Categories
ଆଜିର ଖବର ଜାତୀୟ ଖବର ସିନେମା

୫୪ତମ ଆଇଏଫ୍ଏଫ୍ଆଇରେ ସମ୍ମାନିତ ହେଲେ ସୁପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ

ନୂଆଦିଲ୍ଲୀ: ସୁପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ସମ୍ମାନ ପ୍ରଦାନ ସ୍ବରୂପ ଭାରତର ୫୪ତମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି’ ପାଇଁ ପୁରସ୍କୃତ କରାଯାଇଛି। ୪ ଦଶନ୍ଧିର ଚମତ୍କାର କ୍ୟାରିୟର ସହ ମାଧୁରୀ ଦୀକ୍ଷିତ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଅବିସ୍ମରଣୀୟ ଛାପ ଛାଡ଼ିଛନ୍ତି। କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର, ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ଏବଂ ଗୋଆର ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି ଗୋଆର ପାନାଜୀଠାରେ ଆୟୋଜିତ ୫୪ତମ ଆଇଏଫ୍ଏଫ୍ଆଇର ଉଦଘାଟନୀ ସମାରୋହରେ ଏହି ପୁରସ୍କାର ଘୋଷଣା କରିଛନ୍ତି।

କେନ୍ଦ୍ର ସୂଚନା ଓ ପ୍ରସାରଣ ଏବଂ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରି କହିଛନ୍ତି, “ଦୀର୍ଘ ଦିନ ଧରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା, ମାଧୁରୀ ଦୀକ୍ଷିତ ଅସାଧାରଣ ଦକ୍ଷତା ବଳରେ ଚାରି ଦଶନ୍ଧି ଧରି ଅତୁଳନୀୟ ପ୍ରତିଭା ସହିତ ଆମ ପରଦାର ଶୋଭା ବଢାଇ​‌ ଆସିଛନ୍ତି।”

ବିବିଧ ଚରିତ୍ରକୁ ଜୀବନ୍ତ କରିବାର ତାଙ୍କର ଦକ୍ଷତା ପିଢୀ ପରେ ପିଢୀ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଛି। ମାଧୁରୀ ଦୀକ୍ଷିତଙ୍କ ଅସାଧାରଣ ସଫଳତା ଏବଂ ଭାରତୀୟ ସିନେମାରେ ତାଙ୍କର ସ୍ଥାୟୀ ପ୍ରଭାବର ପ୍ରମାଣ ହେଉଛି ‘ଭାରତୀୟ ସିନେମାରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ପୁରସ୍କାର’। ୧୯୮୦, ୧୯୯୦ ଏବଂ ୨୦୦୦ ଦଶକର ପ୍ରାରମ୍ଭରେ ହିନ୍ଦୀ ଚଳଚ୍ଚିତ୍ରର ଅଗ୍ରଣୀ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ୬ଟି ଫିଲ୍ମଫେୟାର ପୁରସ୍କାର ପାଇଥିଲେ ଏବଂ ରେକର୍ଡ ୧୪ ଥର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ମାଧୁରୀ ଦୀକ୍ଷିତ ‘ଅବୋଧ’ (୧୯୮୪)ରୁ ତାଙ୍କର ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ତେଜାବ (୧୯୮୮) ଜରିଆରେ ବ୍ୟାପକ ଲୋକପ୍ରିୟତା ହାସଲ କରିଥିଲେ। ୨୦୧୪ରେ ତାଙ୍କୁ ଭାରତରେ ୟୁନିସେଫର ସଦଭାବନା ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫ୍‌ଏଫ୍‌ଆଇର ପାନୋରମା ସେକ୍ସନ ପାଇଁ ଏନ୍‌ଡିଏଫସି ପକ୍ଷରୁ ଫିଚର ଓ ଅଣଫିଚର ଫିଲ୍ମ ଆହ୍ୱାନ

ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନୋଡାଲ ଏଜେନ୍ସି ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ (ଏନ୍‌ଏଫଡିସି)ଭାରତୀୟ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବ (ଆଇଏଫ୍‌ଏଫ୍‌ଆଇ) ଆୟୋଜନ  କରୁଛି। ଏହି ସଂସ୍ଥା ଏହି ଚଳଚ୍ଚିତ୍ର ଉତ୍ସବର ପାନୋରମା (ପରିଦୃଶ୍ୟ) ବିଭାଗରେ ପ୍ରଦର୍ଶନ ପାଇଁ ଉଭୟ ଫିଚର ଓ ଅଣଫିଚର ଫିଲ୍ମର ପ୍ରବେଶ ନିନ୍ତେ ସମ୍ପୃକ୍ତ ପ୍ରଯୋଜକ ଓ ନିର୍ମାତାଙ୍କ ଠାରୁ ଆବେଦନ ଆହ୍ୱାନ କରିଛି। ଚଳିତବର୍ଷ (୨୦୨୩) ନଭେମ୍ବର ୨୦ରୁ ୨୮ପର୍ଯ୍ୟନ୍ତ ଗୋଆରେ ଆୟୋଜିତ ହେଉଥିବା ଆଇଏଫ୍‌ଏଫ୍‌ଆଇର ପାନୋରମା ବିଭାଗରେ ଏସବୁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ।

ଇଣ୍ଡିଆନ ପାନୋରମା ସେକ୍ସନ ଆଇଏଫ୍‌ଏଫ୍‌ଆଇ ଏକ ପ୍ରମୁଖ ସମ୍ପତ୍ତି। ଏହା ଭାରତୀୟ ଭାଷାରେ ନିର୍ମିତ ତଥା ବିଚାରକ ମଣ୍ଡଳୀ ଦ୍ୱାରା ବଛାଯାଇଥିବା ଚଳଚ୍ଚିତ୍ରଗୁଡିକୁ ପ୍ରୋତ୍ସାହିତ କରିବାକୁ ଆଗ୍ରହୀ। ଏସବୁ ଫିଚର ଓ ଅଣଫିଚର ଫିଲ୍ମ ଭାରତ ଓ ବିଦେଶରେ ଆୟୋଜିତ ଆନ୍ତର୍ଜାତିକ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ହୋଇଥିବା ବାଂଛନୀୟ। ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମରେ ପ୍ରଦର୍ଶିତ ଭାରତୀୟ ଚଳଚ୍ଚିତ୍ରମାନ ମଧ୍ୟ ଏଥିରେ ପ୍ରବେଶ କରିବାକୁ ଯୋଗ୍ୟ ହେବେ।

ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୨୬ଟି ଫିଚର ଓ ୨୧ଟି ଅଣଫିଚର ଫିଲ୍ମ ପ୍ରଦର୍ଶିତ ହେବାକୁ ବଛାଯିବ। ବିଚାରକ ମଣ୍ଡଳୀଙ୍କ ଚୂଡାନ୍ତ ବିଚାର ପରେ ସମ୍ପୃକ୍ତ ଚଳଚ୍ଚିତ୍ରଗୁଡିକୁ ପ୍ରବେଶ ଅନୁମତି ମିଳିବ। ଚଳଚ୍ଚିତ୍ରଗୁଡିକୁ ସିନେମାଟିକ, ଥେମାଟିକ, ଆସଥେଟିକ ଓ ଏକ୍ସଲେନ୍ସ (କଳାତ୍ମକ, ବିଷୟବସ୍ତୁ, ସୌନ୍ଦର୍ଯ୍ୟବୋଧ ଓ ଉତ୍କର୍ଷ) ଭିତ୍ତିରେ ବଛାଯିବ।

ଏହି ଏଣ୍ଟ୍ରି ପାଇଁ ଯୋଗ୍ୟତା ଓ ସବିଶେଷ ତଥ୍ୟ ଆଇଏଫ୍‌ଏଫଆଇ ୱେବସାଇଟ୍‌ରେ ଉପଲବ୍ଧ। ଏଥିରେ ଦୁଇଟି ମୌଳିକ ଯୋଗ୍ୟତା ଅନିବାର୍ଯ୍ୟ ରଖାଯାଇଛି। ତାହା ହେଲା ପ୍ରତ୍ୟେକ ଫିଲ୍ମରେ ଇଂରାଜୀ ସବ୍‌ଟାଇଟଲ ଥିବ ଏବଂ ସମ୍ପୃକ୍ତ ଫିଲ୍ମ ୨୦୨୨ ଅଗଷ୍ଟ ୩୦ ତାରିଖରୁ ୨୦୨୩ ଜୁଲାଇ ୩୧ ତାରିଖ ସୁଦ୍ଧା ତିଆରି ହୋଇଥିବ କିମ୍ବା ଏହି ସମୟ ମଧ୍ୟରେ ସେନ୍ନସର ବୋର୍ଡର ସାର୍ଟିଫିକେଟ ହାସଲ କରିଥିବ। ଫିଲ୍ମ ଦାଖଲର ଶେଷ ତାରିଖ ୨୦୨୩  ଅଗଷ୍ଟ ୧୦ତାରିଖ ରଖାଯାଇଛି।

Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫ୍‌ଏଫ୍‌ଆଇର ୫୩ତମ ସଂସ୍କରଣରେ ଭାରତୀୟ ପାନୋରମା ବର୍ଗକୁ ଉଦ୍‌ଘାଟନ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: ଗୋଆରେ ଅନୁଷ୍ଠିତ ୫୩ତମ ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫଏଫଆଇ)ରେ ଇଣ୍ଡିଆନ୍ ପାନୋରାମା ବର୍ଗ ଆରମ୍ଭ ହୋଇଛି। ଭାରତର ବିଭିନ୍ନ ସ୍ଥାନରୁ ଏକାଠି ହୋଇଥିବା ଫିଲ୍ମ ଗୁଡିକ ବଡ ପରଦାରେ କାହାଣୀକୁ ଜୀବନ୍ତ କରିବାର ପ୍ରତିଶ୍ରୁତି ସହିତ ଇଣ୍ଡିଆନ ପାନୋରାମା ଆରମ୍ଭ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର ଏହାକୁ ଉଦଘାଟନ କରିଥିଲେ।

ଏହି ଉଦ୍‌ଘାଟନୀ ସମାରୋହରେ ଦର୍ଶକମାନଙ୍କୁ ଚଳିତ ବର୍ଷ ପାଇଁ ଭାରତୀୟ ପାନୋରାମା ୨୦୨୨ ବର୍ଗ ଅଧୀନରେ ୨୫ଟି ଫିଚର୍ ଏବଂ ୨୦ଟି ଅଣ- ଫିଚର୍ ଫିଲ୍ମଗୁଡିକୁ ଆଇଏଫ୍‌ଏଫ୍‌ଆଇର ବିଧିବଦ୍ଧ ପ୍ରକ୍ରିୟା ମାଧ୍ୟମରେ ଚୟନ କରାଯାଇଛି।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ସେହି ଚଳଚ୍ଚିତ୍ର ନିର୍ମାତା ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି , ଯେଉଁ ମାନଙ୍କର ଚଳଚ୍ଚିତ୍ର ଆଇଏଫ୍‌ଏଫ୍‌ଆଇରେ ପ୍ରଦର୍ଶିତ ହେଉଛି। ସମସ୍ତ ଚଳଚ୍ଚିତ୍ର ଦେଖିବା ପାଇଁ ସମୟ ଦେଇଥିବାରୁ ଏବଂ ଭାରତୀୟ ପାନୋରାମା ପାଇଁ ସେଗୁଡିକ ମଧ୍ୟରୁ ସର୍ବୋତ୍ତମ ଚଳଚ୍ଚିତ୍ର ଚୟନ କରି ଥିବାରୁ ସେ ବିଚାରକ ମଣ୍ଡଳୀର ସମସ୍ତ ସଦସ୍ୟମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ସମାବେଶକୁ ସମ୍ବୋଧିତ କରି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର କହିଥିଲେ ଯେ, ଭାରତୀୟ ପାନୋରାମା ବିଭାଗ ଅଧୀନରେ ଦେଶର ସମସ୍ତ ଅଞ୍ଚଳରୁ ସର୍ବୋତ୍ତମ ଚଳଚ୍ଚିତ୍ର ପ୍ରଦର୍ଶନ କରାଯିବ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଉଦ୍‌ଘାଟନୀ ଚଳଚ୍ଚିତ୍ର ହାଦିନେଲେନ୍ତୁ(ଫିଚର) ଏବଂ ଦି ସୋ ମଷ୍ଟ୍ ଗୋ ଅନ୍ (ଅଣ – ଫିଚର)ର ଫିଲ୍ମ ନିର୍ମାତା ମାନଙ୍କୁ ସମ୍ମାନିତ କରିଥିଲେ।

-‘ଦି ସୋ ମଷ୍ଟ ଗୋ ଅନ୍‌’ ଫିଲ୍ମର ନିର୍ଦ୍ଦେଶକ ଦିବ୍ୟା କୋୱାସଜୀଙ୍କୁ ଅନୁରାଗ ସିଂହ ଠାକୁର ସମ୍ମାନିତ କରୁଛନ୍ତି।

-ଅନୁରାଗ ସିଂ ଠାକୁର ହାଦିନେଲେନ୍ତୁ ଚଳଚ୍ଚିତ୍ରର ନିର୍ଦ୍ଦେଶକ ପୃଥ୍ୱୀ କୋନାନୁରଙ୍କୁ ସମ୍ମାନିତ କରୁଛନ୍ତି

ଅଣ- ଫିଚର ଚଳଚ୍ଚିତ୍ର ବର୍ଗର ଉଦଘାଟନୀ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଦିବ୍ୟା କୋୱାସଜୀ କହିଛନ୍ତି ଯେ, “ଲକଡାଉନ୍ ସମୟରେ ଯେତେବେଳେ ମୁଁ ମୋ ଭାଇଙ୍କ ସହ ଘରେ ରହିଥିଲି। ସେ ମଧ୍ୟ ଜଣେ ଚଳଚ୍ଚିତ୍ର ନିର୍ମାତା। ଆମେ ନିଷ୍ପତ୍ତି ନେଇଥିଲୁ ଯେ ପୁରୁଣା ପାର୍ସୀ ରଙ୍ଗମଞ୍ଚର ଥିଏଟର କଳାକାରଙ୍କ ରିହର୍ସାଲ୍ ସମୟରେ ସୁଟ୍ ହୋଇଥିବା ଫିଲ୍ମର ଫୁଟେଜ୍‌କୁ ଏଡିଟ୍ କରିବୁ। ୩୦ ବର୍ଷରୁ ଅଧିକ ସମୟ ମଞ୍ଚରୁ ଦୂରରେ ରହିବା ପରେ ସେମାନେ ଏକ ଅନ୍ତିମ ଶୋ ପାଇଁ ଏକାଠି ହୋଇଥିଲେ। ମୁଁ ପାର୍ସୀ ଥିଏଟରର ମହାନ ବ୍ୟକ୍ତିତ୍ବଙ୍କ ପ୍ରେମରେ ପଡି ଯାଇଥିଲି , ଯେତେବେଳେ ସେମାନଙ୍କର ଶେଷ ଅଭିନୟର ଏଡିଟ୍ ହୋଇ ନଥିବା ଫୁଟେଜଗୁଡିକୁ ସମ୍ପାଦନା କରୁଥିଲି। ମୁଁ ଗର୍ବର ସହିତ କହିପାରେ ଯେ ଏହି ଚଳଚ୍ଚିତ୍ରଟି ସମ୍ପାଦନା ଟେବୁଲରେ ହିଁ ସୃଷ୍ଟି ହୋଇଛି।

ଦି ଶୋ ମଷ୍ଟ ଗୋ ଅନ୍‌

ଫିଚର୍ ଫିଲ୍ମ ବର୍ଗର ଉଦଘାଟନୀ ଚଳଚ୍ଚିତ୍ର ହାଦିନେଲେନ୍ତୁ ହେଉଛି ନିର୍ଦ୍ଦେଶକଙ୍କ ଚତୁର୍ଥ ଚଳଚ୍ଚିତ୍ର ଏବଂ ଏହା ମଧ୍ୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ବୁସାନ୍ ୨୦୨୨ ରେ ପ୍ରିମିୟର୍ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ପୃଥ୍ୱୀ କୋନାନୁର ଏହି ଚଳଚ୍ଚିତ୍ରକୁ ସମ୍ମାନ ଏବଂ ସ୍ୱୀକୃତି ପାଇଁ ଆଇଏଫ୍‌ଏଫ୍‌ଆଇକୁ ଧନ୍ୟବାଦ ଜଣାଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ଆମ ସମୟର ସହରୀ ସମାଜରେ କିଶୋରମାନେ ସମ୍ମୁଖୀନ ହେଉଥିବା ସମ୍ବେଦନଶୀଳ ପ୍ରସଙ୍ଗ ଗୁଡ଼ିକ ସହିତ ଜଡିତ।

ଭାରତୀୟ ପାନୋରମା ହେଉଛି ଆଇଏଫ୍‌ଏଫ୍‌ଆଇର ଏକ ପ୍ରମୁଖ ଉପାଦାନ ଯେଉଁଥିରେ ଚଳଚ୍ଚିତ୍ର କଳାର ପ୍ରଚାର ପାଇଁ ସମସାମୟିକ ସର୍ବଶେଷ୍ଠ ଭାରତୀୟ ଚଳଚ୍ଚିତ୍ର ଗୁଡିକୁ ଚୟନ କରାଯାଇଥାଏ। ଭାରତୀୟ ଚଳଚ୍ଚିତ୍ର ତଥା ଭାରତର ସମୃଦ୍ଧ ସଂସ୍କୃତି ଏବଂ ସିନେମା କଳାକୁ ପ୍ରୋତ୍ସାହିତ କରିବା ପାଇଁ ଏହା ୧୯୭୮ ରେ ଆଇଏଫ୍‌ଏଫ୍‌ଆଇର ଏକ ଅଂଶ ଭାବରେ ଉପସ୍ଥାପିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ବିଚାରକ ମଣ୍ଡଳୀର ସଦସ୍ୟମାନଙ୍କୁ ମଧ୍ୟ ସମ୍ମାନିତ କରିଥିଲେ।

ଭାରତୀୟ ପାନୋରମାର ଚୟନ ସିନେମା ଜଗତର ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା କରାଯାଇଛି, ଯେଉଁଥିରେ ଫିଚର ଚଳଚ୍ଚିତ୍ର ପାଇଁ ସମୁଦାୟ ୧୨ ଜଣ ଜୁରି ସଦସ୍ୟ ଏବଂ ଅଣ – ଫିଚର ଚଳଚ୍ଚିତ୍ର ପାଇଁ ୬ ଜଣ ଜୁରି ସଦସ୍ୟ ସାମିଲ୍ ହୋଇଛନ୍ତି, ଯାହାର ନେତୃତ୍ୱ ସମ୍ପୃକ୍ତ ଅଧ୍ୟକ୍ଷ କରିଥାନ୍ତି। ସେମାନଙ୍କର ବ୍ୟକ୍ତିଗତ ଜ୍ଞାନକୌଶଳ ପ୍ରୟୋଗ କରି ବିଶିଷ୍ଟ ବିଚାରକ ମଣ୍ଡଳୀ ସହମତି ପାଇଁ ସମାନ ଭାବରେ ସହଯୋଗ କରନ୍ତି  ଯାହା ସମ୍ପୃକ୍ତ ବର୍ଗର ଭାରତୀୟ ପାନୋରମା ଚଳଚ୍ଚିତ୍ର ଚୟନ ଆଡକୁ ନେଇ ଯାଇଥାଏ।

ବାର ଜଣ ସଦସ୍ୟଙ୍କୁ ନେଇ ଫିଚର ଫିଲ୍ମ ଜୁରି, ଖ୍ୟାତନାମା ନିର୍ଦ୍ଦେଶକ ତଥା ସମ୍ପାଦକ, ଅଧ୍ୟକ୍ଷ ବିନୋଦ ଗଣତ୍ରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ୬ ଜଣ ସଦସ୍ୟଙ୍କୁ ନେଇ ଅଣ- ଫିଚର୍ ଫିଲ୍ମ ଜୁରି, ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା, ନିର୍ମାତା, ଲେଖକ ତଥା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ଓନାମ୍ ଡୋରେନ୍‌ଙ୍କ ଦ୍ୱାରା ପରିଚାଳିତ ହୋଇଥିଲା।

ଭାରତୀୟ ପାନୋରାମା ବିଭାଗ ପାଇଁ ମନୋନିତ ଚଳଚ୍ଚିତ୍ର, ଚଳଚ୍ଚିତ୍ର କଳାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ, ଭାରତ ତଥା ବିଦେଶରେ ଥିବା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ, ଦ୍ୱିପାକ୍ଷିକ ସାଂସ୍କୃତିକ ବିନିମୟ କାର୍ଯ୍ୟକ୍ରମ ଏବଂ ସ୍ୱତନ୍ତ୍ର ଭାରତୀୟ ଚଳଚ୍ଚିତ୍ର ଅଧୀନରେ ଆୟୋଜିତ ଭାରତୀୟ ଚଳଚ୍ଚିତ୍ର ସପ୍ତାହରେ ମଧ୍ୟ ଅଣ- ଲାଭକାରୀ ଫିଲ୍ମ ସ୍କ୍ରିନିଂ ପାଇଁ ପ୍ରଦର୍ଶିତ ହେବ।

ଭାରତୀୟ ପାନୋରମାରେ ଆରମ୍ଭ ହୋଇଥିବା ଚଳଚ୍ଚିତ୍ର ବିଷୟରେ:

ଦ୍ୱାଦଶ ଶ୍ରେଣୀର ଛାତ୍ର ଦୀପା ଏବଂ ହରି, ଦୀପାଙ୍କ ଫୋନରେ ଶନିବାର ଅପରାହ୍ନରେ କଲେଜ ସମୟ ପରେ ଏକ ଶ୍ରେଣୀ ଗୃହରେ ସେମାନଙ୍କର ଅନ୍ତରଙ୍ଗ ମୁହୂର୍ତ୍ତ ଗୁଡ଼ିକୁ ରେକର୍ଡ କରନ୍ତି। ସୋମବାର ସେମାନଙ୍କୁ ପ୍ରିନ୍ସିପାଲ୍ ଡକାଇ ସେମାନଙ୍କୁ ଡରାଇ କହିଛନ୍ତି ଯେ ସେମାନଙ୍କର ଭିଡିଓ ବର୍ତ୍ତମାନ ଇଣ୍ଟରନେଟରେ ଅଛି। ସେମାନଙ୍କ ପରିବାର ଭାଙ୍ଗି ପଡିଛନ୍ତି। କଲେଜ ପ୍ରଶାସନ ସେମାନଙ୍କ ଭାଗ୍ୟ ନିର୍ଣ୍ଣୟ କରି ସେମାନଙ୍କୁ ସ୍କୁଲ୍‌ରୁ ବାହାରି ଯିବାକୁ ସ୍ଥିର କରିଥାନ୍ତି। କିନ୍ତୁ ଯେତେବେଳେ ଜାତିର ପ୍ରଶ୍ନ ସାମ୍ନାକୁ ଆସେ, ଜିନିଷ ଗୁଡ଼ିକ ନିୟନ୍ତ୍ରଣ ବାହାରକୁ ଚାଲିଯାଏ।

ଦି ଶୋ ମଷ୍ଟ ଗୋ ଅନ୍:

ଦଶନ୍ଧି ଦଶନ୍ଧି ଧରି ନିଷ୍କ୍ରିୟତା ପରେ, ପାର୍ସୀ ଥିଏଟରର ପୁରୁଣା ପ୍ରତୀକ ଗୁଡିକ ଏକ ଅନ୍ତିମ ପରଦା ପାଇଁ ମଞ୍ଚକୁ ଫେରି ଆସିଛନ୍ତି। କିନ୍ତୁ ଅନ୍ତିମ ଶୋ’ ପୂର୍ବ ସନ୍ଧ୍ୟାରେ କଳାକାର ମାନଙ୍କ ସହିତ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ଏହା ସବୁ କିଛି ବଦଳାଇବ କି? କିମ୍ବା ଶୋ ଚାଲିବ କି?

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ ସିନେମା

ଆଇଏଫ୍‌ଏଫ୍‌ଆଇର ଉଦ୍‌ଘାଟନ ଫିଲ୍ମର ୱାର୍ଲ୍ଟ ପ୍ରିମିୟରରେ ଅଂଶ ଗ୍ରହଣ କଲେ କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ: “ଭାରତୀୟ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ସାରା ବିଶ୍ୱର ଚଳଚ୍ଚିତ୍ର ନିର୍ଦ୍ଦେଶକ ମାନଙ୍କ ପ୍ରତିଭା ଓ କୃତି ପ୍ରଦର୍ଶନ ପାଇଁ ଏକ ମଞ୍ଚରେ ପରିଣତ ହୋଇଛି। ଭାରତ ନିଶ୍ଚିତ ଭାବେ ଚଳଚ୍ଚିତ୍ରର ସହ-ନିର୍ମାଣ, ନିର୍ମାଣ ପରବର୍ତ୍ତୀ କାର୍ଯ୍ୟ , ଚଳଚ୍ଚିତ୍ର ସୁଟିଂ ତଥା ଫିଲ୍ମ କ୍ଷେତ୍ରରେ ପ୍ରଯୁକ୍ତି ସହଭାଗୀ ମାନଙ୍କ ପାଇଁ ଏକ କେନ୍ଦ୍ରସ୍ଥଳୀରେ ପରିଣତ ହେବ।’’ ଏହା କହିଛନ୍ତି କେନ୍ଦ୍ର ସୂଚନା ଓ ପ୍ରସାରଣ ତଥା ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ ଅନୁରାଗ ସିଂହ ଠାକୁର। ଆଜି ଗୋଆ ଠାରେ ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣକୁ ଆରମ୍ଭ କରି ସେ ଏହା କହିଥିଲେ।

ଆଇଆଇଏଫ୍‌ଆଇର ୫୩ତମ ସଂସ୍କରଣରେ ପ୍ରଦର୍ଶିତ ହେବାକୁ ଥିବା ପ୍ରଥମ ଫିଲ୍ମ ଅଷ୍ଟ୍ରୀୟ ନିର୍ଦ୍ଦେଶକ ଡାଏଟର୍ ବର୍ଣ୍ଣରଙ୍କ ଚଳଚ୍ଚିତ୍ର ଆଲ୍‌ମା ଏଣ୍ଡ ଓସ୍କାରର ୱାର୍ଲ୍ଡ ପ୍ରିମିୟର ସମ୍ପର୍କରେ ମନ୍ତ୍ରୀ ସୂଚନା ଦେଇ ଦେଇଥିଲେ। ସେ କହିଥିଲେ ଯେ ପ୍ରତି ବର୍ଷ ଏହି ଉତ୍ସବ ଦିନକୁ ଦିନ ବଡ ହେବାରେ ଲାଗିଛି। ଚଳିତ ବର୍ଷ ଏଠାରେ ଅନେକ ଫିଲ୍ମର ପ୍ରିମିୟର୍ ହେବାର ଅଛି। ଚଳିତ ବର୍ଷ ଆଇଏଫ୍‌ଏଫ୍‌ଆଇରେ  ୭୯ ରୁ ଅଧିକ ଦେଶ ଗୁଡିକର ୨୮୦ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି।

ଅନୁରାଗ ସିଂହ ଠାକୁର କହିଥିଲେ ଯେ, ପ୍ରଥମ ଥର ପାଇଁ ଆଇଏଫ୍‌ଏଫ୍‌ଆଇର ଉଦଘାଟନୀ ସମାରୋହ ପୂର୍ବରୁ ଏକ ଉଦ୍‌ଘାଟନୀ ଚଳଚ୍ଚିତ୍ର ପ୍ରଦର୍ଶିତ ହେଉଛି। ପ୍ରତି ବର୍ଷ ଆମେ କିଛି ଅଲଗା କରିବାକୁ ଚେଷ୍ଟା କରୁଛୁ। ‘ଭବିଷ୍ୟତର ୭୫ ଯୁବ ସୃଜନଶୀଳ ନିର୍ମାତା’ଙ୍କୁ ଚୟନ କରିବା ଭଳି ପଦକ୍ଷେପ ଠାରୁ ଆରମ୍ଭ କରି ବିଶ୍ୱ ପ୍ରିମିୟର୍ ପର୍ଯ୍ୟନ୍ତ ଏଥିରେ ସାମିଲ୍ କରାଯାଇଛି। ଅନ୍ତର୍ଜାତୀୟ ଚଳଚ୍ଚିତ୍ର ପେସାଦାର ମହୋତ୍ସବରେ ଅଧିକ ସଂଖ୍ୟାରେ ଅଂଶ ଗ୍ରହଣ କରିବେ ବୋଲି ମନ୍ତ୍ରୀ ଆଶାବ୍ୟକ୍ତ କରି କହିଥିଲେ।

ଆଜି ଗୋଆର ପଣଜୀ ଠାରେ ଆରମ୍ଭ ହୋଇଥିବା ଆଇଏଫଏଫଆଇରେ ଆଇନକ୍ସ ଜରିଆରେ ପ୍ରଥମ ଚଳଚ୍ଚିତ୍ର ଆଲ୍‌ମା ଏଣ୍ଡ ଓସ୍କାରର ଭବ୍ୟ ପ୍ରଦର୍ଶନ ହୋଇଥିଲା। ଏଥିରେ  ସୂଚନା ଓ ପ୍ରସାରଣ ଏବଂ ମତ୍ସ୍ୟ ସମ୍ପଦ, ପଶୁପାଳନ ଏବଂ ଡାଏରୀ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍‌, ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ର, ଆଲ୍‌ମା ଏଣ୍ଡ ଓସ୍କାର ଚଳଚ୍ଚିତ୍ରର କଳାକାର ମାନଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ଆଇଏଫ୍‌ଏଫ୍‌ଆଇ ଦ୍ୱାରା ଗୋଆର ଚାରିଆଡେ ସୃଷ୍ଟି ହୋଇଥିବା ମନୋରମ ତଥା ଉତ୍ସବର ପରିବେଶ ସମ୍ପର୍କରେ ଡଃ ଏଲ୍  ମୁରୁଗନ୍ କହିଥିଲେ ଯେ, ଆଇଏଫ୍‌ଏଫ୍‌ଆଇ ସମଗ୍ର ବିଶ୍ୱକୁ  ସଂଯୋଗ କରୁଛି। ଏହି ମହୋତ୍ସବରେ ସାରା ବିଶ୍ୱରୁ ଚଳଚ୍ଚିତ୍ର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି। ଆଇଏଫ୍‌ଏଫ୍‌ଆଇ ଆମ ଭାରତୀୟ ସଂସ୍କୃତିକୁ ସାରା ବିଶ୍ୱରେ ବ୍ୟାପକ କରୁଛି ବୋଲି ସେ କହିଥିଲେ।

ନିର୍ଦ୍ଦେଶକ ଡାଏଟର ବର୍ଣ୍ଣର୍ ଉାବାବେଗରେ ପରିପୂର୍ଣ୍ଣ ପ୍ରେମ କାହାଣୀ ‘ଆଲ୍‌ମା ଏଣ୍ଡ ଓସ୍କାର’ ବିଷୟରେ ସୂଚନା ଦେଇ ଦର୍ଶାଇ ଥିଲେ ଯେ ଏହି ଚଳଚ୍ଚିତ୍ରଟି ଜଣେ ବିଖ୍ୟାତ ଭିଏନା ମହିଳା ଆଲ୍‌ମା ମହଲରଙ୍କ ବିଷୟରେ, ଯିଏ ସୁନ୍ଦର ତଥା ସାହସୀ ଥିଲେ ଏବଂ ସାମାଜିକ ପ୍ରଥାକୁ ଚ୍ୟାଲେଞ୍ଜ କରିଥିଲେ। ଓସ୍କାର କୋକୋସ୍କା ନାମକ ଜଣେ  ନାଟ୍ୟକାର ତଥା ଚିତ୍ରକରଙ୍କୁ ସେ ପ୍ରେମ କରୁଥିଲେ। ଯାହା ଉଭୟଙ୍କୁ ଆତ୍ମ – ବିନାଶର ସୀମାକୁ ଆଣିଥିଲା ଏବଂ କଳା ଇତିହାସରେ ଏକ ଛାପ ଛାଡି ଯାଇଥିଲା।

ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣର ଉଦ୍‌ଘାଟନୀ ଫିଲ୍ମ ନିମନ୍ତେ ରେଡ୍ କାର୍ପେଟ୍‌ର ଝଲକ।

ରେଡ୍ କାର୍ପେଟ୍‌ରେ ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣର ଉଦ୍‌ଘାଟନୀ ଫିଲ୍ମ ‘ଆଲ୍‌ମା ଆଣ୍ଡ ଓସ୍କାର’ର ପ୍ରଦର୍ଶନ ନିମନ୍ତେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ ପହଞ୍ଚିଛନ୍ତି।

‘ଆଲ୍‌ମା ଆଣ୍ଡ ଓସ୍କାର’ର ନିର୍ମାତା ଏବଂ କଳାକାରଙ୍କ ସହିତ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏବଂ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗନ୍।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଅଷ୍ଟ୍ରିଆ ଫିଲ୍ମ ‘ଆଲ୍‌ମା ଆଣ୍ଡ ଓସ୍କାର’ର ନିର୍ଦ୍ଦେଶକ ଡାଏଟର୍ ବର୍ଣ୍ଣରଙ୍କୁ ସମ୍ମାନିତ କରଛନ୍ତି।

ଆଇଏଫ୍‌ଏଫ୍‌ଆଇ ୫୩ ତମ ସଂସ୍କରଣରେ ଫିଲ୍ମ ‘ଆଲ୍‌ମା ଆଣ୍ଡ ଓସ୍କାର’ର ସ୍କ୍ରିନିଂ ଏବଂ ୱାର୍ଲ୍ଡ ପ୍ରିମିୟରରେ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଫିଲ୍ମର ସଦସ୍ୟମାନେ।

Categories
ଆଜିର ଖବର ଜାତୀୟ ଖବର ସିନେମା

୫୩ତମ ଆଇଏଫଏଫଆଇ ସମସ୍ତ ପ୍ରତିନିଧିଙ୍କୁ ଅନନ୍ୟ ସିନେମା ଅନୁଭୂତି ପ୍ରଦାନ କରିବ: ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଆଇଏଫ୍‍ଏଫ୍‍ଆଇର ୫୩ତମ ସଂସ୍କରଣର ସଫଳତା ପାଇଁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି।

ଏସିଆର ଅନ୍ୟତମ ପୁରାତନ ଚଳଚ୍ଚିତ୍ର ମହୋତ୍ସବର ଆୟୋଜକ ତଥା ଅଂଶଗ୍ରହଣକାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି ଅନ୍ତର୍ଜାତୀୟ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଆଇଏଫ୍‍ଏଫ୍‍ଆଇର ଅବଦାନକୁ ସୂଚିତ କରିଛନ୍ତି। ଏପରି କରିବା ଦ୍ୱାରା, ଚଳଚ୍ଚିତ୍ର ମହୋତ୍ସବ ଦକ୍ଷିଣ ଏସିଆର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗାଯୋଗ ପ୍ଲାଟଫର୍ମ ଭାବେ କାର୍ଯ୍ୟ କରିଆସୁଛି, ଚଳଚ୍ଚିତ୍ର ନିର୍ମାତା, କଳାକାର, ଶିଳ୍ପ ବିଶେଷଜ୍ଞ ଏବଂ ସିନେମା ପ୍ରେମୀମାନଙ୍କୁ ମତ ବିନିମୟ ଏବଂ ସେମାନଙ୍କର ସମୃଦ୍ଧ ଅନୁଭୂତି ବାଣ୍ଟିବାକୁ ସକ୍ଷମ କରାଏ ବୋଲି ରାଷ୍ଟ୍ରପତି କହିଛନ୍ତି।

ରାଷ୍ଟ୍ରପତି ଦର୍ଶାଇଛନ୍ତି ଯେ ସିନେମାର ମୂଲ୍ୟ ସୃଜନଶୀଳତା ଏବଂ ମନୋରଞ୍ଜନର ମାଧ୍ୟମ। ସିନେମା ଏକ ମାଧ୍ୟମ ଯାହା ଦୃଶ୍ୟ, ଶବ୍ଦ ଏବଂ କାହାଣୀ କୌଶଳକୁ ଏକ ଗତିଶୀଳତା ପ୍ରଦାନ କରେ। ରାଷ୍ଟ୍ରପତି କହିଛନ୍ତି ଯେ ସେ ନିଶ୍ଚିତ ଯେ ଆଇଏଫ୍‍ଏଫ୍‍ଆଇର ୫୩ ତମ ସଂସ୍କରଣ ସମସ୍ତ ଉତ୍ସବର ପ୍ରତିନିଧିଙ୍କ ପାଇଁ ଅନନ୍ୟ ସିନେମା ଅନୁଭୂତି ପ୍ରଦାନ କରିବ।

Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫ୍‌ଏଫ୍‌ଆଇର ୫୩ତମ ସଂସ୍କରଣ ନିମନ୍ତେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆଇଏଫ୍‌ଏଫ୍‌ଆଇ, ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ସିନେମା ଦ୍ୱାରା ମିଳିତ ବିଭିନ୍ନ ଦେଶ ଗୁଡିକର ତଥା ସମାଜର ପ୍ରତିନିଧି ମାନଙ୍କ ମଧ୍ୟରେ ଏକ ଉତ୍ସାହଜନକ ସମନ୍ୱୟକୁ ପ୍ରୋତ୍ସାହିତ କରିଥାଏ। ଆଇଏଫ୍‌ଏଫ୍‌ଆଇକୁ ଭାରତର ସବୁଠୁ ବଡ ଚଳଚ୍ଚିତ୍ର ମହୋତ୍ସବ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଥିଲେ ଯେ “ଗୋଆରେ ଏକତ୍ରିତ ଏହି କ୍ଷୁଦ୍ର – ଦୁନିଆ ମଧ୍ୟରେ ପାରସ୍ପରିକ ବାର୍ତ୍ତାଳାପ ଦ୍ୱାରା କଳା ଜଗତକୁ ଗଭୀର ରୂପେ ବୁଝିବା ଏବଂ ନୂତନ କଥା ଶିଖିବା ନିମନ୍ତେ ସୁଯୋଗ ମିଳିବ।”

ପ୍ରଧାନମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଥିଲେ ଯେ, ଆଇଏଫ୍‌ଏଫ୍‌ଆଇ ଏବଂ ଭାରତୀୟ ସିନେମା ବିଶ୍ୱ ମଞ୍ଚରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି। “ବିଭିନ୍ନ ଭାରତୀୟ ଭାଷା ଗୁଡିକରେ ଚଳଚ୍ଚିତ୍ର ଅଧିକ ପରିମାଣରେ ଆନ୍ତର୍ଜାତୀୟ ଦର୍ଶକ ମାନଙ୍କ ନିକଟରେ ପହଞ୍ଚୁଛି ଏବଂ ସାରା ବିଶ୍ୱରେ ଏହାକୁ ପ୍ରଶଂସା କରା ଯାଉଛି।”

ପ୍ରଧାନମନ୍ତ୍ରୀ ଉଭୟ ସାମାଜିକ ଗତିଶୀଳତାକୁ ପ୍ରତିଫଳିତ କରିବା ଏବଂ ଆକାର ଦେବା କ୍ଷେତ୍ରରେ ସିନେମାର ଭୂମିକା ଉପରେ ନିଜର ବିଚାର ସମ୍ପର୍କରେ କହିଥିଲେ। “ଏବେ ଏକ ଶତାବ୍ଦୀରୁ ଅଧିକ ସମୟ ଧରି ସିନେମା ସାରା ବିଶ୍ୱରେ ଲୋକ ମାନଙ୍କର କଳ୍ପନା ଉପରେ କବଜା କରି ନେଇଛି। ସିନେମା ଆମ ସମୟର ସାମାଜିକ ଗତିଶୀଳତାକୁ ଦର୍ଶାଇବା ସହିତ ଏହାକୁ ଆକାର ପ୍ରଦାନ କରିଥାଏ”  ବୋଲି ସେ କହିଥିଲେ।”

ପ୍ରଧାନମନ୍ତ୍ରୀ ସାମାଜିକ ପରିବର୍ତ୍ତନ ଆଣିବାରେ ଚଳଚ୍ଚିତ୍ର ଗୁଡିକର କାହାଣୀ କହିବାର ଶକ୍ତି ଏବଂ ଭାରତୀୟ ଭାଷାରେ କାହାଣୀ କହିବାର କଳାର ସମୃଦ୍ଧ ଇତିହାସ ଏବଂ କଳା ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ। “ପ୍ରତିବନ୍ଧକକୁ ଅତିକ୍ରମ କରିବା ଏବଂ ଦର୍ଶକଙ୍କ ସହିତ ଏକ ଭାବନାତ୍ମକ ସମ୍ପର୍କ ସ୍ଥାପନ କରିବା ପାଇଁ ଚଳଚ୍ଚିତ୍ର ଗୁଡ଼ିକର ଏକ ଅନନ୍ୟ ଦକ୍ଷତା ଅଛି। ଚଳଚ୍ଚିତ୍ର ଗୁଡିକ ସେମାନଙ୍କର ଶକ୍ତିଶାଳୀ କାହାଣୀ ମାଧ୍ୟମରେ ଲୋକ ମାନଙ୍କର ମନୋରଞ୍ଜନ କରିଥାଏ, ଶିକ୍ଷିତ କରେ କିମ୍ବା ପ୍ରେରଣା ଯୋଗାଇ ଥାଏ। ସାମାଜିକ ପରିବର୍ତ୍ତନର ଏକ ବାହକ ହେବାରେ ଚଳଚ୍ଚିତ୍ର ଗୁଡିକର ପ୍ରଭାବଶୀଳତା ପ୍ରକୃତରେ ଅତୁଳନୀୟ। ଭାରତ ଏକ ସମୃଦ୍ଧ ଏବଂ ବିବିଧ ସଂସ୍କୃତି ସହିତ ଆଶୀର୍ବାଦ ପ୍ରାପ୍ତ ଦେଶ, ଯାହା ହେଉଛି ଆଧୁନିକତା ସହିତ ପରମ୍ପରାର ମିଶ୍ରଣ। ବିଭିନ୍ନ ଭାରତୀୟ ଭାଷାରେ ଗଦ୍ୟ, କବିତା, ସଙ୍ଗୀତ, ନୃତ୍ୟ, ନାଟକ, ଡ୍ରାମା ଠାରୁ ଆରମ୍ଭ କରି ସିନେମା ପର୍ଯ୍ୟନ୍ତ କାହାଣୀ କହିବାର ଇତିହାସ ଏବଂ କଳା ଆମ ଜୀବନ୍ତ ସାମାଜିକ- ସାଂସ୍କୃତିକ ପରିଦୃଶ୍ୟକୁ ପାଳନ କରିବାରେ ସକ୍ଷମ କରେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ,  ଗୋଆ ଏହି ଉତ୍ସବ ନିମନ୍ତେ ଏକ ଉପଯୁକ୍ତ ସ୍ଥାନ ଏବଂ ଏହା ଉତ୍ସବର ପ୍ରତିନିଧି ମାନଙ୍କୁ ନୂତନ ବିଚାର ସହିତ ଆସିବା ପାଇଁ ପ୍ରେରଣା ଯୋଗାଇବ ଯାହା ଫଳରେ ସିନେମାକୁ ଲଗାତର ବୃଦ୍ଧି ପାଉଥିବା ଦର୍ଶକ ମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ସକ୍ଷମ କରା ଯାଇପାରିବ। “ନିଜର ସୁନ୍ଦର ପ୍ରକୃତି ଏବଂ ଜୀବନ୍ତ ସଂସ୍କୃତି ସହିତ ଗୋଆ ଆଇଏଫ୍‌ଏଫ୍‌ଆଇର ଆୟୋଜନ କରିବା ପାଇଁ ଉପଯୁକ୍ତ ପୃଷ୍ଠଭୂମି ପ୍ରଦାନ କରିଥାଏ। ମୋର ବିଶ୍ୱାସ ରହିଛି ଯେ , ଗୋଆ ଅଂଶଗ୍ରହଣକାରୀଙ୍କ ସୃଜନଶୀଳ କଳ୍ପନାକୁ ଉତ୍ସାହିତ କରିବ ଏବଂ ସେମାନଙ୍କୁ ନୂତନ ଚିନ୍ତାଧାରା ଆଣିବାକୁ ପ୍ରୋତ୍ସାହିତ କରିବ , ଯାହା ଫଳରେ ସିନେମାକୁ ଲଗାତାର ବୃଦ୍ଧି ପାଉଥିବା ଦର୍ଶକ ମାନଙ୍କ ନିକଟରେ ପହଞ୍ଚଇବା ପାଇଁ ସହାୟତା ମିଳି ପାରିବ।”

ପ୍ରଧାନମନ୍ତ୍ରୀ ଆଇଏଫ୍‌ଏଫ୍‌ଆଇର ୫୩ ତମ ସଂସ୍କରଣର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ।

Categories
ଆଜିର ଖବର ଜାତୀୟ ଖବର ସିନେମା

ଆଇଏଫ୍‌ଏଫ୍‌ଆଇ ୫୩ତମ ସଂସ୍କରଣର ଆଧିକାରିକ ସୂଚୀ ଉପସ୍ଥାପିତ

ମୁମ୍ବାଇ: ଜାପାନୀ ଲେଖକ ହାରୁକି ମୁରାକାମି କହିଛନ୍ତି ଯେ, “ଯଦି ଆପଣ କେବଳ ସେହି ବହି ଗୁଡିକ ପଢ଼ୁଛନ୍ତି, ଯାହା ଅନ୍ୟ ସମସ୍ତେ ପଢ଼ୁଛନ୍ତି, ଆପଣ କେବଳ ତାହା ଚିନ୍ତା କରି ପାରିବେ, ଯାହା ଅନ୍ୟମାନେ ଚିନ୍ତା କରୁଛନ୍ତି।” ଯେହେତୁ ଏବେ ଆମେ ଆଇଏଫ୍‌ଏଫ୍‌ଆଇ ଭଳି ଫିଲ୍ମ ଉତ୍ସବ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛୁ, ବୋଧହୁଏ ଏହା ହେଉଛି ସେହି ସମୟ, ଯେତେବେଳେ ଆମେ ନିଜକୁ କହୁଛୁ, କେବଳ ସେହି ଚଳଚ୍ଚିତ୍ର ଦେଖିବା ପାଇଁ ଯାହାକୁ ଅନ୍ୟମାନେ ଦେଖୁଛନ୍ତି, ତେବେ ଆମେ କେବଳ ତାହା ଭାବି ପାରିବା, ସେଭଳି ବଂଚିବା ଏବଂ ଅନୁଭବ କରିପାରିବା ଯାହା ଅନ୍ୟ ସମସ୍ତେ ଅନୁଭବ କରନ୍ତି?

ଆଜ୍ଞା ହଁ, ଆମେ ବିଶ୍ୱାସ କରିଥାଉ ଅନେକ ବୈଶିଷ୍ଟ୍ୟ ଗୁଡିକ ମଧ୍ୟରୁ ଗୋଟିଏ ଯାହା ଚଳଚ୍ଚିତ୍ର ମହୋତ୍ସବକୁ ସ୍ୱତନ୍ତ୍ର କରିଥାଏ, ତାହା ହେଉଛି ସେମାନଙ୍କ ଦ୍ୱାରା ଉପସ୍ଥାପନ କରା ଯାଉଥିବା କଳାତ୍ମକ ଉତ୍କର୍ଷତାର ଚମତ୍କାର ସଂଗ୍ରହ। ବର୍ତ୍ତମାନର ଏହି ୫୩ତମ ସଂସ୍କରଣରେ, ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ବିଭିନ୍ନ ଲକ୍ଷ୍ୟ ଗୁଡିକ ମଧ୍ୟରୁ ଗୋଟିଏ ଲକ୍ଷ୍ୟ ହେଉଛି – ଉଭୟ ଭାରତୀୟ ତଥା ଆନ୍ତର୍ଜାତୀୟ ସିନେମାର ସର୍ବଶ୍ରେଷ୍ଠ କୃତି ଗୁଡିକ ସହିତ ଭାରତ ତଥା ବିଦେଶର ଦର୍ଶକଙ୍କୁ ପରିଚିତ କରାଇବା।

ତେବେ, ଠିକ୍ ଅଛି। ଏବେ ଯେତେବେଳେ ଆମେ ଚଳଚ୍ଚିତ୍ରର ଉତ୍ସବ ଆରମ୍ଭ କରିବାକୁ ଯାଉଛୁ, ଆମେ ଆପଣ ମାନଙ୍କ ପାଇଁ ମହୋତ୍ସବର ପ୍ୟାଲେଟ୍ ପ୍ରସ୍ତୁତ କରୁଛୁ। ଭାରତୀୟ ସିନେମା ଏବଂ ଆନ୍ତର୍ଜାତୀୟ ସିନେମାର ସୂଚୀ ଉପରେ ନଜର ପକାନ୍ତୁ।

ଆଇଏଫ୍‌ଏଫ୍‌ଆଇ ୫୩ ପାଇଁ ଭାରତୀୟ ସିନେମା କାଟାଲଗ୍ (ସୂଚୀ ) ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଏବଂ ଆଇଏଫ୍‌ଏଫ୍‌ଆଇ ୫୩ ପାଇଁ ଅନ୍ତର୍ଜାତୀୟ ସିନେମା କାଟାଲଗ୍ (ସୂଚୀ ) ଦେଖିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଆମେ ଆଶା କରୁଛୁ ଯେ, ଏହା ଗୋଆ ଠାରେ ବ୍ୟକ୍ତିଗତ ଭାବରେ ଆଇଏଫ୍‌ଏଫ୍‌ଆଇରେ ଯୋଗ ଦେଉଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ଅଧିକରୁ ଅଧିକ ଭଲ ଫିଲ୍ମ ବାଛିବାରେ ସାହାଯ୍ୟ କରିବ। ଏହି ଉତ୍ସବ ଦ୍ୱାରା ଅନୁପ୍ରାଣିତ ହେବା ପାଇଁ ଆପଣଙ୍କର ଇଚ୍ଛା ଉପରେ ଆଧାର କରି ଆପଣଙ୍କ ଉତ୍ସବର ଯୋଜନା କରିବାକୁ  ଏବେ ପ୍ରସ୍ତୁତ ହୋଇ ଯାଆନ୍ତୁ।

ଏବଂ ଯଦି ଆପଣ ଗୋଆରେ ବ୍ୟକ୍ତିଗତ ଭାବରେ ଏହି ଉତ୍ସବରେ ଯୋଗ ଦେଉ ନାହାଁନ୍ତି, ଆମେ ଆଶା କରୁଛୁ ଯେ, ଏହି ସୁବିଧା ଆପଣଙ୍କୁ ଶାରୀରିକ ସ୍ତରରେ ନହେଲେ ମଧ୍ୟ, ଅନ୍ତତଃ ମନ, ହୃଦୟ ଏବଂ ପ୍ରାଣରେ ଯୋଗ ଦେବାକୁ ପ୍ରେରଣା ଯୋଗାଇବ।