Categories
ଆଜିର ଖବର ଜାତୀୟ ଖବର

ଇ- ଟୋକନ୍‌ ଜରିଆରେ ମିଳିବ ମଦ, ଏନେଇ ଜାରି ହେଲା ଓ୍ବେବ୍‌ ଲିଙ୍କ୍‌

ନୂଆଦିଲ୍ଲୀ : ଦିଲ୍ଲୀ ସରକାର ଏବେ ମଦ ବିକ୍ରି ପାଇଁ ଇ-ଟୋକନ୍‌ ସିଷ୍ଟମ୍‌ ଲାଗୁ କରିଛନ୍ତି। ମଦ ପାଇଁ ଦୋକାନଗୁଡିକରେ ପ୍ରବଳ ଭିଡକୁ ଦେଖି ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଇ-ଟୋକନ୍‌ ଦ୍ବାରା ଦୋକାନରେ ସାମାଜିକ ଦୂରତ୍ବକୁ ପାଳନ କରାଯାଇପାରିବ ବୋଲି ଜଣାପଡିଛି।  ଇ-ଟୋକନ୍‌ ପାଇଁ ସରକାର ଏକ ଓ୍ବେବ୍‌ ଲିଙ୍କ୍‌ ଜାରି କରିଛନ୍ତି। ଏହି ଲିଙ୍କ୍‌ ଜରିଆରେ ନିଜ ତଥ୍ୟ ପ୍ରଦାନ କରି ମଦ କ୍ରୟ ପାଇଁ ସମୟ ନେଇପାରିବେ। ଏହା ପରେ ବ୍ୟକ୍ତିଙ୍କ ମୋବାଇଲ୍‌କୁ ଏକ ଇ-କୁପନ୍‌ ପଠାଯିବ । ଏହା ଜରିଆରେ ସେ ମଦ କ୍ରୟ କରିପାରିବେ।

ଲକଡାଉନ 3.0ରେ କେନ୍ଦ୍ର ସରକାର କିଛି କଟକଣାକୁ କୋହଳ କରିଛନ୍ତି। ଏହି ସହିତ ସର୍ତ୍ତ ସହିତ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। କେନ୍ଦ୍ର ସରକାର ଗାଇଡଲାଇନ୍ସ ପାଳନ କରି ଦିଲ୍ଲୀ ସରକାର ରାଜଧାନୀରେ 200 ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଥିଲେ। ଏହି ମଦଦୋକାନଗୁଡିକ ଖୋଲାଯିବା ପରେ ସାମାଜିକ ଦୂରତ୍ବକୁ ଉଲ୍ଲଂଘନ ହୋଇଥିବାର ଦେଖାଯାଇଥିଲା। ଦିଲ୍ଲୀ ସରକାର 200 ମଦ ଦୋକାନ ଖୋଲିବାକୁ ଆଦେଶ ଦେଇଥିବାବେଳେ ଭିଡ କାରଣରୁ 50ଟି ଦୋକାନ ଖୋଲାଯାଇଥିଲା।

ମଦ ଯୋଗୁଁ ପ୍ରବଳ ଭିଡକୁ ଦେଖି ଦିଲ୍ଲୀ ସରକାର ଏହାର ଏକ ସାମାଧନ ବାହାର କରିଛନ୍ତି। ଇ-କୁପନ୍‌ ଜରିଆରେ ମଦ ବିକ୍ରିର ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ଦିଲ୍ଲୀ ସରକାର ଏକ ଓ୍ବେବ୍‌ ଲିଙ୍କ୍‌ https://www.qtoken.in ଜାରି କରିଛନ୍ତି। ଏହି ଲିଙ୍କ୍‌ ଜରିଆରେ ତଥ୍ୟ ପ୍ରଦାନ କରି ମଦ କିଣିବା ପାଇଁ ସମୟ ନେଇପାରିବେ। ଏହା ପରେ ଆପଣଙ୍କ ମୋବାଇଲ୍‌କୁ ଏକ ଇ-କୁପନ୍ ଆସିବ। ଏହାକୁ ନେଇ ନିର୍ଦ୍ଧାରିତ ସମୟରେ ଦୋକାନ ଯାଇ ମଦ କ୍ରୟ କରିପାରିବେ। ମଦ ପାଇଁ ଆଉ ଲମ୍ବା ଧାଡିରେ ରହିବାର ଆବଶ୍ୟକତା ପଡିବ ନାହିଁ। ଏହା ସହିତ ଏହି ଲିଙ୍କ୍‌ରେ ନିଜ ନାମ ଓ ମୋବାଇଲ୍‌ ନମ୍ବର ଦେଲେ, ନିକଟସ୍ଥ ମଦ ଦୋକାନର ଠିକଣା ମଧ୍ୟ ମିଳିପାରିବ। ସୂଚନାଯୋଗ୍ୟ, ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପାଞ୍ଚହଜାର ଟପି ଥିବାବେଳେ 65ଜଣଙ୍କ ମୃତ୍ୟୁ ହୋଇଛି। (ଏଜେନ୍ସି)