Categories
ଆଜିର ଖବର ରାଜ୍ୟ ଖବର

ସରିଲା ବାଣପୁର ଐତିହାସିକ ମେଳଣ ପର୍ବ: ଏକାଠି ହେଲେ ୭୮ ବିମାନ ୧୬୭ ଦେବାଦେବୀ

ବାଣପୁର: ବୁଧବାର ଓ ଗୁରୁବାର ଦିନ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ଐତିହାସିକ ପଲଟଣ ପଡିଆ ଠାରେ ଦୁଇଦିନ ଧରି ପଞ୍ଚୁଦୋଳ ଓ ମେଳଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲୋକମାନେ ଖୁବ ଧୂମଧାମରେ ପାଳନ କରିଛନ୍ତି ମେଳଣ ପର୍ବ। କାହିଁ କେଉଁ ଅନାଦି କାଳରୁ ବାଣପୁରରେ ଏହି ପର୍ବ ପାଳନ କରାଯାଉଛି।

ଚୈତ୍ର କୃଷ୍ଣପକ୍ଷ ପ୍ରତିପଦା ଠାରୁ ପାଞ୍ଚଦିନ ପରେ ବୁଧବାର ମାହେନ୍ଦ୍ର ବେଳା ରାତ୍ର ୧୧ ଘଟିକା ୩୫ ମିନିଟ ପରେ ସ୍ଥାନାଧିପତି ଚରଣ ଚକାଦେବ ଓ ମା ଭଗବତୀଙ୍କ ନିମନ୍ତ୍ରଣ କ୍ରମେ ଠାକୁର ମାନେ ମେଳଣ ପଡିଆକୁ ଆସିଥିଲେ। ପ୍ରଥମେ ମା’ ଭଗବତୀ ଓ ଚକାଦେବ ମେଳଣ ପଡିଆରେ ପଦାର୍ପଣ କରି ଆସନ ଗ୍ରହଣ କଲା ପରେ ବାଣପୁର ଅଞ୍ଚଳର ଗାଁ ସହର ଓ ପୁରପଲ୍ଲୀର ଦେବଦେବୀ ମାନେ ସୁସଜ୍ଜିତ ଦୋଳ ବିମାନରେ ବିଭିନ୍ନ ଥାଟ ପାଟ ଓ ପଟୁଆରରେ ଆସି ମେଳଣ ପଡିଆରେ ନିଜ ନିଜର ଅସ୍ଥାନରେ ଅଭିଷିକ୍ତ ହୋଇଥିଲେ।

ସନ୍ଧ୍ୟା ସମୟରୁ ପଲଟନ ପଡିଆର ଛାୟା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆସର ଜମିଥିଲା। ବିଭିନ୍ନ ଗ୍ରାମର ଦେବା ଦେବୀ ମାନେ ପ୍ରତିଯୋଗିତା ମୁଲକ ପଟୁଆରରେ ଆସିଥିବା ବେଳେ ମୁଖ୍ୟତଃ ଭେଟେଶ୍ୱର ଗ୍ରାମର ଭେଟିନାଥ ଦେବ, ଗାଲୁଆର ଗୁପ୍ତେଶ୍ୱର ଦେବ, ବାଲିପଦର ଗ୍ରାମର ପଟୁଆରକୁ ଦେଖିବାକୁ ଲୋକଙ୍କ ଭିତରେ ଉତ୍କଣ୍ଠା ଜାତ ହୋଇଥିଲା।

ଚଳିତ ବର୍ଷ ପ୍ରଶାସନ ତରଫରୁ ବାଣ ନିଷେଧ କରାଯାଇଥିଲେ ସୁଦ୍ଧା ବହୁ ଗ୍ରାମବାସୀଙ୍କର ଆତସବାଜିରେ ମେଳଣ ପଡିଆ ଆଚ୍ଛାଦିତ ହୋଇଥିବା ଦେଖାଯାଇଥିଲା। ଗୁରୁବାର ମେଳଣ ପର୍ବରେ ପଞ୍ଚୁଦୋଳ କମିଟି ତରଫରୁ ପଟୁଆର ପାଇଁ ଗାଲୁଆ ଗୁପ୍ତେଶ୍ୱର ଦେବଙ୍କୁ ପ୍ରଥମ, ବାଲିପଦର ଲୋକନାଥ ଦେବଙ୍କୁ ଦ୍ୱିତୀୟ, ଭେଟେଶ୍ୱର ଭେଟିନାଥ ଦେବଙ୍କୁ ତୃତୀୟ ପୁରସ୍କାର ଦେବାକୁ ପଞ୍ଚୁଦୋଳ କମିଟି ସ୍ଥିର କରିଥିବା ବେଳେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପୁରୀ ସାଂସଦ ସମ୍ବିତ ପାତ୍ର, ଜିଲ୍ଲାପାଳ ଚଞ୍ଚଳ ରଣା, ଏସପି ସାଗରୀକା ନାଥ, ଡିଏଫଓ ପୂର୍ଣ୍ଣିମା ପାଣ୍ଡିଆନ, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଳକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା,ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ପଞ୍ଚୁଦୋଳ କମିଟି ସଭାପତି ତଥା ତହସିଲଦାର ଟି.ପଦ୍ମନାଭ ଦୋରା, ପଞ୍ଚୁଦୋଳ କମିଟି ସମ୍ପାଦକ ମାଧବ ବାରିକିଙ୍କଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା।

ତେବେ ବିଗତ ଦୁଇ ଦିନ ଧରି ଖୋର୍ଦ୍ଧା ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଅହରହ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଜାରି ରହିଥିବାରୁ ଚଳିତ ବର୍ଷ ପଞ୍ଚୁଦୋଳ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥି ନିମନ୍ତେ ବାଣପୁର ବାସି ଆଇନ ମନ୍ତ୍ରୀ, ଖୋର୍ଦ୍ଧା ଜିଲ୍ଲାପାଳ, ଏସପି, ବାଲୁଗାଁ ଏସଡିପିଓ, ବାଣପୁର, ବାଲୁଗାଁ ଓ ନାଚୁଣୀ ଆଇଆଇସିଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଅନୁରୂପ ଭାବେ ପଞ୍ଚୁଦୋଳ କମିଟିର ଦୀର୍ଘ ଦିନର ଅକ୍ଲାନ୍ତ ପରିଶ୍ରମ ଲାଗି ଚଳିତ ବର୍ଷ ଯାତ୍ରା ସଫଳ ଭାବେ ଶେଷ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ମୁଖ୍ୟମନ୍ତ୍ରୀଙ୍କ ଚିଲିକା ଗସ୍ତ: ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର କରିବେ ଶୁଭାରମ୍ଭ

ବାଣପୁର: ରାଜ୍ୟ ସରକାରଙ୍କ ତରଫରୁ ପଣ୍ଡିତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରତି ଗ୍ରାମ ପଞ୍ଚାୟତରେ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଛି। ଏହି ଯୋଜନାରେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ ହେବାର ଯୋଜନା ରହିଛି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସ୍ଥିତ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ନାମରେ ନାମିତ ଗୋଦାବରୀଶ ଉଚ୍ଚ ବିଦ୍ୟାଳୟ ଠାରେ “ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ” ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ କରାଯିବ।

ଏହି ଅବସରରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ପୁରୀ ସାଂସଦ ଡ଼ାଃ ସମ୍ବିତ ପାତ୍ର ଆଜି ଉକ୍ତ ବିଦ୍ୟାଳୟର କ୍ଷେତ୍ର ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥା ପାଇଁ ସ୍ଥାନ ନିରୂପଣ କରିବା ସହ ଉପସ୍ଥିତ ଖୋର୍ଦ୍ଧା ଜିଲ୍ଲାପାଳ, ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ବାଣପୁରର ମଣ୍ଡଳ ଶିକ୍ଷା ଅଧିକାରୀ, ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

Categories
ଆଞ୍ଚଳିକ

ଏ ବର୍ଷ ଜମିବ ଓଡ଼ିଶା ପ୍ରସିଦ୍ଧ ଐତିହାସିକ ବାଣପୁର ପଞ୍ଚୁଦୋଳ, କାହିଁ କେତେ ବାଟରୁ ଆସିଲାଣି ରଂଗ ବେରଙ୍ଗର ପସରା

ବାଣପୁର: ଆଉ କେତେ ଘଣ୍ଟାର ଅପେକ୍ଷା ମାତ୍ର। ଆସନ୍ତାକାଲି ରାତିରେ ଆରମ୍ଭ ହେବ ଓଡ଼ିଶା ପ୍ରସିଦ୍ଧ ଐତିହାସିକ ବାଣପୁର ପଞ୍ଚୁଦୋଳ। ଏ ବର୍ଷ ଜମିବ ପଞ୍ଚୁଦୋଳ। ଗାଁ ଗଣ୍ଡା ପୁରପଲ୍ଲୀରେ ଘରେ ଘରେ ଜମିଲେଣି କୁଣିଆ। କାହିଁ କେତେ ବାଟରୁ ଆସିଲାଣି ରଂଗ ବେରଙ୍ଗର ପସରା। ରାସ୍ତାଘାଟରେ ବେଲୁନ୍‌ବାଲା ବଜେଇଲେଣି ଫେଁକାଳି। ଝିଅ ଶାଶୁ ଘରକୁ ଦେବା ପାଇଁ କାଠ ପଥର, କୁଲା ବାଉଂଶିଆ, କସାଂ ବାସନ, ଲୁହା ଲହୁରୁଣି, ଛାଞ୍ଚୁଣି, ପହଁରା, ମନୋହରୀରର ମନଲୋଭା ପସରାରେ ପୁରିଗଲାଣି ପଡ଼ିଆ। କୁନା କୁନି ପାଇଁ ଭଳିକି ଭଳି କଣ୍ଢେଇ, ଚକ୍ର ଦୋଳି, ଯାଦୁ ଖେଳ ପ୍ରସ୍ତୁତ ହେଲେଣି ସବୁ। ମଥୁରା କେକ୍ ଠାରୁ ଆରମ୍ଭ କରି କଟକର ଠୁଙ୍କାପରି, ଦହିବରା ଆଳୁ ଦମ୍, ଦୋସା ସାମ୍ବର, ପକଡ଼ି, ଆଳୁଚପ, ଗୁପଚୁପ ସହିତ ଆଇସକ୍ରିମ୍, ସାଲେପୁର ରସଗୋଲା ରମହ ମହବାସ୍ନା ମନ କିଣି ନେଲାଣି।

ଠାକୁର ଠାକୁରାଣିଙ୍କୁ ବୁକୁରେ ଧରିବାକୁ ଝୋଟି ଚିତାରେ ଚିତ୍ରିତ ହେଲାଣି ଦୋଳ ପିଣ୍ଡି। ମନ୍ଦିରମାନଙ୍କରେ ରଂଗ ବେରଙ୍ଗର ମଣ୍ଡଣି, ଆଲୁଅ ଫୁଲମାଳରେ ସଜେଇ ହେଲାଣି ଦୋଳବିମାନ, ଗରୁଡ଼, ହନୁମାନ ବାହାନ। ଯୋଡି ଶଙ୍ଖ, ଘଣ୍ଟ ବାଦ୍ୟ, ବଡ଼ ଢୋଲ, ମହୁରୀ, ସଂକୀର୍ତ୍ତନ, ପାଇକ ଆଖଡ଼ା ଢୋଲ, ଚାଙ୍ଗୁ, ବାଘ, ଘୋଡ଼ାଇ, କେଳା କେଳୁଣୀ, ରଜାରାଣି, ଷଣ୍ଢ ନୃତ୍ୟସବୁ ପଟୁଆରରେ ସାମିଲ ହେବାକୁ ଗାଁଗାଁରେ ଚାଲିଛିପ୍ରସ୍ତୁତି। ତେତିଶି କୋଟି ଦେବାଦେବୀଙ୍କୁ ନିମନ୍ତ୍ରଣ କରିସାରିଲେଣି ସ୍ଥାନାଧିପତି ଶ୍ରୀ ଶ୍ରୀ ଚରଣ ଚକାଦେଓ।

ଜଗତଜନନୀ ମା’ଭଗବତୀଙ୍କୁ ଖଣ୍ଡୁଆ ପାଟ ପତନୀରେ ବନ ଦୁର୍ଗା ବେଶରେ ପିନ୍ଧେଇ ଦେଲେଣୀ କାଠି ନାହାକ। ଅଗଣିତ ଭକ୍ତଙ୍କ ଠେଲା ପେଲା ଖାଇ ଯାତ୍ରାରେ ଦେବା ଦେବୀଙ୍କୁ ଭେଟିବାକୁ ବଢିଲାଣି ମନରେ ଉତ୍କଣ୍ଠ। ହରିବୋଲ ହୁଳହୁଳି ଧୂନୀରେ ପୁରି ଉଠିବ ମେଳଣ ପଡିଆ।ମା’ ଭଗବତୀଙ୍କ ସହିତ ପ୍ରଭୁ ଚନ୍ଦ୍ରଶେଖରଙ୍କ ମହାମିଳନର ମାହେନ୍ଦ୍ର ବେଳାକୁ ଦର୍ଶନ କରି ଅଶେଷ ପୂର୍ଣ୍ୟ ଅର୍ଜନ କରିବାକୁ ଶ୍ରଦ୍ଧାଳୁଙ୍କ ବଢିଲାଣି ଆବେଗ।

ବସନ୍ତ ଋତୁର ଏହି ମହା ମିଳନ ମହୋତ୍ସବ ସମସ୍ତଙ୍କ ମନରେ ଭରିଦେବ ଅଶେଷ ଆନନ୍ଦ। ଚଳିତ ବର୍ଷ ଯାତ୍ରାକୁ ଆକର୍ଷିତ କରିବା ପାଇଁ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପଞ୍ଚୁଦୋଳ କମିଟି କୁ ସହଯୋଗର ହାତ ବଢ଼ାଇଛନ୍ତି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକାଧିକ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ପଡିଆ ଚତୁଃପାର୍ଶ୍ୱରେ ଲାଗିଛି ଏକାଧିକ ଅସ୍ଥାୟୀ ଫ୍ଲଡ ଲାଇଟ। ତତସହିତ ଚଳିତ ବର୍ଷ ଦୋକାନ ବଜାର ଅଧିକ ଦିନ ଖୋଲା ରହିବ ବୋଲି କମିଟି ସୂତ୍ରରୁ ପ୍ରକାଶ।

Categories
ଆଞ୍ଚଳିକ

ଜାତୀୟ ସେବା ଯୋଜନା ଦ୍ବାରା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ସଫେଇ କାର୍ଯ୍ୟକ୍ରମ ଆୟୋଜିତ

ବାଣପୁର: ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଓ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ସଫେଇ କାର୍ଯ୍ୟକ୍ରମ ପୂର୍ବାହ୍ନ ୭ ଘଟିକା ଠାରୁ ଆରମ୍ଭ ହୋଇ ୧୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା।

ଏହି ସଫେଇ କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ସ୍ବେଚ୍ଛାସେବୀ ମାନଙ୍କୁ ଏହିପ୍ରକାର କାର୍ଯ୍ୟକ୍ରମ କରିବା ପାଇଁ ଉତ୍ସାହିତ କରିବା ସହିତ ଅନେକ ସଦୁପଦେଶ ଦେଇ ଶ୍ରେଷ୍ଠ ସ୍ବେଚ୍ଛାସେବୀ ମାନଙ୍କୁ ପୁରସ୍କୃତ କରିଥିଲେ। ଏହି ସଫେଇ କାର୍ଯ୍ୟକ୍ରମ ଟି ସ୍ବାସ୍ଥ୍ୟକେନ୍ଦ୍ରର ଦୁଇ ଅଧିକାରୀ ଅଶୋକ କୁମାର ବେହେରା ଓ ପ୍ରମୋଦ କୁମାର ଦେହୁରୀଙ୍କ ପରାମର୍ଶ କ୍ରମେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଜୟନ୍ତ କୁମାର ବିହାରୀ ଓ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଅଧିକାରୀ ଡଃ ଲକ୍ଷ୍ମୀପ୍ରିୟା ପଲାଇଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା।

Categories
ଆଞ୍ଚଳିକ

ବାଣପୁର: କବି ରମାକାନ୍ତ ରଥଙ୍କ ବିୟୋଗରେ ଶୋକସଭା

ବାଣପୁର: ଭାରତୀୟ ସାହିତ୍ୟ ଆକାଶର ଏକ ଉଜ୍ବଳ ନକ୍ଷତ୍ର, ସରସ୍ଵତୀ ସମ୍ମାନରେ ସମ୍ମାନୀତ ବିଶିଷ୍ଟ କବି ପଦ୍ମଶ୍ରୀ ରମାକାନ୍ତ ରଥଙ୍କ ବିୟୋଗରେ ବାଣପୁରର ‘ସାହିତ୍ୟସିନ୍ଦୁରା’ ଅନୁଷ୍ଠାନ ତରଫରୁ ପରିଡ଼ା ପାଠାଗାର ପରିସରରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଆବାହକ ସାହିତ୍ୟପ୍ରାଣ ଗୋଲକ ପରୀଡ଼ାଙ୍କ ସଭାପତିତ୍ଵରେ ଆୟୋଜିତ ଏହି ସଭାରେ ବରିଷ୍ଠ କବି ପୁରୁଷୋତ୍ତମ ମହାପାତ୍ର , ଚିଲିକା ସାହିତ୍ୟ ସମାଜର ସଭାପତି କବିବାଳମୁକୁନ୍ଦ ଦାସ, କବିଦିଗମ୍ବର ବିଶ୍ୱାଳ, ବରିଷ୍ଟ ନାଗରିକ ସଂଘର ସଭାପତି ଡ଼ଃ ଚିନ୍ତାମଣି ମିଶ୍ର, ସାହିତ୍ୟିକ ହିମାଳୟଶତପଥୀ, କବୟତ୍ରୀସ୍ମୃତି ପଟ୍ଟନାୟକ, ସଂଧ୍ୟାରାଣୀହରିଚନ୍ଦନ ସମେତ ଅନେକ ସାହିତ୍ୟିକ ଉପସ୍ଥିତ ରହି ଦିବଙ୍ଗତ ଆତ୍ମାର ସଦଗତି କାମନା ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ କବିଙ୍କ ସ୍ମୃତିଚାରଣ କରିଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲ। କବିଙ୍କ କାଳଜୟୀ କବିତା ସଂକଳନ “ଶ୍ରୀରାଧା”, ଚିରକାଳତାଙ୍କୁ ଭାରତର ପ୍ରତ୍ୟେକଙ୍କ ହୃଦୟରେ ଉଦଜୀବିତ କରି ରଖିଥିବ ବୋଲି ମତପ୍ରକାଶ ପାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ବାଲୁଗାଁ ଜାତୀୟ ରାଜପଥ ନୂଆଗଡ଼ ଓଭର ବ୍ରିଜରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ସ୍ଵାମୀ ଓ ସ୍ତ୍ରୀ ମୃତ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ୧୬ ନମ୍ବର ଜାତୀୟ ରାଜପଥ ନୂଆଗଡ଼ ଓଭର ବ୍ରିଜରେ ମର୍ମହୁନ୍ତ ସଡ଼କ ଦୁର୍ଘଟଣା ଘଟିଛି। ଯେଉଁଥିରେ ସ୍ଵାମୀ ଓ ସ୍ତ୍ରୀ ମୃତ୍ୟୁବରଣ କରିଛନ୍ତି।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଆସ୍କାର କୋଟିନଡ଼ା ଥାନା ବାବନପୁର ଗ୍ରାମର ଶିବରାମ ପାଢ଼ୀ (୬୨) ଏବଂ ତାଙ୍କ ପତ୍ନୀ ସୁଦେଶନା କୁମାରୀ ପାଢ଼ୀ ପୁରୀରେ ଏକ ଘର ନିର୍ମାଣ ପାଇଁ ଯାଇଥିଲେ। ସେଠାରୁ ଫେରିବା ବେଳେ ନୂଆଗଡ଼ ଓଭର ବ୍ରିଜରେ ଶିବରାମଙ୍କ କାର (ଗାଡି ନମ୍ବର ଓଡ଼ି ୦୭ ଏଜି ୪୫୪୬) ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ସିମେଣ୍ଟ ଖୁଣ୍ଟିରେ ଧକ୍କା ହୋଇଥିଲା। ଯାହାଫଳରେ ଉଭୟ ସ୍ଵାମୀ-ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ଏବଂ ପୋଲିସ କର୍ମଚାରୀ ପହଞ୍ଚି ସ୍ବାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଦେଇଥିଲେ। କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଶିବରାମ ପାଢ଼ୀଙ୍କ ଗୋଟିଏ ପୁଅ ଏବଂ ଦୁଇଟି ଝିଅ ଅଛନ୍ତି।

ଖବର ଲେଖା ହେବା ବେଳକୁ ବାଲୁଗାଁ ପୋଲିସ ଘଟଣାସ୍ଥଳରେ ତଦନ୍ତ କରୁଥିବା ବେଳେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଶାସନ ବାଡିରେ ପଡ଼ିଚ଼ରଚ଼ିଲେ ମା’ସାଆନ୍ତାଣୀ ଭଗବତୀ, ଆଠ ଶାସନ ଉତ୍ସବ ମୁଖର

ବାଣପୁର: ଶ୍ରୀକ୍ଷେତ୍ରର ଷୋଳ ଶାସନ ପରି ବଙ୍କାଡ଼ଗଡ଼ ରାଜବଂଶଙ୍କ ଦ୍ଵାରା ପ୍ରତିଷ୍ଠିତ ବାଣପୁରର ଆଠ ଶାସନର ଇଷ୍ଟଦେବୀ ମା’ ଭଗବତୀ ବରଷକେ ଥରେ ଶାସନ ବାଡ଼ିର ପ୍ରତି ବ୍ରାହ୍ମଣଙ୍କ ଘରେ ଶଙ୍କୁଡ଼ି ଭୋଗ ଲାଗି ହେବାର ପରମ୍ପରା ସମଗ୍ର ଉତ୍କଳରେ ମାନବୀୟ ଲୀଳାର ଏକ ସ୍ୱତନ୍ତ୍ର ପରମ୍ପରା। ଫାଲଗୁନ ଶୁକ୍ଳ ତ୍ରୟୋଦଶୀରେ ଆଠ ଶାସନର ଆରାଧ୍ୟ ଠାକୁରମାନେ ସମ୍ମିଳିତ ଭାବରେ ବାଜା, ବାଣ, ରୋଷଣୀ ଥାଟ ପଟୁଆରରେ ଆସି ମା’ ଭଗବତୀଙ୍କୁ ଚ଼ାଚ଼େରୀ ଭୋଗ ଖିଆକୁ ନିମନ୍ତ୍ରଣ କରି ଯାଇଥିଲେ।

ସକଳ ଦେବତାଙ୍କ ନିମନ୍ତ୍ରଣ ରକ୍ଷା କରି ମା’ ଚତୁର୍ଦ୍ଦଶୀ ତିଥିର ମଧ୍ୟରାତ୍ରରେ ବାଲୁଗାଁର ଆରାଧ୍ୟ ଠାକୁର ଶ୍ରୀ ଉମାମହେଶ୍ୱର ଦେବଙ୍କୁ ନିଜ ପିତ୍ରାଳୟ ଦକ୍ଷ ପ୍ରଜାପତି ମନ୍ଦିରର ଦାୟିତ୍ୱ ଦେଇ ମନ୍ଦିର କୁଢ଼ୁଆ ଦ୍ଵାରପାଖରେ ଜଗାଇ ଦେଇ ଘଣ୍ଟା, ଘଣ୍ଟ, କାହାଳୀ, ଆଲଟ ଚ଼ାମର, ଛତ୍ର ତରାଶ ,ମଶାଲ ,ବାଣରୋଷଣିରେ ଥାଟ ପଟୁଆର ଧରି ନିଯୋଗୀ ସେବାୟତଙ୍କ ସହିତ ବାହାରିଥିଲେ ଶାସନ ବାଡ଼ି।

ପ୍ରଥମେ ବଙ୍କାଡ଼ ରାଜବଂଶର ରାଜା ଅଚ୍ୟୁତ ମାନସିଂହ ମର୍ଦ୍ଦରାଜ ହରିଚ଼ନ୍ଦ୍ରଙ୍କ ନାମରେ ନାମିତ ଅଚ୍ୟୁତରାଜପୁର ଶାସନ ଗ୍ରାମବାସୀ ପ୍ରତି ବ୍ରାହ୍ମଣ ପରିବାର ଘରେ ଘରେ ଖେଚଡ଼ି, ଡାଲି, ମାଛମହୁର, ମାଛ ଗୁଣ୍ଡି ଭଜା, କ୍ଷୀରି,ନାନାଦି ପ୍ରକାରର ସ୍ଵାଦିଷ୍ଟ ପିଠାପଣା, ମୁଆଁ ଶାକର, ଫଳ ମୂଳ ସହିତ ଶାଢି ଛୁଡ଼ି ଅଳତା,ଲାଗି କରାଇ ଆନନ୍ଦ ଉଲ୍ଲାସର ସହିତ ମା’ଙ୍କୁ ବାଜାରୋଷଣିରେ ବିଦାୟ ଦେଇଥିଲେ। ପରେ ସେହି ରାଜବଂଶର ଶ୍ରୀନିବାସ ମାନସିଂମର୍ଦ୍ଦରାଜ ହରିଶ୍ଚନ୍ଦ୍ରଙ୍କ ନାମରେ ନାମିତ ଶ୍ରୀନିବାସପୁର ଶାସନର ବ୍ରାହ୍ମଣମାନେ ମା’ଙ୍କୁ ପାଛୋଟି ନେଇ ନିଜ ନିଜ ଦୁଆରେ ସେହିଭଳି ଶଙ୍କୁଡ଼ି ନିଶଙ୍କୁଡ଼ି ଭୋଗ ଲାଗି କରାଇ ଥାଟ ପଟୁଆରରେ ବିଦାୟ ଦେଇଥିଲେ ।ସେହି ରାଜବଂଶର ପାଟରାଣୀ ତୁଳସୀ ମଞ୍ଜରୀ ପାଟମହାଦେଇଙ୍କ ନାମରେ ନାମିତ ତୁଳସୀଦେଇପୁର ଶାସନର ଗ୍ରାମବାସୀ ଆନନ୍ଦ ଉଲ୍ଲାସର ସହିତ ମା’ଙ୍କୁ ପାଛୋଟି ନେଇ ପ୍ରତି ଘରେ ଘରେ ପ୍ରସ୍ତୁତ ଶଙ୍କୁଡ଼ି ନିଶଙ୍କୁଡ଼ି ଭୋଗ ଲାଗି କରାଇବା ପରେ ମହାନ୍ତି ସାହି କୋଠଦୁଆରେ ଭୋଗ ଲାଗି ପରେ କାଠିନାହାକ (ମା’ କାଠି ଠାକୁରାଣିଙ୍କୁ କାନ୍ଧରେ ଧରି ନେଉଥିବା ସେବାୟତ)ଙ୍କ ଦୁଆରେ ଗଜାମୁଆଁ ଲାଗି ପରେ ଶ୍ରୀ ରଙ୍କନାଥ ଓ ଶ୍ରୀ ଉମାମହେଶ୍ୱରଦେବ, ଶ୍ରୀ ଦକ୍ଷେଶ୍ଵରଦେବଙ୍କୁ ସାଥିରେ ଧରି ବାପଘର ପରିଛା ସାଆନ୍ତଙ୍କ ଦୁଆରେ ବିଭିନ୍ନଶଙ୍କୁଡ଼ି, ନିଶଙ୍କୁଡ଼ି ଭୋଗ ସହିତ ପଖାଳ ତୋରାଣି ମାଛ ଗୁଣ୍ଡି ଭଜା ଖାଇ ଅଗିରା ପଡ଼ିଆକୁ ବିଜେ କରି ଅଗ୍ନି ଉତ୍ସବ ପରେ ଶ୍ରୀ ଉମା ମହେଶ୍ଵରଙ୍କୁ ବିଦାୟ ନେବା ପରେ ମନ୍ଦିରକୁ ବାହୁଡ଼ିବେ। ଦୋଳ ପୂର୍ଣ୍ଣମୀରେ ଦୋଳି ଖେଳିବେ ମା ସାଆନ୍ତାଣୀ।

ବରଷକେ ଥରେ ଦୋଳ ପୁନିଅରେ ନିଜର ଇଷ୍ଟଦେବୀ ମହାମାଇ ମା’ଭଗବତୀଙ୍କୁ ନିଜ ନିଜ ଘରେ ପଡ଼ିଚରଚିବା ପାଇଁ ନାନାଦି ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରି ଲାଗି କରାଇବାକୁ ଅତି ପୂର୍ଣ୍ୟକାର୍ଯ୍ୟ ମନେକରି ଛୁଟି ନେଇ ଦୂର ଦୂରାନ୍ତରରେ ରହୁଥିବା ପ୍ରତି ବ୍ରାହ୍ମଣ ପରିବାର ମଧ୍ୟ ଗାଁଙ୍କୁ ଛୁଟି ଆସିଥାନ୍ତି। ଏହି ଦିନ ପ୍ରତି ଘରମାନଙ୍କରେ ପୁଅବୋହୁ ,ଝୀଅ ଜ୍ୱାଇଁ ବନ୍ଧୁବାନ୍ଧବ କୁଣିଆମାନଙ୍କ ସମାଗମରେ ଭୋଜିଭାତ ମଜାମଜଲିସ୍ ରେ ଗାଁଦାଣ୍ଡ ଉଚ୍ଛୁଳିପଡୁଛି।

ଫାଲଗୁନ ଶୁକ୍ଳ ଦଶମୀରୁ ଓଡ଼ିଶାର ଶ୍ରୀକ୍ଷେତ୍ରଠାରୁ ଆରମ୍ଭ କରି ପ୍ରତିପୁରପଲ୍ଲୀରେ ଦୋଳଗୋବିନ୍ଦଙ୍କ ସହିତ ଅନ୍ୟ ଦେବତାମାନେ ଚ଼ାଚେରୀ ଭୋଗରେ ଗ୍ରାମ ପରିକ୍ରମା କରୁଥିବା ବେଳେ କେବଳ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ଭଗବତୀ ଦେବୀ ଏକା ଏକା ଗ୍ରାମମାନଙ୍କରେ ଚାଚେରୀରେ ଆମିଷ ଭୋଗ ସେବନ କରିବାର ବିଧି ପରମ୍ପରା ସଂପୂର୍ଣ୍ଣ ନିଆରା। ମା’ଙ୍କ ଏହି ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ, ପରିଚାଳନା କମିଟି ଓ କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ୱିନୀ ମିଶ୍ର,କମଳମିଶ୍ର ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରିଥିବା କଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସଙ୍କ ଠାରୁ ପ୍ରକାଶ।

Categories
ଆଜିର ଖବର ରାଜ୍ୟ ଖବର ସଂସ୍କୃତି

ଫଗୁ ଦଶମୀରୁ ଶ୍ରୀ ରଙ୍କନାଥଙ୍କ ଚ଼ାଚ଼େରୀ ବେଶ, ମା’ଭଗବତୀଙ୍କ ସହିତ ଆରମ୍ଭ ହେଲା ଅବୀର କ୍ରୀଡ଼ା

ବାଣପୁର: ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କପରି ଲୀଳାକ୍ଷେତ୍ର ବାଣପୁରରେ ଆରାଧ୍ୟ ଠାକୁର ବ୍ରହ୍ମଶ୍ଵର୍ଶୀ ଶ୍ରୀ ରଙ୍କନାଥ ଦେବଙ୍କ ବାରମାସରେ ତେର ବେଶ। ଫାଲଗୁନ ଶୁକ୍ଳ ଦଶମୀରୁ ଆରମ୍ଭ ଅବୀର କ୍ରୀଡ଼ା ସହିତ ଚ଼ାଚେରୀ ବେଶ। ଏହି ବେଶରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଲାଲପାଟ ସହିତ ଚ଼ୂଳ,ନଳୀଭୂଜ, ମକରକୁଣ୍ଡଳ, ଓଡ଼ିଆଣି, ହରିଡ଼ାମାଳ,ତାବିଜ ମାଳ,ତୁଳସୀ, ଗେଣ୍ଡୁଫୁଲ, ଓ ପଲାସଫୁଲର ନାକଚଣା ଇତ୍ୟାଦିରେ ସୁନ୍ଦର ବେଶ କରାଯାଏ। ମା’ଭଗବତୀ କାଠି ଠାକୁରାଣୀଙ୍କ ସହିତ ମିଶି ପ୍ରଭୁ ଦୋଳଗୋବିନ୍ଦ ରୂପରେ ପରିଚ୍ଛାଙ୍କ ଦୁଆରେ ଶଙ୍କୁଡ଼ି ଓ ନିଶଙ୍କୁଡ଼ି ଭୋଗ ବା ଚ଼ାଚେରୀ ଖାଇ ରାଜାଗ୍ନି ପରେ ମନ୍ଦିରକୁ ବାହୁଡ଼ନ୍ତି। ପରିଚ୍ଛାଙ୍କ ଦୁଆରେ ମା’ ଭଗବତୀ କାଠି ଠାକୁରାଣୀ ଙ୍କ ପାଇଁ ଆମିଷ ଭୋଗ ବଢ଼ା ହେଉଥିଲାବେଳେ ଶ୍ରୀ ରଙ୍କନାଥ ଦେବଙ୍କ ପାଇଁ ନିଶଙ୍କୁଡ଼ି ଭୋଗବଢା ହୋଇ ଉଭୟଙ୍କୁ ବେଲପତ୍ର ତୁଳସୀ ପଡ଼ି ଭୋଗ ଲାଗି ହେଉଥିବାର ନିଆରା ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି।

ଶ୍ରୀକ୍ଷେତ୍ର ପରି ବାଣପୁରରେ ଦୁର୍ଗାମାଧବ ଉପାସନାର ପ୍ରତୀକ ଏହି ଚ଼ାଚ଼େରୀ ବେଶ ଅତ୍ୟନ୍ତ ମନମୁଗ୍ଧକର। ଶ୍ରୀ ଜଗନ୍ନାଥପ୍ରେମୀ ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ର ଯାଇ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରି ଯେତିକି ପୂଣ୍ୟ ଅର୍ଜନ କରନ୍ତି,ନଯାଇ ପାରିଲେ ଲୀଳକ୍ଷେତ୍ରକୁ ଆସି ବ୍ରହ୍ମ ଶ୍ୱର୍ଶୀ ଶ୍ରୀ ରଙ୍କନାଥଙ୍କୁ ଦର୍ଶନ କଲେ ସେତିକି ପୂଣ୍ୟଫଳ ମିଳେ ବୋଲି ବିଶ୍ୱାସ ଅଛି। ଯବନମାନଙ୍କ ଆକ୍ରମଣ କାଳରେ ଶ୍ରୀଜଗନ୍ନାଥ ସାତ ସାତ ଥର ଆସି ବାଣପୁରରେ ଗୋପନଲୀଳା ପ୍ରକଟ କରିଥିବାର କଥା ମାଦଳାପାଞ୍ଜିରେ ଉଲ୍ଲିଖିତ ଅଛି। କେତେବେଳେ ସ୍ଵଦେହରେ ତ କେତେବେଳେ କଳେବରରୁ କେବଳ ବ୍ରହ୍ମଙ୍କୁ ଆଣି ବାଣପୁରର ଘଞ୍ଚବନାନୀରେ ବିଜେ କରାଯାଇ ନିତ୍ୟ ସେବା କରାଯାଉଥିଲ।ନାଏବ ସୁବେଦାର ଅହମ୍ମଦ ବେଗ୍ ଶ୍ରୀମନ୍ଦିରକୁ ଆକ୍ରମଣ କାଳରେ ସେବକମାନେ କେବଳ ବ୍ରହ୍ମଙ୍କୁ ପାଟବସ୍ତ୍ର ଦେହରେ ଆଛାଦିତ କରି ଆଣି ବାଣପୁରର ଅନ୍ଧାରି ମହିମଠାରେ ପାହାଡ଼ ଖୋଲରେ ରଖି ସେବାପୂଜା କରୁଥିଲେ।

ପରବର୍ତ୍ତୀ କାଳରେ ବଙ୍କାଡ଼ଗଡ଼ ରାଜାଙ୍କ ଅନୁରୋଧକ୍ରମେ ଗଜପତି ମହାରାଜା ଚ଼ତୁର୍ଦ୍ଧାମୂର୍ତ୍ତି କରାଇ ବ୍ରହ୍ମଙ୍କୁ ସ୍ଥାପନ କରି ଅସ୍ଥାୟୀ କାଷ୍ଟମଣ୍ଡପରେ ବିଜେ କରାଯାଇ ଦୈନନ୍ଦିନ ସେବାପୂଜା କରାଗଲା। ନାଏବେ ସୁବେଦାର ର ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପରେ ଶ୍ରୀଜୀଉଙ୍କ ଠାରୁ ବ୍ରହ୍ମ ଓ ଲାଗି କରି ଶ୍ରୀକ୍ଷେତ୍ର ନେଇ ନବକଳେବର ପରେ ନୀଳାଦ୍ରୀବିଜେ କରାଯାଇଥିବା କଥା ଗବେଷକମାନେ ମତ ଦିଅନ୍ତି। ବାଣପୁରର ସେହି ଅନ୍ଧାରି ଅରଣ୍ୟରେ ଯେଉଁ ବିଗ୍ରହ ଗଢ଼ା ହୋଇଥିଲେ ପରବର୍ତ୍ତୀକାଳରେ, ବ୍ରହ୍ମଶୂନ୍ୟ ହୋଇ ସେଠାରେ ପଡ଼ିରହିଲେ।

ଶେଷରେ ବାଣପୁର ରାଜା ବିଗ୍ରହମାନକୁ ଉଦ୍ଧାର କରି ଆଣି ନିଳାଦ୍ରୀ ପ୍ରସାଦ,ଠାରେ ପରେ ପରେ ବାଣପୁରଠାରେ ଆଣି ବିଜେ କରାଇ ନୀତିକାନ୍ତି ସେବାପୂଜା ପାଇଁ ନିଯୋଗୀ ସେବାୟତ ଓ ଜମିବାଡ଼ି ଖଞ୍ଜା କରି ପରିସ୍ଥିତିରେ ପଡ଼ି କୃଷ୍ଣପ୍ରସାଦଗଡ଼କୁ ଚାଲିଯିବା କଥା ଗବେଷଣାରୁ ଜଣା ପଡେ। ଏହି ସେହି ବ୍ରହ୍ମସ୍ପର୍ଶୀ ଶ୍ରୀଜଗନ୍ନାଥ ବାଣପୁରରେ ଶ୍ରୀ ରଙ୍କନାଥ ନାମରେ ପରିଚିତ,ସତ୍ୟ ଆଉ ବିଶ୍ୱାସର ଠାକୁର ଏହି ସେହି ଠାକୁର ଯାହାଙ୍କ ନାମ ଧରିଲେ ସତକଥା ବାହାରିପଡ଼େ।

ଶ୍ରୀଜିଉଙ୍କ ଆଜି ଏକାଦଶୀ ତିଥିରେ ମଙ୍ଗଳ ଆଳତୀ, ଅବକାଶ, ପରେ ବଲ୍ଲଭ ଧୂପପରେ ଏହି ଚ଼ଚେରୀ ବେଶ କରାଯାଇଥିଲା। ଶ୍ରୀଜିଉଙ୍କ ପରମ ସେବକ ଚନ୍ଦ୍ରଶେଖର ହୋତା, ପରିଚାଳନା କମିଟିର ଦାଶରଥି ସାହୁ, ଦେବଦତ୍ତ ପାଣି, ବାଳମୁକୁନ୍ଦ ଦାସ, ପଦ୍ମଚରଣ ମହାପାତ୍ର ଏହି ବେଶରେ ସହଯୋଗ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଐତିହାସିକ ବାଣପୁର ପଞ୍ଚୁଦୋଳ ଯାତ୍ରା ପ୍ରସ୍ତୁତି ତଦାରଖ କଲେ ଆଇନ ମନ୍ତ୍ରୀ

ବାଣପୁର: ଖୋର୍ଦ୍ଧା ଜିଲ୍ଲାର ଓଡ଼ିଶା ପ୍ରସିଦ୍ଧ ବାଣପୁର ଐତିହାସିକ ପଞ୍ଚୁଦୋଳ ଯାତ୍ରା ମାର୍ଚ୍ଚ ୧୯-୨୦ ତାରିଖରେ ପଲଟଣ ପଡ଼ିଆ ଠାରେ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଆଜି ଆୟୋଜିତ ପ୍ରସ୍ତୁତି ବୈଠକରେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ଆଇନ ଶୃଙ୍ଖଳା, ଟ୍ରାଫିକ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଠାକୁର ଓ ଠାକୁରାଣୀ ମାନଙ୍କ ଆଗମନ, ନିରବଛିନ୍ନ ବିଦ୍ୟୁତ ସେବା, ପାନୀୟ ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସେବା, ଶ୍ରଦ୍ଧାଳୁ ମାନଙ୍କ ନିରାପତ୍ତା ବ୍ୟବସ୍ଥା, ପରିଷ୍କାର, ପରିଚ୍ଛନ୍ନତା ଆଦି ସମସ୍ତ ବିଷୟରେ ବିସ୍ମୃତ ଭାବେ ଆଲୋଚ଼ନା କରିବା ସହ ପଞ୍ଚୁଦୋଳ ଯାତ୍ରାକୁ ମହାଆଡମ୍ବରରେ ପାଳନ କରିବାପାଇଁ ଯାହା ଯାହା ଆବଶ୍ୟକ, ତାହା ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲା ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।

ଚଳିତବର୍ଷ ପଞ୍ଚୁଦୋଳ ଯାତ୍ରାକୁ ଚିତାକର୍ଷକ କରିବା ପାଇଁ ମାନ୍ୟବର ମନ୍ତ୍ରୀ ଏକାଧିକ ପଦକ୍ଷେପ ନେଇଥିବା ଜଣାପଡିଛି। ରାଜ୍ୟ ସଂକୃତି ବିଭାଗର ସହଯୋଗରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ଉକ୍ତ ବୈଠକରେ ଖୋର୍ଦ୍ଧା ଜିଲ୍ଲାପାଳ ଚ଼ଞ୍ଚଳ ରଣା, ଉପଜିଲ୍ଲାପାଳ କିଶୋର କୁମାର ପଣ୍ଡା, ପଞ୍ଚୁଦୋଳ କମିଟି ସଭାପତି ତଥା ବାଣପୁର ତହସିଲଦାର ଟି.ପଦ୍ମନାଭ ଦୋରା, ବାଣପୁର ବ୍ଲକ ଅଧ୍ୟକ୍ଷ‌ ଅମରେନ୍ଦ୍ର ରଣସିଂହ, ବାଣପୁର ବିଡ଼ିଓ ଶୀତଲ ଅଗ୍ରୱାଲ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ, ବାଲୁଗାଁ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ସଞ୍ଚୟ କୁମାର ପଟ୍ଟନାୟକ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନିଗମାନନ୍ଦ ନନ୍ଦ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ୍, ବାଣପୁର ଥାନାଧିକାରୀ ରମେଶ କୁମାର ଦେବତ୍ତା, ବାଲୁଗାଁ ଥାନାଧିକାରୀ ଜୟପ୍ରକାଶ ପରିଡ଼ା, ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡ଼ା ରମାକାନ୍ତ ନାୟକ, ବିଦ୍ୟୁତ୍ ବିଭାଗର ଏସଡ଼ିଓ ଟୁକୁନା ଦଳାଇ, ପଞ୍ଚୁଦୋଳ କମିଟିର ସମ୍ପାଦକ ମାଧବ ବାରିକି, ଉପସଭାପତି ବୀରଭଦ୍ର କାଣ୍ଡିଙ୍କ ସମେତ ପଞ୍ଚୁଦୋଳ କମିଟି ର ସମସ୍ତ କର୍ମକର୍ତ୍ତା ଓ ସ୍ଥାନୀୟ ବ୍ୟକ୍ତିବିଶେଷ ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଣପୁର: ନନ୍ଦପୁର ପଞ୍ଚାୟତରେ ଲକ୍ଷପତି ଦିଦି ସମାବେଶ

ବାଣପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ମାନଙ୍କୁ ଉଦ୍ୟୋଗୀ ହେବାସହ ଲକ୍ଷପତି ଦିଦିହେବାର ସୁଯୋଗ ସୃଷ୍ଟି କରୁଛନ୍ତି। ଏହି ଅବସରରେ ବାଣପୁର ବ୍ଲକ ଅନ୍ତର୍ଗତ ନନ୍ଦପୁର ଗ୍ରାମ ପଞ୍ଚାୟତର ଲକ୍ଷପତି ଦିଦି ହେବାର ସୁଯୋଗ ପାଇଥିବା ମା ମାନଙ୍କର ଏକ ସମାବେଶ ଶ୍ରୀରାଜ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା। ପଞ୍ଚାୟତ ସଭାନେତ୍ରୀ ସରୋଜିନୀ ପାଳ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶରେ ମୁଖ୍ୟ ଅତିଥି ଭାବେ ବାଣପୁର ବ୍ଲକ ଅଧକ୍ଷ ଅମରେନ୍ଦ୍ର ରଣସିଂହ, ସମ୍ମାନିତ ଅତିଥି ଭାବେ ନନ୍ଦପୁର ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆ, ଆଇନଯିବି ରାଜ କିଶୋର ପଣ୍ଡା, ସାମ୍ବାଦିକ ଅରୁଣ ପଣ୍ଡା, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଶାଖା ପରିଚାଳକ ବିମଲେଶ କୁମାର ପାଶ୍ବାନ ଯୋଗ ଦେଇଥିଲେ।

ଅତିଥି ମାନେ କେନ୍ଦ୍ର ଓ ରାଜ୍ୟ ସରକାର ମହିଳା ମାନଙ୍କୁ ଅଗ୍ରାଧିକାର ଦେଇ ସେମାନଙ୍କୁ ସ୍ୱାବଲମ୍ବୀ କରିବାକୁ ଚେଷ୍ଟା ଜାରି ରଖିଥିବା ବେଳେ ପ୍ରତ୍ୟେକ ମହିଳା କିପରି ଲକ୍ଷପତି ହୋଇପାରିବେ ସେ ଦିଗରେ ପରାମର୍ଶ ଦେଇଥିଲେ। ବ୍ୟାଙ୍କରୁ ଋଣ କରି କୃଷି, ଉଦ୍ୟୋଗ ଭଳି କ୍ଷେତ୍ରରେସେହି ଅର୍ଥକୁ ବିନିଯୋଗ କରି ଲାଭବାନ ହେବା ସହ ନିଜ ପରିବାରର ପିଲା ମାନଙ୍କର ଉଚ୍ଚଶିକ୍ଷା ହେଉ କି ଗୃହ ନିର୍ମାଣ ପ୍ରତ୍ୟେକ କ୍ଷେତ୍ରରେ ମହିଳା ମାନଙ୍କର ସହାଭାଗିତା ହେବାକୁ ଅରୁଣ ପଣ୍ଡା କହିଥିଲେ।

ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରତ୍ୟେକ ମହିଳା ପ୍ରଧାନମନ୍ତ୍ରୀଙ୍କ ଯୋଜନାକୁ ସାକାର କରିବାକୁ ଉପସ୍ଥିତ ମହିଳା ମାନଙ୍କୁ ଅଧକ୍ଷ ଶ୍ରୀଯୁକ୍ତ ରଣସିଂହ କହିବା ସହ ମା ମାନଙ୍କୁ ମୋ ତରଫରୁ ସମ୍ପୂର୍ଣ୍ଣ ସହଯୋଗ ଜାରି ରହିବ ବୋଲି ମତ ରଖିଥିଲେ। ପଂଚାୟତର ଏମବିକେ, ସମସ୍ତ ସିଆରପି, ବ୍ୟାଙ୍କମିତ୍ରଙ୍କ ସହଯୋଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Categories
ଆଞ୍ଚଳିକ

ବାଣପୁର: ଏକତା ପରିଷଦ ଟ୍ରଷ୍ଟ ସଂଗଠନ ପକ୍ଷରୁ ବିଶ୍ୱ ମହିଳାଦିବସ ପାଳିତ

ବାଣପୁର: ଏକତା ପରିଷଦ ଟ୍ରଷ୍ଟ ସଂଗଠନ ପକ୍ଷରୁ ବରବରା ଗ୍ରାମପଞ୍ଚାୟତର ଲୋଧଭୂଇଁ ଠାରେ ବିଶ୍ୱ ମହିଳାଦିବସ ପାଳନ କରାଯାଇଛି। ଦୁଇ ପଂଚାୟତର ଏକ ଶହରୁ ଉର୍ଦ୍ଧ୍ଵ ମହିଳା ମୁଖିଆ, ଅଙ୍ଗନବାଡି କର୍ମୀ ଓ କିଶୋରୀ ବାଳିକା ମାନେ ଯୋଗ ଦେଇଥିଲେ। ଏକତା ପରିଷଦ ଟ୍ରଷ୍ଟର ମୁଖ୍ୟ ସନ୍ଧ୍ୟା ଦେବୀ ସଭାପତିତ୍ୱ କରିଥିଲେ। ମାଳତି ଯାନୀ ସଭା ପରିଚାଳନା କରିଥିଲେ।

ମହିଳା ଦିବସରେ ଆଦିବାସୀ ମହିଳାଙ୍କ ସଶକ୍ତି କରଣ, ଶିକ୍ଷା ଓ ବିକାଶ ନେଇ ବିଭିନ୍ନ ସରକାରୀ ଯୋଜନାକୁ କିପରି ସଠିକ ପାଇପାରିବେ ଓ ମହିଳା ସୁରକ୍ଷା ନେଇ ବିଭିନ୍ନ ଆଇନକୁ ଜାଣିବେ ସେସମ୍ପର୍କରେ ଚର୍ଚ୍ଚା ହେବା ସହ କନ୍ୟା ଶିଶୁଙ୍କ ଶିକ୍ଷା ବିକାଶ ପାଇଁ କାମ କରିବାକୁ ସ୍ଥିର କରାଯାଇଥିଲା। ପ୍ରାକୃତିକ ପରିବେଶ ଦିନକୁଦିନ ଅଧିକ ଆସନ୍ତୁଳନ ହେଉଥିବାରୁ ମା ମାନେ ଏକାଠି ହୋଇ ପାଖ ଜଙ୍ଗଲକୁ ସୁରକ୍ଷିତ କରିବାକୁ ମଧ୍ୟ ସ୍ଥିର କରାଗଲା।

ଏକତା ପରିଷଦ ଟ୍ରଷ୍ଟ ପକ୍ଷରୁ ମା ମାନଙ୍କ ଅଧିକାର ଓ ସୁରକ୍ଷା ନେଇ ବିଭିନ୍ନ ଆଇନ ସଚେତନତା କରା ଯାଇଥିଲା। ବିଶେଷକରି ଏ ବର୍ଷ ମହିଳାଦିବସର ଅନୁଚିନ୍ତା ମା ମାନଙ୍କ ବିକାଶ, ଓ ଅଧିକାର ସୁରକ୍ଷା ପାଇଁ କାମ କରିବାକୁ ନିଷ୍ପତି କରାଯାଇଥିଲା। ଏଥିରେ ଟ୍ରଷ୍ଟ ର କର୍ମୀ ଟୁନିଦାସ, ସନ୍ଧ୍ୟା ରାଣୀ ବେହେରା, ଆରତୀ ନାୟକ, ଟିଟୁ ରାଉତ, ରାମେଶ୍ୱର ସାହୁ ଆଦି ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: ମଦ ବିକ୍ରୀକୁ ବିରୋଧ କରି କ୍ୟାବିନ ଭିତରେ ପଶିଲେ ଗ୍ରାମବାସୀ, ନଷ୍ଟ କଲେ ଚୋରା ମଦ

ବାଣପୁର: ନନ୍ଦପୁର ପଞ୍ଚାୟତ ପାରିନୁଆଗାଁ ଓ ଭେଷରୀ କେନାଲ ରାସ୍ତା ନରଣଡିହ ଛକରେ ଦୀର୍ଘଦିନ ଧରି ରାସ୍ତା କଡରେ ଏକ କ୍ୟାବିନରେ ମଦ ବିକ୍ରୀ ହେଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ଅସାମାଜିକ ଲୋକ ଏଠାକୁ ଆସି ମଦ ପିଅନ୍ତି। ଆଖପାଖ ଗ୍ରାମର ଯୁବକ ମାନେ ସର୍ବଦା ମଦ ପିଇ ଗ୍ରାମରେ ଅଶାନ୍ତି ସୃଷ୍ଟି କରୁଥିବାରୁ ମଦ ବିକ୍ରି କରୁଥିବା ଯୁବକ ବସନ୍ତ ମହାରଣାଙ୍କୁ ବିକ୍ରି ବନ୍ଦ କରିବାକୁ ବାରମ୍ବାର ତାଗିଦ କରିବା ସତ୍ତ୍ୱେ ସେ ନିର୍ଭୟରେ ମଦ ବିକ୍ରି କରି ଚାଲୁଥିଲେ। ବସନ୍ତ ଏବଂ ତାଙ୍କର ବାପା ସୁରେନ୍ଦ୍ର ମହାରଣାଙ୍କୁ ବାଣପୁର ପୋଲିସ ଏବଂ ଅବକାରୀ ବିଭାଗ ମଦ ଜବତ କରି ବିଭିନ୍ନ ସମୟରେ ଜେଲ ପଠାଇ ଥିବାବେଳେ ଜାମିନରେ ଆସି ମଦ ବିକ୍ରି କରିବା ଜାରି ରଖିଛନ୍ତି।

ପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ଏହାକୁ ବିରୋଧ କରି ଆଜି ସକାଳୁ ଉକ୍ତ ଜାଗାରେ ଥିବା କ୍ୟାବିନ ଭିତରୁ ଚୋରା ମଦ ଜବତ କରି ନଷ୍ଟ କରିଛନ୍ତି। ଘଟଣା ସ୍ଥଳକୁ ବସନ୍ତ ନ ଆସି ତାଙ୍କର ବାପା ସୁରେନ୍ଦ୍ର ଆସି ଆମେ ଗରିବ ଲୋକ ଏଥିରୁ ପରିବାର ଚଳାଉଛୁ ବୋଲି କହିଥିଲେ। କିନ୍ତୁ ଏଠାରେ ମଦ ବିକ୍ରିକଲେ ପ୍ରତିଦିନ ଏହିପରି ଚଢ଼ାଉ କରି ମଦ ନଷ୍ଟ କରିବୁ ବୋଲି ଯୁବକ ମାନେ ବସନ୍ତଙ୍କୁ ଚେତାବନୀ ଦେଇଥିଲେ।

ଉକ୍ତ ଘଟଣାକୁ ନେଇ ବାଲୁଗାଁ ଅବକାରୀ ଅଧିକାରୀ ସୁଜିତ ମୁଦୁଲିଙ୍କୁ ପଚାରିବାରେ ମୁଁ ଚଢ଼ାଉ କରି ବସନ୍ତଙ୍କ ବାପାଙ୍କୁ ଜେଲ ପଠାଇଥିଲି। ପୁଣି ଯଦି ସେ ବିକ୍ରି କରନ୍ତି, ତାଙ୍କ ଉପରେ ଆଉଥରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ତେବେ ପ୍ରତ୍ୟେକ ଦିନ ଚୋରା ମଦ ବିକ୍ରି କରୁଥିବା ସ୍ଥାନ ଉପରେ ପୋଲିସ ଏବଂ ଅବକାରୀ ବିଭାଗ ଚଢ଼ାଉ ଜାରି ରଖିବାକୁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁର ପୋଲିସ ଦ୍ବାରା ନୂତନ ଅପରାଧିକ ଆଇନ ସଚେତନତା କାର୍ଯ୍ୟକ୍ରମ

ବାଣପୁର: ଆଜି ନୂତନ ଅପରାଧିକ ଆଇନ ଉପରେ ବାଣପୁର ପୋଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସଂସଦରେ ପାରିତ ଭାରତୀୟ ଦଣ୍ଡ ସଂହିତା, ନାଗରିକ ସଂହିତା, ଓ ସାକ୍ଷ୍ୟ ବିଧି ଆଇନ ଲାଗୁ ହେବା ପରିପ୍ରେକ୍ଷୀରେ ବାଣପୁର ଥାନା ପୋଲିସ ପକ୍ଷରୁ ଏକ ସଚେତନତା ଶିବିର ସ୍ଥାନୀୟ ପଲଟନ ପଡିଆସ୍ଥିତ ସହିଦ କୃତିବାସ ଭବନ ଠାରେ ବରିଷ୍ଠ ନାଗରିକ, ସଚେତନ ନାଗରିକ, ପଞ୍ଚାୟତ ସଦସ୍ୟ,ମହିଳା ଓ ବୁଦ୍ଧିଜୀବିମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ ଯୋଗ ଦେଇଥିବା ବେଳେ ସରକାରୀ ଓକିଲ ଜଳଧର ପ୍ରଧାନ,ତାଲୁକ ସେବା ପ୍ରାଧିକରଣ ସଭ୍ୟ ବିପ୍ଳବ ମୁଦୁଲି,ବାଣପୁର ଆଇଆଇସି ରମେଶ କୁମାର ଦେବତା ପ୍ରମୁଖ ଯୋଗ ଦେଇଥିଲେ। ସାଧାରଣ ନାଗରିକ ମାନେ ଭାରତୀୟ ନ୍ୟାୟ ସଂହିତାର ମୂଳତତ୍ତ୍ୱକୁ ଉପଲବ୍ଧି କରିବା ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ ବୋଲି ଏସଡିପିଓ ଶ୍ରୀ ପଟ୍ଟନାୟକ ମତ ରଖିବା ସହ ବରିଷ୍ଠ ନାଗରିକ ଓ ମହିଳା ମାନଙ୍କୁ ନୂତନ ଆଇନ ସମ୍ବନ୍ଧରେ ଅନେକ ତଥ୍ୟ ପ୍ରଦାନ କରିଥିଲେ। ଅତିଥି ମାନେ ସାଧାରଣ ନାଗରିକର ଆଇନ ସମ୍ବନ୍ଧୀୟ ଅଧିକାର ସମ୍ବନ୍ଧରେ ବିସ୍ତୃତଭାବେ ବର୍ଣ୍ଣନା କରିଥିଲେ।

ବରିଷ୍ଠ ଆଇନୀଜୀବୀ ଶ୍ରୀ ପ୍ରଧାନ ଅଭିଯୁକ୍ତକୁ ନ୍ୟାୟାଚିତ ଦଣ୍ଡ ମିଳିବାକୁ ହେଲେ ନ୍ୟାୟାଳୟରେ ସତ୍ୟତା ପରିପ୍ରକାଶ କରିବାକୁ ଉପସ୍ଥିତ ନାଗରିକମାନଙ୍କୁ ପରାମର୍ଶ ଦେଇଥିଲେ। ପୋଲିସ ହେଉଛି ଆପଣ ମାନଙ୍କର ବନ୍ଧୁ। ତେଣୁ ପୋଲିସ ଆଉ ସାଧାରଣ ଜନତାଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହେଲେ ଲୋକଙ୍କ ମନରୁ ଭୟ ଦୂରହୋଇ ଅଂଚଳରେ ଶାନ୍ତ ବାତାବରଣ ସୃଷ୍ଟି ହେବ ବୋଲି ଆଇଆଇସି ଶ୍ରୀ ଦେବତା ମତବ୍ୟକ୍ତ କରିଥିଲେ।

Categories
ଆଞ୍ଚଳିକ

ବାଣପୁର: କାଜୁ ଜଙ୍ଗଲରେ ପ୍ରେମିକର ଆତ୍ମହତ୍ୟା

ବାଣପୁର: ଆଜି ବାଣପୁର ପୋଲିସ ନୀଳାଦ୍ରି ଗ୍ରାମ ପଞ୍ଚାୟତର କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି। ପ୍ରକାଶ ଥାଉକି ଉକ୍ତ ପଞ୍ଚାୟତର ପୁଞ୍ଜିଆମା ଗ୍ରାମର ଭୂପେନ୍ଦ୍ର ପ୍ରଧାନ (୨୨) ଦୋଳଗୋବିନ୍ଦ ପୁର ଗ୍ରାମ କାଜୁ ଜଙ୍ଗଲର ଏକ ଗଛରେ ବେକରେ ଓଢଣୀ ସାହାଯ୍ୟରେ ଝୁଲି ପଡ଼ିଛି। ମୃତକଙ୍କ ଭାଇ ମହେନ୍ଦ୍ର ପ୍ରଧାନ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିଛି।

ଅଭିଯୋଗ ମୁତାବକ ମୃତକ ଜଣକ ଦୋଳଗୋବିନ୍ଦପୂର ଗ୍ରାମ କାଜୁ ଫ୍ୟାକ୍ଟ୍ରିରେ ଦିନ ମଜୁରିଆ ଭାବରେ କାମ କରୁଥିବା ବେଳେ ସେହି ଗ୍ରାମର ଜନୈକ ଝିଅକୁ ଭଲ ପାଇ ବସିଥିଲେ। କୌଣସି କାରଣବଶତଃ ଆଜି ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଥିବା ବେଳେ ସାଧାରଣ ଲୋକ ଏହାକୁ ହତ୍ୟା ହୋଇଥିବା ପୋଲିସ ଆଗରେ ଅଭିଯୋଗ କରିଥିଲେ। କିନ୍ତୁ ପୋଲିସ ପହଂଚିବା ପୂର୍ବରୁ ମୃତଦେହକୁ ଗଛରୁ ତଳକୁ ଓହ୍ଲାଇ ଦିଆଯାଇଥିବା ବେଳେ ପାରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟ ଜଣାପଡିବ ବୋଲି ତଦନ୍ତକାରି ଅଧିକାରୀଣି ଏସଆଇ ଗାୟତ୍ରୀ ଗୋଛାୟତ କହିଛନ୍ତି।

Categories
ଆଞ୍ଚଳିକ

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବାଣପୁରରେ ଆଇନ ସଚେତନତା ଶିବିର

ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ବାଣପୁର ବ୍ଲକ ସଭାଗୃହରେ ଶୁକ୍ରବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟା ଏକ୍କା, ଫ୍ରଣ୍ଟ ଅଫିସ ରିଟେନର, ଆଇନ ସେବା ସମିତି ସଦସ୍ୟ, ସିଡିପିଓ ଓ ଅଙ୍ଗନବାଡି କର୍ମୀ ମାନେ ଯୋଗଦେଇଥିଲେ।

ଉଭୟ ବିଚାରପତି ଉପସ୍ଥିତ ମହିଳା ମାନଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସର ଅଭିନନ୍ଦନ ଜଣାଇବା ସହ ମହିଳା ମାନଙ୍କ ପାଇଁ ଉଦିଷ୍ଟ ବିଭିନ୍ନ ଆଇନ ବିଷୟରେ ସଚେତନ କରାଇଥିଲେ। ସମ୍ପ୍ରତି ସମାଜରେ ମହିଳା ମାନଙ୍କୁ ସମସ୍ତ କ୍ଷେତ୍ରରେ ପ୍ରାଥମିକତା ଦିଆଯାଉଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଏକାଧିକ ଆଇନ ପ୍ରଣୟନ ହୋଇଛି।

ଉକ୍ତ ଆଇନ ସମସ୍ତ ମହିଳା ମାନେ ଜାଣିବା ଦରକାର ଏବଂ ଅଙ୍ଗନବାଡି କର୍ମୀମାନେ ଉକ୍ତ ଆଇନ କୁ ମହିଳା ମାନଙ୍କ ମଧ୍ୟରେ ପହଞ୍ଚାଇବାରେ ବିଶେଷ ସହାୟକ ହେବେ ବୋଲି ଉପସ୍ଥିତ ଅତିଥିମାନେ ମତ ଦେଇଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ

ବାଣପୁର: ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀକୁ ଗିରଫ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ହଳନ୍ଦା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର କୁନି ନାୟକଙ୍କ ଝିଅ ଟିକିନା ବିଷୋୟୀ (୩୭) ସେହି ଗ୍ରାମର ରବି ବିଷୋୟୀଙ୍କୁ ୧୧ ବର୍ଷ ପୂର୍ବେ ବିବାହ କରିଥିଲେ।

ତେବେ ଆଜି ଟିକିନା ପାରିବାରିକ କଳହ ଲାଗି ତାଙ୍କ ଘରେ ଥିବା ବାଉଁଶରେ ରଶି ଲଗାଇ ଝୁଲିପଡ଼ିଥିବା ଚର୍ଚ୍ଚା ହେଉଥିବା ବେଳେ ଖବର ପାଇ ମା’ କୁନି ଟିକିନାଙ୍କୁ ଶ୍ୱଶୁର ଘର ଲୋକ ମାରିଦେଇଥିବା ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସ୍ୱାମୀ ରବିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମୃତ ଟିକିନାଙ୍କ ୩ ଗୋଟି ସନ୍ତାନ ଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଣପୁର ତୁମୁରାପୁଟ ପଞ୍ଚାୟତରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ତୁମୁରାପୁଟ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସଡ଼କ ସୁରକ୍ଷା, ଏମଏସିଟି, ଯାନବାହାନ ଅଧିନିୟମ, ବିକଳ୍ପ ବିବାଦ ସମାଧାନ ସୂତ୍ର ଓ ସ୍ଥାୟୀ ଲୋକ ଅଦାଲତ ଆଦି ବିଷୟରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଅଧ୍ୟକ୍ଷତା କରିଥିବା ବେଳେ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟା ଏକ୍କା, ସରପଞ୍ଚ ଅକ୍ଷୟ ସେଠି,ଫ୍ରଣ୍ଟ ଅଫିସ ରିଟେନର ଦେବି ସାମନ୍ତରାୟ,ଆଇନ ସେବା ସମିତିର ସଦସ୍ୟ ଆଇନଜୀବୀ ଜଗଦୀଶ ପଟ୍ଟନାୟକ ଓ ବିପ୍ଳବ ମୁଦୁଲି ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଜନସାଧାରଣଙ୍କୁ ସଡ଼କ ସୁରକ୍ଷା,ଏମଏସିଟି,ଯାନବାହାନ ଅଧିନିୟମ,ବିକଳ୍ପ ବିବାଦ ସମାଧାନ ସୂତ୍ର ଓ ସ୍ଥାୟୀ ଲୋକ ଅଦାଲତ ଆଦି ବିଷୟରେ ସଚେତନ କରାଇଥିଲେ। ଏବଂ ଏହାର ବିଭିନ୍ନ ଆଇନଗତ ଦିଗ ବିଷୟରେ ଆଲୋଚନା କରିଥିଲେ। ବିକଳ୍ପ ବିବାଦ ସମାଧାନ ସୂତ୍ର ଓ ସ୍ଥାୟୀ ଲୋକ ଅଦାଲତ ଦ୍ୱାରା ବିଭିନ୍ନ ମାମଲା ଆପୋଷ ସମାଧାନ ହୋଇଥାଏ ଯାହାଦ୍ୱାରା ନାଗରିକ ମାନେ ଅଯଥା କୋର୍ଟରେ ମାମଲରେ ଛନ୍ଦି ନହୋଇ ନ୍ୟାୟ ପାଇଥାନ୍ତି ବୋଲି ବିଚାରପତି କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବହୁ ସ୍ଥାନୀୟ ବାସିନ୍ଦା ଯୋଗଦେଇଥିଲେ।

Categories
ଆଞ୍ଚଳିକ

ବାଣପୁର: ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଜାତୀୟ ସେବା ଯୋଜନା ଦ୍ବାରା ଦିନିକିଆ ଶିବିର ଆୟୋଜିତ

ବାଣପୁର: ବାଣପୁର ପବିତ୍ର ମହାଶିବରାତ୍ରୀ ଉପଲକ୍ଷେ ଗୋଦାବରୀଶ ମହାବିଦ୍ୟାଳୟ ଓ ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ମାନଙ୍କ ଦ୍ବାରା ଏକ ଦିନିକିଆ ଶିବିର ଆୟୋଜନ କରାଯାଇ ବାଟୋଇ ତଥା ଗଛବାଲୁଙ୍କେଶ୍ବର ମନ୍ଦିରକୁ ଆସୁଥିବା ଭକ୍ତଜନମାନଙ୍କୁ ଜଳଛତ୍ର ମାଧ୍ୟମରେ ଜଳ ବଣ୍ଟନ କରାଯାଇଥିଲା। ଏହି ଜଳ ବଣ୍ଟନ କାର୍ଯ୍ୟକ୍ରମ ପୂର୍ବାହ୍ନ ୧୦ ଘଟିକା ଠାରୁ ଆରମ୍ଭ ହୋଇ ସଂନ୍ଧ୍ଯା ୬ ଘଟିକା ପର୍ଯ୍ୟନ୍ତ ଚାଲିଥିଲା।

ଏହି ଦିନିକିଆ ଶିବିର ଟି ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତାଙ୍କ ଦ୍ବାରା ଉଦଘାଟନ ହୋଇଥିଲା। ଏହି ଦିନିକିଆ ଶିବିର ଟି ଗୋଦାବରୀଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଅଧିକାରୀ ଶ୍ରୀଯୁକ୍ତ ଜୟନ୍ତ କୁମାର ବିହାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ପରିଚାଳିତ ହୋଇଥିଲା।

Categories
ଆଞ୍ଚଳିକ

ରଙ୍କନାଥ ଦେବଙ୍କ ପିଠର ଉନ୍ନତିକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ

ବାଣପୁର:ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବଙ୍କ ପୀଠର ଉନ୍ନତିକରଣ ନିମନ୍ତେ ଗତକାଲି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ଆନୁକୂଲ୍ୟରେ ମନ୍ଦିର ପରିସରରେ ଜାରି ରହିଥିବା ତିନି ଦିବସୀୟ ପ୍ରବଚନ କାର୍ଯ୍ୟକ୍ରମରେ ଯୋଗଦେଇ ଉକ୍ତ ଉନ୍ନୟନମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମନ୍ତ୍ରୀ ଶ୍ରୀ ହରିଚନ୍ଦନ।

ଏହି ଅବସରରେ ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସୁମନ୍ତ ପଟ୍ଟନାୟକ, ସମାଜସେବୀ ନନ୍ଦ କିଶୋର ମିଶ୍ର, ବାଣପୁର ନଗର ମଣ୍ଡଳ କାର୍ଯ୍ୟକାରୀ ସଭାପତି ରବିନାରାୟଣ ମିଶ୍ର, ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ସଭାପତି ପବନ କୁମାର ରାମ, ସମ୍ପାଦକ ମନୋଜ କୁମାର ଅଗ୍ରୱାଲ, ବରିଷ୍ଠ ସଭ୍ୟ ରାଧାମୋହନ ଅଗ୍ରୱାଲ, ଗିରିଧାରୀ ପାତ୍ର, ଅଶୋକ ପାତ୍ର, ଦେବଦତ୍ତ ପାତ୍ର, ସଚ୍ଚିଦାନନ୍ଦ ପରିମାଣିକ,ରଙ୍କନାଥ ଦେବ ମନ୍ଦିର କମିଟି ସଭାପତି ଦାଶରଥି ସାହୁ, ସମ୍ପାଦକ ରବି ପ୍ରଧାନ, ବରିଷ୍ଠ ସଭ୍ୟ ଆଇନଜୀବୀ ଶ୍ୟାମ ସୁନ୍ଦର ମିଶ୍ର, ଦେବଦତ୍ତ ପାଣି, ବାଳମୁକୁନ୍ଦ ଦାସ ଏବଂ ଉଭୟ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ରଙ୍କନାଥ ଦେବ ପିଠ ପରିସରରେ ଛାତ ନିର୍ମାଣ ଏକ ଜରୁରୀ କାର୍ଯ୍ୟ ହୋଇଥିବା ବେଳେ ଦୀର୍ଘ ବର୍ଷ ହେଲା ଏଥିନିମନ୍ତେ ଉଭୟ କମିଟି ପକ୍ଷରୁ ପ୍ରଚେଷ୍ଟା ଜାରି ରହିଥିଲା।

ତେବେ ନିକଟରେ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ଏ ନେଇ ମାନ୍ୟବର ମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିବା ବେଳେ, ମନ୍ତ୍ରୀ ତୁରନ୍ତ ଉକ୍ତ ପ୍ରକଳ୍ପକୁ ଅନୁମୋଦନ କରିବା ସହ ଏହାର ଶୁଭ ଦେଇଛନ୍ତି। ଏବଂ ଆସନ୍ତା ରଥଯାତ୍ରା ମଧ୍ୟରେ ଉକ୍ତ କାର୍ଯ୍ୟ ଶେଷ ହେବ ବୋଲି ଉପସ୍ଥିତ ଭକ୍ତମାନଙ୍କୁ ସୂଚନା ଦେଇଥିଲେ। ଯାହାଫଳରେ ଭକ୍ତମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଏହି ଅବସରରେ ମାନ୍ୟବର ମନ୍ତ୍ରୀଙ୍କୁ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟି ପକ୍ଷରୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ମନ୍ଦିର ଉନ୍ନୟନ ପ୍ରକଳ୍ପ ଅନୁମୋଦନ କରିଥିବାରୁ ମନ୍ତ୍ରୀଙ୍କୁ ସମସ୍ତ ଭକ୍ତମାନେ କୃତଜ୍ଞତା ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଜାଗର ପାଇଁ ପ୍ରାଚୀନ ଦକ୍ଷପ୍ରଜାପତି ମନ୍ଦିର ଚଳଚଞ୍ଚଳ: ଜାଣନ୍ତୁ ଏହାର ଇତିହାସ ଓ ନୀତିକାନ୍ତି

ବାଣପୁର: ଦେବୀ ଭଗବତୀଙ୍କ ପିତ୍ରାଳୟଭାବରେ ପରିଚିତ ବାଣପୁରର ପ୍ରାଚୀନ ଶୈବପୀଠ ଶ୍ରୀଶ୍ରୀ ଦକ୍ଷେଶ୍ଵର ମନ୍ଦିର ଯାହା ଦକ୍ଷ ପ୍ରଜାପତି ମନ୍ଦିର ଭାବରେ ମଧ୍ୟ ଜନାଦୃତ। ଭାରତ ବର୍ଷର ପ୍ରଖ୍ୟାତ ଐତିହାସିକ ପ୍ରଫେସର ପାଣ୍ଡୁରଙ୍ଗା ବାମନ କାନିଙ୍କ ଦ୍ଵାରା ସଂକଳିତ “ଧର୍ମଶାସ୍ତ୍ର ଇତିହାସ” ପୁସ୍ତକରେ ବାଣଲିଙ୍ଗ ପ୍ରତିଷ୍ଠା ସମନ୍ଧରେ ଉଲ୍ଲେଖ ଅଛି କି ଶିବ ଭକ୍ତ ବାଣାସୁର ଭାରତ ବର୍ଷର ବିଭିନ୍ନ ସ୍ଥାନରେ ଚଉଦକୋଟି ଶିବଲିଙ୍ଗ ପ୍ରତିଷ୍ଠା କରିଥିଲେ, ତାହାକୁ ବାଣଲିଙ୍ଗ କୁହାଯାଏ। ଗଙ୍ଗା ନାର୍ମଦା ପରି ପବିତ୍ର ନଦୀ ମାନଙ୍କରୁ ମିଳୁଥିବା ଶ୍ଵେତ ପ୍ରସ୍ତର ଏହି ବାଣଲିଙ୍ଗ ତୁଲ୍ୟ ଅଟେ।

ବାଣପୁରର ଏହି ପ୍ରଖ୍ୟାତ ପୀଠରେ ମଧ୍ୟ ବାଣାସୁର ଲିଙ୍ଗ ପ୍ରତିଷ୍ଟା କରି ନିଜର ଅଭିଷ୍ଟପୁରଣ କରିଥିବାରୁ ଏହି ସ୍ଥାନ ଶିବ ଉପାସନାର ଏକ ପ୍ରଖ୍ୟାତ ସ୍ଥଳୀ ଭାବରେ ଖ୍ୟାତି ଅର୍ଜନ କରିଛି। ଏହି ବାଣଲିଙ୍ଗର ସ୍ଥାପନ ଅନୁସାରେ ଏହି ସ୍ଥାନର ନାମକରଣ ବାଣପୁର ହୋଇଛି ବୋଲି ପ୍ରଖ୍ୟାତ ଐତିହାସିକ ଏବଂ ପ୍ରତ୍ନତତ୍ଵବିତ୍ ଡ଼ଃକୃଷ୍ଣଚନ୍ଦ୍ର ପାଣିଗ୍ରାହୀ ତାଙ୍କ “ହିଷ୍ଟ୍ରି ଅଫ୍ ଓଡ଼ିଶା” ପୁସ୍ତକରେ ବର୍ଣ୍ଣନା କରିଛନ୍ତି।

ବାଣଲିଙ୍ଗ କ୍ଷତ୍ରିୟ ଗୃହସ୍ଥମାନଙ୍କ ଉପାସନା ନିମିତ୍ତ ଉପଯୁକ୍ତ ବୋଲି ବର୍ଣ୍ଣନା କରାଯାଇଛି। ଇନ୍ଦ୍ରାଦି ସର୍ବ ଦେବତାମାନଙ୍କ ଦ୍ଵାରା ପୂଜିତ ଏହି ବାଣଲିଙ୍ଗ ଉପସନା ମନୁଷ୍ୟକୁ ଭୁକ୍ତି ମୁକ୍ତି, ରୋଗ ଶୋକ ଦାଉରୁ ସୁରକ୍ଷା ପ୍ରଦାନ କରେ ଏବଂ ଗୃହସ୍ଥ ମନୁଷ୍ୟର ସକଳ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି “କଲ୍ୟାଣ କଳ୍ପତରୁ “ପୁସ୍ତକରେ ଡ଼କ୍ଟର ସଦାଶିବ ଏ ଡ଼ାଙ୍ଗେ ତାଙ୍କ ଶିବଲିଙ୍ଗ ଉପାସନା ଓ ଫଳପ୍ରାପ୍ତି ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି। ବାଣଲିଙ୍ଗକୁ ନିମ୍ନୋକ୍ତ ପ୍ରକାରେ ଧ୍ୟାନ କଲେ ଅଭୁତଫଳ ପ୍ରାପ୍ତ ହୁଏ ବୋଲି ବର୍ଣ୍ଣନା କରାଯାଇଛି-
ଓଁ ପ୍ରମତ୍ତଂ ଶକ୍ତି ସଂଯୁକ୍ତଂ ବାଣା ସ୍ୟ ଚ଼ ମହାପ୍ରଭମ୍, କାମବାଣାନ୍ୱିତଂ ଦେବଂ ସଂସାର ଦହନକ୍ଷମମ୍, ଶଙ୍କରା ଦି ରସୋଲ୍ଲାସଂ ବାଣାସ୍ୟ ପରମେଶ୍ୱରମ୍, ଏବଂ ଧ୍ୟାତ୍ୱା ବାଣଲିଙ୍ଗ ଯଜାମି ପରମ ଶିବମ୍।

ଏହି ପୀଠରେ ଦେବୀ ଭଗବତୀଙ୍କ ଚଳନ୍ତି ପ୍ରତିମା ସ୍ତମ୍ଵେଶ୍ଵରୀ କାଠି ଠାକୁରାଣୀ ଶକ୍ତି ସ୍ୱରୂପିଣୀ ଓ ଦେବ ଦେବ ମହାଦେବ ଶିବ ସ୍ଵରୂପ ଚନ୍ଦ୍ରଶେଖରଙ୍କୁ ଏକତ୍ର ପୂଜା କରାଯାଉଥିବାର ପରମ୍ପରା କାହିଁ କେଉଁ ପ୍ରାଚୀନ କାଳରୁ ଚଳି ଆସୁଛି। ଏଣୁ ଏହି ମନ୍ଦିରରେ ପୂଜାର୍ଚ୍ଚନା ଓ ଉପାସନାରେ ଉଭୟ ଶିବ ଓ ଶକ୍ତିର ଆଶୀର୍ବାଦ ମିଳେ ବୋଲି ବିଶ୍ୱାସ ଅଛି।

ଏଠାରେ ବାରମାସରେ ତେର ପର୍ବ ପାଳନ କରାଯାଉଥିବାବେଳେ ଜାଗରଯାତ୍ରା ସବୁଠାରୁ ଅଧିକ ଧୁମ୍ ଧାମରେ ପାଳନ କରାଯାଇଥାଏ। ବାଣଲିଙ୍ଗ ଉପାସନାରେ ମା’ ଭାଗବତୀ ଓ ଶ୍ରୀଦକ୍ଷେଶ୍ଵର ମହାଦେବଙ୍କ ଏକତ୍ର ଆଶୀର୍ବାଦ ଲାଭ କରି ନିଜର ସମସ୍ତ ମାନସିକ ପୂରଣ ନିମନ୍ତେ ଅଗଣିତ ଶ୍ରଦ୍ଧାଳୁ ଏହି ଦିନ ମନ୍ଦିର ବେଢ଼ାରେ ଅତି ନିଷ୍ଠାର ସହିତ ଜାଗର ଦୀପ ଜାଳିବାକୁ ପସନ୍ଦ କରିଥାନ୍ତି। ଏହି ପୀଠରେ ଜାଗାର ଯାତ୍ରା ଏକ ନିଆରା ଢଙ୍ଗରେ ପାଳନ କରାଯାଏ।

ଓଡ଼ିଶାର ସବୁଶୈବ ପୀଠମାନଙ୍କରେ ରାତ୍ରର ପ୍ରଥମ ଓ ଦ୍ଵିତୀୟ ପ୍ରହରରେ ମହାଦୀପ ଉଠୁଥିବା ବେଳେ ମନ୍ଦିରର ପାଞ୍ଜିଗଣକ ରତ୍ନାକର ପଣ୍ଡିତରାୟଙ୍କ ନିର୍ଦ୍ଦେଶ ଅନୁସାରେ ଏଠାରେ ରାତିର ଶେଷ ଚ଼ତୁର୍ଥ ପ୍ରହରରେ ମହାଦୀପ ଉଠୁଥିବାର ପରମ୍ପରା କାହିଁ କେଉଁ କାଳରୁ ଚଳି ଆସିଛି। ପଣ୍ଡିତରାୟ ଓ ତାଙ୍କ ପୁତ୍ର ଜାଗର ଦିନ ସଂଧ୍ୟାରୁ ସାରାରାତି ଉପସ୍ଥିତ ରହି ପାଞ୍ଜି ଅନୁସାରେ ପ୍ରତିପ୍ରହର ଗଣନା କରି ଧୂପ ପାଇଁ ନିର୍ଦ୍ଦେଶ ଦେଲେ ପ୍ରଥମ ଧୂପ ଉଠେ।

ଏହିପରି ପ୍ରହରକୁ ପ୍ରହର ଚାରି ପ୍ରହର ପୂଜାର୍ଚ୍ଚନା ଧୂପନୀତି ବଢିବା ପରେ ଶେଷ ପ୍ରହରରାତ୍ର ଚାରିଘଟିକାରେ ପାଳିଆମାଳି ସେବକ ଗଣେଶ ନାୟକ ମହାଦୀପ ଧରି ମନ୍ଦିରର ଅଁଳାବେଢ଼ା ଉପରେ ରହି ସଂସାରରମଙ୍ଗଳ କାମନା ପୂର୍ବକ ଜାଗର ବ୍ରତ ଧାରୀ ଉପାସକମାନଙ୍କ ସର୍ବମଙ୍ଗଳ କାମନା କରି ବ୍ରତ ଉପାସ ଶେଷ କରନ୍ତି। ତ୍ରୟୋଦଶ ଶତାବ୍ଦୀର ମଧ୍ୟ ଭାଗରେ ଉତ୍କଳର ଗଂଗ ବଂଶୀୟ ରାଜାମାନଙ୍କଦ୍ୱାରା ନିର୍ମିତ ଶିଳ୍ପ କାରୁକଳାରେ ପରିପୂର୍ଣ୍ଣ ଏହି ମନ୍ଦିରର ରକ୍ଷଣା ବେକ୍ଷଣ ଦାୟିତ୍ୱବର୍ତ୍ତମାନ କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗ ହାତରେ ରହିଥିବା ବେଳେ ଦେବା ଦେବୀଙ୍କ ଦୈନନ୍ଦିନ ପୂଜା ବିଧି, ନୀତିକାନ୍ତି, ଭୋଗରାଗ’ ଓ ପର୍ବପର୍ବାଣୀ ‘ଜାନିଯାତ୍ରାର ସମସ୍ତ ଦାୟିତ୍ୱ ଦେବୋତ୍ତର ବିଭାଗ ସଂପାଦନ କରୁଥିବା କଥା ଦେବୋତ୍ତର କାର୍ଯ୍ୟାଳୟର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ ପ୍ରକାଶ କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ବାଣପୁରରେ ଅଘୋଷିତ ବିଦ୍ୟୁତ କାଟ ପାଇଁ ଘୋର ବିରୋଧ: ବିଦ୍ୟୁତ କର୍ମରଚାରୀଙ୍କୁ ଅଟକ ରଖିଲେ ଗ୍ରାହକ

ବାଣପୁର: ବାଣପୁର ବ୍ଲକର ଦୁଇ ଆଦିବାସୀ ଅଧ୍ୟୁଷିତ ପାଞ୍ଚାୟତ ନୀଳାଦ୍ରିପ୍ରସାଦ ଓ ଦାମିଆ ବରବରାରେ ଅନେକ ଦିନ ହେବ ସନ୍ଧ୍ୟା ୬ ଟା ସମୟରୁ ସକାଳ ୬ ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟକୁ ନେଇ ଦୁଇ ପାଞ୍ଚାୟତର ଅଧିବାସୀ ମାନେ ଆଜି ବିଦ୍ୟୁତ ବିଭାଗର କର୍ମଚାରୀ ଓ ଗାଡିକୁ ନୀଳାଦ୍ରିପ୍ରସାଦ ଠାରେ ଅଟକ ରଖିଛନ୍ତି। ପ୍ରକାଶ ଥାଉ କି ଅନେକ ଦିନ ହେବ ଏହି ଦୁଇ ପାଞ୍ଚାୟତ ବିଦ୍ୟୁତ ସମସ୍ୟା ଭୋଗୁଥିବାର  ବିଭାଗୀୟ ଯନ୍ତ୍ରୀଙ୍କୁ ଅଭିଯୋଗ କରି ଆସୁଥିଲେ ମଧ୍ୟ କେହି ଶୁଣୁନଥିବାରୁ ଆଜି ବିଦ୍ୟୁତ ବିଭାଗୀୟ ଯନ୍ତ୍ରୀ ସମେତ କର୍ମଚାରୀ ମାନଙ୍କୁ ଅଟକ ରାଖି ନିଜର ସମସ୍ୟା ବିଷୟରେ ପ୍ରତିବାଦ କରିଛନ୍ତି।

ଉପସ୍ଥିତ ଯନ୍ତ୍ରୀଙ୍କୁ ପଚାରିବାରୁ ସେ କହିଛନ୍ତି କି ଏ ଅଞ୍ଚଳରେ ଅନେକ ଦିନ ହେବ ହାତୀ ଯାତାୟାତ କରୁଛନ୍ତି ଏଣୁ ଜଙ୍ଗଲ ବିଭାଗ ଓ ବିଦ୍ୟୁତ ବିଭାଗର ଏକ ବୈଠକରେ ଜଙ୍ଗଲ ବିଭାଗ ବିଦ୍ୟୁତ ବିଭାଗକୁ ନିର୍ଦ୍ଧେଶ ଦେଇଛନ୍ତି ଯେ, ସବୁଦିନ ସନ୍ଧ୍ୟା ସମୟରେ ବିଦ୍ୟୁତ କାଟି ସକାଳେ ଚାଲୁ ରଖିବା ପାଇଁ। ଏ ନେଇ ଲୋକ ମାନଙ୍କ ପ୍ରତିକ୍ରିୟା ନେବାରୁ ସେମାନେ କହିଲେ କି ଏବେ ଦଶମ ଓ ଯୁକ୍ତ ୨ ର ବୋର୍ଡ ପରୀକ୍ଷା ଚାଲୁ ଅଛି ଓ ଖରାଦିନ ଥିବାରୁ ଅସହ୍ୟ ଗରମ ହେଉଛି। ଏହା ସହ ମଶା ଯୋଗୁଁ ସାରା ରାତି ଶୋଇହେଉନି।

ବିଦ୍ୟୁତ ବିଭାଗ ଏହି ବିଷୟରେ ଆମକୁ ଅବଗତ କରୁ ନାହାନ୍ତି। ଏଣୁ ଆମେ ଅଟକ ରଖି ସମସ୍ୟାର ପ୍ରକୃତ କାରଣ କ’ଣ ଜାଣିବା ସହିତ ସବୁଦିନ ବିଦ୍ୟୁତ କିପରି ରହିବ ତାହାର ସମାଧାନ କରନ୍ତୁ ଏହା ଆମର ଦାବି।