Categories
ଆଜିର ଖବର ଆଞ୍ଚଳିକ

ବାଲୁଗାଁ-ବାଣପୁରରେ ଦିନକରେ ଏକ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ତଣ୍ଡ ଗଣିଲେ ଅମାନିଆ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏବଂ ବାଣପୁର ସହରରେ ଆଜି ତହସିଲ, ଏନଏସି ଏବଂ ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଜିଲ୍ଲାପାଳଙ୍କ ଗସ୍ତ ପରେ ଆହୁରି ଆକ୍ଟିଭ ହୋଇଯାଇଛି ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ। ଉଭୟ ତହସିଲ ଅଞ୍ଚଳରେ ‘ଜିରୋ’ କୋଭିଡ଼ ଲକ୍ଷ୍ୟକୁ ନେଇ ଗତକାଲିଠାରୁ କାମ ଆରମ୍ଭ ହୋଇଯାଇଛି।

ବାଲୁଗାଁ ଏବଂ ବାଣପୁର ସହରରେ କୋଭିଡ ସ୍ଥିତି ଜଟିଳ ଥିବାବେଳେ ଆଜି ଉଭୟ ସହରରୁ ମାତ୍ର ୪ ଜଣ ନୂତନ ପଜିଟିଭ ଚି଼ହ୍ନଟ ହୋଇଛନ୍ତି ଯାହା ପ୍ରଶାସନର ମନୋବଳକୁ ଆହୁରି ବଢ଼ାଇଦେଇଛି। ଉଭୟ ତହସିଲଦାର ଆଜି ସହରରେ କଡା କୋଭିଡ ଏନ୍ଫୋର୍ସମେଣ୍ଟ କରୁଥିବାର ଦେଖାଯାଇଥିଲା।

ତେବେ ଚିଲିକା ତହସିଲ ପକ୍ଷରୁ ବାଲୁଗାଁରୁ ୫ ହଜାର ଟଙ୍କା ଏବଂ ବାଣପୁର ତହସିଲ ଦ୍ୱାରା ବାଣପୁରରୁ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ମିଳିଛି। ସେହିପରି ଭାବେ ବାଣପୁର ଏବଂ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରି ମଧ୍ୟ ଆଜି ଉଭୟ ସହରରେ ଏନ୍ଫୋର୍ସମେଣ୍ଟ କରୁଥିବାର ଦେଖାଯାଇଥିଲା। ଏନଏସି ଦ୍ୱାରା ବାଲୁଗାଁ ସହରରୁ ୨ ହଜାର ଟଙ୍କା ଏବଂ ବାଣପୁର ସହରରୁ ୨ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।

ଅନୁରୂପ ଭାବେ ବାଲୁଗାଁ ପୋଲିସ ପକ୍ଷରୁ କୋଭିଡ ଏନ୍ଫୋର୍ସମେଣ୍ଟ ବାବଦକୁ ୧୦ ହଜାର ୨ ଶହ ଟଙ୍କା ଏବଂ ଅମାନିଆ ଗାଡିଚାଳକଙ୍କ ଠାରୁ ୪୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାବେଳେ ବାଣପୁର ପୋଲିସ ପକ୍ଷରୁ କୋଭିଡ଼ ଏନ୍ଫୋର୍ସମେଣ୍ଟ ବାବଦକୁ ୭ ହଜାର ୨ ଶହ ଟଙ୍କା ଏବଂ ଅମାନିଆ ଗାଡିଚାଳକଙ୍କ ଠାରୁ ୫୩ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ଉଭୟ ଆଇଆଇସି।

Categories
ଆଜିର ଖବର ଆଞ୍ଚଳିକ ସ୍ବାସ୍ଥ୍ୟ

ଚିଲିକାରେ ଟୀକାକରଣ: ଜାଣନ୍ତୁ କେବେ, କେଉଁଠି ଏବଂ କେତେଜଣଙ୍କୁ ଦିଆଯିବ ଟୀକା

ସୀତାରାମ ଅଗ୍ରୱାଲ

ଚିଲିକା: କିଛିଦିନର ବ୍ୟବଧାନପରେ ପୁଣି ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଚିଲିକା ନିର୍ବାଚନମଣ୍ଡଳୀରେ ଟୀକାକରଣ। ତେବେ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନେ କେବଳ ପ୍ରଥମ ଡୋଜ ଟୀକା ନେବେ। ଏ ନେଇ ଉଭୟ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି।

ଆସନ୍ତୁ ଜାଣିବା କେବେ, କେଉଁଠି ଏବଂ କେତେଜଣଙ୍କୁ ଟୀକା ଦିଆଯିବ:

ଆସନ୍ତା ସୋମବାର (ମଇ ୨୪) ଏବଂ ମଙ୍ଗଳବାର (ମଇ ୨୫) ରେ ସକାଳ ୬ ଘଟିକାରୁ ବାଣପୁର ମାଇନର ସ୍କୁଲ, ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର, ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସୁନାଖଳା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଜଣ ନାଗରିକମାନଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ।

ଅନୁରୂପ ଭାବେ ଗୁରୁବାର(ମଇ ୨୭) ଏବଂ ଶୁକ୍ରବାର (ମଇ ୨୮) ରେ କେବଳ ବାଣପୁର ମାଇନର ସ୍କୁଲ ରେ ୧୦୦ ଜଣଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ।

ସେହିପରି ଆସନ୍ତାକାଲି ସୋମବାର (୨୪ ମଇ) ଜରିପଡ଼ା ଏବଂ ନଈରୀ ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଜଣଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ବାଲୁଗାଁରେ ଟୀକାକାରଣ ବନ୍ଦ ରହିବ।

ଉଲ୍ଲେଖଯୋଗ୍ୟ ଯେ, ବାଣପୁରରେ ଆସନ୍ତା ସପ୍ତାହ ପାଇଁ ଆଗୁଆ ଟୀକାକରଣ ସୂଚୀ ଜାରି ହୋଇଥିବା ବେଳେ ବାଲୁଗାଁରେ କେବଳ ଆସନ୍ତାକାଲି ପାଇଁ ତଥ୍ୟ ମିଳିଛି। ସାମ୍ଭାବ୍ୟ ବାତ୍ୟା ଯୋଗୁଁ ବାଲୁଗାଁ ଉଚ୍ଚବିଦ୍ୟାଳୟକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଉଛି। ତେଣୁ ସେଠାରେ ଟୀକାକରଣ ବନ୍ଦ ରହିବ। ଏବଂ ଆଗାମୀ ଟୀକାକରଣର ସବିଶେଷ ତଥ୍ୟ ପରେ ଜାରି କରାଯିବ ବୋଲି ବାଲୁଗାଁ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ସଟଡ଼ାଉନରେ ଦୋକାନ ଖୋଲିବା ପଡିଲା ମହଙ୍ଗା: ବାଣପୁରରେ ୭ଦିନ ପାଇଁ ସିଲ୍ ହେଲା ୨ଟି ଦୋକାନ

ସୀତାରାମ ଅଗ୍ରୱାଲ

ବାଣପୁର: ସପ୍ତାହନ୍ତ ସଟଡ଼ାଉନ ସମୟରେ ଦୋକାନ ଖୋଲିବା ମହଙ୍ଗା ପଡିଛି। ସ୍ଥାନୀୟ ପ୍ରଶାସନ ଏନେଇ ଦୁଇଟି ଦୋକାନକୁ ସିଲ୍ କରିଛି। ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଞ୍ଚଳରେ ଏଭଳି ଘଟଣା ଘଟିଯାଇଛି।

ଗତକାଲି ସନ୍ଧ୍ୟାସମୟରେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ସହରର ବିଭିନ୍ନ ଅଞ୍ଚଳ ପଇଁତରା ମାରୁଥିବାବେଳେ ପଲଟନ ପଡିଆ ଛକ ନିକଟରେ ଏକ ଦୋକାନ ଖୋଲା ଥିବା ଦେଖିବାକୁ ପାଇଥିଲେ। ତେବେ ଏହା ଦେଖି ଶ୍ରୀ ମହାନ୍ତି ସମ୍ପୃକ୍ତ ଦୋକାନୀଙ୍କୁ ଜରିମାନା ଦେବାପାଇଁ କହିବାରୁ ଜନୈକ ଦୋକାନୀ ଏହାକୁ ବିରୋଧ କରିବା ସହ ପ୍ରଶାସନକୁ ଅବମାନନା କରିଥିବାର ଅଭିଯୋଗ ହୋଇଛି।

ଅନୁରୂପ ଭାବେ ଆଜି ସପ୍ତାହନ୍ତ ସଟ ଡ଼ାଉନ ଥିବାରୁ ମେଡ଼ିସିନକୁ ଛାଡିଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିବା କଥା। କିନ୍ତୁ ଆଜି ପୁଣି ସମ୍ପୃକ୍ତ ଅଞ୍ଚଳର ଆଉ ଗୋଟେ ଦୋକାନ ଖୋଲାଥିବାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେଖିବାକୁ ପାଇଥିଲେ। ତେବେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ବାଣପୁର ପୋଲିସର ଉପସ୍ଥିତିରେ ଆଜିଠାରୁ ୭ ଦିନ ପର୍ଯ୍ୟନ୍ତ ସମ୍ପୃକ୍ତ ଦୁଇ ଗୋଟି ଦୋକାନକୁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀସିଲ୍ କରିଛନ୍ତି।

ବାଣପୁରରେ କରୋନା ଗ୍ରାଫ ବଢୁଥିବାବେଳେ ଅମାନିଆଙ୍କ ଲାଗି ଏହା ଘାତକ ସାବ୍ୟସ୍ତ ହେଉଛି। ଅନେକ ଦୋକାନୀ କୋଭିଡ ଗାଇଡଲାଇନକୁ ଅବମାନନା କରି ଦୋକାନ ଖୋଲୁଥିବାର ଅଭିଯୋଗ ହେଉଛି।

ତେବେ ଆସନ୍ତା ସୋମବାରଠାରୁ ଯେଉଁ ଦୋକାନୀମାନେ ଗାଇଡ଼ଲାଇନ ଅବମାନନା କରିବେ, ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର: କରୋନା କଟକଣା ସତ୍ତ୍ୱେ ସଂଗ୍ରହ ହେଲା ୪୩ ୟୁନିଟ୍

ସୀତାରାମ ଅଗ୍ରୱାଲ
ବାଣପୁର: ରାଜ୍ୟରେ କରୋନା ମହାମାରୀ ସମୟରେ ରକ୍ତର ଅଭାବ ପରିଲିକ୍ଷିତ ହେଉଛି। ରକ୍ତର ଅଭାବ ଯୋଗୁଁ ବିଭିନ୍ନ ରୋଗରେ ପୀଡିତ ଥିବା ଅନେକ ଲୋକଙ୍କ ଜୀବନ ଚାଲିଯାଉଛି। ଲକଡାଉନ ସମୟରେ ଲୋକେ ଘରେ ରହୁଥିବା ବେଳେ ରୋଗୀଙ୍କ ପାଇଁ ରକ୍ତର ବହୁତ ଆବଶ୍ୟକତା ପଡୁଛି। ତେବେ ଏଭଳି କଟକଣା ସମୟରେ ନିଜ ଜୀବନକୁ ବାଜି ଲଗାଇ ରକ୍ତଦାନ କରୁଥିବା ବ୍ୟକ୍ତି ବହୁତ କମ ଦେଖିବାକୁ ମିଳନ୍ତି।

ତେଣୁ ଏହାକୁ ଲକ୍ଷ୍ୟ କରି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ କିଛି ସଂଗଠନ ରକ୍ତ ଦାନ ଶିବିର କରି ଚର୍ଚ୍ଚାକୁ ଆସିଛନ୍ତି। ସ୍ଵାମୀ ବିବେକାନନ୍ଦ ସେବା ସଂଘ, ବାଣପୁର, ‘ଦି ବ୍ଲଡ଼ ଡୋନର୍ସ ଓଡିଶା’ ଏବଂ ବଜରଙ୍ଗ ଦଳ, ଚିଲିକା ପ୍ରଖଣ୍ଡ ପକ୍ଷରୁ ଏକ ରକ୍ତଦାନ ଶିବିର ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଆଜି ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ନିୟମ ଉକ୍ତ ଶିବିର ପାଇଁ ଚ୍ୟାଲେଞ୍ଜ ଥିଲେ ମଧ୍ୟ ଏହି ରକ୍ତଦାନ ଶିବିରକୁ ସଫଳ କରିବା ପାଇଁ ବହୁ ସଂଗଠନ ସହଯୋଗର ହାତ ବଢେଇଥିଲେ।

ସର୍ବପ୍ରଥମେ ମା’ ଶୂଳିଆ ଦେବୀ ସେବକ ସଂଘ, ବୋରିଗାଁର ସଦସ୍ୟ ମାନେ ରକ୍ତଦାନ ଶିବିର କେନ୍ଦ୍ରକୁ ସଫା କରିବା ସହ ସାଜଶଯ୍ୟା କରିଥିଲେ। ପରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ବାଣପୁର-ବାଲୁଗାଁ) ଶାଖା ଦ୍ଵାରା ରକ୍ତଦାନ ଶିବିର କେନ୍ଦ୍ରକୁ ଭଲ ଭାବେ ବିଶୋଧନ କରାଯାଇଥିଲା।

ଏହା ପରେ ସ୍ଵାମୀ ବିବେକାନନ୍ଦ ସେବା ସଂଘ ଏବଂ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାମାନେ ରକ୍ତଦାନ ଶିବିରରେ ଉପସ୍ଥିତ ରହି ସାମାଜିକ ଦୁରତ୍ଵକୁ ଧ୍ୟାନ ଦେବା ସହ କ୍ରମାଗତ ସାନିଟାଇଜ ମଧ୍ୟ କରୁଥିଲେ। ସଂକ୍ରମଣକୁ ରୋକିବା ପାଇଁ ବାରମ୍ବାର ଶଯ୍ୟାକୁ ସାନିଟାଇଜ କରାଯାଉଥିଲା। ଏଥିରେ ‘ଦି ବ୍ଲଡ଼ ଡୋନର୍ସ ଓଡିଶା’ ର ସଦସ୍ୟମାନେ ଧ୍ୟାନପୂର୍ବକ ରକ୍ତ ସଂଗ୍ରହ କରିବା ପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କୁ ସହଯୋଗ କରିଥିଲେ।

ତେବେ ଏହି ଶିବିର ପାଇଁ ଅଧିକ ଦାତା ସ୍ଵେଚ୍ଚାକୃତ ଭାବେ ରକ୍ତ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ମଧ୍ୟ ନିୟମ ମୁତାବକ ନିର୍ଦ୍ଦିଷ୍ଟ ସଂଖ୍ୟକ ୟୁନିଟ ରକ୍ତ ସଂଗ୍ରହ ପାଇଁ ନିର୍ଦ୍ଦେଶ ରହିଥିଲା। ଫଳରେ କିଛି ରକ୍ତ ଦାତା ନିରାଶ ହୋଇ ଫେରିଯାଇଥିବା ଦେଖିବାକୁ ମିଳିଥିଲା। ଉକ୍ତ ରକ୍ତଦାନ ଶିବିରରେ ମୋଟ ୪୩ ଟି ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା।

Categories
ଆଜିର ଖବର ଆଞ୍ଚଳିକ

ଚିଲିକାର ଏହିସବୁ ଅଞ୍ଚଳକୁ ସାତ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ଉପଜିଲ୍ଲାପାଳ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କୋଭିଡ ସଂକ୍ରମଣ ବର୍ତ୍ତମାନ ଶୀର୍ଷରେ ଅଛି। ପ୍ରତିଦିନ ବାଣପୁର, ବାଲୁଗାଁ ଏବଂ ଚିଲିକାରୁ ଏକାଧିକ ପଜିଟିଭ ଚି଼ହ୍ନଟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଚିହ୍ନଟ ହୋଇଥିବା ଅଞ୍ଚଳଗୁଡିକୁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

ବାଲୁଗାଁ ଏନଏସି:

ୱାର୍ଡ ନମ୍ବର ୧ ଅଶୋକ ନଗରର ରବୀନ୍ଦ୍ର ସେଠିଙ୍କ ଘରଠାରୁ ନୀଳମଣି ସାହୁଙ୍କ ଘର ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ବାଣପୁର ବ୍ଲକ:

ଗାଲୁଆ ପଞ୍ଚାୟତ ଅନ୍ତର୍ଗତ ଭୀମପୁର ଗ୍ରାମର ଗୋଡିପଦର ସାହି ଖଲି ବାରିକଙ୍କ ଘର ଠାରୁ ଲକ୍ଷ୍ମୀନାରାୟଣ ସାହୁଙ୍କ ଘର ପର୍ଯ୍ୟନ୍ତ (ମୋଟ ୭୬ ଟି ଘର) କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

କୁଲେଇ ପଞ୍ଚାୟତ ଆନ୍ତର୍ଗତ ମାନସିଂହପୁର ଗ୍ରାମର ଜ୍ଞାନ ସାହୁଙ୍କ ଘରଠାରୁ ସୁବାସ ଦଳାଇଙ୍କ ଘର ପର୍ଯ୍ୟନ୍ତ( ମୋଟ ୭୫ଟି ଘର) କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି।

ଉକ୍ତ ସବୁ ଅଞ୍ଚଳରେ ଆଜି ସଂଧ୍ୟା ୭ ଘଟିକାରୁ ୨୦ ମଇ ରାତି ୯ ଘଟିକା ଯାଏଁ କଟକଣା  ବଳବତ୍ତର ରହିବ।

Categories
ଆଜିର ଖବର ଆଞ୍ଚଳିକ

ବାଣପୁରରେ ଅମାନିଆଙ୍କୁ ଆଉ ନିସ୍ତାର ନାହିଁ: ବିନା କାରଣରେ ବୁଲିଲେ ଜବତ ହେବ ଗାଡି

ସୀତାରାମ ଅଗ୍ରୱାଲ

ବାଣପୁର: ବର୍ତ୍ତମାନ ଓଡ଼ିଶାରେ କରୋନା ତାର କାୟାବିସ୍ତାର ଜାରି ରଖିଥିବାବେଳେ ଖୋର୍ଦ୍ଧାରେ ଏହା ଡେଣା ମେଳାଇବାରେ ଲାଗିଛି। ଆଜି ଖୋର୍ଦ୍ଧାରୁ ରେକର୍ଡ଼ ୨ ହଜାର ୨୦୧ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହି ହିସାବରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ମଧ୍ୟ କୋଭିଡ ପଜିଟିଭ ହାର ବଢ଼ିବାରେ ଲାଗିଛି।

ତେବେ କେତକ ଅମାନିଆଙ୍କ ଲାଗି ବାଣପୁର ପରିସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ଦିନତମାମ ଏନ୍ଫୋର୍ସମେଣ୍ଟ ଜାରି ରଖିଥିବା ସତ୍ତ୍ୱେ ଅମାନିଆ ମାନେ ଗାଡିମୋଟର ଦ୍ୱାରା ଗଳା ବାଟ ଦେଇ ବଜାରକୁ ଅବାଧରେ ୟାତାୟାତ କରୁଛନ୍ତି। ଯାହାଫଳରେ ରାଜ୍ୟ ସରକାରଙ୍କ ସଂକ୍ରମଣକୁ ରୋକିବା ପ୍ରୟାସରେ ସେମାନେ ବାଧା ସୃଷ୍ଟି କରୁଛନ୍ତି।

ଏହାକୁ ଗୁରୁତର ସହ ନେଇ ଆଜି ପୂର୍ବାହ୍ନରେ ବାଣପୁରରେ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନକୁ ଉଦବେଗ ପ୍ରକାଶ କରିଛି। ଏଭଳି ଅମାନିଆଙ୍କ ଉପରେ ନଜର ରଖିବା ସହ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଶାସନ ଅଣ୍ଟା ଭିଡିଛି। ତହସିଲଦାର ମନ୍ମଥ ବେହରା ଏବଂ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ସହରର ବ୍ୟସ୍ତବହୁଳ ଅଞ୍ଚଳ ପଲଟନ ପଡିଆରେ ହୋଇଥିଲା କଡ଼ା କୋଭିଡ଼ ଏନ୍ଫୋର୍ସମେଣ୍ଟ।

ଖୋଦ ଏସଡ଼ିପିଓ ବଜାରରେ ବୁଲୁଥୁବା ଲୋକଙ୍କ ପରିଚୟ ପତ୍ର ଦେଖିବା ସହ ବିନା କାରଣରେ ବୁଲୁଥିବା ଅମାନିଆଙ୍କ ଗାଡି ଜବତ କରିଥିଲେ। ତତସହିତ ମାସ୍କ, ସାମାଜିକ ଦୂରତ୍ୱ ଏବଂ ହେଲମେଟ ଚେକିଂ ମଧ୍ୟ ଜୋରଦାର ହୋଇଥିଲା। ତେବେ ଦୀର୍ଘ ଦୁଇ ଘଣ୍ଟା ଧରି ଉକ୍ତ ଏନ୍ଫୋର୍ସମେଣ୍ଟ ଜାରିରହିଥିବାବେଳେ ଆଜି ସର୍ବମୋଟ ୧୦ ଗୋଟି ଗାଡି ବାଣପୁର ପୋଲିସ ଦ୍ୱାରା ଜବତ ହେବା ସହ ପୋଲିସ, ତହସିଲ ଏବଂ ଏନଏସି ପ୍ରଶାସନଦ୍ୱାରା ୨୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା। ବାଣପୁର ଅତିରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ, ଆଇଆଇସି ସଞ୍ଜୟ ପଟ୍ଟନାୟକ ଏବଂ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ମଧ୍ୟ ଉକ୍ତ ଏନ୍ଫୋରଫସମେଣ୍ଟ ରେ ସାମିଲ ଥିଲେ।

ତେବେ ବିନା କାରଣରେ ଯେଉଁ ମାନେ ଗାଡି ଧରି ବଜାରକୁ ଆସିବେ ସେମାନଙ୍କ ଗାଡି ଆସନ୍ତାକାଲି ଠାରୁ ଜବତ କରାଯିବ ବୋଲି ବାଣପୁର ଆଇଆଇସି ସୂଚନା ଦେଇଛନ୍ତି। ତତସହିତ ଲକଡ଼ାଉନ ସମୟରେ ସରକାରଙ୍କ ଅନୁମତି ଥିବା ଦୋକାନୀମାନେ କେବଳ ନିଜ ଦୋକାନ ଖୋଲିବେ ଏବଂ ଯଦି କେହି ନିୟମକୁ ନମାନି ଦୋକାନ ଖୋଲିବେ ତେବେ ସେମାନଙ୍କ ଦୋକାନ ସିଲ କରାଯିବ ବୋଲି ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ପୋଲିସ ଏବଂ ପ୍ରଶାସନର ଆଜିର ମିଳିତ କାର୍ଯ୍ୟାନୁଷ୍ଠାନରେ ଅମାନିଆ ମାନେ ଛାନିଆ ହୋଇଥିବାବେଳେ ବୁଦ୍ଧିଜୀବୀ ମାନେ ଉକ୍ତ କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର ଅଗ୍ନିଶମ କାର୍ଯ୍ୟାଳୟ ହେଲା ବନ୍ଦ: ଟୀକା ନେବା ପରେ ମଧ୍ୟ ଦୁଇ କର୍ମଚାରୀ ପଜିଟିଭ ଚି଼ହ୍ନଟ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଅଗ୍ନିଶମ ବିଭାଗର ଦୁଇ ଜଣ କର୍ମଚାରୀ ଗତକାଲି କୋଭିଡ଼ ପଜିଟିଭ ଚି଼ହ୍ନଟ ହୋଇଛନ୍ତି। କିନ୍ତୁ ଚିନ୍ତାର ବିଷୟ ଏହା ଯେ, ସମ୍ପୃକ୍ତ ଦୁଇ କୋଭିଡ ଯୋଦ୍ଧା ଦ୍ଵିତୀୟ ଡୋଜ ଟୀକା ନେବା ପରେ ମଧ୍ୟ ସଂକ୍ରମିତ ହୋଇଛନ୍ତି। ତନ୍ମଧ୍ୟରୁ ଜଣେ କୋଭିଡ ଯୋଦ୍ଧାଙ୍କ ଅବସ୍ଥା ଗୁରୁତର ଅଛି।

ତେବେ ଅଗ୍ନିଶମ ବିଭାଗର ସମସ୍ତ ଏବଂ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ସମୁଦାୟ ୧୩ ଜଣ ବ୍ୟକ୍ତି ସେମାନଙ୍କ ସଂସ୍ପର୍ଶରେ ଆସିଥିବା କଣ୍ଟାକ୍ଟ ଟ୍ରେସିଂରୁ ଜଣାପଡିଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ କୋଭିଡ଼ ଟେଷ୍ଟ ହେବ। ବର୍ତ୍ତମାନ ଟେଷ୍ଟ ରିପୋର୍ଟ ନଆସିବା ପର୍ଯ୍ୟନ୍ତ ଅଗ୍ନିଶମ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲା ସହକାରୀ ଅଗ୍ନିଶମ ଅଧିକାରୀ ମନୋରଞ୍ଜନ ରାଉତ ଏନେଇ ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ତେବେ ବାଣପୁରରେ କୋଭିଡ ସମୟରେ ନିଜ ଜୀବନକୁ ବିପଦରେ ଠେଲି ସବୁଠୁ ଅଧିକ ପରିଶ୍ରମ କରୁଥିବା ସମ୍ପୃକ୍ତ ପଜିଟିଭ ଅଗ୍ନିଶମ କର୍ମଚାରୀମାନଙ୍କୁ ତୁରନ୍ତ ଉନ୍ନତ ଚିକିତ୍ସା ଯୋଗାଇବାକୁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ଲକ ଡ଼ାଉନ ସମୟରେ ବାଣପୁର ଏବିଭିପି ଦ୍ୱାରା ଆରମ୍ଭ ହେଲା ସେବା କାର୍ଯ୍ୟ

ସୀତାରାମ ଅଗ୍ରୱାଲ
ବାଣପୁର: କରୋନାର ଦ୍ଵିତୀୟ ଲହର ଏବେ ସାରା ଦେଶରେ ଶିଖରରେ ପହଁଚିଛି। ମହାମାରୀ ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ପ୍ରତ୍ୟେକ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି।

ତେବେ କରୋନା ମୁବାବିଲା ପାଇଁ ସ୍ୱଚ୍ଛତାକୁ ଅସ୍ତ୍ର କରି ଆଗେଇ ଆସିଛି ଛାତ୍ର ସଂଗଠନ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି)। ଏବିଭିପି ବାଣପୁର-ବାଲୁଗାଁ ନଗର ଶାଖା ତରଫରୁ ବିକାଶ କୁମାର ସେଠିଙ୍କ ନେତୃତ୍ୱରେ ବାଣପୁର ଓ ନାଚୁଣୀ ଅଞ୍ଚଳର ସର୍ବ ସାଧାରଣସ୍ଥାନ ଗୁଡିକ ଆଜି ମଧ୍ୟାହ୍ନରେ ଏ.ବି.ଭି.ପି କାର୍ଯ୍ୟକର୍ତ୍ତାମାନେ ମାସ୍କ, ପିପିକିଟ୍ ପିନ୍ଧି ବିଶୋଧିତ କରିଛନ୍ତି। ନାଚୁଣୀ ଫାଣ୍ଡି ସମେତ ଉଭୟ ବ୍ୟାଙ୍କ୍‌, ଏଟିଏମ୍‌ ପଏଣ୍ଟ, ରାସ୍ତାଘାଟକୁ ସ୍ପ୍ରେ ମେସିନ ସହାୟତାରେ କାର୍ଯ୍ୟକର୍ତ୍ତାମାନେ ବିଶୋଧକ ସିଞ୍ଚନ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମରେ ଏବିଭିପି ନାଚୁଣୀ କ୍ୟାମ୍ପସ ୟୁନିଟ୍ ସଭାପତି ବିପ୍ଳବ ଗୁରୁ, ଆଶାତୀତ ସାହୁ, ପି.ବି.ବି କ୍ୟାମ୍ପସ ୟୁନିଟ୍ ସଭାପତି ସିଦ୍ଧାର୍ଥ ବାରିକ ଓ ରାଜେଶ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଲକ ଡ଼ାଉନ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ବାଣପୁର ଏବଂ ଚିଲିକାର ସମସ୍ତ ଗ୍ରାମମାନଙ୍କରେ ଜାରି ରହିବ ବୋଲି ସଙ୍ଗଠନ ପକ୍ଷରୁ ସୂଚନା ଦିଆଯାଇଛି।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ବାଣପୁର: ବନ୍ଧୁକ ଦେଖାଇ ସ୍ପଷ୍ଟ ଦିବାଲୋକରେ ୬ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ

ସୀତାରାମ ଅଗ୍ରୱାଲ

ବାଣପୁର: ଲକ ଡ଼ାଉନରେ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଦୁର୍ବୁତ୍ତ ଲୁଟିନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶକ୍ତି ସିନେମା ହଲ ନିକଟରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି।

ଅଭିଯୋଗ ମୁତାବକ ଟାଟା ପାୱାର ଅଧିନସ୍ଥ ବାଣପୁର-୧ ବିଭାଗର ସୁପରଭାଇଜର ସଂଜିତ ପ୍ରଧାନ ଆଜି ମଧ୍ୟାହ୍ନରେ ଘରୁ ନିଜ ବାଇକ ଯୋଗେ ବିଦ୍ୟୁତ ବିଲ ସଂଗ୍ରହ ପଇସା ଜମା କରିବା ପାଇଁ ବାଲୁଗାଁ ଷ୍ଟେଟ ବ୍ୟାଙ୍କ ଯାଉଥିଲେ।

ତେବେ ଶକ୍ତି ହଲ ନିକଟସ୍ଥ ହମ୍ପସ ଠାରେ ପଲସର ଗାଡ଼ିରେ ହଠାତ ଦୁଇ ଜଣ ଦୁର୍ବୁତ୍ତ ଆସି ତାଙ୍କ ଗାଡିକୁ ଅଟକାଇବା ସହ ବାଇକ ଚାବି ଏବଂ ମୋବାଇଲ ଭିଡି ଫୋପାଡ଼ିଦେଇଥିଲେ।  ପରବର୍ତ୍ତୀ ସମୟରେ ସଂଜିତଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ପଇସା ବ୍ୟାଗ ମାଗିଥିଲେ।  ନଦେଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।

ସଂଜିତ ଏଥିରେ ଭୟଭୀତ ହୋଇ ଦୁର୍ବୁତ୍ତ ମାନଙ୍କୁ ବ୍ୟାଗ ଦେଇଦେଇଥିଲେ। ବ୍ୟାଗ ମଧ୍ୟରୁ ଦୁର୍ବୁତ୍ତମାନେ ୬ ଲକ୍ଷ ୧୬ ହଜାର ୭୮୦ ଟଙ୍କା ଲୁଟିନେଇ ବାଣପୁର ଅଭିମୁଖେ ଫେରାର ହୋଇଯାଇଛନ୍ତି। ତେବେ ଏ ନେଇ ସଂଜିତ ବାଣପୁର ଥାନାକୁ ଜଣାଇବାରୁ ବାଣପୁର ପୋଲିସ ବର୍ତ୍ତମାନ ଘଟଣାର ଛାନଭିନ ଆରମ୍ଭ କରିଦେଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର ସ୍ବାସ୍ଥ୍ୟ

ବାଣପୁରରେ ଜନ୍ମିତ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକଙ୍କ ବିୟୋଗରେ ଶୋକସଭା: କରୋନାରେ ଥିଲେ ସଂକ୍ରମିତ

ସମ୍ବଲପୁର: ସମ୍ବଲପୁର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲର ରାଜ୍ୟପାଳ ପୁରସ୍କୃତ ଶିକ୍ଷକ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ବୁର୍ଲା କୋଭିଡ଼ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ଛାତ୍ରବତ୍ସଳ ଶିକ୍ଷକ ସ୍ଵର୍ଗତ ବାଙ୍କନିଧି ୯୩ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇ ବୁର୍ଲା କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ୧ ତାରିଖରେ ପୂର୍ବାହ୍ନ ପାଖାପାଖି ୯ ଟା ବେଳେ ତାଙ୍କର ଦେହାନ୍ତ ହୋଇଥିଲା। ସ୍ଵର୍ଗତ ବାଙ୍କନିଧିଙ୍କ ବିୟୋଗରେ ଜିଲ୍ଲାର ଶିକ୍ଷକ ଏବଂ ଛାତ୍ରମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ଯୋଗଜନ୍ମା ଦିଂବଗତ ଶିକ୍ଷକଙ୍କ ବିୟୋଗରେ ଏକ ଶୋକ ସଭାଆୟୋଜନ କରଯାଇଥିଲା। ପୁରାତନ ଶିକ୍ଷକ ଧରଣୀଧର ପ୍ରଧାନଙ୍କ ସଭାପତିତ୍ଵରେ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ଵନା ଜଣାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ବେତୁଲି ଗ୍ରାମରେ ଯଶସ୍ଵୀ ଶିକ୍ଷକ ବାଙ୍କନିଧିଙ୍କ ଜନ୍ମ ହୋଇଥିଲା। ସେ ୧୯୫୨ ମସିହାରେ ଜିଲ୍ଲା ସ୍କୁଲରେ ଶିକ୍ଷକତା ଆରମ୍ଭ କରି ୧୯୯୧ ମସିହାରେ ଅବସର ଗ୍ରହଣ କରିଥିଲେ। ୧୯୮୯ ମସିହା ସେପ୍ଟେମ୍ବର ୫ ତାରିଖରେ ପ୍ରାକ୍ତନ ରାଜ୍ୟପାଳ ପ୍ରଫେସର ନୁରୁଲ ହସନ୍ ଙ୍କ ଦ୍ଵାରା ସେ ଆଦର୍ଶ ଶିକ୍ଷକ ପୁରସ୍କାର ଲାଭ କରିଥିଲେ।

ଦୀର୍ଘ ୪୦ ବର୍ଷର ଚାକିରିକାଳ ମଧ୍ୟରେ ଅନେକ ସୁନାମ ଅର୍ଜ୍ଜନ କରିଛନ୍ତି। ଗୋଟିଏ ସ୍କୁଲରେ ଏତେ ବର୍ଷ ଶିକ୍ଷକତା କରି ବାଙ୍କନିଧି ଇତିହାସ ସୃଷ୍ଟି କରିଛନ୍ତି। ତାଙ୍କ ମଧୁର ବ୍ୟବହାର ତଥା ସରଳ ଜୀବନଯାପନ ପାଇଁ ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ମଧ୍ୟରେ ପ୍ରିୟ ଥିଲେ। ସେହି ଅଞ୍ଚଳରେ ସେ ଏତେ ପ୍ରିୟ ଥିଲେ ଯେ, ପ୍ରତ୍ୟେକ ବର୍ଷ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ବର୍ଦ୍ଧିତ କରାଯାଉଥିଲା। ଡାଃ ପରଶୁରାମ ମିଶ୍ର ଅଗ୍ରଗାମୀ ଶିକ୍ଷା ପ୍ରତିଷ୍ଠାନ, ଶିକ୍ଷାବିତ ବାଳକୃଷ୍ଣ କର ସ୍ମୃତି ପୁରସ୍କାର, ୧୫୦ ବର୍ଷ ପୂର୍ତ୍ତି ଶିକ୍ଷକ ସମ୍ମାନ ତଥା ପ୍ରତିବର୍ଷ ବିଭିନ୍ନ ବ୍ୟାଚର ଛାତ୍ରଛାତ୍ରୀମାନେ ତାଙ୍କୁ ସମ୍ବର୍ଦ୍ଧିତ କରୁଥିଲେ।

ତେବେ ଦିଂବଗତ ଶିକ୍ଷକ ବାଙ୍କନିଧିଙ୍କ ସ୍ମୃତିଚାରଣ ସଭାରେ ପ୍ରାକ୍ତନ ଶିକ୍ଷକ ଦୋଳଗୋବିନ୍ଦ ସାହୁ, ବିହାରୀଲାଲ ମହାନ୍ତି, ରଘୁନାଥ ପୂଜାରୀ, ରାଧାଚରଣ ମେହେର, ମିତ୍ରଭାନୁ ମହାପାତ୍ର, ଭାଗିରଥି ପ୍ରଧାନ, ହୃଷୀକେଶ ବଢାଇ, ପ୍ରହଲ୍ଲାଦ ସାହୁ, ପଣ୍ଡିତ ହୃଷୀକେଶ ମିଶ୍ର, ଅଚ୍ୟୁତାନନ୍ଦ ପଟେଲ, ସିଭିଲ କୁମାର ନାଏକ, ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ବାଙ୍କନିଧି ଶତ୍ରୁଶଲ୍ୟଙ୍କ ସ୍ମୃତିଚାରଣ କରିଥିଲେ।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଲକଡାଉନ ସମୟରେ ଭୋକିଲାଙ୍କୁ ସହାୟ ହେବେ ବାଲୁଗାଁ ଏସଡିପିଓ: ଜାରି କଲେ ହେଲ୍ପଲାଇନ ନମ୍ବର

ସୀତାରମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ହେବାକୁ ଯାଉଛି। ଏହି ଲକଡ଼ାଉନ ସମୟରେ ଅନେକ ଦିନହୀନ ଗରିବ ଲୋକ ଖାଇବାକୁ ନପାଇ ଭୋକିଲା ରହୁଥିବା ଦେଖିବାକୁ ମିଳେ।

କିନ୍ତୁ ଏଭଳି ଲୋକଙ୍କ ମଧ୍ୟରେ ମୁଠାଏ ଦାନା ଯୋଗାଡ଼ କରିବା ପାଇଁ ବାଲୁଗାଁ ଏସଡ଼ିପିଓ ଏକ ନିଆରା ପ୍ରୟାସ ହାତକୁ ନେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏବଂ ବାଲୁଗାଁ ଅଞ୍ଚଳର ଅସହାୟ ଓ ଭୋକିଲା ବ୍ୟକ୍ତିମାନଙ୍କ ପାଇଁ ଦାନା ଯୋଗାଡ଼ କରିବା ନିମନ୍ତେ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏକ ବଡ଼ ପଦକ୍ଷେପ ନେଇଛନ୍ତି।

ଆସନ୍ତା ୫ ରୁ ୧୯ ତାରିଖ ଲକଡ଼ାଉନ ସମୟ ମଧ୍ୟରେ ବାଣପୁର ବାଲୁଗାଁ ଅଞ୍ଚଳରେ କୌଣସି ଅସହାୟ ଓ ଭୋକିଲା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଯଦି କେହି ଆସନ୍ତି ତେବେ ତୁରନ୍ତ  ୯୪୩୭୩୪୨୮୫୫ କିମ୍ୱା ୯୦୭୮୯୩୪୯୩୪ ନମ୍ବରରେ ପୋଲିସକୁ ଯୋଗାଯୋଗ କରିବା ଲାଗି ଏସଡ଼ିପିଓ ଶ୍ରୀ ବାରିକ ନିବେଦନ କରିଛନ୍ତି। ଏହାପରେ ଉକ୍ତ ଅସହାୟ ଓ ଭୋକିଲା ବ୍ୟକ୍ତିଙ୍କ ନିକଟରେ ପୋଲିସ ପକ୍ଷରୁ ଦିନକୁ ଦୁଇ ଥର ରନ୍ଧା ଖାଦ୍ୟ ପହଂଚିବ ବୋଲି ସେ ଘୋଷଣା କରିଛନ୍ତି। ଏଭଳି ପଦକ୍ଷେପ ପାଇଁ ଏସଡ଼ିପିଓଙ୍କୁ ସ୍ଥାନୀୟ ଅଞ୍ଚଳରେ  ଭୁୟସୀ ପ୍ରଶଂସା କରିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁରରେ ଉତ୍ତେଜନା: ଟୀକାକାରଣ କେନ୍ଦ୍ର ସମ୍ମୁଖରେ ଧାରଣାରେ ବସିଲେ ଶହ ଶହ ନାଗରିକ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଉଚ୍ଚ ପ୍ରାଥମିକ(ମଧ୍ୟ ଇଂରାଜୀ) ବିଦ୍ୟାଳୟ ସମ୍ମୁଖରେ ଉତ୍ତେଜନା ସୃଷ୍ଟି ହୋଇଛି।ଟୀକାକାରଣକୁ ନେଇ ଶତାଧିକ ନାଗରିକ ଧାରଣାରେ ବସିଛନ୍ତି।

ଗତକଲିଠାରୁ ଆରମ୍ଭ ହୋଇଥିବା ଉକ୍ତ କେନ୍ଦ୍ରରେ ପୋଲିସ ପ୍ରଶାସନ ସହଯୋଗରେ ଟୀକାକାରଣ ପ୍ରକ୍ରିୟା ସୁରୁଖୁରୁରେ ଚାଲିଥିବାବେଳେ ଆଜି ପୁଣି ଦେଖାଯାଇଛି ବିଶୃଙ୍ଖଳା। ରାତି ୨ ଟା ରୁ ଶହ ଶହ ନାଗରିକ ମାନେ ଟୀକା ନେବା ପାଇଁ ଉକ୍ତ କେନ୍ଦ୍ର ସମ୍ମୁଖରେ ଅପେକ୍ଷା କରିଥିବାବେଳେ ସକାଳ ୫ ଟାରେ ଟୀକା ନାହିଁ ବୋଲି ସେମାନଙ୍କୁ ସୂଚନା ମିଳିଛି। ଫଳରେ ଲୋକମାନେ ଏଥିରେ ଉତ୍ତ୍ୟକ୍ତ ହୋଇ ରାସ୍ତାରେ ଧାରଣାରେ ବସିଛନ୍ତି।

ଲୋକଙ୍କ ଅଭିଯୋଗ ହେଲାକି ଟୀକା ଯଦି ନାହିଁ ତାହାଲେ କେନ୍ଦ୍ର ସମ୍ମୁଖରେ ମେଡିକାଲ ପ୍ରଶାସନ ପକ୍ଷରୁ ସୂଚନା ଫଳକ କାହିଁକି ମରାଯାଇନାହିଁ। ପ୍ରଚାର ପ୍ରସାର କଣ ପାଇଁ କରାଯାଇନାହିଁ। କଣ ପାଇଁ ଶହ ଶହ ଲୋକ ରାତି ୨ ରୁ ଅପେକ୍ଷା କରିକି ଫେରିକି ଯିବେ।

ବହୁ ସମୟ ଧରି ଧାରଣରେ ଜନସାଧାରଣମାନେ ବସିବା ପରେ ବାଣପୁର ଆଇଆଇସି ସଦଳବଳେ ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ। ଯାହାଫଳରେ ଧାରଣା ପ୍ରତ୍ୟାହୁତ ହୋଇଥିଲା। ଅନ୍ୟପକ୍ଷେ ମେଡିକାଲ ପ୍ରଶାସନ ପକ୍ଷରୁ ଟୀକା ନାହିଁ ବୋଲି ସୂଚନା ଫଳକ ଫାଟକରେ ମରାଯିବା ପରେ ଲୋକମାନେ ନିରାଶ ହୋଇ ଘରକୁ ଫେରିଯାଇଥିଲେ।

ତେବେ ଗତକାଲି ଟୀକାକାରଣ ବ୍ୟବସ୍ଥାର ସୁଚାରୁରୂପେ ପରିଚାଳନାକୁ ନେଇ ସ୍ଥାନୀୟ ପ୍ରଶାସନ ବାଃ ବାଃ ନେଇଥିବା ବେଳେ ଆଜି ଟୀକା ଅଭାବର ସୂଚନାକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇ ପାରିବାନଥିବାରୁ ମେଡିକାଲ ପ୍ରଶାସନକୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର: ମାନବିକତା ଭୁଲିଗଲେ ସରପଞ୍ଚ, ମହାମାରୀରେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହେଉଛନ୍ତି ହିତାଧିକାରୀ

ସୀତାରାମ ଅଗ୍ରୱାଲ

ବାଣପୁର: ସରପଞ୍ଚଙ୍କ ପ୍ରତିନିଧି ବାର୍ଦ୍ଧକ୍ୟ ଏବଂ ଦିବ୍ୟାଙ୍ଗ ଭତ୍ତାପାଇଁ ହିତାଧିକାରୀଙ୍କୁ ଦୀର୍ଘ ୭ କିଲୋମିଟର ଦୌଡ଼ାଉଥିବାର ଅଭିଯୋଗ ହେଉଛି। ଅସହ୍ୟ ତାତି ସହ କରୋନା ସଂକ୍ରମଣଙ୍କୁ ଭୃକ୍ଷେପ ନକରି ହିତାଧିକାରୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ସରପଞ୍ଚଙ୍କ ପ୍ରତିନିଧି ହଇରାଣ କରୁଥିବା ଅଭିଯୋଗ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭବାନୀପୁର ପଞ୍ଚାୟତରେ ଏଭଳି ଏକ ଦୟନୀୟ ଘଟଣା ଦେଖିବାକୁ ମିଳିଛି।

ଅଭିଯୋଗ ମୁତାବକ, ୨୦୧୭ ମସିହାରେ ତୁମୁରାପୁଟ ପଞ୍ଚାୟତ ଠାରୁ ଅଲଗା ହୋଇ ଭବାନୀପୁର ପଞ୍ଚାୟତ ଏକ ନୂଆ ପଞ୍ଚାୟତର ମାନ୍ୟତା ପାଇଥିଲା। କିନ୍ତୁ ଦୀର୍ଘ ଚାରି ବର୍ଷରୁ ଉର୍ଦ୍ଧ୍ଵ ସମୟ ବିତିଯାଇଥିଲେ ମଧ୍ୟ ଭବାନୀପୁର ପଞ୍ଚାୟତର ନିଜସ୍ୱ କାର୍ଯ୍ୟାଳୟ ଏଯାଏଁ ନିର୍ମାଣ ହୋଇପାରିନାହିଁ। ତେବେ ବହୁ ଦାବି ପରେ ଭବାନୀପୁର ପଞ୍ଚାୟତର ବାଲିଡ଼ିହି ଗ୍ରାମର ଏକ ଅସ୍ଥାୟୀ ଘରେ ରାସନ ସାମଗ୍ରୀ ସହ ବାର୍ଦ୍ଧକ୍ୟ ଏବଂ ଦିବ୍ୟାଙ୍ଗ ଭତ୍ତା ଦୀର୍ଘ ବର୍ଷ ହେଲା ହିତାଧିକାରୀଙ୍କୁ ମିଳୁଥିଲା। ହେଲେ ଏବେ ଗତ ଚାରି ମାସ ହେଲା ହିତାଧିକାରୀଙ୍କୁ ଉକ୍ତ ସ୍ଥାନରେ ଆଉ ଭତ୍ତା ମିଳୁନାହିଁ। ଭତ୍ତା ପାଇଁ ଲୋକଙ୍କୁ ଏବେ ଦୀର୍ଘ ୭ କିଲୋମିଟର ଦୂର ତୁମୁରାପୁଟ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବାକୁ ପଡୁଛି।

ଏ ନେଇ ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ବାଲିଡ଼ିହ, ଭବାନୀପୁର, ନାରଣପୁର ଓ ନାଗାମଠ ଗ୍ରାମର ବହୁ ହିତାଧିକାରୀମାନେ ସରପଞ୍ଚଙ୍କ ପ୍ରତିନିଧି ନାରାୟଣ ସାହୁଙ୍କୁ ଅଭିଯୋଗ କରିବାରୁ ସେ ବାଲିଡ଼ିହି ଗ୍ରାମରେ ଭତ୍ତା ଦେବାକୁ ରୋକଠୋକ ମନା କରିଦେଇଥିବା ଅଭିଯୋଗ ହୋଇଛି।

ଏଠି ପ୍ରଶ୍ନ ଉଠୁଛି ଜଣେ ପରିଣତ ବୟସର ବୃଦ୍ଧ ହେଉ କିମ୍ବା ଜଣେ ଭିନ୍ନକ୍ଷମ ବ୍ୟକ୍ତି କିପରି ୭ କିଲୋମିଟର ଭତ୍ତା ପାଇଁ ଯିବେ? ପ୍ରଚଣ୍ଡ ଖରା ଏବଂ କରୋନା ସଂକ୍ରମଣକୁ ଦେଖି ବୟସ୍କ ଏବଂ ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କୁ ଘରୁ ନବାହାରିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଉଛନ୍ତି। ଏହା ସହ ସମସ୍ତ ସରକାରୀ ସୁବିଧା ହିତାଧିକାରୀଙ୍କ ଘରେ ପହଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ମଧ୍ୟ ଦେଉଛନ୍ତି। କିନ୍ତୁ ସରପଞ୍ଚଙ୍କ ପ୍ରତିନିଧି ଏସବୁ ପ୍ରତି ଧ୍ୟାନ ଦେଉନଥିବା ଦେଖିବାକୁ ମିଳିଛି।

ଏହାକୁ ନେଇ ଭବାନୀପୁର ପଞ୍ଚାୟତ ଅନ୍ତର୍ଗତ ବାଲିଡ଼ିହି ଗ୍ରାମର ୨୫ ରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗ ହିତାଧିକାରୀ ମାନେ ମାସିକ ଭତ୍ତାକୁ ଚାତକ ଭଳି ଚାହିଁ ବସିଥିବାବେଳେ ନିଜର ଅସମର୍ଥତା ଲାଗି ଦୀର୍ଘ ଚାରି ମାସ ହେଲା ୭ କିଲୋମିଟର ଯାଇ ଭତ୍ତା ଆଣିପାରୁନଥିବା ଅଭିଯୋଗ ହୋଇଛି।

ଗତ ମାର୍ଚ୍ଚ ମାସ ୧୯ ତାରିଖରେ ଉକ୍ତ ପଞ୍ଚାୟତର ବହୁ ହିତାଧିକାରୀ ଏ ସମ୍ପର୍କରେ  ଖୋର୍ଦ୍ଧା  ଜିଲ୍ଲାପାଳ, ଚିଲିକା ବିଧାୟକ ଏବଂ ବାଣପୁର ବିଡ଼ିଓଙ୍କୁ ଡାକ ଯୋଗେ ଏକ ଦାବିପତ୍ର ପଠାଇଥିବାବେଳେ ଏଯାବତ ତାହାର ପ୍ରତିଉତ୍ତର ମିଳିପାରିନାହିଁ।

ତେବେ ଏ ସମ୍ପର୍କରେ ଆମ ପ୍ରତିନିଧି ଭବାନୀପୁର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ନାରାୟଣ ସାହୁଙ୍କୁ ଯୋଗାଯୋଗ କରିବାରୁ ସେ କୌଣସି ଉତ୍ତର ଦେଇ ନାହାନ୍ତି। ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିବାରୁ ଏ ଘଟଣା ସତ ଏବଂ କିଛି ମାସ ତଳେ ସରପଞ୍ଚ ପ୍ରତିନିଧି ଏବଂ ବାଲିଡ଼ିହି ଗ୍ରାମବାସୀଙ୍କ ମଧ୍ୟରେ ଝଗଡା ହୋଇଥିବାରୁ ଭତ୍ତା ଉକ୍ତ ଗ୍ରାମରେ ଆଉ ବଣ୍ଟାଯାଉନଥିବା କହିଛନ୍ତି।

ସେହିଭଳି ବାଣପୁର ଭାରପ୍ରାପ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ସୀମାଦ୍ରୀ ପାତ୍ରଙ୍କୁ ଏନେଇ ପଚାରିବାରୁ ଯେଉଁ ହିତାଧିକାରୀମାନେ ଭତ୍ତା ଆଣିବାପାଇଁ ଅକ୍ଷମ, ସେମାନଙ୍କ ଘରେ ବ୍ଲକ କର୍ମଚାରୀ ପହଁଚି ଭତ୍ତା ଦେବେ ଏବଂ ଅନ୍ୟମାନେ ପଞ୍ଚାୟତ ହେଡ଼କ୍ୱାର୍ଟରରୁ ଭତ୍ତା ପାଇବେ ବୋଲି କହିଛନ୍ତି। କିନ୍ତୁ ଯେହେତୁ ଆଜିପର୍ଯ୍ୟନ୍ତ ପଞ୍ଚାୟତ ହେଡ଼କ୍ୱାର୍ଟର ଚି଼ହ୍ନଟ ହେଇପାରୁନାହିଁ ଏପରି ଅସୁବିଧା ଜାରି ରହିଛି। ତେବେ ଖୁବ ଶୀଘ୍ର ସେ ଉକ୍ତ ସମସ୍ୟାର ସମାଧାନ କରିବା ଦିଗରେ ଚେଷ୍ଟା କରିବେ ବୋଲି ଏବିଡିଓ କହିଛନ୍ତି।

ତେବେ ଦେଖିବାକୁ ବାକି ରହିଲା ନିଜର ବ୍ୟକ୍ତିଗତ ସ୍ୱାର୍ଥପାଇଁ ଆକ୍ରୋଶମୂଳକ ଭାବେ ଗରିବ ହିତାଧିକାରୀଙ୍କୁ ଦୌଡାଉଥିବା ସରପଞ୍ଚ ପ୍ରତିନିଧିଙ୍କ ମାନବିକତା କେବେ ଫେରୁଛି ଏବଂ କେବେ ଗରିବ ହିତାଧିକାରୀ ମାନେ ସେମାନଙ୍କ ପଞ୍ଚାୟତରେ ଭତ୍ତା ପାଇପାରୁଛନ୍ତି। ଅପରପକ୍ଷେ ଯଦି ଉକ୍ତ ସମସ୍ୟାର ସମାଧାନ ଯଥାଶୀଘ୍ର ନହୁଏ ତେବେ ଆଗାମୀ ଦିନରେ ବାଧ୍ୟ ହୋଇ ବୃଦ୍ଧ ଏବଂ ଦିବ୍ୟାଙ୍ଗ ମାନେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଗଣମାଧ୍ୟମ ସମ୍ମୁଖରେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି।

Categories
ଆଞ୍ଚଳିକ

ବାଣପୁରରେ ଇଲେଭେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ବୋରିଗାଁ ଦଳ ବିଜେତା ଘୋଷିତ

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଇଲେଭେନ ଷ୍ଟାର କ୍ରିକେଟ ଟୁର୍ଣ୍ଣାମେଣ୍ଟର ଅଷ୍ଟାଦଶତମ ସଂସ୍କରଣ ଉଦଯାପିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟକୁ ବୋରିଗାଁର ଇଲେଭେନ ଷ୍ଟାର କ୍ଲବ ଆୟୋଜନ କରିଥିଲା। ଏଥିରେ ୮ଟି ଟିମ୍ ଭାଗ ନେଇଥିବା ବେଳେ ବୋରିଗାଁ ଦଳ ଫାଇନାଲରେ ବିଜେତା ଘୋଷିତ ହୋଇଛି।

ଫାଇନାଲ ମ୍ୟାଚ ବୋରିଗାଁ ଏବଂ ଗଙ୍ଗାଧରପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଗଙ୍ଗାଧରପୁର ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬୯ ରନ୍ ସଂଗ୍ରହ କରିଥିଲା। ଜବାବରେ ବୋରିଗାଁ ୭୦ ରନ ଲକ୍ଷ୍ୟକୁ ପୂରଣ କରି ବିଜୟ ହାସଲ କରିଥିଲା। କଡା ଟକ୍କର ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିବା ବେଳେ ଅନ୍ତିମ ବଲରେ ବୋରିଗାଁ ଦଳର ବ୍ୟାଟ୍ସମ୍ୟାନ ସନ୍ତୋଷ ଚୌକା ମାରି ଦଳକୁ ବିଜୟ କରିଥିଲେ।

ଦଳର ନେତୃତ୍ଵ ଚନ୍ଦନ ବରାଳ ନେଇଥିବା ବେଳେ କ୍ରମାଗତ ଦ୍ଵିତୀୟ ଥର ପାଇଁ ଗଙ୍ଗାଧରପୁରକୁ ହରାଇ ବୋରିଗାଁ ଚମ୍ପିୟାନ ହୋଇଛି। ଗଙ୍ଗାଧରପୁର ଦଳ ଖେଳୁଆଡ ମନୋଭାବ ନେଇ ଏହି ଟୁର୍ଣ୍ଣାମେଣ୍ଟରେ ଭଲ ଖେଳ ପ୍ରଦର୍ଶନ କରିଥିଲା। ଶେଷ ଦୁଇଟି ବଲରେ ବୋରିଗାଁ ଦଳକୁ ଜିତିବା ପାଇଁ ୫ ରନ ବାକି ଥିବା ବେଳେ ଯୁବ ଖେଳାଳି ସନ୍ତୋଷ ଲଗାତର ୨ ଟି ଚୌକା ମାରି ଦଳକୁ ବିଜୟ କରିବାରେ ସକ୍ଷମ ହୋଇଥିଲେ।

ତେବେ ଦଳ ପକ୍ଷରୁ ସର୍ବାଧିକ ୱିକେଟ ନେଇଥିବା ତ୍ରିଲୋଚନ ଜେନା ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହୋଇଥିବା ବେଳେ ଶତ୍ରୁଘ୍ନ (କୁନା) ବିଶ୍ଵାଳ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଛନ୍ତି।

Categories
ଅପରାଧ ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ବାଣପୁର ତୋରସିଂହ ଗ୍ରାମରେ ହୋଇଥିବା ଲକ୍ଷାଧିକ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ: ଦୁଇ ଗିରଫ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପୋଲିସକୁ ମିଳିଛି ସଫଳତା। ତୋରସିଂହ ଗ୍ରାମରେ ଘଟିଥିବା ଲକ୍ଷାଧିକ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ବାଣପୁର ପୋଲିସ। ଏ ନେଇ ଆଜି ଅପରାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ। ଉକ୍ତ ଚୋରି ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କ ଗିରଫ କରିଛି। ସେମାନେ ହେଲେ ଗୋପୀନାଥପୁର ଗ୍ରାମର କୁନା ରାଉତ(୨୪) ଏବଂ ପଙ୍କାଳ ଗ୍ରାମର ସୁଶାନ୍ତ କୁମାର ବରାଳ(୨୪)।

ତେବେ ଉକ୍ତ ଲୁଟ ଘଟଣାରେ ଆଉ ଜଣେ ଅଭିଯୁକ୍ତ ତପନ ବେହେରା ଫେରାର ଅଛନ୍ତି। ଉକ୍ତ ତିନି ଜଣ ଅଭିଯୁକ୍ତ ଗତ ମାସ ୩୦ ତାରିଖ ମଧ୍ୟରାତ୍ରିରେ ବାଣପୁର ଥାନା ଅନ୍ତର୍ଗତ ତୋରସିଂହ ଗ୍ରାମର ସଞ୍ଜୟ ସ୍ୱାଇଁଙ୍କ ଘରେ ସ୍କାଏ ଲାଇଟ ବାଟେ ପଶି ତାଙ୍କ ଘର ଆଲମିରାରୁ ଲକ୍ଷାଧିକ ତାଙ୍କର ସୁନା ଗହଣା ଲୁଟିବା ସହ ନକଦ ପଇସା ମଧ୍ୟ ଲୁଟିନେଇଥିଲେ।

ପରବର୍ତ୍ତୀ ସମୟରେ ତିନି ଜଣ ପରସ୍ପର ମଧ୍ୟରେ ଚୋରି ଜିନିଷକୁ ବାଣ୍ଟିନେଇଥିଲେ। ତେବେ କେତେକ ଅଳଙ୍କାର ସେମାନେ ଅଜଣା ବ୍ୟକ୍ତିଙ୍କୁ ବିକ୍ରି କରିଦେଇଥିବା ସ୍ଥଳେ ଆଉ କେତେକ ଅଳଙ୍କାର ବାଜାଜ ଫାଇନାନ୍ସ ରେ ବନ୍ଧା ପକାଇଥିଲେ।

ଦୀର୍ଘ ପନ୍ଦର ଦିନ ହେବ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକଙ୍କ ତତ୍ୱାବଧାନରେ ତଦନ୍ତକାରୀ ଅଧିକାରୀ ଏସଆଇ ରାଜକିଶୋର ବେହେରା ଏବଂ ଏସଆଇ ବିଜୟ କୁମାର ମଲ୍ଲିକ ଉକ୍ତ ଘଟଣାର ଅନୁସନ୍ଧାନରେ ଲାଗିପଡ଼ିଥିବା  ସ୍ଥଳେ ଗତକାଲି ଉଭୟଙ୍କୁ ସେମାନଙ୍କ ଗ୍ରାମରୁ ଗିରଫ କରିଛନ୍ତି।

ସେମାନଙ୍କ ନିକଟରୁ ୧ ଟି ସୁନା ହାର, ଏକ ଯୋଡି ସୁନା ଶଙ୍ଖା, ୧ ଟି ସୁନା ଲକେଟ, ୧ ଟି ସୁନା ମୁଦି, ଏକ ଯୋଡି ସୁନା କାନ ଫୁଲ, ୧ ଟି ସୁନା ଚେନ, ନକଦ ୨୦ ହଜାର ଟଙ୍କା, ୩ ଟି ମୋବାଇଲ ଫୋନ ଏବଂ ଗୋଟେ ମଟରସାଇକେଲ ପୋଲିସ ଜବତ କରିଛି। ଉକ୍ତ ଦୁଇ ଜଣ ଅଭିଯୁକ୍ତଙ୍କ ବିରୁଦ୍ଧରେ ବାଣପୁର ପୋଲିସ କେସ ନମ୍ବର ୧୧୮/୨୧ ରେ ମାମଲା ରୁଜୁକରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଛି। ତେବେ ଅନ୍ୟ ଜଣେ ଫେରାର ଅଭିଯୁକ୍ତ ଖୁବ ଶୀଘ୍ର ଧରାପଡିବ ବୋଲି ଏସଡ଼ିପିଓ ଶ୍ରୀ ବାରିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

କରୋନା ସଂକ୍ରମଣକୁ ଦେଖି ବାଣପୁର ଏନ୍.ଏ.ସି ର ବହୁ ସରକାରୀ କାର୍ଯ୍ୟାଳୟକୁ କରାଗଲା ବିଶୋଧିତ

ସୀତାରାମ ଅଗ୍ରୱାଲ

ବାଣପୁର: କରୋନାର ଦ୍ଵିତୀୟ ଲହର ଏବେ ସାରା ଦେଶରେ ଶିଖରରେ ପହଁଚିଛି।  ଓଡ଼ିଶାରେ ମଧ୍ୟ ଲଗାତାର ଭାବେ କିଛି ଦିନ ହେବ ୬ ହଜାରରୁ ଉର୍ଦ୍ଧ୍ଵ କରୋନା ଆକ୍ରାନ୍ତ ଚି଼ହ୍ନଟ ହେଉଛନ୍ତି ଯେଉଁଥିରେ ଖୋର୍ଦ୍ଧା ଜିଲ୍ଲା ଏକ ନମ୍ବରରେ ରହୁଛି। ତେବେ ସଂକ୍ରମଣକୁ ରୋକ ଲଗାଇବା ପାଇଁ ସରକାର ପ୍ରତି ଶନି ଏବଂ ରବିବାର ସଟ ଡ଼ାଉନ ଘୋଷଣା କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ସଂକ୍ରମଣ ଧୀରେ ଧୀରେ ଉପର ମୁହାଁ ହେଉଥିବାବେଳେ ଏହାକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ ରୂପେ ଆଜି ସହରର ବହୁ ଗୁରୁତ୍ୱପୂର୍ଣ୍ଣ ସରକାରୀ ଅନୁଷ୍ଠାନ ଗୁଡିକୁ ଏନଏସି ପକ୍ଷରୁ ବିଶୋଧନ କରାଯାଇଅଛି।

ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ଆଜି ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ବିଚାର ବିଭାଗୀୟ ଅଦାଲତ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ବିଶୋଧନ କରିଛନ୍ତି। ଅଗ୍ନିଶମ ବାହିନୀର ଏକ ଟିମ ଆଜି ସକାଳୁ ଉକ୍ତ ୩ କାର୍ଯ୍ୟାଳୟକୁ ବିଶୋଧିତ କରିଛନ୍ତି।

ତେବେ ଏହିପରି ବିଶୋଧନ ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି। ତେବେ ବାଣପୁର ସହରକୁ ସମ୍ପୂର୍ଣ୍ଣ ବିଶୋଧନ କରିବା ସହ ପ୍ରତ୍ୟେକ ଦିନ ସଂଧ୍ୟାରେ ସହରରେ ଏନଏସି ପକ୍ଷରୁ ମଶାତେଲ ପକାଇବା ପାଇଁ ସାଧାରଣରେ ଦାବି ହେଉଛି।

Categories
ଆଞ୍ଚଳିକ

ବାଣପୁରକୁ ଫେରିଲା କରୋନାର ଦ୍ଵିତୀୟ ଲହର: ଜଣେ ପଜିଟିଭ ଚି଼ହ୍ନଟ

ସୀତାରାମ ଅଗ୍ରୱାଲ

ବାଣପୁର: ଦିନକୁ ଦିନ କୋଭିଡର ଦ୍ଵିତୀୟ ପର୍ଯ୍ୟାୟ ସଂକ୍ରମଣ ଓଡ଼ିଶାରେ ହୁ ହୁ ହୋଇ ବଢୁଥିବାବେଳେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୩୪ ଜଣ ପଜିଟିଭ ଚି଼ହ୍ନଟ ହୋଇଛନ୍ତି।

ସେହିଭଳି ଆଜି ବାଣପୁରରୁ ଜଣେ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବାର ସୂଚନା ରହିଛି। ବାଣପୁର ବ୍ଲକ ଅନ୍ତର୍ଗତ ନାଚୁଣୀ ପଞ୍ଚାୟତରୁ ଜଣେ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି।

ତେବେ ଏହି ଆକ୍ରାନ୍ତ ଜଣଙ୍କ ମଧ୍ୟରେ କୌଣସି ଲକ୍ଷଣ ନାହିଁ। କିନ୍ତୁ ସେ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବାରୁ ବର୍ତ୍ତମାନ ଏହା ସ୍ୱାସ୍ଥ୍ୟ ବିଭାଗ ଏବଂ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

Categories
ଆଜିର ଖବର ଆଞ୍ଚଳିକ

ବାଣପୁର ଘଣ୍ଟଶିଳା ପାହାଡ଼ରେ ଭୀଷଣ ଅଗ୍ନିକାଣ୍ଡ: ନିଆଁକୁ ଆୟତ୍ତ କରିବା ପାଇଁ ଦୁଇ ଦମକଳ ଗାଡି ନିୟୋଜିତ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଶନି ମନ୍ଦିର ନିକଟସ୍ଥ ଘଣ୍ଟଶିଳା ପାହାଡ଼ରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି। ଯାହାଫଳରେ ଲକ୍ଷାଧିକ ଟଙ୍କାର ଜଙ୍ଗଲ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଥିବା ଖବର ହସ୍ତଗତ ହୋଇଛି। ଏନଏସି କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ, ଶନି ମନ୍ଦିର ପାଣି ଟାଙ୍କି ନିକଟରେ ବାଣପୁର ଏନଏସି ପକ୍ଷରୁ ନୂଆ କରି ଏକ ମାଇକ୍ରୋ କମ୍ପୋଷ୍ଟିଙ୍ଗ ସେଣ୍ଟର ନିର୍ମାଣ ଚାଲିଛି। ସେଥିପାଇଁ ପ୍ରତିଦିନ ଏନଏସି କର୍ମଚାରୀମାନେ ସେଠାରେ ସମସ୍ତ ଅଳିଆ ଆବର୍ଜନା ଜମା କରନ୍ତି।

କିନ୍ତୁ ଆଜି ସକାଳୁ କର୍ମଚାରୀମାନେ ଉକ୍ତ ଅଳିଆ ଆବର୍ଜନାରେ ନିଆଁ ଲଗାଇ ଫେରିଯାଇଥିଲେ। ଯାହା ଫଳରେ ଉକ୍ତ ନିଆଁଟି ଘଣ୍ଟଶିଳା ପାହାଡ଼ ପାଦଦେଶରେ ଥିବା ଜଙ୍ଗଲରେ ବ୍ୟାପି ଯାଇ ବର୍ତ୍ତମାନ ସମଗ୍ର ଜଙ୍ଗଲକୁ ବ୍ୟାପିଯାଇଛି। ଏହାଦ୍ବାରା ଲକ୍ଷାଧିକ ଟଙ୍କାର ଜଙ୍ଗଲ ସମ୍ପତ୍ତି ଜଳିପୋଡି ପାଉଁଶ ହୋଇଯାଇଛି। ତେବେ ଏନଏସି କର୍ମଚାରୀଙ୍କ ଦାୟିତ୍ୱହୀନତା ଲାଗି ଏଭଳି ଅଘଟଣ ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିପାରିନାହିଁ। ତେବେ ଦୀର୍ଘ ୩ ଘଣ୍ଟା ହେବ ଘଟଣାସ୍ଥଳରେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ଦୁଇ ଗୋଟି ଦମକଳ ଗାଡି ସହ କର୍ମଚାରୀ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଲିଭେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଅପରପକ୍ଷରେ ଘଟଣାସ୍ଥଳରେ ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି ପହଁଚି ନିଆଁ ଲାଗିଥିବା କାରଣର ତଦନ୍ତ ଆରମ୍ଭ କରିଦେଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଆସନ୍ତାକାଲି ଆଠ ଘଣ୍ଟା ପାଇଁ ଚିଲିକା ନିର୍ବାଚନମଣ୍ଡଳୀରେ ବନ୍ଦ ରହିବ ବିଦ୍ୟୁତ ସରବରାହ

ସୀତାରାମ ଅଗ୍ରୱାଲ

ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ଆଠ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ନାଭାଲ ଗ୍ରୀଡ଼ର ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୯ ଘଟିକାରୁ ଅପରାହ୍ନ ୫ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ।

ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍‌ର କେବଳ ସୋରଣ, କଳକଳେଶ୍ୱର ଏବଂ ଜରିପଡ଼ା ପଞ୍ଚାୟତ‌କୁ ବାଦ୍‌ ଦେଇ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି।

Categories
ଆଞ୍ଚଳିକ

ବାଣପୁର: ପୁଞ୍ଜିଆମାରେ ୧୦୮ ହନୁମାନ ଚାଳିଶା ଯଜ୍ଞ ଉଦଯାପିତ

ସୀତାରାମ ଅଗ୍ରୱାଲ

ବାଣପୁର: ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ ଉପଲକ୍ଷେ ଆଜି ବାଣପୁର ବ୍ଲକ ଅନ୍ତର୍ଗତ ପୁଞ୍ଜିଆମା ଶାସନର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ୧୦୮ ହନୁମାନ ଚାଳିଶା ଯଜ୍ଞ ଅନୁଷ୍ଠିତ ହୋଇଯାଇଅଛି। ଶ୍ରଦ୍ଧାଳୁଙ୍କ ହନୁମାନ ଚାଳିଶା ପଠନରେ ଏକ ଭାବାବେଗପୂର୍ଣ୍ଣ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।

ଅଞ୍ଚଳର ଅନେକ ଶ୍ରଦ୍ଧାଳୁ ସଙ୍କଟମୋଚନ ହନୁମାନଙ୍କ ସରଣାପନ୍ନ ହୋଇ ଅଞ୍ଚଳର ତଥା ସମାଜର ମଙ୍ଗଳ ମନାସି ପ୍ରଦୀପ ପ୍ରଜ୍ବଳନ କରିବା ସହ ସାମୁହିକ ଚାଳିଶା ପାଠ କରିଥିଲେ।

କରୋନା କଟକଣାକୁ ଦୃଷ୍ଟିରେ ରଖି କେବଳ ପରମ୍ପରା ବଜାୟ ରଖିବାକୁ ଯାଇ ରୀତିନୀତି ଅନୁସାରେ ଅତି ନିରାଡ଼ମ୍ବର ସହକାରେ ଉକ୍ତ ଉତ୍ସବ ପାଳନ କରାଯାଇଥିଲା।

ହନୁମାନ ଚାଳିଶା ଉତ୍ସବକୁ ଶ୍ରୀ ଶ୍ରୀ ରଘୁନାଥଦେବ ହନୁମାନ ଚାଳିଶା କମିଟି ପକ୍ଷରୁ ସୋମନାଥ ହୋତା, ସୁଶାନ୍ତ କୁମାର ହୋତା, ଶେଷଦେବ ବେହେରା ଆଦି ପରିଚାଳନା କରିଥିବାବେଳେ ଗ୍ରାମବାସୀଙ୍କ ନିଷ୍ଠା ଓ ସହଯୋଗରେ ଉକ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହୋଇଥିଲା।

ସୂଚନା ଥାଉକି ଉକ୍ତ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ ରଘୁନାଥଦେବ ହନୁମାନ ଚାଳିଶା କମିଟି ପକ୍ଷରୁ ଦୀର୍ଘ ୭ ବର୍ଷ ହେଲା ସୁଚାରୁରୂପେ ଉକ୍ତ ଗ୍ରାମରେ ପରିଚାଳିତ ହୋଇଆସୁଅଛି।

Categories
ଆଞ୍ଚଳିକ

ଟୀକା ଉତ୍ସବର ଦ୍ଵିତୀୟ ଦିବସ: ଚିଲିକାରେ ଟୀକା ନେଲେ ୧ ହଜାର ୭୭୪ ଜଣ ନାଗରିକ

ସୀତାରାମ ଅଗ୍ରୱାଲ

ବାଣପୁର: ସୋମବାର ଦିନ ଟୀକା ଉତ୍ସବର ଦ୍ଵିତୀୟ ଦିବସ ଥିଲା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଏହା ଅଧୀନରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଟୀକା ନେବା ପାଇଁ ନାଗରିକମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ୪୫ ବର୍ଷରୁ ଉର୍ଦ୍ଧ ବହୁ ନାଗରିକମାନେ ଉତ୍ଫୁଲିତ ହୋଇ ଟୀକା ନେଉଥିବାର ଲକ୍ଷ୍ୟ କରାଯାଇଥିଲା।

ଦ୍ଵିତୀୟ ଦିବସରେ ସୁନାଖେଳାରେ ୨୧୨ ଜଣ, ଗମ୍ଭାରୀମୁଣ୍ଡାରେ ୨୫୩ ଜଣ, ନୀଳାଦ୍ରିପ୍ରସାଦରେ ୧୮୭ ଜଣ ଏବଂ ବାଣପୁରରେ ୩୯୦ ଜଣ ନାଗରିକ ଟୀକା ନେଇଥିବାର ସୂଚନା ଦେଇଛନ୍ତି ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ଅଧିକାରୀ ପ୍ରଦୀପ କୁମାର ପାତ୍ର। ତେବେ ଉକ୍ତ ଟୀକା ଉତ୍ସବ କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ଧୂର୍ଜଟି ପ୍ରସାଦ ମହାପାତ୍ର ପରିଚାଳନା କରିଥିବା ବେଳେ ବାଣପୁର ମେଡିକାଲର କର୍ମଚାରୀମାନେ ଯଥା ହୃଦାନନ୍ଦ ବିଷୋୟୀ, ପ୍ରଶାନ୍ତ ପ୍ରଧାନ, ରାମଚନ୍ଦ୍ର ପ୍ରଧାନ, ଅନିଲ ନାୟକ, ସତ୍ୟବ୍ରତ ସାହୁ, ଅଭିମନ୍ୟୁ ଭୋପା ଏବଂ ଶିବାନୀ ହୋତା ଆଦି ସହଯୋଗ କରିଥିଲେ।

ସେହିପରି ଆଜି ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ୭୩୨ ଜଣ ନାଗରିକ ଟୀକା ନେଇଥିବାର ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା ସୌମ୍ୟକାନ୍ତ ଦାସ ପଟ୍ଟନାୟକ ସୂଚନା ଦେଇଛନ୍ତି। ତନ୍ମଧ୍ୟରୁ ବାଲୁଗାଁରେ ୩୫୬ ଜଣ, ନଈରୀରେ ୧୮୮ ଜଣ ଏବଂ ଜରିପଡାରେ ୧୮୮ ଜଣ ନାଗରିକ ଟୀକା ନେଇଛନ୍ତି।