Categories
ଆଜିର ଖବର ଜାତୀୟ ଖବର

ଶ୍ରୀ ନାରାୟଣ ଗୁରୁଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ପୋଷ୍ଟ କରି କହିଛନ୍ତି ଯେ, “ଜ୍ଞାନ ଏବଂ ସାମାଜିକ ସଂସ୍କାରର ପ୍ରତୀକ, ଶ୍ରୀ ନାରାୟଣ ଗୁରୁଙ୍କୁ ତାଙ୍କ ଜୟନ୍ତୀ ଅବସରରେ ମନେ ପକାଉଛି। ସେ ଅବହେଳିତ ମାନଙ୍କର ହିତକୁ ସମର୍ଥନ କରିଥିଲେ ଏବଂ ତାଙ୍କ ଜ୍ଞାନ ମାଧ୍ୟମରେ ସାମାଜିକ ପରିଦୃଶ୍ୟକୁ ପରିବର୍ତ୍ତନ କରିଥିଲେ। ସାମାଜିକ ନ୍ୟାୟ ଏବଂ ଏକତା ପ୍ରତି ତାଙ୍କର ଅଦମ୍ୟ ପ୍ରତିବଦ୍ଧତା ଦ୍ୱାରା ଆମେ ଅନୁପ୍ରାଣିତ ରହିଛୁ। ଶିବଗିରି ମଠକୁ ପୂର୍ବରୁ ପରିଦର୍ଶନ। ”

“ତାଙ୍କ ଜନ୍ମ ବାର୍ଷିକୀରେ ଜ୍ଞାନ ଏବଂ ସାମାଜିକ ସଂସ୍କାରର ପ୍ରତୀକ ଶ୍ରୀ ନାରାୟଣ ଗୁରୁଙ୍କୁ ମନେ ପକାଉଛି। ସେ ବଂଚିତ ମାନଙ୍କ ପାଇଁ କାର୍ଯ୍ୟ କରିଥିଲେ ଏବଂ ନିଜର ଜ୍ଞାନ ମାଧ୍ୟମରେ  ସାମାଜିକ ଦୃଶ୍ୟପଟ୍ଟ ପରିବର୍ତ୍ତନ କରିଥିଲେ। ସାମାଜିକ ନ୍ୟାୟ ଏବଂ ଏକତା ପ୍ରତି ତାଙ୍କର ନିରନ୍ତର ପ୍ରତିବଦ୍ଧତା ଆମକୁ ପ୍ରେରଣା ଯୋଗାଇଥାଏ।  ମୁଁ ମୋର ଶିବଗିରି ମଠ ପରିଦର୍ଶନର ଅନ୍ତିମ ଚିତ୍ରକୁ ଏଠାରେ ଦେଉଛି।”

Categories
ଜାତୀୟ ଖବର ବିଶେଷ ଖବର

ଇସ୍ରୋର ବୈଜ୍ଞାନିକଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ଅବତରଣ ସ୍ଥଳ ନାମ ଦେଲେ ‘ଶିବ ଶକ୍ତି’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଙ୍ଗାଲୁରୁରେ ଆଜି ସକାଳେ ଇସ୍ରୋର ବୈଜ୍ଞାନିକମାନଙ୍କୁ ଭେଟି ସେମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଏକ ଭାବପ୍ରବଣ ହୋଇ ତାଙ୍କ ଭାଷଣରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ଭାରତ ଚନ୍ଦ୍ର ଉପରେ ଅଛି ଏବଂ ଚନ୍ଦ୍ର ଉପରେ ବିକ୍ରମଙ୍କ ଲ୍ୟାଣ୍ଡିଂ ପଏଣ୍ଟକୁ ‘ଶିବ ଶକ୍ତି’ ପଏଣ୍ଟ ନାମରେ ନାମିତ କରାଗଲା ବୋଲି ସେ ଘୋଷଣା କରିଥିଲେ।

ସେ କହିଥିଲେ ଯେ, ଏହି ସଫଳତା ଆଗାମୀ ପିଢୀକୁ ପ୍ରେରଣା ଯୋଗାଇବ। ଆମେ ମାନବିକତାର କଲ୍ୟାଣ ପାଇଁ ପ୍ରତିବଦ୍ଧ। ବେଙ୍ଗାଲୁରୁରେ ପହଞ୍ଚିବା ପରେ ଏକ ଟୁଇଟ୍ କରି ସେ କହିଛନ୍ତି ଯେ ଚନ୍ଦ୍ରାୟନ -୩ ର ସଫଳତା ସହ ଇସ୍ରୋର ବୈଜ୍ଞାନିକମାନେ ଭାରତକୁ ଗର୍ବିତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମହାକାଶ କ୍ଷେତ୍ରରେ ଦେଶର ସଫଳତା ପଛରେ ବୈଜ୍ଞାନିକମାନଙ୍କ ଉତ୍ସର୍ଗୀକୃତତା ଏବଂ ଉତ୍ସାହ ପ୍ରକୃତରେ ଏକ ପ୍ରେରଣାର ଶକ୍ତି ଅଟେ।

ଆଜି ସକାଳ ୬ଟାରେ ପ୍ରଧାନମନ୍ତ୍ରୀ ସିଧା ବିଦେଶରୁ ବେଙ୍ଗାଲୁରୁ ହାଲ ବିମାନବନ୍ଦରରେ ପହଞ୍ଚିଥିଲେ। ସେଠାରେ ସେ ଜୟ ଜୱାନ, ଜୟ କିସାନ ଏବଂ ଜୟ ବିଜ୍ଞାନ କହି ବାହାରେ ଏକତ୍ରିତ ହୋଇଥିବା ଲୋକଙ୍କୁ ଅଭିବାଦନ ଜଣାଇଥିଲେ। ସେ ସେମାନଙ୍କୁ କହିଥିଲେ ଯେ ଇସ୍ରୋରର ବୈଜ୍ଞାନିକମାନଙ୍କୁ ଭେଟିବା ଏବଂ ଅଭିବାଦନ ଦେବାକୁ ମୁଁ ନିଜକୁ ରୋକିପାରିଲି ନାହିଁ। ତେଣୁ ସେ ତାଙ୍କର ବିଦେଶ ଗସ୍ତ ପରେ ସିଧା ବେଙ୍ଗାଲୁରୁକୁ ଆସିଛନ୍ତି।

ସେ ଉଲ୍ଲେଖ କରିଛନ୍ତି ଯେ ସମଗ୍ର ବିଶ୍ୱରେ ଥିବା ଭାରତୀୟ ଏବଂ ଯେଉଁମାନେ ବିଜ୍ଞାନ, ଭବିଷ୍ୟତ ଏବଂ ମାନବିକତା ଉପରେ ବିଶ୍ବାସ କରନ୍ତି, ସେମାନେ ଇସ୍ରୋର ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାରେ ସଫଳ ହୋଇଛନ୍ତି। ମହାକାଶ ବିଜ୍ଞାନ କ୍ଷେତ୍ରରେ ଭାରତ ସଫଳ ହୋଇଥିବାରୁ ସେ ବେଙ୍ଗାଲୁରୁର ନାଗରିକଙ୍କ ସମେତ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ

ମେଘାଳୟ ସପୁରୀକୁ ଯୋଗ୍ୟତା ଅନୁସାରେ ମାନ୍ୟତା ମିଳୁଥିବା ଦେଖି ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ସ୍ତରରେ ମେଘାଳୟ ସପୁରୀକୁ ଏହାର ଯୋଗ୍ୟତା ଅନୁସାରେ ମାନ୍ୟତା ମିଳୁଥିବା ଦେଖି ଖୁସି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ନୂଆଦିଲ୍ଲୀର ଦିଲ୍ଲୀ ହାଟରେ ସପୁରୀ ମହୋତ୍ସବ ବାବଦରେ ମେଘାଳୟ ମୁଖ୍ୟମନ୍ତ୍ରୀ କେ. ସାଙ୍ଗମାଙ୍କ ଏକାଧିକ ଏକ୍ସ ପୋଷ୍ଟର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘ଘରୋଇ ତଥା ଅନ୍ତର୍ଜାତୀୟ ସ୍ତରରେ ମେଘାଳୟର ସପୁରୀ ମାନ୍ୟତା ପାଇବା ଦେଖି  ବହୁତ ଖୁସି, ଯାହା ପାଇଁ ସେଗୁଡ଼ିକ ଯୋଗ୍ୟ। ଏପରି ପ୍ରୟାସ କେବଳ ଆମ ବିବିଧ କୃଷି ଐତିହ୍ୟକୁ ପାଳନ କରେନି ବରଂ ଆମ କୃଷକମାନଙ୍କୁ ମଧ୍ୟ ସଶକ୍ତ କରିଥାଏ’।

Categories
ଜାତୀୟ ଖବର ବିଶେଷ ଖବର

ଚଳିତ ବର୍ଷ ଜାତୀୟ ପତାକା ଉତ୍ତୋଳନ କରି ନୂଆ ରେକର୍ଡ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଏକ ନୂଆ ରେକର୍ଡ କରିଛନ୍ତି। ସେ ବର୍ତ୍ତମାନ ଦଶ ଥର ଜାତୀୟ ପତାକା ଉତ୍ତୋଳନ କରି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମକକ୍ଷ ହୋଇଛନ୍ତି। ମନମୋହନ ସିଂହ ତାଙ୍କ ପ୍ରଧାନମନ୍ତ୍ରୀତ୍ବ କାଳରେ ସେ ଲଗାତର ଦଶଥର ପତାକା ଉତ୍ତୋଳନ କରିବାର ସୁଯୋଗ ପାଇଥିଲେ। ଏବେ ସେହି ସ୍ଥାନକୁ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଦେଶରେ ଲଗାତର ୧୦ ଥର ପତାକା ଉତ୍ତୋଳନ କରି ମନମୋହନ ସିଂହ ବର୍ତ୍ତମାନ ତୃତୀୟ ସ୍ଥାନରେ ଅଛନ୍ତି। ସେହି ତୃତୀୟ ସ୍ଥାନରେ ବର୍ତ୍ତମାନ ମନମୋହନଙ୍କ ସହିତ ରହିଲେ ମୋଦି। ତାଙ୍କ ପୂର୍ବରୁ ଇନ୍ଦିରା ଗାନ୍ଧି ଏବଂ ଜବାହାରଲାଲ ନେହୁର ସର୍ବାଧିକ ଥର ପତାକା ଉତ୍ତୋଳନ କରି ରେକର୍ଡ କରିଛନ୍ତି। ଦେଶରୁ ଲଗାତର ଅଧିକଥର ପତାକା ଉତ୍ତୋଳନ ଯେ କରିଛନ୍ତି ସେ ହେଉଛନ୍ତି ଜବାହାରଲାଲ ନେହୁର। ସେ ପ୍ରଧାନମନ୍ତ୍ରୀ ଭାବେ ମୋଟ ୧୭ ଥର ପତାକା ଉତ୍ତୋଳନ କରିବାର ସୁଯୋଗ ପାଇଥିଲେ।

ଦ୍ବିତୀୟ ସର୍ବାଧିକ ଥର ଯେ ପ୍ରଧାନମନ୍ତ୍ରୀ ଭାବେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ସେ ହେଉଛନ୍ତି ଇନ୍ଦିରା ଗାନ୍ଧି। ସେ ପ୍ରଧାନମନ୍ତ୍ରୀ ଭାବେ ମୋଟ ୧୬ ଥର ପତାକା ଉତ୍ତୋଳନ କରିବାର ସୁଯୋଗ ପାଇଥିଲେ। ଏହାପରେ ତୃତୀୟ ସର୍ବାଧିକ ରେକର୍ଡ କରିଛନ୍ତି ମନମୋହନ ସିଂହ। ତେବେ ଯଦି ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହୋଇ ୨୦୨୪ ଅଗଷ୍ଟ ୧୫ ରେ ପତାକା ଉତ୍ତୋଳନ କରିବେ ତେବେ ସେ ମନମୋହନଙ୍କ ରେକର୍ଡ ଭାଙ୍ଗି ତୃତୀୟ ସ୍ଥାନକୁ ଆସିବେ।

ବର୍ତ୍ତମାନ ଭାରତ ସ୍ବାଧୀନ ହେବା ପରଠାରୁ ୧୫ ଜଣ ପ୍ରଧାନମନ୍ତ୍ରୀଙ୍କୁ ଦେଶ ଦେଖିଆସିଛି। ତେବେ ସେମାନଙ୍କ ମଧ୍ୟରୁ ୧୩ ଜଣ ପତାକା ଉତ୍ତୋଳନ କରିବାର ସୁଯୋଗ ହାସଲ କରିଛନ୍ତି। ଆଉ ଦୁଇଜଣ ପ୍ରଧାନମନ୍ତ୍ରୀ ହୋଇଥିଲେ ମଧ୍ୟ ସେମାନେ ଲାଲକିଲ୍ଲାରେ ତ୍ରିରଙ୍ଗା ଉଡାଇବାର ସୁଯୋଗ ପାଇପାରି ନାହାଁନ୍ତି। ସେହି ଦୁଇ ଜଣ ହେଲେ ଗୁଲଜରୀଲାଲ ନନ୍ଦା ଏବଂ ଚନ୍ଦ୍ରଶେଖର। ସେମାନଙ୍କର ସ୍ବଳ୍ପ ସମୟ ପ୍ରଧାନମନ୍ତ୍ରୀତ୍ବ କାଳରେ ଅଗଷ୍ଟ ୧୫ ଆସିପାରି ନ ଥିଲା।

ତେବେ ଅନ୍ୟ ଯେଉଁ ପ୍ରଧାନମନ୍ତ୍ରୀମାନେ ପତାକା ଉତ୍ତୋଳନ କରିଥିଲେ ସେମାନଙ୍କ ମଧ୍ୟରେ ଅଟଳବିହାରୀ ବାଜପେୟୀ ୬ ଥର, ରାଜୀବ ଗାନ୍ଧୀ ୫ ଥର, ପି ଭି ନରସିଂହ ରାଓ ୫ ଥର, ଲାଲବାହଦୂର ଶାସ୍ତ୍ରୀ ୨ ଥର, ମୋରାଜୀ ଦେଶାଇ ୨ ଥର, ଚରଣ ସିଂ, ଭିପି ସିଂ, ଏଚ ଡି ଦେବଗୌଡା ଏବଂ ଆଇ କେ ଗୁଜରାଲ ଥରେ ଲେଖାଏଁ ପ୍ରଧାନମନ୍ତ୍ରୀ ଭାବେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।

Categories
ବିଶେଷ ଖବର

ଲୋକସଭାରେ ଅନାସ୍ଥା ପ୍ରସ୍ତାବର ଉତ୍ତର ଦେଲେ ପ୍ରଧାନମନ୍ତ୍ରୀ: ପଢନ୍ତୁ ବିରୋଧୀଙ୍କୁ କିଭଳି ଆକ୍ରମଣ କଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଉତ୍ତର ରଖିଛନ୍ତି। ସଦନକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ବାରମ୍ବାର ସରକାରଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ସେ ଭାରତର ପ୍ରତ୍ୟେକ ନାଗରିକଙ୍କ ପ୍ରତି ଅତ୍ୟନ୍ତ କୃତଜ୍ଞତା ଜ୍ଞାପନ କରିବାକୁ ଆସିଛନ୍ତି। ପୂର୍ବ ଥରର ଅନାସ୍ଥା ପ୍ରସ୍ତାବ ବିଷୟରେ ସ୍ମରଣ କରାଇ ସେ କହିଥିଲେ, ଏହା ସରକାରଙ୍କ ପାଇଁ ଫ୍ଲୋର ଟେଷ୍ଟ ନୁହେଁ ବରଂ ୨୦୧୮ରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ବିରୋଧୀଙ୍କ ପାଇଁ ଏକ ଫ୍ଲୋର ଟେଷ୍ଟ। ଉଭୟ ଏନଡିଏ ଓ ବିଜେପି ଅଧିକ ଆସନରେ ବିଜୟୀ ହୋଇଛନ୍ତି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, “ଯେତେବେଳେ ଆମେ ୨୦୧୯ରେ ନିର୍ବାଚନ ଲଢ଼ିଥିଲୁ, ଲୋକମାନେ ସେମାନଙ୍କ ଉପରେ ଅଧିକ ଦୃଢ଼ତାର ସହିତ ଆସ୍ଥା ପ୍ରକଟ କରିଥିଲେ। ଏକ ପ୍ରକାରରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ସରକାରଙ୍କ ପାଇଁ ଶୁଭ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଲୋକଙ୍କ ଆଶୀର୍ବାଦ ରେ ଏନଡିଏ ଓ ବିଜେପି ୨୦୨୪ରେ ସମସ୍ତ ରେକର୍ଡ ଭାଙ୍ଗି ବିଜୟୀ ହେବେ ବୋଲି ସେ ବିଶ୍ୱାସ ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅଧିବେଶନ ଆରମ୍ଭରୁ ବିରୋଧୀ ମାନେ ଯଥେଷ୍ଟ ଗମ୍ଭୀରତାର ସହ ବିତର୍କରେ ଅଂଶଗ୍ରହଣ କରିଥିଲେ ଭଲ ହୋଇଥାନ୍ତା। ସେ କହିଥିଲେ, ଗତ କିଛି ଦିନ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ଗୃହୀତ ହୋଇଛି। ବିରୋଧୀମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ଠାରୁ ଉପରେ ରାଜନୀତିକୁ ପ୍ରାଧାନ୍ୟ ଦେଇଥିବାରୁ ଏସବୁ ଆଇନ ଉପରେ ଆବଶ୍ୟକ ଆଲୋଚନା ହୋଇପାରିନଥିଲା। ମତ୍ସ୍ୟଜୀବୀ, ତଥ୍ୟ, ଗରିବ, ବଞ୍ଚିତ ଓ ଆଦିବାସୀଙ୍କ ସହ ଜଡ଼ିତ ଅନେକ ବିଲ୍ ଥିଲେ ମଧ୍ୟ ବିରୋଧୀଙ୍କର ସେଗୁଡ଼ିକ ପ୍ରତି ଆଗ୍ରହ ନଥିଲା। ଏହା ଲୋକଙ୍କ ଆଶା ପ୍ରତି ବିଶ୍ୱାସଘାତକତା ଥିଲା। ସେମାନେ ପ୍ରମାଣିତ କରିଛନ୍ତି ଯେ ସେମାନଙ୍କ ପାଇଁ ଦଳ ଦେଶଠାରୁ ଊର୍ଦ୍ଧ୍ୱରେ ରହିଛି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ବିରୋଧୀଙ୍କୁ ଦେଖୁଛି ଏବଂ ସେମାନେ ସର୍ବଦା ଲୋକଙ୍କୁ ନିରାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ଦର୍ଶାଇଥିଲେ ଯେ ଗୋଟିଏ ରାଷ୍ଟ୍ରର ଜୀବନରେ ଏକ ସମୟ ଆସିଥାଏ ଯେତେବେଳେ ତାହା ପୁରୁଣା ବନ୍ଧନରୁ ମୁକ୍ତ ହୋଇ ନୂତନ ଶକ୍ତି ଏବଂ ସଂକଳ୍ପ ସହିତ ଆଗକୁ ବଢ଼େ। ଏକବିଂଶ ଶତାବ୍ଦୀର ଏହି ସମୟ ଆମର ସମସ୍ତ ଆକାଂକ୍ଷା ପୂରଣ କରିବାର ସମୟ।  ଏହି ସମୟ ମଧ୍ୟରେ ଯାହାକୁ ଆକାର ଦିଆଯିବ ତାହା ଆଗାମୀ ହଜାର ବର୍ଷ ପର୍ଯ୍ୟନ୍ତ ଦେଶକୁ ପ୍ରଭାବିତ କରିବ। ତେଣୁ ଆମର ଏକ ବଡ଼ ଦାୟିତ୍ୱ ରହିଛି ଏବଂ ଆମର ଏକ ମାତ୍ର ଧ୍ୟାନ ଦେଶର ବିକାଶ ପ୍ରତି ରହିବା ଉଚିତ୍। ଦେଶବାସୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସମ୍ପୂର୍ଣ୍ଣ ସମର୍ପଣ ରହିବା ଆବଶ୍ୟକ। ସେ କହିଥିଲେ ଯେ ଆମର ଲୋକ ଏବଂ ଯୁବବର୍ଗଙ୍କ ଶକ୍ତି ଆମକୁ ଆମ ଗନ୍ତବ୍ୟସ୍ଥଳରେ ପହଞ୍ଚାଇପାରିବ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ, ୨୦୧୪ ଏବଂ ପରବର୍ତ୍ତୀ ସମୟରେ, ଟ୍ରାକ୍ ରେକର୍ଡକୁ ଦୃଷ୍ଟିରେ ରଖି ଦେଶ ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ସରକାର ବାଛିଲା। କାରଣ ସେମାନେ ଜାଣିଥିଲେ ଯେ ସେମାନଙ୍କ ସ୍ୱପ୍ନକୁ ସାକାର କରିବାର ସାମର୍ଥ୍ୟ କେଉଁଠି ଅଛି। ଆମେ ଭାରତର ଯୁବକମାନଙ୍କୁ ଦୁର୍ନୀତିମୁକ୍ତ ସରକାର ଦେଇଛୁ। ଆମେ ସେମାନଙ୍କୁ ସାହସ ଦେଇଛୁ ଏବଂ ଖୋଲା ଆକାଶରେ ଉଡ଼ିବାର ସୁଯୋଗ ଦେଇଛୁ। ଆମେ ବିଶ୍ୱରେ ଭାରତର ସ୍ଥିତିକୁ ମଜବୁତ କରିଛୁ ଏବଂ ସେମାନଙ୍କୁ ନୂତନ ଉଚ୍ଚତାରେ ପହଞ୍ଚାଇଛୁ। ଅନାସ୍ଥା ପ୍ରସ୍ତାବ ଆଳରେ ଲୋକଙ୍କ ଆସ୍ଥା ଭାଙ୍ଗିବା ପାଇଁ ବିରୋଧୀମାନେ ଏକ ବିଫଳ ପ୍ରୟାସ କରିଛନ୍ତି ବୋଲି ଶ୍ରୀ ମୋଦୀ କହିଥିଲେ। ଷ୍ଟାର୍ଟଅପ୍ ଇକୋସିଷ୍ଟମର ଅଭିବୃଦ୍ଧି, ରେକର୍ଡ ବିଦେଶୀ ପୁଞ୍ଜିନିବେଶ ଏବଂ ରପ୍ତାନିର ନୂତନ ଶୀର୍ଷରେ ପହଞ୍ଚିବା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ, ଆଜି ଗରିବଙ୍କ ମନରେ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଏକ ବିଶ୍ୱାସ ସୃଷ୍ଟି ହୋଇଛି। ୧୩.୫ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବା ନୀତି ଆୟୋଗ ରିପୋର୍ଟ ବିଷୟରେ ମଧ୍ୟ ସେ ଆଲୋକପାତ କରିଥିଲେ।

ପ୍ରଧାନମନ୍ତ୍ରୀ ଆଇଏମଏଫର ଏକ କାର୍ଯ୍ୟକାରୀ ଦସ୍ତାବିଜ ବିଷୟରେ ଉଲ୍ଲେଖ କରିଥିଲେ ଯେଉଁଥିରେ କୁହାଯାଇଛି ଯେ ଭାରତ ଉତ୍କଟ ଦାରିଦ୍ର୍ୟକୁ ପ୍ରାୟ ଦୂର କରିଛି । ଆଇଏମଏଫର ତଥ୍ୟ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଡିବିଟି ଯୋଜନା ଏବଂ ଅନ୍ୟାନ୍ୟ ସାମାଜିକ କଲ୍ୟାଣକାରୀ ଯୋଜନା ଏକ ‘ଲଜିଷ୍ଟିକ୍ ଚମତ୍କାର’। ଜଳ ଜୀବନ ମିଶନ ଦେଶରେ ୪ ଲକ୍ଷ ଜୀବନ ବଞ୍ଚାଇବାରେ ସହାୟକ ହେଉଛି ଏବଂ ସ୍ୱଚ୍ଛ ଭାରତ ଅଭିଯାନ ୩ ଲକ୍ଷ ଜୀବନ ବଞ୍ଚାଇବାରେ ସହାୟକ ହେଉଛି ବୋଲି ଡବ୍ଲୁଏଚଓର ରିପୋର୍ଟ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏମାନେ ହେଉଛନ୍ତି ଦେଶର ଗରିବ ଲୋକ, ଯେଉଁମାନେ ସହରାଞ୍ଚଳ ବସ୍ତିରେ ରହୁଛନ୍ତି। ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ୟୁନିସେଫ ତଥ୍ୟର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦେଶର ଗରିବ ପରିବାରମାନଙ୍କୁ ବାର୍ଷିକ ୫୦,୦୦୦ ଟଙ୍କା ସଞ୍ଚୟ କରିବାରେ ସାହାଯ୍ୟ କରୁଛି।

ବିରୋଧୀଙ୍କ ଉପରମୁହାଁ ଆଭିମୁଖ୍ୟକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନେ ଅବିଶ୍ୱାସରେ ଏତେ ବୁଡ଼ି ରହିଥିବାରୁ ଲୋକଙ୍କ ବିଶ୍ୱାସ ଦେଖି ପାରୁନାହାନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିରୋଧୀଙ୍କ ଖରାପ ଭାଷା ଏବଂ ନିରନ୍ତର ଚିତ୍କାର ‘କଳା ଟିକା’ ଭଳି (କୁଦୃଷ୍ଟିକୁ ଦୂର କରିବା ଲାଗି) କାମ କରେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିରୋଧୀଙ୍କ ସମାଲୋଚନାର ଶିକାର ହୋଇଥିବା ସମସ୍ତ ଅନୁଷ୍ଠାନ ସବୁବେଳେ ଉଜ୍ଜ୍ୱଳ ହୋଇଥାଏ ଏବଂ ଏହାକୁ ‘ବିରୋଧୀଙ୍କ ଗୁପ୍ତ ବରଦାନ’ ବୋଲି ସେ କହିଥିଲେ। “ସେମାନେ ଯାହାର ଖରାପ ଚାହାଁନ୍ତି, ସେଗୁଡ଼ିକ ଭଲ କରନ୍ତି”, ସେ କହିଥିଲେ।

ପ୍ରଧାନମନ୍ତ୍ରୀ ବ୍ୟାଙ୍କିଙ୍ଗ କ୍ଷେତ୍ରର ବିକାଶ ପ୍ରତି ବିରୋଧୀଙ୍କ ଆଭିମୁଖ୍ୟକୁ ସ୍ମରଣ କରିଥିଲେ ଏବଂ କହିଥିଲେ ଯେ ସେମାନେ ଭୁଲ ସୂଚନା ପ୍ରସାର କରିବା ଏବଂ ଲୋକଙ୍କୁ ବିଭ୍ରାନ୍ତ କରିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଥିଲେ। ତେବେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ନିଟ୍ ଲାଭ ଦୁଇଗୁଣ ବୃଦ୍ଧି ପାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ ଫୋନ୍ ବ୍ୟାଙ୍କିଙ୍ଗ୍ ଦୁର୍ନୀତି ବିଷୟରେ ମଧ୍ୟ ଆଲୋକପାତ କରିଥିଲେ ଯାହା ଦେଶକୁ ଏନପିଏ ସଙ୍କଟ ଆଡ଼କୁ ଠେଲି ଦେଇଥିଲା। ସେ ଆହୁରି କହିଥିଲେ ଯେ ଦେଶ ଏଥିରୁ ନିଜକୁ ପୁନରୁଦ୍ଧାର କରିସାରିଛି ଏବଂ ବର୍ତ୍ତମାନ ଆଗକୁ ବଢ଼ୁଛି। ଶ୍ରୀ ମୋଦୀ ହାଲ୍ ର ଏକ ଉଦାହରଣ ମଧ୍ୟ ଦେଇଥିଲେ ଯାହାକୁ ବିରୋଧୀମାନେ ତୀବ୍ର ସମାଲୋଚନା କରିଥିଲେ। ସେ କହିଛନ୍ତି ଯେ ହାଲ୍ ସଫଳତାର ନୂତନ ଶିଖର ଛୁଇଁଛି ଏବଂ ସର୍ବାଧିକ ରାଜସ୍ୱ ସଂଗ୍ରହ ରେକର୍ଡ କରିଛି। ଏଲଆଇସିକୁ ନେଇ ବିରୋଧୀମାନେ କରୁଥିବା ଅପ୍ରଚାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏଲଆଇସି ଦିନକୁ ଦିନ ଶକ୍ତିଶାଳୀ ହେବାରେ ଲାଗିଛି।

କିଛି ଦିନ ପୂର୍ବରୁ ତାଙ୍କର ତୃତୀୟ ପାଳିରେ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏ ବିଷୟରେ ଉଲ୍ଲେଖ କରି ଶ୍ରୀ ମୋଦୀ କହିଥିଲେ, ଦେଶର ସାମର୍ଥ୍ୟ ଓ ସମର୍ପଣରେ ବିରୋଧୀ ବିଶ୍ୱାସ କରନ୍ତି ନାହିଁ। ଏକ ଦାୟିତ୍ୱବାନ ବିରୋଧୀ ଭାବରେ ସେମାନେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସରକାରଙ୍କ ରୋଡମ୍ୟାପ୍ ଉପରେ ପ୍ରଶ୍ନ କରିବା ଉଚିତ୍ ଥିଲା କିମ୍ବା ଅତି କମରେ ପରାମର୍ଶ ଦେବା ଉଚିତ୍ ଥିଲା କିନ୍ତୁ ତାହା ହୋଇନଥିଲା। ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥବ୍ୟବସ୍ଥାରେ ପରିଣତ ହେବା ପାଇଁ କିଛି କରିବାର ଆବଶ୍ୟକତା ନାହିଁ ବୋଲି ଦାବି କରୁଥିବା ବିରୋଧୀଙ୍କ ଶିଥିଳତାକୁ ସେ ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିରୋଧୀଙ୍କ ଏଭଳି ଆଭିମୁଖ୍ୟ ନୀତି, ଉଦ୍ଦେଶ୍ୟ, ଦୂରଦୃଷ୍ଟି, ବିଶ୍ୱ ଅର୍ଥନୀତିର ଜ୍ଞାନ ଏବଂ ଭାରତର ସାମର୍ଥ୍ୟକୁ ବୁଝିବାର ଅଭାବକୁ ସୂଚାଉଛି।

ଭାରତ କିପରି ଦାରିଦ୍ର୍ୟ ଭିତରେ ବୁଡ଼ି ଯାଇଥିଲା ଏବଂ ୧୯୯୧ରେ ଦେବାଳିଆ ହେବାକୁ ଯାଉଥିଲା ତାହା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ତେବେ ୨୦୧୪ ପରେ ଭାରତ ବିଶ୍ୱର ଶ୍ରେଷ୍ଠ ୫ଟି ଅର୍ଥବ୍ୟବସ୍ଥା ମଧ୍ୟରେ ସ୍ଥାନ ପାଇଥିଲା। ନିର୍ଦ୍ଦିଷ୍ଟ ଯୋଜନା ଓ କଠିନ ପରିଶ୍ରମ ଦ୍ୱାରା ‘ସଂସ୍କାର, ପ୍ରଦର୍ଶନ ଓ ରୂପାନ୍ତର’ ମନ୍ତ୍ର ମାଧ୍ୟମରେ ଏହା ହାସଲ ହୋଇଛି ବୋଲି ସେ କହିଥିଲେ । ଏହା ଜାରି ରହିବ ଏବଂ ଆବଶ୍ୟକ ସଂସ୍କାର କରାଯିବ ବୋଲି ସେ କହିଛନ୍ତି। ୨୦୨୮ରେ ଯେତେବେଳେ ଆପଣ ଅନାସ୍ଥା ପ୍ରସ୍ତାବ ଆଣିବେ, ସେତେବେଳେ ଦେଶ ବିଶ୍ୱର ଶ୍ରେଷ୍ଠ ୩ ଅର୍ଥବ୍ୟବସ୍ଥା ମଧ୍ୟରେ ରହିବ ବୋଲି ସେ ଗୃହରେ କହିଥିଲେ।

ବିରୋଧୀଙ୍କ ଅବିଶ୍ୱାସଜନକ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ଜାରି ରଖି ପ୍ରଧାନମନ୍ତ୍ରୀ ସ୍ୱଚ୍ଛ ଭାରତ, ଜନଧନ ଆକାଉଣ୍ଟ, ଯୋଗ, ଆୟୁର୍ବେଦ, ଷ୍ଟାର୍ଟଅପ୍ ଇଣ୍ଡିଆ, ଡିଜିଟାଲ ଇଣ୍ଡିଆ ଏବଂ ମେକ୍ ଇନ୍ ଇଣ୍ଡିଆ ଭଳି ଅଭିଯାନ ଉପରେ ସେମାନଙ୍କର ବିଶ୍ୱାସର ଅଭାବ ବିଷୟରେ କହିଥିଲେ।

କଂଗ୍ରେସ ଶାସନ ସମୟରେ କାଶ୍ମୀରରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ, ତତ୍କାଳୀନ ସରକାର ପାକିସ୍ତାନ ସହ ସହମତ ହୋଇଥିଲେ ଏବଂ ଆତଙ୍କବାଦ ସହ ଶାନ୍ତି ଆଲୋଚନା ଏକସଙ୍ଗେ ଜାରି ରଖିବେ ବୋଲି କହିଥିଲେ। କାଶ୍ମୀରବାସୀଙ୍କ ପରିବର୍ତ୍ତେ ହୁରିୟତ ସହ ସେମାନଙ୍କର ସମ୍ପର୍କ ବିଷୟରେ ମଧ୍ୟ ଶ୍ରୀ ମୋଦୀ କହିଥିଲେ। ସର୍ଜିକାଲ ଷ୍ଟ୍ରାଇକ୍ ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଥିଲେ ଯେ, ବିରୋଧୀମାନେ କିପରି ଏହି ପ୍ରସଙ୍ଗରେ ସରକାରଙ୍କ ଉପରେ ବିଶ୍ୱାସ କରିବା ପରିବର୍ତ୍ତେ ଶତ୍ରୁଙ୍କ ବୟାନକୁ ବିଶ୍ୱାସ କରିବାକୁ ପସନ୍ଦ କରିଛନ୍ତି ।

ଯେଉଁମାନେ ଦେଶ ବିଷୟରେ ଖରାପ କଥା କହୁଛନ୍ତି ସେମାନଙ୍କୁ ବିରୋଧୀମାନେ ତୁରନ୍ତ ବିଶ୍ୱାସ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହାର ଉଦାହରଣ ଦେଇ ସେ କହିଥିଲେ, ଏକ ବିଦେଶୀ ଏଜେନ୍ସିର ଏକ ଭୁଲ ରିପୋର୍ଟରେ ଖାଦ୍ୟ ସଂକଟ ସହ ମୁକାବିଲା କରୁଥିବା ଏକ ଦେଶକୁ କେତେକ ମାନଦଣ୍ଡରେ ଭାରତ ଠାରୁ ଆଗରେ ଦର୍ଶାଯାଇଥିଲା । ସେ କହିଥିଲେ ଯେ ବିରୋଧୀମାନେ ଏଭଳି ଭୁଲ ଖବରକୁ ଗ୍ରହଣ କରନ୍ତି ଏବଂ ପ୍ରତ୍ୟେକ ସୁଯୋଗରେ ଦେଶକୁ ବଦନାମ କରିବାକୁ ଚେଷ୍ଟା କରନ୍ତି । ମେଡ୍ ଇନ୍ ଇଣ୍ଡିଆ କରୋନା ଟିକାର ଉଦାହରଣ ଦେଇ ସେ କହିଥିଲେ ଯେ ବିରୋଧୀ ଏହାକୁ ବିଶ୍ୱାସ କରିନଥଲେ ବରଂ ବିଦେଶୀ ନିର୍ମିତ ଟିକା ଉପରେ ଧ୍ୟାନ ଦେଇଥିଲେ । ସେ କହିଥିଲେ ଯେ ବିରୋଧୀମାନେ ଭାରତ ଓ ଏହାର ଲୋକଙ୍କ ସାମର୍ଥ୍ୟ ଉପରେ ବିଶ୍ୱାସ କରନ୍ତି ନାହିଁ । ଅନୁରୂପ ଭାବେ ଲୋକଙ୍କ ଦୃଷ୍ଟିରେ ବିରୋଧୀଙ୍କ ବିଶ୍ୱାସର ସ୍ତର ଅତ୍ୟନ୍ତ ନିମ୍ନ ସ୍ତରରେ ରହିଛି ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଥିଲେ ଯେ ମେଣ୍ଟ ନିର୍ମାଣର କୃତ୍ରିମ ପରିବର୍ତ୍ତନ ଦେଶର ଲୋକଙ୍କୁ ବୋକା ବନେଇ ପାରିବ ନାହିଁ ଏବଂ ଏକ ସରଳ ନାମ ପରିବର୍ତ୍ତନ ବିରୋଧୀ ମେଣ୍ଟର ଭାଗ୍ୟ ବଦଳାଇପାରିବ ନାହିଁ । ସେମାନେ ବଞ୍ଚିବା ପାଇଁ ଏନଡିଏର ସାହାଯ୍ୟ ନେଇଛନ୍ତି କିନ୍ତୁ ଅହଂକାରର ଦୁଇଟି ‘ଆଇ’କୁ ଗ୍ରହଣ କରିଛନ୍ତି, ପ୍ରଥମ ‘ଆଇ’ ୨୬ଟି ଦଳର ଅହଂକାର ପାଇଁ ଏବଂ ଦ୍ୱିତୀୟ ‘ଆଇ’ ଗୋଟିଏ ପରିବାରର ଅହଂକାର ପାଇଁ। ଏପରିକି ସେମାନେ ଭାରତକୁ ଆଇ.ଏନ.ଡି.ଆଇ.ଏ.ରେ ବିଭକ୍ତ କରିଥିଲେ। “ବିରୋଧୀମାନେ ନାମ ପରିବର୍ତ୍ତନ କରିବାରେ ବିଶ୍ୱାସ କରନ୍ତି କିନ୍ତୁ ସେମାନେ ନିଜ କାର୍ଯ୍ୟ ସଂସ୍କୃତିକୁ ପରିବର୍ତ୍ତନ କରିପାରିବେ ନାହିଁ”, ସେ ଜୋର ଦେଇ କହିଥିଲେ । ତାମିଲନାଡୁ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ଦେଶ ବିଭାଜନକାରୀ ମନ୍ତବ୍ୟକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଏହି ରାଜ୍ୟ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ରହିଛି । ତାମିଲନାଡୁ ଏପରି ଏକ ରାଜ୍ୟ ଯେଉଁଠାରେ ଦେଶପ୍ରେମର ଧାରା କ୍ରମାଗତ ଭାବରେ ପ୍ରବାହିତ ହୋଇଥାଏ । ପ୍ରଧାନମନ୍ତ୍ରୀ ନାମକୁ ନେଇ ବିରୋଧୀଙ୍କ ଆକର୍ଷଣ ଉପରେ ଆଲୋକପାତ କରିଥିଲେ ଏବଂ ପ୍ରତ୍ୟେକ ଯୋଜନା ଓ ମୁଖ୍ୟ ପ୍ରତୀକକୁ କିପରି ଗୋଟିଏ ପରିବାରର ସଦସ୍ୟଙ୍କ ନାମରେ ନାମିତ କରାଯାଇଥିଲା ସେ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଧାନମନ୍ତ୍ରୀ ଆଇ.ଏନ୍.ଡି.ଆଇ.ଏ.କୁ ଏକ ‘ଘମଣ୍ଡିଆ’ ମେଣ୍ଟ (ଅହଂକାରୀ ମେଣ୍ଟ) ବୋଲି ଅଭିହିତ କରିବା ସହ ସହଯୋଗୀଙ୍କ ମଧ୍ୟରେ ଥିବା ବିରୋଧାଭାସକୁ ଆଲୋକପାତ କରିଥିଲେ।

ଦେଶର ସ୍ୱାଧୀନତା ସଂଗ୍ରାମୀ ଏବଂ ପ୍ରତିଷ୍ଠାତାମାନେ ସର୍ବଦା ବଂଶବାଦ ରାଜନୀତିକୁ ବିରୋଧ କରୁଥିଲେ ବୋଲି ଶ୍ରୀ ମୋଦୀ ଜୋର ଦେଇ କହିଥିଲେ । ବଂଶବାଦ ବ୍ୟବସ୍ଥା ସାଧାରଣ ନାଗରିକଙ୍କୁ କ୍ଷତି ପହଞ୍ଚାଇଥାଏ। ବଂଶବାଦ ରାଜନୀତି ଯୋଗୁଁ ପ୍ରମୁଖ ନେତାମାନେ କ୍ଷତିଗ୍ରସ୍ତ ହୋଇଛନ୍ତି ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଏଭଳି ରାଜନୀତିର ଶିକାର ହୋଇଥିବା ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଚିତ୍ର ଅଣକଂଗ୍ରେସ ସରକାରଙ୍କ ପରବର୍ତ୍ତୀ ବର୍ଷଗୁଡ଼ିକରେ ହିଁ ସଂସଦରେ ସ୍ଥାନ ପାଇଥିଲା। ଷ୍ଟାଚ୍ୟୁ ଅଫ୍ ୟୁନିଟି ଓ ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ କଥା ମଧ୍ୟ ସେ ଉଲ୍ଲେଖ କରିଥିଲେ। ଏହି ସଂଗ୍ରହାଳୟ ସମସ୍ତ ପ୍ରଧାନମନ୍ତ୍ରୀଙ୍କୁ ସମର୍ପିତ ଏବଂ ଦଳୀୟ ରାଜନୀତିଠାରୁ ଊର୍ଦ୍ଧ୍ୱରେ ।

୩୦ ବର୍ଷ ପରେ ଭାରତବାସୀ ଦୁଇ ଥର ପୂର୍ଣ୍ଣ ସଂଖ୍ୟାଗରିଷ୍ଠ ତା’ର ସରକାର ନିର୍ବାଚିତ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ଚୌକିରେ ବସିଥିବା ‘ଗରିବ କା ବେଟା’ (ଗରିବର ପୁଅ)କୁ ନେଇ ବିରୋଧୀ ବିବ୍ରତ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ଦୋହରାଇଥିଲେ। ଅତୀତରେ ବିରୋଧୀମାନେ ବିମାନ ଓ ନୌସେନା ଜାହାଜର ଅପବ୍ୟବହାର କରିଥିବା ବିଷୟରେ ସେ ସୂଚନା ଦେବା ସହ ଏବେ ବିମାନ ଓ ଜାହାଜଗୁଡ଼ିକ ଟିକା ପରିବହନ ଏବଂ ବିଦେଶରେ ଫସି ରହିଥିବା ଲୋକଙ୍କୁ ଫେରାଇ ଆଣିବା ପାଇଁ ସଂଶୋଧନ କରିଛନ୍ତି ବୋଲି ସେ ଦର୍ଶାଇଛନ୍ତି।

ପ୍ରଧାନମନ୍ତ୍ରୀ ମାଗଣା ରାଜନୀତି ବିରୋଧରେ ଚେତାଇ ଦେବା ସହ ଏଭଳି ରାଜନୀତି କିଭଳି ବିପର୍ଯ୍ୟୟ ଆଣିପାରେ ପଡ଼ୋଶୀ ଦେଶର ପରିସ୍ଥିତି ତାହାର ଏକ ଉଦାହରଣ ବୋଲି କହିଥିଲେ। ବେପରୁଆ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିବାର ପ୍ରବୃତି ଏବଂ ବିକାଶ ମୂଳକ ପ୍ରକଳ୍ପ ଅଟକି ରହିଥିବା କାରଣରୁ ଲୋକଙ୍କ ଉପରେ ପ୍ରବଳ ଚାପ ପଡୁଥିବା ନେଇ ସେ ଦୁଃଖ ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିରୋଧୀ ମାନେ ମଣିପୁର ସ୍ଥିତି ଉପରେ ଆଲୋଚନା କରିବାକୁ କେବେ ଆଗ୍ରହୀ ନୁହଁନ୍ତି । ସେ କହିଛନ୍ତି ଯେ ଗୃହମନ୍ତ୍ରୀ ଧୈର୍ଯ୍ୟର ସହ ଏବଂ କୌଣସି ରାଜନୀତି ବିନା ପ୍ରସଙ୍ଗକୁ ବିସ୍ତୃତ ଭାବରେ ବୁଝାଇଥିଲେ । ଗୃହମନ୍ତ୍ରୀଙ୍କ ଏହି ସ୍ପଷ୍ଟୀକରଣ ଦେଶ ଓ ଦେଶର ଚିନ୍ତାକୁ ବ୍ୟକ୍ତ କରିବାର ଏକ ପ୍ରୟାସ ଥିଲା । ଏହା ମଣିପୁରରେ ସଦନର ବିଶ୍ୱାସ ପହଞ୍ଚାଇବାର ଏକ ପ୍ରୟାସ ଥିଲା । ଏହି ପ୍ରସଙ୍ଗରେ ଆଲୋଚନା କରିବା ଏବଂ ଉପାୟ ଖୋଜିବା ପାଇଁ ଏହା ଏକ ସଚ୍ଚୋଟ ପ୍ରୟାସ ଥିଲା।

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମଣିପୁରରେ ହୋଇଥିବା ହିଂସା ଦୁଃଖଦାୟକ । ମହିଳାଙ୍କ ବିରୋଧରେ ଅପରାଧ ଗ୍ରହଣୀୟ ନୁହେଁ ଏବଂ ଦୋଷୀଙ୍କୁ ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର କାର୍ଯ୍ୟ କରିବେ। ଆଗାମୀ ଦିନରେ ମଣିପୁରରେ ଶାନ୍ତି ପ୍ରତିଷ୍ଠା ହେବ ବୋଲି ଆମେ ଯେଉଁ ପ୍ରୟାସ କରୁଛୁ ସେହି ଆଧାରରେ ମୁଁ ଭାରତବାସୀଙ୍କୁ ଆଶ୍ୱାସନା ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ମଣିପୁରବାସୀ, ମଣିପୁରର ମା’ ଓ ଝିଅମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ଦେଶ ସେମାନଙ୍କ ସହିତ ଛିଡ଼ା ହୋଇଛି ଏବଂ ଗୃହ ସେମାନଙ୍କ ସହିତ ଛିଡ଼ା ହୋଇଛି। ମଣିପୁର ଯେପରି ବିକାଶ ପଥରେ ଫେରିବ ସେଥିପାଇଁ ସରକାର ସବୁ ପ୍ରକାର ଉଦ୍ୟମ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ପ୍ରଧାନମନ୍ତ୍ରୀ ଗୃହରେ ମା’ ଭାରତୀ ପାଇଁ ଆପତ୍ତିଜନକ ଭାଷା ବ୍ୟବହାରକୁ ତୀବ୍ର ବିରୋଧ କରିଥିଲେ ଏବଂ କହିଥିଲେ ଯେ ଏମାନେ ବିଭାଜନ ପାଇଁ ଦାୟୀ ଥିଲେ ଓ ବନ୍ଦେ ମାତରମ୍ ମଧ୍ୟ ଉଚ୍ଚାରଣ କରିନଥିଲେ। ବିରୋଧୀଙ୍କ ବିଫଳତାର ଉଦାହରଣ ଭାବେ ଶ୍ରୀ ମୋଦୀ କଚ୍ଚାଥିଭୁ ପ୍ରସଙ୍ଗକୁ ମଧ୍ୟ ଉଲ୍ଲେଖ କରିଥିଲେ।

ପ୍ରଧାନମନ୍ତ୍ରୀ ଉତ୍ତର-ପୂର୍ବାଞ୍ଚଳକୁ ନେଇ ତିନୋଟି ଘଟଣା ବିଷୟରେ ଉଲ୍ଲେଖ କରିଥିଲେ। ପ୍ରଥମେ ୧୯୬୬ ମସିହା ମାର୍ଚ୍ଚ ୫ ତାରିଖରେ ମିଜୋରାମରେ ଲୋକଙ୍କ ଉପରେ ଆକ୍ରମଣ କରିବା ପାଇଁ ବାୟୁସେନାକୁ ବ୍ୟବହାର କରାଯାଇଥିଲା । ଦ୍ୱିତୀୟତଃ, ୧୯୬୨ ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁଙ୍କ ଦ୍ୱାରା ରେଡିଓ ପ୍ରସାରଣ ହୋଇଥିଲା ଏବଂ ସେହି ସମୟରେ ଚୀନ୍ ଆକ୍ରମଣ ଠାରୁ ନିଜକୁ ବଞ୍ଚାଇବା ଲାଗି ଉତ୍ତର-ପୂର୍ବାଞ୍ଚଳର ଲୋକମାନଙ୍କୁ କୁହାଯାଇଥିଲା। ଏହି ଅଞ୍ଚଳ ପ୍ରତି ଅବହେଳା ବିଷୟରେ ରାମ ମନୋହର ଲୋହିଆଙ୍କ ଅଭିଯୋଗକୁ ମଧ୍ୟ ସେ ଉଦାହରଣ ଭାବେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ ବର୍ତ୍ତମାନର ସରକାରରେ ମନ୍ତ୍ରୀମାନେ ଉତ୍ତର-ପୂର୍ବର ବିଭିନ୍ନ ଜିଲ୍ଲା ସଦର ମହକୁମାରେ ୪୦୦ ରାତ୍ରୀକାଳୀନ ଗସ୍ତ କରିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ଭାବେ ନିଜେ ୫୦ ଥର ଗସ୍ତ କରିଛନ୍ତି । ଉତ୍ତର-ପୂର୍ବ ସହ ତାଙ୍କର ଭାବପ୍ରବଣ ସମ୍ପର୍କ ରହିଛି। ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ସେ ସମଗ୍ର ଅଞ୍ଚଳ ଭ୍ରମଣ କରିଥିବା ଶ୍ରୀ ମୋଦୀ କହିଥିଲେ।

ପ୍ରଧାନମନ୍ତ୍ରୀ ଦୋହରାଇଥିଲେ ଯେ ମଣିପୁରର ପରିସ୍ଥିତିକୁ ଏପରି ଭାବରେ ଉପସ୍ଥାପିତ କରାଯାଉଛି, ଯେମିତି ନିକଟରେ ସଂଘର୍ଷ ସୃଷ୍ଟି ହୋଇଛି । କିନ୍ତୁ ମଣିପୁରର ସମସ୍ତ ପ୍ରସଙ୍ଗର ମୂଳ କାରଣ ହେଉଛି କଂଗ୍ରେସ ଏବଂ ଏହାର ରାଜନୀତି । ମଣିପୁର ସମୃଦ୍ଧ ଭାରତୀୟ ସଂସ୍କୃତି ଓ ଐତିହ୍ୟରେ ପରିପୂର୍ଣ୍ଣ। ମଣିପୁର ହେଉଛି ଅଗଣିତ ବଳିଦାନର ଭୂମ ବୋଲି ଶ୍ରୀ ମୋଦୀ କହିଥିଲେ । ସେ ରାଜ୍ୟରେ କଂଗ୍ରେସ ସରକାରଙ୍କ ସମୟକୁ ମନେ ପକାଇ ଦେଇଥିଲେ ଯେତେବେଳେ ପ୍ରତ୍ୟେକ ଅନୁଷ୍ଠାନ ଉଗ୍ରବାଦୀ ସଂଗଠନମାନଙ୍କ ଆହ୍ୱାନରେ କାର୍ଯ୍ୟ କରୁଥିଲା ଏବଂ ସରକାରୀ କାର୍ଯ୍ୟାଳୟରେ ମହାତ୍ମା ଗାନ୍ଧୀଙ୍କ ଫଟୋ ଲଗାଇବା ନିଷେଧ ଥିଲା । ମୋଇରାଙ୍ଗସ୍ଥିତ ଆଜାଦ ହିନ୍ଦ ଫୌଜ ସଂଗ୍ରହାଳୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଉପରେ ବୋମା ମାଡ଼ ଘଟଣା ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ। ସେ ଆହୁରି ମଧ୍ୟ ମନେ ପକାଇଥିଲେ ଯେ ତତ୍କାଳୀନ ସମୟରେ ମଣିପୁରର ବିଦ୍ୟାଳୟଗୁଡ଼ିକରେ ଜାତୀୟ ସଙ୍ଗୀତ ଗାନକୁ ନିଷେଧ କରାଯାଇଥିଲା ଏବଂ ପାଠାଗାରରୁ ପୁସ୍ତକ ପୋଡିବା ପାଇଁ ଅଭିଯାନ ଆରମ୍ଭ କରାଯାଇଥିଲା । ପ୍ରଧାନମନ୍ତ୍ରୀ କଂଗ୍ରେସ ଶାସନ ସମୟରେ ଏହି ଅଞ୍ଚଳରେ ଉଗ୍ରବାଦୀ କାର୍ଯ୍ୟକଳାପର ଅନେକ ଉଦାହରଣ ଦେଇଥିଲେ ।

ସନ୍ଧ୍ୟା ୪ଟାରେ ମନ୍ଦିରଗୁଡ଼ିକର କବାଟ ବନ୍ଦ କରିବା, ଇମ୍ଫାଲର ଇସ୍କନ ମନ୍ଦିରରେ ବୋମା ମାଡ଼ ଆଦି ଘଟଣା ବିଷୟରେ କହିଥିଲେ ଯେଉଁଥିରେ ଜୀବନ ହାନି ହୋଇଥିଲା । ସରକାରୀ ଅଧିକାରୀମାନେ ଉଗ୍ରବାଦୀମାନଙ୍କୁ ପ୍ରଦାନ କରିଥିବା ସୁରକ୍ଷା ଅର୍ଥ ବିଷୟରେ ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ।

ଆଗାମୀ ଦିନରେ ଉତ୍ତର-ପୂର୍ବାଞ୍ଚଳ ବିକାଶର କେନ୍ଦ୍ର ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ବିଶ୍ୱ ବ୍ୟବସ୍ଥାରେ ସଂସ୍କାର ଦକ୍ଷିଣ-ପୂର୍ବ ଏସିଆ ଏବଂ ଆସିଆନ ଦେଶମାନଙ୍କରେ ପରିବର୍ତ୍ତନ ଆଣିବ ଏବଂ ଉତ୍ତର-ପୂର୍ବରେ ଏହାର କ’ଣ ପ୍ରଭାବ ପଡ଼ିବ ସେ ବିଷୟରେ ସେ ଅବଗତ ଅଛନ୍ତି। ସେଥିପାଇଁ ପ୍ରଧାନମନ୍ତ୍ରୀ କହିଥିଲେ, ଆମ ସରକାର ଉତ୍ତର-ପୂର୍ବାଞ୍ଚଳର ବିକାଶକୁ ପ୍ରାଥମିକତା ଦେଇଛନ୍ତି। ଶ୍ରୀ ମୋଦୀ ଉତ୍ତର-ପୂର୍ବାଞ୍ଚଳରେ ଭିତ୍ତିଭୂମିରେ ପୁଞ୍ଜିନିବେଶ ବିଷୟରେ ଆଲୋଚନା କରିଥିଲେ ଏବଂ ଆଧୁନିକ ରାଜପଥ, ରେଳବାଇ ଏବଂ ବିମାନବନ୍ଦର କିପରି ଉତ୍ତର-ପୂର୍ବର ପରିଚୟ ପାଲଟିଛି ସେ ବିଷୟରେ ଉଲ୍ଲେଖ କରିଥିଲେ । ପ୍ରଥମ ଥର ପାଇଁ ଅଗରତାଲାରେ ରେଳ ସଂଯୋଗ ହେଲା, ମାଲବାହୀ ଟ୍ରେନ୍ ପ୍ରଥମ ଥର ପାଇଁ ମଣିପୁରରେ ପହଞ୍ଚିଲା, ପ୍ରଥମ ଥର ପାଇଁ ବନ୍ଦେ ଭାରତ ଭଳି ଆଧୁନିକ ଟ୍ରେନ୍ ଏହି ଅଞ୍ଚଳରେ ଚାଲିଲା। ଅରୁଣାଚଳ ପ୍ରଦେଶରେ ପ୍ରଥମ ଗ୍ରୀନଫିଲ୍ଡ ବିମାନବନ୍ଦର ନିର୍ମାଣ ହେଲା, ସିକ୍କିମ ବିମାନ ଯାତ୍ରା ସହ ସଂଯୁକ୍ତ ହେଲା, ଉତ୍ତର-ପୂର୍ବରେ ପ୍ରଥମ ଥର ପାଇଁ ଏମ୍ସ ଖୋଲାଗଲା। ମଣିପୁରରେ ଜାତୀୟ କ୍ରୀଡ଼ା ବିଶ୍ୱବିଦ୍ୟାଳୟ ଏବଂ ମିଜୋରାମରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମାସ୍ କମ୍ୟୁନିକେସନ ପ୍ରଥମ ଥର ପାଇଁ ଖୋଲାଯାଇଥିବା ପ୍ରଧାନମନ୍ତ୍ରୀ କହିଥିଲେ । କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଉତ୍ତର ପୂର୍ବାଞ୍ଚଳର ପ୍ରତିନିଧିତ୍ୱ ବୃଦ୍ଧି ପାଇଛି ଏବଂ ପ୍ରଥମ ଥର ପାଇଁ ଜଣେ ମହିଳା ରାଜ୍ୟସଭାରେ ନାଗାଲାଣ୍ଡର ପ୍ରତିନିଧିତ୍ୱ କରିଛନ୍ତି । ପ୍ରଥମ ଥର ପାଇଁ ଉତ୍ତର-ପୂର୍ବର ଏତେ ସଂଖ୍ୟକ ଲୋକଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି ଏବଂ ଗଣତନ୍ତ୍ର ଦିବସରେ ଲଚିତ୍ ବୁର୍ଫୁକାନଙ୍କ ଭଳି ଜଣେ ନାୟକଙ୍କୁ ସମ୍ମାନ ପ୍ରଦର୍ଶିତ କରାଯାଇଛି ଏବଂ ରାଣୀ ଗାଇଦିନ୍ଲୁଙ୍କ ନାମରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯାଇଛି ।

“ଆମ ପାଇଁ ସବକା ସାଥ ସବକା ବିଶ୍ୱାସ ଏକ ସ୍ଲୋଗାନ ନୁହେଁ ବରଂ ଏହା ଏକ ଆସ୍ଥା, ଏକ ପ୍ରତିବଦ୍ଧତର । ମୁଁ ଦେଶବାସୀଙ୍କୁ ଆଶ୍ୱାସନା ଦେଉଛି ଯେ ମୁଁ ଶରୀରର ପ୍ରତ୍ୟେକ କଣିକା ଏବଂ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଦେଶବାସୀଙ୍କ ସେବାରେ ଉତ୍ସର୍ଗ କରିବି,’’ ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ, ସଂସଦ କୌଣସି ଦଳ ପାଇଁ ମଞ୍ଚ ନୁହେଁ। ସଂସଦ ହେଉଛି ଦେଶର ସର୍ବୋଚ୍ଚ ସଂସ୍ଥା । ତେଣୁ ଏଥିପାଇଁ ସାଂସଦମାନଙ୍କର କିଛି ଗମ୍ଭୀରତା ରହିବା ନିହାତି ଜରୁରୀ। ଏତେ ସଂଖ୍ୟକ ସମ୍ବଳ ଏଠାରେ ଉତ୍ସର୍ଗ କରାଯାଉଛି। ଏଠାରେ ପ୍ରତି ସେକେଣ୍ଡକୁ ଦେଶ ପାଇଁ ଉପଯୋଗ କରାଯିବା ଉଚିତ। ଗମ୍ଭୀରତାର ଅଭାବରୁ ରାଜନୀତି କରାଯାଇପାରିବ କିନ୍ତୁ ଦେଶ ଚାଲିପାରିବ ନାହିଁ ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୯ ବର୍ଷ ମଧ୍ୟରେ ସାଧାରଣ ନାଗରିକଙ୍କ ବିଶ୍ୱାସ ନୂତନ ଉଚ୍ଚତାକୁ ବୃଦ୍ଧି ପାଉଛି ଏବଂ ପ୍ରତ୍ୟେକ ଭାରତୀୟ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହୋଇଛନ୍ତି । ଆଜିର ଭାରତ ଚାପରେ ଭାଙ୍ଗିବ ନାହିଁ। ଆଜିର ଭାରତ ମୁଣ୍ଡ ନୁଆଁଇବ ନାହିଁ, ଥକିବ ନାହିଁ ଏବଂ ଅଟକିବ ନାହିଁ ବୋଲି ଶ୍ରୀ ମୋଦୀ କହିଛନ୍ତି। ବିଶ୍ୱାସ ଓ ସଂକଳ୍ପ ନେଇ ଆଗକୁ ବଢିବା ପାଇଁ ସେ ନାଗରିକମାନଙ୍କୁ ଅନୁରୋଧ କରିବା ସହ କହିଛନ୍ତି ଯେ ସାଧାରଣ ଲୋକଙ୍କ ବିଶ୍ୱାସ ହିଁ ବିଶ୍ୱକୁ ଭାରତ ଉପରେ ବିଶ୍ୱାସ କରିବାକୁ ପ୍ରେରଣା ଦେଉଛି । ଭାରତ ଉପରେ ବିଶ୍ୱର ବଢୁଥିବା ବିଶ୍ୱାସ ପାଇଁ ସେ ସାଧାରଣ ନାଗରିକଙ୍କ ମଧ୍ୟରେ ବିଶ୍ୱାସ ବୃଦ୍ଧିକୁ ଶ୍ରେୟ ଦେଇଛନ୍ତି ।

ବିଗତ କିଛି ବର୍ଷ ମଧ୍ୟରେ ସରକାର ବିକଶିତ ଭାରତର ମଜଭୁତ ଭିତ୍ତିଭୂମି ସ୍ଥାପନ କରିବାରେ ସଫଳ ହୋଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଭିତ୍ତିଭୂମି ହିଁ ୨୦୪୭ ସୁଦ୍ଧା ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରାଇବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ। ଦେଶ ଏକତ୍ରିତ ହୋଇ ଖରାପ ପରିସ୍ଥିତିରୁ ମୁକୁଳିଛି ବୋଲି ସେ ଜୋର ଦେଇ କହିବା ସହ ମଣିପୁରର ଭୂମିକୁ ତୁଚ୍ଛ ରାଜନୀତି ପାଇଁ ଅପବ୍ୟବହାର ନ କରିବାକୁ ରାଜନୈତିକ ଦଳଗୁଡ଼ିକୁ ଅନୁରୋଧ କରିଥିଲେ। ଆମକୁ ଯନ୍ତ୍ରଣା ପ୍ରତି ସହାନୁଭୂତି ପ୍ରକାଶ କରିବାକୁ ପଡ଼ିବ ଏବଂ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବାକୁ ପଡ଼ିବ। ଏହା ହିଁ ଆଗକୁ ବଢିବାର ବାଟ ବୋଲି ପ୍ରଧାନମନ୍ତ୍ରୀ ନିବେଦନ କରି କହିଥିଲେ।

Categories
ବିଶେଷ ଖବର

ଆଜି ଜାତୀୟ ହ୍ୟାଣ୍ଡଲୁମ୍ ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ 7 ତାରିଖରେ ମଧ୍ୟାହ୍ନ 12 ଟା ସମୟରେ ଦିଲ୍ଲୀର ପ୍ରଗତି ମୈଦାନରେ ଭାରତ ମଣ୍ଡପମ ଠାରେ ଜାତୀୟ ହସ୍ତତନ୍ତ ଦିବସ ଉତ୍ସବରେ ଅଂଶଗ୍ରହଣ କରିବେ।

ପ୍ରଧାନମନ୍ତ୍ରୀ ସର୍ବଦା କାରିଗର ଏବଂ କଳାକାରମାନଙ୍କୁ ଉତ୍ସାହିତ ଏବଂ ନୀତିଗତ ସମର୍ଥନ ପ୍ରଦାନ କରିବାରେ ଏକ ଦୃଢ଼ ପ୍ରୋତ୍ସାହକ ରହିଆସିଛନ୍ତି, ଯେଉଁମାନେ ଦେଶର ସମୃଦ୍ଧ ପରମ୍ପରା ତଥା କଳା ଏବଂ କାରିଗରୀରେ ବଞ୍ଚାଇ ରଖିଛନ୍ତି। ଏହି ଲକ୍ଷ୍ୟର ମାର୍ଗଦର୍ଶନ କରି ସରକାର ଜାତୀୟ ହସ୍ତତନ୍ତ ଦିବସ ପାଳନ କରିବା ଆରମ୍ଭ କରିଥିଲେ, ଯାହା ପ୍ରଥମେ ଅଗଷ୍ଟ 7, 2015 ରେ ଅନୁଷ୍ଠିତ ହୋଇଥିଲା। ଏହି ତାରିଖଟି ସ୍ବଦେଶୀ ଆନ୍ଦୋଳନର ଏକ ବିଶେଷ ରୂପେ ମନୋନୀତ ହୋଇଥିଲା ଯାହା 7 ଅଗଷ୍ଟ 1905 ରେ ଆରମ୍ଭ ହୋଇଥିଲା ଏବଂ ଏହାଦ୍ବାରା ସ୍ୱଦେଶୀ ଶିଳ୍ପ ଏବଂ ବିଶେଷ ଭାବରେ ହସ୍ତତନ୍ତ ବୁଣାକାରମାନେ ଉତ୍ସାହିତ ହୋଇଥିଲେ।

ଚଳିତ ବର୍ଷ 9ମ ଜାତୀୟ ହସ୍ତତନ୍ତ ଦିବସ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ “ଭାରତୀୟ ବସ୍ତ୍ର ଏବଂ ଶିଳ୍ପକୋଷ” ର ଇ-ପୋର୍ଟାଲ ମଧ୍ୟ ଉନ୍ମୋଚନ କରିବେ ଯାହାକି ଟେକ୍ସଟାଇଲ୍ ଓ କାରିଗରିର ଏକ ଭଣ୍ଡାର। ଏହାକୁ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ୍ ଟେକ୍ନୋଲୋଜି (ଏନଆଇଏଫଟି) ଦ୍ୱାରା ବିକଶିତ କରାଯାଇଛି।

ଏହି କାର୍ଯ୍ୟକ୍ରମରେ 3000 ରୁ ଅଧିକ ହ୍ୟାଣ୍ଡଲୁମ୍ ଏବଂ ଖଦି ବୁଣାକାର, କାରିଗର ଏବଂ ବୟନଶିଳ୍ପ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ରର ହିତାଧିକାରୀମାନେ ଯୋଗଦେବେ। ଏହା ସମଗ୍ର ଭାରତରେ ହ୍ୟାଣ୍ଡଲୁମ୍ କ୍ଲଷ୍ଟର, ଏନଆଇଏଫଟି କ୍ୟାମ୍ପସ୍, ବୁଣାକାର ସେବା କେନ୍ଦ୍ର, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ହ୍ୟାଣ୍ଡଲୁମ୍ ଟେକ୍ନୋଲୋଜି କ୍ୟାମ୍ପସ୍, ନ୍ୟାସନାଲ ହ୍ୟାଣ୍ଡଲୁମ୍ ଡେଭଲପମେଣ୍ଟ କର୍ପୋରେସନ୍, ହ୍ୟାଣ୍ଡଲୁମ୍ ଏକ୍ସପୋର୍ଟ ପ୍ରମୋସନ କାଉନ୍‌ସିଲ୍, କେଭିଆଇସି ଅନୁଷ୍ଠାନ ଏବଂ ବିଭିନ୍ନ ରାଜ୍ୟ ହସ୍ତତନ୍ତ ବିଭାଗକୁ ଏକତ୍ର କରିବ।

Categories
ଆଜିର ଖବର ଜାତୀୟ ଖବର

ଦକ୍ଷିଣ ଭାରତର ଏନଡିଏ ସାଂସଦଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ, ରାତ୍ରୀ ଭୋଜନରେ କଣ ଖାଇବାକୁ ଦେଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ବିଭିନ୍ନ ରାଜ୍ୟର ଏନଡିଏ ସାଂସଦମାନଙ୍କ ସହିତ ଆଲୋଚନା ଆରମ୍ଭ କରିଛନ୍ତି। ଏଥିରେ ସେ ଗତକାଲି ଉତ୍ତର ପ୍ରଦେଶ ସହିତ ଦକ୍ଷିଣ ଭାରତର ସାଂସଦଙ୍କ ସହିତ ସାକ୍ଷାତ କରିଛନ୍ତି। ଏହି ବୈଠକରେ ମୋଦି କେନ୍ଦ୍ର ସରକାରଙ୍କ ଭିଜନ କିପରି ଲୋକଙ୍କୁ ପାଖକୁ ଯିବ ସେ ନେଇ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି।

ବୈଠକ ଶେଷରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ରାତ୍ରୀଭୋଜନ ଦେଇ ଆପ୍ୟାୟତ କରିଥିଲେ। ଯେଉଁଦିନ ଯେଉଁ ଅଞ୍ଚଳର ସାଂସଦଙ୍କ ସହିତ ଆଲୋଚନା ହେବ ସେହିଦିନ ସେହି ଅଞ୍ଚଳର ଖାଦ୍ୟ ପରିବେଷଣ ହେବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସେଥିପାଇଁ ଗତକାଲି ପ୍ରଧାନମନ୍ତ୍ରୀ ଦକ୍ଷିଣ ଭାରତର ବ୍ୟଞ୍ଜନ ସମସ୍ତଙ୍କୁ ଦେଇଥିଲେ। ଏଥିରେ କଦଳୀ ପତ୍ରରେ ଭୋଜନ ପରଷା ଯାଇଥିଲା। ଏଥିରେ ପାନିଆରାମ, ଉପମା, ଭେଜିଟେବୁଲ କୁରମା, ପୁଲିହୋରା, ପପୁ ଚାରୁ, ଅଦାୟ ଆଭିଆଲ୍ ପରି ବହୁ ଖାଦ୍ୟ ପରଷା ଯାଇଥିଲା।

Categories
ଜାତୀୟ ଖବର ବିଶେଷ ଖବର

ନୂଆଦିଲ୍ଲୀରେ ୧୧ ଦିନିଆ ଏନଡିଏ ବୈଠକ, ପର୍ଯ୍ୟାୟ କ୍ରମେ ସବୁ ସାଂସଦଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁଲାଇ ୩୧ରୁ ଅଗଷ୍ଟ ୧୦ ମଧ୍ୟରେ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ)ର ସମସ୍ତ ସାଂସଦଙ୍କୁ ବିଭିନ୍ନ ଗୋଷ୍ଠୀରେ ଭେଟିବାକୁ ଯୋଜନା କରିଛନ୍ତି। ପ୍ରଥମେ ସନ୍ଧ୍ୟା ସାଢ଼େ ୬ଟାରେ ଏବଂ ଅନ୍ୟଟି ସନ୍ଧ୍ୟା ସାଢ଼େ ୭ଟାରେ ଦୁଇଟି ଭାଗରେ ବୈଠକ ହେବ।

ସୋମବାର (ଜୁଲାଇ ୩୧) ଠାରୁ ଏନଡିଏ ବୈଠକ ଆରମ୍ଭ ହେବ, ଯେଉଁଥିରେ ଉତ୍ତରପ୍ରଦେଶର ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ସନ୍ଧ୍ୟା ସାଢ଼େ ୬ଟାରେ ଭେଟି ସାଙ୍ଗଠନିକ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ।

ଏହି ବୈଠକରେ ପଶ୍ଚିମ ୟୁପି, ବ୍ରଜ, କାନପୁର ଏବଂ ବୁନ୍ଦେଲଖଣ୍ଡର ସାଂସଦମାନେ ସାମିଲ ହେବେ। ସଞ୍ଜୀବ ବାଲିୟାନ ଏବଂ ବିଏଲ ବର୍ମାଙ୍କ ଦ୍ୱାରା ଆୟୋଜିତ ଏହି ଅଧିବେଶନରେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ରହିବେ।

ସେହିଦିନ ସନ୍ଧ୍ୟା ସାଢ଼େ ୭ଟାରେ ପ୍ରଧାନମନ୍ତ୍ରୀ ମୋଦି ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ଓଡ଼ିଶାର ସାଂସଦମାନଙ୍କ ସହ ସାକ୍ଷାତ୍‌ କରିବେ। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେବେ। ଧର୍ମେନ୍ଦ୍ର ପ୍ରଧାନ ଏବଂ ଶାନ୍ତନୁ ଠାକୁର ଏହି ଅଧିବେଶନର ଆୟୋଜନ କରିବେ, ଯେଉଁଥିରେ ୪୧ ଜଣ ସାଂସଦ ଉପସ୍ଥିତ ରହିବେ।

ଅଗଷ୍ଟ ୨ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ଉତ୍ତରପ୍ରଦେଶର କାଶୀ, ଗୋରଖପୁର ଓ ଅବଧରୁ ସାଂସଦମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ । ଅମିତ ଶାହା ଓ ରାଜନାଥ ସିଂହ ଉପସ୍ଥିତ ରହିବେ ଏବଂ ମନ୍ତ୍ରୀ ଅନୁପ୍ରୁକ୍ତ ପଟେଲ ଓ ମହେନ୍ଦ୍ର ନାଥ ପାଣ୍ଡେ ଆୟୋଜକଭାବେ ଦାୟିତ୍ୱ ତୁଲାଇବେ ଏହି ଅଧିବେଶନରେ ୪୮ ଜଣ ସାଂସଦ ଅଂଶଗ୍ରହଣ କରିବେ।

ସେହିଦିନ ସନ୍ଧ୍ୟା ସାଢ଼େ ୭ଟାରେ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, କେରଳ, ପୁଡୁଚେରୀ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ଲାକ୍ଷାଦ୍ୱୀପର ସାଂସଦମାନଙ୍କ ସହ ବୈଠକ ହେବ। ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଭି ମୁରଲୀଧରନଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ଜେପି ନଡ୍ଡା ଏବଂ ନୀତିନ ଗଡକରୀ ଉପସ୍ଥିତ ରହିବେ। ଏଥିରେ ମୋଟ ୪୮ ଜଣ ସାଂସଦ ଯୋଗଦେବେ ବୋଲି ଆଶା କରାଯାଉଛି।

ଆଗକୁ ବଢ଼ି ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୩ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ବିହାରର ୨୭ ଜଣ ସାଂସଦଙ୍କ ସହ ସାକ୍ଷାତ୍‌ କରିବେ। ମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ରାଜନାଥ ସିଂହ ଏବଂ ଅମିତ ଶାହା ଯୋଗଦେବେ।

ଏହାପରେ ଅଗଷ୍ଟ ୩ ତାରିଖ ସନ୍ଧ୍ୟା ସାଢ଼େ ୭ଟାରେ ଦିଲ୍ଲୀ, ହିମାଚଳ ପ୍ରଦେଶ, ପଞ୍ଜାବ, ଚଣ୍ଡିଗଡ଼, ହରିୟାଣା, ଉତ୍ତରାଖଣ୍ଡ, ଜମ୍ମୁ-କଶ୍ମୀର ଓ ଲଦାଖର ୩୬ ଜଣ ସାଂସଦଙ୍କ ସହ ବୈଠକ ହେବ। ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅଜୟ ଭଟ୍ଟଙ୍କ ଦ୍ୱାରା ଆୟୋଜିତ ଏହି ବୈଠକରେ ଜେପି ନଡ୍ଡା ଏବଂ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ରହିବେ।

ଅଗଷ୍ଟ ୮ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ପ୍ରଧାନମନ୍ତ୍ରୀ ମୋଦୀ ରାଜସ୍ଥାନର ୨୮ ଜଣ ସାଂସଦଙ୍କ ସହ ସାକ୍ଷାତ୍‌ କରିବେ। ଏହି ବୈଠକରେ ଜେପି ନଡ୍ଡା ଏବଂ ରାଜନାଥ ସିଂହଉପସ୍ଥିତ ରହିବେ। ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ କୈଳାସ ଚୌଧୁରୀ ଅଧିବେଶନ ପରିଚାଳନା କରିବେ।

ଏହାପରେ ସନ୍ଧ୍ୟା ସାଢ଼େ ୭ଟାରେ ପ୍ରଧାନମନ୍ତ୍ରୀ ମୋଦୀ ମହାରାଷ୍ଟ୍ର ଓ ଗୋଆର ୪୮ ଜଣ ସାଂସଦଙ୍କ ସହ ସାକ୍ଷାତ୍ କରିବେ। ଅମିତ ଶାହା ଏବଂ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ରହିବେ ଏବଂ ମନ୍ତ୍ରୀ ଭାରତୀ ପାୱାର ଏବଂ କପିଲ ପାଟିଲ ହୋଷ୍ଟ ଭୂମିକାରେ ନଜର ଆସିବେ।

ଅଗଷ୍ଟ ୯ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ପ୍ରଧାନମନ୍ତ୍ରୀ ଗୁଜରାଟ, ଦାଦ୍ରା ନଗର ହାଭେଲି, ଦାମନ ଓ ଦିଉର ୩୫ ଜଣ ସାଂସଦଙ୍କ ସହ ସାକ୍ଷାତ୍‌ କରିବେ। ଏହି ବୈଠକରେ ମନ୍ତ୍ରୀ ପୁରୁଷୋତ୍ତମ ରୂପାଲା ଏବଂ ଦର୍ଶନା ଜରଦୋଶଙ୍କ ସହ ଜେପି ନଡ୍ଡା ଓ ନୀତିନ ଗଡକରୀ ଯୋଗଦେବେ।

ସେହିଦିନ ସନ୍ଧ୍ୟା ସାଢ଼େ ୭ଟାରେ ମଧ୍ୟପ୍ରଦେଶ ଓ ଛତିଶଗଡ଼ର ୪୬ ଜଣ ସାଂସଦଙ୍କ ସହ ବୈଠକ ହେବ, ଯେଉଁଠାରେ ଅମିତ ଶାହା ଓ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିବେ। ଏହି ଅଧିବେଶନରେ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ରେଣୁକା ସିଂ ଯୋଗ ଦେବେ।

ଶେଷରେ ପ୍ରଧାନମନ୍ତ୍ରୀ ମୋଦୀ ଅଗଷ୍ଟ ୯ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ସିକ୍କିମ, ଅରୁଣାଚଳ ପ୍ରଦେଶ, ନାଗାଲାଣ୍ଡ, ମିଜୋରାମ, ମେଘାଳୟ ଓ ତ୍ରିପୁରାର ୩୧ ଜଣ ସାଂସଦଙ୍କ ସହ ସାକ୍ଷାତ୍‌ କରିବେ। ଅଧିବେଶନ ଆୟୋଜନ କରୁଥିବା ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏବଂ କିରଣ ରିଜୁଜୁଙ୍କ ସହ ଜେପି ନଡ୍ଡା ଏବଂ ନୀତିନ ଗଡକରୀ ଉପସ୍ଥିତ ରହିବେ।

ଲୋକସଭା ନିର୍ବାଚନ ପୂର୍ବରୁ ଏନଡିଏ ବୈଠକ ୨୦୨୪ ଲୋକସଭା ନିର୍ବାଚନ ପରିପ୍ରେକ୍ଷୀରେ ଆସୁଥିବାରୁ ଏହି ବୈଠକଗୁଡ଼ିକ ଗୁରୁତ୍ୱବହନ କରୁଛି। ଏହା ପୂର୍ବରୁ ଜୁଲାଇ ୧୮ତାରିଖରେ ବେଙ୍ଗାଲୁରୁରେ ବିରୋଧୀମାନେ ଏକ ସଭା ପାଇଁ ଏକାଠି ହୋଇଥିବାବେଳେ ୩୮ଟି ଦଳର ଏନଡିଏ ନେତାମାନେ ବୈଠକ କରିଥିଲେ।

ଆଗାମୀ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସାଂସଦମାନଙ୍କୁ ଟିପ୍ସ ଦେବା ଏହି ବୈଠକର ଉଦ୍ଦେଶ୍ୟ। ଏହାବ୍ୟତୀତ ଅନେକ ସାଂସଦ ପୁସ୍ତିକା ଆକାରରେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ସେମାନଙ୍କ କାର୍ଯ୍ୟର ବିବରଣୀ ଉପସ୍ଥାପନ କରିବେ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ସ୍ବଦେଶ ଫେରିଲେ ପ୍ରଧାନମନ୍ତ୍ରୀ, ବିମାନ ବନ୍ଦରରେ ନଡ୍ଡାଙ୍କୁ ପଚାରିଲେ ଭାରତରେ କଣ ଚାଲିଛି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଦିନିଆ ଆମେରିକା ଏବଂ ଇଜିପ୍ଟ ଗସ୍ତଶେଷ କରି ଭାରତ ଫେରିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ପିଏମ ମୋଦୀଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ମୀନାକ୍ଷୀ ଲେଖୀ ଏବଂ ବିଜେପି ମୁଖ୍ୟ ଜେ ପି ନାଡା ସ୍ବାଗତ କରିଛନ୍ତି। ଏଥିରେ ଦିଲ୍ଲୀର ବିଜେପି ନେତା ତଥା ଦଳର ସାଂସଦ ହର୍ଷ ବର୍ଦ୍ଧନ, ହାନ୍ସ ରାଜ ଏବଂ ଗୌତମ ଗମ୍ଭୀର ମଧ୍ୟ ଉପସ୍ଥିତ ଥିଲେ।

ବିମାନ ବନ୍ଦରରେ ମୋଦି ସଭାପତି ନଡ୍ଡାଙ୍କୁ ପଚାରିଛନ୍ତି ଯେ, ଭାରତରେ ବର୍ତ୍ତମାନ କଣ ଚାଲିଛି। ଉତ୍ତରେ ନଡ୍ଡା କହିଥିଲେ ଯେ, ସରକାରର ନଅ ବର୍ଷର ରିପୋର୍ଟ କାର୍ଡ ଧରି ଦଳର ନେତାମାନେ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି। ଦେଶ ବେଶ୍ ଖୁସି ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ କୁହାଗଲା ବୋଲି ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ବିଜେପି ସାଂସଦ ପରଭେଶ ବର୍ମା କହିଛନ୍ତି ଯେ ଦେଶରେ କ’ଣ ଘଟୁଛି ଏବଂ ଦଳର ଜନସମ୍ପର୍କ କାର୍ଯ୍ୟକ୍ରମ କିପରି ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ। ତାଙ୍କୁ ଆମେ ଏ ବିଷୟରେ ସମସ୍ତ କଥା ଜଣାଇଥିଲୁ ବୋଲି ସେ କହିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିର ଆରମ୍ଭ ହେଲା ମହା ଜନସଂପର୍କ ଯାତ୍ରା, ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର/ନୂଆଦିଲ୍ଲୀ :  ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ବିଜେପି ଆରମ୍ଭ କରିଛି ଜନସଂପର୍କ ଯାତ୍ରା। ଦଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ଦେଶକ୍ରମେ ଆଜିଠାରୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଶୁଭାରମ୍ଭ ହୋଇଛି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଆଜମେରଠାରେ ମହାର‌୍ୟାଲି କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆଗାମୀ ୧ ମାସରେ ସମଗ୍ର ଦେଶରେ ଏହି ଭଳି ୫୧ ଟି ମହାର‌୍ୟାଲିର ଆୟୋଜନ କରାଯିବ। କେନ୍ଦ୍ରର ଶୀର୍ଷ ନେତୃତ୍ୱ ଏହି ଅଭିଯାନରେ ସାମିଲ ହେବେ।  ବିଜେପି ୫୪୩ ଲୋକସଭା କ୍ଷେତ୍ରକୁ ୧୪୪ଟି କ୍ଲଷ୍ଟରରେ ବିଭକ୍ତ କରି ପ୍ରତ୍ୟେକ କ୍ଲଷ୍ଟରରେ ବରିଷ୍ଠ ନେତୃବୃନ୍ଦ ୮ ଦିନ ବିତାଇବାର ପ୍ରସ୍ତାବ କରାଯାଇଛି।

ଏହି କ୍ରମରେ ଓଡିଶାରେ ୪ ଟି ମହାସଭା ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ଯୋଗ ଦେବେ। ଏଥି ସହ ରାଜ୍ୟରେ ୧୦୦୦ ରୁ ଉର୍ଦ୍ଧ୍ୱ ଜନସଭା ଅନୁଷ୍ଠିତ ହେବ ବୋଲି ଭୁବନେଶ୍ବରରେ ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ରାଜ୍ୟରେ ଡବଲ୍ ଇଂଜିନ ସରକାର ପାଇଁ ୧ କୋଟି ପରିବାରକୁ ସମସ୍ତ ୩୭୬୦୬ ବୁଥ୍‌ର ୫ ଲକ୍ଷ କାର୍ଯ୍ୟକର୍ତା ଭେଟି ମୋଦି ସରକାରଙ୍କ ସଫଳତା ବିଷୟରେ ଚର୍ଚ୍ଚା କରିବେ ବୋଲି ଶ୍ରୀ ସାମଲ କହିଛନ୍ତି।

ରାଜ୍ୟରେ ମହା ଜନସଂପର୍କ ଅଭିଯାନକୁ ସଫଳ କରିବା ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀଙ୍କ ଆବାହକତ୍ୱରେ ଏକ ରାଜ୍ୟ କମିଟି ଗଠନ କରାଯାଇଛି। ଓଡିଶାରେ ୨୧ଟି ଲୋକସଭା କ୍ଷେତ୍ରକୁ ସମୁଦାୟ ୬ଟି କ୍ଲଷ୍ଟରରେ ବିଭକ୍ତ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟଙ୍କ ସମେତ ଓଡିଶାର ୩ ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶର ଟୁଡୁ ପ୍ରମୁଖ ଏହି ମହା ଜନସଂପର୍କ ଅଭିଯାନରେ ସାମିଲ ହେବେ ବୋଲି ଶ୍ରୀ ସାମଲ କହିଛନ୍ତି।

୯ ବର୍ଷର ସଫଳତାକୁ ନେଇ ପାର୍ଟୀ ତରଫରୁ ଏକ ୱେବସାଇଟ 9yearsofseva.bjp.org ଲଂଚ୍ କରାଯାଇଛି । ଜନସଂପର୍କ ଏବଂ ଜନତାଙ୍କଠାରୁ ସମର୍ଥନ ପାଇଁ ଭାରତୀୟ ଜନତା ପାର୍ଟି ଏକ ମିସ୍‌ଡ କଲ୍ ନମ୍ବର ୯୦୯୦୯୦୨୦୨୪ ଲଂଚ କରାଯାଇଛି। ଘର ଘର ସଂପର୍କ ଅବସରରେ ସମସ୍ତ ନେତୃବୃନ୍ଦ ଘର ଘର ଯାଇ ଲୋକଙ୍କୁ ୯ ବର୍ଷର ସଫଳତା ବିଷୟରେ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉପରେ ଆସ୍ଥା ଅତୁଟ ରଖିବା ପାଇଁ ଜନତାଙ୍କ ସମର୍ଥନ ଲୋଡିବେ।

ଅଭିଯାନ ଅବସରରେ ୨୧ ଜୁନ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରତ୍ୟେକ କାର୍ଯ୍ୟକ୍ରମ ସ୍ଥଳରେ କେନ୍ଦ୍ର ସରକାରଙ୍କ ୯ ବର୍ଷର ସଫଳତାକୁ ନେଇ ପ୍ରଦର୍ଶନୀ ଆୟୋଜିତ ହେବ। ଜୁନ୍ ୨୩ ତାରିଖ ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ପୁଣ୍ୟ ତିଥି ଦିବସରେ ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଡିଜିଟାଲ ର‌୍ୟାଲି ମାଧ୍ୟମରେ ଦେଶର ୧୦ ଲକ୍ଷ ବୁଥ୍ ରେ ସମର୍ଥକ, ସମାଜରେ କାର୍ଯ୍ୟ କରୁଥିବା ବ୍ୟକ୍ତି ଏବଂ ପାର୍ଟି କାର୍ଯ୍ୟକର୍ତାଙ୍କ ସହ ସିଧାସଳଖ କଥାବାର୍ତା ଓ ସଂପର୍କ କରିବେ ବୋଲି ଶ୍ରୀ ସାମଲ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ମହା ଜନସଂପର୍କ ଅଭିଯାନର ରାଜ୍ୟ ସଂଯୋଜକ ତଥା ସାଂସଦ ଶ୍ରୀ ପ୍ରତାପ ଷଡଙ୍ଗୀ, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ଅନୀତା ଶୁଭଦର୍ଶିନୀ, ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ନେତା ଶ୍ରୀ ଶାରଦା ଶତପଥୀ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ମନୋରଂଜନ

ବରିଷ୍ଠ ଅଭିନେତା ଶରଥ ବାବୁଙ୍କ ବିୟୋଗ, ପ୍ରଧାନମନ୍ତ୍ରୀଙ୍କ ଶୋକ

ନୂଆଦିଲ୍ଲୀ: ଆଜି ବରିଷ୍ଠ ଅଭିନେତା ଶରଥ ବାବୁଙ୍କର 71 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବହୁ ଚଳଚିତ୍ରରେ ଅଭିନେତା ଭାବେ ଅଭିନୟ କରିଛନ୍ତି। ମୁଖ୍ୟତଃ ଦକ୍ଷିଣ ଭାରତୀୟ ଚଳଚିତ୍ରରେ ସେ ଜଣ ପରିଚିତ ନାମ। ତାଙ୍କ ବିୟୋଗରେ ବହୁ ବିଶିଷ୍ଠ ବ୍ୟକ୍ତିମାନେ ଶୋକ ବ୍ୟକ୍ତ କରିଛନ୍ତି।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବରିଷ୍ଠ ଅଭିନେତା ଶ୍ରୀ ଶରଥ ବାବୁଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ଶରଥ ବାବୁ ଜୀ ବହୁମୁଖୀ ଓ ସୃଜନଶୀଳ ଥିଲେ। ନିଜ ଦୀର୍ଘ ଫିଲ୍ମ କ୍ୟାରିୟର ମଧ୍ୟରେ ସେ ବିଭିନ୍ନ ଭାଷାରେ କରିଥିବା ବହୁ ଲୋକପ୍ରିୟ ଫିଲ୍ମ ପାଇଁ ସ୍ମରଣୀୟ ହୋଇରହିବେ। ତାଙ୍କ ବିୟୋଗରେ ଦୁଃଖିତ। ତାଙ୍କ ପରିବାର ଓ ପ୍ରଶଂସକମାନଙ୍କୁ ସମବେଦନା ଜଣାଉଛି। ଓମ ଶାନ୍ତି ।”

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର

ଜାପାନର ହିରୋସିମାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଉନମୋଚନ କଲେ ପ୍ରଧାନମନ୍ତ୍ରୀ ମୋଦୀ

ଜାପାନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି: ଆଜି ଜାପାନର ହିରୋସିମାଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଉନ୍ମୋଚନ କରିଛନ୍ତି। ଉଦ୍‌ଘାଟନୀ ସମାରୋହରେ ହିରୋସିମା ସହରର ମେୟର ଶ୍ରୀ କାଜୁମି ମାଟସୁଇ, ହିରୋସିମା ନଗର ସଭାର ବାଚସ୍ପତି ଶ୍ରୀ ତତ୍ସୁନୋରୀ ମୋଟାନି, ହିରୋସିମା ସଂସଦର ସଦସ୍ୟ ଏବଂ ବରିଷ୍ଠ ସରକାରୀ କର୍ମଚାରୀ, ଭାରତୀୟ ସମ୍ପ୍ରଦାୟର ସଦସ୍ୟ ଏବଂ ଜାପାନରେ ଥିବା ମହାତ୍ମା ଗାନ୍ଧୀଙ୍କ ଅନୁଗାମୀ ଉପସ୍ଥିତ ଥିଲେ।

୧୯-୨୧ ମଇରୁ ଜି -୭ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ଅବସରରେ ଭାରତ ଏବଂ ଜାପାନ ମଧ୍ୟରେ ବନ୍ଧୁତା ଏବଂ ଶୁଭେଚ୍ଛାର ପ୍ରତୀକ ଭାବରେ ମହାତ୍ମା ଗାନ୍ଧୀଙ୍କୁ ଭାରତ ସରକାର ହିରୋସିମା ସହରକୁ ଉପହାର ଦେଇଛନ୍ତି।

୪୨ ଇଞ୍ଚ ଉଚ୍ଚତା ବିଶିଷ୍ଟ ପିତ୍ତଳ ପ୍ରତିମୂର୍ତ୍ତକୁ ପଦ୍ମ ଭୂଷଣ ପୁରସ୍କାର ପ୍ରାପ୍ତ ଶ୍ରୀ ରାମ ଭାନଜୀ ସୂତାର ଦ୍ୱାରା ନିର୍ମାଣ କରାଯାଇଛି। ମୋଟୋୟାସୁ ନଦୀ ନିକଟରେ ଥିବା ପ୍ରତିମୂର୍ତ୍ତି ସାଇଟ୍ ଆଇକନିକ୍ ଏ-ବମ୍ ଡୋମ୍ ନିକଟରେ ଅଛି। ଯାହାକୁ ପ୍ରତିଦିନ ହଜାର ହଜାର ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକ ପରିଦର୍ଶନ କରୁଛନ୍ତି।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡିଶାରେ ୮୦୦୦ କୋଟି ଟଙ୍କାର ପ୍ରକଳ୍ପ ସହ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଓଡିଶାରେ ୮୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ରେଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଦେଶ ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି।

ଏହି ପ୍ରକଳ୍ପଗୁଡିକ ମଧ୍ୟରେ ପୁରୀ ଏବଂ ହାୱଡା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ, ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃବିକାଶ କାର‌୍ୟ୍ୟର ଭିତ୍ତିପ୍ରସ୍ତର ସ୍ଥାପନ, ଓଡିଶାରେ ରେଳ ନେଟୱାର୍କର ୧୦୦% ବିଦ୍ୟୁତିକରଣ କାର୍ଯ୍ୟ, ସମ୍ବଲପୁର-ଟିଟଲାଗଡ ରେଳ ଲାଇନର ଦୋହରୀକରଣ, ଅନୁଗୁଳ – ସୁକିନ୍ଦା ମଧ୍ୟରେ ନୂତନ ବ୍ରଡ ଗଜ ରେଳ ଲାଇନ; ମନୋହରପୁର – ରାଉରକେଲା – ଝାରସୁଗୁଡା – ଜାମଗା ମଧ୍ୟରେ ସଂଯୋଗ କରୁଥିବା ତୃତୀୟ ରେଳ ଲାଇନ୍ ଏବଂ ବିଛୁପାଲି – ଝାରତରଭା ମଧ୍ୟରେ ଏକ ନୂତନ ବ୍ରଡ-ଗଜ୍ ଲାଇନର ଲୋକାର୍ପଣ ରହିଛି।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଲୋକଙ୍କୁ ଆଜି ବନ୍ଦେ ଭାରତ ଏକ୍ସପ୍ରେସ ପ୍ରଦାନ କରାଯାଉଛି ଯାହା ଆଧୁନିକ ତଥା ଆକାଂକ୍ଷୀ ଭାରତର ପ୍ରତୀକ ଅଟେ। ଯେତେବେଳେ ବନ୍ଦେ ଭାରତ ଟ୍ରେନ୍ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଚାଲିଥାଏ ସେତେବେଳେ ଭାରତର ଗତି ଏବଂ ପ୍ରଗତି ଦେଖିବାକୁ ମିଳେ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ଏହି ଗତି ଓଡିଶା ଏବଂ ପଶ୍ଚିମବଙ୍ଗ ରାଜ୍ୟରେ ମଧ୍ୟ ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଯାତ୍ରୀମାନଙ୍କ ପାଇଁ ଯାତ୍ରା କରିବାର ଅଭିଜ୍ଞତା ସହିତ ବିକାଶର ଅର୍ଥକୁ ସଂପୂର୍ଣ୍ଣ ରୂପେ ବଦଳାଇ ଦେବ। କୋଲକାତା ଠାରୁ ପୁରୀକୁ ଦର୍ଶନ ପାଇଁ ହେଉ କିମ୍ବା ଅନ୍ୟ କାର‌୍ୟ୍ୟରେ ହେଉ, ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଯାତ୍ରା ସମୟ ବର୍ତ୍ତମାନ ସାଢେ ଛଅ ଘଣ୍ଟାକୁ ହ୍ରାସ ପାଇବ, ଯାହାଦ୍ୱାରା ସମୟ ବଞ୍ଚିବ, ବ୍ୟବସାୟିକ ସୁଯୋଗ ସୃଷ୍ଟି ହେବ ଏବଂ ଯୁବକମାନଙ୍କ ପାଇଁ ନୂତନ ସୁଯୋଗ ଆଣିଦେବ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଦୂର ଯାତ୍ରା କରିବାକୁ ଚାହୁଁଥିବା ନାଗରିକଙ୍କ ପାଇଁ ରେଳ ହେଉଛି ପ୍ରଥମ ପସନ୍ଦ ଏବଂ ପ୍ରାଥମିକତା। ଅନ୍ୟାନ୍ୟ ରେଳ ବିକାଶ ପ୍ରକଳ୍ପ ବିଷୟରେ ସେ ଉଲ୍ଲେଖ କରିଛନ୍ତି ଯାହା ମଧ୍ୟରେ ପୁରୀ ଏବଂ କଟକ ରେଳ ଷ୍ଟେସନର ପୁନଃର୍ନିମାଣ ଏବଂ ଆଧୁନିକୀକରଣ ପାଇଁ ଆଜି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏଥି ସହିତ ରାଜ୍ୟରେ ଅନେକ ରେଳ ଲାଇନର ଦୋହରିକରଣ ଏବଂ ଓଡିଶାରେ ରେଳ ଲାଇନର ଶତପ୍ରତିଶତ ବିଦ୍ୟୁତିକରଣ କାର‌୍ୟ୍ୟର ଲୋକାର୍ପଣ କରାଯାଇଛି।

ଆଜାଦୀ କା ଅମୃତ କାଳର ଯୁଗ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ଏକତା ଏବଂ ଅଖଣ୍ଡତାକୁ ଦୃଢ କରିବା ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ଦେଶ ଏକଜୁଟ ହୋଇ ରହିଲେ, ଦେଶର ସାମୂହିକ ଦକ୍ଷତା ଶିଖରରେ ପହଞ୍ଚିପାରିବ। ସେ କହିଛନ୍ତି ଯେ ବନ୍ଦେ ଭାରତ ଏକ୍ସପ୍ରେସ ଏଭଳି ବିଶ୍ୱାସର ପ୍ରତିଫଳନ ଯେଉଁଠାରେ ଏହା ଭାରତର ବିକାଶକୁ ଆଗକୁ ବଢାଇବା ସହ ଦେଶ ପାଇଁ “ଏକ ଭାରତ ଶ୍ରେଷ୍ଠ ଭାରତ’ ଆବେଗ ସହ ବିକାଶର ଇଞ୍ଜିନ ପାଲଟିଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ରେଳ ସମସ୍ତଙ୍କୁ ଏକ ରଜୁରେ ବାନ୍ଧିଥାଏ ଏବଂ ବନ୍ଦେ ଭାରତ ଏକ୍ସପ୍ରେସ ମଧ୍ୟ ସମାନ ଧାରଣା ଏବଂ ଚିନ୍ତାଧାରା ସହିତ ଆଗକୁ ବଢିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଟ୍ରେନ୍ ପୁରୀ ଏବଂ ହାୱଡା ମଧ୍ୟରେ ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ସଂଯୋଗକୁ ମଜବୁତ କରିବ। ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟରେ ପନ୍ଦରଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରି ଦେଶର ଅର୍ଥନୀତିକୁ ଆଗକୁ ବଢାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାଂପ୍ରତିକ ସମୟରେ ଅତ୍ୟନ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭାରତ ଏହାର ବିକାଶର ଗତି ବଜାୟ ରଖିଛି। ଏହି ଯାତ୍ରାରେ ପ୍ରତ୍ୟେକ ରାଜ୍ୟର ଅଂଶଗ୍ରହଣକୁ ଶ୍ରୀ ମୋଦୀ ଶ୍ରେୟ ଦେଇଛନ୍ତି ଏବଂ କହିଛନ୍ତି ଯେ ପ୍ରତ୍ୟେକ ରାଜ୍ୟକୁ ନେଇ ଦେଶ ଆଗକୁ ବଢୁଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ପୂର୍ବ ସମୟ ତୁଳନାରେ ନୂତନ ଭାରତ ସ୍ୱଦେଶୀ ଭାବରେ ଜ୍ଞାନକୌଶଳ ସୃଷ୍ଟି କରୁଛି ଏବଂ ଏହାକୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣକୁ ମଧ୍ୟ ନେଉଛି।

ବନ୍ଦେ ଭାରତ ଟ୍ରେନର ସ୍ୱଦେଶୀ ଉତ୍ପତ୍ତି ବିଷୟରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମହାମାରୀ ସମୟରେ ଭାରତ ୫ଜି ଏବଂ ଟିକା ଭଳି ଜ୍ଞାନକୌଶଳ ବିକଶିତ କରିଛି। ସେ ଦର୍ଶାଇଛନ୍ତି ଯେ ଏହି ଉଦ୍ଭାବନଗୁଡ଼ିକ କେବଳ ଗୋଟିଏ ରାଜ୍ୟ କିମ୍ବା ସହରରେ ସୀମିତ ରହିଲା ନାହିଁ ବରଂ ସମାନ ଢଙ୍ଗରେ ସାରା ଦେଶରେ ନିଆଗଲା। ସେହିଭଳି ବନ୍ଦେ ଭାରତ ଦେଶର କୋଣ ଅନୁକୋଣକୁ ସ୍ପର୍ଶ କରୁଛି ବୋଲି ସେ କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସବକା ସାଥ, ସବକା ବିକାଶର ଏହି ନୀତି ବିକାଶରେ ପଛରେ ପଡିଥିବା ସେହି ରାଜ୍ୟଗୁଡିକ ପାଇଁ ଲାଭଦାୟକ ଅଟେ। ସେ କହିଛନ୍ତି ଯେ ଓଡିଶାରେ ରେଳ ଯୋଜନା ପାଇଁ ବଜେଟ୍ ଯଥେଷ୍ଟ ବୃଦ୍ଧି ପାଇଛି। ସେ ସୂଚନା ଦେଇଛନ୍ତି ଯେ ୨୦୧୪ ପୂର୍ବରୁ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ବାର୍ଷିକ ମାତ୍ର ୨୦ କିଲୋମିଟର ରେଳ ଲାଇନ ପ୍ରତିଷ୍ଠା କରାଯାଇଥିବାବେଳେ ୨୦୨୨-୨୩ ବର୍ଷରେ ମାତ୍ର ଗୋଟିଏ ବର୍ଷରେ ୧୨୦ କିଲୋମିଟର ଲମ୍ବା ଲାଇନ ପ୍ରତିଷ୍ଠା କରାଯାଇଥିଲା।

ସେ କହିଛନ୍ତି ଯେ ଖୋର୍ଦ୍ଧା ବୋଲାଙ୍ଗୀର ଲାଇନ ଏବଂ ହରିଦାସପୁର-ପାରାଦୀପ ଲାଇନ ଭଳି ଦୀର୍ଘ ଦିନରୁ ପଡି ରହିଥିବା ପ୍ରକଳ୍ପ ଶୀଘ୍ର ଶେଷ ହେଉଛି। ପଶ୍ଚିମବଙ୍ଗରେ ସମାନ ସଫଳତା ହାସଲ କରିବା ପାଇଁ ଦ୍ରୁତ ଗତିରେ କାର‌୍ୟ୍ୟ ଚାଲିଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଓଡିଶା ଦେଶର ସେହି ରାଜ୍ୟ ମଧ୍ୟରୁ ଅନ୍ୟତମ ଯେଉଁଠାରେ ରେଳ ଲାଇନର ୧୦୦ ପ୍ରତିଶତ ବିଦ୍ୟୁତିକରଣ ହାସଲ କରାଯାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ଏହାଦ୍ୱାରା ଟ୍ରେନ ଗତିର ସାମଗ୍ରିକ ବୃଦ୍ଧି ଘଟିବା ସହିତ ମାଲବାହୀ ଟ୍ରେନ୍ ପାଇଁ ସମୟ ସଞ୍ଚୟ ହୋଇଛି। ସେ ଦର୍ଶାଇଛନ୍ତି ଯେ ଖଣିଜ ସମ୍ପଦ ଭରା ରାଜ୍ୟ ଓଡିଶା ରେଳ ଲାଇନର ବିଦ୍ୟୁତିକରଣ ଦ୍ୱାରା ବହୁ ଲାଭବାନ ହେବ ଯେଉଁଠାରେ ଡିଜେଲ ଇଞ୍ଜିନରୁ ପ୍ରଦୂଷଣ ବହୁ ମାତ୍ରାରେ ହ୍ରାସ ପାଇବ ଏବଂ ରାଜ୍ୟର ଶିଳ୍ପ ବିକାଶରେ ସହାୟକ ହେବ।

ଭିତ୍ତିଭୂମି ର୍ନିମାଣର ଅନ୍ୟ ଏକ ଦିଗ ଉପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଲୋକପାତ କରିଛନ୍ତି ଯାହା ବିଷୟରେ ଅଧିକ ଆଲୋଚନା କରାଯାଇ ନାହିଁ। ସେ କହିଛନ୍ତି ଯେ ଭିତ୍ତିଭୂମି କେବଳ ଲୋକଙ୍କ ଜୀବନକୁ ସହଜ କରେ ନାହିଁ ବରଂ ସମାଜକୁ ସଶକ୍ତ କରିଥାଏ। ଯେଉଁଠାରେ ଭିତ୍ତିଭୂମି ଅଭାବ ରହିଛି ସେଠାରେ ଲୋକଙ୍କ ବିକାଶ ପଛରେ ପଡିଛି।

ଯେତେବେଳେ ଭିତ୍ତିଭୂମି ବିକଶିତ ହୁଏ, ସେତେବେଳେ ଲୋକମାନଙ୍କର ଦ୍ରୁତ ବିକାଶ ଏକ ସମୟରେ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିକାଶମୂଳକ ପଦକ୍ଷେପକୁ ଆଲୋକପାତ କରି ପ୍ରଧାନମନ୍ତ୍ରୀ ପିଏମ୍ ସୌଭାଗ୍ୟ ଯୋଜନାର ଉଦାହରଣ ଦେଇଛନ୍ତି ଯେଉଁଠାରେ ସରକାର ୨.୫ କୋଟିରୁ ଅଧିକ ପରିବାରକୁ ମାଗଣାରେ ବିଦ୍ୟୁତ ସଂଯୋଗ ଯୋଗାଇ ଦେଇଛନ୍ତି ଯେଉଁଥିରେ ଓଡିଶାର ପ୍ରାୟ ୨୫ ଲକ୍ଷ ଘର ଏବଂ ପଶ୍ଚିମବଙ୍ଗର ୭.୨୫ ଲକ୍ଷ ଘର ରହିଛି।

ଦେଶର ବିମାନ ବନ୍ଦର ସଂଖ୍ୟା ଆଜି ୭୫ ରୁ ୧୫୦ କୁ ବୃଦ୍ଧି ପାଇଥିବା ସୂଚନା ଦେଇ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆରେ ଥିବା ବିଭିନ୍ନ ଫଟୋଗ୍ରାଫ ଏବଂ ଭିଡିଓ ପ୍ରତି ଧ୍ୟାନ ଦେଇଥିଲେ ଯେଉଁଠାରେ ଦେଶର ସାଧାରଣ ନାଗରିକମାନେ ସେମାନଙ୍କର ବିମାନ ଯାତ୍ରାର ଅଭିଜ୍ଞତା ସେୟାର କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭିତ୍ତିଭୂମି କ୍ଷେତ୍ରରେ ଭାରତର ସଫଳତା ଆଜି ଅଧ୍ୟୟନର ବିଷୟ । ସେ କହିଛନ୍ତି ଯେ ଯେତେବେଳେ ଭିତ୍ତିଭୂମି ପାଇଁ ୧୦ ଲକ୍ଷ କୋଟି ଆବଣ୍ଟନ କରାଯାଏ, ତାହା ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି କରେ ଏବଂ ରେଳପଥ ଓ ରାଜପଥ ସଂଯୋଗ, ଯାତାୟତରେ ସୁଗମତା ଏବଂ କୃଷକମାନଙ୍କୁ ନୂତନ ବଜାର, ପର‌୍ୟ୍ୟଟକଙ୍କ ପାଇଁ ନୂତନ ଆକର୍ଷଣ ଏବଂ ସେମାନଙ୍କ ପସନ୍ଦ କଲେଜ ସହିତ ଛାତ୍ରମାନଙ୍କୁ ସଂଯୋଗ ମଧ୍ୟ କରିଥାଏ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦେଶ “ଜନ ସେବା ହିଁ ପ୍ରଭୁ ସେବା” ର ଆବେଗ ସହିତ ଗତି କରୁଛି – ଲୋକଙ୍କ ସେବା ହେଉଛି ଈଶ୍ୱରଙ୍କ ସେବା। ସେ ଜଗନ୍ନାଥ ପରି ମନ୍ଦିର ଏବଂ ପୁରୀ ପରି ତୀର୍ଥସ୍ଥାନ ବିଷୟରେ ଉଲ୍ଲେଖ କରିଛନ୍ତି ଯେଉଁଠାରେ ପ୍ରସାଦ ଶତାବ୍ଦୀ ଧରି ବଣ୍ଟନ କରାଯାଇଆସୁଛି ଏବଂ ହଜାର ହଜାର ଗରିବ ଲୋକଙ୍କୁ ଖାଇବାକୁ ଦିଆଯାଉଛି।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇବା ଏବଂ ଆୟୁଷ୍ମାନ କାର୍ଡ, ଉଜ୍ଜ୍ୱଳା, ଜଳ ଜୀବନ ମିଶନ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଯୋଜନା ରହିଛି। ଆଜି ଗରିବମାନେ ସେହି ସମସ୍ତ ମୌଳିକ ସୁବିଧା ପାଇଛନ୍ତି ଯେଉଁଥିପାଇଁ ସେମାନଙ୍କୁ ବର୍ଷ ବର୍ଷ ଧରି ଅପେକ୍ଷା କରିବାକୁ ପଡୁଥିଲା।
ଭାରତର ଦ୍ରୁତ ବିକାଶ ପାଇଁ ରାଜ୍ୟଗୁଡିକର ସନ୍ତୁଳିତ ବିକାଶ ମଧ୍ୟ ସମାନ ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମ୍ବଳ ଅଭାବ ହେତୁ ବିକାଶ ଦୌଡ଼ରେ କୌଣସି ରାଜ୍ୟ ପଛରେ ପଡ଼ିବ ନାହିଁ।

ସେଥିପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି, ୧୫ ତମ ଅର୍ଥ କମିଶନ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟ ପାଇଁ ଅଧିକ ବଜେଟ୍ ସୁପାରିଶ କରିଥିଲେ। ଓଡ଼ିଶା ବିପୁଳ ପ୍ରାକୃତିକ ସମ୍ପଦର ଆଶୀର୍ବାଦ ପ୍ରାପ୍ତ ହୋଇଛି କିନ୍ତୁ ତ୍ରୁଟିପୂର୍ଣ୍ଣ ନୀତି ହେତୁ ନିଜ ସମ୍ବଳରୁ ବଞ୍ଚିତ ହୋଇଛି। ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଖଣିଜ ସମ୍ପଦକୁ ଦୃଷ୍ଟିରେ ରଖି ସରକାର ଖଣି ନୀତିରେ ସଂସ୍କାର ଆଣିଛନ୍ତି ଯାହା ଦ୍ୱାରା ସମସ୍ତ ରାଜସ୍ୱ ଯଥେଷ୍ଟ ବୃଦ୍ଧି ପାଇଛି ।

ଜିଏସଟି ଲାଗୁ ହେବା ପରେ ଖଣିଜ ସମ୍ପଦ ଥିବା ରାଜ୍ୟଗୁଡିକର ଟିକସ ଆୟ ମଧ୍ୟ ବୃଦ୍ଧି ପାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି। ରାଜ୍ୟର ବିକାଶ ତଥା ଗ୍ରାମରେ ଗରିବ ଲୋକଙ୍କ ସେବା ପାଇଁ ଏହି ସମ୍ବଳ ବ୍ୟବହାର କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଓଡ଼ିଶା କିଭଳି ପ୍ରାକୃତିକ ବିପର‌୍ୟ୍ୟୟକୁ ସଫଳତାର ସହ ମୁକାବିଲା କରିପାରିବ ସେଥିପାଇଁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ବିପର‌୍ୟ୍ୟୟ ପରିଚାଳନା ତଥା ଏନଡିଆରଏଫ ପାଇଁ ସରକାର ରାଜ୍ୟକୁ ୮ ହଜାର କୋଟିରୁ ଅଧିକ ଟଙ୍କା ଯୋଗାଇ ଦେଇଛନ୍ତି।

ଅଭିଭାଷଣ ସମାପ୍ତ କରି ପ୍ରଧାନମନ୍ତ୍ରୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଓଡିଶା, ପଶ୍ଚିମବଙ୍ଗ ଏବଂ ସମଗ୍ର ଦେଶରେ ବିକାଶର ଗତି ବୃଦ୍ଧି ପାଇବ ଏବଂ ଆମେ ଏକ ରାଷ୍ଟ୍ର ଭାବରେ ନୂତନ ତଥା ବିକଶିତ ଭାରତର ଲକ୍ଷ୍ୟ ହାସଲ କରିବୁ। ଏହି ଉତ୍ସବରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ରୋଜଗାର ମେଳା: ପ୍ରାୟ ୭୧,୦୦୦ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ୪୫ ଗୋଟି ସ୍ଥାନରେ ଆୟୋଜିତ ହେଇଥିବା କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୧୩ ଏପ୍ରିଲ ୨୦୧୩ ରେ ପ୍ରାୟ ୭୧,୦୦୦ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନବନିଯୁକ୍ତ କର୍ମଚାରୀମାନଙ୍କୁ ସମ୍ବୋଧିତ କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ, ମାନ୍ୟବର କେନ୍ଦ୍ର ଶିକ୍ଷା, କୌଶଳ ବିକାଶ ଏବଂ ଉଦ୍ୟମଶୀଳତା ମନ୍ତ୍ରୀ, ଭାରତ ସରକାର, ଭୁବନେଶ୍ୱର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୨୩୧ ନବନିଯୁକ୍ତଙ୍କୁ, ବିଶ୍ୱେଶ୍ୱର ଟୁଡୁ, ମାନ୍ୟବର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଆଦିବାସୀ ବ୍ୟାପାର ଏବଂ ଜଳ ଶକ୍ତି, ଭାରତ ସରକାର, କଟକ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୮୩ ନବନିଯୁକ୍ତଙ୍କୁ ଏବଂ ଫଗନ ସିଂ କୁଲାଷ୍ଟେ, ମାନ୍ୟବର କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ, ଇସ୍ପାତ ଏବଂ ଗ୍ରାମୀଣ ବିକାଶ, ଭାରତ ସରକାର, ବିଶାଖାପାଟନମ୍ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୬୫ ନବନିଯୁକ୍ତଙ୍କୁ ଯଥାକ୍ରମେ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି।

ରୋଜଗାର ସୃଷ୍ଟି ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ପୂରଣ ଦିଗରେ ରୋଜଗାର ମେଳା ଏକ ପଦକ୍ଷେପ। ରୋଜଗାର ମେଳା ଆଗାମୀ ନିଯୁକ୍ତି ସୃଷ୍ଟିରେ ଏକ ଉଲ୍ଲେଖନୀୟ ପଦକ୍ଷେପ ଭାବରେ କାର୍ଯ୍ୟ କରିବ ଏବଂ ଯୁବକମାନଙ୍କୁ ସେମାନଙ୍କର ସଶକ୍ତିକରଣ ଏବଂ ଜାତୀୟ ବିକାଶରେ ଅଂଶଗ୍ରହଣ ପାଇଁ ଉପଯୁକ୍ତ ସୁଯୋଗ ପ୍ରଦାନ କରିବ ବୋଲି ଆଶା କରାଯାଉଛି।

ଦେଶର ବିଭିନ୍ନ ସ୍ଥାନରୁ ନିଯୁକ୍ତି ପତ୍ର ପାଇଥିବା ଏହି ନୂତନ କର୍ମଚାରୀମାନେ ଟ୍ରେନ୍ ମ୍ୟାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ୍ କମ୍ ଟିକେଟ୍ କ୍ଲର୍କ, ଇନ୍ସପେକ୍ଟର, ସବ୍ ଇନ୍ସପେକ୍ଟର, କନଷ୍ଟେବଳ, ଷ୍ଟେନୋଗ୍ରାଫର, ଜୁନିଅର ଆକାଉଣ୍ଟାଣ୍ଟ, ଡାକ ସହାୟକ, ଇନକମ୍ ଟାକ୍ସ ଇନସପେକ୍ଟର ପରି ବିଭିନ୍ନ ପଦ / ପଦବୀରେ ଯୋଗଦେବେ। ଏହା ସହିତ ରହିଛି ଟ୍ୟାକ୍ସ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ସିନିୟର ଡ୍ରଟସମ୍ୟାନ୍, ଜେଇ / ସୁପରଭାଇଜର, ଆସିଷ୍ଟାଣ୍ଟ ପ୍ରଫେସର, ଶିକ୍ଷକ, ଲାଇବ୍ରେରିଆନ୍, ନର୍ସ, ପ୍ରୋବେସନାରୀ ଅଫିସର, ପିଏ, ଏମଟିଏସ ଓ ଆହୁରି ଅନେକ।

ନୂତନ ଭାବେ ନିଯୁକ୍ତ କର୍ମଚାରୀମାନେ ମଧ୍ୟ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ତାଲିମ ଗ୍ରହଣ କରିବାର ସୁଯୋଗ ପାଇବେ, ଯାହା ବିଭିନ୍ନ ସରକାରୀ ବିଭାଗର ସମସ୍ତ ନୂତନ ନିଯୁକ୍ତ କର୍ମଚାରୀଙ୍କ ପାଇଁ ଏକ ଅନଲାଇନ୍ ଓରିଏଣ୍ଟେସନ୍ ପାଠ୍ୟକ୍ରମ ଅଟେ।

ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟର ମୁଖ୍ୟ, ଯଥା ଜିଏସଟି ଏସୟୁ ଓଡିଶାର ନିର୍ଦ୍ଦେଶକ ଡକ୍ଟର ଆଶିତ କୁମାର ସ୍ୱାଇଁ, ପ୍ରଫେସର (ଡ।) ଆଶୁତୋଷ, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ,ଏମସ, ଭୁବନେଶ୍ୱର, ଦେବାଶିଷ ପଟ୍ଟନାୟକ, ଏଜିଏମ (ପର୍ସନାଲ), ଆରଏସପି, ଲୋପାମୁଦ୍ରା ମହାନ୍ତି, କଣ୍ଟ୍ରୋଲର ଅଫ କମ୍ୟୁନିକେସନ ଆକାଉଣ୍ଟସ, ଓଡିଶା, ରାଧେଶ୍ୟାମ ମହାପାତ୍ର, ନିର୍ଦ୍ଦେଶକ (HR), ନାଲକୋ, ପି ଏସ୍ ପଣ୍ଡା, ଆଞ୍ଚଳିକ ନିର୍ଦ୍ଦେଶକ, ଇଏସଆଇସି, ଭୁବନେଶ୍ୱର, ପ୍ରଫେସର ପି ଭି ସତ୍ୟମ୍, ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଭୁବନେଶ୍ୱର, ଲିଙ୍ଗରାଜ ନାୟକ, ଇନଚାର୍ଜ ଏସଏଲବିସି (ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି), ସୁଭେନ୍ଦୁ ସ୍ୱାଇଁ, ମୁଖ୍ୟ ପୋଷ୍ଟମାଷ୍ଟର ଜେନେରାଲ, ପୂର୍ବ ତଟ ରେଳବାଇର ମହାପ୍ରବନ୍ଧକ ମନୋଜ ଶର୍ମା ପ୍ରମୁଖ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Categories
ଜାତୀୟ ଖବର ବିଶେଷ ଖବର

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଦୀ, ଆସିଲେନି ମୁଖ୍ୟମନ୍ତ୍ରୀ, ଚାଲିଛି ଶୀତଳ ଯୁଦ୍ଧ

ନୂଆଦିଲ୍ଲୀ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ବା କେସିଆର ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି। ଏପରିକି ପ୍ରୋଟକଲ ଭାଙ୍ଗି ସେ ବିମାନବନ୍ଦରକୁ ମଧ୍ୟ ସ୍ବାଗତ କରିବା ପାଇଁ ଗଲେ ନାହିଁ। ପୂର୍ବରୁ ମଧ୍ୟ କେସିଆର ଏହିପରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ଚର୍ଚ୍ଚାରେ ଅଛନ୍ତି।

ଶନିବାର ଦିନ ତେଲେଙ୍ଗାନା ରାଜ୍ୟ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ବିକାଶ ପ୍ରକଳ୍ପର ଉଦଘାଟନ କରିଛନ୍ତି। ସେଥିପାଇଁ ପ୍ରୋଟୋକଲ ଅନୁଯାୟୀ ଏହି କାର୍ଯ୍ୟକ୍ରମରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କେସିଆର ଯୋଗଦେବା କଥା। ହେଲେ ତାହା ସେ କଲେ ନାହିଁ। କେନ୍ଦ୍ର ସରାକରଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଏକ ସରକାରୀ ନିମନ୍ତ୍ରଣ ପଠାଯାଇଥିଲା। ହେଲେ ମଧ୍ୟ କେସିଆର ପ୍ରଧାନମନ୍ତ୍ରୀଙ୍କ ସାଥୀରେ ରହିଲେ ନାହିଁ।

ପ୍ରଧାନମନ୍ତ୍ରୀ ଶନିବାର ସକାଳେ ହାଇଦ୍ରାବାଦ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତେଲେଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରଂଜନ, କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ, ରାଜ୍ୟ ବିଜେପି ସଭାପତି ବନ୍ଦି ସଂଜୟ କୁମାର ସ୍ବାଗତ କରିଥିଲେ। ତେବେ ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ କେସିଆର ନ ଆସି ତାଙ୍କ ବଦଳରେ ମନ୍ତ୍ରୀ ତାଲାସାନ ଶ୍ରୀନିବାସ ଯାଦବ ସ୍ବାଗତ କରିଥିଲେ।

ତେବେ ଭାରତ ରାଷ୍ଟ୍ର ସମିତି (ବିଆରଏସ) ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ସମାଲୋଚନା କରିଛି। ଦଳ କହିଛି ଯେ, ତେଲେଙ୍ଗାନା ପ୍ରତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୈମାତୃକ ମନୋଭାବ ରହିଛି। ଏକ ଟୁଇଟ କରି ଦଳ କହିଛି  “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମ ତେଲେଙ୍ଗାନା ରାଜ୍ୟ ବିରୋଧରେ କାହିଁକି ପକ୍ଷପାତ ନୀତି ଅବଲମ୍ବନ କରୁଛନ୍ତି। ସେଥିପାଇଁ ତେଲେଙ୍ଗାନାବାସୀ ପ୍ରଧାନମନ୍ତ୍ରୀଙ୍କୁ ନିନ୍ଦା କରୁଛନ୍ତି। ”

ପ୍ରଧାନମନ୍ତ୍ରୀ ହାଇଦ୍ରାବାଦରେ ପହଞ୍ଚିବା ପରେ ସେଠାରୁ ସେ ସିକନ୍ଦରାବାଦ ରେଳ ଷ୍ଟେସନ ଯାଇଥିଲେ। ସେଠାରେ ସେ ଷ୍ଟେସନର ନବୀକରଣକୁ ଉଦଘାଟନ କରିବା ସହିତ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦେଖି ରାଜ୍ୟ ବିଜେପି ତରଫରୁ ହାଇଦ୍ରାବାଦଠାରୁ ସିକନ୍ଦରାବାଦ ରାସ୍ତାରେ ଦଳୀୟ ପତାକା ସହିତ ମୋଦୀଙ୍କ ପୋଷ୍ଟର ଲଗାଇଛନ୍ତି। ତାହାକୁ ଲକ୍ଷ୍ୟ କରି ବିଆରଏସ ମଧ୍ୟ ତାଙ୍କର ଦଳୀୟ ପତାକା ଏବଂ କେସିଆରଙ୍କ ଫଟୋ ଥିବା ପୋଷ୍ଟର ଛାଇ ଦେଇଛନ୍ତି।

ଆସନ୍ତା ବର୍ଷ ତେଲେଙ୍ଗାନା ରାଜ୍ୟର ବିଧାନସଭା ଏବଂ ଲୋକସଭା ନିର୍ବାଚନ ହେବ। ଯେଉଁଥିରେ କେସିଆରଙ୍କ ବିଆରଏସ ସହିତ ବିଜେପିର କଡା ମୁକାବିଲା ହେବ। ଜାତୀୟ ସ୍ତରରେ ରାଜନୀତି କରିବା ପାଇଁ କେସିଆର ନିଜର ଦଳକୁ ଆଞ୍ଚଳିକ ନାମରୁ ଜାତୀୟ ନାମକରଣ କରିଛନ୍ତି। ପୂର୍ବରୁ ଟିଆରଏସ ରୁ ଦଳର ନୂଆ ନାମ ବିଆରଏସ ବା ଭାରତ ରାଷ୍ଟ୍ର ସମିତି କରାଯାଇଛି। ଆସନ୍ତା ବର୍ଷର ନିର୍ବାଚନ ଯୁଦ୍ଧକୁ ଦୃଷ୍ଟିରେ ରଖି କେସିଆର ଏବେଠାରୁ ବିଜେପି ସହିତ ଶୀତଳ ଯୁଦ୍ଧ ଆରମ୍ଭ କରିଛନ୍ତି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଓଡିଶା ବିଧାୟକଙ୍କ ଟୁଇଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଲେ ରିଟୁଇଟ, ଜାଣନ୍ତୁ ସେ କିଏ

ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର ଜଣେ ବିଧାୟକଙ୍କ ଟୁଇଟକୁ ରିଟୁଇଟ କରିଛନ୍ତି। ସେହି ଓଡିଶା ବିଧାୟକ ହେଲେ ତଲସରାର ବିଜେପି ବିଧାୟକ ଭବାନୀ ଶଙ୍କର ଭୋଇ। ସେ ରାଉରକେଲାରେ ହେଉଥିବା ଆଦି ମହୋତ୍ସବ ସଂପର୍କରେ ଏକ ଲେଖା ଓ ଭିଡିଓ ପୋଷ୍ଟ କରିଛନ୍ତି। ଯାହାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

ବିଧାୟକ ଭବାନୀ ଭୋଇ ଏହି ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, “ଆସନ୍ତୁ…. ରାଉରକେଲା ଠାରେ ଆମ ଆଦିବାସୀ ପରମ୍ପରା ଓ ସଂସ୍କୃତି ର ସମାଗମ “ଆଦି ମହୋତ୍ସବ” ଦେଖନ୍ତୁ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ରାଉରକେଲାରେ ଭାରତ ସରକାରଙ୍କ ଟ୍ରାଇଫେଡ ସଂସ୍ଥା ଓ ରାଉରକେଲା ଇସ୍ପାତ କାରଖାନା ର ମିଳିତ ଆନୁକୁଲ୍ୟରେ “ଆଦି ମହୋତ୍ସବ” ଆଜି ଠାରୁ ଭଞ୍ଜ ଭବନ ପଡ଼ିଆ ରେ ଆରମ୍ଭ ହୋଇଛି।’

ସେହିପରି ସେ ଲେଖିଛନ୍ତି ଯେ, “ଆଦି ମହୋତ୍ସବ ଆଦିବାସୀ ସଂପ୍ରଦାୟ ଙ୍କର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ବିକାଶ ର ଏକ ସୁନ୍ଦର ପ୍ଲାଟଫର୍ମ ହୋଇ ପାରିଛି। ଆଦି ମହୋତ୍ସବ ପୀଢ଼ି ପରେ ପୀଢ଼ି ଧରି ଜନ୍ମ ଗତ ଭାବେ ଦେଶ ର ବିଭିନ୍ନ ରାଜ୍ୟ ର ଆଦିବାସୀ କଳା, ଭାସ୍କର୍ଯ୍ୟ ଓ କୁଟୀର ଶିଳ୍ପ ର କାରିଗର ମାନଙ୍କ ଦ୍ବାରା ପ୍ରସ୍ତୁତ ଦ୍ରବ୍ୟ ଗୁଡ଼ିକ ବିକ୍ରି ତଥା ପ୍ରଚାର।

ଗତକାଲି ଏହି ପୋଷ୍ଟ ଉପରେ ପ୍ରଧାନମନ୍ତ୍ରୀ ନିଜର ମନ୍ତବ୍ୟ ପ୍ରଦାନ କରିବା ସହିତ ତାହାକୁ ରିଟୁଇଟି କରିଛନ୍ତି। ପ୍ରଧାନମନ୍ତ୍ରୀ ଲେଖଛନ୍ତି ଯେ An interesting thread on Aadi Mahotsav, which is happening in Rourkela, Odisha. India is proud of the heritage and culture of our tribal communities.

ଆଦି ମହୋତ୍ସବ ଭାରତ ସରକାରଙ୍କ  ସହଯୋଗରେ ବିଭିନ୍ନ ରାଜ୍ୟରେ ଆୟୋଜିତ ହୋଇ ଆସୁଅଛି। ଏହାକୁ ଆଦିବାସୀ କଲ୍ୟାଣ ବିଭାଗ ଦ୍ବାରା ଆୟୋଜିତ ହୋଇ ଆସୁଛି। ଏଥିରେ ଆଦିବାସୀ କଳା, ସଂସ୍କୃତି ତଥା ନୃତ୍ୟ ଓ ସଂଗୀତ ପରିବେଷଣ ହୋଇଥାଏ। ବିଭିନ୍ନ ଷ୍ଟଲରେ ଆଦିବାସୀଙ୍କ ସାମଗ୍ରୀ ବିକ୍ରି କରାଯାଇଥାଏ।

Categories
ଆଜିର ଖବର ରାଜ୍ୟ ଖବର

ଉତ୍କଳ ଦିବସ ଉପଲକ୍ଷେ ଓଡିଆରେ ଶୁଭେଚ୍ଛା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଓଡିଶା ଦିବସ ଉପଲକ୍ଷେ ବିଭିନ୍ନ ମହଲରୁ ଶୁଭେଚ୍ଛା ପ୍ରଦାନ କରାଯାଉଛି। ସେହିପରି ଆଜିର ଏହି ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଓଡିଆ ଭାଷାରେ ଏହି ଶୁଭେଚ୍ଛା ଜଣାଇଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ,

ଉତ୍କଳ ଦିବସର ହାର୍ଦ୍ଦିକ ଶୁଭେଚ୍ଛା। ଏହି ଦିନ ଆମ ଦେଶର ପ୍ରଗତିରେ ଓଡ଼ିଶା, ଓଡିଆ ଜନସାଧାରଣ ଏବଂ ସଂସ୍କୃତିର ସମୃଦ୍ଧ ଅବଦାନକୁ ଜାଣିବାର ଅବସର। ଓଡ଼ିଶାବାସୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧି କାମନା କରୁଛି।

Categories
ଆଜିର ଖବର ଜାତୀୟ ଖବର

ହୋଲି ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି। ଗୁରୁବାର କେତେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବା ବେଳେ ଶୁକ୍ରବାର ସାରା ଦେଶର ଏହି ହୋଲି ପର୍ବକୁ ଆନନ୍ଦର ସହିତ ପାଳନ କରାଯିବ। ରଙ୍ଗ ଓ ଭାଇଚାରାର ଏହି ପର୍ବକୁ ପାଳନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଟୁଇଟ୍‌ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି ଉପଲକ୍ଷେ ଦେଶ ତଥା ବିଦେଶରେ ଥିବା ସମସ୍ତ ଭାରତୀୟକୁ ଶୁଭ ଅଭିନନ୍ଦନ ଜଣାଇବା ସହ ଏହି ପର୍ବ ସମସ୍ତଙ୍କ ଜୀବନରେ ଶୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ଟୁଇଟ୍‌ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ସେହିପରି ପ୍ରଧାନମନ୍ତ୍ରୀ ହୋଲିର ଶୁଭ ମୂହୁର୍ତ୍ତରେ ଦେଶର ଭାଇ ଓ ଭଉଣୀ ମାନଙ୍କୁ ହିନ୍ଦୀ ଭାଷାରେ ଶୁଭକାମନା ଜଣାଇ ଟ୍ବିଟ୍‌ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବେ ୨୦୨୪ରେ ଅଣଦେଖା କରିପାରିବେ ନାହିଁ: ଟିଏମସି ସାଂସଦ ଶତ୍ରୁଘ୍ନ ସିହ୍ନା

ପାଟନା: ୨୦୨୪ ନିର୍ବାଚନରେ ​​କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପ୍ରଧାନମନ୍ତ୍ରୀ ଭାବରେ କେହି ଅଣଦେଖା କରିପାରିବେ ନାହିଁ ବୋଲି ଆଜି ତୃଣମୂଳ କଂଗ୍ରେସ ପାର୍ଟି (ଟିଏମସି) ସାଂସଦ ଶତ୍ରୁଘ୍ନ ସିହ୍ନା କହିଛନ୍ତି। ଏହା ସହିତ ଅଭିନେତା କଂଗ୍ରେସର ଭରତ ଯୋଡୋ ଯାତ୍ରୀକୁ କ୍ରାନ୍ତିକାରୀ ବୋଲି ବର୍ଣ୍ଣନା କରିଛନ୍ତି। ସିହ୍ନା କହିଛନ୍ତି ଯେ, “ଆପଣ ରାହୁଲ ଗାନ୍ଧୀଙ୍କୁ ୨୦୨୪ରେ ପ୍ରଧାନମନ୍ତ୍ରୀ ଭାବରେ ଅଣଦେଖା କରିପାରିବେ ନାହିଁ। ‘ଭାରତ ଯୋଡୋ ଯାତ୍ରା’ କ୍ରାନ୍ତିକାରୀ ଥିଲା। ମମତା ବାନାର୍ଜୀ ୨୦୨୪ ରେ ଖେଳ ପରିବର୍ତ୍ତନକାରୀ ହେବେ।”

ବିହାରର ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ, “ତେଜସ୍ୱୀ ଯାଦବ ଭଲ କାମ କରୁଛନ୍ତି, ସେ ଅନେକ ଅଭିଜ୍ଞତା ହାସଲ କରିଛନ୍ତି। ସେ ବିହାରର ଭବିଷ୍ୟତ ଭାବରେ ଦେଖାଯାଉଛନ୍ତି। ମୁଁ ବିଶ୍ୱାସ କରେ ନାହିଁ ଯେ, ପ୍ରଧାନମନ୍ତ୍ରୀ ଚା ବିକ୍ରି କରିଥିଲେ, ଏହା କେବଳ ପ୍ରଚାର ଥିଲା।” ବରିଷ୍ଠ ଅଭିନେତା ଆହୁରି କହିଛନ୍ତି, “ନୀତୀଶ ଜଣେ ସଫଳ ନେତା ଏବଂ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଉତ୍ତମ କାର୍ଯ୍ୟ କରୁଛନ୍ତି।”

Categories
ଜାତୀୟ ଖବର ବିଶେଷ ଖବର

ଏ ଶ୍ରଦ୍ଧା ଜୈନ କିଏ ସେ , ଯେ କି ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିପାରିଲେ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି ଶ୍ରଦ୍ଧା ଜୈନ ଯିଏ କି ‘ଆୟୋ ଶ୍ରଦ୍ଧା’ ଭାବେ ପରିଚିତ। ଏ ନେଇ ସେ ନିଜ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ଏବଂ ଲେଖା ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋତେ ଆୟୋ ବୋଲି ସମ୍ବୋଧୀତ କରିଥିବାରୁ ମୁଁ ଆଶ୍ଚର୍ଯ୍ୟ ହୋଇପଡିଲି।

ତେବେ ପ୍ରଶ୍ନ ଉଠୁଛି ଯେ, ଏହି ଶ୍ରଦ୍ଧା ଜୈନ ବା ଆୟୋ ଶ୍ରଦ୍ଧା କିଏ ସେ। ସେ ହେଉଛନ୍ତି ଇନଷ୍ଟାଗ୍ରାମରେ ଜଣେ ପ୍ରଭାବଶାଳୀ ବ୍ୟବହାରକାରୀ। ସେ ନିକଟରେ ଆଇଟି ସେକ୍ଟରରୁ ଯେଉଁ ବଡ ଧରଣର ଛଟେଇ ହେଲା ତାହାକୁ ନେଇ ଏକ ଭିଡିଓ ପୋଷ୍ଟ କରିଥିଲେ। ଯାହା ଇନଷ୍ଟାଗ୍ରାମରେ ବେଶ ଭାଇରାଲ ହୋଇଥିଲା। ଶ୍ରଦ୍ଧା ଏହାକୁ ଏକ ବ୍ୟଙ୍ଗାତ୍ମାକ ଢଙ୍ଗରେ ପରିବେଷଣ କରିଥିଲେ।

ତାଙ୍କ ଲିଙ୍କଡଇନ୍ ପ୍ରୋଫାଇଲ୍ ଅନୁଯାୟୀ, ସେ ବେଙ୍ଗାଲୁରୁରେ ରୁହନ୍ତି ଏବଂ ଏଥିରେ ତାଙ୍କର 83,000 ରୁ ଅଧିକ ଅନୁସରଣକାରୀ ଅଛନ୍ତି। ସେହିପରି ଇନଷ୍ଟାଗ୍ରାମରେ ତାଙ୍କର 6.88 ଲକ୍ଷ ଅନୁସରଣକାରୀ ଅଛନ୍ତି। ସେ ବିଭିନ୍ନ ଶିଳ୍ପଗୁଡିକରେ ଘଟୁଥିବା ବିଷୟଗୁଡିକ ଉପରେ ଭିଡିଓ ପୋଷ୍ଟ କରିଥା’ନ୍ତି, ଯାହା ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥାଏ।

Categories
ଜାତୀୟ ଖବର ବିଶେଷ ଖବର

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରେ କାହିଁକି କରିବେ ଶକ୍ତି ପ୍ରଦର୍ଶନ?

ନୂଆଦିଲ୍ଲୀ: ଆଜିଠାରୁ ଭାରତୀୟ ଜନତା ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ଆଗାମୀ ନିର୍ବାଚନ ପାଇଁ ଦଳ ତରଫରୁ ଆରମ୍ଭ ହେବ ରଣନୀତି। ସେଥିପାଇଁ ଦଳ ତରଫରୁ ବଡ ପ୍ରସ୍ତୁତି କରାଯାଇଛି। ତେବେ ଏହି ବୈଠକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଧାନୀରେ କରିବେ ନିଜର ଶକ୍ତି ପ୍ରଦର୍ଶନ।

ଏହି ବୈଠକରେ ଯୋଗଦେବା ପାଇଁ ମୋଦୀ ନୂଆଦିଲ୍ଲୀରେ ଏକ ରୋଡ ସୋର ଆୟୋଜନ କରିଛନ୍ତି। ସେ ଲୋକମାନଙ୍କୁ ଅଭିନନ୍ଦନ ଜଣାଇ ବୈଠକରେ ଯୋଗଦେବେ। ସେଥିପାଇଁ ଦଳ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏପରିକି ଏହାକୁ କିପରି ସିଧାପ୍ରସାଣ କରାଯିବ ସେ ନେଇ ମଧ୍ୟ ଦଳ ପ୍ରସ୍ତୁତି କରିଛି।

ଆଜି ଅପରାହ୍ଣ ୩ଟାରେ ପ୍ରାଧାନମନ୍ତ୍ରୀଙ୍କ ଏହି ରୋଡ୍ ଶୋ ଅନୁଷ୍ଠିତ ହେବ। ସେଥିପାଇଁ ଦିଲ୍ଲୀ ପ୍ରଶାସନ ତରଫରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏପରିକି ମୋଦୀ ଯାଉଥିବା ରାସ୍ତାକୁ ସଂପୂର୍ଣ୍ଣ ସିଲ କରିଦିଆଯାଇଛି। କେବଳ ଚାଲିଚାଲି ଯିବା ପାଇଁ ଅନୁମତି ରହିବ। ତେବେ ସେହି ରାସ୍ତାରେ ଯିବା ଥିବା ଗାଡିମୋଟରକୁ ଅନ୍ୟ ରାସ୍ତାକୁ ପରିବର୍ତ୍ତନ କରାଯାଇଛି। ସେଥିପାଇଁ ଦିଲ୍ଲୀ ଟ୍ରାଫିକ ପୋଲିସ ତରଫରୁ ସୂଚନା ଦିଆଯାଇଛି।

ଏପରି ରୋଡ ସୋ’ର କାହିଁକି ହେଲା ଆୟୋଜନ

ନିକଟରେ ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ବିରାଟ ଭାରତ ଯୋଡ ଯାତ୍ରାର ଆୟୋଜନ କରିଥିଲେ। ଯାହାକି ଜାତୀୟ ରାଜନୀତିରେ ବେଶ ହଇଚଇ ସୃଷ୍ଟି କରିଥିଲା। ଏପରିକି ଜାତୀୟ ରାଜନୀତିରେ ଏହା ଚହଳ ସୃଷ୍ଟି କରିଥିଲା। ସେହିପରି ରାହୁଳଙ୍କ ସାରା ଭାରତରେ କରୁଥିବା ପଦଯାତ୍ରା ପ୍ରତି ଲୋକଙ୍କର ଆଗ୍ରହ ବଢିବାରେ ଲାଗିଛି।

ତାହାକୁ ଟକ୍କର ଦେବା ପାଇଁ ମୋଦି କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଏପରି ଏକ ବଡ ଆୟୋଜନ କରିବାକୁ ନିଷ୍ପତି କରିଛନ୍ତି। ଅନ୍ୟପକ୍ଷରେ ଚଳିତ ବର୍ଷ ନଅ ଟି ରାଜ୍ୟର ବିଧାନସଭା ନିର୍ବାଚନ ମଧ୍ୟ ହେବାକୁ ଯାଉଛି। ଫଳରେ ଗୋଟିଏ ଗୁଳିରେ ଦୁଇଟି ଶିକାର କରିବା ପାଇଁ ମୋଦୀ ଏହି ରୋଡ ସୋ ର ଆୟୋଜନ କରିଛନ୍ତି।