Categories
ଆଜିର ଖବର ଆଞ୍ଚଳିକ

ଚିଲିକା ନିର୍ବାଚନମଣ୍ଡଳୀରେ ଏହି ସବୁ ଗ୍ରାମ ଏବଂ ୱାର୍ଡକୁ କରାଗଲା କଣ୍ଟେନମେଣ୍ଟ

ସୀତାରାମ ଅଗ୍ରୱାଲ

ଚିଲିକା: କରୋନା ମହାମାରୀ ବର୍ତ୍ତମାନ ତାର କରାଳ ରୂପ ଖୋର୍ଦ୍ଧା ଜିଲ୍ଲାରେ ଦେଖାଉଛି। ବିଶେଷ କରି ଚିଲିକା ନିର୍ବାଚନମଣ୍ଡଳୀ ରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାବେଳେ ବର୍ତ୍ତମାନ ଏହା ସର୍ବାଧିକ ସ୍ଥାନକୁ ପହଁଚିଛି ଯାହା ବର୍ତ୍ତମାନ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନର ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ଅପରପକ୍ଷେ କରୋନା ରେ ମୃତକଙ୍କ ସଂଖ୍ୟା ମଧ୍ୟ ଚିଲିକା ନିର୍ବାଚନମଣ୍ଡଳୀ ରେ ବଢିଚାଲିଛି।

ଗତକାଲି କୋଭିଡରେ ବାଣପୁର ଏବଂ ବାଲୁଗାଁ ଏନ.ଏ.ସି ର ତିନି ଜଣ ବ୍ୟକ୍ତି ପ୍ରାଣ ହରାଇଥିବାର ସୂଚନା ଅଛି। ଯାହାକି ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛି। ପ୍ରତିଦିନ ଜିଲ୍ଲା ଉଚ୍ଚ ଅଧିକାରୀମାନେ ବାଲୁଗାଁ ଏବଂ ବାଣପୁରରେ ତୁହାକୁ ତୁହା ବୈଠକ କରୁଛନ୍ତି। ଗତକାଲି ଖୋର୍ଦ୍ଧା ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲାପାଳ ଏବଂ ଖୋର୍ଦ୍ଧା ଉପଜିଲ୍ଲାପାଳ ବାଲୁଗାଁ ଏନ.ଏ.ସି ସଭାଗୃହ ମଧ୍ୟରେ କରୋନାକୁ ପ୍ରତିହିତ କରିବା ପାଇଁ ବୈଠକ କରିଥିବାବେଳେ ଆଜି ଖୋର୍ଦ୍ଧା ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ବାଣପୁର ଏନ.ଏ.ସି ସଭାଗୃହ ମଧ୍ୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହ କରୋନା ସମୀକ୍ଷା ବୈଠକ କରିଥିଲେ। କିନ୍ତୁ ଯାହା ଜଣାପଡୁଛି ଚିଲିକାରେ ସବୁ ରଣନୀତି ଏକ ରକମର ଫେଲ ମାରୁଛି। କରୋନା ଦିନକୁ ଦିନ ଚିଲିକା ନିର୍ବାଚନମଣ୍ଡଳୀରେ ହୁ ହୁ ହୋଇ ବଢୁଛି। ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନମଣ୍ଡଳୀର ଏକାଧିକ ଗାଁ ଏବଂ ଉଭୟ ଏନ.ଏ.ସି ର ଦୁଇ ଗୋଟି ୱାର୍ଡକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ଚିଲିକା ବ୍ଲକ-

ନିମିକ୍ଷେତା ଗ୍ରାମ ପଞ୍ଚାୟତର ବେଲପଡା ଗ୍ରାମ, ବଡକୁଳ ଗ୍ରାମ ପଞ୍ଚାୟତର ଖଡ଼ିକାପଲ୍ଲୀ ଗ୍ରାମ ଏବଂ ଅଠରବାଟିଆ ଗ୍ରାମ ପଞ୍ଚାୟତର ଛେଡ଼ାପଦର ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୧୬.୦୯.୨୦ ଠାରୁ ତା୨୬.୦୯.୨୦ ଯାଏଁ କଟକଣା ଜାରି ରହିବ।

ବାଲୁଗାଁ ଏନ.ଏ.ସି-

ସେହିପରି ବାଲୁଗାଁ ଏନ.ଏ.ସି ର ୧୧ ନମ୍ବର ୱାର୍ଡ ସରଳାପଦର ଗ୍ରାମକୁ ତା ୧୬.୦୯.୨୦ ରୁ ୨୬.୦୯.୨୦ କଣ୍ଟେନମେଣ୍ଟ କଟକଣା ଜାରି ରହିବ।

ବାଣପୁର ବ୍ଲକ-

ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଗମେଇଁ ଏବଂ ବଡ଼ସିରେଇପୁର ଗ୍ରାମ, ଭେଟେଶ୍ୱର ଗ୍ରାମ ପଞ୍ଚାୟତର ବୋରିଗାଁ ଗ୍ରାମ, ବିଷ୍ଣୁଡିହ ଗ୍ରାମ ପଞ୍ଚାୟତର ଖଣତ ଗ୍ରାମ, ମୋରାମୋରି ଗ୍ରାମ ପଞ୍ଚାୟତର ସଲପଡିହ, ମୋରାମୋରି ଗ୍ରାମ ଏବଂ ୭ ନମ୍ବର ୱାର୍ଡ କନ୍ଧ ଆମ୍ବଝର, ନନ୍ଦପୁର ଗ୍ରାମ ପଞ୍ଚାୟତର ନନ୍ଦପୁର ଗ୍ରାମ ଏବଂ ଆୟତପୁର ଗ୍ରାମ ପଞ୍ଚାୟତର ଆୟତପୁର ଗ୍ରାମ ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହି ଗ୍ରାମ ଗୁଡିକରେ ଆଜି ତା ୧୬.୦୯.୨୦ ଠାରୁ ୨୩.୦୯.୨୦ ଯାଏଁ କଟକଣା ଜାରି ରହିବ।

ବାଣପୁର ଏନ.ଏ.ସି-

ସେହିପରି ବାଣପୁର ଏନ.ଏ.ସି ର ୧୦ ନମ୍ବର ୱାର୍ଡ ତଳସାହିକୁ ୧୬.୦୯.୨୦ ରୁ ୨୩.୦୯.୨୦ ପର୍ଯ୍ୟନ୍ତ କଟକଣା ଜାରି ରହିବ।

Categories
ଆଞ୍ଚଳିକ

ବାଣପୁରରେ ୟୋର୍ସ ହୋପ ଫାଉଣ୍ଡେସନ ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ

ସୀତାରାମ ଅଗ୍ରୱାଲ

ବାଣପୁର: ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ବ କରୋନା ମହାମାରୀ କବଳରେ କବଳିତ। ଏଥିରୁ ବାଦ୍ ପଡ଼ିନାହିଁ ଓଡିଶା। ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳରେ କରୋନା ମହାମାରୀ ଏହାର କାୟ ବିସ୍ତାର କରିଚାଲିଛି। ଏହାକୁ ଦୃଷ୍ଟିରେ ରଖି ଗତକାଲି ସାମାଜିକ ସ୍ବେଛାସେବୀ ସଂଗଠନ ‘ ୟୋର୍ସ ହୋପ ଫାଉଣ୍ଡେସନ’ ର ପ୍ରତିଷ୍ଠାତା ଶ୍ରୀମତୀ ରୀନରାଣୀ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସିମାଞ୍ଚଳ ସ୍ୱାଇଁ, ବାଣପୁର ବ୍ଲକ ସମ୍ପାଦକ ମୁକେଶ କୁମାର ଜେନା, ଚିଲିକା ବ୍ଲକ୍ ସମ୍ପାଦକ ସଂଗ୍ରାମ ରଣା ଏବଂ ସଦସ୍ୟା ସଙ୍ଗୀତା ସ୍ୱାଇଁ, ପୁନମ୍ ସ୍ୱାଇଁ ପ୍ରମୁଖଙ୍କ ପ୍ରଚେଷ୍ଟାରେ ବାଣପୁର ଏନ.ଏ.ସି ଅନ୍ତର୍ଗତ ରଙ୍କନାଥ ପାଟଣା, ବାଣପୁର ଉପ କାରାଗାର ଏବଂ ଲଡ଼ୁକେଶ୍ୱର ଵୃଦ୍ଧାଶ୍ରମକୁ ସମ୍ପୂର୍ଣ ବିଶୋଧନ କରାଯାଇଥିଲା।

ଏହାପରେ ରଙ୍କନାଥ ପାଟଣାର ଯୁବବାସିନ୍ଦା ଦେବୀପ୍ରସାଦ ଦଳାଇ, ସନ୍ତୋଷ ଜେନା, ବିଚିତ୍ର ଦଳାଇ, ସୁଚିତ୍ରା ଦଳାଇ ଏବଂ କିଛି ଭଦ୍ର ବ୍ୟକ୍ତିଙ୍କ ସହାୟତାରେ ଗ୍ରାମରେ କରୋନା ମହାମାରୀ ସମ୍ବନ୍ଧୀୟ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା। ଆଗାମୀ ଦିନରେ ଉକ୍ତ ସଂଗଠନ ତରଫରୁ ପର୍ଯ୍ୟାୟ କ୍ରମେ ବାଣପୁର ଏନ.ଏ.ସି ର ଅନ୍ୟାନ୍ୟ ଅଞ୍ଚଳ ଏବଂ ବାଣପୁର ବ୍ଲକ ଅଫିସ ସହ କିଛି ଗ୍ରାମକୁ ବିଶୋଧନ କରାଯିବାର ଲକ୍ଷ୍ୟ ରଖାଯାଇଅଛି ବୋଲି ସଂଗଠନର ପ୍ରତିଷ୍ଠାତା ଶ୍ରୀମତୀ ରୀନାରାଣୀ ସୂଚନା ଦେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

କରୋନା ସତ୍ତ୍ୱେ ରେଳବାଇ ନିଜର ମାଲ ପରିବହନ ପରିମାଣକୁ ଗତବର୍ଷ ସ୍ତରରେ ପହଞ୍ଚାଇ ପାରିଛି

ଭୁବନେଶ୍ବର, ଭାରତୀୟ ରେଳବାଇ କରୋନା ମହାମାରୀ ଆହ୍ୱାନ ସତ୍ତ୍ୱେ ଗତବର୍ଷର ଏହି ସମୟ ସୁଦ୍ଧା ମାଲ ପରିବହନ ଓ ତତ୍‌ଜନିତ ଆୟଠାରୁ ଅଧିକ ଅଧିକ ସଫଳତା ହାସଳ କରିଛି।  2020 ଅଗଷ୍ଟ 19 ସୁଦ୍ଧା ଭାରତୀୟ ରେଳବାଇ 3.11 ନିୟୁତ ଟନ ମାଲ ପରିବହନ କରିଥିଲା। ଏହା ଗତବର୍ଷର ଏହି ସମୟ ସୁଦ୍ଧା ହୋଇଥିବା ମାଲ ପରିବହନ ଠାରୁ ଅଧିକ। ଗତବର୍ଷ ଏହି ସମୟ ସୁଦ୍ଧା ମାଲ ପରିବହନ ପରିମାଣ ଥିଲା 2.97 ନିୟୁତ ଟନ। 2020 ଅଗଷ୍ଟ 19 ସୁଦ୍ଧା ଭାରତୀୟ ରେଳବାଇ ମାଲ ପରିବହନରୁ 306.1 କୋଟି ଟଙ୍କା ଆୟ କରିଛି। ଗତବର୍ଷର ଏହି ସମୟ ସୁଦ୍ଧା ଆୟଠାରୁ ଏହା 5.28 କୋଟି ଟଙ୍କା ଅଧିକ।

ଗତବର୍ଷ ଏହି ସମୟରେ ଆୟ ଥିଲା 300 କୋଟି 28 ଲକ୍ଷ ଟଙ୍କା। 2020 ଅଗଷ୍ଟ 19 ତାରିଖ ସୁଦ୍ଧା ମାତ୍ର 19 ଦିନ ମଧ୍ୟରେ ମୋଟ ମାଲ ପରିବହନ ପରିମାଣ ଥିଲା 57.47 ନିୟୁତ ଟନ। ଏହା ଗତବର୍ଷର ଏହି ନିର୍ଦ୍ଦିଷ୍ଟ ସମୟର ମାଲ ପରିବହନ (53.65 ନିୟୁତ ଟନ) ଠାରୁ ଅଧିକ। ଅଗଷ୍ଟ ମାସର 19 ତାରିଖ ପର୍ଯ୍ୟନ୍ତ ଏହି ଅସଂପୂର୍ଣ୍ଣ ମାସରେ ଭାରତୀୟ ରେଳବାଇ 5461.21 କୋଟି ଟଙ୍କା ମାଲ ପରିବହନରୁ ଆୟ କରିଛି। ଗତବର୍ଷ ଏହି ସମୟରେ ଏହି ଆୟ ଥିଲା 5435.31 କୋଟି ଟଙ୍କା। ଏଥର ଏଥିରେ 25.9 କୋଟି ଟଙ୍କାର ବୃଦ୍ଧି ଘଟିଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦେଶରେ ସାମଗ୍ରୀ ଯୋଗାଣ ସ୍ଥିତିରେ ଉନ୍ନତି ଆଣିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକ୍ରମେ ଭାରତୀୟ ରେଳବାଇ ସମର୍ପିତଭାବେ ଅଧିକରୁ ଅଧିକ ସାମଗ୍ରୀ ପରିବହନରେ ଲାଗିଛି। ଏହା ଦେଶର ବିଭିନ୍ନ ଅଞ୍ଚଳକୁ ସାମଗ୍ରୀ ଯୋଗାଇ ଦେବା ସହ ବ୍ୟବସାୟୀ, ଖୁଚୁରା ବିକ୍ରେତା, ଯୋଗାଣକାରୀ ଏବଂ ଖାଉଟି ସମସ୍ତଙ୍କ ଆବଶ୍ୟକତା ପୂରଣ କରିଛି।

Categories
ବିଶେଷ ଖବର

କରୋନା ମହାମାରୀ ସମୟରେ ସବୁଠୁ ବେଶୀ ଅସହାୟ ଭାରତର ସାମ୍ବାଦିକ ଓ ସାମ୍ବାଦିକତା

କେଦାର ମିଶ୍ର

ଗତ ସୋମବାର ଦିନ ହଠାତ ଦିନ ଦୁଇଟା ବେଳେ ଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଏମ୍ସ ର ଚତୁର୍ଥ ମହଲାରୁ ତଳକୁ ଡେଇଁ ପଡି ଜଣେ ୩୭ ବର୍ଷର ଯୁବକ ଆତ୍ମହତ୍ୟା କଲେ। ତାଙ୍କ ନାମ ତରୁଣ ଶିଶୋଦିଆ ଓ ସେ ହିନ୍ଦୀ ଖବର କାଗଜ “ଦୈନିକ ଭାସ୍କର” ର ସାମ୍ବାଦିକ ଥିଲେ।କିଛି ଦିନ ଆଗରୁ ତରୁଣ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ବୋଲି ଜଣା ପଡିଥିଲା ଓ ତାଙ୍କର ଚିକିତ୍ସା ଚାଲିଥିଲା। କରୋନା ଆକ୍ରାନ୍ତ ହେବାପରେ ତାଙ୍କର ମାନସିକ ବିଚଳନ ଆରମ୍ଭ ହୋଇଥିଲା ଓ ତାଙ୍କର ଚାକିରି ଚାଲିଯାଇଥିବାର ଭୟ ତାଙ୍କୁ ବିବ୍ରତ କରୁଥିଲା ବୋଲି ଏବେ ସୂଚନ୍ନ ମିଳିଛି। ଏହା କେବଳ ତରୁଣ ଶିଶୋଦିଆଙ୍କର ବ୍ୟକ୍ତିଗତ କାହାଣୀ ନୁହେଁ, ଆପାତତଃ ଏହାକୁ କୋଭିଡ଼-୧୯ ପରବର୍ତ୍ତୀ ଭାରତୀୟ ସାମ୍ବାଦିକତାର କାହାଣୀ ବୋଲି କୁହାଯାଇପାରିବା। ପ୍ରତିଦିନ ଦେଶରେ ଶହ ଶହ ଗରିବ, ସଂକ୍ରମିତ ଏବଂ ଅସହାୟ ଲୋକଙ୍କର କାହାଣୀ କହୁଥିବା ଆମର ସାମ୍ବାଦିକମାନେ ଆଜି ସବୁଠୁ ବେଶୀ ଅସହାୟ। ଶହ ଶହ ସାମ୍ବାଦିକଙ୍କର ଚାକିରି ଚାଲିଯାଇଥିବାର ଖବର ଆଜିର ମୁଖ୍ୟ ଖବର ଅବଶ୍ୟ ନୁହେଁ। ଯେଉଁ ସାମ୍ବାଦିକ ଜଣକ ଟେଲିଭିଜନ ଆଗରେ କରୋନା ସମୟର କରୁଣ କାହାଣୀ କହୁଛି, ସେ ନିଜେ ଯେ କେତେ ଅସହାୟ ସେକଥା କହିବାକୁ କେହି ନାହାନ୍ତି।

କରୋନା ସଂକ୍ରମଣ ଆରମ୍ଭ ହେବା ପୂର୍ବରୁ ଦେଶରେ ଯେତେବେଳେ ଆର୍ଥିକ ମାନ୍ଦାବସ୍ଥା ଆରମ୍ଭ ହୋଇଥିଲା, ତାର ଶିକାର ସାମ୍ବାଦିକ ଓ ଗଣମାଧ୍ୟମ ସଂସ୍ଥାର କର୍ମଚାରୀମାନେ ହୋଇଥିଲେ। ଗତ ବର୍ଷେ ଭିତରେ ଅତିକମରେ ୫୦୦୦ରୁ ଅଧିକ ସାମ୍ବାଦିକଙ୍କର ଚାକିରି ଯାଇ ସାରିଥିଲା। ଦେଶର ପ୍ରମୁଖ ଜାତୀୟ ଖବର କାଗଜ ଓ ଟେଲିଭିଜନ ସଂସ୍ଥା ଆଖିବୁଜା ଛଟେଇ କରିବାର ପ୍ରକ୍ରିୟା ଆରମ୍ଭ କରିଥିଲେ। କୋଭିଡ-୧୯ ଛଟେଇ ସୁଯୋଗକୁ ଟିକେ ଅଧିକ ପ୍ରଶସ୍ତ କରିଦେଲା। କୋଭିଡ-୧୯ ସଂକ୍ରମଣ ଆରମ୍ଭ ହେଲାପରେ ଦେଶର ସବୁ ଗଣମାଧ୍ୟମ ସଂସ୍ଥାରେ ଏବେ ଛଟେଇ ପର୍ବ ଆରମ୍ଭ ହୋଇଛି। ସାମ୍ବାଦିକ ନୈତିକତା ଓ ସାମ୍ବାଦିକ ଅଧିକାର ଉପରେ ସର୍ବାଧିକ ଗୁରୁତ୍ଵ ଦେଉଥିବା ଦେଶର ଅନ୍ୟତମ   ଶକ୍ତିଶାଳୀ ଗଣମାଧ୍ୟମ ସଂସ୍ଥା “ଦି ହିନ୍ଦୁ” ଗତ ମାସରେ ହଠାତ ନିଜର ଶତାଧିକ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ବ୍ୟବସ୍ଥା ଲାଗୁ କରିଛି। “ଟାଇମ୍ସ ଅଫ ଇଣ୍ଡିଆ” ନିଜର ମାଗାଜିନ ଓ ରବିବାର ସଂସ୍କରଣରେ କାମ କରୁଥିବା ସବୁ ସାମ୍ବାଦିକଙ୍କୁ ହଠାତ ବରଖାସ୍ତ କରି ଦେଇଛି। “ଦି ଇଣ୍ଡିଆନ ଏକ୍ସପ୍ରେସ” କର୍ମଚାରୀଙ୍କ ଦରମାରୁ ୧୦ ରୁ ୩୦% ହ୍ରାସ କରିଛି।

ସାମ୍ବାଦିକମାନେ ବର୍ତ୍ତମାନ ସମୟରେ ଆର୍ଥିକ, ସାମାଜିକ ଏବଂ ରାଜନୈତିକ ଆକ୍ରମଣର ଶିକାର ହେଉଛନ୍ତି। କରୋନା ସଂକ୍ରମଣ ସହିତ ଲଢେଇରେ ସାମ୍ବାଦିକମାନେ ଆଗୁଆ ସୂଚନାଦାତାର ଭୂମିକା ତୁଲାଇ ନିଜେ ସଂକ୍ରମଣର ଶିକାର ହେଉଛନ୍ତି। ଶହ ଶହ ସାମ୍ବାଦିକ ଏବେ କରୋନା ଆକ୍ରାନ୍ତ ହୋଇ ଭୂତାଣୁ ସହିତ ଲଢେଇ କରୁଛନ୍ତି। ଏ ପ୍ରକାର ସଂଘର୍ଷ ସମୟରେ ସେମାନେ କାମ କରୁଥିବା ଗଣମାଧ୍ୟମର ମାଲିକମାନେ ସାମ୍ବାଦିକଙ୍କ ସହିତ ଦୃଢତାର ସହିତ ଠିଆ ହେବା ପରିବର୍ତ୍ତେ ସେମାନଙ୍କୁ ତୁରନ୍ତ ଚାକିରିରୁ ଛଟେଇ କରୁଛନ୍ତି। ବିଭିନ୍ନ ଆଳ ଦେଖାଇ ଏବେ ସାମ୍ବାଦିକଙ୍କୁ ଛଟେଇ କରିବାର ଏକ ଧାରା ସାରା ଭାରତରେ ଅବ୍ଯାହତ ରହିଛି।

ଓଡିଶାରେ ମଧ୍ୟ ସମାନ ଧାରାର ପ୍ରତିଫଳନ ଆମେ ଦେଖୁଛୁ। ଓଡିଶାରେ ଲକ ଡାଉନ ଆରମ୍ଭ ହେଲା କ୍ଷଣି ଓଡିଶାର ପ୍ରମୁଖ ସଂବାଦପତ୍ର ଗୁଡିକ ନିଜର କର୍ମଚାରୀମାନଙ୍କୁ ବିନା ଦରମାରେ ଛୁଟିରେ ଯିବାପାଇଁ ନିର୍ଦ୍ଦେଶ ଦେଇଥିଲେ। ସମୟକ୍ରମେ ଏହି ଛୁଟି ସ୍ଵାଭାବିକ ଛଟେଇର ରୂପ ନେଇଛି। ଓଡିଶାର ଅନେକ ଟେଲିଭିଜନ ଚାନେଲ ଓ ଖବର କାଗଜ ଇତିମଧ୍ୟରେ ନିଜର କର୍ମଚାରୀମାନଙ୍କୁ ବିଦା କରିବାର ପ୍ରକ୍ରିୟା ଅବ୍ଯାହତ ରଖିଛନ୍ତି। ବିନା କାରଣରେ କିମ୍ୱା ବିଭିନ୍ନ ଆଳରେ କର୍ମଚାରୀମାନଙ୍କୁ ବିଦା କରାଯାଉଛି। ଏହି ଛଟେଇ ପ୍ରକ୍ରିୟାରେ ସମ୍ପାଦକଙ୍କଠୁ ଆରମ୍ଭ କରି ସହ ସମ୍ପାଦକ ଓ ବିଜ୍ଞାପନ କର୍ମଚାରୀ ପର୍ୟନ୍ତ ସମସ୍ତେ ପ୍ରଭାବିତ ହେଉଛନ୍ତି। ଲକ ଡାଉନ ସମୟରେ ଗଣମାଧ୍ୟମକୁ ବିଜ୍ଞାପନ ରାଜସ୍ୱ କମିଯାଇଛି। ଏହାକୁ ଏକ ଆଧାର ଭାବେ ଗ୍ରହଣ କରି ଏବେ ସାମ୍ବାଦିକମାନଙ୍କ ପେଟରେ ନିତିଦିନ ଗୋଇଠାମାଡ ଚାଲିଛି।

ଅନ୍ୟ ଏକ ଘଟଣାକ୍ରମରେ ଓଡିଶାରେ କାମ କରୁଥିବା ଅନେକ ଜାତୀୟ ସମ୍ବାଦପତ୍ର ଓ ଟେଲିଭିଜନ ଚାନେଲର ସ୍ଥାନୀୟ ବ୍ଯୁରୋ କୁ ବନ୍ଦ କରିଦିଆଯାଇଛି। ଏହି ମାସ ଆରମ୍ଭରୁ “ଦି ବିଜିନେସ  ଷ୍ଟାଣ୍ଡାର୍ଡ” ର ଭୁବନେଶ୍ୱର ସଂସ୍କରଣକୁ ରାତାରାତି ବନ୍ଦ କରି ଦିଆ ଯାଇଛି। ସେହିପରି “ଦି ହିନ୍ଦୁ” ର ଓଡିଶା ଅଫିସକୁ ଏକପ୍ରକାର ବନ୍ଦ କରି ଦିଆଯାଇଛି। ଜୀ ନ୍ଯୁଜ ଏବଂ ନୁଜ-୧୮ ଟେଲିଭିଜନ ଚାନେଲରେ ମଧ୍ୟ କର୍ମଚାରୀ ସଂଖ୍ୟା କମାଯାଉଛି।

ଆର୍ଥିକ ଓ ସାମାଜିକ ଭାବରେ ସାମ୍ବାଦିକଙ୍କ ଜୀବନ ଏବେ ଦୁର୍ବିସହ ହୋଇ ପଡୁଥିବା ବେଳେ ରାଜନୈତିକ ଆକ୍ରୋଶ ରଖି ଅନେକ ସାମ୍ବାଦିକଙ୍କ ନାମରେ ବର୍ତ୍ତମାନ ସମୟରେ ଉଦ୍ଦେଶ୍ୟମୂଳକ ଭାବେ ପୁଲିସ ଅତ୍ୟାଚାର ବଢୁଛି। ଲକଡାଉନ ସମୟରେ ୧୫ ରୁ ଅଧିକ ସାମ୍ବାଦିକଙ୍କ ନାମରେ ବିଭିନ୍ନ ରାଜ୍ୟ ସରକାର ପୋଲିସ ମାମଲା ରୁଜୁ କରିଛନ୍ତି। କରୋନାର ପ୍ରକୋପରେ ସବୁଠୁ ଅଧିକ କ୍ଷତିଗ୍ରସ୍ତ କ୍ଷେତ୍ର ଭାବରେ ଏବେ ଗଣମାଧ୍ୟମ ମୂମୁର୍ଷୁ ଅବସ୍ଥାକୁ ଚାଲିଆସିଛି। ମନେ ରଖନ୍ତୁ, ଗଣମାଧ୍ୟମ ଉପରେ ଏ ବିପଦ ଭବିଷ୍ୟତରେ ଗଣତନ୍ତ୍ର ପାଇଁ ବିପଦର ସଙ୍କେତ!!

Categories
ଆଜିର ଖବର ବିଶେଷ ଖବର

ମହାମାରୀର ଅର୍ଥନୀତି ଓ ଅର୍ଥନୀତିର ମହାମାରୀ, ଏକ ଭୟଙ୍କର ଚକ୍ରବ୍ୟୁହରେ ଆମେ ସମସ୍ତେ

କେଦାର ମିଶ୍ର

ଓଡିଶାର ପ୍ରଥମ କ୍ଷୁଦ୍ରଗଳ୍ପ “ରେବତୀ” ଯେଉଁମାନେ ପଢିଥିବେ, ସେ ଗପର ପୃଷ୍ଠଭୂମିରେ ସେ ସମୟର ମହାମାରୀ ହଇଜାର ଭୀଷଣ ଚେହେରାକୁ ମଧ୍ୟ ଦେଖିଥିବେ। ଓଡ଼ିଆ କଥାସାହିତ୍ୟର ମହାନାୟକ ଫକୀର ମୋହନ ସେନାପତିଙ୍କ କଲମରେ ୧୫୦ ବର୍ଷ ତଳର ଓଡିଶାର ଜୀବନ ଚିତ୍ର ଓ ସେଥିରେ ମହାମାରୀର ଏକ ଅର୍ଥନୈତିକ ଚରିତ୍ର ଆମେ ଦେଖିଥିଲୁ। ହଇଜାରେ ପଡି ପାଟପୁର ଗାଁର କରଣ ଶ୍ୟାମବନ୍ଧୁ ମହାନ୍ତି ଯେତେବେଳେ ପ୍ରାଣ ହରାନ୍ତି, ତାର ତିନିମାସ ଭିତରେ ତାଙ୍କ ପରିବାରର ଅର୍ଥନୀତି ଭୁଷୁଡି ପଡେ। ଶ୍ୟାମବନ୍ଧୁଙ୍କ ଘର ଉଜୁଡିଯିବାର କାରଣ ହଇଜା ଯେତିକି ନୁହଁ, ତାଠୁ ଅଧିକ ଜମିଦାରଙ୍କର ଶୋଷଣ। ହଇଜା ପରେ ପରେ ଜମିଦାରଙ୍କର ଶୋଷଣ ଉତ୍କଟ ହୋଇଛି। ଖଜଣା ବାକି ରହିଛି ବୋଲି କହି ଶ୍ୟାମବନ୍ଧୁଙ୍କର ଦୁଇ ଦୁଧିଆଳୀ ଗାଈଙ୍କୁ ଜମିଦାର ଘର ପିଆଦା ବାନ୍ଧି ନେଇଛି। ଜମି କୋରଖ ହୋଇଛି। ମହାମାରୀ ଓ ଶାସକ ବର୍ଗର ଶୋଷଣ  କେମିତି ସମତାଳରେ ସମାଜ ଜୀବନକୁ ବିପର୍ଯ୍ୟସ୍ତ କରିପକାଏ ତାର କାହାଣୀ ଫକୀର ମୋହନ ଆମକୁ କହି ଯାଇଛନ୍ତି।

ତେବେ “ରେବତୀ” ରଚନାର ୧୨୫ ପରେ ବି ମହାମାରୀର ଚିତ୍ର ବଦଳିଛି କି? ଆଜି ୨୦୨୦ ମସିହାରେ ଯେତେବେଳେ ଏକ ଭୟଙ୍କର ମହାମାରୀର ଚିତ୍ର ଆମେ ଦେଖୁଛୁ, ସେତେବେଳେ ଫକୀର ମୋହନ ଆମକୁ ଅଧିକ ପ୍ରାସଙ୍ଗିକ ଲାଗୁଛନ୍ତି। କରୋନା ସମୟର ଯେଉଁ ଚିତ୍ର ଓ ଚରିତ୍ରମାନଙ୍କୁ ଆମେ ଦେଖୁଛୁ, ସେମାନେ ରେବତୀ ଗପରୁ ବାହାରି ଯେମିତି ଆଜିର ସମୟରେ ପହଞ୍ଚି ଯାଇଛନ୍ତି। ଲକ୍ଷ ଲକ୍ଷ ଲୋକ ଆଜି ରାସ୍ତାରେ ଘରକୁ ଫେରିବାକୁ ବିକଳ ହେଉଛନ୍ତି। ସେମାନେ ସରକାରୀ ଅବହେଳା ଓ ଶୋଷଣର ସବୁଠୁ ବଡ ଶିକାର। କୋଟି କୋଟି ଲୋକଙ୍କର ଆଜି ଜୀବିକା ଉଜୁଡି ଯାଇଛି। ମହାମାରୀର ଭୂତାଣୁ ଯେତିକି ଭୟଙ୍କର ନୁହେଁ, ତାଠୁ ଅଧିକ ଶୋଷଣ ଓ ଅମାନବୀୟ ଶାସନର ଚେହେରା ଆମେ ଦେଖୁଛୁ। ଲୋକଙ୍କୁ ମୃତ୍ୟୁ ମୁହଁରୁ ବଞ୍ଚାଇବା କଥା କହି ଲୋକଙ୍କ ମନରେ ଅଧିକ ଭୟ ପୂରେଇ ଦିଆ ଯାଇଛି।

ତେବେ ଏହି ସମୟର ସବୁଠୁ ବଡ ଖବର କିନ୍ତୁ ଆଉ ଗୋଟେ ଦିଗରୁ ଆସୁଛି। ଯେତେବେଳେ ଦେଶର ପାରମ୍ପରିକ କମ୍ପାନୀ ସବୁ ବୁଡି ଯାଉଛନ୍ତି, ସେତେବେଳେ ଗୋଟିଏ କମ୍ପାନୀ ମାଲାମାଲ ହୋଇ ଚାଲିଛି। କରୋନା ସଂକ୍ରମଣ ସମୟରେ ଏକମାତ୍ର ଭାରତୀୟ କମ୍ପାନୀ ସର୍ବାଧିକ ପୁଞ୍ଜି ଯୋଗାଡ କରିବାରେ ସମର୍ଥ ହୋଇଛି। କହିବା ବାହୁଲ୍ୟ ସେ ଆଉ କେହି ନୁହନ୍ତି, ଏ ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ। ଦେଶର ସବୁ ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନ ତାଲା ବନ୍ଦ ସମୟରେ କ୍ଷତି ସହୁଥିବା ସମୟରେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଲାଭ ଉଠାଇ ଚାଲିଛି। ମହାମାରୀ ସମୟରେ ସର୍ବାଧିକ ପୁଞ୍ଜି ବିନିଯୋଗର ଦୁଆର ଏହିଠାରେ ହିଁ ଖୋଲିଛି। ଦେଶର ଖୁଚୁରା ବଜାର, ଅତ୍ୟାବଶ୍ୟକ ସାମଗ୍ରୀ ବଜାର ଓ ଯୋଗାଯୋଗ କ୍ଷେତ୍ରରେ ଅମ୍ବାନୀ ପରିବାରର ପ୍ରଭାବ କରୋନା ସଙ୍କଟ ସମୟରେ ଅଧିକ ବଳଶାଳୀ ହୋଇଛି।

ଏହି ସମୟରେ କିନ୍ତୁ ସାଧାରଣ ମଣିଷର ମେରୁଦଣ୍ଡ ପୂରା ଭାଙ୍ଗି ଯାଇଛି। ଆଜି ଦେଶରେ ଅଭୂତପୂର୍ବ ଅର୍ଥନୈତିକ ସଙ୍କଟ ସୃଷ୍ଟି ହୋଇଛି। ହେଲେ ଅର୍ଥନୀତିକୁ ନେଇ ଆମର ଶାସକ ବର୍ଗ ଏମିତି ବ୍ୟବହାର ପ୍ରଦର୍ଶନ କରୁଛନ୍ତି, ଯେମିତି ସତରେ କିଛି ଘଟିନାହିଁ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ ଦେଶର ପ୍ରମୁଖ ଅର୍ଥନୀତିଜ୍ଞମାନେ କହୁଛନ୍ତି  ଦେଶର ଅର୍ଥନୈତିକ ଅଭିବୃଦ୍ଧି ନକାରାତ୍ମକ କ୍ଷେତ୍ରକୁ ଚାଲିଯିବ।ହେଲେ ସରକାର ଏ କଥାକୁ ଆଜି ମଧ୍ୟ ଆଡେଇ ଚାଲିଛନ୍ତି। ମହାମାରୀର ରାଜନୀତି ଆମର ଅର୍ଥନୀତିକୁ ଭୀଷଣ ଭାବରେ ପ୍ରଭାବିତ କରିବାକୁ ଯାଉଛି।

ଇତି ମଧ୍ୟରେ ବହୁ ବିଦେଶୀ ଓ ସ୍ଵଦେଶୀ କମ୍ପାନୀ ନିଜ କର୍ମଚାରୀମାନଙ୍କୁ ବିଦା କରି ସାରିଲେଣି। ଇଣ୍ଡିଆ ବୁଲ-୨୦୦୦, ଓଲା ୧୪୦୦, ଉବର ୬୫୦୦, ଜମାଟୋ ୫୦୦, ସ୍ଵିଗି ୧୦୦୦, ଓୟୋ ୫୦୦୦, ଏମିତି ଛଟେଇ କରୁଥିବା କମ୍ପାନୀମାନଙ୍କର ତାଲିକା ଏବେ ବହୁତ ଲମ୍ବା। ଏପରିକି କରୋନା ସଙ୍କଟ ସମୟରେ ସର୍ବାଧିକ ପୁଞ୍ଜି ଯୋଗାଡ କରିଥିବା ରିଲାଏନ୍ସ ନିଜ କର୍ମଚାରୀଙ୍କର ଦରମା କାଟ କରିଛି। ଉପର ସ୍ତରରେ ଛଟେଇ ଯେତେ ବ୍ୟାପକ ହେବ, ତଳ ସ୍ତରରେ ଏହାର ପ୍ରଭାବ ଅଧିକ ପଡିବ। ଲମ୍ବା ସମୟ ଧରି ଲକ ଡାଉନ ରହିବା ଫଳରେ ଅସଂଗଠିତ ବଜାର ଓ କର୍ମକ୍ଷେତ୍ର ସଂପୂର୍ଣ୍ଣ ଉଜୁଡି ଯାଇଛି। ଏଥିରୁ ମୁକୁଳିବାର ବାଟ କାହାକୁ ଜଣା ନାହିଁ।

ଏ ସମ୍ପର୍କରେ ଆଲୋଚନା କରିବାକୁ କୌଣସି ପେଷାଦାର ଅର୍ଥନୀତିଜ୍ଞ ବା ଅଭିଜ୍ଞ ରାଜନେତାଙ୍କ ସହ କଥା ହେବାକୁ ଆଜିର ସରକାର ଚାହୁଁନାହାନ୍ତି। ନୀତି ଆୟୋଗ ଏହି ସମୟରେ ନିଜକୁ ଏକ ପ୍ରକାର ତାଲା ବନ୍ଦ କରି ରଖିଛନ୍ତି। ତାଲା ବନ୍ଦର ପ୍ରଭାବରେ ମଇ ୧୫ ସୁଦ୍ଧା ଦେଶରେ କରୋନା ସଂକ୍ରମଣ ଶୂନ ହୋଇଯିବ ବୋଲି କହୁଥିଲେ। ଏଥିରୁ ନୀତି ଆୟୋଗର ବାସ୍ତବ ବୁଝାମଣାକୁ ଆମେ ବୁଝିପାରିବା।

ଆଗକୁ କରୋନା ମହାମାରୀ ସହିତ ଅର୍ଥନୀତିର ମହାମାରୀକୁ ମଧ୍ୟ ଆମକୁ ସାମ୍ନା କରିବାକୁ ପଡିବ। ଅତ୍ୟଧିକ ଆତ୍ମବିଶ୍ବାସର ସହିତ କାମ କରିବାକୁ ଭଲ ପାଉଥିବା ଆଜିର ସରକାର, ଏ କ୍ଷେତ୍ରରେ କଣ କରିବେ, ତାହା ବୋଧେ ତାଙ୍କୁ ବି ଜଣାନାହିଁ!! ଏଥିରେ ସାଧାରଣ ନାଗରିକ ବା କରିବ କଣ?

Categories
ଆଞ୍ଚଳିକ

ଅସହାୟଙ୍କୁ ସହାୟତାର ହାତ ବଢାଇଲେ ବରିଷ୍ଠ ଆଇନଜୀବୀ ସୁଶାନ୍ତ କାନୁନଗୋ

ରମେଶ ମହାନ୍ତି

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ବାଲିକୁଦା/ଏରସମା ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତ ମାନଙ୍କରେ ଗରିବ ଅସହାୟ ମାନଙ୍କୁ ମାସ୍କ, ସାବୁନ୍, ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରି ନିଜେ ନିଜକୁ ସ୍ୱଚ୍ଛ ରଖିବା ପାଇଁ ଲୋକମାନଙ୍କୁ ସଚେତନ କରାଇଛନ୍ତି ଜାତୀୟ ମାନବାଧିକାର କମିସନ ଓଡିଶା ଶାଖା ଏଆଇସିସି ର ରାଜ୍ୟ ସଂଯୋଜକ ତଥା ସୁପ୍ରିମକୋର୍ଟ ବରିଷ୍ଠ ଆଇନଜୀବୀ ଡକ୍ଟର ଶୁସାନ୍ତ କୁମାର କାନୁନଗୋ। ସାରା ବିଶ୍ୱକୁ କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ସଚେତନତା ବାର୍ତ୍ତା ପ୍ରସାରିତ କରି ଲୋକମାନଙ୍କୁ ସଚେତନତା କରାଯାଉଛି। ଏପରିକି ପେଟ ଚାଖଣ୍ଡକ ପାଇଁ କେତେକ ଲୋକ ନିଜ ଅଞ୍ଚଳ ଛାଡି ବାହାର ରାଜ୍ୟରେ ଦାଦନ ଖଟି ନିଜେ ବଞ୍ଚିବା ସହିତ ଉପାର୍ଜିତ ଅର୍ଥରୁ କିଛି ନିଜ ପରିବାର ପରିଜନଙ୍କ ଭରଣ ପୋଷଣ ନିମନ୍ତେ କିଛି ଅର୍ଥ ନିଜ ଘରକୁ ପଠାଉଥିଲେ କିନ୍ତୁ ଏବେ କୋରନା ପାଇଁ ସେମାନଙ୍କ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି।

ମାର୍ଚ୍ଚ ୨୬ ତାରିଖରୁ ସରକାର ରିଲିଫ ଘୋଷଣା କରିଥିଲେ ମଧ୍ୟ ତାହା ଲୋକଙ୍କ ପାଖରେ ଏବେ ଅପହଁଚ ହେଇ ରହିଥିବା ସାଧାରଣ ଲୋକଙ୍କ ଠାରୁ ଜଣାଯାଇଛି। ଏପରି ମହାମାରୀ ସମୟରେ ଅସହାୟ ଗରିବ ପରିବାରଙ୍କୁ ବରିଷ୍ଠ ଆଇନଜୀବୀ ଶ୍ରୀ କାନୁନଗୋ ସହାୟତାର ହାତ ବଢ଼ାଇଥିବାରୁ ଉକ୍ତ ଅଞ୍ଚଳର ଅଗ୍ନି କୁଣ୍ଡ, ଦୁଆ, ବଡ଼ଗା, କୁସୁପୁର ଗଡହରିଶପୁର, ଅlମ୍ବିକ, ଆଦି ଅଞ୍ଚଳରେ ତାଙ୍କୁ ଭୂୟସୀ ପ୍ରଶଂସାକରାଯାଉଛି।

Categories
ଆଞ୍ଚଳିକ

କରୋନା ମହାମାରୀକୁ ଦୃଷ୍ଟିରେ ରଖି ବାଣପୁର ସବ୍‌ ଜେଲକୁ ଆସିଲେ ଝାରପଡା ଜେଲର ୯୮ ଜଣ କଏଦୀ

ସୀତାରାମ ଅଗ୍ରଓ୍ବାଲ

ବାଣପୁର: ରାଜ୍ୟ ସରକାର କରୋନା ପାଇଁ ସବୁ ବିଭାଗରେ ସତର୍କତା ଅବଲମ୍ବନ କରୁଛନ୍ତି। କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସାରା ଓଡ଼ିଶାର ବିଭିନ୍ନ କାରାଗାରରେ ଥିବା କଏଦୀମାନଙ୍କ ସଂଖ୍ୟାକୁ ସୀମିତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଯେଉଁ କାରାଗାରରେ ଅଧିକ ସଂଖ୍ୟକ କଏଦୀ ଅଛନ୍ତି ସେମାନଙ୍କୁ ନିକଟସ୍ଥ କାରାଗାର କିମ୍ବା ଉପ କାରାଗାରକୁ ସ୍ଥାନାନ୍ତରଣ କରାଯାଉଅଛି। ଏହି କ୍ରମରେ ଗତ ମାର୍ଚ୍ଚ ମାସ ଶେଷ ସପ୍ତାହରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଉପ କାରଗାରକୁ ଭୁବନେଶ୍ବର ସ୍ଥିତ ଝାରପଡା କାରାଗାରରେ ଥିବା ୯୮ ଜଣ କଏଦୀକୁ ସ୍ଥାନାନ୍ତର କରାଯାଇଛି।

୨୦୦୮ ମସିହାରେ ନିର୍ମିତ ବାଣପୁର ଉପ କାରାଗାରରେ ପାଖାପାଖି  ୨୦୦ ଜଣ କଏଦୀ ରହିବା ପାଇଁ କ୍ଷମତା ଥିବାବେଳେ ସେଠାରେ ୪୨ ଜଣ କଏଦୀ ରହୁଥିଲେ। ଏବେ ଏହି ନୂତନ ୯୮ ଜଣ କଏଦୀଙ୍କୁ ମିଶାଇ ବାଣପୁର ଉପକାରାଗାରରେ ମୋଟ୍‌ ୧୪୦ ଜଣ କଏଦୀ ରହିଛନ୍ତି। ବାଣପୁରରେ ରହିଥିବା ମୂଳ ୪୨ ଜଣ କଏଦୀଙ୍କ ମଧ୍ୟରେ ଦୋଷୀ ସାବ୍ୟସ୍ତ ହୋଇଥିବା କଏଦୀଙ୍କ ସଂଖ୍ୟା ୮ ଜଣ ଥିବାବେଳେ ବିଚାରଧୀନ କଏଦୀ ହେଉଛନ୍ତି ୩୪ ଜଣ। ସେହିପରି ନୂତନ ଭାବେ ଝାରପଡାରୁ ସ୍ଥାନାନ୍ତର ହୋଇଥିବା ୯୮ ଜଣ କଏଦୀଙ୍କ ମଧ୍ୟରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨୩ ଜଣ କଏଦୀ ରହିଥିବାବେଳେ ବିଚାରଧୀନ କଏଦୀ ରହିଛନ୍ତି ୭୫ ଜଣ।

କରୋନାକୁ ଆଖି ଆଗରେ ରଖି ଜେଲ କର୍ତ୍ତୃପକ୍ଷଙ୍କ ଦ୍ୱାରା କଏଦୀ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଅଛି। କଏଦୀଙ୍କ ପରିଷ୍କାର ପରିଚ୍ଛନ୍ନତା ସହ କାରାଗାରରେ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱାରୋପ ଦିଆଯାଉଛି। ଜେଲରଙ୍କ ତରଫରୁ ସବୁ କଏଦୀ ମାନଙ୍କୁ ମାସ୍କ, ଲାଇଫ ବୟ ସାବୁନ ଓ ଡେଟଲ ସାନିଟାଇଜର ଯୋଗାଇ ଦିଆଯିବା ସହ ଅତିରିକ୍ତ ପାଣି ଟାଙ୍କିର ବ୍ୟବସ୍ଥା ମଧ୍ୟ କରାଯାଇଛି। କଏଦୀମାନଙ୍କ ଦ୍ବାରା ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟ କରାଯାଉଥିବାବେଳେ ପ୍ରତିଦିନ ଭିଡିଓ କନଫରେନ୍ସ ଦ୍ୱାରା ବିଭିନ୍ନ ବିଭାଗୀୟ ଅଦାଲତର ବିଚାରପତିଙ୍କ ସମ୍ମୁଖରେ ରିମାଣ୍ଡ ତାରିଖ ଅନୁଯାୟୀ କଏଦୀ ମାନଙ୍କୁ ହାଜିର କରାଯାଉଅଛି ବୋଲି ଜେଲ ସୁପରିଟେଣ୍ଡେଣ୍ଟ ସୁରେନ୍ଦ୍ର ନାଥ ବାରିକ ସୂଚନା ଦେଇଛନ୍ତି।