ବାଣପୁର: ଠାକୁରାଣୀଙ୍କ ଜାଗାକୁ ଅନଧିକାର କବଜା କରିବାକୁ ବିରୋଧ

Published: Dec 16, 2022, 8:46 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅଧିନସ୍ଥ ୨ନମ୍ବର ୱାର୍ଡ ଦାଶରଥିପୁର ଗ୍ରାମର ଠାକୁରାଣୀଙ୍କ ଜାଗାକୁ କିଛି ମୁଷ୍ଟିମେୟ ଲୋକଙ୍କ ଅନଧିକାର ମାଡିବସିବା ଅଭିଯୋଗକୁ ନେଇ ଆଜି ଅପରାହ୍ନରେ ଗ୍ରାମବାସୀଙ୍କ ବାଣପୁର ତହସିଲଦାର ଓ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ର ମୁତାବକ ଦାସରଥୀପୁର ଗ୍ରାମର ବୁଢ଼ୀ ଠକୁରାଣୀ କେଉଁ ଆବହମାନ କାଳରୁ ପୂଜା ପାଉଥିବା ସ୍ଥଳେ ଉକ୍ତ ଜାଗା ଠାକୁରାଣୀ ଓ ଗ୍ରାମର ମାରଫତଦାରଙ୍କ ନାମରେ ଅଛି। କିନ୍ତୁ କିଛି ବ୍ୟକ୍ତି ଠାକୁରାଣୀଙ୍କ ଜାଗାକୁ ଅନଧିକାର କବଜା କରିବା ପାଇଁ ମସୁଧା କରୁଥିବାର ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି।

ଗ୍ରାମବାସୀ ମାନେ ଉପରୋକ୍ତ ବ୍ୟକ୍ତିମାନଙ୍କୁ ବିରୋଧ କଲେ ସେମାନେ ଗ୍ରାମବାସୀଙ୍କୁ ବିଭିନ୍ନ ଧମକ ଚମକ ଦେଉଥିବାର ମଧ୍ୟ ଗ୍ରାମବାସୀ ମାନେ ଦାବିପତ୍ରରେ ପ୍ରକାଶ କରିଛନ୍ତି। ତେଣୁ ଆଜି ଅପରାହ୍ଣରେ ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଏକତ୍ର ହୋଇ ଠାକୁରାଣୀଙ୍କ ଜାଗାର ସ୍ଥିତାବସ୍ଥା ବଜାୟ ରଖିବାକୁ ବାଣପୁର ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ଉକ୍ତ ଘଟଣାକୁ ନେଇ ଗତକାଲି ବାଣପୁର ଥାନାର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ ଗ୍ରାମବାସୀ। ଆସନ୍ତା କାଲି ରାଜସ୍ୱ ଅଧିକାରୀଙ୍କୁ ଉକ୍ତ ଜାଗାକୁ ପଠାଇ ଘଟଣାର ଅନୁଧ୍ୟାନ କରାଯିବ ବୋଲି ବାଣପୁର ତହସିଲଦାର କୁଞ୍ଜବିହାରି ବଡ଼ଜେନା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Related posts