Categories
ଆଜିର ଖବର

ସାଇନା ନେହ୍ବାଲ ବାୟୋପିକ୍‌ରେ କୋଚ୍‌ ଭୂମିକାରେ ମାନବ କୌଲ୍‌

ସାଇନା ନେହ୍ବାଲଙ୍କ ବାୟୋପିକ୍‌ରେ ସାଇନାଙ୍କ କୋଚ୍‌ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ତୁହ୍ମାରୀ ସୁଲୁ ଫେମ୍‌ ମାନବ କୌଲ୍‌। ସାଇନା ନେହ୍ବାଲଙ୍କ ପିଲା ଦିନର କୋଚ୍‌ ଇଶାନ୍‌ ନକ୍‌ଭୀ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି କୌଲ୍‌। ସାଇନାଙ୍କ ଅଦ୍ଭୂତପୂର୍ବ କ୍ୟାରିୟରରେ ନକ୍‌ଭୀଙ୍କ ଅବଦାନକୁ ଫିଲ୍ମରେ ଦେଖିବାକୁ ମିଳିବ। ସାଇନାଙ୍କ କୋଚ୍‌ ହିସାବରେ ବିମଳ କୁମାର ଏବଂ ପୁଲେଲେ ଗୋପୀଚାନ୍ଦଙ୍କୁ ସମସ୍ତେ ଜାଣିଥିଲେ ମଧ୍ୟ ନକ୍‌ଭୀଙ୍କ ସମ୍ପର୍କରେ କୌଣସି ତଥ୍ୟ ନାହିଁ। ନକ୍‌ଭୀଙ୍କୁ ଫିଲ୍ମର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ଭାବରେ ଦେଖାଇବାକୁ ଚାହୁଁଛନ୍ତି ନିର୍ଦ୍ଦେଶକ ଆମୋଲ ଗୁପ୍ତେ। ପରିଣୀତି ଚୋପ୍ରା ସାଇନାଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ପୂର୍ବରୁ ଶ୍ରଦ୍ଧା କପୁରଙ୍କୁ ନେଇ ଚର୍ଚ୍ଚା ରହିଥିଲେ ମଧ୍ୟ ଶେଷରେ ବାଜି ମାରି ନେଇଛନ୍ତି ପରୀ।

Categories
ବିଶେଷ ଖବର

କିଏ ଏହି ଅଶ୍ବିନୀ ବୈଷ୍ଣବ ଯିଏ ବିଜେଡି ଓ ବିଜେପିକୁ ଗୋଟିଏ ଘାଟର ପାଣି ପିଆଇବାରେ ସମର୍ଥ?

କେଦାର ମିଶ୍ର 
ଅଶ୍ବିନୀ କୁମାର ବୈଷ୍ଣବ, ଏ ନାଁଟି ସହିତ ଓଡିଶା ରାଜନୀତିର କିଛି ବିଶେଷ ସମ୍ପର୍କ ରହିଛି କି? ହଠାତ ୨୧, ଜୁନ ସନ୍ଧ୍ୟା ୬.୧୫ ସମୟରେ ଭାରତୀୟ ଜନତା ପାର୍ଟିର ବୈଧାନିକ ଟୁଇଟରରେ ଘୋଷଣା କରାଗଲା ଯେ ଅଶ୍ବିନୀ କୁମାର ବୈଷ୍ଣବଙ୍କୁ ଦଳ ଓଡିଶାର ରାଜ୍ୟସଭା ଉପ ନିର୍ବାଚନରେ ପ୍ରାର୍ଥୀ ଭାବରେ ମନୋନୀତ କରୁଛି। ତାର ଠିକ ୧୫ ମିନିଟ ପରେ ଓଡିଶା ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବିଜେଡ଼ିର ତିନିଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲେ, ଯେଉଁଥିରେ ଶ୍ରୀ ବୈଷ୍ଣବଙ୍କ ନାମ ବିଜେଡି ପ୍ରାର୍ଥୀ ବୋଲି କୁହାଗଲା। ତାର ଅଳ୍ପ ସମୟ ପରେ ମୁଖ୍ୟମନ୍ତ୍ରୀ ପୁଣି ସ୍ପଷ୍ଟୀକରଣ ଦେଲେ ଯେ ଶ୍ରୀ ବୈଷ୍ଣବ ବିଜେପିର ପ୍ରାର୍ଥୀ ଓ ତାଙ୍କୁ ବିଜେଡି ସମର୍ଥନ କରିବ। ଏହି ଘୋଷଣା ଓଡିଶା ରାଜନୀତିରେ ଅନେକ ସମୀକରଣକୁ ହଠାତ ଓଲଟ ପାଲଟ କରିଦେଲା। ବିଜେଡି ଓ ବିଜେପି ପରଷ୍ପରର ଶତ୍ରୁ ତାଲିକାରୁ ଉତ୍ତୁରି ପରମ ମିତ୍ର ପାଲଟିଗଲେ। ମୁଖ୍ୟମନ୍ତ୍ରୀ ନିଜ ଘୋଷଣାରେ କହିଥିଲେ ଯେ, ଅଶ୍ବିନୀ କୁମାର ବୈଷ୍ଣବ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ଓଡିଶା ଲାଗି ଭଲ କାମ କରିଛନ୍ତି।
ତେବେ ଅଶ୍ଵିନୀଙ୍କ ପରିଚୟ କଣ କେବଳ ସେତିକି? ତାଙ୍କୁ ସମର୍ଥନ କରିବାକୁ ଦୁଇ ଶତ୍ରୁ ପକ୍ଷ ହଠାତ ହାତ ମିଳାଇବାର କାରଣ କଣ? ସଂଖ୍ୟା ଗଣିତରେ ଓଡିଶାରୁ ବିଜେପିକୁ ଗୋଟିଏ ମଧ୍ୟ ଆସନ ମିଳିବାର ସମ୍ଭାବନା ନଥିବା ବେଳେ ବିଜେଡି ଯାଚି ହୋଇ ବିଜେପିକୁ ଗୋଟେ ଆସନ ଛାଡିଦେଲା କାହିଁକି? ଯଦି ବିଜେଡି ବିଜେପି ଭିତରେ ମେଣ୍ଟ ହେବାର ଥିଲା ତାହେଲେ ବିଜେପି ନିଜର ଜଣେ ରାଜନୈତିକ ନେତାଙ୍କୁ ନବାଛି, ଅଶ୍ବିନୀ ବୈଷ୍ଣବଙ୍କୁ ବାଛିଲା କାହିଁକି? ମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହ ମନ୍ତ୍ରୀ ଅମିତ ଶାହ ଏ ପ୍ରସଙ୍ଗରେ ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ। ବିଜେପିରେ ଯୋଗ ଦେବା ପୂର୍ବରୁ ଅଶ୍ବିନୀ ବୈଷ୍ଣବ ବିଜେପିର ରାଜ୍ୟସଭା ଟିକଟ ପାଇଲେ କେମିତି? କିଏ ଏହି ଅଶ୍ବିନୀ ବୈଷ୍ଣବ? କଣ ତାଙ୍କର ପ୍ରଭାବ ଓ ପ୍ରତିଷ୍ଠା? ପ୍ରଧାନମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଏକାଠି କରିପାରିବାର କ୍ଷମତା ତାଙ୍କ ପାଖରେ ଆସିଲା କେମିତି?
ସାଧାରଣ ଭାବରେ ଦେଖିଲେ ଅଶ୍ବିନୀ କୁମାର ବୈଷ୍ଣବ ଜଣେ ପୂର୍ବତନ ଆଇଏଏସ ଅଧିକାରୀ ଯିଏ କି କିଛି ଦିନ କଟକ ଜିଲ୍ଲାପାଳ ଭାବରେ କାମ କରିଥିଲେ। ଏହା ସହିତ କେନ୍ଦ୍ରୀୟ ଡେପୁଟେସନ ରେ ଥିବା ସମୟରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅତଳ ବିହାରୀ ବାଜପାୟୀଙ୍କ ସହକାରୀ ସଚିବ ମଧ୍ୟ ଥିଲେ। ତେବେ ତାଙ୍କ ପରିଚୟ କଣ କେବଳ ଏତିକି? ତାଙ୍କ ବିଷୟରେ ଖୋଳତାଡ କଲାବେଳେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଆସୁଛି, ଯାହା ଓଡିଶାବାସୀ ଜାଣିବା ନିତାନ୍ତ ଜରୁରୀ। ବିଶିଷ୍ଟ ଖଣି ବ୍ୟବସାୟୀ ବି। ପ୍ରଭାକରନଙ୍କ ସହିତ ବୈଷ୍ଣବଙ୍କ ସମ୍ପର୍କ ରହିଛି ନା ନାହିଁ? ଏହାର ଉତ୍ତର ଭାରତ ସରକାରଙ୍କ କର୍ପୋରେଟ ମନ୍ତ୍ରଣାଳୟର ୱେବ ସାଇଟରୁ ଅତି ସହଜରେ ମିଳିଯିବ। ମନ୍ତଣାଳୟର ନିର୍ଦ୍ଦେଶକ ପରିଚିତି ନମ୍ବର ଅନୁଯାୟୀ ଅଶ୍ବିନୀ କୁମାର ବୈଷ୍ଣବଙ୍କ DIN ହେଉଛି ୦୭୩୧୦୦୯୫ ଓ ଏହି ତଥ୍ୟ ଅନୁଯାୟୀ ସେ ତିନୋଟି କମ୍ପାନୀର ନିର୍ଦ୍ଦେଶକ ରହିଛନ୍ତି। ପ୍ରଥମ କମ୍ପାନୀ ତ୍ରିବେଣୀ ପେଲେଟ୍ସ ପ୍ରାଇଭେଟ ଲିମିଟେଡ ର ପଞ୍ଜୀକୃତ ଅଫିସ ପ୍ରଭାକରନଙ୍କ ଯୋଡା ସ୍ଥିତ ତ୍ରିବେଣୀ ଆର୍ଥ ମୋଭର୍ସ ରହିଛି। ୨୦୦ କୋଟିର ପୁଞ୍ଜି ଥିବା ଏହି କମ୍ପାନୀ ମୂଳତଃ ଖଣି ବ୍ୟବସାୟ ସହ ସମ୍ପୃକ୍ତ। ଏହି କମ୍ପାନୀର ସେୟାର ରହିଥିବା ଅନ୍ୟ ଏକ କମ୍ପାନୀ ବ୍ରାହ୍ମଣୀ ରିଭର ପେଲେଟ୍ସ ଲିମିଟେଡ ରେ ମଧ୍ୟ ଅଶ୍ବିନୀ ନିର୍ଦ୍ଦେଶକ ରହିଛନ୍ତି। ବ୍ରାହ୍ମଣୀ ପେଲେଟ୍ସ ଲିଃ ର ଅଫିସ ଭୁବନେଶ୍ବରର ଇପିକଲ ହାଉସ ରେ ରହିଛି। ଅଶ୍ବିନୀ ନିର୍ଦ୍ଦେଶକ ଥିବା ଆଉ ଏକ କମ୍ପାନୀ ହେଉଛି ଆଡଲର ଇଣ୍ଡଷ୍ଟ୍ରିଆଲ ସର୍ଭିସେସ ପ୍ରା.ଲିଃ. । ଏହି କମ୍ପାନୀ ଦିଲ୍ଲୀରେ ନିଜର ଅଫିସ ଥିବା ଦର୍ଶାଇଛି। ଏହି କମ୍ପାନୀରେ ନିର୍ଦ୍ଦେଶକ ଅଛନ୍ତି ସୁନିତା ବୈଷ୍ଣବ, ଅଶ୍ବିନୀ କୁମାର ବୈଷ୍ଣବ ଓ ତାନ୍ୟା ବୈଷ୍ଣବ। ଏମାନଙ୍କର ପାରିବାରିକ ସମ୍ପର୍କ କଣ ସେ କଥା ଅନୁସନ୍ଧାନ ସାପେକ୍ଷ। ଶେଷ କମ୍ପାନୀରେ ନିର୍ଦ୍ଦେଶକ ଥିବା ସୁନିତା ବୈଷ୍ଣବ ଅନ୍ୟ ତିନୋଟି କମ୍ପାନୀରେ ନିର୍ଦ୍ଦେଶକ ରହିଛନ୍ତି।
ଏହି ତଥ୍ୟ ଆଧାରରେ ତ୍ରିବେଣୀ ଆର୍ଥ ମୁଭର୍ସ ସହିତ ଅଶ୍ବିନୀ ବୈଷ୍ଣବଙ୍କ ବ୍ୟାବସାୟିକ ସମ୍ପର୍କ ଅତ୍ୟନ୍ତ ସ୍ପଷ୍ଟ। ନିର୍ବାଚନ ସମୟରେ ବିଜେପି ବିଜେଡିକୁ ତ୍ରିବେଣୀ ଆର୍ଥ ମୁଭର୍ସ ର ସହଯୋଗୀ ବୋଲି କହି କଟୁ ସମାଲୋଚନା କରୁଥିଲା। ତେବେ ଆଜି ହଠାତ ସେଇ କମ୍ପାନୀର ଅନ୍ୟତମ ଘନିଷ୍ଠ ସହଯୋଗୀଙ୍କୁ ଟିକଟ ଦେବା ଓ ତାଙ୍କୁ ଜିତାଇବାକୁ ଖୋଦ ପ୍ରଧାନମନ୍ତ୍ରୀ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଭାବିତ କରିବା ପଛରେ କି କାରଣ ରହିଛି? ରାଜନୀତିରେ ଖଣି ବେପାରୀ ଓ ଆଇଏଏସ ଅଫିସରଙ୍କ ମଧୁଚନ୍ଦ୍ରିକା ବିଷୟରେ ବହୁ ଗୋପନ କାହାଣୀ ରହିଛି। ଏ କାହାଣୀ ସେ ଭିତରୁ ଅନ୍ୟତମ ନୁହଁ ତ! ଖଣି ମାଫିଆ ବୋଲି ଗୋଟେ ସମୟରେ ବିଜେପି ଯାହାଙ୍କୁ ଗାଳି କରୁଥିଲା ଆଜି ତାଙ୍କୁ ନେଇ ଦୋଳି ଖେଳିବାର କାରଣ, ରାଜ୍ୟ ବିଜେପି ନେତାଏ ସ୍ପଷ୍ଟ କରିବେ କି?
Categories
ଆଜିର ଖବର

କ୍ରିକେଟ୍‌ ବିଶ୍ବକପ୍‌ ୨୦୧୯ : ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଚଳିତ କ୍ରିକେଟ ବିଶ୍ବକପ୍‌ର ୨୮ ତମ ମ୍ୟାଚ୍‌ ଅନୁଷ୍ଠିତ ହେଉଛି। ସାଉଥାମ୍ପଟନ୍‌ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଛନ୍ତି। ଭାରତ ପକ୍ଷରୁ ଏହି ମ୍ୟାଚ୍‌ରେ ଚଳିତ ବିଶ୍ବକପ୍‌ରେ ନିଜର ପ୍ରଥମ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି ମହମ୍ମଦ ସାମି। ଭାରତ ପକ୍ଷରୁ ପୂର୍ବ ମ୍ୟାଚ୍‌ର ସମସ୍ତ ଖେଳାଳି ଟିମ୍‌ରେ ରହିଛନ୍ତି।

Categories
ଆଜିର ଖବର

ହଓ୍ବାଇରେ ବିମାନ ଦୁର୍ଘଟଣା : ୯ ମୃତ

ହଓ୍ବାଇରେ ଏକ ବିମାନ ଦୁର୍ଘଟଣା ଘଟିଛି। କିଙ୍ଗ ଏୟାର ପ୍ଲେନ୍‌ ନାମକ ବିମାନ ଚଳାଚଳ କମ୍ପାନୀର ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହେବା ସହିତ ବିମାନରେ ଉପସ୍ଥିତ ସମସ୍ତ ଯାତ୍ରୀ ଏବଂ ବିମାନ କର୍ମଚାରୀ ପ୍ରାଣ ହରାଇଛନ୍ତି। ହଓ୍ବାଇର ଉତ୍ତର ଭାଗରୁ ଯାତ୍ରା କରୁଥିବା ଏହି ବିମାନର ସମସ୍ତ ୯ ଜଣ ପ୍ରାଣ ହରାଇଥିବା ନେଇ ବିମାନ ଚଳାଚଳ ବିଭାଗ ମୁଖପାତ୍ର ଟିମ୍‌ ସାକାହାରା ସୂଚନା ଦେଇଛନ୍ତି। ଉଡାଣ ଭରିବା ସମୟରେ ଦିଲିଂଘାମ ବିମାନ ବନ୍ଦରରେ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ବିମାନରେ ୬ ଜଣ ଯାତ୍ରୀ ଏବଂ ତିନି ଜଣ କର୍ମଚାରୀ ରହିଥିଲେ।

Categories
ଆଜିର ଖବର

ସ୍କୁଲ ପିଲାଙ୍କୁ ମିଳିବ ବାଟଖର୍ଚ୍ଚ, ସିଧାସଳଖ ଅଭିଭାବକଙ୍କ ଆକାଉଣ୍ଟକୁ ଯିବ ଟଙ୍କା – ସମୀର ଦାଶ

 

ଛାତ୍ରଛାତ୍ରୀ ସଂଖ୍ୟା କମ୍‌ ଥିବା ସ୍କୁଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ। ୧୦ରୁ କମ୍‌ ପିଲା ଥିବା ସ୍କୁଲ ବନ୍ଦ ହେବ। ରାଜ୍ୟରେ ଏଭଳି ୯୬୬ଟି ସ୍କୁଲ ଚିହ୍ନଟ କରାଯାଇଛି। ବନ୍ଦ ହେଉଥିବା ସ୍କୁଲର ପିଲାମାନେ ନିକଟ ସ୍କୁଲରେ ପାଠ ପଢିବେ। ସେହିପରି ସ୍କୁଲ ଯିବାକୁ ଯାତାୟତ ଖର୍ଚ୍ଚ ମିଳିବ। ୧ କିମିରୁ ସ୍କୁଲ ଅଧିକ ଦୂର ହେଲେ ଯାତାୟାତ ଖର୍ଚ୍ଚ ବହନ କରିବେ ସରକାର। ୭୫%ରୁ ଅଧିକ ଉପସ୍ଥାନ ଥିଲେ ମାସକୁ ୬ଶହ, ବାର୍ଷିକ ୬ ହଜାର ମିଳିବ। ୫୦ରୁ ୭୫% ଉପସ୍ଥାନ ପାଇଁ ମାସକୁ ୪ ଶହ, ବାର୍ଷିକ ୪ ହଜାରଟଙ୍କା। ସେହିପରି ୩୦ରୁ ୫୦% ଉପସ୍ଥାନ ପାଇଁ ମାସିକ ୩ ଶହ ଓ ବାର୍ଷିକ ୩ ହଜାର ଟଙ୍କା ମିଳିବ। ୩୦ପ୍ରତିଶତର କମ୍‌ ଉପସ୍ଥାନ ଥିଲେ ଆଦୌ ଯାତାୟତ ଖର୍ଚ୍ଚ ମିଳିବ ନାହିଁ। ଯାତାୟତ ଖର୍ଚ୍ଚ ଅଭିଭାବକଙ୍କ ଆକାଉଣ୍ଟକୁ ଯିବ ବୋଲି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର୍‌ ଦାଶ।

 

Categories
ଆଜିର ଖବର

ଧୀମା ଅର୍ଥନୀତିକୁ ନେଇ ଅର୍ଥନୀତିଜ୍ଞଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ଦେଶର ଅର୍ଥନୀତି ଧୀମା ହେଉଥିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥନୀତିଜ୍ଞଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। କିଛି ଦିନ ତଳେ ବିଶ୍ବବ୍ୟାଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଭାରତକୁ ବିକାଶଶୀଳ ରାଷ୍ଟ୍ର ତାଲିକାରୁ ବାଦ ଦିଆଯାଇଥିଲା। ଏହି ବୈଠକରେ କିଭଳି ଦେଶର ଅର୍ଥନୈତିକ ଅଭିବୃଦ୍ଧିକୁ ଗତିଶୀଳ କରାଯାଇ ପାରିବ ତା ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି। ଜୁଲାଇ ୫ରେ ବଜେଟ ଉପସ୍ଥାପନ ପୂର୍ବରୁ ଏହି ଅର୍ଥନୀତିଜ୍ଞ ମାନଙ୍କ ସହିତ ଆଲୋଚନା କରିବେ ନିର୍ମଳା ସୀତାରମଣ। ନିତି ଆୟୋଗ ପକ୍ଷରୁ ବିଭିନ୍ନ ଅର୍ଥନୀତିଜ୍ଞ ମାନଙ୍କୁ ଅଲଗା ଅଲଗା ବିଭାଗ ପାଇଁ ଚୟନ କରାଯାଇଛି ଏବଂ ସମାନ ବିଷୟରେ ଉପସ୍ଥାପନା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ଗତ ମାସ ୩୧ ତାରିଖରେ ମୋଦି ସରକାର ଶପଥ ଗ୍ରହଣ କରିବା ପରେ ଘରୋଇ ଅଭିବୃଦ୍ଧି ହାର ୫.୮କୁ ହ୍ରାସ ପାଇଥିଲା। ଯାହାକି ବିଗତ ୫ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତରକୁ ଆସିଥିଲା। ସେହିପରି ବିକାଶଶୀଳ ରାଷ୍ଟ୍ରଙ୍କ ମଧ୍ୟରେ ଭାରତୀୟ ଅର୍ଥନୀତି ବିଗତ ଦୁଇ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚୀନ୍‌ ପଛରେ ପଡି ଯାଇଥିଲ । ଏହି ସମୟରେ ଚୀନ୍‌ର ଅଭିବୃଦ୍ଧି ହାର ୬.୪ ପ୍ରତିଶତ ରହିଥିଲା।

Categories
ଆଜିର ଖବର

ବୈଷ୍ଣବଙ୍କୁ ନେଇ କଂଗ୍ରେସର ଆକ୍ରମଣ : ଉଭୟ ଦଳଙ୍କ ମଧ୍ୟରେ ଅଘୋଷିତ ମେଣ୍ଟ ଚାଲିଛି

ପୂର୍ବତନ ଆଇଏଏସ ଅଫିସର୍‌ ଅଶ୍ବିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ବକୁ ନେଇ ଏବେ ଓଡ଼ିଶା ରାଜନୀତି ବେଶ୍‌ ସରଗରମ। ବିଜେପି ତରଫରୁ ରାଜ୍ୟସଭା ପ୍ରାର୍ଥୀ ହୋଇଥିବା ବୈଷ୍ଣବଙ୍କୁ ବିଜେଡ଼ି ସମର୍ଥନ କରୁଥିବାବେଳେ ଏବେ ଏହାକୁ ନେଇ କଂଗ୍ରେସ ଆକ୍ରମଣ କରିଛି। ଉଭୟ ବିଜେପି ଓ ବିଜେଡ଼ିକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ସତ୍ୟ ନାୟକ। ଅଶ୍ବିନୀଙ୍କୁ ବିଜେଡ଼ିର ସମର୍ଥନ ଦ୍ବାରା ଓଡ଼ିଶାର କ’ଣ ସ୍ବାର୍ଥ ହାସଲ ହେଲା ବୋଲି ପ୍ରଶ୍ନ କରିଛନ୍ତି ସତ୍ୟ  ନାୟକ। ବିରୋଧୀ ଦଳ ଭାବେ ବିଜେପିର ନୈତିକତା ହରାଇଛି ବୋଲି କହିଛନ୍ତି ସତ୍ୟ ନାୟକ। ସେହିପରି ଅଶ୍ବିନୀଙ୍କ ଓଡ଼ିଶା ପ୍ରତି କ’ଣ ଅବଦାନ ଅଛି, ତା’ର ଉତ୍ତର ନବୀନ ଦେବେ କି ବୋଲି ପ୍ରଶ୍ନ କରିଛି କଂଗ୍ରେସ। ଉଭୟ ଦଳକୁ କଟାକ୍ଷ କରି ପୋଡ଼ା ଟ୍ରାନ୍ସଫର୍ମର ଓ ଡବଲ୍‌ ଇଞ୍ଜିନ୍‌ ଏକାଠି ହେବାର କାରଣ କ’ଣ ବୋଲି ପ୍ରଶ୍ନ କରିଛି କଂଗ୍ରେସ। ତେବେ ଚିଟ୍‌ଫଣ୍ଡରେ ଟଣାହେବା ଆଶଙ୍କାରେ ବିଜେପି କଥାକୁ ବିଜେଡ଼ି ମାନିନେଇଛୁ ଓ ଉଭୟ ଦଳଙ୍କ ମଧ୍ୟରେ ଅଘୋଷିତ ମେଣ୍ଟ ଚାଲିଛି ବୋଲି କହିଛନ୍ତି କଂଗ୍ରେସ ନେତା ସତ୍ୟ ନାୟକ।

Categories
ଆଜିର ଖବର

ବିଜେପିରେ ଯୋଗଦେଲେ ଅଶ୍ବିନୀ ବୈଷ୍ଣବ

ପୂର୍ବତନ ଆଇଏଏସ୍‌ ଅଫିସର ଅଶ୍ବିନୀ ବୈଷ୍ଣବ ବିଜେପିରେ ଯୋଗ ଦେଇଛନ୍ତି। ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଆସି ସଦସ୍ୟତା ଗ୍ରହଣ କରିଛନ୍ତି ବୈଷ୍ଣବ। ବିଜେପିର ରାଜ୍ୟ ସଭାପତି ଓ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି। ଓଡ଼ିଶାରୁ ଅଶ୍ବିନୀଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିଛି ବିଜେପି।  ବିଜେପିରେ ଯୋଗଦେବା ପରେ ଅଶ୍ବିନୀଙ୍କ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି।  ବିଜେପି ତାଙ୍କୁ ଓଡ଼ିଶାବାସୀଙ୍କ ସେବା ପାଇଁ ସୁଯୋଗ ଦେଇଥିବାରୁ ସେ ଧନ୍ୟବାଦ ଜଣାଇବା ସହିତ ଓଡ଼ିଶାର ପ୍ରଗତି ଓ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ଅଶ୍ବିନୀଙ୍କ ପ୍ରାର୍ଥୀତ୍ବକୁ ମଧ୍ୟ ବିଜେଡ଼ି ସମର୍ଥନ କରିଛି।

Categories
ଆଜିର ଖବର

ଗୁଗୁଲ୍‌ର ଡୁଡୁଲ୍‌ରେ ବଲିଉଡ୍‌ର ପ୍ରଖ୍ୟାତ ଖଳନାୟକ ଅମରିଶ୍‌ ପୁରି

ବଲିଉଡ୍‌ର ଦିବଙ୍ଗତ ଖଳନାୟକ ଅମରିଶ୍‌ ପୁରୀଙ୍କ ଆଜି ୮୭ତମ ଜୟଜନ୍ତୀ। ଗୁଗୁଲ୍‌ ଆଜି ଏହି ଅଭିନେତାଙ୍କ ସ୍ମୃତିଚାରଣ ପୂର୍ବକ ଏକ ସ୍ପେଶାଲ୍‌ ଡୁଡୁଲ୍‌ ପ୍ରସ୍ତୁତ କରିଛି। ଅମରିଶ୍‌ ପୁରୀଙ୍କ ଜନ୍ମ ୧୯୩୨ ମସିହା ଜୁନ୍‌  ୨୨ ତାରିଖରେ ହୋଇଥିଲା। ଖଳନାୟକ ସହ ଅନେକ ଚରିତ୍ର ନିଭାଇଥିଲେ ମଧ୍ୟ ବଲିଉଡ୍‌ରେ ସେ ଖଳନାୟକ ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ। ମିଷ୍ଟର ଇଣ୍ଡିଆର ‘ମୋଗାମ୍ବା’ ଚରିତ୍ର ଜରିଆରେ ସେ ରାତାରାତି ଷ୍ଟାର୍‌ ପାଲଟି ଯାଇଥିଲେ। ସେହିପରି ବ୍ଲକବ୍ଲଷ୍ଟର ’ଦିଲ୍‌ଓ୍ବାଲେ ଦୁଲ୍‌ହନିଆ ଲେ ଜାୟେଙ୍ଗ’ରେ ତାଙ୍କର ଲୋକପ୍ରିୟ ସଂଳାପ’ଯା ସିମରନ୍‌ ଯା….’ ସଂଳାପଟି ଆଜି ବି ସେତିକି ଲୋକପ୍ରିୟ। ଫିଲ୍ମ ଦୁନିଆରେ ପାଦ ଥାପିବା ପୂର୍ବରୁ ଅମରିଶ୍‌ ଥିଏଟ୍‌ର ଦୁନିଆରେ ନିଜ ଅଭିନୟର କ୍ୟାରିଅର୍‌ ଆରମ୍ଭ କରିଥିଲେ। ୧୯୭୯ ମସିହାରେ ସଂଗୀତ ନାଟକ ଏକାଡେମୀ ତରଫରୁ ସମ୍ମାନିତ ହୋଇଥିଲେ ଅମରିଶ୍‌। ‘ହମ୍‌ ପାଞ୍ଚ୍‌’ ଫିଲ୍ମ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲା ଅମରିଶ୍‌। କିନ୍ତୁ ୧୯୮୨ରେ ସୁଭାଷ ଘାଇଙ୍କ ଫିଲ୍ମ ’ବିଧାତା’ର ଖଳନାୟକ ରୂପେ ଅବତୀର୍ଣ୍ଣ ହୋଇ ବେଶ୍‌ ଲୋକପ୍ରିୟତା ହାସଲ କରିଥିଲେ ଅମରିଶ୍‌। ପାଖାପାଖି ୪୦୦ ଫିଲ୍ମରେ ଅଭିନୟ କରିଛନ୍ତି ଅମରିଶ୍‌। ‘ଗାନ୍ଧି’ (୧୯୮୨)ରେ ମଧ୍ୟ ଅଭିନୟ କରିଛନ୍ତି ଅମରିଶ୍‌। ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ ମଧ୍ୟରେ ରହିଛି ‘ମିଷ୍ଟର ଇଣ୍ଡିଆ’, ‘ଲୋହା’, ’ନଗିନା’, ‘କରନ୍‌ ଅର୍ଜୁନ୍’, ‘କୋଏଲା’, ‘ପରଦେଶ୍‌’, ‘ନାୟକ’, ‘ଘାୟଲ୍‌’, ‘ଦାମିନୀ’, ‘ଗଦ୍ଦର’, ‘ବିରାସତ୍‌’, ’ଘାତକ୍‌’ ପ୍ରମୁଖ ଫିଲ୍ମରେ ଅଭିନୟ କରିଥିଲେ। କେବଳ ହିନ୍ଦୀ ନୁହେଁ ତେଲୁଗୁ, ମାଲାୟଲମ୍‌, ତାମିଲ୍‌, କନ୍ନଡ, ଇଂରାଜୀ ଆଦି ଫିଲ୍ମରେ କାମ ମଧ୍ୟ କରିଛନ୍ତି।

Categories
ଆଜିର ଖବର

ଇଷ୍ଟର ଆକ୍ରମଣ ମାମଲା : ଶ୍ରୀଲଙ୍କାରେ ଜରୁରୀକାଳୀନ ପରସ୍ଥିତିର ଅବଧି ବଢିଲା

ଇଷ୍ଟର ଆକ୍ରମଣ ପରେ ଶ୍ରୀଲଙ୍କାରେ ଲାଗି ରହିଥିବା ଜରୁରୀ କାଳୀନ ପରସ୍ଥିତିର ଅବଧି ବଢାଯାଇଛି। ଶନିବାର ରାଷ୍ଟ୍ରପତି ମୈତ୍ରିପାଲା ଶିରିସେନା ଏ ସମ୍ପର୍କରେ ଘୋଷଣା କରିଛନ୍ତି। ଶନିବାର ଏହି ଜରୁରୀ କାଳୀନ ପରସ୍ଥିତିର ଅବଧି ଶେଷ ହେବାକୁ ଥିବା ବେଳେ ଏହାକୁ ପୁନର୍ବାର ବଢାଇଛନ୍ତି ରାଷ୍ଟ୍ରପତି। ଜରୁରୀ କାଳୀନ ପରସ୍ଥିତି ସମୟରେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେଉଥିଲେ ମଧ୍ୟ ରାଷ୍ଟ୍ରର ସୁରକ୍ଷା ପାଇଁ ଏହା ଆବଶ୍ୟକ ବୋଲି କହିଛନ୍ତି ଶିରିସେନା। ଏହି ସମୟସୀମା ମଧ୍ୟରେ ଶ୍ରୀଲଙ୍କାରେ ୧୦୦ରୁ ଅଧିକଙ୍କୁ ଗିରଫ କରାଯାଇଥିବା ତନ୍ମଧ୍ୟରୁ ୧୦ରୁ ଅଧିକ ମହିଳା ରହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ, ଇଷ୍ଟର ଅବସରରେ ଶ୍ରୀଲଙ୍କାରେ ଘଟିଥିବା ବିସ୍ଫୋରଣରେ ୨୫୮ ଜଣଙ୍କ ପ୍ରାଣହାନି ଘଟିଥିଲା। ଆସନ୍ତା ଦଶ ଦିନ ମଧ୍ୟରେ ସଂସଦୀୟ ଅଧିବେଶନ ଆରମ୍ଭ ପୂର୍ବରୁ ଜରୁରୀ କାଳୀନ ବ୍ୟବସ୍ଥା ଉଠାଯିବ ବୋଲି ସୂଚନା ଦେଇଛନ୍ତି ଶିରିସେନା।

Categories
ଆଜିର ଖବର

୨୨ ଜିଲ୍ଲାକୁ ପ୍ରବଳ ବର୍ଷା ସତର୍କ ସୂଚନା

ଗତକାଲି ଠାରୁ ତୁହାକୁ ତୁହା ବର୍ଷା ସାଙ୍ଗକୁ କୋହଲା ପାଗ ଏବଂ ହାଲକା ପବନ ମୌସୁମୀ ଆଗମନର ସୂଚନା ଦେଇଥିଲା। ଆଜି ମଧ୍ୟ ଅଧିକାଂଶ ଅଂଚଳରେ ପାଗ ମେଘୁଆ ରହିବା ସହ ବର୍ଷା ଆରମ୍ଭ ହୋଇଛି। ମୌସୁମୀ ବାୟୁ ପ୍ରଭାବ ସହ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ଲଘୁଚାପ ଯୋଗୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ। ତେଣୁ ଆଗାମୀ ୨୪ ଘଣ୍ଟା ପାଇଁ ୨୨ଟି ଜିଲ୍ଲାକୁ ପ୍ରବଳ ବର୍ଷାର ସତର୍କ ସୂଚନା ଜାରି କରାଯାଇଛି। ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଜଗତସିହପୁର, ବାଲେଶ୍ବର, ଭଦ୍ରକ, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବଲାଙ୍ଗୀର, ନୂଆପଡ଼ା ଓ ବୈାଦ୍ଧ ଜିଲ୍ଲାରେ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ତେଣୁ ଏହି ଦୁଇଦିନ ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଚଳିତ ଥର ବିଳମ୍ବ ହୋଇ ଜୁନରେ ମୈାସୁମୀ ଓଡ଼ିଶା ଛୁଇଁଥିବା ହେତୁ ଜୁଲାଇ ଓ ଅଗଷ୍ଟରେ ବେଶି ସକ୍ରିୟ ହେବ। ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଆଜିର ଖବର

ବଙ୍ଗୋପସାଗରରେ ଲଘୁଚାପ : ୪୮ ଘଣ୍ଟା ବର୍ଷା ସମ୍ଭାବନା

ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବାର ସମ୍ଭାବନା ରହିଛି। ରାଜ୍ୟରେ ମୌସୁମୀ ବର୍ଷା ହେଉଥିବା ବେଳେ ଏହାକୁ ତ୍ବରାନ୍ବିତ କରିଛି ଲଘୁଚାପ। ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଲଘୁଚାପ ବର୍ଷା ଲାଗି ରହିବ ବୋଲି ଜଣାପଡିଛି। ଉପକୂଳବର୍ତ୍ତୀ ଜିଲାଗୁଡିକରେ ବର୍ଷା ଅଧିକ ରହିବ ବୋଲି ଅନୁମାନ କରାଯାଇଛି। ଏଥିଯୋଗୁ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଏହା ଓଡ଼ିଶାରେ ମୌସୁମୀକୁ ତ୍ୱରାନିତ କରିବାରେ ସହାୟକ ହେବ ବୋଲି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ କହିଛନ୍ତି।

Categories
ଆଜିର ଖବର

୩୩୯ କୋଟିର ବିମାନ କିଣା ଦୁର୍ନୀତି : ଭାରତୀୟ ବାୟୁସେନା ଅଧିକାରୀଙ୍କ ବିରୋଧରେ ସିବିଆଇର ମାମଲା

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ପକ୍ଷରୁ ଭାରତୀୟ ବାୟୁସେନାର କିଛି ଅଧିକାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। କେବଳ ବାୟୁସେନା ଅଧିକାରୀ ନୁହନ୍ତି ବରଂ ପ୍ରତିରକ୍ଷା ମନ୍ତ୍ରାଳୟ ଏବଂ ଅସ୍ତ୍ରଶସ୍ତ୍ର ଡିଲର ସଞ୍ଜୟ ଭଣ୍ଡାରୀଙ୍କ ନାମରେ ମାମଲା ରୁଜୁ କରାଯାଇଛି। ସୂଚନାଯୋଗ୍ୟ ଯେ, ୨୦୦୯ରେ ସ୍ବିଜରଲ୍ୟାଣ୍ଡ ନିକଟରୁ ୭୫ଟି ବିମାନ କିଣାଯାଇଥିଲା। ଏହି ବିମାନ କିଣିବାରେ ୩୩୯ କୋଟି ଟଙ୍କାର ଦୁର୍ନୀତିର ଅଭିଯୋଗ ହୋଇଥିଲା। ଭଣ୍ଡାରୀଙ୍କ ବିପକ୍ଷରେ ମାମଲା ରୁଜୁ କରାଯିବା ସହିତ ଭଣ୍ଡାରୀଙ୍କ ଅଫିସ୍‌ରେ ମଧ୍ୟ ସିବିଆଇ ପକ୍ଷରୁ ରେଡ୍‌ କରାଯାଇଛି। ସ୍ବିଜରଲ୍ୟାଣ୍ଡ ନିକଟରୁ ଏହି ସମୟରେ ପିଲାକ୍ଟସ୍‌ ପିସି-୭ ଏମ୍‌କେ-୨ ଏବଂ ଏଚ୍‌ଟିପି-୩୨ ବିମାନ କିଣାଯାଇଥିଲା।

Categories
ଆଜିର ଖବର

ଆମେରିକା-ଚୀନ୍‌ ବାଣିଜ୍ୟିକ ବିବାଦ : ଏସିଆନ୍‌ ସମ୍ମିଳନୀ ଉପରେ ବିଶ୍ବ ସୁମଦାୟର ନଜର

ଦକ୍ଷିଣ ଏସିଆର ନେତୃବୃନ୍ଦଙ୍କୁ ନେଇ ଆସନ୍ତା ସପ୍ତାହରେ ଥାଇଲାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ସମ୍ମିଳନୀ ଉପରେ ବିଶ୍ବ ସମୁଦାୟର ନଜର ରହିଛି। ଆମେରିକା ଏବଂ ଚୀନ୍‌ ମଧ୍ୟରେ ବଢୁଥିବା ବାଣିଜ୍ୟିକ ଦୂରତା ଯୋଗୁଁ ଏହି ସମ୍ମିଳନୀ ଉପରେ ବିଶ୍ବ ସମୁଦାୟ ଉତ୍ସୁକତାର ସହିତ ଅପେକ୍ଷା କରିଛନ୍ତି। ରବିବାର ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ଦକ୍ଷିଣ ଏସୀୟ ରାଷ୍ଟ୍ର ସମୂହ ନିଜର ବ୍ୟବସାୟିକ ଆଭିମୁଖ୍ୟ ସ୍ପଷ୍ଟ କରିବେ। ୧୯୬୭ରୁ ଅନୁଷ୍ଠିତ ହେଉଥିବା ଏହି ସମ୍ମିଳନୀରେ ୮ ଟି ଦକ୍ଷିଣ ଏସୀୟ ରାଷ୍ଟ୍ର ଭାଗ ନେବେ। ଆମେରିକା-ଚୀନ୍‌ ବିବାଦ ବ୍ୟତୀତ ଆତଙ୍କବାଦକୁ ନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡିଛି।

Categories
ଆଜିର ଖବର

ଆଫଗାନିସ୍ତାନ ବିପକ୍ଷରେ ବିଜୟ ଲକ୍ଷ୍ୟରେ ଭାରତ : ବିଜୟ ଶଙ୍କରଙ୍କୁ ନେଇ ଆଶଙ୍କା

ଇଂଲଣ୍ଡରେ ଅନୁଷ୍ଠିତ କ୍ରିକେଟ ବିଶ୍ବକପ୍‌ର ୨୮ ତମ ମ୍ୟାଚ୍‌ରେ ଭାରତର ମୁକାବିଲା ଆଫଗାନିସ୍ତାନ ସହିତ ହେବାକୁ ଯାଉଛି। ଏହି ମ୍ୟାଚ୍‌ରେ ଭାରତ ବିଜୟୀ ହେବାର ଆଶା ରଖିଛି। ଦଳ ବର୍ତ୍ତମାନ ସୁଦ୍ଧା ୪ଟି ମ୍ୟାଚ୍‌ ଖେଳି ୩ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଛି। ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ପାକିସ୍ତାନ ଦଳକୁ ପରାସ୍ତ କରିଥିବା ବେଳେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ଭାରତ ନିକଟରେ ମୋଟ୍‌ ୭ ପଏଣ୍ଟ ରହିଛି। ଦଳ ଦକ୍ଷିଣ ଆଫ୍ରିକାକୁ ୬ ୱିକେଟ୍‌ରେ ପରାସ୍ତ କରିଥିବା ବେଳେ ଅଷ୍ଟ୍ରେଲିଆକୁ ୩୬ ଓ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଛି। ଭାରତୀୟ ଦଳର ବ୍ୟାଟସମ୍ୟାନ୍‌ ଓ ବୋଲର ବେଶ୍‌ ଭଲ ଫର୍ମରେ ଥିବାରୁ ଦୁର୍ବଳ ଆଫଗାନିସ୍ତାନକୁ ପରାସ୍ତ କରିବାରେ ବିଶେଷ ଅସୁବିଧା ହେବ ନାହିଁ ବୋଲି ଆଶା କରାଯାଉଛି। ରୋହିତ ଶର୍ମା ଚମତ୍କାର ଫର୍ମରେ ଅଛନ୍ତି। ଶିଖର ଧାୱନ୍‌ଙ୍କ ସ୍ଥାନରେ ପାକିସ୍ତାନ ବିପକ୍ଷରେ ବ୍ୟାଟିଂ ଓପନ୍‌ କରିଥିବା କେଏଲ୍‌ ରାହୁଲ ମଧ୍ୟ ଅର୍ଦ୍ଧଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ କୋହଲି, ପାଣ୍ଡ୍ୟା ଓ ଧୋନି ମଧ୍ୟ ଭଲ ପ୍ରଦର୍ଶନ କରିବା ଆଶା ରହିଛି। ଅଭ୍ୟାସ ସମୟରେ ବିଜୟ ଶଙ୍କର ଆହତ ହୋଇଥିବାରୁ ଶଙ୍କରଙ୍କ ସ୍ଥାନରେ ପନ୍ତ କିମ୍ବା କାର୍ତ୍ତିକ ଖେଳିବାର ସମ୍ଭାବନା ରହିଛି।
ମ୍ୟାଚ୍‌ ସମୟ : ଅପରାହ୍ନ ୩:୦୦
ସ୍ଥାନ : ଏଜ୍‌ ବାଉଲ୍‌ସ, ସାଉଥାମ୍ପଟନ୍‌

Categories
ଆଜିର ଖବର

ଆତଙ୍କୀଙ୍କୁ ଅର୍ଥନୈତିକ ସହାୟତା ବନ୍ଦ ନକଲେ କାର୍ଯ୍ୟାନୁଷ୍ଠାନ ପାଇଁ ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ଚେତାବନୀ

ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବା ପାକିସ୍ତାନକୁ ଏକ ଶକ୍ତ ଧକ୍କା ଲାଗିଛି। ଫାଇନାନ୍ସିଆଲ ଆକ୍ସନ୍‌ ଟାସ୍କ ଫୋର୍ସ (ଏଫ୍‌ଟିଏଫ୍‌) ପକ୍ଷରୁ ପାକିସ୍ତାନକୁ ଚେତାବନୀ ଦିଆଯାଇଛି। ଯଦି ଆଗାମୀ ଦିନରେ ପାକିସ୍ତାନ ପକ୍ଷରୁ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ବନ୍ଦ କରାନଯାଏ ତେବେ ପାକିସ୍ତାନକୁ କଳା ତାଲିକାଭୁକ୍ତ କରାଯିବ ବୋଲି ଚେତାବନୀ ଦେଇଛି ଏଫ୍‌ଏଟିଏଫ୍‌। ପୂର୍ବରୁ ଭାରତ ପକ୍ଷରୁ ପାକିସ୍ତାନକୁ କଳା ତାଲିକା ଭୁକ୍ତ କରିବା ନିମନ୍ତେ ଆବେଦନ କରାଯାଇଥିବା ବେଳେ ଚୀନ୍‌ ପାକିସ୍ତାନର ସମର୍ଥନରେ ବାହାରିଥିଲା। ମାତ୍ର ମାସୁଦ୍‌ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷଣା କରିବା ନେଇ ଚୀନ୍‌ ମଧ୍ୟ ପାକିସ୍ତାନର ହାତ ଛାଡି ଦେଇଥିଲା। ଏହି ଘଟଣା ପରେ ଅକ୍ଟୋବର ୨୦୧୯ ସୁଦ୍ଧା ଆତଙ୍କବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନକୁ ଚେତାବନୀ ଦେଇଛି ଏଫ୍‌ଏଟିଏଫ୍‌।

Categories
ବିଶେଷ ଖବର

ଆଇଏଏସ ସ୍ତରରେ ବଡଧରଣର ଅଦଳ ବଦଳ, ବଦଳିଲେ ୩୨ ଅଫିସର, ବିଏମସି କମିଶନର ହେଲେ ପ୍ରେମଚନ୍ଦ୍ର ଚୌଧୁରୀ

ଆଜି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି। ଏକାଥରେ ୩୨ ଜଣ ଅଧିକାରୀଙ୍କୁ ଅଦଳ ବଦଳ କରିଛନ୍ତି। ସେମାନଙ୍କ ମଧ୍ୟରେ ୯ ଜଣ ଜିଲ୍ଲାପାଳଙ୍କୁ ମଧ୍ୟ ବଦଳି କରାଯାଇଛି। ବିଏମସି କମିଶନର ଭାବେ ଯୋଗଦେବେ କେନ୍ଦ୍ରାପଡାର ଜିଲ୍ଲାପାଳ ପ୍ରେମଚନ୍ଦ୍ର ଚୌଧୁରୀ। ସେହିପରି ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ଭାବେ ଯୋଗଦେବେ କୃପାସିନ୍ଧୁ ମିଶ୍ର। ଯେଉଁ ୩୨ ଜଣ ଆଇଏଏସଙ୍କୁ ଅଦଳବଦଳ କରାଯାଇଛି ସେମାନେ ହେଲେ।

୧-ଅର୍ଚ୍ଚନା ପଟ୍ଟନାୟକ-ପରିଚାଳନା ନିର୍ଦ୍ଦେଶକ ଓଡିଶା ଉଠାଜଳସେଚନ ସହିତ ଜଳସଂପଦ ବିଭାଗ ସ୍ବତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ବ

୨-ନିରଂଜନ ସାହୁ- ଉଚ୍ଚଶିକ୍ଷା ନିର୍ଦ୍ଦେଶକ, ଶ୍ରମ କମିଶନର ଭାବେ ଅତିରିକ୍ତ ଦାୟିତ୍ବ

୩-ପ୍ରଶାନ୍ତ କୁମାର ସେନାପତି- ଆଇଜି ରେଜିଷ୍ଟ୍ରେସନ

୪-ଦାଶରଥୀ ଶତପଥୀ-ଓଡିଶା ବିଧାନସଭା ସଚିବ

୫-ନିର୍ମଳ ଚନ୍ଦ୍ର ମିଶ୍ର-ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ, ଏମଡି ଓଟିଡିସି

୬-ଅଂଜନ କୁମାର ମାନିକ- ଅବକାରୀ କମିଶନର

୭-ବିଭୂତି ଭୂଷଣ ପଟ୍ଟନାୟକ-ସମବାୟ ରେଜିଷ୍ଟାର

୮-ତ୍ରିବିକ୍ରମ ପ୍ରଧାନ-ଅତିରିକ୍ତ ସଚିବ ଅବକାରୀ ବିଭାଗ

୯-ଅରବିନ୍ଦ ଅଗ୍ରୱାଲା- ନିର୍ଦ୍ଦେଶକ ସାମାଜିକ କଲ୍ୟାଣ ଓ ମିଶନଶକ୍ତି

୧୦-ଶରତ ଚନ୍ଦ୍ର ନାୟକ- ଅତିରିକ୍ତ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ

୧୧-ଜାମିନୀ ଷଡଙ୍ଗୀ-ପରିଚାଳନା ନିର୍ଦ୍ଦେଶକ ଓଡିଶା ଔଷଧ ନିଗମ

୧୨-ଭୂପେନ୍ଦ୍ର ପୁନିଆ-ପ୍ରକଳ୍ପ ନିର୍ଦ୍ଦେଶକ ଓପେପା, ନିର୍ଦ୍ଦେଶକ ଓଡିଶା ଆଦର୍ଶ ବିଦ୍ୟାଳୟ

୧୩-ଗୁହା ପୁନମ ତାପସ କୁମାର-ଯୁଗ୍ନ ସଚିବ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ

୧୪-ପ୍ରେମ ଚନ୍ଦ୍ର ଚୌଧୁରୀ-କମିଶନର ଭୁବନେଶ୍ବର ମହାନଗର ନିଗମ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ସ୍ମାଟ ସିଟି

୧୫-ସମର୍ଥ ବର୍ମା- କେନ୍ଦ୍ରପଡା ଜିଲ୍ଲାପାଳ

୧୬-ରଘୁ ଜି- ନିର୍ଦ୍ଦେଶକ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ

୧୭-ସୁଦର୍ଶନ ଚକ୍ରବର୍ତ୍ତି- ବାଲେଶ୍ବର ଜିଲ୍ଲାପାଳ

୧୮-ସୁରେନ୍ଦ୍ର କୁମାର ମିନା-ବୋର୍ଡ ଅଫ ରେଭିନ୍ୟୁ ସଚିବ

୧୯-ପୋମା ଟୁଡୁ- କୋରାପୁଟ ଜିଲ୍ଲାପାଳ

୨୦-ମଧୁସ୍ମିତା ସାହୁ- ନୂଆପଡା ଜିଲ୍ଲାପାଳ

୨୧-ଅବଦୁଲ ଅକତର- ପ୍ରକଳ୍ପ ନିର୍ଦ୍ଦେଶକ କଟକ

୨୨-ଅନ୍ୟନ୍ୟା ଦାସ-କଟକ ମହାନଗର କମିଶନର

୨୩-ଲଲାଟେନ୍ଦୁ ମିଶ୍ର- ବୈଦ୍ଧ ଜିଲ୍ଲାପାଳ

୨୪-ସିତାଂଶୁ କୁମାର ରାଉତ-ଖୋର୍ଦ୍ଧା ଜିଲ୍ଲାପାଳ

୨୫-ଭବାନୀ ଶଙ୍କର ଚଇନି- କଟକ ଜିଲ୍ଲାପାଳ

୨୬-ସଂଗ୍ରାମ କେଶରୀ ମହାପାତ୍ର-ଜଗତସିଂହପୁର ଜିଲ୍ଲାପାଳ

୨୭-ଜ୍ୟୋତିରଂଜନ ପ୍ରଧାନ- ଝାରସୁଗୁଡା ଜିଲ୍ଲାପାଳ

୨୮-ଜ୍ୟୋତି ପ୍ରକାଶ ଦାସ- ବୟନ ଶିଳ୍ପ ନିର୍ଦ୍ଦେଶକ,ଏମଡି ବୟନିକା

୨୯-କୃପାସିନ୍ଧୁ ମିଶ୍ର- ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ

୩୦-ଲକ୍ଷ୍ମୀଧର  ମହାନ୍ତି- ଅତିରିକ୍ତ ସଚିବ ସଚିବ ଉଚ୍ଚ ଶିକ୍ଷା

୩୧-ରମେଶ ଚନ୍ଦ୍ର ରାଉତ-ଇଏସଆଇ ନିର୍ଦ୍ଦେଶକ

୩୨-ବିଭୂତି ଭୂଷଣ ଦାସ- ଅତିରିକ୍ତ ସଚିବ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା

ସେହିପରି ଇଲୋଟ୍ରୋନିକ୍ସ ଏବଂ  ଆଇଟି ବିଭାଗର ଯୁଗ୍ନ ସଚିବ ଆଦିତ୍ୟ ମହାପାତ୍ରଙ୍କୁ ସରକାର ତାଙ୍କର ମୂଳ ଦାୟିତ୍ବ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଇଟି ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

Categories
ବିଶେଷ ଖବର

ପଦାକୁ ଆସିଲା ବିଜେଡି ବିଜେପି ଭିତିରିଆ ସଂପର୍କ, ଓଡିଶାର ଗୋଟିଏ ରାଜ୍ୟସଭା ଆସନ ବିଜେପି ହାତକୁ ଟେକିଦେଲା ବିଜେଡି

ସମୀକ୍ଷା ବ୍ୟୁରୋ

ରାଜନୀତିରେ ଅସମ୍ଭବ ବୋଲି କିଛି ନାହିଁ। ବିଜେଡି ଏହି କଥାକୁ ଅକ୍ଷରେ ଅକ୍ଷରେ କରି ଦେଖାଇ ଦେଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୋଟିଏ ରାଜ୍ୟସଭା ଆସନ ଜାଣିଶୁଣି ବିଜେପି ହାତରେ ଟେକିଦେଇଛନ୍ତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ନବୀନ ନିବାସରେ ନବୀନ ପଟ୍ଟନାୟକ ଓଡିଶାର ଖାଲି ପଡିଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ନାମ ଘୋଷଣା କରିଥିଲେ। ପ୍ରଥମେ ସେ ତିନିଜଣ ନାମ ଘୋଷଣା କରିଥିଲେ। ସେମାନେ ହେଲେ ଅମର ପଟ୍ଟନାୟକ, ସସ୍ମିତ ପାତ୍ର ଏବଂ ପୂର୍ବତ୍ତନ ଆଇଏଏସ ଅଫିସର ଅଶ୍ବିନୀ ବୈଷ୍ଣବ। ଏମାନେ ବିଜେଡି ପ୍ରାର୍ଥୀ ବୋଲି କୁହାଗଲା। ଏପରିକି ନବୀନ ଅଶ୍ବିନୀଙ୍କ ସଂପର୍କରେ ସଫେଇ ଦେଇ କହିଲେ ଯେ ସେ ହେଉଛନ୍ତି ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜେପେୟୀଙ୍କ ବ୍ୟକ୍ତିଗତ ସଚିବ ଥିଲେ। ହେଲେ ଏହାପରେ କଥାଟା ବିଗିଡି ଗଲା ଯେତେବେଳେ ଅଶ୍ବିନୀଙ୍କୁ ବିଜେପି ଓଡିଶା ପାଇଁ ତାଙ୍କ ଦଳୀୟ ରାଜ୍ୟସଭା ପ୍ରାର୍ଥୀ ବୋଲି ଟ୍ବିଟ୍ କରି ସ୍ପଷ୍ଟ କଲା। ଏହାପରେ ଅଶ୍ବିନୀ କେଉଁ ଦଳର ପ୍ରାର୍ଥୀ ହେବେ ତାହାକୁ ନେଇ ଦ୍ବନ୍ଦ ସୃଷ୍ଟି ହେଲା।

ନବୀନ ନିବାସରେ ଏପରି ଦ୍ବନ୍ଦ ଉପୁଜିବା ପରେ ନବୀନ ପୁଣି ଥରେ ଗଣମାଧ୍ୟମ ଆଗକୁ ଆସି ସଫେଇ ଦେଇ କହିଲେ ଅଶ୍ବିନୀ ହେଉଛନ୍ତି ବିଜେପି ପ୍ରାର୍ଥୀ। ବିଜେପି ଅଶ୍ବିନୀଙ୍କୁ ପ୍ରାର୍ଥୀ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହ ତାଙ୍କ ସହିତ କଥା ହୋଇଥିଲେ। ଅଶ୍ବିନୀଙ୍କୁ ବିଜେଡି ସମର୍ଥନ କରୁ ବୋଲି ଉଭୟ ଅନୁରୋଧ କରିଥିଲେ। ଫଳରେ ବିଜେପି ପ୍ରାର୍ଥୀ ଅଶ୍ବିନୀଙ୍କୁ ବିଜେଡି ସମର୍ଥନ ଦେବ ବୋଲି ନବୀନ ପୁଣି ଘୋଷଣା କଲେ। ପ୍ରଶ୍ନ ଉଠୁଛି ଯେ, ଯଦି ନବୀନ ମୋଦି ଓ ଶାହଙ୍କ ସହିତ କଥା ହୋଇଥିଲେ ତେବେ ସେ ପ୍ରଥମରୁ କାହିଁକି ଏକଥା ସ୍ପଷ୍ଟ କଲେ ନାହିଁ। ଥରେ ବିଜେଡି ପ୍ରାର୍ଥୀ ବୋଲି ଘୋଷଣା କରିବା ପରେ ପୁଣି ତାହା ପରିବର୍ତ୍ତନ କରି ସେ ବିଜେପି ପ୍ରାର୍ଥୀ ବୋଲି କାହିଁକି କହିଲେ।

ଜଣେ ବରିଷ୍ଠ ନେତାଙ୍କ ଖବର ଅନୁସାରେ ଅଶ୍ବିନୀଙ୍କୁ ନେଇ ବିଜେପି ଓ ବିଜେଡି ଭିତରେ ଏକ ବୁଝମାଣା ହୋଇଥିଲା। କଥା ଥିଲା ଯେ, ବିଜେଡି ତିନି ଜଣଙ୍କ ନାମ ଘୋଷଣା କରିବ। ସେଥିରେ ଦୁଇଜଣ ରହିବେ ଦଳୀୟ ପ୍ରାର୍ଥୀ, ଆଉ ଜଣେ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ଅଶ୍ବନୀ ବୈଷ୍ଣବଙ୍କ ନାମ ଘୋଷଣା କରାଯିବ। ଘୋଷଣା ପରେ ରାଜ୍ୟ ବିଜେପି ତାଙ୍କୁ ସମର୍ଥନ କରିବ ବୋଲି କହିବ। ହେଲେ କଥାଟା ବିଗିଡିଗଲା। କାରଣ ବିଜେପି ନେତାମାନେ ଚାହୁଁ ନ ଥିଲେ ବିଜେଡି ଘୋଷଣା କରିଥିବା ପ୍ରାର୍ଥୀଙ୍କୁ ତାଙ୍କ ଦଳ ସମର୍ଥନ କରିବ। ତାଙ୍କର ଦାବି ହେଲା ଯେ, ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେଉ। ଫଳରେ ନବୀନ ଥରେ ତାଙ୍କ ଦଳର ପ୍ରାର୍ଥୀ ବୋଲି କହିବା ପରେ ପୁଣି ଥରେ ସେଥିରେ ପରିବର୍ତ୍ତନ କରି ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବ ବୋଲି ଘୋଷଣା କରିଥିଲେ। ବର୍ତ୍ତମାନ ସଂଖ୍ୟା ଅନୁସାରେ ଦେଖିଲେ ଖାଲିପଡିଥିବା ତିନୋଟି ରାଜ୍ୟସଭା ଆସନରେ ବିଜେଡି ଜିତିବା ନିଶ୍ଚିତ ଥିଲା। ଏସବୁ ସତ୍ଵେ ଗୋଟିଏ ଆସନ ବିଜେପିକୁ ଟେକିଦେବା ଉଭୟ ଦଳ ଭିତରେ ଥିବା ସୁସଂପର୍କ ପଦାକୁ ଆସିଛି।

ପୂର୍ବରୁ ବିଭିନ୍ନ କ୍ଷେତ୍ରରେ ବିଜେଡି ବିଜେପିକୁ ସମର୍ଥନ କରିଛି। ତାହା ରାଷ୍ଟ୍ରପତି ନିର୍ବାଚନ ହେଉ କିମ୍ବା ନିକଟରେ ହୋଇଥିବା ଲୋକସଭା ବାଚସ୍ପତି ନିର୍ବାଚନ। ସବୁଥିରେ ବିଜେଡି ଅଯାଚିତ ଭାବେ ବିଜେପିକୁ ସମର୍ଥନ କରିଆସିଛି। ହେଲେ ଏସବୁ ସମର୍ଥନ ଜାତୀୟ ସ୍ତରରେ ଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେଉ ନ ଥିଲା। ହେଲେ ବର୍ତ୍ତମାନ ରାଜ୍ୟ ରାଜ୍ୟସଭା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେଡି ଜିତିବାକୁ ଥିବା ଗୋଟିଏ ରାଜ୍ୟସଭା ଆସନକୁ ବିଜେପି ହାତରେ ସିଧା ଟେକିଦେବା ପ୍ରମାଣିତ କରିଛି ବିଜେଡି ବିଜେପି ଭିତରେ ଯେଉଁ ଭିତିରିଆ ସଂପର୍କ ରହିଛି ତାହା ସତ। ଏବେ ସେହି ଭିତିରଆ ସଂପର୍କ ପୁରା ବାହାରକୁ ଆସିଯାଇଛି। ହେଲେ ବିଜେଡିର ଯୁକ୍ତି ହେଲା ଯେ, ରାଜ୍ୟର ସ୍ବାର୍ଥ ପାଇଁ ବିଜେଡି ବିଜେପିକୁ ସମର୍ଥନ ଯୋଗାଇ ଦେବ। ପୂର୍ବରୁ ଖୋଦ ବିଜେଡି ସୁପ୍ରିମୋ ଜାତୀୟ ଗଣମାଧ୍ୟମରେ ସ୍ପଷ୍ଟ ଉତ୍ତର ମଧ୍ୟ ରଖିଛନ୍ତି। ତାହା ହେଉଛି ଓଡିଶା ସ୍ବାର୍ଥ ପାଇଁ ବିଜେଡି ସମର୍ଥନ କରିବାରେ କୈଣସି ଅସୁବିଧା ନାହିଁ। ସେହି କଥା ବର୍ତ୍ତମାନ ସତ ବୋଲି ପ୍ରମାଣିତ ହୋଇଛି। ଏହି ଘଟଣା ପରେ ବିଜେଡି ବିଜେପି ମଧ୍ୟରେ ଆହୁରି ଅନେକ କଥା ଆଗକୁ ଘଟିବ ବୋଲି ସମ୍ଭାବନା ସୃଷ୍ଟି ହେଲାଣି।

Categories
ଆଜିର ଖବର

କୋରାନର ନିୟମକୁ ସମର୍ଥନ କରିବ ସମାଜବାଦୀ ପାର୍ଟି : ଆଜମ୍‌ ଖାନ୍‌

ଟ୍ରିପଲ୍‌ ତଲାକ୍‌କୁ ନେଇ ପୁନର୍ବାର ଏକ ବିବାଦୀୟ ବୟାନ ଦେଇଛନ୍ତି ସମାଜବାଦୀ ପାର୍ଟି ନେତା ଆଜମ୍‌ ଖାନ୍‌। ସମାଜବାଦୀ ପାର୍ଟି କୋରାନ୍‌ରେ ଲିଖିତ ନିୟମକୁ ସମର୍ଥନ କରିବ ବୋଲି କହିଛନ୍ତି ଆଜମ୍‌ ଖାନ୍‌। ଆଜି ସଂସଦର ଲୋକସଭାରେ ତିନି ତଲାକ୍‌ ବିଲ୍ ଆଗତ ହୋଇଥିଲା। ୧୫୦୦ବର୍ଷ ପୂର୍ବରୁ ଇସ୍‌ଲାମ ବ୍ୟତୀତ ଅନ୍ୟ କୌଣସି ଧର୍ମ ମହିଳାଙ୍କୁ ସ୍ବାଧୀନତା ପ୍ରଦାନ କରିନଥିଲା। ତେଣୁ କୋରାନ୍‌ରେ ଲିଖିତ ନିୟମକୁ ସମାଜବାଦୀ ପାର୍ଟି ସଦାସର୍ବଦା ସମର୍ଥନ କରିବ। ଆଜିର ଦିନରେ ଛାଡପତ୍ର ହାର ଏବଂ ମହିଳାଙ୍କ ବିପକ୍ଷରେ ହିଂସାର ହାର ଅପେକ୍ଷାକୃତ କମ ରହିଛି। ଇସ୍‌ଲାମରେ ମହିଳାଙ୍କୁ ଜଳାଇ ଦିଆଯାଉନାହିଁ କିମ୍ବା ହତ୍ୟା କରାଯାଉନାହିଁ ବୋଲି ଉତ୍ତର ପ୍ରଦେଶର ଏହି ସାଂସଦ ପ୍ରକାଶ କରିଛନ୍ତି। ଟ୍ରିପଲ୍‌ ତଲାକ୍‌ ଏକ ଧାର୍ମିକ ସମସ୍ୟା ଏହାକୁ ଅଯଥାରେ ରାଜନୀତି ସହିତ ସମ୍ବନ୍ଧିତ କରାଯାଉଛି ବୋଲି କହିଥିଲେ ଆଜମ୍‌ ଖାନ୍‌।

Categories
ବିଶେଷ ଖବର ମତାମତ

ମୁଜାଫରପୁରର ସନ୍ତାନହରା ମାମାନଙ୍କ କାନ୍ଦ ଯେତେବେଳେ ହଜିଯାଏ କ୍ରିକେଟର କଳରୋଳରେ!!

ଜ୍ୟୋତି ନନ୍ଦ

ଥାଇଲାଣ୍ଡ ର ଗୋଟିଏ ଗୁମ୍ଫାରେ ୧୨ ଜଣ ବାଳକ ଅଟକି ରହିଥିଲେ।ଆଉ ସେମାନଙ୍କର ଉଦ୍ଧାର ପାଇଁ ଥାଇଲାଣ୍ଡ ସରକାର କହିବାକୁ ଗଲେ ଆକାଶପାତାଳ ଏକ କରିଦେଇଥିଲା। ଗୁମ୍ଫା ଭିତରେ ପାଣି ଭରିରହିଥିବାରୁ ପୃଥିବୀ ର ସବୁଠୁ ଦକ୍ଷ ବୁଡାଳି ମାନଙ୍କୁ ଆଣି କୋଟି କୋଟି ଟଙ୍କା ବିନିମୟରେ ସେମାନଙ୍କୁ ପରିଶେଷରେ ଉଦ୍ଧାର କରାଯାଇଥିଲା।

ଏହା ଥାଇଲାଣ୍ଡ ଭଳି ଗୋଟିଏ ଛୋଟ ଦେଶର କଥା।ଛୋଟଦେଶରେ ସଂଭବତଃ ଗୋଟିଏ ଗୋଟିଏ ଜୀବନ ଅଧିକ ମୂଲ୍ୟବାନ।

ଆମର ଦେଶ ବିରାଟ ଦେଶ।ତେଣୁ ଏଠି ସବୁ କାମ ବିରାଟ ।ଏଠି ଷାଠିଏ ହଜାର କୋଟି ଟଙ୍କା ନିର୍ବାଚନରେ ଖର୍ଚ୍ଚ ହୁଏ।ଆମର ସେଥିରେ ଅପାର ଆନନ୍ଦ।ଆମେ ବିଜୟୀ।

କିନ୍ତୁ ଗୋଟିଏ ବେମାରୀ ହଠାତ୍ ୧୧୪ ଜଣ ଶିଶୁଙ୍କୁ ପୋଛିନିଏ ଆଉ ଆମେ ବା ଆମ ସରକାର ଯେହେତୁ ବିରାଟ ଦେଶର ସରକାର ତେଣୁ ବିଭିନ୍ନ ବିରାଟ କାମରେ ଲାଗିଥାଉ ଏବଂ ଏହି ସବୁ ଶିଶୁ ମୃତ୍ୟୁ ଭଳି ଛୋଟଛୋଟ କାମରେ ଆମେ ମୁଣ୍ଡ ଖେଳାଇବୁ କାହିଁକି ?

ମୁଜାଫରପୁରର ମୃତ ଶିଶୁ ମାନେ ଆମର ସଂପର୍କୀୟ ନୁହଁନ୍ତି ତେଣୁ ଏଇ ଘଟଣା ଆମକୁ ବାଧିବ କାହିଁକି ?ଆମେ କ୍ରିକେଟ୍ ମ୍ୟାଚ୍ ର ୱିକେଟ୍ ଗଣିବା ଆଉ ସଂସଦରେ ଜୟ ଶ୍ରୀରାମ କି ଭାରତମାତାକୀ ଜୟ ଧ୍ୱନୀ ଦେଉଥିବା।ତାହା ଆମର ପ୍ରାଥମିକ କାର୍ଯ୍ୟ।

ଏନସେଫାଲାଟାଇଟିସ୍ ବୋଲି ଯେଉଁ ରୋଗଟି ଏଇ ଶିଶୁ ମରଣର କାରକ ସେଇଟି ହେଲେ ଗୋଟିଏ ମୁସଲମାନ ବ୍ୟାଧି ହୋଇଥାନ୍ତା ଯେମିତି ପଶ୍ଚିମବଙ୍ଗରେ ସେଦିନ ସେହି ଜୁନିଅର ଡାକ୍ତରଙ୍କୁ ପିଟିପିଟି ଅଧମରା କରିଥିବା ରୋଗୀର ଆତ୍ମୀୟଙ୍କ ଭଳି ମୁସଲମାନ ,ତେବେ ସମ୍ଭବତଃ ଗୋଟିଏ ଭାରତବ୍ୟାପୀ ପ୍ରତିକ୍ରିୟା ହୋଇଥାନ୍ତା।ମାତ୍ର ଆମର ଏଇ ରୋଗଟି କୁ ମୁସଲମାନ ରୋଗ ବୋଲି କୁହାଯାଇ ପାରୁନାହିଁ।ବଡ ଦୁଃଖର କଥା।ହିନ୍ଦୁ-ମୁସଲମାନ କଥା ଉଠାଯାଇପାରୁନଥିବା କାରଣରୁ ସବୁ ପ୍ରଚାରତନ୍ତ୍ର ଏବେ ଚୁପ୍।

ପ୍ରଚାରତନ୍ତ୍ରରେ ସବୁବେଳେ ହିନ୍ଦୁ-ମୁସଲମାନ ଖୋଜୁଥିବା ସେଇ ସୁନ୍ଦରୀ ଆଉ ଅହଙ୍କାରୀ ସାମ୍ବାଦିକା ଜଣକ ସିଧାସଳଖ ଆଇସିୟୁ କୁ ଯାଇ କର୍ତ୍ତବ୍ୟରତ ଡାକ୍ତରଙ୍କୁ ଧମକଚମକ ଦେବା ଘଟଣାରେ ଯେହେତୁ କୌଣସି ହିନ୍ଦୁ-ମୁସଲମାନ ପ୍ରସଂଗ ନାହିଁ ତେଣୁ ଆମର ଡାକ୍ତର ମାନଙ୍କର ଯେଉଁ ଭାରତୀୟ ମେଡିକାଲ୍ ଆସୋସିଏସନ୍ ବୋଲି ସଂସ୍ଥା ଅଛି ତାହା ଚୁପ୍ ହୋଇ ବସିବା ସ୍ୱାଭାବିକ।କାରଣ ସେହି ପ୍ରଭାବଶାଳୀ ସାମ୍ବାଦିକା ଙ୍କର ରୂପର ଅହଙ୍କାର ଅଛି ଆଉ ରାଜନୈତିକ ଛତ୍ରଛାୟାର ଅହଙ୍କାର ଅଛି।ତେଣୁ ସେ ଯେକୌଣସି ଆଇ ସିୟୁ ଭିତରକୁ କ୍ୟାମେରା ସହ ଅନୁପ୍ରବେଶ କରି ସେଠାରେ ଥିବା ଜୁନିଅର ଡାକ୍ତର ମାନଙ୍କୁ ଅତ୍ୟନ୍ତ ଉଗ୍ରଭାଷାରେ ଧମକଚମକ ଦେବାରେ ଡାକ୍ତର ମାନଙ୍କର କୌଣସି ଅପମାନ ହୋଇଛି ବୋଲି ତାଙ୍କର ସଂଘ ମନେ କରୁନାହିଁ।

ସେହି ରୂପବତୀ ଓ ଊଗ୍ରବାଦିନୀ ଙ୍କୁ କ୍ଷମା ପ୍ରାର୍ଥନା ମାଗିବାର ସାହସ କାହାର ଅଛି?

କିଛିଦିନ ତଳେ ପେଷାରେ ଜଣେ ଡାକ୍ତର ଏବଂ ପରେ ଜଣେ କବି ଓ ଲେଖିକା ଯିଏ ତାଙ୍କର ବାମାବାଦ ପାଇଁ ବେଶ୍ ପ୍ରସିଦ୍ଧି ଅର୍ଜନ କରିଛନ୍ତି ,ତସଲିମା ନାସରିନ୍ ସେ ନିକଟରେ ଏକ ମନ୍ତବ୍ୟ ଦେଇଛନ୍ତି ଯେ ଯେଉଁମାନେ ଡାଇବେଟିସ୍ ,ହୃଦରୋଗ ଆଉ କାନସର୍ ଭଳି ବ୍ୟାଧିରେ ପୀଡିତ ଅଛନ୍ତି ସେମାନଙ୍କର ସନ୍ତାନ ଜନ୍ମରେ ଅଧିକାର ରହିବା ଉଚିତ୍ ନୁହଁ।କାରଣ ସେମାନେ ପରବର୍ତ୍ତି ପ୍ରଜନ୍ମକୁ ବ୍ୟାଧିଗ୍ରସ୍ତ କରିବାର ପ୍ରବୃତ୍ତିରୁ ନିଜକୁ ଦୂରେଇ ରଖିବା ଦରକାର।

ତସଲିମାଙ୍କ ର ଏହି ପ୍ରସଂଗଟି ଏକ ଭିନ୍ନ ପ୍ରସଂଗ।ତାହା ଉପରେ ପରେ କେବେ ବିସ୍ତୃତ ଚର୍ଚ୍ଚା କରାଯାଇପାରେ।ଏଠାରେ ତାଙ୍କୁ ଉଦ୍ଧୃତ କରିବାର କେବଳ ଗୋଟିଏ ଲକ୍ଷ୍ୟ ରହିଛି।ଆମର ସଂସଦ ଆମର ନିର୍ବାଚନ ଆଉ ଆମର ଯାବତୀୟ ଆନନ୍ଦ କୁ ନିରୁପଦ୍ରବରେ ବଳବତ୍ତର କରି ରଖିବାକୁ ଅର୍ଥାତ୍ ପରବର୍ତ୍ତି ପ୍ରଜନ୍ମକୁ ଏନସେଫାଲିଟିସ୍ ବ୍ୟାଧିଗ୍ରସ୍ତ ନକରିବା ପାଇଁ ସମସ୍ତ ଦରିଦ୍ର ମାନଙ୍କର ସନ୍ତାନ ଜନ୍ମ ଉପରେ ପ୍ରତିବଂଧ ଲଗାଯିବା ଆବଶ୍ୟକ।

ଏଇଟି କେବଳ ମୁଜାଫରପୁର୍ ନୁହଁ ,ପୂରା ଦେଶ ପାଇଁ ପ୍ରଯୁଜ୍ୟ ଯାହା ଫଳରେ ଆମେ ଆରାମ ରେ ଆମ ଟିଭି ସାମ୍ନାରେ ବସି କ୍ରିକେଟ୍ ମ୍ୟାଚ୍ ର ଛକ୍କା ଉପଭୋଗ କରିପାରିବୁ।

Categories
ଆଜିର ଖବର

ସହିଦଙ୍କ ଉପରେ ଦଳୀୟ ପତାକା ଢାଙ୍କିବା ଘଟଣା, ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବ ବିଜେଡ଼ି

ସହିଦ ଅଜିତ ସାହୁଙ୍କ ମରଶରୀର ଉପରେ ବିଜୁ ଜନତା ଦଳର ଦଳୀୟ ପତାକା ରଖାଯିବାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ସହିଦ୍‌ଙ୍କ ଭାଇ ପରମେଶ୍ବର ସାହୁ  କହିଛନ୍ତି ଯେ, ଖୁଣ୍ଟୁଣୀରେ ବିଜେଡ଼ି କର୍ମୀ  ସହିଦ୍‌ଙ୍କ ପାର୍ଥିବ ଶରୀର ଉପରେ ଦଳୀୟ ପତାକା ପକାଇଥିଲେ, ଯାହା ତାଙ୍କୁ ଭଲ ଲାଗିନଥିଲା।  ଅଳ୍ପ ସମୟ ମଧ୍ୟରେ ସେ ଏହି ପତାକକୁ କାଢି ଦେଇଥିଲେ। ଦେଶ ପାଇଁ ତାଙ୍କ ଭାଇ ସହିଦ୍‌ ହୋଇଛନ୍ତି, କୌଣସି ଦଳ ପାଇଁ ନୁହେଁ ବୋଲି କହିଛନ୍ତି ପରମେଶ୍ବର। ତେବେ ଏହି ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏହି ଘଟଣା ପାଇଁ ବିଜେଡ଼ିକୁ କଟାକ୍ଷ କରିବା ସହିତ ସହିଦକୁ ନେଇ ବିଜେଡ଼ି ରାଜନୀତି କରୁଛି ବୋଲି କହିଛନ୍ତି। ଏହି ଘଟଣା ପାଇଁ ବିଜେଡ଼ି ସଭାପତି କ୍ଷମା ମାଗନ୍ତୁ ବୋଲି ପୂର୍ବତନ ସୈନିକ ସେଲ୍‌ ଦାବି କରିଛି। ତେବେ ଏହି ଘଟଣାରେ ବିଜେଡ଼ି ନିଜର ପ୍ରତିକ୍ରିୟା ରଖି ଏହି ଘଟଣାକୁ ନିନ୍ଦା କରିବା ସହିତ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛି।