଛି।

ତେବେ ମହାରଥୀଙ୍କ ତୁଣ୍ଡକୁ ଲଗାମ ଦେବା ସରକାରୀ ଦଳ ପକ୍ଷରେ ସହଜ ହେବନାହିଁ। ଅନ୍ୟ ପକ୍ଷରେ ତାଙ୍କୁ ମନ୍ତ୍ରୀ କରିବା ମଧ୍ୟ ନବୀନଙ୍କ ଲାଗି ଗୋଟେ ବଡ ବୋଝ ପାଲଟିଯିବ। ନିର୍ବାଚନ ସମୟରେ ପର୍ଯ୍ୟବେକ୍ଷକଙ୍କୁ ମାଡମାରିବା, ବେବିନା ହତ୍ୟାକାଣ୍ଡ ଘଟଣାରେ ବିବାଦୀୟ ବୟାନ ଦେବା ଭଳି ପ୍ରସଙ୍ଗରେ ବିଜେଡି ମହାରଥୀଙ୍କ ଯୋଗୁଁ ଅପଦସ୍ତ ହୋଇଛି। ତେଣୁ ସ୍ଵାଭାବିକ ଭାବରେ ତାଙ୍କୁ ମନ୍ତ୍ରୀ କରିବାକୁ ନବୀନ ଚାହୁଁ ନାହାନ୍ତି। ହେଲେ କ୍ଷମତା ପାଇବାକୁ ବିଧାନସଭା ମାଧ୍ୟମରେ ଚାପ ପ୍ରୟୋଗର କୌଶଳ ମହାରଥୀ ଆପଣାର କରିଛନ୍ତି। ଏଇ ସମୟରେ ବିଜେଡ଼ିର ନୂଆ ଅଶାନ୍ତ ଗ୍ରହ ଭାବରେ  ମହାରଥୀଙ୍କ ଉପରେ ସମସ୍ତଙ୍କ ନଜର ରହିବ।  ବୋଧହୁଏ ଏଇ ପାଳିର ସରକାରରେ ପ୍ରଦୀପ ମହାରଥି ଦାମୋଦର ରାଉତଙ୍କ ଶୂନ୍ୟସ୍ଥାନ ପୂରଣ କରିପାରନ୍ତି!!

Categories
ଖେଳ ବିଶେଷ ଖବର

ଇଂଲଣ୍ଡ ହାତରେ ୨୦୧୯ ଆଇସିସି ବିଶ୍ଵକପ ଟ୍ରଫି : ସୁପର ଓଭରରେ ସମାନ ସଂଖ୍ୟକ ରନ କରି ମଧ୍ୟ ଇଂଲଣ୍ଡ ହେଲା ବିଜେତା

ସମୀକ୍ଷା ବ୍ୟୁରୋ

ଆଜି କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡ୍ସ ଠାରେ ୨୦୧୯ ବିଶ୍ଵକପ ଫାଇନାଲ ମ୍ୟାଚ ଖେଳାଯାଇଥିଲା। ଏହି  ମ୍ୟାଚ ଘରୋଇ ଇଂଲଣ୍ଡ ଦଳ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ଅଧିନାୟକ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାରେ ନିଷ୍ପତି ନେଇଥିଲେ। କିନ୍ତୁ ନ୍ୟୁଜିଲାଣ୍ଡ ନିର୍ଦ୍ଧାରିତ ଓଭରରେ ୮ଟି ମୂଲ୍ୟବାନ ୱିକେଟ ହରାଇ ସଂଗ୍ରହ କରିଥିଲା ୨୪୧ ରନ। ତେଣୁ ୱିଲିଯମସନଙ୍କ ଦଳ ଇଂଲଣ୍ଡକୁ ୨୪୨ରନର ଲକ୍ଷ୍ୟ ପ୍ରଦାନ କରିଥିଲା । ଯଦିବା ଏହା ଏକ ଛୋଟ ଲକ୍ଷ୍ୟ ଥିଲା ତଥାପି ଇଂଲଣ୍ଡ ଦଳ ଏହି ମ୍ୟାଚକୁ ଜିତିବା ପାଇଁ ସଂପୂର୍ଣ୍ଣ ଶକ୍ତି ଲଗାଇଥିଲା। କାରଣ ନ୍ୟୁଜିଲାଣ୍ଡ ଦଳର ବୋଲିଂ ବିଭାଗ ଆଗରେ ଇଂଲଣ୍ଡ ଦଳ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ ହରାଇ ୨୪୧ରନ ସଂଗ୍ରହ କରିବାରେ ସକ୍ଷମ ହୋଇପାରିଥିଲା।

ଉଭୟ ଦଳ ସମାନ ସଂଖ୍ୟକ ରନ କରିଥିବାରୁ ଆଇସିସି ନିୟମ ଅନୁଯାୟୀ ମ୍ୟାଚଟି ପୁନର୍ବାର ସୁପର ଓଭର ମାଧ୍ୟମରେ ଖେଳାଯାଇଥିଲା। ତେଣୁ ଏହି ନିୟମ ଅନୁସାରେ ମୁଖ୍ୟ ମ୍ୟାଚରେ ଦ୍ଵିତୀୟରେ ବ୍ୟାଟିଂ କରିଥିବା ଦଳ ହିଁ ପ୍ରଥମେ ବ୍ୟାଟିଂ ଏବଂ ପ୍ରଥମରେ ବ୍ୟାଟିଂ କରିଥିବା ଦଳକୁ ଚେସ କରିବାକୁ ସୁଯୋଗ ମିଳିଥିଲା।

ଏହି ସୁପର ଓଭର ବିଶିଷ୍ଟ ମ୍ୟାଚରେ ଇଂଲଣ୍ଡ ଦଳ ପ୍ରଥମେ ବ୍ୟାଟିଂ କରି ୧୫ ରନ କରିଥିଲା। ନ୍ୟୁଜିଲାଣ୍ଡ ୧୬ ରନ ଲକ୍ଷ୍ୟକୁ ପୂରଣ କରିବା ପାଇଁ ବ୍ୟାଟିଂ କରି ପୁନର୍ବାର ସମାନ ସଂଖ୍ୟକ ରନ କରିପାରିଥିଲା। କିନ୍ତୁ ପରିଶେଷରେ ଇଂଲଣ୍ଡକୁ ବିଶ୍ଵ ବିଜେତା ରୂପେ ଘୋଷଣା କରଯାଇଥିଲା। କାରଣ ନିୟମ ଅନୁଯାୟୀ ଯେଉଁ ଦଳ ଅଧିକ ବାଉଣ୍ଡରୀ ମାଧ୍ୟମରେ ରନ କରିଥିବ ସେହି ଦଳ ହିଁ ବିଜେତା ଘୋଷିତ ହେବ।

ଏହି ଫାଇନାଲର ମୁଖ୍ୟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ନ୍ୟୁଜିଲାଣ୍ଡ ପକ୍ଷରୁ ହେନରୀ ନିକୋଲ୍ସ ସର୍ବାଧିକ ୭୭ ବଲରେ ୫୫ ରନ ପାଳି ଖେଳିଥିଲେ। ସେହିପରି ଅଧିନାୟକ  ୱିଲିୟମସନ ୫୩ ବଲରେ ୩୦ରନ, ଗୁପ୍ଟିଲ ୧୮ ବଲରେ  ୧୯ ରନ, ରସ ଟେଲର ୩୧ ବଲରେ ୧୫ରନ, ଲାଥମ ୫୬ ବଲରେ ୪୭ ରନ, ନୀଶାମ ୨୫ବଲ ରେ ୧୯ରନର ପାଳି ଖେଳିଥିଲେ। ତେବେ ଇଂଲଣ୍ଡ ପକ୍ଷରୁ ୱୋକସ ୯ ଓଭରରେ ୩୭ ରନ ଦେଇ ତିନୋଟି ୱିକେଟ, ପ୍ଲଙ୍କେଟ ୧୦ ଓଭରରେ ୪୨ ରନ ଦେଇ ତିନୋଟି ୱିକେଟ ଅକ୍ତିଆର କରିଥିଲେ।

ସେହିପରି ଇଂଲଣ୍ଡ କମ ସ୍କୋରିଙ୍ଗ ମ୍ୟାଚକୁ ବିଜୟର ଆଶା ନେଇ ପଡିଆ ମଧ୍ୟକୁ ବ୍ୟାଟିଂ କରିବାକୁ ଆସିଥିଲା। କିନ୍ତୁ ଇଂଲଣ୍ଡ ଲକ୍ଷ୍ୟକୁ ପୂରଣ କରିବାରେ ସକ୍ଷମ ହୋଇପାରିନଥିଲା। ଦଳ ସମସ୍ତ ୱିକେଟ ହରାଇ ସମାନ ସଂଖ୍ୟକ ୨୪୧ ରନ ହିଁ କରିପାରିଥିଲା। ଇଂଲଣ୍ଡ ପକ୍ଷରୁ ବେନ ସ୍ଟୋକସ ସର୍ବାଧିକ ଅପରାଜିତ ୮୪ରନ ଏବଂ ଜସ ବଟଲର ୫୯ ରନର ପାଳି ଖେଳିଥିଲେ। ନ୍ୟୁଜିଲାଣ୍ଡ ଦଳର ଫରଗୁସନ ୧୦ ଓଭର ବୋଲିଂ କରି ୫୦ ରନରେ ତିନୋଟି ଏବଂ ନୀଶାମ ୭ ଓଭରରେ ୪୩ ରନ ଦେଇ ତିନୋଟି ୱିକେଟ ଅକ୍ତିଆର କରିଥିଲେ।

Categories
ବିଶେଷ ଖବର ମତାମତ

ଘରର ମୁଖ୍ୟ ଦ୍ବାରଟି କେଉଁ ଦିଗ ଆଡକୁ ମୁହଁ କରି ରହିଲେ ଘରେ ଶାନ୍ତି ଆସିବା ସହିତ ପିଲାମାନେ ପାଠପଢାରେ ମନଯୋଗ ଦେବେ

ଚକ୍ରଧର ବିଶ୍ବଶ୍ରୀ

ପ୍ରକୃତରେ ବାସ୍ତୁଶାସ୍ତ୍ର କାହିଁ କେଉଁ ପୁରୁଣା ଯୁଗରୁ ପ୍ରଚଳିତ ହୋଇ ଆସୁଛି। ଏହାକୁ ଅନେକ ବିଶ୍ବାସ କରୁ ନ ଥିଲେ ମଧ୍ୟ ଏଥିରେ ଯେ ସତ୍ୟତା ଲୁଚି ରହିଛି ତାହାକୁ ଅସ୍ବୀକାର କରି ହେବ ନାହିଁ। ଅନେକ ଅନୁଭବ କରିଥିବେ ଯେ ଜଣଜଣଙ୍କ ଘରେ ଅଶାନ୍ତି ଲାଗି ରହେ। ହେଲେ ସେହି ପାଖ ଘରେ ସେପରି କିଛି ପରିଲକ୍ଷିତ ହୁଏ ନାହିଁ। ସେହିପରି କେତେକଙ୍କ ଘରେ ବିଭିନ୍ନ ସମୟରେ ପରିବାର ସଦସ୍ୟଙ୍କୁ ରୋଗ ମାଡି ବସେ, ହେଲେ ପାଖ ଘରେ ସେପରି ହୁଏ ନାହିଁ। ଏସବୁ ଯେଉଁମାନେ ଅଙ୍ଗେ ଲିଭାଇଛନ୍ତି ସେମାନେ ସମସ୍ତେ ବାସ୍ତୁ ଶାସ୍ତ୍ରର ଉପକାରିତାକୁ ଉପଲବ୍ଭ କରିଛନ୍ତି। ସେତେକି ନୁହେଁ ଏପରିକି ପିଲାଙ୍କ ପାଠପଢା ଉପରେ ମଧ୍ୟ ଏହି ବାସ୍ତୁ ଶାସ୍ତ୍ରର ନିୟମ ନିର୍ଭର କରେ। ସେଥିପାଇଁ ଘରଟି ବାସ୍ତୁ ଶାସ୍ତ୍ର ଅନୁସାରେ ରହିଲେ ପରିବାର ମଧ୍ୟରେ ସୁଖଶାନ୍ତି ଲାଗିରହେ।

ଘରର ବିଭିନ୍ନ ସ୍ଥାନ ପାଇଁ ଭିନ୍ନ ଭିନ୍ନ ବାସ୍ତୁ ବିଚାର ରହିଛି। ହେଲେ ସବୁଠାରୁ ବଡ କଥା ହେଲା ଘରର ମୁଖ୍ୟ ଦ୍ବାର। ଯଦି ଘରର ମୁଖ୍ୟ ଦ୍ବାରଟି ଠିକ ନାହିଁ ତେବେ ସବୁ ସରିଲା। ଅର୍ଥାତ ଘର ଭିତରେ ଆପଣ ଯେତେ ବାସ୍ତୁ ହିସାବରେ କରନ୍ତୁ ନା କାହିଁକି ଘରର ମୁଖ୍ୟ ଦ୍ବାରଟି ଯଦି ଠିକ ନାହିଁ ତେବେ ଅନ୍ୟସବୁ କିଛି କାମ କରିବ ନାହିଁ।

ଘରର ମୁଖ୍ୟ ଦ୍ବାରଟି କିପରି ରହିବ ଏବଂ କଣ କଣ କରାଯିବ ସେ ସଂପର୍କରେ ଆସନ୍ତୁ ଜାଣିବା କେତୋଟି କଥା ଯାହା ବସ୍ତୁ ଶାସ୍ତ୍ରରେ ଲିପିବଦ୍ଧ ହୋଇ ରହିଛି।

1-ଘରର ମୁଖ୍ୟ ଦ୍ବାରଟି ପୂର୍ବ କିମ୍ବା ଉତ୍ତର କିମ୍ବା ପୂର୍ବ-ଉତ୍ତର କୋଣ ଆଡକୁ ମୁହଁ କରି ରହିବା ଆବଶ୍ୟକ। ଅର୍ଥାତ ଆପଣ ଘର ଭିତରୁ ବାହାରକୁ ବାହାରିବା ବେଳେ ଆପଣଙ୍କ ମୁହଁଟି ଯେପରି ପୂର୍ବ କିମ୍ବା ଉତ୍ତର କିମ୍ବା ପୂର୍ବ ଉତ୍ତର କୋଣ ଆଡକୁ ରହିବା ଆବଶ୍ୟକ।

2-ମୁଖ୍ୟ ଦ୍ବାରଟି ଘରର ସବୁ ଦ୍ବାରଠାରୁ ବଡ ହେବା ଆବଶ୍ୟକ। ଏଥିସହିତ ଏହା ଭଲ କାଠରେ ନିର୍ମାଣ ହୋଇଥିବା ଦରକାର। ମୁଖ୍ୟ ଦ୍ବାରଟି କୌଣସି ଧାତବ ପଦାର୍ଥରେ ନିର୍ମାଣ କରନ୍ତୁ ନାହିଁ। ଏପରିକି ଅନେକ ଗ୍ଲାସ ଡୋର କରି ଲଗାଇ ଥାନ୍ତି। ତାହା ଠିକ୍ ନୁହେଁ।

3-ଆଉ ଏକ ବଡ କଥା ଧ୍ୟାନ ଦେବା ଆବଶ୍ୟକ ଯେ, ମୁଖ୍ୟ ଦ୍ବାର ପାଖରେ ବା ନିକଟରେ କୌଣସି ପ୍ରକାରର ବାଥରୁମ, ପାଇଖାନା କିମ୍ବା କୌଣସି ଆବର୍ଜନା ପାତ୍ର ନିର୍ମାଣ କରନ୍ତୁ ନାହିଁ। ମୁଖ୍ୟ ଦ୍ବାର ନିକଟରେ ପାଇଖାନା ଥିଲେ ତାହା ରୋଗ ସୃଷ୍ଟିର ମୁଖ୍ୟ କାରଣ ହୋଇଥାଏ।

4-ମୁଖ୍ୟ ଦ୍ବାର ସମ୍ମୁଖରେ କୌଣସି ପାଣି ଭର୍ତ୍ତି ଥିବା ପାତ୍ର, ଫାଉଣ୍ଟେନ ଜାତୀୟ ଜିନିଷ ବା ନିର୍ମାଣ କରନ୍ତୁ ନାହିଁ।

5-ସାଧାରଣତଃ ସମସ୍ତେ ଘରର ମୁଖ୍ୟ ଦ୍ବାର ସମ୍ମୁଖରେ ଜୋତା ଷ୍ଟାଣ୍ଡ ବା ଡଷ୍ଟବିନ ଷ୍ଟାଣ୍ଡ କରିଥାନ୍ତି। ତାହା କରିବା ଅନୁଚିତ। କାରଣ ଏହାଦ୍ବାରା ଘର ଭିତଚରକୁ କୌଣସି ସକରାତ୍ନକ ଶକ୍ତି ପ୍ରବେଶରେ ବାଧା ସୃଷ୍ଟି ହୋଇଥାଏ।

6-ମୁଖ୍ୟଦ୍ବାର ସମ୍ମୁଖରେ କୌଣସି ଜୀବଜନ୍ତୁଙ୍କ ଫଟୋ କିମ୍ବା ପ୍ରତିମୂର୍ତ୍ତି ରଖନ୍ତୁ ନାହିଁ। କେତେକ ଘର ସମ୍ମୁଖରେ ହାତୀ କିମ୍ବା ସିଂହଁ ମୂର୍ତ୍ତି କରିଥାନ୍ତି। ଏହା କେବଳ ମନ୍ଦିର ପାଇଁ ଉଦ୍ଧିଷ୍ଠ। କୌଣସି ଘର ସମ୍ମୁଖରେ ବା ଭିତରେ ଏହା କରିବା ଅନୁଚିତ।

7-ମୁଖ୍ୟ ଦ୍ବାରଟି କେବଳ ଗୋଟିଏ ଫାଳିଆ ହେବା ଆବଶ୍ୟକ। ଦୁଇ ଫାଳିଆ ଦ୍ବାର ଭୁଲରେ ଲଗାନ୍ତୁ ନାହିଁ। ଏଥିସହିତ ମୁଖ୍ୟଦ୍ବାରଟି ସବୁବେଳେ ଆକର୍ଷଣୀୟ କରି ରଖିବା ଆବଶ୍ୟକ।

8-ଆଉ ଏକ ଗୁରୁତ୍ବ ପୂର୍ଣ୍ଣ କଥା ହେଲା ଘରର ଦ୍ବାରଟି ଯେପରି କ୍ଲକ୍ ୱାଇଜ ଖୋଲିବ ସେଥି ପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ।

Categories
ବିଶେଷ ଖବର ବ୍ୟବସାୟ

ଆୟ ନାହିଁ, ବ୍ୟୟ ପ୍ରବଳ; ମୋଦୀ ସରକାର ର ବଜେଟ ବହିଖାତାରେ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ରହସ୍ୟମୟ ହିସାବ

କେଦାର ମିଶ୍ର 

 ନରେନ୍ଦ୍ର ମୋଦୀ କହିସାରିଛନ୍ତି ତାଙ୍କ ଅର୍ଥମନ୍ତ୍ରୀ ଉପସ୍ଥାପନ କରିଥିବା ବଜେଟକୁ ସମାଲୋଚନା ଲୋକେ ନକାରାତ୍ମକ ଚରିତ୍ର ବିଶେଷ। ହେଲେ ଆମେ ବିଶ୍ଵାସ କରୁ ଯେ ସରକାରକୁ ଓ ସରକାରୀ ଅନୁଷ୍ଠାନକୁ ସମାଲୋଚନା କରିବା ଗଣତାନ୍ତ୍ରିକ ବ୍ୟବସ୍ଥାର ଅପରିହାର୍ୟ ଅଙ୍ଗ। ଗତ ସପ୍ତାହରେ ଅର୍ଥମନ୍ତ୍ରୀ ନିର୍ମଲା ସୀତାରମଣ ଯେଉଁ ବଜେଟ ଉପସ୍ଥାପନ କାଲେ ତାକୁ ଗାଁ, ଗରୀବ ଓ କୃଷକଙ୍କ ବଜେଟ ବୋଲି କୁହାଗଲା। ତେବେ ଭାରତ ଇତିହାସରେ ଏହା ବୋଧହୁଏ ପ୍ରଥମ ବଜେଟ ଥିଲା ଯହିଁରେ ସବୁ କିଛି ଅସ୍ପଷ୍ଟ ଓ ରହସ୍ୟମୟ। ଏପରିକି କେଉଁ ବିଭାଗର ବ୍ୟୟ ଅଟକଳ କେତେ ତାକୁ ଜାଣିବା ମଧ୍ୟ ଏଯାଏ ସମ୍ଭବପର ହୋଇନାହିଁ।

ବଜେଟ ଯେହେତୁ ସରକାରୀ ହିସାବ କିତାବର ବାର୍ଷିକ ଚିଠା, ତେଣୁ ଏହାରି ଆଧାରରେ ଦେଶର ଅର୍ଥନୈତିକ ବିଶ୍ଳେଷଣ ପ୍ରସ୍ତୁତ କରାଯାଏ।ଯଦି ବଜେଟରେ ବାସ୍ତବ ତଥ୍ୟ ରହୁନାହିଁ, ତାହେଲେ ସରକାର ଅର୍ଥନୀତିର କିଛି ଦୁର୍ବଳତାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବୋଲି ମାନିବାକୁ ପଡିବ। ବଜେଟରେ ଅନେକ ସ୍ଵପ୍ନ ରହିଛି, ହେଲେ ତଥ୍ୟ ସବୁ ରହସ୍ୟମୟ। ସେଥିରୁ ଗୋଟିଏ ରହସ୍ୟମୟ ତଥ୍ୟକୁ ଏବେ ଲୋକଲୋଚନକୁ ଆଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆର୍ଥିକ ପରାମର୍ଶଦାତା ରହିଥିବା ବିଶିଷ୍ଟ ଅର୍ଥନୀତିଜ୍ଞ ରଥିନ ରାୟ। ଅର୍ଥନୀତି ଓ ବଜାର ଭିତ୍ତିକ ସଂବାଦପତ୍ର “ଦି ବିଜିନେସ ଷ୍ଟାଣ୍ଡାର୍ଡ” ରେ ନିଜ ନିୟମିତ ସ୍ତମ୍ଭରେ  ରଥିନ ରାୟ କହିଛନ୍ତି ଯେ ବଜେଟରେ ଦେଶର ଆୟ ସମ୍ପର୍କରେ ଯାହା କୁହାଯାଇଛି ତାହା ବାସ୍ତବ ଆୟଠାରୁ 1 ଲକ୍ଷ 70 ହଜାର କୋଟି ଟଙ୍କା ଅଧିକ। ଅର୍ଥାତ ଆୟ ନଥାଇ ଆୟ ବୋଲି ଦେଖାଇ ଲୋକଙ୍କୁ ଭୁଆଁ ବୁଲାଇବାର ପ୍ରୟାସ କରାଯାଇଛି। ଏକଥା ଅନ୍ୟ କେହି କହିଥିଲେ, ହୁଏତ ବିରୋଧୀଙ୍କ ଚାଲ ବୋଲି କହି କଥାଟାକୁ ଉଡାଇ ଦିଆଯାଇଥାନ୍ତା। ଯେହେତୁ ଏହା ମୋଦୀ ସରକାରର ଜନୈକ ଉପଦେଷ୍ଟାଙ୍କ ମତ, ଏହାକୁ ନେଇ ଏବେ ସରକାର ପୂରା ନୀରବ। ଅର୍ଥମନ୍ତ୍ରୀ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ଓ ସ୍ଵାଭାବିକ ଭାବରେ ସରକାରଙ୍କ ଏକାନ୍ତ ଆଜ୍ଞାବହ ଆମର ଗଣମାଧ୍ୟମ ଏ ପ୍ରସଙ୍ଗରେ ଚୁପ ରହିଛି।

ପ୍ରଥମଥର ଲାଗି ଅର୍ଥନୈତିକ ସର୍ବେକ୍ଷଣରେ ସରକାରୀ ଆୟର ପରିମାଣ ଯାହା ଦେଖା ଯାଇଛି, ବଜେଟରେ ତାଠୁ ଢେର ଅଧିକ ଆୟ ଦେଖା ଯାଇଛି। ଏହାର କାରଣ କଣ? ଦେଶରେ ଏକ ଆର୍ଥିକ ସଙ୍କଟର ସ୍ଥିତି ରହିଛି ଓ ତାକୁ ଲୁଚାଇବାକୁ ଏ ପ୍ରକାର ଉଦ୍ୟମ ହେଉଛି କି? ଅବଶ୍ୟ ସରକାରୀଦଳର ସମର୍ଥକମାନେ ଏସବୁ କିଛି ବୁଝନ୍ତି ନାହିଁ। ସେମାନେ ଗୋଟେ କଥା ଜାଣନ୍ତି ଯେ ଦେଶ ଭଲ ଚାଲିଛି ଓ ଅର୍ଥନୈତିକ ସଙ୍କଟ ବୋଲି ସେମିତି କିଛି ନାହିଁ। ଆମର ଟଙ୍କାଏ ଆୟରୁ ୨୦ ପଇସା ଯେ କେବଳ ଋଣ ରୁ ଆସୁଛି ସେ କଥା ଆମେ ଭାବିବାକୁ ନାରାଜ। ତେବେ ଅର୍ଥନୈତିକ ସର୍ଭେରେ ଆମକୁ କୁହାଯାଇଛି ଯେ ଚଳିତ ଆର୍ଥିକ ବର୍ଷରେ ଆମର ଆୟ ୧୫.୬ ଲକ୍ଷ କୋଟି ଟଙ୍କା ହେବ। ହେଲେ ଏହାକୁ ସଂଶୋଧିତ କରି ବଜେଟରେ ଆୟ ପରିମାଣକୁ ୧୭.୩ ଲକ୍ଷ କୋଟି ଟଙ୍କାକୁ ବଢାଇ ଦିଆଯାଇଛି। ସିଧାସଳଖ ୧.୭ଲକ୍ଷ କୋଟି ଟଙ୍କାର ଆୟ କେଉଁଠୁ ଏବଂ କିପରି ବଢିବ ତାହାର କୌଣସି ସ୍ପଷ୍ଟ ଚିତ୍ର ନାହିଁ। ଏହି ସରକାରର ବାଁ ହାତ କଣ କରୁଛି ଡାହାଣ ହାତ ଜାଣୁନାହିଁ। ଅର୍ଥନୈତିକ ସର୍ବେକ୍ଷଣ ବଜେଟର ଆଧାର ହୋଇଥିବା ବେଳେ ଚଳିତ ବର୍ଷ ଏହା ପରଷ୍ପର ବିରୋଧୀ ମନେ ହେଉଛନ୍ତି।

ଏ ଦେଶର ଅର୍ଥନୀତି ଚାଲୁଛି କି ସ୍ଥିର ଅଛି କି ପଛକୁ ପଛକୁ ଯାଉଛି, ସେ କଥା ଆମେ ଭାବିବୁ କାହିଁକି? ଆମ ପାଖରେ ଜଣେ ସର୍ବ ଶକ୍ତିମାନ ନେତା ଅଛନ୍ତି। ସେ ଥିଲେ ସବୁକିଛି ସମ୍ଭବ-ମୋଦୀ ହୈ ତୋ ମୁମକିନ ହୈ। ଆଉ କିଛି ଦରକାର ନାଇଁ। କଂଗ୍ରେସ ଦଳକୁ ଗାଳି କର ଓ ପ୍ରଧାନମନ୍ତ୍ରୀଙ୍କ କୀର୍ତ୍ତନ କର, ସେତିକିରେ ଦେଶ ବିଶ୍ଵଗୁରୁ ହେବା ଥୟ। ଜିଡିପି କମୁଛି ତ କମୁ। କୃଷି କ୍ଷେତ୍ରର ଅଭିବୃଦ୍ଧି ନକାରାତ୍ମକ ହେଉଛି ତ ହେଉ। ୪୫ ବର୍ଷରେ ଦେଶରେ ସର୍ବାଧିକ ବେକାରି ଆସିଛି, ଆସୁ। ବିମୂଦ୍ରାକରଣ ଦେଶରେ ଲକ୍ଷାଧିକ କ୍ଷୁଦ୍ର ଓ ମାଧ୍ୟମ ଶିଳ୍ପ ବୁଡିଗଲେ, ଯାଆନ୍ତୁ। ବିଏସଏନଏଲ ନିଜ କର୍ମଚାରୀଙ୍କୁ ଦରମା ଦେଇପାରୁନି, ନ ଦେଉ। ଅର୍ଥନୀତିରୁ ଆମକୁ କିଛି ମିଳିବାର ନାହିଁ। ଆମର ସମସ୍ୟା ହେଉଛନ୍ତି କଂଗ୍ରେସ ପାର୍ଟି ଓ ରାହୁଲ ଗାନ୍ଧୀ, ଯାହାଙ୍କୁ ଆମେ ଭୋଟ ଦେଇନାହୁଁ। ଆମେ ଯାହାକୁ ଭୋଟ ଦେଇଛୁ, ତାକୁ ପ୍ରଶ୍ନ ପଚାରିବୁ ନାହିଁ। କାରଣ ସେ ଭଗବାନ, ସେ ଭାରତର ଭାଗ୍ୟ ବିଧାତା।ଯାହାକୁ ଭୋଟ ଦେଇନ, ଯାହା ପାଖରେ କ୍ଷମତା ନାଇଁ ତାକୁ ଗାଳି କର। କାରଣ ତମର ଭଗବାନ କହୁଛନ୍ତି ସେଇ କ୍ଷମତାହୀନ ଲୋକ ଟି ହିଁ ସଇତାନ। ଗାଳି ଓ ତାଳିର ରାଜନୀତି ଭିତରେ ଅର୍ଥନୀତି କଥାକୁ ପଚାରେ କିଏ?

ସେଇ ପୃଷ୍ଠଭୂମିରେ ସରକାର ଯଦି ଅର୍ଥନୈତିକ ତଥ୍ୟ ର ହେରାଫେରି କରୁଛନ୍ତି, ସେଥିରେ କାହାର ବା କଣ କହିବାର ଅଛି!!

Categories
ଖେଳ ବିଶେଷ ଖବର

ବାଂଲାଦେଶକୁ ୨୮ ରନରେ ହରାଇ ଭାରତ ବିଜୟ : ୨୦୧୯ ବିଶ୍ଵକପରେ ଦ୍ଵିତୀୟ ଦଳ ରୂପେ ସେମିଫାଇନାଲକୁ ଉନ୍ନୀତ

ବର୍ମିଂହାମ୍‌ର ଏଜ୍‌ବାଷ୍ଟନରେ ଖେଳାଯାଇଥିବା ଭାରତ ବାଂଲାଦେଶ ମୁକାବିଲାରେ ଭାରତ ୨୮ ରନରେ ବାଂଲାଦେଶକୁ ହରାଇ ୨୦୧୯ ବିଶ୍ଵକପରେ ଦ୍ଵିତୀୟ ଦଳ ରୂପେ ସେମିଫାଇନାଲକୁ ଉନ୍ନୀତ ହୋଇଛି।

ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲେ। ଭାରତ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୩୧୪ ରନ କରିଥିଲା। ଭାରତର ପ୍ରାରମ୍ଭିକ ଯୋଡି ରୂପେ ଲୋକେଶ ରାହୁଲ ଏବଂ ରୋହିତ ଶର୍ମା ପଡ଼ିଆ ମଧ୍ୟକୁ ଆସିଥିଲେ। ଉଭୟ ଖେଳାଳି ଅତ୍ୟନ୍ତ ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ଏହି ପ୍ରାରମ୍ଭିକ ଯୋଡି ନିଜ ନିଜର ଦକ୍ଷ ଖେଳ ମାଧ୍ୟମରେ ପ୍ରଥମ ଥର ପାଇଁ ଶତକୀୟ ଭାଗିଦାରୀ କରିଥିଲେ। ଦୁଇ ଓପ୍‌ନରଙ୍କ ଶତକୀୟ ଭାଗିଦାରୀ ଫଳରେ ଭାରତ ୨୯.୨ ଓଭର ସୁଦ୍ଧା ୧୮୦ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା। ଚଳିତ କ୍ରିକେଟ୍‌ ବିଶ୍ବକପ୍‌ରେ ଭାରତୀୟ ଓପ୍‌ନର ରୋହିତ ଶର୍ମା ନିଜର ଚତୁର୍ଥ ଶତକ ହାସଲ କରିଥିଲେ। ବିଶ୍ଵକପରେ ବ୍ୟକ୍ତିଗତ ସର୍ବାଧିକ ଶତକ ହାସଲ କରିବାରେ ରୋହିତ ଶ୍ରୀଲଙ୍କାର ୱିକେଟକିପର ବ୍ୟାଟ୍ସମ୍ୟାନ ସାଙ୍ଗରକରାଙ୍କ ସହ ସମକ୍ଷକ ହୋଇଥିଲେ। ସେ ୯୨ଟି ବଲ୍‌ରୁ ୧୦୪ ରନ୍‌ ସଂଗ୍ରହ କରି ସୌମ୍ୟ ସରକାରଙ୍କ ବଲ୍‌ରେ ଲିଟନ୍‌ ଦାସଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲା। ସେହିପରି ରାହୁଲ ରୁବେଲ ହୁସେନ୍‌ଙ୍କ ବଲ୍‌ରେ ମୁସଫିକର ରହିମ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ। ରାହୁଲ୍‌ ୯୧ ଟି ବଲ୍‌ରୁ ୭୭ ରନ୍‌ ସଂଗ୍ରହ କରିଛନ୍ତି। ରୋହିତଙ୍କ ଇନିଂସରେ ୭ ଚୌକା ଏବଂ ୫ ଛକ୍କା ରହିଥିବା ବେଳେ ରାହୁଲ୍‌ ୬ଟି ଚୌକା ଏବଂ ଗୋଟିଏ ଛକ୍କା ମାରିଥିଲେ।

ପ୍ରାରମ୍ଭିକ ଯୋଡ଼ିର ପତନ ପରେ ଅଧିନାୟକ ବିରାଟ ୨୭ ବଲରେ ୨୬ ରନ, ପନ୍ତ ୪୧ ବଲରେ ୪୮ ରନ, ଧୋନୀ ୩୩ ବଲରେ ୩୫ ରନର ଉପଯୋଗୀ ପାଳି ଖେଳି ବାଂଲାଦେଶକୁ ୩୧୫ ରନର ବିରାଟ ଲକ୍ଷ ପ୍ରଦାନ କରିଥିଲେ। ବାଂଲାଦେଶ ପକ୍ଷରୁ ମୁସ୍ତାଫିଜୁର ରେହେମାନ ୧୦ ଓଭରରେ ୫୯ ରନ ଦେଇ ସର୍ବାଧିକ ୫ ଟି ୱିକେଟ ହାସଲ କରିଥିଲେ।

ସେହିପରି ବାଂଲାଦେଶ ୩୧୫ ରନର ବିଶାଳ ସ୍କୋରକୁ ହାସଲ କରିବା ପାଇଁ ପ୍ରୟାସ କରିଥିଲା। ମାତ୍ର ବାଂଲାଦେଶର ୩୯ରନରେ ପ୍ରଥମ ୱିକେଟର ପତନ ହୋଇଥିଲା। ଦଳ ପକ୍ଷରୁ ତମିମ ଇକବାଲ ପ୍ରଥମ ଖେଳାଳି ରୂପେ ମହମ୍ମଦ ଶମିଙ୍କ ବଲରେ ବୋଲ୍ଡ ଆଉଟ ହୋଇଯାଇଥିଲେ। ସୌମ୍ୟ ସରକାର ୩୮ ବଲରେ ୩୩ ରନ, ଶକିବ ଉଲ ହାସନ ୭୪ ବଲରେ ଦମଦାର ୬୬ରନ, ରହୀମ ୨୩ ବଲରେ ୨୨ ରନ, ଲିଟନ ଦାସ ୨୨ ରନ କରିଥିଲେ। ସାବିର ରହମାନ ଏବଂ ସଇଫୁଦିନ ଅନ୍ତିମ ସମୟରେ ଲଢୁଆ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ହେଲେ ଦଳକୁ ବିଜୟ ଦେବାରେ ବିଫଳ ହୋଇଥିଲେ। ସାବିର ୩୬ ବଲରେ ୩୬ ରନ ଏବଂ ସଇଫୁଦିନ ଅପରାଜିତ ୩୮ ବଲରେ ୫୧ ରନର ବିସ୍ଫୋରକ ପାଳି ଖେଳିଥିଲେ।

ଭାରତୀୟ ଦଳ ପକ୍ଷରୁ ବୁମରାହ ୧୦ ଓଭରରେ ୫୫ ରନ ଦେଇ ସର୍ବାଧିକ ୪ ଟି ୱିକେଟ, ହାର୍ଦ୍ଦିକ ପାଣ୍ଡ୍ୟା ୧୦ ଓଭରରେ ୬୦ ରନ ଦେଇ ୩ଟି ୱିକେଟ ହାସଲ କରିଥିଲେ। ଏବଂ ଭୁବନେଶ୍ଵର କୁମାର, ମହମ୍ମଦ ଶମି, ୟୁଜବେନ୍ଦ୍ର ଚହଲ ପ୍ରତ୍ୟେକ ୧ ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ରୋହିତ ଶର୍ମା ମ୍ୟାନ ଅଫ ଦି ପ୍ଲେୟାର ବିବେଚିତ ହୋଇଥିଲେ।

Categories
ଆଜିର ଖବର

ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ଭେଟିଦେଲେ ତାଙ୍କ ଆତ୍ମଜୀବନୀ ପୁସ୍ତକ

ସମୀକ୍ଷା ବ୍ୟୁରୋ

ଗତକାଲି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଶ୍ବଭୂଷଣ ହରିଚନ୍ଦନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ମୋଦୀ ଦ୍ବିତୀୟ ପାଳି ଶାସନ ଭାର ନେବା ପରେ ବିଶ୍ବଭୂଷଣ ଏହି ସାକ୍ଷାତ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସାକ୍ଷାତ ଅବସରରେ ବିଶ୍ବଭୂଷଣ ତାଙ୍କ ରଚିତ ଆତ୍ମଜୀବନୀ ‘ ସଂଗ୍ରାମ ସରିନାହିଁ ‘ ପୁସ୍ତକ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେଇଥିଲେ।ଏହି ସାକ୍ଷାତକାରରେ କୌଣସି ରାଜନୈତିକ ଉଦ୍ଦେଶ୍ୟ ନାହିଁ ବୋଲି କୁହାଯାଇଛି। ତଥାପି ବିଶ୍ବଭୂଷଣ ପ୍ରଧାନମନ୍ତ୍ରୀଙ୍କ ସହିତ ପ୍ରାୟ ୨୦ ମିନିଟ ଧରି କଥାବାର୍ତ୍ତା ହୋଇଥିଲେ। ହେଲେ ସେମାନେ କଣ କଥାବାର୍ତ୍ତା ହେଲେ ସେ ସଂପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ତେବେ ଓଡିଶାର ବର୍ତ୍ତମାନର ରାଜନୈତିକ ସ୍ଥିତି ଏବଂ ଓଡିଶାର ବିଭିନ୍ନ ଉନ୍ନୟନ କାମ ଉପରେ ଆଲୋଚନା ହୋଇଛି ବୋଲି କୁହାଯାଇଛି। ବିଶ୍ବଭୂଷଣ ୨୦୧୪ ମସିହାରୁ କୌଣସି ନିର୍ବାଚନରେ ଲଢେଇ କରିନାହାଁନ୍ତି। ତେବେ ତାଙ୍କର ପୁତ୍ର ପୃଥୀରାଜ ହରିଚନ୍ଦନ ଚଳିତ ନିର୍ବାଚନରେ ଚିଲିକା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ। ହେଲେ ସେ ପ୍ରାୟ ଦଶ ହଜାର ଭୋଟରେ ତାଙ୍କର ନିକଟତମ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କଠାରୁ ହାରିଯାଇଛନ୍ତି। ତାଙ୍କ ପାଇଁ ବିଶ୍ବଭୂଷଣ ମଧ୍ୟ ପ୍ରଚାର କରିଥିଲେ ମଧ୍ୟ ତାହା କାମ ଦେଇ ନ ଥିଲା। ୨୦୧୪ ମସିହାରେ ମୋଦୀ ସରକାର ପ୍ରଥମ ଥର ପାଇଁ ଶାସନ ଭାର ନେବା ପରେ ବିଶ୍ବଭୂଷଣଙ୍କୁ ରାଜ୍ୟପାଳ କରାଯିବ ବୋଲି ଶୁଣାଯାଉଥିଲା। ଏପରିକି ରାଜ୍ୟପାଳ ପାଇଁ ତାଙ୍କ ନାମ ମଧ୍ୟ ସୁପାରିଶ ହୋଇଥିଲା। ହେଲେ ଶେଷ ମୂହୁର୍ତ୍ତରେ ତାଙ୍କ ନାମକୁ କାଟି ଦିଆଯାଇଥିଲା। ବର୍ତ୍ତମାନ ମଧ୍ୟ ତାଙ୍କୁ ରାଜ୍ୟପାଳ କରିବାର ସମ୍ଭାବନା ଥିବାର ଜଣାପଡିଛି।

Categories
ବିଶେଷ ଖବର

ଓଡିଶା ରାଜନୀତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଡେଣା କାଟିବା ଲାଗି ପ୍ରତାପ ଷଡଙ୍ଗୀଙ୍କୁ ବିଜେପି ଶୀର୍ଷ ନେତୃତ୍ଵ ଅଧିକ ଗୁରୁତ୍ଵ ଦେଉଛନ୍ତି କି?

କେଦାର ମିଶ୍ର

ଏମିତି ଦେଖିଲେ ଓଡିଶାର ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀଙ୍କର କୌଣସି ତୁଳନା ସମ୍ଭବ ନୁହେଁ। ସରକାର ଭିତରେ ଧର୍ମେନ୍ଦ୍ରଙ୍କ ସ୍ଥାନ ଢେର ଉଚ୍ଚରେ। ମୋଦୀ ସରକାରରେ ମୂଳରୁ ପେଟ୍ରୋଲିୟମ ମନ୍ତ୍ରୀ ରହିଥିବା ଧର୍ମେନ୍ଦ୍ର ଏକ ବିରଳ ରେକର୍ଡର ଅଧିକାରୀ। ପେଟ୍ରୋଲିୟମ ମନ୍ତ୍ରୀ ଭାବରେ ଗତ କିଛି ବର୍ଷ ଭିତରେ କେହି ବି ଏତେ ବର୍ଷ ନିରନ୍ତର କାମ କରିବାର ସୁଯୋଗ ପାଇନଥିଲେ। ପ୍ରଥମ ମୋଦୀ ସରକାରରେ ଧର୍ମେନ୍ଦ୍ର ପେଟ୍ରୋଲିୟମ ସହିତ ଦକ୍ଷତା ବିକାଶ ଓ ଦ୍ଵିତୀୟ ପାଳିରେ ଇସ୍ପାତ ବିଭାଗର ଦାୟିତ୍ଵ ମଧ୍ୟ ପାଇଛନ୍ତି। ଓଡିଶାରୁ ବହୁ ବର୍ଷ ହେଲା ସେ ନିର୍ବାଚନ ଜିତିନାହାନ୍ତି କି ଲଢି ନାହାନ୍ତି, ତଥାପି ବିଜେପି ତାଙ୍କୁ ପ୍ରଥମେ ବିହାର ଓ ପରେ ମଧ୍ୟ ପ୍ରଦେଶରୁ ରାଜ୍ୟସଭାକୁ ପଠେଇଛି। ଏଥିରୁ ଦଳ ଓ ସରକାରରେ ତାଙ୍କର ପତିଆରା ସ୍ପଷ୍ଟ ପ୍ରମାଣିତ। ହେଲେ ଓଡିଶା ରାଜନୀତିରେ ଧର୍ମେନ୍ଦ୍ର ସବୁବେଳେ ପରାଜିତ ନାୟକ ହୋଇ ରହୁଛନ୍ତି ଓ ଓଡିଶାରେ ବିଜେପି ଆଶାନୁରୂପ ସଫଳତା ପାଉନାହିଁ। ଓଡିଶାର ବହୁ ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ରଙ୍କୁ ନିଜର ନେତା ମାନିବାକୁ ନାରାଜ। ୨୦୧୯ ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ଧର୍ମେନ୍ଦ୍ରଙ୍କ ନେତୃତ୍ଵ ସବୁଠୁ ବଡ ଆହ୍ୱାନର ସମ୍ମୁଖୀନ ହୋଇଛି।

୨୦୧୯ ନିର୍ବାଚନରେ ଓଡିଶାରୁ ବିଜେପିର ଆଠ ଜଣ ଲୋକସଭା ପ୍ରାର୍ଥୀ ଜିଣିକି ଯାଇଥିବା ବେଳେ ହଠାତ ଜାତୀୟ ଗଣମାଧ୍ୟମରେ ବାଲେଶ୍ଵର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ନେଇ ଏକ ପ୍ରଚାର ଅଭିଯାନ ଆରମ୍ଭ ହେଲା। ତାଙ୍କୁ ଜାତୀୟ ଗଣମାଧ୍ୟମରେ ଓଡିଶାର ମୋଦୀ ବୋଲି ପ୍ରଚାର କରିବା ପଛରେ ଏକ ବଡ ଶକ୍ତିର ହାତ ରହିଥିବା ସୁନିଶ୍ଚିତ। ଯୋଜନାବଦ୍ଧ ଭାବରେ ପ୍ରତାପ ଷଡଙ୍ଗୀଙ୍କୁ ତ୍ୟାଗୀ, ତପସ୍ଵୀ, ବାଗ୍ମୀ ଓ ଓଜସ୍ଵୀ ବୋଲି କୁହାଯାଉଛି। ଯେଉଁ ଓଡିଆ ଗଣମାଧ୍ୟମ ତାଙ୍କୁ ଗତ ୨୦ ବର୍ଷ ଭିତରେ ବିଶେଷ କିଛି ଗୁରୁତ୍ଵ ଦେଉନଥିଲେ, ସେମାନେ ହଠାତ୍ ପ୍ରତାପଙ୍କ ଜୟଗାନ ଆରମ୍ଭ କଲେ। ଏହା ପୂର୍ବରୁ ଓଡିଶା ବିଜେପି ସଭାପତି ପଦ ଲାଗି ଯେବେ ବି ପ୍ରତାପ ଷଡଙ୍ଗୀଙ୍କ ନାମ ଉଠିଛି, ତାକୁ କଳେ ବଳେ କୌଶଳେ ଚାପି ଦିଆଯାଉଥିଲା। ଏପରିକି ପ୍ରତାପ ଷଡଙ୍ଗୀଙ୍କୁ ଟିକେ ଅଧିକ ଟିଭି ଫୁଟେଜ ଦେଇଥିବାରୁ ଜଣେ ବରିଷ୍ଠ ସମ୍ପାଦକଙ୍କ ଚାକିରି ଚାଲିଯାଇଥିବା କଥା ମଧ୍ୟ ଶୁଣାଯାଏ। ପ୍ରତାପ ଓ ଧର୍ମେନ୍ଦ୍ରଙ୍କ ଭିତରେ ଖୁବ ଗୋଟେ ମଧୁର ସମ୍ପର୍କ ଯେ ନଥିଲା, ଏକଥା ବିଜେପି ନେତା ଓ ବିଜେପି କଥା ରିପୋର୍ଟ କରୁଥିବା ସାମ୍ବାଦିକ ମାନେ ଭଲ ଭାବରେ ଜାଣନ୍ତି।

ହଠାତ ପ୍ରତାପଙ୍କୁ ହିରୋ ଭାବରେ ଉପସ୍ଥାପନ କରିବା, ତାଙ୍କୁ ମନ୍ତ୍ରୀ ଭାବରେ ଦାୟିତ୍ଵ ଦେବା, ତାଙ୍କ ସଂସ୍କୃତ କୁ ନେଇ ବଢେଇ ଚଢେଇ ଆଲୋଚନା କରିବା ଓ ସର୍ବ ଶେଷରେ ଲୋକସଭାରେ ରାଷ୍ଟ୍ରପତିଙ୍କ ପାଇଁ ଧନ୍ୟବାଦ ପ୍ରସ୍ତାବ ବିତର୍କକୁ ଆରମ୍ଭ କରିବାର ସୁଯୋଗ ଦେବା ଭଳି ଘଟଣାକ୍ରମରେ ଏକ ଭିନ୍ନ ରାଜନୀତିର ଆଭାସ ସ୍ପଷ୍ଟ ବାରି ହୋଇ ପଡୁଛି। ଓଡିଶା ରାଜନୀତିରେ ଧର୍ମେନ୍ଦ୍ରଙ୍କୁ ଅଲଗା କରି ରଖିବାକୁ ଓ ପ୍ରତାପ ଷଡଙ୍ଗୀଙ୍କୁ ଅଧିକରୁ ଅଧିକ ରାଜନୈତିକ ଗୁରୁତ୍ଵ ଦେବାକୁ ବୋଧେ ବିଜେପି ଶୀର୍ଷ ନେତୃତ୍ଵ ଉଦ୍ୟମ ଆରମ୍ଭ କରିଛନ୍ତି। ରାଜ୍ୟରେ ଧର୍ମେନ୍ଦ୍ର ଆଦୌ ଗ୍ରହଣୀୟ ନେତୃତ୍ଵ ନୁହନ୍ତି ଓ ତାଙ୍କ ନେତୃତ୍ବରେ ଦଳ ଓଡିଶାରେ କେବେହେଲେ କ୍ଷମତା ଦାଖଲ କରିପାରିବ ନାହିଁ ବୋଲି ବିଜେପିର ହୃଦବୋଧ ହୋଇ ସାରିଛି। ପ୍ରତାପ ଷଡଙ୍ଗୀଙ୍କୁ ଅଧିକରୁ ଅଧିକ ମିଡିଆ ପ୍ରଚାରର କେନ୍ଦ୍ରରେ ରଖି ତାଙ୍କର ଏକ ନୂଆ ବ୍ରାଣ୍ଡ ପ୍ରସ୍ତୁତ କରାଯାଉଛି।

ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜେପି ପୂର୍ଣ୍ଣ ସନ୍ତୁଷ୍ଟ କରି ରଖିବା ସହିତ ନବୀନଙ୍କ ବିରୋଧରେ ବିଜେପିର କୌଣସି ଶୀର୍ଷ ନେତା କିଛି ନ କହିବାକୁ କୁହାଯାଇଛି। ତାହା ସହିତ ପ୍ରତାପ ଷଡଙ୍ଗୀଙ୍କର ଏକ ସକାରାତ୍ମକ ଭାବମୂର୍ତ୍ତି ନିର୍ମାଣର ଉଦ୍ୟମ ମଧ୍ୟ ଚାଲିଛି। ଏହା ପୂର୍ବରୁ ପ୍ରତାପଙ୍କୁ ଜଣେ ଉଗ୍ର ହିନ୍ଦୁତ୍ଵବାଦୀ ନେତା ଭାବରେ ଓଡିଶାର ଗଣମାଧ୍ୟମ ଚିତ୍ରିତ କରୁଥିଲା। ଏବେ ହଠାତ ତାଙ୍କୁ ସନ୍ଥ ଓ ମହାତ୍ମାର ସ୍ତରକୁ ଉନ୍ନୀତ କରିବାର ଉଦ୍ୟମ ଚାଲିଛି। ଏହି ଉଦ୍ୟମର ଦୁଇଟି ରାଜନୈତିକ ଉଦ୍ଦେଶ୍ୟ ରହିଛି। ପ୍ରଥମରେ ଏହା ଦ୍ଵାରା ନବୀନ ପଟ୍ଟନାୟକଙ୍କ ଏକ ବିକଳ୍ପ ନିର୍ମାଣ ଓ ଦ୍ବିତୀୟରେ ରାଜ୍ୟ ରାଜନୀତିରୁ ଧର୍ମେନ୍ଦ୍ରଙ୍କ ଅପସାରଣ। ଧର୍ମେନ୍ଦ୍ରଙ୍କୁ ଜାତୀୟ ରାଜନୀତିରେ ଉପଯୋଗ କରି ଓଡିଶାରେ ପ୍ରତାପ ଷଡଙ୍ଗୀଙ୍କୁ ସର୍ବଜନ ଗ୍ରହଣୀୟ କରିବାର ଯୋଜନାବଦ୍ଧ ଉଦ୍ୟମ ନିର୍ବାଚନ ପରେ ପରେ ହିଁ ଆରମ୍ଭ ହୋଇଛି। ନିର୍ବାଚନ ସମୟରୁ ହିଁ  ଓଡିଶାରେ ଧର୍ମେନ୍ଦ୍ରଙ୍କ ନେତୃତ୍ଵ ସଫଳ ହେବ ନାହିଁ ବୋଲି ବିଜେପି ନେତୃତ୍ଵ ଜାଣି ସାରିଥିଲେ। ତେଣୁ ତାଙ୍କର ବିକଳ୍ପ ଭାବରେ କେତେବେଳେ ଅପରାଜିତା ଷଡଙ୍ଗୀ ତ ପୁଣି କେବେ ବୈଜୟନ୍ତ ପଣ୍ଡାଙ୍କ ନାଁ ଚର୍ଚ୍ଚାକୁ ଆସୁଥିଲା। ତେବେ ଏ ଦୁହେଁ ସଂଘ ବିଚାର ଓ ହିନ୍ଦୁତ୍ଵ ରାଜନୀତିରୁ ଆସିନଥିବାରୁ ପ୍ରତାପ ହିଁ ପରିଶେଷରେ ଧର୍ମେନ୍ଦ୍ରଙ୍କ ବିକଳ୍ପ ଭାବରେ ବିଜେପି ଶୀର୍ଷ ନେତୃତ୍ବର ସମର୍ଥନ ପାଇଛନ୍ତି।

Categories
ଆଜିର ଖବର

କେବେଳ ମୋବାଇଲ ଏସଏମଏସ ବିଲ୍ ହେଉଛି 4 କୋଟି 98 ଲକ୍ଷ ଟଙ୍କା, କଥାଟା ବିଶ୍ବାସ ନ ହେଲେ ମଧ୍ୟ ସତ, ଜାଣନ୍ତୁ କଣ ହୋଇଛି ପୁରା ଘଟଣା

ସମୀକ୍ଷା ବ୍ୟୁରୋ

ଆପଣ କେବେ ଭାବିଛନ୍ତି କି ମୋବାଇଲର କେବଳ ଏସଏମଏସ ବିଲ ହେଉଛି କୋଟି କୋଟି ଟଙ୍କା।କଥାଟି ବିଶ୍ବାସ ନ ହେଲେ ମଧ୍ୟ ତାହା ସତକଥା। ଘଟଣାଟି ହେଉଛି ଓଡିଶା ସରକାରଙ୍କୁ ଏକ ମୋବାଇଲ ଏସଏମଏସ ବିଲ୍ 4 କୋଟି 98 ଲକ୍ଷ ଟଙ୍କାର ଆସିଛି। ଆଉ ଏହି ବିଲ୍ ଦେଇଛି ବିଏସଏନଏଲ ସଂସ୍ଥା। ଗତ ଫନି ବାତ୍ୟା ବେଳେ ରାଜ୍ୟ ସରକାର ଲୋକଙ୍କୁ ସତର୍କ କରାଇବା ପାଇଁ ଏସଏମଏସ ମାଧ୍ୟମରେ ସୂଚନା ପ୍ରଦାନ କରିଥିଲେ। ରାଜ୍ୟ ସରକାର ପ୍ରତିଷ୍ଠା କରିଥିବା ଲୋକେସନ ବେସଡ୍ ଆଲର୍ଟ ସିଷ୍ଟମ ମାଧ୍ୟମରେ ବିଏସଏନଏଲ ଟେଲିକମ ଜରିଆରେ ଏସଏମଏସ ପଠାଯାଇଥିଲା। ସେ ସମୟରେ ସରକାର ପ୍ରାୟ ଏକ କୋଟି ଅଶି ଲକ୍ଷ ଏସଏମଏସ ପଠାଯାଇଥିଲେ। ଏଥିରେ ବାତ୍ୟା ପ୍ରଭାବିତ ହେଉଥିବା ଅଞ୍ଚଳ ପାଇଁ ଏହି ଏସଏମଏସ ପଠାଯାଇଥିଲା। ଏହି ବିପୁଳ ପରିମାଣର ଏସଏମଏସକୁ ହିସାବ କରି ବିଏସଏନଏଲ କର୍ତ୍ତୁପକ୍ଷ ରାଜ୍ୟ ସରକାରଙ୍କୁ 4 କୋଟି 98 ଲକ୍ଷ ଟଙ୍କାର ବିଲ ଧରାଇ ଦେଇଛନ୍ତି। ଏହି ବିଲ ଆସିବା ପରେ ରାଜ୍ୟ ସରକାରଙ୍କ ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଇଛି। ବାତ୍ୟା ସମୟରେ ଲୋକଙ୍କୁ ସେବା ଯୋଗାଇ ଦେବାର ଯେ ମୂଲ୍ୟ ଦେବାକୁ ପଡିବ ସେ କଥା ରାଜ୍ୟ ସରକାର ଅବଗତ ନ ଥିଲେ। ବର୍ତ୍ତମାନ ଏହି ବିଲ୍ କୁ ସଂପୂର୍ଣ୍ଣ ଉଚ୍ଛେଦ କରିବା ପାଇଁ ରାଜ୍ୟ ସରକାର ବିଏସଏନଏଲକୁ ଏକ ଚିଠି ଲେଖିଛନ୍ତି। ତେବେ ବିଏସଏନଏଲ କର୍ତ୍ତୁପକ୍ଷ ଏହା ଉପରେ କି ପ୍ରକାର ପଦକ୍ଷେପ ନେବେ ତାହା ଜଣାପଡି ନାହିଁ।

Categories
ଖେଳ ବିଶେଷ ଖବର

ଅଧିନାୟକ ବିରାଟ କୋହଲିଙ୍କ ବିଶ୍ଵ ରେକର୍ଡ : ଆଇସିସି ବିଶ୍ଵକପ କ୍ରିକେଟରେ ୱେଷ୍ଟଇଣ୍ଡିଜକୁ ହରାଇ ଭାରତର ବିପୁଳ ବିଜୟ

ସମୀକ୍ଷା ବ୍ୟୁରୋ

୨୦୧୯ ଆଇସିସି ବିଶ୍ଵକପ କ୍ରିକେଟର ୩୪ତମ ମ୍ୟାଚରେ ଭାରତ ବନାମ ୱେଷ୍ଟଇଣ୍ଡିଜ ମଧ୍ୟରେ ମଞ୍ଚେଷ୍ଟର ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ  ୧୨୫ ରନରେ ବିଜୟ ହାସଲ କରିଛି। ଭାରତ ନିର୍ଦ୍ଧାରିତ ଓଭରରେ ୭ ୱିକେଟ ହରାଇ ୨୬୮ ରନ କରିବାରେ ସକ୍ଷମ ହୋଇଥିଲା।

କିନ୍ତୁ  ୱେଷ୍ଟଇଣ୍ଡିଜ ଦଳ ୨୬୯ ରନ ଲକ୍ଷ୍ୟକୁ ପିଛାକରି ମାତ୍ର ୧୪୩ ରନରେ ସମସ୍ତ ୱିକେଟ ହରାଇଥିଲା। ଭାରତ ପକ୍ଷରୁ ମହମ୍ମଦ ଶମି ୬.୨ ଓଭରରେ ୧୬ ରନ ବ୍ୟୟ କରି ସର୍ବାଧିକ ୪ଟି ୱିକେଟ ଅକ୍ତିଆର କରିଥିଲେ। ସେହିପରି ବୁମରାହ ଏବଂ ଚହଲ ୨ଟି ଲେଖାଏଁ, ପାଣ୍ଡ୍ୟା ଏବଂ କୁଳଦୀପ ୧ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ।

ଏହି ବିଜୟ ସହ ଅଧିନାୟକ ବିରାଟ ଆଜି ଆଉ ଏକ ବ୍ୟକ୍ତିଗତ ବିଶ୍ଵ ରେକର୍ଡ ଲାଭ କରିଛନ୍ତି।  ଦ୍ରୁତତମ କୋଡିଏ ହଜାର ରନ କରିବାରେ କୋହିଲି ବିଶ୍ଵର ପ୍ରଥମ ଖେଳାଳି। ସେ ମାତ୍ର ୪୧୭ଟି ମ୍ୟାଚ ଖେଳି ଏହି ରେକର୍ଡ କରିବାରେ ସମର୍ଥ ହୋଇଛନ୍ତି। ଏହା ପୂର୍ବରୁ ଉଭୟ ବ୍ରାଏନ ଲାରା ଏବଂ ସଚିନ ତେନ୍ଦୁଲକର  ସମାନ ସଂଖ୍ୟକ ମ୍ୟାଚ (୪୫୩ଟି) ଖେଳି ଏହି ମାଇଲଖୁଣ୍ଟ ଅତିକ୍ରମ କରିବାରେ ସଫଳ ହୋଇଥିଲେ।

MANCHESTER, JUNE 27 (UNI):- Indian bowler Jasprit Bumrah in action during a match between India and West Indies at ICC Cricket World Cup 2019, in Manchester on Thursday. UNI PHOTO BY SESHADRI SUKUMAR-14C

ଭାରତର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳର ପ୍ରାରମ୍ଭିକ ଯୋଡି ରୋହିତ ଶର୍ମା ଏବଂ ଲୋକେଶ ରାହୁଲ ବ୍ୟାଟିଂ ଆରମ୍ଭ କରିଥିଲେ। କିନ୍ତୁ ରୋହିତ ୨୩ ବଲ ସାମ୍ନା କରି ମାତ୍ର ୧୯ ରନରେ କିମା ରୋଚଙ୍କ ବଲରେ ଆଉଟ ହୋଇଯାଇଥିଲେ। ସେତେବେଳକୁ ଭାରତର ସ୍କୋର ଥିଲା ୨୯ ରନ। ପ୍ରଥମ ୱିକେଟର ପତନ ପରେ ଅଧିନାୟକ ବିରାଟ ବ୍ୟାଟିଂକରିବାକୁ ପଡ଼ିଆ ମଧ୍ୟକୁ ଆସିଥିଲେ। କିନ୍ତୁ ଦଳୀୟ ସ୍କୋର ୯୮ ରନ ଥିବାବେଳେ ରାହୁଲ ବୋଲ୍ଡ ଆଉଟ ହୋଇଯାଇଥିଲେ। ସେ ଅର୍ଦ୍ଧଶତକରୁ ମାତ୍ର ୨ ରନ ଦୂରରେ ରହି ୪୮ ରନରେ ହୋଲ୍ଡରଙ୍କ ବଲରେ ବୋଲ୍ଡ ଆଉଟ ହୋଇଥିଲେ।

ତାପରେ ଚତୁର୍ଥ ସ୍ଥାନରେ ଖେଳିବା ପାଇଁ ବିଜୟ ଶଙ୍କର ଆସିଥିଲେ। ବିଜୟ ପୁଣି ଦଳକୁ ନିରାଶ କରିଥିଲେ। ସେ ମାତ୍ର ୧୪ ରନ କରି ରୋଚଙ୍କ ବଲରେ କ୍ୟାଚ ଆଉଟ ହୋଇ ପ୍ୟାଭିଲିଅନ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବା ପାଇଁ କେଦାର ଯାଦବ ଆସିଥିଲେ। କେଦାର ମଧ୍ୟ ବ୍ୟାଟିଂରେ ବିଫଳ ହୋଇଥିଲେ। ସେ କେବଳ ୭ ରନ କରି ପୁନର୍ବାର ରୋଚଙ୍କ ବଲରେ ଆଉଟ ହୋଇଥିଲେ। ଭାରତ ୨୮.୫ ଓଭରରେ ଚାରୋଟି ମୁଲ୍ୟବାନ ୱିକେଟ ହରାଇ ୧୪୦ରନ କରି ବିପଦରେ ଥିବାବେଳେ ମହେନ୍ଦ୍ର ସିଂହ ଧୋନୀ ବ୍ୟାଟିଂ କରିବା ପାଇଁ ପଡ଼ିଆ ମଧ୍ୟକୁ ଆସିଥିଲେ।

MANCHESTER, JUNE 27 (UNI):- Indian cricket fans cheering during a match between India and West Indies at ICC Cricket World Cup 2019, in Manchester on Thursday. UNI PHOTO BY SESHADRI SUKUMAR-10C

କୋହିଲି, ଧୋନୀ ଏବଂ ପାଣ୍ଡ୍ୟାଙ୍କ ଦମଦାର ବ୍ୟାଟିଂ ବଳରେ ଭାରତ ଏକ ଭଲ ଟାର୍ଗେଟ ୱେଷ୍ଟଇଣ୍ଡିଜି ସାମ୍ନାରେ ରଖିଥିଲା। କୋହିଲି ୮୨ ବଲରେ ୭୨ ରନ, ପାଣ୍ଡ୍ୟା ୩୮ ବଲରେ ୪୬ ରନ ଏବଂ ଧୋନୀ ଅପରାଜିତ ୬୧ ବଲରେ ୫୬ ରନର ସୁନ୍ଦର ପାଳି ଖେଳିଥିଲେ। ୱେଷ୍ଟଇଣ୍ଡିଜି ପକ୍ଷରୁ କିମା ରୋଚ ୧୦ ଓଭରରେ ମାତ୍ର ୩୬ ରନ ବ୍ୟୟକରି ୩ ଟି ୱିକେଟ ଅକ୍ତିଆର କରିଥିଲେ।

Categories
ବିଶେଷ ଖବର

ବିଧାନସଭାରେ କଂଗ୍ରେସର ପ୍ରଶ୍ନ, ବିଜେପି ଓ ବିଜେଡି ଉଭୟଙ୍କ ଲାଗି ମୁଣ୍ଡବିନ୍ଧା

ସମୀକ୍ଷା ବ୍ୟୁରୋ

ବିଜେପିର ଘୋଷାପାଠ ହେଉଛି- ବିଜେଡି ଆମକୁ କାହିଁକି ସମର୍ଥନ କଲା, ତାର କାରଣ ସେମାନେ ଦିଅନ୍ତୁ। ବିଜେଡି ଏ ମାମଲାରେ ପୂରାପୂରି ଚୁପ। ଏଇ କିଛିଦିନ ହେଲା ବିଜେଡି ମୁଖପାତ୍ରମାନେ ଟିଭି ବିତର୍କରୁ ନିଜକୁ ଦୂରେଇ ରଖୁଛନ୍ତି। ଅଶ୍ବିନୀ ବୈଷ୍ଣବଙ୍କ ରାଜ୍ୟସଭା ମନୋନୟନ ଉଭୟ ବିଜେପି ଓ ବିଜେଡି ପାଇଁ ଗୋଟେ ଭୟଙ୍କର ସମସ୍ୟା ସୃଷ୍ଟି କରିଛି। ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ପ୍ରାର୍ଥୀ ଭାବରେ ବିଜେଡି ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଜ୍ୟ ବିଜେପି ନେତାଏ ଏ ବିଷୟରେ କିଛି କୁଳ କିନାରା ପାଉନାହାନ୍ତି। ଗତ ଦୁଇ ଦିନ ହେଲା ବିଧାନସଭାରେ ବିଜେପି ବିଧାୟକମାନେ କାଠ ପିତୁଳି ଭଳି କେବଳ ବସୁଛନ୍ତି। ସରକାରକୁ ବିରୋଧ କରି କଂଗ୍ରେସର ବିଧାୟକମାନେ ଗୋଟେ ଉତ୍ତେଜକ ପରିବେଶ ତିଆରି କରୁଥିବା ବେଳେ ବିଜେପି ବିଧାୟକମାନେ କଣ କରିବେ କିଛି ଭାବି ପାରୁନାହାନ୍ତି। ଅତ୍ୟନ୍ତ ସଫଳ ଭାବରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ବିଜେପି ଓ ବିଜେଡ଼ିର ବୁଝାମଣାକୁ ରାଜନୈତିକ ସ୍ଵାର୍ଥ ଜନିତ ବୋଲି ପ୍ରମାଣିତ କରିଦେଇଛନ୍ତି। ଆଜି କୃଷିମନ୍ତ୍ରୀ ଅରୁଣ କୁମାର ସାହୁ ସରକାରୀ ତଥ୍ୟକୁ ସଠିକ ଭାବରେ ଉପସ୍ଥାପନ କରି ନପାରି ବିରୋଧୀ ଦଳକୁ ଏକ ଭଲ ସୁଯୋଗ ଦେଇଥିଲେ ମଧ୍ୟ, ବିଜେପି ତାଙ୍କୁ ଘେରିବାର ସାହସ ଯୁଟାଇ ପାରିନଥିଲା।

ବିଜେପିର ଏହି ସ୍ଥାଣୁତାର ଏକମାତ୍ର କାରଣ ଅଶ୍ବିନୀ ବୈଷ୍ଣବ। ଦେଶର ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ଯାହାଙ୍କ ପ୍ରାର୍ଥିତ୍ଵ ଲାଗି ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ସାହାଯ୍ୟ ମାଗିଥିଲେ ବୋଲି କୁହାଯାଉଛି, ତାଙ୍କ ନାଁରେ ଭିଜିଲାନ୍ସ ମାମଲା ସରକାର ରୁଜୁ କରିଥିଲେ ବୋଲି ନରସିଂହ ମିଶ୍ର ଆଜି ଗୃହ ଭିତରେ ଅଭିଯୋଗ ଆଣିଛନ୍ତି। ଶ୍ରୀ ମିଶ୍ର ଯାହାସବୁ ଅଭିଯୋଗ ଆଣିଛନ୍ତି, ସେସବୁ ନିରାଟ ସତ୍ୟ। ଭୁବନେଶ୍ଵର ଓ କଟକ ସହରରେ ସରକାରୀ ଜମି ତଥା ଗୃହ ଆବଣ୍ଟନରେ ଅଶ୍ବିନୀ ବୈଷ୍ଣବଙ୍କ ଭୂମିକା କୁ ନେଇ ତାରା ଦତ୍ତ କମିଟି ସଙ୍ଗୀନ ଅଭିଯୋଗ କରିଛି। ୨୦୦୨ ରୁ ୨୦୧୨ ମସିହା ଭିତରେ ଓଡିଶା ସରକାର ୬୩୪ଟି ଘର ଶାଗ ମାଛ  ମୂଲ୍ୟରେ ବିଭିନ୍ନ ପ୍ରତିଷ୍ଠିତ ଲୋକଙ୍କୁ ଦେଇଥିଲେ। ଏହି ତଥ୍ୟକୁ ସେତେବେଳେ ଓଡିଶାର ମୁଖ୍ୟ ମହାଲେଖା ନିୟନ୍ତ୍ରକ ଥିବା ଆମର ପଟ୍ଟନାୟକ ଉଜାଗର କରିଥିଲେ। ସମୟ ଚକ୍ରରେ ଅମର ପଟ୍ଟନାୟକ ଆଜି ବିଜେଡ଼ିର ରାଜ୍ୟସଭା ପ୍ରାର୍ଥୀ ଓ ସେ ଯେଉଁମାନଙ୍କୁ ଇଚ୍ଛାଧୀନ କୋଟାରେ ଅବୈଧ ଭାବେ ଘର ଦିଆ ହୋଇଛି ବୋଲି କହିଥିଲେ ତାଙ୍କ ଭିତରୁ ଜଣକୁ ତାଙ୍କ ସହିତ ରାଜ୍ୟସଭାକୁ ପଠାଯାଉଛି।

ଏଠି କହିରଖିବା ଉଚିତ ହେବ ଯେ ଇଚ୍ଛାଧୀନ କୋଟାରେ ଗୃହ ଆବଣ୍ଟନ କଥା ଯେତେବେଳେ ଉଠୁଥିଲା ସେତେବେଳେ ବିଜେପି-ବିଜେଡ଼ିର ମିଳିତ ସରକାର ଥିଲା ଓ ସହର ଉନ୍ନୟନ ମନ୍ତ୍ରୀ ଭାବରେ ଏହି ସମୟରେ ବିଜେପିର ଦୁଇ ବରିଷ୍ଠ ନେତା ସମୀର ଦେ ଏବଂ କନକ ବର୍ଦ୍ଧନ ସିଂ ଦେଓ ରହିଥିଲେ। ତେଣୁ ଏହି ଦୁର୍ନୀତି ସମ୍ପର୍କରେ ବିଜେପି ନୀରବ ରହିଥିଲା। ଆଜି ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଏହି ତାଲିକାରେ ରହିଥିବା ପ୍ରସଙ୍ଗ ଉଠିବା ପରେ, ବିଜେପି ଏହାର ଉତ୍ତର ରଖିବାକୁ ସାହସ କରୁନାହିଁ।

ଆମେ ପୂର୍ବରୁ ଅଶ୍ବିନୀ ବୈଷ୍ଣବଙ୍କ ଏକ ଖଣି କମ୍ପାନୀ ସହ ରହିଥିବା ସମ୍ପର୍କ କଥା ଉଲ୍ଲେଖ କରିଥିଲୁ। ଆଜି ବିଧାନସଭାରେ ବରିଷ୍ଠ ବିଧାୟକ ନରସିଂହ ମିଶ୍ର ସେଇ ପ୍ରସଙ୍ଗ ଉଠାଇଛନ୍ତି। ବିଭିନ୍ନ ଖଣି କମ୍ପାନୀର ନିର୍ଦ୍ଦେଶକ ଭାବରେ ଅଶ୍ବିନୀ ବୈଷ୍ଣବଙ୍କୁ ପ୍ରଧାନମନ୍ତ୍ରୀ କାର୍ୟାଳୟ ଖୋଲାଖୋଲି ସମର୍ଥନ କରୁଥିବା କଥା ଏବେ ଆଉ ଲୁଚେଇ ହେବ କି? ଶାହ କମିଶନ ନିଜ ରିପୋର୍ଟରେ ଯେଉଁ କମ୍ପାନୀକୁ ଅଭିଯୁକ୍ତ ବୋଲି କହିଥିଲେ ସେ କମ୍ପାନୀ ସହ ଶ୍ରୀ ବୈଷ୍ଣବଙ୍କ ସମ୍ପର୍କ ବିଷୟରେ ବିଜେପି ଓ ବିଜେଡି କି ସ୍ପଷ୍ଟୀକରଣ ଦେବେ?

ତେବେ ଏହି ପ୍ରସଙ୍ଗ ଏବେ ଖାଲି ଓଡିଶା ରାଜନୀତି ନୁହଁ, ବରଂ ଜାତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ଖଣି ବ୍ୟବସାୟୀଙ୍କ ସହ ସଂପର୍କକୁ ସ୍ପଷ୍ଟ କରୁଛି।

Categories
ବିଶେଷ ଖବର

ବିଧାନସଭାର ପ୍ରଥମ ଦିନ, କଂଗ୍ରେସ ହିଁ ବିରୋଧୀ ଦଳ, ବିଜେପି ବିଜେଡ଼ିର “ବି–ଟିମ” ମାତ୍ର!!

କେଦାର ମିଶ୍ର

ଗତକାଲି ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହୋଇଛି। ପାରମ୍ପାରିକ ଭାବରେ ରାଜ୍ୟପାଳ ଗୃହକୁ ନିଜ ସରକାରର ଆଭିମୁଖ୍ୟ ବିଷୟରେ ସମ୍ବୋଧିତ କରିଛନ୍ତି। ବିଧାନସଭାର ବିରୋଧୀ ଦଳ ନେତା ଭାବରେ ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ  ତାଙ୍କର କାର୍ୟ ଆରମ୍ଭ କରିଛନ୍ତି। ତେବେ ବୈଧାନିକ ଭାବରେ ବାଚସ୍ପତି ବିରୋଧୀ ଦଳ ନେତାଙ୍କ ନିର୍ବାଚନ ପ୍ରସଙ୍ଗ ଗୃହରେ ଘୋଷଣା କାରିବା କଥା। ତାହା କରିନଥିବାରୁ ଏହାକୁ ନେଇ କଂଗ୍ରେସର ବରିଷ୍ଠ ସଦସ୍ୟ ନରସିଂହ ମିଶ୍ର ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ବିଧାୟକ ଦଳର   ସଂଖ୍ୟା କମ ଥିଲେ ମଧ୍ୟ, ବିରୋଧୀ ଭାବରେ କଂଗ୍ରେସର ସ୍ଵର ହିଁ ଆଜି ବିଧାନସଭାରେ ପ୍ରମୁଖ ଥିଲା। ରାଜ୍ୟସଭା ନିର୍ବାଚନରେ ବିଜେଡି ଠାରୁ ସମର୍ଥନ ନେଇ ବିଜେପି ନୈତିକ ଭାବରେ ବିରୋଧୀ ହେବାର ମର୍ୟାଦା ହରାଇ ଦେଇଛି। ବିଧାନସଭା ଭିତରେ ବିଜେପି ବିଧାୟକମାନେ ଏକ ପ୍ରକାର ନୀରବ ଓ ଶାସକ ଦଳର ସମର୍ଥକ ପରି ବସିରହିଥିଲେ। ସାଧାରଣତଃ ରାଜ୍ୟପାଳଙ୍କ ଉଦ୍ବୋଧନ ସମୟରେ ବିରୋଧିଦଳ ଗୁଡିକ ହୋ ହଲ୍ଲା କରିଥାନ୍ତି। ବିଜେପି ଏଥର ରାଜ୍ୟପାଳଙ୍କ ଭାଷଣକୁ ବିରୋଧ କରିନଥିଲା। କଂଗ୍ରେସ ରାଜ୍ୟପାଳଙ୍କ ଭାଷଣ ଶୁଣିଥିଲେ ମଧ୍ୟ, ନିଜର ପ୍ରତିବାଦକୁ ଜାହିର କରିବାରେ ସଫଳ ହୋଇଥିଲା।

ବିଜେପି ପାଇଁ ଏବେ ରାଜନୈତିକ ଦୃଷ୍ଟିରୁ ଏକ ପ୍ରକାର ଅସ୍ତିତ୍ଵ ସଙ୍କଟ ଦେଖା ଦେଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସହିତ ବିଜେପିର ଖୋଲା ବୁଝାମଣା ହୋଇଛି ବୋଲି ସ୍ଵୀକାର କରିବା ପରେ ବିଧାୟକ ଦଳ ଏବେ କେଉଁ ମୁହଁରେ ନିଜର ବିରୋଧ ଜାହିର କରିବ? ବିରୋଧୀ ଦଳ ନେତା ଭାବରେ ପ୍ରଦୀପ୍ତ ନାୟକଙ୍କ ନିର୍ବାଚନରୁ ଏ କଥା ଆହୁରି ସ୍ପଷ୍ଟ ହୋଇଯାଇଛି ଯେ, ଶାସକ ଦଳ ପ୍ରତି ବିଜେପି ନରମ ଆଭିମୁଖ୍ୟ ପୋଷଣ କରିବାକୁ ଯାଉଛି। ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ନିଜର ଉଗ୍ର ଆଚରଣ ପାଇଁ ପ୍ରସିଦ୍ଧ। ତେଣୁ ତାଙ୍କୁ ଜାଣିଶୁଣି ବିଧାୟକ ଦଳର ନେତା କରାଗଲା ନାହିଁ ବୋଲି କୁହାଯାଉଛି। କେଉଁଠି ନା କେଉଁଠି ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ନିଜର ଦୁର୍ବଳତା ପ୍ରଦର୍ଶନ କରୁଛି। ମୁଖ୍ୟମନ୍ତ୍ରୀଙ୍କୁ ଖୁସି କରିବାକୁ ଯାଇ ବିଜେପି ଭବାନୀପାଟଣା ବିଧାୟକ ତଥା  ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକଙ୍କୁ ବିରୋଧୀ ଦଳ ନେତା କରିଛି। ପ୍ରଦୀପ୍ତ ନାୟକ ସ୍ବଭାବତଃ ନରମ ଓ ଆକ୍ରାମକ ରାଜନୀତି ତାଙ୍କର ପରିଚୟ ନୁହେଁ। ବିଧାନସଭା ଅଧିବେଶନ ପୂର୍ବରୁ କିଛି ଟେଲିଭିଜନ ଚାନେଲର ବିତର୍କରେ ଭାଗ ନେଇ ପ୍ରଦୀପ୍ତ ନାୟକ ନିଜର  ନରମ ଆଭିମୁଖ୍ୟକୁ  ସ୍ପଷ୍ଟ କରିଛନ୍ତି। ବିରୋଧିଦଳ ନେତା ଭାବରେ ପ୍ରଦୀପ୍ତ ବାବୁ ଅତ୍ୟନ୍ତ ନରମପନ୍ଥୀ ଓ ଏହା ଶାସକ ଦଳକୁ ବେଶ ସୁହାଇବ।

ଅପରପକ୍ଷରେ ଆଜି କଂଗ୍ରେସର ଅଭିଜ୍ଞ ବିଧାୟକ ନରସିଂହ ମିଶ୍ର, ସୁରେଶ ରାଉତରାୟ, ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା, ରମେଶ ଜେନା ପ୍ରମୁଖ ବେଶ ଆକ୍ରାମକ ଭୂମିକାରେ ରହିଥିଲେ। ବିଭିନ୍ନ ପ୍ରଶ୍ନ ଓ ପ୍ରତିବାଦ ଜରିଆରେ ବିଧାନସଭା ଭିତରେ କଂଗ୍ରେସ ନିଜର ବିରୋଧୀ ଭୂମିକାକୁ ସାବ୍ୟସ୍ତ କରିଥିଲା। ରାଜ୍ୟସଭା ନିର୍ବାଚନ ପ୍ରସଙ୍ଗରେ ଉଭୟ ବିଜେଡି ଓ ବିଜେପିକୁ କାଠଗଡାରେ ଛିଡା କରାଇବାରେ କଂଗ୍ରେସ ସଫଳ ହୋଇଥିଲା। ଆଗକୁ ବିଜେପି ତୁଳନାରେ କଂଗ୍ରେସକୁ ମନାଇବା ବାଚସ୍ପତି ଓ ଶାସକ ଦଳ ମୁଖ୍ୟ ସଚେତକଙ୍କ ପାଇଁ ବଡ ଆହ୍ଵାନ ହେବ ବୋଲି ଗତକାଲି ସ୍ପଷ୍ଟ ହୋଇ ଯାଇଛି। ବିଜେଡି ବିଜେପି ଭାଇ ଭାଇ ବୋଲି ଏକ ରାଜନୈତିକ ବାର୍ତ୍ତା ଦେବାରେ କଂଗ୍ରେସ ବିଧାୟକମାନେ ଗୃହ ଭିତରେ ସମର୍ଥ ହୋଇଛନ୍ତି।

ଗୃହ ବାହାରେ ଅନୁଷ୍ଠିତ ବିଭିନ୍ନ ଟେଲିଭିଜନ ବିତର୍କରେ ମଧ୍ୟ କଂଗ୍ରେସ ବିଧାୟକମାନେ ନିଜର ଶାଣିତ ଯୁକ୍ତି ରଖିଛନ୍ତି। ଯଦିଓ ଅଖିଳ ଭାରତୀୟ କଂଗ୍ରେସ କମିଟି ମାସେ ପାଇଁ ଟେଲିଭିଜନ ବିତର୍କକୁ ବର୍ଜନ କରିଛି, ତଥାପି ଆଜି ମହମ୍ମଦ ମୁକିମଙ୍କ ପରି କିଛି ବିଧାୟକ ନିଜର ସ୍ପଷ୍ଟ ସରକାର ବିରୋଧୀ ମତ ରଖିଛନ୍ତି। ଗୃହ ବାହାରର ବିତର୍କରେ ବିଜେପି ବିଧାୟକମାନଙ୍କର ମାନସିକ ଦ୍ଵନ୍ଦ୍ଵ ବାରି ହୋଇ ପଡୁଥିଲା। ସେମାନେ ମୁଖ୍ୟ ବିରୋଧୀ ଦଳର ପ୍ରତିନିଧି ନା ଶାସକ ଦଳର ସହଯୋଗୀ, ସେକଥା ସେମାନେ  ସ୍ପଷ୍ଟ ଜାଣିନଥିବା ଭଳି ମନେ ହେଉଥିଲା। ତେବେ ଏହାରି ଭିତରେ କ୍ଷମତାସୀନ ବିଜେଡି ଦଳ ଏକ ପ୍ରକାର ଅଚିନ୍ତା ଥିବାର ଦେଖିବାକୁ ମିଳିଥିଲା। ମୁଖ୍ୟ ବିରୋଧୀ ଦଳ ବିଜେପିର ନୀରବତା ପରେ ଏବେ ବିଜେଡି ଲାଗି ବିଧାନସଭା ନିଷ୍କଣ୍ଟକ ଭୂମି ପାଳଟି ଯାଇଛି।

Categories
ଆଜିର ଖବର

ଜେଡିଏସ୍‌ ସହିତ ମେଣ୍ଟ ନଥିଲେ ୧୦-୧୫ ଲୋକସଭା ଆସନ ହାସଲ କରିଥାନ୍ତା କଂଗ୍ରେସ : ବୀରାପ୍ପା ମୋଇଲି

ବରିଷ୍ଠ କଂଗ୍ରେସ ନେତା ବୀରାପ୍ପା ମୋଇଲି କଂଗ୍ରେସ ଜେଡିଏସ୍‌ ମେଣ୍ଟ ନେଇ ମୁହଁ ଖୋଲିଛନ୍ତି। ଜେଡିଏସ୍‌ ସହିତ ମେଣ୍ଟ କରି ନଥିଲେ ଦଳକୁ ୧୦ରୁ ୧୫ ଲୋକସଭା ଆସନ ମିଳିଥାନ୍ତା ବୋଲି ଶନିବାର ମତ ଦେଇଛନ୍ତି ମୋଇଲୀ। ବୀରାପ୍ପା ଚିକ୍କାବାଲ୍ଳାପୁରରୁ ପରାସ୍ତ ହୋଇଥିବା ବେଳେ ମେଣ୍ଟ ନଥିଲେ ଶତ ପ୍ରତିଶତ ବିଜୟୀ ହେବାର ସମ୍ଭାବନା ଥିଲା ବୋଲି କହିଛନ୍ତି। ମେଣ୍ଟକୁ ସାଧାରଣ ଲୋକ ଆଦୌ ଭରସା କରୁନଥିଲେ ଏପରିକି ଏହି ମେଣ୍ଟ ପାଇଁ କଂଗ୍ରେସ କର୍ମୀ ମଧ୍ୟ ମୋତେ ବିରୋଧ କରିଥିଲେ। ସୂଚନାଯୋଗ୍ୟ ଯେ, ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସ ଏବଂ ଜେଡିଏସ୍‌କୁ ଗୋଟିଏ ଲେଖାଏଁ ଆସନ ମିଳିଥିବା ବେଳେ ବିଜେପିକୁ ୨୫ ଟି ଆସନ ମିଳିଥିଲା। ମୋଇଲୀ ବିଜେପିର ବି ଏନ୍‌ ନାଚେ ଗୌଡାଙ୍କ ନିକଟରୁ ୧ ଲକ୍ଷ ୮୨ ହଜାର ୧୧୦ ଭୋଟରେ ପରାସ୍ତ ହୋଇଥିଲେ।

Categories
ଆଜିର ଖବର

ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ଜେପି ନଡ୍ଡା

ଭାରତୀୟ ଜନ ସଂଘର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ତାଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି ଜେପି ନଡ୍ଡା। ଫିରୋଜ ଶାହ କୋଟଲା ଷ୍ଟାଡିୟମ୍‌ ନିକଟରେ ରହିଥିବା ଶହିଦ ପାର୍କ ନିକଟରେ ପୁଷ୍ପ ଅର୍ପଣ କରିଛନ୍ତି ବିଜେପିର ନୂତନ କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା। ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ସୋସିଆଲ ମିଡିଆ ସାଇଟ ଟ୍ବିଟ୍ଟର ଜରିଆରେ ଏହି ଖବରକୁ ସ୍ପଷ୍ଟ କରିଛନ୍ତି ନଡ୍ଡା। ‘ଭାରତୀୟ ଜନସଂଘର ପ୍ରତିଷ୍ଠାତା, ପ୍ରଖ୍ୟାତ ଶିକ୍ଷାବିତ୍‌ ଏବଂ ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ଭାବରେ ଦେଶର ଏକତା ଏବଂ ସ୍ବତନ୍ତ୍ରତାରେ ଅବଦାନ ରଖିଥିବା ଜନନାୟକ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କୁ ମୋର ଶ୍ରଦ୍ଧାଞ୍ଜଳି ବୋଲି ହନ୍ଦିରେ ଟ୍ବିଟ୍‌ କରିଥିଲେ ନଡ୍ଡା।

Categories
ଆଜିର ଖବର

ଆଜି ବିଜେପିର ବିଧାୟକ ଦଳ ବୈଠକ : ବିରୋଧୀ ଦଳ ନେତା ଚୟନ ନେଇ ନିଷ୍ପତ୍ତି

ଆଜି ବିଜେପିର ବିଧାୟକ ଦଳ ବୈଠକ ବସିବ। ବୈଠକରେ ବିରୋଧୀ ଦଳ ନେତା କିଏ ହେବ ସେନେଇ ସ୍ଥିର କରାଯିବ। ରାଜ୍ୟ ବିଧାନସଭାରେ ଗତ ନିର୍ବାଚନରେ ବିଜେପି ୨୩ଟି ଆସନ ହାତେଇଥିଲା। ଦଳ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ସଂଖ୍ୟା ଦୃଷ୍ଟିରୁ ବିଜେପିର ଜଣେ ବିଧାୟକ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେବେ। ଏନେଇ ଆଜି ଦଳର ବିଧାୟକ ଦଳ ବୈଠକ ବସିବ। ବୈଠକରେ ବିଜେପି ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ କେନ୍ଦ୍ର ସାଧାରଣ ସମ୍ପାଦିକା ସରୋଜା ପାଣ୍ଡେ ଯୋଗ ଦେବେ । ବୈଠକରେ ଆହୁରି ମଧ୍ୟ ବିଧାନସଭାରେ କେଉଁ କେଉଁ ପ୍ରସଙ୍ଗରେ ଦଳ ରାଜ୍ୟ ସରକାରଙ୍କୁ ଘେରିବ ସେନେଇ ଆଲୋଚନ। ହେବାର ସମ୍ଭାବନା ରହିଛି।

Categories
ଆଜିର ଖବର

ବାହାରେ କଳି, ଭିତରେ କୋଳାକୋଳି – ନରସିଂହ ମିଶ୍ର

ବିଜେପି ରାଜ୍ୟସଭା ପ୍ରାର୍ଥୀ ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ିର ସମର୍ଥନ ପ୍ରସଙ୍ଗକୁ ନେଇ ଓଡ଼ିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିବାବେଳେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର। ପୂର୍ବରୁ କଂଗ୍ରେସର ସତ୍ୟ ନାୟକ ଏହି ଘଟଣାରେ ଉଭୟ ବିଜେପି ଓ ବିଜେଡ଼ିକୁ କଡା ସମାଲୋଚନା କରିସାରିଛନ୍ତି। ଅଶ୍ବିନୀଙ୍କ ଘଟଣାକୁ ନେଇ ବାହାରେ କଳି, ଭିତରେ କୋଳାକୋଳି ପ୍ରମାଣିତ ହେଲା ବୋଲି କହିଛନ୍ତି ନରସିଂହ ମିଶ୍ର। ଏହା ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପ୍ରତି ମସ୍ତବଡ଼ ଅପମାନ ବୋଲି କହିଛନ୍ତି ନରସିଂହ ମିଶ୍ର। ନବୀନ ବାବୁ ବୋଧହୁଏ କେନ୍ଦ୍ରର ଆକ୍ରମଣକୁ ଡରି କେନ୍ଦ୍ର ସରକାରଙ୍କ ବୋଲକରା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବୋଲି କଟାକ୍ଷ କରିଛନ୍ତି ନରସିଂହ ମିଶ୍ର। ତେବେ ଏପରି ଭାବିବା ନବୀନବାବୁଙ୍କ ଭୁଲ୍‌ ବୋଲି କହିଛନ୍ତି ନରସିଂହ ମିଶ୍ର।

Categories
ଆଜିର ଖବର

ନବୀନବାବୁ ସମଦୂରତ୍ବ ଥିଓରୀକୁ ଭୁଲି ଏକାଠି ରହିବାର ଥିଓରୀକୁ ଗ୍ରହଣ କରିଛନ୍ତି : ଦାମ ରାଉତ

ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ିରେ ସମର୍ଥନ ନେଇ ଓଡ଼ିଶା ରାଜନୀତି ଏବେ ପୂରା ସରଗରମ। କଂଗ୍ରେସ ଉଭୟଙ୍କ ମିଲି ଭଗତ୍‌ କହିବା ବେଳେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ରାଜନେତା ଦାମ ରାଉତ। ଅଶ୍ବିନୀ ବୈଷ୍ଣବଙ୍କୁ ବିଜେଡ଼ିର ସମର୍ଥନ ନେଇ ବରିଷ୍ଠ ରାଜନେତା ଦାମ ରାଉତ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଲୋକ ନ ଚାହିଁଲେ ମଧ୍ୟ ଓଡ଼ିଶାରେ ଡବଲ୍‌ ଇଂଜିନ୍‌ ହୋଇଗଲା। ପାରସ୍ପରିକ ସୁବିଧା ପାଇଁ ବୈଷ୍ଣବଙ୍କୁ ପ୍ରାର୍ଥୀ କରାଯାଇଥିବାର କହିଛନ୍ତି ଦାମ। ଅଶ୍ବିନୀ ପାରିବାର ଲୋକ, ଦିଲ୍ଲୀରେ ତାଙ୍କର ଭଲ ଲବି ଥିବାବେଳେ ବିଜେଡ଼ି ସହ ଅଶ୍ବିନୀଙ୍କର ସମ୍ପର୍କ ମଧ୍ୟ ଖୁବ୍‌ ମଧୁର ବୋଲି କହିଛନ୍ତି ଦାମ। ତେବେ ନବୀନ ବାବୁ ଗଠନମୂଳକ ସହଯୋଗ ଘୋଷଣା କରି ସମଦ୍ବରତ୍ବ ଥିଓରୀକୁ ଭୁଲି ଏକାଠି ରହିବାର ଥିଓରୀକୁ ଆପଣାଇଛନ୍ତି ବୋଲି ଦାମ ପ୍ରକାଶ କରିଛନ୍ତି। ରାଜନୀତିରେ ଅମଲାତନ୍ତ୍ରକୁ ସଦାସର୍ବଦା ବିରୋଧ କରୁଥିବା ଦାମବାବୁ ଏବେ ମଧ୍ୟ ସମାନ କଥା କହିଛନ୍ତି। ରାଜନୀତିରେ ଅମଲାଙ୍କ ପ୍ରାଧାନ୍ୟ ବଢୁଛି ଓ ଲୋକ ପ୍ରତିନିଧିମାନେ ତାଙ୍କ ପାଖେ ନତମସ୍ତକ ହେଉଛନ୍ତି। ଏହା କେବଳ ଓଡ଼ିଶାରେ ନୁହେଁ, ବରଂ ସାରା ଭାରତବର୍ଷରେ ଘଟୁଛି। ଅମଲାକୈନ୍ଦ୍ରିକ ରାଜନୀତିରେ ମଧ୍ୟ କେନ୍ଦ୍ର ସରକାର ସାମିଲ୍‌ ରହିଛନ୍ତି। ଏବିଷୟରେ କିଛି କହି ଲାଭ ନାହିଁ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଦାମ।

Categories
ଆଜିର ଖବର

ରାଜ୍ୟସଭା ଯିବା ନେଇ ଆଶାୟୀ ଚ୍ୟାଉ ପଟ୍ଟନାୟକ

ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟକନାୟକ ରାଜ୍ୟସଭା ପାଇଁ ତିନି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲେ। ପୂର୍ବରୁ ଏହି ଦୌଡରେ ଆଗୁଆ ରହିଥିବା ବିଜେଡିର ବରିଷ୍ଠ ନେତା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମଧ୍ୟ ରାଜ୍ୟସଭା ଯିବା ନେଇ ଆଶା ରଖିଥିବା ପ୍ରକାଶ କରିଛନ୍ତି। ବ୍ରହ୍ମପୁରରୁ ଲଗାତାର ୫ ଥର ବିଧାୟକ ରହିଥିବା ଚ୍ୟାଉ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀ ରେସ୍‌ରେ ପ୍ରମୁଖ ଦାବିଦାର ରହିଥିଲେ। ମାତ୍ର ଆଶ୍ଚର୍ଯ୍ୟ ଜନକ ଭାବରେ ନବୀନ ଅଶ୍ବିନୀ ବୈଷ୍ଣବଙ୍କୁ ମନୋନୀତ କରିବା ସହିତ ଚ୍ୟାଉ ପଟ୍ଟନାୟକଙ୍କ ଟିକଟ କାଟି ଦେଇଥିଲେ। ଏହାପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ଚ୍ୟାଉ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋତେ ରାଜ୍ୟସଭା ଯିବାର ପ୍ରତିୁଶ୍ରୁତି ଦେଇଥିଲେ ଏବଂ ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିବେ ବୋଲି କହିଛନ୍ତି ଚ୍ୟାଉ ପଟ୍ଟନାୟକ। ଏହା ସହିତ ରାଜ୍ୟର ସ୍ବାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାକୁ ମୁଁ ସ୍ବାଗତ କରୁଛି ବୋଲି କହିଛନ୍ତି ଚ୍ୟାଉ ପଟ୍ଟନାୟକ। ୬ ମାସ ମଧ୍ୟରେ ଆଉ ୪ ଆସନ ଖାଲି ହେଉଥିବାରୁ ସୁଯୋଗ ମିଳିବା ନେଇ ଆଶାବାଦୀ ଅଛନ୍ତି ଚ୍ୟାଉ ପଟ୍ଟନାୟକ।

Categories
ଆଜିର ଖବର

ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ, ବନ୍ୟା ବିପତ୍ତି ଆଟଲାସ୍‌ ଉନ୍ମୋଚିତ

ସଚିବାଳୟରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବନ୍ୟା ବିପତ୍ତି ଆଟଲାସ୍‌ ଉନ୍ମୋଚିତ କରିଛନ୍ତି। ଏହି ଆଟ୍‌ଲାସରେ ଚିହ୍ନଟ ହୋଇଛି ରାଜ୍ୟର ସ୍ବତନ୍ତ୍ର ବିପତ୍ତି ଅଞ୍ଚଳ। ୨୦୦୦ରୁ ୨୦୧୮ ଯାଏ ସବୁ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଆଟ୍‌ଲାସ ପ୍ରସ୍ତୁତ କରାଯାଇଛି। ଆଟଲାସ୍‌ରେ ରାଜ୍ୟର ସ୍ବତନ୍ତ୍ର ବିପତ୍ତି ଅଞ୍ଚଳ ଚିହ୍ନଟ କରାଯାଇଛି। ବର୍ଷକୁ ୧୪ ଲକ୍ଷ ହେକ୍ଟର ଚାଷଜମି ବନ୍ୟାରେ କ୍ଷତିଗ୍ରସ୍ତ ହେଉଛି ବୋଲି ସୂଚନା ରହିଥିବାବେଳେ ବିଶେଷ କ୍ଷତିଗ୍ରସ୍ତ ଅଞ୍ଚଳକୁ ସହାୟତା ପ୍ରଦାନରେ ବେଶ୍‌ ସହାୟକ ହେବ ଏହି ଆଟଲାସ୍‌। ସେହିପରି ବାତ୍ୟା ଫୋନି ପରେ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏହି  ଆଟାଲସ୍‌ ଜରିଆରେ ଓଡ଼ିଶାର ଅଧିକ ବିପତ୍ତି ଅଞ୍ଚଳ ସମ୍ପର୍କରେ ସୂଚନା ମିଳିବା ସହିତ ସହାୟତା କରିବ ବୋଲି ସୂଚନା ରହିଛି।

Categories
ଆଜିର ଖବର

ବିଜୟଙ୍କ ଜନ୍ମଦିନରେ ବିଗିଲ୍‌ର ପୋଷ୍ଟର ରିଲିଜ୍‌

ତାମିଲ୍‌ ସୁପରଷ୍ଟାର ବିଜୟଙ୍କ ଜନ୍ମଦିନରେ ରିଲିଜ୍‌ ହୋଇଛି ବିଜୟଙ୍କ ୬୩ ତମ ଚଳଚିତ୍ର ବିଗିଲ୍‌ର ପୋଷ୍ଟର। ବିଜୟଙ୍କ ଜନ୍ମଦିନ ଅବସରରେ ଫିଲ୍ମର ନିର୍ଦ୍ଦେଶକ ଅଟ୍‌ଲୀ ଫିଲ୍ମର ପୋଷ୍ଟର ରିଲିଜ୍‌ କରାଇଛନ୍ତି। ଏହି ଫିଲ୍ମରେ ବିଜୟଙ୍କୁ ତିନୋଟି ଭିନ୍ନ ଭିନ୍ନ ରୂପରେ ଦେଖିବାକୁ ମିଳିଛି। ପ୍ରଥମଟିରେ ଜଣେ ମାଞ୍ଚେଷ୍ଟର ୟୁନାଇଟେଡ ଫୁଟବଲର ଭୂମିକାରେ ନଜର ଆସିଥିବା ବେଳେ ଅନ୍ୟଟିରେ କୋଟ ସୁ୍‌ଟ ପିନ୍ଧିଛନ୍ତି ଏବଂ ଅନ୍ୟ ଏକ ଭୂମିକାରେ ଲୁଙ୍ଗି ପିନ୍ଧିଥିବା ଜଣେ ବୟସ୍କ ଚରିତ୍ରରେ ନଜର ଆସିଛନ୍ତି। ଥେରୀ ଏବଂ ମର୍ଶାଲ୍‌ ପରେ ଏହା ଅଟ୍‌ଲୀଙ୍କ ସହିତ ବିଜୟଙ୍କ ତୃତୀୟ ଫିଲ୍ମ। ଏହି ଫିଲ୍ମର ପୋଷ୍ଟରକୁ ବିଜୟଙ୍କର ଜନ୍ମଦିନ ଭେଟି ବୋଲି କହିଛନ୍ତି ଅଟ୍‌ଲୀ।

Categories
ଆଜିର ଖବର

ଏୟାର ଆମ୍ବୁଲାନ୍ସରେ ମେହୁଲ୍‌ ଚୋକ୍ସିଙ୍କୁ ଭାରତ ଆଣିବା ପ୍ରୟାସରେ ଇଡି

ଭାରତରୁ ପଳାୟନ କରିଥିବା ବ୍ୟବସାୟୀ ମେହୁଲ୍‌ ଚୋକ୍‌ସୀଙ୍କୁ ଭାରତ ଫେରାଇବାର ପ୍ରୟାସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରୁ ୧୩ ହଜାର କୋଟିର ଋଣ ନେଇ ପଳାୟନ କରିଥିବା ଚୋକ୍‌ସି ବର୍ତ୍ତମାନ ଆଣ୍ଟିଗୁଆରେ ଅବସ୍ଥାନ କରୁଛନ୍ତି। ମେହୁଲ୍‌ଙ୍କ ପ୍ରତ୍ୟାବର୍ତ୍ତନ ନେଇ ଇଡି ପକ୍ଷରୁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ଆଣ୍ଟିଗୁଆ ସରକାରଙ୍କୁ ହସ୍ତାନ୍ତର କରାଯାଇଛି। ସ୍ବାସ୍ଥ୍ୟାବସ୍ଥା ସଠିକ୍‌ ନଥିବାର କାରଣ ଦର୍ଶାଇ ଚୋକ୍‌ସି ଆଣ୍ଟିଗୁଆରେ ଅବସ୍ଥାନ କରିଥିବାରୁ ଚୋକ୍‌ସିଙ୍କୁ ଫେରାଇ ଆଣିବା ପାଇଁ ଏୟାର ଆମ୍ବୁଲାନ୍ସର ବ୍ୟବସ୍ଥା କରୁଥିବା ଜଣାପଡିଛି। ଭାରତରେ ଚୋକ୍‌ସିଙ୍କ ସ୍ବାସ୍ଥ୍ୟାବସ୍ଥାର ସଠିକ୍‌ ପରୀକ୍ଷଣ ତଥା ଚିକିତ୍ସା କରାଯାଇପାରିବ ବୋଲି ଇଡି ପକ୍ଷରୁ କୁହାଯାଇଛି।

Categories
ଆଜିର ଖବର

ସୋନାଙ୍କ ‘ଖାନଦାନୀ ସଫାଖାନ୍‌’ର ଟ୍ରେଲର ରିଲିଜ୍‌

ସୋନାକ୍ଷୀ ସିହ୍ନାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଖାନ୍‌ଦାନୀ ସଫାଖାନ୍‌’ର ଟ୍ରେଲ୍‌ର ଆଜି ରିଲିଜ ହୋଇଛି। ଏହି ଫିଲ୍ମର ସୋନାକ୍ଷୀଙ୍କ ବ୍ୟତୀତ ବରୁଣ ଶର୍ମା, ଅନୁ କପୁର୍‌, ବାଦଶାହା ପ୍ରମୁଖ ଅଭିନୟ କରିଛନ୍ତି। ଲୋକପ୍ରିୟ ରାପର୍‌ ବାଦଶାହା ଏହି ଫିଲ୍ମ ଜରିଆରେ ବଲିଉଡ୍‌ ଡେବ୍ୟୁ କରୁଛନ୍ତି। ଗୌତମ ମେହେରଙ୍କ ରଚିତ ଏହି କାହାଣୀର ନିର୍ଦ୍ଦେଶନା ଭାର ଗ୍ରହଣ କରିଛନ୍ତି ଶିଳ୍ପୀ ଦାସଗୁପ୍ତା। ଫିଲ୍ମଟି ଜୁଲାଇ ୨୬ ତାରିଖରେ ପରଦାକୁ ଆସିବ। ଏହି ଫିଲ୍ମରେ ସୋନାକ୍ଷୀଙ୍କୁ ସେକ୍ସ କ୍ଲିନିକ୍‌ ଚଲାଉଥିବାର ନଜର ଆସିବେ। ୨ମିନିଟ୍‌ ୪୨ ସେକେଣ୍ଡର ଏହି ଟ୍ରେଲର୍‌ରେ ଅନେକଗୁଡ଼ିଏ ଫନି ସିନ୍‌ ଦେଖିବାକୁ ମିଳିଛି। ତେବେ ଫିଲ୍ମଟି ଦର୍ଶକଙ୍କୁ ‘ଭିକି ଡୋନର୍‌’ର କିଛିଟା ସିନ୍‌ ମନେପକାଇଦେବ। କମେଡ଼ିଭିତ୍ତିକ ଏହି ଫିଲ୍ମଟିକୁ ଦର୍ଶକେ ଗ୍ରହଣ କରିବେ ବୋଲି ଆଶା କରାଯାଇଛି।