Categories
ଆଜିର ଖବର ଆଞ୍ଚଳିକ

ଏକାମ୍ର ବିକାଶ ମଞ୍ଚର ମହିଳା ଦିବସ, ୪ଜଣଙ୍କୁ ସ୍ୱୟଂସିଦ୍ଧା ସମ୍ମାନ

ଭୁବନେଶ୍ୱର, ଏକାମ୍ର ବିକାଶ ମଞ୍ଚ ପକ୍ଷରୁ ସିଦ୍ଧି ମଣ୍ଡପଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମଞ୍ଚର ସଭାପତି ରଶ୍ମୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର‌୍ୟ୍ୟକ୍ରମରେ ରାଜନୀତି, ସମାଜସେବା, ଶିକ୍ଷା ଓ ଆତ୍ମନିର୍ଭରଶୀଳ ହୋଇଥିବା ୪ଜଣ ପ୍ରତିଷ୍ଠିତ ମହିଳାଙ୍କୁ ସ୍ୱୟଂସିଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା।

ରାଜ୍ୟ ବିଜେପିର ପୂର୍ବତନ ମହିଳା ମୋର୍ଚା ସଭାପତି ଶ୍ରୀମନ୍ତିନୀ ଜେନା, ସାମ୍ବାଦିକ ମଧୁଳିତା ପରିଡ଼ା, ସାମାଜସେବୀ ସୁଷମା ପଟ୍ଟନାୟକ, ମହର୍ଷି ମହିଳା କଲେଜର ଅଧ୍ୟାପିକା ପ୍ରତିମା ମିଶ୍ର, ଆତ୍ମନିର୍ଭରଶୀଳ ପାଇଁ ସିପ୍ରା ସେନାପତିଙ୍କୁ ସ୍ୱୟଂସିଦ୍ଧା ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୁରୀ ଜିଲ୍ଲାର ପ୍ରତ୍ୟାଶା ଓ ଭୁବନେଶ୍ୱରର କମଳା ସ୍ୱୟଂ ସହାୟକ ଗୋଷ୍ଟିଙ୍କୁ ଅର୍ଥରାଶି ପ୍ରଦାନ କରାଯାଇଥିଲା।

ଏଥିରେ ଅତିଥି ଭାବେ ନାରିନେତ୍ରୀ ଶ୍ରୀମନ୍ତିନି ଜେନା, ସମାଜସେବୀ ରେଣୁବାଳା ବୈରିଶାଲ, ୟୁରୋ ସ୍ମାର୍ଟର ଅଧ୍ୟକ୍ଷା ସସ୍ମିତା ମହାପାତ୍ର, ରାଜ୍ୟ ମହିଳା କଂଗ୍ରେସର ସମ୍ପାଦିକା କୁସୁମ ପ୍ରଧାନ, ଶ୍ରେୟାସ୍ମିତା ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ସସ୍ମିତା ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମାଜସେବୀ ସୋନାଲି ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ । ଶେଷରେ କରୋନା ଭାଇରସ ସମ୍ପର୍କରେ ସଚେତନତା କରାଯାଇଥିଲା।

Categories
ବିଶେଷ ଖବର ମତାମତ

ମହିଳା ଦିବସରେ ରାଜନୈତିକ ଦଳମାନଙ୍କୁ ପ୍ରଶ୍ନ, ଭାରତୀୟ ରାଜନୀତିରେ ମହିଳାଙ୍କୁ ସମାନ ପ୍ରତିନିଧିତ୍ଵ ଅଧିକାର କେବେ ମିଳିବ?

କେଦାର ମିଶ୍ର

୨୦୧୪ ସାଧାରଣ ନିର୍ବାଚନରେ ଭୋଟଦାନ କେନ୍ଦ୍ରକୁ ଆସି ନିଜର ମତଦାନ ସାବ୍ୟସ୍ତ କରିଥିବା ଭାରତୀୟ ମହିଳା ଭୋଟରଙ୍କ ସଂଖ୍ୟା ଥିଲା ୩୮,୭୯,୧୧,୩୩୦ ଓ ଏହା ଥିଲା ସମୁଦାୟ ଭୋଟରଙ୍କର ୪୭.୬୨ %। ଗତ ତିନୋଟି ଯାକ ସାଧାରଣ ନିର୍ବାଚନରେ ମହିଳା ଭୋଟରଙ୍କ ସଂଖ୍ୟାରେ ବ୍ୟାପକ ଅଭିବୃଦ୍ଧି ହୋଇଛି ଓ ପୁରୁଷଙ୍କ ତୁଳନାରେ ମହିଳା ଭୋଟର ପ୍ରାୟ ସମାନ ପରିମାଣରେ ଭୋଟ ଦେଇଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ଏହି ଅନୁପାତ ଥିଲା ୪୮;୫୨। ଏତେ ସଂଖ୍ୟକ ମହିଳା ଭୋଟର ଥିବା ସତ୍ତ୍ୱେ ଆମର ସଂସଦ ଓ ବିଧାନସଭାଗୁଡିକରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଏତେ କମ କାହିଁକି? ଲୋକସଭାର ୫୪୩ ସଦସ୍ୟଙ୍କ ଭିତରୁ ମହିଳା ସଦସ୍ୟଙ୍କ ସଂଖ୍ୟା ମାତ୍ର ୬୪ ଅର୍ଥାତ ୧୧.୮% । ରାଜ୍ୟସଭାରେ ସେମାନଙ୍କ ସଂଖ୍ୟା ୨୭ (୯.୧୧%)। ସେହିପରି ରାଜ୍ୟ ବିଧାନସଭା ଗୁଡିକରେ ଏହି ସଂଖ୍ୟା ଆହୁରି ନଗଣ୍ୟ। ଭାରତର ୩୫ ଟି ଯାକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର  ବିଧାନସଭାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ମାତ୍ର ୯%।

ସବୁଠୁ ବିଡମ୍ବନାର କଥା ହେଉଛି ପୃଥିବୀର ଦେଶମାନଙ୍କରେ ହାରାହାରି ମହିଳା ସାଂସଦଙ୍କ ସଂଖ୍ୟା ୨୨.୪ % ହୋଇଥିବାବେଳେ ଭାରତରେ ଏହା ଅଧାରୁ ଆହୁରି କମ। ପାକିସ୍ତାନ ଓ ଆଫଗାନିସ୍ତାନ ଭଳି ଦେଶରେ ମହିଳା ବିଧାୟକଙ୍କ ସଂଖ୍ୟା ଭାରତ ତୁଳନାରେ ଢେର ଅଧିକ। ପାକିସ୍ତାନ ଓ ବାଂଲାଦେଶରେ ୨୦% ମହିଳା ସାଂସଦ ଥିବାବେଳେ ଆଫଗାନିସ୍ତାନରେ ସେମାନଙ୍କ ସଂଖ୍ୟା ହେଉଛି ୨୭.୭%। ଏପରିକି ଆଫ୍ରିକୀୟ ଓ ଆରବୀୟ ଦେଶମାନଙ୍କ ତୁଳନାରେ ମଧ୍ୟ ଭାରତର ମହିଳା ସାଂସଦ ଓ ବିଧାୟକଙ୍କ ସଂଖ୍ୟା ଯଥେଷ୍ଟ କମ।  ପଞ୍ଚାୟତ ସ୍ତରରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଭାରତରେ ୩୭% ରୁ ୫୦% ଭାଗ ପର୍ଯନ୍ତ ବଢିଛି, ତାହାର ଏକ ମାତ୍ର କାରଣ ହେଉଛି ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ। ବର୍ତ୍ତମାନ ଭାରତର ପଞ୍ଚାୟତି ରାଜ ଅନୁଷ୍ଠାନ ଗୁଡିକରେ ୧୩.୭୨ ଲକ୍ଷ ମହିଳା ପ୍ରତିନିଧି ରହିଛନ୍ତି ଓ ସେମାନଙ୍କ ପ୍ରତିନିଧିତ୍ଵ ହାର ହେଉଛି ୪୩%। ଏହା ଜାତୀୟ ରାଜନୀତିରେ କାହିଁକି ଗ୍ରହଣୀୟ ହେଉନି, ସେ ପ୍ରଶ୍ନ ଆଜି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଗତ ୨୦ ବର୍ଷ ହେଲା ଭାରତର ସଂସଦରେ ମହିଳା ସଂରକ୍ଷଣ ବିଲ ପଡିରହିଛି। ରାଜ୍ୟସଭାରେ ଏହା ଗୃହୀତ ହୋଇ ବାତିଲ ମଧ୍ୟ ହୋଇସାରିଛି। ଏ ସଙ୍କ୍ରାନ୍ତରେ ଆଲୋଚନା କରି ଭାରତର ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୮ ରେ କୁହାଯାଇଛି ଯେ- ରୁଆଣ୍ଡା ଭଳି ଦେଶରେ ୬୦% ମହିଳା ସାଂସଦ ନିର୍ବାଚିତ ହୋଇପାରୁଥିବା ବେଳେ ଭାରତରେ ଏହା ୧୨% ଭିତରେ ସୀମିତ। ଓଡିଶା ଭଳି ରାଜ୍ୟରେ ଏବେ ଆମେ ମହିଳା ସଂରକ୍ଷଣ ବିଲ ସପକ୍ଷରେ ଆଲୋଚନା ଶୁଣୁଛୁ। ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ସ୍ତରରେ ମହିଳା ସଂରକ୍ଷଣ ବିଲ ସପକ୍ଷରେ ରାଜନୈତିକ ଦଳମାନଙ୍କୁ ପ୍ରଭାବିତ କରିବା ଲାଗି ଅଭିଯାନ ଆରମ୍ଭ କରିଥିବାବେଳେ ଓଡିଶା ବିଧାନସଭାରେ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଅତ୍ୟନ୍ତ ନଗଣ୍ୟ। ୧୪୭ ଟି ବିଧାନସଭା ଆସନରୁ ମାତ୍ର ୧୨ ଜଣ ମହିଳା ବିଧାୟକ ଅଛନ୍ତି ଅର୍ଥାତ ପ୍ରତିନିଧିତ୍ଵ ହାର ହେଉଛି ମାତ୍ର ୮ %। ଲୋକସଭା ପାଇଁ ଓଡିଶାର ୨୧ ଟି ଆସନରୁ ବିଜେଡ଼ିର ତିନିଜଣ ମହିଳା ସାଂସଦ ରହିଛନ୍ତି। ଗତ ୨୦୧୪ ନିର୍ବାଚନରେ ରାଜ୍ୟର ତିନିଟି ଯାକ ପ୍ରମୁଖ ରାଜନୈତିକ ଦଳ ମାତ୍ର ୩୨ ଜଣ ମହିଳାଙ୍କୁ ପ୍ରାର୍ଥୀ କରିଥିଲେ। ଗତ ବିଧାନସଭା ପାଇଁ କଂଗ୍ରେସ ୧୦ ଜଣ, ବିଜେପି ୫ ଜଣ ଓ ବିଜେଡି ୧୨ ଜଣ ମହିଳାଙ୍କୁ ଟିକଟ ଦେଇଥିବାବେଳେ ଲୋକସଭା ପାଇଁ କଂଗ୍ରେସ ୨ ଜଣଙ୍କୁ, ବିଜେପି ୧ ଓ ବିଜେଡି ୨ ଜଣକୁ ଟିକଟ ଦେଇଥିଲେ। ପରେ କନ୍ଧମାଳ ଲୋକସଭା ଆସନ ପାଇଁ ଅନୁଷ୍ଠିତ ଉପ ନିର୍ବାଚନରେ ବିଜେଡି ଆଉ ଜଣେ ମହିଳା ପ୍ରାର୍ଥୀଙ୍କୁ ନିର୍ବାଚିତ କରାଇଥିଲା।

ବିଜୁ ଜନତା ଦଳ ଓଡିଶାରେ ମିଶନ ଶକ୍ତି ଓ ପଞ୍ଚାୟତି ରାଜ ବ୍ୟବସ୍ଥା ଜରିଆରେ ମହିଳା ସଶକ୍ତିକରଣର କଥା କହୁଛି ଓ ମହିଳା ସଂରକ୍ଷଣ ବିଲ ପାଇଁ ଜାତୀୟ ଅଭିଯାନ ଚଳାଇଛି, କିନ୍ତୁ ବିଧାନସଭାରେ ଏହାର ମହିଳା ପ୍ରତିନିଧିଙ୍କ ସଂଖ୍ୟା ଅତ୍ୟନ୍ତ ଗୌଣ। ଆଗାମୀ ନିର୍ବାଚନ ରେ ବିଜେଡି ମହିଳାଙ୍କ ରାଜନୈତିକ ପ୍ରତିନିଧିତ୍ଵ କଥାକୁ କାମରେ ଲଗାଇବ କି? ଦଳ ଉଭୟ ଲୋକସଭା ଓ ବିଧାନସଭାରେ ୩୦ ରୁ ୩୩ % ମହିଳାଙ୍କୁ ଟିକଟ ଦେଇ ଏକ ଉଦାହରଣ ପ୍ରସ୍ତୁତ କରିବ କି? ଜାତୀୟ ସ୍ତରରେ କଂଗ୍ରେସ ସଭାପତି ମହିଳା ସଂରକ୍ଷଣ ବିଲ ସପକ୍ଷରେ କହୁଥିବା ବେଳେ କଂଗ୍ରେସ ମଧ୍ୟ ବହୁ କମ ସଂଖ୍ୟକ ମହିଳାଙ୍କୁ ଟିକଟ ଦେଉଛି। କଥାରେ କହିବା ଓ କାମରେ ତାକୁ ଉପଯୋଗ ନକରିବା ସବୁ ରାଜନୈତିକ ଦଳଙ୍କର ପୁରୁଣା ରୋଗ। ଏଇ ରୋଗରୁ ୨୦୧୯ ନିର୍ବାଚନ ଆମକୁ ମୁକ୍ତି ଦେବ କି? ଆଗାମୀ ଲୋକସଭା ଓ ବିଧାନସଭାରେ ଆମେ ଅଧିକ ସଂଖ୍ୟକ ମହିଳା ପ୍ରତିନିଧିଙ୍କ ଉପସ୍ଥିତି ଆଶା କରିପାରିବା କି?