Categories
ଆଜିର ଖବର

ନିର୍ବାଚନ ଆଚରଣ ବିଧି  ଉଲ୍ଲଂଘନ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ

ଲୋକସଭା ନିର୍ବାଚନ ପାଇଁ  ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ନିର୍ବାଚନ ଆଚାର ସଂହିତା ଲାଗୁ କରାଯାଇଛି। ଏନେଇ ଏକ ଗାଇଡଲାଇନ୍‌ ମଧ୍ୟ ଜାରି କରାଯାଇଛି। ବିହାର ବକ୍ସରରେ ପ୍ରଚାର ବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଆଚରଣ ବିଧି ଉଲ୍ଲଂଘନ କରିଛନ୍ତି। ନିର୍ବାଚନ ଅଧିକାରୀ କେନ୍ଦ୍ରମନ୍ତ୍ରୀଙ୍କୁ ଏ ବାବଦରେ ଅବଗତ କରାଇବାରୁ ସେ ଖୋଲାଖୋଲି ଧମକ ଦେବା ସହିତ ଜେଲ ପଠାଇବାକୁ ଆହ୍ବାନ କରିଛନ୍ତି। ସୂଚନାଯୋଗ୍ୟ ଶନିବାର ଦିନ ବକ୍ସର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଥିବା କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ କୁମାର ଚୌବେ ଏକ ରାଲି କରୁଥିଲେ ଯାହାକି ବିନା ଅନୁମତିରେ ହୋଇଥିବା ଜଣାପଡ଼ିଛି। ପ୍ରଚାର ପାଇଁ ସମୟ ସରିଯାଇଥିବାବେଳେ ରାଲିରେ ସାମିଲ ଥିବା ବାଇକ ପାଇଁ ମଧ୍ୟ ଆବଶ୍ୟକ ଅନୁମତି ନିଆଯାଇନଥିଲା। ଏହାପରେ ସବ ଡ଼ିଭିଜନାଲ ମାଜିଷ୍ଟ୍ରେଟ ତଥା ନିର୍ବାଚନ ଅଧିକାରୀ କେକେ ଉପାଧ୍ୟାୟ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଚାର ବେଳେ ଅଟକାଇଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଜଣଙ୍କ ନିର୍ବାଚନ ଅଧିକାରୀ ଜଣଙ୍କୁ ଧମକ ଦେଉଥିବା ଦେଖିବାକୁ ମିଳିଛି। ତେବେ ନିର୍ବାଚନ ଅଧିକାରୀ ଏ ନେଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଅଶ୍ବିନୀ କୁମାର ଚୌବେ କେନ୍ଦ୍ର ସରକାରରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅଛନ୍ତି। ସେ ବିଜେପିରୁ ବକ୍ସର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି।