Categories
ଆଞ୍ଚଳିକ

ବାଲୁଗାଁ ବାଇପାସରେ ସଡକ ଦୁର୍ଘଟଣା, ଜଣେ ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ରାତିରେ ଖୋର୍ଦ୍ଧା ଜିଲ୍ଲା 16 ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର – ବାଲୁଗାଁ ବାଇପାସ ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଯେଉଁଥିରେ ଜଣେ ଯୁବକ ପ୍ରାଣ ହରାଇଛନ୍ତି। ମୃତକ ଜଣକ ହେଲେ ବାଲୁଗାଁ ଥାନା କୁଲାକୁଣ୍ଡେଇ ନୂଆଗାଁ ଗ୍ରାମର ପ୍ରସନ୍ନ ରାଉତଙ୍କ ପୁତ୍ର ତାରା ପ୍ରସାଦ ରାଉତ(26)।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ତାରା ତାଙ୍କ ସହଯୋଗୀ ବାଇକ ଚାଳକଙ୍କ ସହ ବାଲୁଗାଁ ରୁ ବାଣପୁର ବାଇପାସ ଉପରକୁ ଉଠୁଥିବା ବେଳେ ଭୁବନେଶ୍ୱର ଆଡୁ ବ୍ରହ୍ମପୁର ଅଭିମୁଖେ ଦୃତ ଗତିରେ ଯାଉଥିବା ଏକ ସ୍ପୋର୍ଟ ବାଇକ ତାରାଙ୍କ ବାଇକକୁ ମୁହାଁମୁହିଁ ଧକ୍କା ଦେଇଥିଲା। ଫଳରେ ତାରା ଗାଡ଼ିରୁ ପଡିଯାଇଥିଲେ।

ସଙ୍ଗେସଙ୍ଗେ ସ୍ଥାନୀୟ ଲୋକେ ତାରାଙ୍କୁ ଉଦ୍ଧାର କରି ବାଲୁଗାଁ ମେଡିକାଲ ନେଇଥିବାବେଳେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି l ତେବେ ଏ ନେଇ ଅଦ୍ୟାବଧି ବାଣପୁର ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ଆଇଆଇସି ରମେଶ କୁମାର ଦେବତ୍ତା କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ: ସ୍ତ୍ରୀଙ୍କୁ ମାଡ଼ ମାରି ସ୍ଵାମୀ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନୁଆଗଡ଼ ଗ୍ରାମର ଅଭିଯୁକ୍ତ ଷଠିଆ ପଲେଇ ନିଜ ସ୍ତ୍ରୀଙ୍କୁ ମାଡ଼ ମାରି ଗିରଫ ହୋଇଛନ୍ତି।

ଖବର ମୁତାବକ ସ୍ବର୍ଗତ ଗଦାଧର ପଲେଇଙ୍କ ପୁଅ ଷଠିଆ ପଲେଇ ପୂର୍ବରୁ ବିବାହିତ ଥିବାବେଳେ ନାଭାଲ ଫାଣ୍ଡି ନିକଟସ୍ଥ ଆଖୁପୋଖରା ବୁଚୁଡ଼ି ସାହିରେ ଦ୍ୱିତୀୟ ବିବାହ କରି ଦୀର୍ଘ ଦିନ ଧରି ରହିଆସୁଥିଲେ। ଗତକାଲି କୌଣସି କାରଣ ବଶତଃ ଦ୍ୱିତୀୟ ସ୍ତ୍ରୀ ଉଜୁଳି ଦାସଙ୍କ ସହ ପାରିବାରିକ କଳହ ହୋଇଥିବାବେଳେ ଷଠିଆ ଉତ୍ୟକ୍ତ ହୋଇ ସ୍ତ୍ରୀ ଉଜୁଳିଙ୍କୁ ଏକ କାଠ ଫାଳିଆରେ ଆକ୍ରମଣ କରିଥିଲେ। ଯାହାଫଳରେ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି।

ଏନେଇ ବାଲୁଗାଁ ଥାନାରେ ଏତଲା ଦେଇଥିବା ବେଳେ ଆଜି କେଶ ନଂ ୨୦୫/୨୩ ରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିସହିତ ଆକ୍ରମଣରେ ବ୍ୟବହୃତ କାଠ ଫାଳିଆ ଜବତ କରାଯାଇଥିବା ବାଲୁଗାଁ ଥାନା ଅଧିକାରୀ ଜୟ ପ୍ରକାଶ ପରିଡା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ଥାନା ପରିସରରେ ପୋଲିସକୁ ଆକ୍ରମଣ ଓ ଭଙ୍ଗାରୁଜା: ଦୁଇ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ପରିସରରେ ଦୁଇ ଯୁବକ ପୋଲିସକୁ ଗାଳିଗୁଲଜ ଓ ଆକ୍ରମଣ କରିବା ସହ ଥାନା ପରିସରରେ ଭଙ୍ଗାରୁଜା ପରି ଚରମ କାଣ୍ଡ ଘଟାଇଥିବା ବେଳେ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଅଭିଯୁକ୍ତ ଦ୍ୱୟଙ୍କ ମଧ୍ୟରୁ ଜଣେ ଭୁବନେଶ୍ୱର ଧଉଳି ଥାନା ଅନ୍ତର୍ଗତ କରୁଣାକର ଦାସଙ୍କ ପୁଅ ସୁରଜ ଦାସ (୩୨)ଓ ଅନ୍ୟ ଜଣେ ନାଚୁଣୀ ଥାନା ବଉଳାବନ୍ଧ ଗ୍ରାମର ସୁଦର ବେହେରାଙ୍କ ପୁଅ ପପୁ ବେହେରା(୪୦) ବୋଲି ଜଣାପଡିଛି।

ଖବର ମୁତାବକ ଅଭିଯୁକ୍ତ ସୁରଜ ଦାସ ବାଲୁଗାଁ ଅଞ୍ଚଳରେ ଜଣେ ଯୁବତୀଙ୍କୁ ପ୍ରେମ ପ୍ରତାରଣା କରୁଥିବା ନେଇ ଜନୈକ ଯୁବତୀଙ୍କ ବାପା ଥାନାରେ ଏତଲା ଦେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସୁରଜ ଏବଂ ତାଙ୍କ ସହଯୋଗୀ ପପୁ ଥାନା ପରିସରରେ ଉନ୍ମତ୍ତ କାଣ୍ଡ ଘଟାଇବା ସହ ଥାନାରେ ଉପସ୍ଥିତ ଏସଆଇ,ଏଏସଆଇ ଓ କନେଷ୍ଟବଳଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରି ଆକ୍ରମଣ କରିବାସହ ଥାନା ଭିତରେ ଭଙ୍ଗା ରୁଜା କରିଥିଲେ।

ଦୀର୍ଘ ସମୟପରେ ଉଭୟଙ୍କୁ ପୋଲିସ କାବୁ କରି କେଶ ନଂ ୧୯୯/୨୩ ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଲୁଗାଁ ସୋଲରୀ ଷ୍ଟେସନରେ ଅଘଟଣ, ଟ୍ରେନ ଆଗରେ ଶୋଇ ପଡିଲେ ଯୁବକ

ସୀତାରାମ ଅଗ୍ରୱାଲ

ଚିଲିକା: ଆଜି ସକାଳୁ ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ସୋଲରି ରେଳ ଷ୍ଟେସନ ନିକଟସ୍ଥ ଟ୍ରାକରୁ ଏକ ଖଣ୍ଡବିଖଣ୍ଡିତ ମୃତ ଦେହ ଉଦ୍ଧାର କରିଛି ବାଲୁଗାଁ ଆରପିଏଫ। ମୃତକଙ୍କ ପରିଚୟ ମିଳିନଥିବା ବେଳେ ତାଙ୍କ ବୟସ ଆନୁମାନିକ 32 ବର୍ଷ ହେବ ବୋଲି ଜଣାପଡିଛି।

ଆଜି ଭୋର 5 ଟାରେ ସମୟରେ ଉକ୍ତ ଯୁବକ ଜଣକ ଟ୍ରେନ ସମ୍ମୁଖରେ ଶୋଇ ଯାଇଥିଲେ। ଫଳରେ ଅଣ୍ଟାରୁ ତାଙ୍କ ଶରୀର ଦୁଇ ଖଣ୍ଡ ହୋଇଯାଇଛି l ତେବେ ଯୁବକ ଜଣକ କିଏ ଏବଂ କଣ ପାଇଁ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ବାଲୁଗାଁ ଆରପିଏଫ ପହଞ୍ଚି ଶବକୁ ବାଲୁଗାଁ ମେଡିକାଲ ପଠାଇଛି।

Categories
ଆଞ୍ଚଳିକ

ବାଲୁଗାଁ: ୧୫୫ ଲିଟର ଦେଶୀମଦ ଜବତ, ତିନି ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଗୁରୁବାର ପୂର୍ବାହ୍ନରେ ୧୫୫ ଲିଟର ଦେଶୀମଦ ଜବତ କରିବାସହ ଗୋଟିଏ ବାଇକ ଓ ତିନି ଜଣ ଅଭିଯୁକ୍ତ ଗିରଫ କରିଛି ବାଲୁଗାଁ ଅବକାରୀ ବିଭାଗ। ଦିନକୁ ଦିନ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ତଥା ଆଖପାଖ ଅଞ୍ଚଳରେ ବେଧଡକ ଭାବେ ଚୋରା ଦେଶୀ ମଦ କାରବାର ନେଇ ବାରମ୍ବାର ପୋଲିସ ଓ ଅବକାରୀ ଚଢ଼ାଉ କରିବା ସତ୍ତ୍ୱେ ମଦ ବେପାରି ନିଜ ବେପାରରେ ନଛୋଡବନ୍ଧା। ଯାହାଫଳରେ ସମ୍ପୃକ୍ତି ଅଞ୍ଚଳରେ ଦୈନନ୍ଦିନ ନାନାଦି ଛୋଟ ମୋଟ ଦୁର୍ଘଟଣା ସାଙ୍ଗକୁ ପ୍ରାୟତଃ ପରିବାରରେ ଅଶାନ୍ତି ବାତାବରଣ ଦେଖାଦେଉଛି।

ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ବାଲୁଗାଁ ଅବକାରୀ ଅଧିକାରୀ ବି ମନୋଜ ବାରିକଙ୍କ ନେତୃତ୍ୱରେ ଅବକାରୀ ବିଭାଗ ଚଢ଼ାଉ କରିଥିବାବେଳେ ସୁବୁଦ୍ଧିପାଟଣା ଛକ ଠାରେ ଗଞ୍ଜାମ ଜିଲ୍ଲା ଫାସିଖୋଲର ମନୋଜ ଶବରଙ୍କ (୨୦) ନିକଟରୁ ୯୦ ଲିଟର ଦେଶୀମଦ ସହ ଏକ ବାଇକ, ଗଞ୍ଜାମ ଜିଲ୍ଲା ଖାରିବନ୍ଧର ବଳଭଦ୍ର ଶବରଙ୍କ (୨୦) ନିକଟରୁ ୪୦ ଲିଟର ଓ ସ୍ଥାନୀୟ ବଡ଼କୁଳର କୃଷ୍ଣ ମୋହନ ସାହୁଙ୍କ (୫୦) ନିକଟରୁ ୨୫ ଲିଟର ଦେଶୀ ମଦ ଜବତ କରି ପୃଥକ ଭାବେ ଅଭିଯୁକ୍ତଙ୍କ ବିରୁଦ୍ଧରେ ପିଆର କେଶ ନଂ ୮୧/୨୩-୨୪, ୮୨/୨୩-୨୪ ଓ ୮୩/୨୩-୨୪ରେ ମାମଲା ରୁଜୁକରି କୋର୍ଟ ଚାଲାଣ କରାଯାଇଛି।

ଉକ୍ତ ଚଢ଼ାଉରେ ଏଏସଆଇ ସୁଦୀପ୍ତ କୁମାର ଦାସ, ଏଏସଆଇ ସୁମତି ମହାନ୍ତି, କନେଷ୍ଟବଳ ଚିନ୍ମୟୀ ଦାସ, ଅଶେଷ କୁମାର ପ୍ରଧାନ ପ୍ରମୁଖ ସାମିଲ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ୪ ଚୋରି ମୋବାଇଲ ସହ ଅଭିଯୁକ୍ତ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ମୋବାଇଲ ଚୋରି ଘଟଣାରେ ଜଣେ ଅଭିଯୁକ୍ତକୁ ବାଲୁଗାଁ ପୋଲିସ ଗିରଫ କରିବାସହ ୪ଟି ମୋବାଇଲ ଫୋନ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ଭୁବନେଶ୍ୱର ନୟାପଲି ୟୁନିଟ ୮ ସ୍ଥିତ ସ୍ବର୍ଗତ ଋଷି ବଳିଆରିସିଂହଙ୍କ ପୁଅ ହରିବନ୍ଧୁ ବଳିଆରିସିଂହ (୪୮) ବୋଲି ଜଣାପଡିଛି। କେଶ ନଂ ୫୯/୨୩ ଆଇପିସି ଧାରା ୩୭୯/୩୪ ରେ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଜୟ ପ୍ରକାଶ ପରିଡା କହିଛନ୍ତି।

ଖବର ମୁତାବକ ତଳ ଦିନେ ବାଲୁଗାଁ ଅଞ୍ଚଳର ଏକ ମୋବାଇଲ ଦୋକାନୀ ଭୁବନେଶ୍ୱରରୁ ବସ ଯୋଗେ କିଛି ମୋବାଇଲ ଫୋନ ପଠାଇ ଥିବାବେଳେ ଉକ୍ତ କାର୍ଟୁନରୁ ମୋବାଇଲ ଚୋରି ହୋଇଥିବା ନେଇ ବାଲୁଗାଁ ଥାନାରେ ଏତଲା ଦେଇଥିଲେ। ତେବେ ଏନେଇ ତଦନ୍ତ ଜାରି ରହିଥିବା ବେଳେ ଆଜି ୪ଟି ଚୋରି ମୋବାଇଲ ସହ ଅଭିଯୁକ୍ତକୁ ଗିରଫ କରିବାରେ ବାଲୁଗାଁ ପୋଲିସ ସଫଳତା ହାସଲ କରିଛି।

Categories
ଆଞ୍ଚଳିକ

ଖାଦ୍ୟ ସୁରକ୍ଷା ପକ୍ଷରୁ ବାଲୁଗାଁ ମାଛ ଗୋଦାମରେ ଅଚାନକ ଚଢ଼ାଉ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଲୁଣା ହ୍ରଦ ଚିଲିକା ତଟବର୍ତ୍ତୀ ବାଲୁଗାଁ ସହର ଚିଲିକା ମାଛ, ଚିଙ୍ଗୁଡି ଓ କଙ୍କଡା ପାଇଁ ପ୍ରସିଦ୍ଧି ଲାଭ କରିଛି। ମାତ୍ର ଦିନକୁଦିନ ବାଲୁଗାଁ ଅଞ୍ଚଳରେ ଚିଲିକା ମାଛ, ଚିଙ୍ଗୁଡି ହ୍ରାସ ପାଉଥିବା ବେଳେ ବାହାର ରାଜ୍ୟର ମାଛ, ଚିଙ୍ଗୁଡି ପ୍ରବଳ ମାତ୍ରାରେ କାରବାର ହେଉଥିବା ଦେଖିବାକୁ ମିଳୁଛି। ପ୍ରତ୍ୟହ ଚିଲିକାରୁ ଆମଦାନୀ ମାଛ, ଚିଙ୍ଗୁଡି, କଙ୍କଡା ଉଚ୍ଚା ଦରରେ ବାହାର ରାଜ୍ୟକୁ ପଠାଯାଉଛି। ଯାହାକି ଚିଲିକାରୁ ହେଉ ଅବା ବାହାରୁ ଆସୁଥିବା ମାଛ, ଚିଙ୍ଗୁଡି ସପ୍ତାହେ ଧରି ସତେଜ କିପରି ରହୁଛି ଏବଂ ନିଶ୍ଚିତ ଭାବେ କୌଣସି ରସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବା ନେଇ ଖାଉଟି ମାନେ ବାରମ୍ବାର ଅଭିଯୋଗ କଲେ ସୁଦ୍ଧା ସମ୍ପୃକ୍ତ ବେପାରୀମାନେ ଏହାକୁ କର୍ଣ୍ଣପାତ ନକରି ଲାଭବାନ ଆଶାରେ ବେପାର କରିଆସୁଛନ୍ତି। ଯାହାଫଳରେ ମରଣକୁ ଆମନ୍ତ୍ରିତ କରାଯାଉଥିବା ଖାଉଟିମାନେ କହିଛନ୍ତି।

ଏହିପରିପ୍ରେକ୍ଷୀରେ ଆଜି ସକାଳୁ ଖୋର୍ଦ୍ଧା ସିଡ଼ିଏମଓ ଡା ଆର୍ତ୍ତବନ୍ଧୁ ନାୟକଙ୍କ ନିର୍ଦ୍ଦେଶ ମୁତାବକ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବାଲୁଗାଁ ମାଛ ଗୋଦାମ ଅଞ୍ଚଳରେ ଅଚାନକ ଚଢ଼ାଉ ହେଇଛି। ଚଢ଼ାଉ ବେଳେ କେତେକ ମାଛ ଗୋଦାମରୁ ମାଛ ଜବତ କରି ପରୀକ୍ଷା ପାଇଁ ଲାବୋରଟାରୀକୁ ପଠାଯିବା ସହ ବେପାର କରୁଥିବା ମାଲିକଙ୍କ ଲାଇସେନ୍ସ ଏବଂ ଗ୍ରାହକଙ୍କୁ ସଚେତନତା କରିବା ନେଇ ତାଗିଦ କରାଯାଇଛି।

ଉକ୍ତ ଚଢ଼ାଉରେ ଟାଙ୍ଗୀ ଖାଦ୍ୟ ସୁରକ୍ଷା ଅଧିକାରୀ ଦେବାଶିଷ ବଳଙ୍କ ସମେତ ଚାରି ଜଣିଆ ଟିମ ସାମିଲ ଥିଲେ। ଯଦି ମାଛ, ଚିଙ୍ଗୁଡିରେ କୌଣସି ରାସାୟନିକ ପଦାର୍ଥ ବ୍ୟବହାର କରାଯାଉଥିବା ସୂଚନା ମିଳେ ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଶ୍ରୀ ବଳ କହିଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁରେ ସଂପର୍କରୁ ସମର୍ଥନ ଅଭିଯାନରେ ସାମିଲ ହେଲେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ନିର୍ବାଚନ ମଣ୍ଡଳୀ ଭାରତୀୟ ଜନତା ପାର୍ଟି ପକ୍ଷରୁ ସଂପର୍କରୁ ସମର୍ଥନ ଅଭିଯାନ ପଦଯାତ୍ରା ବାଲୁଗାଁରେ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ,ରାଜ୍ୟ ସାଧାରଣ ସମ୍ପାଦକ ପୃଥିବୀରାଜ ହରିଚନ୍ଦନ ତଥା ଖୋର୍ଦ୍ଧା ଜିଲ୍ଲାର ଅନେକ ବରିଷ୍ଠ ନେତା ସାମିଲ ହେଲେ। ସମ୍ବିତ ପାତ୍ର ବାଲୁଗାଁରେ ଅବସ୍ଥିତ ମାଛ ବଜାରରେ ସ୍ଥାନୀୟ ଚିଙ୍ଗୁଡ଼ି ଚାଷୀ ଓ ବ୍ୟବସାୟୀ ତଥା ସ୍ଥାନୀୟ ଲୋକଙ୍କ ସହିତ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଦିଗରେ ଚର୍ଚ୍ଚା କରିଥିଲେ।

ଏହା ସହିତ ବାଲୁଗାଁ ରୋଟାରୀ କ୍ଲବର ପ୍ରମୁଖ ବ୍ୟକ୍ତି ତଥା ଅଞ୍ଚଳର ବିଭିନ୍ନ ସାମାଜିକ ସଙ୍ଗଠନ ଓ ବ୍ୟବସାୟୀଙ୍କ ସହ ବୈଠକ କରି ବିଭିନ୍ନ ଅଞ୍ଚଳର ବିଭିନ୍ନ ସାମାଜିକ ହିତ ବିଷୟରେ ଆଲୋଚନା କରିଥିଲେ ସମ୍ବିତ ପାତ୍ର। ବାଲୁଗାଁରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୋଦି ସରକାରଙ୍କ ଦ୍ଵାରା ୯ ବର୍ଷରେ ହେଇଥିବା ବିଭିନ୍ନ ବିକାଶମୁଲକ କାର୍ଯ୍ୟ ବିଷୟରେ ପ୍ରଚାର ପତ୍ର ଘରେ ଘରେ ବଣ୍ଟନ କରାଯିବା ସହିତ ମୋଦି ସରକାରଙ୍କ ବିଭିନ୍ନ ଲୋକ ହିତକାରୀ ଯୋଜନା ବିଷୟରେ ବାଲୁଗାଁବାସୀଙ୍କୁ ଅବଗତ କରାଯାଇଛି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ମଝିରେ ଅଘଟଣ: ମାଛ ଧରିବା ବେଳେ ବଜ୍ରାଘାତରେ ଚାଲିଗଲା ବାପା ପୁଅଙ୍କ ଜୀବନ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଚିଲିକା ମଝିକୁ ମାଛ ଧରିବା ପାଇଁ ଯାଇଥିବା ବାପ ପୁଅଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରୀରେ ବାଲୁଗାଁ ଏନଏସି ଶାନ୍ତିନଗର ବାସିନ୍ଦା ଧୀବର ବିଧାନ ବିଶ୍ୱାସ (୬୦) ଓ ପୁତ୍ର ଉତ୍ତମ ବିଶ୍ୱାସ (୩୦) ଚିଲିକାକୁ ମାଛ ଧରିବା ପାଇଁ ଯାଇଥିଲେ। ହେଲେ ସେହି ସମୟରେ ଭୟଙ୍କ ଉପରକୁ ବଜ୍ରାଘାତ ହୋଇଥିଲା, ଫଳରେ ଘଟଣାସ୍ଥଳରେ ବାପ ପୁଅଙ୍କ ମୃତ୍ୟୁ ହୋଇଥିଲା। ସକାଳେ ପରିବାରବର୍ଗ ଏହା ଜାଣିପାରି ଉଭୟଙ୍କ ଶବ ଚିଲିକାରୁ ଉଦ୍ଧାର କରି ବର୍ତ୍ତମାନ ଗ୍ରାମରେ ରଖିଛନ୍ତି। ସେଠାରେ ବାଲୁଗାଁ ପୋଲିସ ଉପସ୍ଥିତ ଥିବାବେଳେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଞ୍ଚଳିକ

ବାଲୁଗାଁ ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନରୁ ଖସି ଦୁଇ ଶ୍ରମିକ ଆହତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ରେଳ ଷ୍ଟେସନ ନିକଟରେ ଗତକାଲି ରାତିରେ ଏକ ଅଘଟଣ ଘଟିଯାଇଛି। ଚଳନ୍ତା ଟ୍ରେନରୁ ଦୁଇ ଜଣ ଶ୍ରମିକ ପଡ଼ି ଆହତ ହୋଇଥିବାର ଜଣାପଡିଛି। ଆହତ ଶ୍ରମିକ ଦ୍ବୟ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଅଭିରାମ ଦୋରା (୫୫) ଏବଂ ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଞ୍ଚଳର ହରି ବେହେରା (୩୩)।

ଆରପିଏଫ ସୂଚନା ମୁତାବକ ଗତକାଲି ରାତିରେ ପୁରୀ-ଚେନ୍ନାଇ ସାପ୍ତାହିକ ସୁପରଫାଷ୍ଟ ଟ୍ରେନଟି ବାଲୁଗାଁରୁ ଛାଡିବାର ଏକ କିଲୋମିଟର ପରେ ଉକ୍ତ ଦୁଇ ଶ୍ରମିକ କୌଣସି କାରଣବଶତଃ ଟ୍ରେନରୁ ଖସି ପଡିଥିଲେ। ଖବର ପାଇ ବାଲୁଗାଁ ଏସପିଏଫ ଟିମ ଦୀର୍ଘ ସମୟ ଛାନବିନ କରିବା ପରେ ଉଭୟଙ୍କୁ ଠାବ କରିଥିଲେ।

ତେବେ ଅଭିରାମଙ୍କ ଶରୀରରେ ଏକାଧିକ ଆଘାତ ଲାଗିଥିବା ବେଳେ ହରି ସାମାନ୍ୟ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଆରପିଏଫ ଏକ ମାମଲା ରୁଜୁ କରି ଉଭୟ ଆହତଙ୍କୁ ବ୍ରହ୍ମପୁର ମେଡିକାଲକୁ ପଠାଇଦେଇଛି। ତେବେ ଉଭୟଙ୍କ ମଧ୍ୟରୁ ଜଣେ ଶ୍ରମିକ ନିଶାସକ୍ତ ଅବସ୍ଥାରେ ଥିବା ଜଣାପଡିଛି।

Categories
ଆଞ୍ଚଳିକ

ବାଲୁଗାଁ: ବିଦେଶୀ ମଦ ଜବତ, ବେପାରୀ ଗିରଫ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନାରେ ନୂତନ ଆଇଆଇସି ଭାବେ ଜୟପ୍ରକାଶ ପରିଡ଼ା ଯୋଗ ଦେବା ପରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପକୁ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି ମଦ ଚୋରା ଚାଲାଣ, ବେପରୁଆ ଗାଡ଼ି ଚାଳନା ରୋକିବା ଦିଗରେ ଗୁରୁତ୍ୱ ଦେଉଛନ୍ତି ଆଇଆଇସି ଶ୍ରୀ ପରିଡ଼ା।

ବିଗତ ଦୁଇ ଦିନ ହେବ ବାଲୁଗାଁ ଥାନା ଅଞ୍ଚଳରେ ମଦ ଚଢ଼ାଉ ଜାରି ରହିଥିବା ବେଳେ ବୁଧବାର ଦିନ ୧୮.୬୪୦ ଲିଟର ବିଦେଶୀ ମଦ ଜବତ ହୋଇଛି। ଏହି ପରିପ୍ରେକ୍ଷୀରେ ବ୍ରଜରାଜପୁର ଗ୍ରାମର ଅଭିଯୁକ୍ତ କେଦାର ବେହେରା (୫୫) ଗିରଫ ହୋଇଛନ୍ତି।

ସେହିପରି ଭାବେ ଦୁଇ ଦିନ ମଧ୍ୟରେ ତିନି ଗୋଟି ମଦ ଜନିତ ମାମଲା ରୁଜୁ ହୋଇଥିବା ବେଳେ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଅନୁରୂପ ଭାବେ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଠାରୁ ଏକ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ପାଞ୍ଚ ଗୋଟି ୱାରେଣ୍ଟ ଗିରଫ ହୋଇଥିବାର ଆଇଆଇସି ଶ୍ରୀ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଞ୍ଚଳିକ

ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଲେ ବିଶ୍ୱ ବ୍ୟାଙ୍କର ପ୍ରତିନିଧି ଦଳ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ଅପରାହ୍ନରେ ବିଶ୍ୱ ବ୍ୟାଙ୍କର ଏକ ପ୍ରତିନିଧି ଦଳ ସୁଦୂର ନୂଆଦିଲ୍ଲୀରୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ଉକ୍ତ ଟିମ ସହ ଓସେପା ଉପ ନିର୍ଦ୍ଦେଶକ, ପ୍ରାଥମିକ ଶିକ୍ଷା ନିର୍ଦେଶାଳୟର ଯୁଗ ନିର୍ଦ୍ଦେଶିକା, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ତରାଇ, ବିଇଓ ସନାତନ ଜାଲୀ ଏବଂ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ସିଆରସିସି ମାନେ ଉପସ୍ଥିତ ଥିଲେ।

ଉକ୍ତ ଟିମ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ବିଭାଗରେ ଅଧ୍ୟୟନ କରୁଥିବା ବିଭିନ୍ନ ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ବିନିମୟ କରିଥିଲେ। ତତସହିତ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷାର ବିକାଶ ଦିଗରେ ପଦକ୍ଷେପ ନେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ଏନଏସି ଅଧ୍ୟକ୍ଷାଙ୍କ ଦ୍ବାରା ପାନୀୟ ଜଳ ପାଇପ ଲାଇନର ହେଲା ଶୁଭ ଉଦଘାଟନ

ସୀତାରାମ ଅଗ୍ରୱାଲ

ବାଲୁଗାଁ:  ବାଲୁଗାଁ ଏନଏସି ଏକ ନମ୍ବର ୱାର୍ଡ ଅନ୍ତର୍ଗତ ପାଟଶାଣୀ କଲୋନୀ ଠାରେ ବାଲୁଗାଁ ଏନଏସି ନଗରପାଳିକା ଶ୍ରୀମତୀ ସୁକାନ୍ତି ପାଇକରାୟ ଙ୍କ ଦ୍ୱାରା ନୂତନ ପାନୀୟ ଜଳ ପାଇପ ଲାଇନ ର ଶୁଭ ଉଦଘାଟନ ହୋଇଅଛି।

ଏଥିରେ ବାଲୁଗାଁ ଏନଏସି ବିଜେଡି ସଭାପତି ଶ୍ରୀ ଜୟନ୍ତ ସ୍ୱାଇଁ, ଭାଇସ ଚେୟାରମ୍ୟାନ ଶ୍ରୀ ଭଗବାନ ପ୍ରଧାନ, ଏମପି ପ୍ରତିନିଧି ଶ୍ରୀ ଅକ୍ଷୟ ରଣସିଂହ, କାଉନସିଲର ଶ୍ରୀ ଅଭିମନ୍ୟୁ ସ୍ୱାଇଁ, ଶ୍ରୀ ଲଷ୍ମୀଧର ସେଠି, ଶ୍ରୀମତୀ ସୁଜାତା ପଣ୍ଡା, ମମତା ପଣ୍ଡା, ଅନିତା ସ୍ୱାଇଁ, ବିଜେଡି ର ଅନେକ ବରିଷ୍ଠ ନେତା, କର୍ମୀ, ଛାତ୍ର ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁରେ ମହିଳାଙ୍କ ଆତ୍ମହତ୍ୟା!, ଯୌତୁଜଜନିତ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ବାପା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡି ନିକଟସ୍ଥ ନୀଳାଦ୍ରି ବିହାର ଅଞ୍ଚଳରେ ଜଣେ ମହିଳା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାମ ରୋଜିରାଣୀ ମାଝୀ (୩୫)। ତାଙ୍କ ବାପ ଘର ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଗ୍ରାମ ହୋଇଥିବା ବେଳେ ୧୨ ବର୍ଷ ପୂର୍ବେ ଡୁଙ୍ଗମାଳ ପଞ୍ଚାୟତ ନୀଳାଦ୍ରିବିହାରର କୈଳାଶ ମାଝୀଙ୍କ ପୁତ୍ର ରୋହିତ କୁମାର ମାଝୀଙ୍କୁ ବିବାହ କରିଥିଲେ।

ତେବେ ଗତକାଲି ବିଳମ୍ବିତ ରାତ୍ରିରେ ରୋଜି ଘର ପଙ୍ଖାରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ରୋଜିଙ୍କ ପରିବାରବର୍ଗ ଶ୍ୱଶୁର ଘରେ ପହଞ୍ଚିଥିଲେ। ତେବେ ରୋଜିଙ୍କ ପିତା ଖଲି ଜେନା ଅଭିଯୋଗ କରିଛନ୍ତି କି ତାଙ୍କୁ ସଦାବେଳେ ସ୍ୱାମୀ ଓ ଶ୍ୱଶୁର ଘରେ ଲୋକେ ଯୌତୁକ ଜନିତ ନିର୍ଯ୍ୟାତନା ଦେଇ ଆସୁଥିଲେ ଯାହାଫଳରେ ରୋଜି ମାନସିକ ଚାପରେ ଥାଇ ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନେଇଛନ୍ତି।

ଅଭିଯୋଗ ଆଧାରରେ ବାଲୁଗାଁ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଦେଇଛି। ବର୍ତ୍ତମାନ ଘଟଣାସ୍ଥଳରେ ଚିଲିକା ତହସିଲଦାରଙ୍କ ଉପସ୍ଥିତିରେ ରୁମ କବାଟ ଭାଙ୍ଗି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି ପୋଲିସ।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ମାଡ଼ିଲାଣି ଆଖିଧରା ରୋଗ, ଜରୁରୀ ହୋଇପଡିଛି ସଚେତନତା

ସୀତାରାମ ଅଗ୍ରୱାଲ

ବାଣପୁର: ବାଣପୁର ଓ ବାଲୁଗାଁରେ ମାଡିଗଲାଣି ଆଖିଧରା ରୋଗ। ଆଜିକାଲି ଏହା ସମସ୍ତଙ୍କୁ ସଂକ୍ରମିତ କରିବାରେ ଲାଗିଛି। ଗାଁ ଗହଳିରୁ ସହର ପର୍ଯ୍ୟନ୍ତ ସୁବୁଆଡେ ରୋଗୀ। ଏପରି ହେଉଛି ଯେ, ଦିନକୁ ଶତାଧିକ ରୋଗୀଙ୍କର ନାମ ଡାକ୍ତରଖାନାରେ ରେଜିଷ୍ଟ୍ରସନ ହେଉଛି। ସ୍କୁଲ ଓ କଲେଜ ପିଲାଙ୍କୁ ବି ଉକ୍ତ ରୋଗ ବହୁଳ ମାତ୍ରାରେ ଆକ୍ରାନ୍ତ କଲାଣି।

ସଚେତନତା ଅଭାବରୁ ଏବଂ ରୋଗୀମାନଙ୍କ ଅସାବଧାନତା କାରଣରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଜଣାଯାଇଛି। ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହାର ପ୍ରତିକାର ପାଇଁ ମେଡିକାଲରେ ରୋଗୀଙ୍କୁ ଆଇଡ୍ରପ ଦିଆଯାଉଛି। ହେଲେ ବର୍ତ୍ତମାନ ଔଷଧର ଅଭାବ ଦେଖାଦେଇଥିବାରୁ ଖୋଲା ବଜାରରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଆଇଡ୍ରପ କିଣି ରୋଗୀମାନଙ୍କୁ ଦେଉଥିବାର କହିଛନ୍ତି ମେଡିକାଲ ଅଧିକାରୀ ଡ଼ା ରମାକାନ୍ତ ନାୟକ।

ତେବେ ଆଖିଧରା ରୋଗ ଆଗରୁ ଥିଲା,ଏବେ ଅଛି ଏବଂ ଭବିଷ୍ୟତରେ ନିଶ୍ଚୟ ରହିବ। ଏହି ରୋଗ ଛୁଇଁବା ଦ୍ୱାରା ଗୋଟିଏ ରୋଗୀଠାରୁ ଅନ୍ୟ ବ୍ୟକ୍ତିକୁ ସଂକ୍ରମଣ ହୋଇଥାଏ। ଏହି ରୋଗକୁ କଂଜକ୍ଟିଭାଇଟିସ କୁହାଯାଏ। ଏହା ଏକ ଡିଆଁ ରୋଗ କି ଉଡ଼ା ରୋଗ ନୁହେଁ। ଏହି ରୋଗ ରୋଗୀ ନିଜ ଆଖିକୁ ହାତମାରି ବ୍ୟବହାର କରୁଥିବା ଯେକୌଣସି ବସ୍ତୁକୁ ଯଥା ମୋବାଇଲ,ଲାପଟପ,ବାସନକୁସନ ଏବଂ ବସ୍ତ୍ର ଯାହାକୁ ବି ଛୁଇଁଲେ ହେବା ନିଶ୍ଚିତ ବୋଲି ବାଣପୁର ଅଞ୍ଚଳର ଜନୈକ ଡାକ୍ତର କହିଛନ୍ତି।

ତେବେ ଯଦି ଆଖି ଧରିଥିବା ରୋଗୀଟି ଅନ୍ୟ ସଂସ୍ପର୍ଶରେ ନ ଆସିବ ଏହି ରୋଗ ଅଟକି ଯାଇପାରେ। ଏଥିପ୍ରତି ବାଣପୁର ଓ ବାଲୁଗାଁ ମେଡିକାଲ ପକ୍ଷରୁ ସଚେତନତା ଅଭିଯାନ କରାଯିବାର ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି।

Categories
ଅପରାଧ ଆଞ୍ଚଳିକ

ବାଲୁଗାଁ: ଏସିଡ୍‌ମାଡ଼ ଘଟଣାରେ ଜଣେ ଗିରଫ

ସୁଧାକର ମିଶ୍ର

ନୟାଗଡ଼: ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁରେ ଘଟିଥିବା ଏସିଡ୍‌ମାଡ ଘଟଣାରେ ପୋଲିସ ଶନିବାର ଦିନ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବଣିଆସାହିର ବିଜୟ ପୃଷ୍ଟି।

ପ୍ରକାଶ ଯେ, ଇଟାମାଟି ଥାନା ଚମ୍ପତିପୁର ଗ୍ରାମର ମାନସ ସାଥୁଆଙ୍କ ଭଉଣୀ ଲକ୍ଷ୍ମୀପ୍ରିୟା ସଦରଥାନା ବାଲୁଗାଁର ବିଜୟ ପୃଷ୍ଟିଙ୍କୁ ବିବାହ କରିଥିଲେ। ବିଜୟ ଅନେକ ସମୟରେ ଲକ୍ଷ୍ମୀଙ୍କୁ ନିର୍ଯ୍ୟାତନା ଦେଉଥିଲେ। ଏନେଇ ଲକ୍ଷ୍ମୀ ଥାନାରେ ବିଭିନ୍ନ ସମୟରେ ଅଭିଯୋଗ କରିବା ପରେ ସମାଧାନ ହୋଇଥିଲା।

ଦୁଇଦିନ ତଳେ ବିଜୟ ପୁଣିଥରେ ଲକ୍ଷ୍ମୀକୁ ମାଡ ମାରିବାରୁ ସେ ଥାନାରେ ଅଭିଯୋଗ କରିବା ସହ ଘରକୁ ପଳାଇ ଯାଇଥିଲେ। ଗତକାଲି ମାନସ ବାଲୁଗାଁକୁ ସାର ନେବାକୁ ଆସି ଗାଁକୁ ଫେରୁଥିବା ବେଳେ ବିଜୟ ଏବଂ ଅନ୍ୟ ଦୁଇଜଣ ପୂର୍ବରୁ ପ୍ରସ୍ତୁତ ହୋଇ ଶିବମନ୍ଦର ପଛପଟେ ଲୁଚିଥିଲେ। ସେ ଆସିବା ଦେଖି ହଠାତ୍ ତାଙ୍କ ପଛପଟକୁ ଏସିଡ୍ ଫୋପାଡିଥିଲେ।

ସ୍ଥାନୀୟ ଲୋକେ ମାନସଙ୍କୁ ଡାକ୍ତରଖାନା ପଠାଇଥିଲେ ହେଲେ, ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିଲା।

ସଦରଥାନା କେସ୍ ନଂ ୧୧୮/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ସଦରଥାନା ଆଇଆଇସି ଅନିତା ସାହୁ ସୂଚନା ଦେଇଛନ୍ତି। ସଦରଥାନାରେ ମାମଲା ରୁଜୁ କରିବାର ୧୨ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରାଯାଇଛି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରୁ ଡକାୟତି ମାମଲା: ବନ୍ଧା ହେଲା ଆଉ ଜଣେ ଅଭିଯୁକ୍ତ, ଗିରଫ ସଂଖ୍ୟା ୭କୁ ବୃଦ୍ଧି

ସୀତାରାମ ଅଗ୍ରୱାଲ

ଚିଲିକା: ନିକଟରେ ବାଣପୁର-ବାଲୁଗାଁ ପୋଲିସ ମିଳିତ ଭାବେ ଶାଳିଆ ଡ୍ୟାମ ଠାରେ ବଡ ଧରଣର ଡକାୟତି ଯୋଜନା ପଣ୍ଡ କରିଥିବା ବେଳେ ୬ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିଥିଲା। ତେବେ ଉକ୍ତ ଗ୍ୟାଙ୍ଗର ଅନ୍ୟ ତିନି ଅଭିଯୁକ୍ତ ଫେରାର ହୋଇଯାଇଥିବା ଖୋର୍ଦ୍ଧା ଏସପି ପ୍ରେସ ମିଟ ଜରିଆରେ ସୂଚନା ଦେଇଥିଲେ।

ବାଣପୁର ପୋଲିସ ଉକ୍ତ ତିନି ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିବା ବେଳେ ଗତକାଲି ରାତିରେ ଜଣେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ଜଣକ ନିରାକାରପୁର ଥାନା ଖଜୁରୀପଡା ଗ୍ରାମର ବବୁଲ ଖାନ ଓରଫ ଫିରୋଜ ଶାହ ବୋଲି ଜଣାପଡିଛି।

ବବୁଲଙ୍କୁ ବାଣପୁର ପୋଲିସ ବାଲୁଗାଁ ଷ୍ଟେସନ ପରିସରରୁ ଗିରଫ କରିଥିବା ଜଣାପଡିଛି।  ତେବେ ଖୁବଶୀଘ୍ର ଫେରାର ଥିବା ଅନ୍ୟ ଦୁଇ ଅଭିଯୁକ୍ତ ଗିରଫ ହେବେ ବୋଲି ଆଇଆଇସି ଜୟପ୍ରକାଶ ପରିଡ଼ା ସୂଚନା ଦେଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲା ପୋଲିସରେ ବଡ ଅଦଳବଦଳ, ୧୦ ଇନ୍ସପେକ୍ଟର ଜିଲ୍ଲା ପାର

ଖୋର୍ଦ୍ଧା: ସାଧାରଣ ନିର୍ବାଚନ ନିକଟତର ଥିବାବେଳେ ନିର୍ବାଚନ କମିଶନରଙ୍କ ନିୟମ ମୁତାବକ ଆଜି କେନ୍ଦ୍ରାଞ୍ଚଳ ଆଇଜି ଇନ୍ସପେକ୍ଟର ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି । ଗୋଟିଏ ଜିଲ୍ଲାରେ ତିନି ବର୍ଷ କିମ୍ବା ଉକ୍ତ ଜିଲ୍ଲାରେ ୨୦୧୯ ମସିହା ସାଧାରଣ ନିର୍ବାଚନ ସମୟରେ ରହିଥିବା ପୋଲିସ ଅଧିକାରୀଙ୍କ ବଦଳି ହୋଇଛି ।

କେନ୍ଦ୍ରାଞ୍ଚଳ ଅଧୀନରେ ଥିବା କଟକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ନୟାଗଡ଼ ଓ ଖୋର୍ଦ୍ଧା ଜିଲ୍ଲାର ଇନ୍ସପେକ୍ଟର ସ୍ତରରେ ବଡ଼ ଅଦଳବଦଳ ହୋଇଛି । ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲାର ୧୦ ଇନ୍ସପେକ୍ଟରଙ୍କ ଅନ୍ୟ ଜିଲ୍ଲାକୁ ବଦଳି ହୋଇଛି ।

ବଦଳି ହୋଇଥିବା ଅଧିକାରୀ ମାନେ ହେଲେ ଟାଙ୍ଗୀ ଆଇଆଇସି ଦିଗବିଜୟ ବିଶ୍ୱାଳ ନୟାଗଡ଼ ଜିଲ୍ଲା ,ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ ଜଗତସିଂହପୁର ଜିଲ୍ଲା, ବାଲୁଗାଁ ଅତିରିକ୍ତ ଆଇଆଇସି ରଶ୍ମିବାଳା ସେଠି ଜଗତସିଂହପୁର ଜିଲ୍ଲା,ବୋଲଗଡ଼ ଆଇଆଇସି ରଶ୍ମିରଞ୍ଜନ ସାହୁ ନୟାଗଡ଼ ଜିଲ୍ଲା,ସଦର ଆଇଆଇସି ବିଦିତା ନାୟକ ପୁରୀ ଜିଲ୍ଲା, ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ପୁରୀ ଜିଲ୍ଲା, ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର କବିତା ସାହୁ ପୁରୀ ଜିଲ୍ଲା, ଅର୍ଚନା ମଲିକ କଟକ ଜିଲ୍ଲା,ଲକ୍ଷ୍ମୀପ୍ରସାଦ ଶତପଥୀ ପୁରୀ ଜିଲ୍ଲା ଏବଂ ବିଜୟିନୀ ମଲ୍ଲଙ୍କ କେନ୍ଦ୍ରାପଡ଼ା ଜିଲ୍ଲାକୁ ବଦଳି ହୋଇଛି ।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁ ଅଞ୍ଚଳରେ ବଡ ଧରଣର ଡକାୟତ ଯୋଜନା ପଣ୍ଡ, ୬ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଓ ବାଲୁଗାଁ ଥାନା ଅଞ୍ଚଳରେ କିଛି ଦିନ ହେବ କ୍ରମାଗତ ଭାବେ ଲୁଟ, ଡକାୟତି ବଢୁଥିବା ବେଳେ ପୋଲିସ ପାଇଁ ଏହା ଚ୍ୟାଲେଞ୍ଜ ପାଲଟିଯାଇଛି। ଖୋର୍ଦ୍ଧା ଏସପି ଏହାକୁ ଗୁରୁତର ସହ ନେଇଛନ୍ତି ଏବଂ ଏସପି ଙ୍କ ନିର୍ଦ୍ଦେଶକ୍ରମେ ବାଣପୁର ଓ ବାଲୁଗାଁ ପୋଲିସ ଦ୍ୱାରା ବିଭିନ୍ନ ଟିମ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।

ତେବେ ଉକ୍ତ ଚଢ଼ାଉରେ ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ ହୋଇଥିବା ଆଜି ଅପରାହ୍ନରେ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ବାଣପୁର ଥାନା ପରିସରରେ ଏକ ପ୍ରେସ ମିଟ ଜରିଆରେ ସୂଚନା ଦେଇଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ବାଲୁଗାଁ ଥାନା ନୂଆଗଡ ଅଞ୍ଚଳର ମାନସ ପଲେଇ (୨୮) ଓରଫ ଚାନ୍ଦୁ, ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ଜିତେନ୍ଦ୍ର ପ୍ରଧାନ (୨୦) ଓ ଶିବରାମ ନାହାକ(୨୬) ଓରଫ ମୁନା, ବାଣପୁର ଥାନା ଅଞ୍ଚଳର ଆଦିତ୍ୟ ପ୍ରସାଦ ସୁବୁଦ୍ଧି (୨୦) ଓରଫ ଆଦି ଓ ସନ୍ତୋଷ ବସ୍ତି (୨୨) ଏବଂ ନିରାକାରପୁର ଥାନା ଅଞ୍ଚଳର ଶେଖ ଅରବାଜ (୨୦) ଓରଫ ନଟୁ। ସେମାନଙ୍କ ନିକଟରୁ ଗୋଟାଏ ଚାଇନା ପିସ୍ତଲ, ଦୁଇ ଗୋଟି ଖଣ୍ଡା, ଦୁଇ ଗୋଟି ବାଇକ, ବିଅର ବୋତଲ, ଚିଲି ପାଉଡର ଏବଂ ରୁମାଲ ଜବତ କରିଛି ପୋଲିସ।

ଏସପି ଙ୍କ ସୂଚନା ମୁତାବକ ଅଭିଯୁକ୍ତ ମାନସ ଜଣେ ପେସାଦାର ନିଶା ବେପାରି ଥିବା ବେଳେ ନିକଟରେ ଖୋର୍ଦ୍ଧା ପୋଲିସର ବାରମ୍ବାର ଚଢ଼ାଉ ଫଳରେ ମାନସ ନିଶା ବେପାର ଛାଡି ଚୋରି, ଡକାୟତି, ଛୀନତାଇ ଆଦି ଅପରାଧିକ କାର୍ଯ୍ୟକଳାପ ବାଣପୁର, ବାଲୁଗାଁ ଓ ଖଲିକୋଟ ଅଞ୍ଚଳରେ କରିବା ପାଇଁ ଏକ ଗ୍ୟାଙ୍ଗ ଗଠନ କରିଥିଲେ। ଏପରିକି କିଛି ଦିନ ହେବ ଏହି ଗ୍ୟାଙ୍ଗ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ଭିଆଉଥିଲେ।

ତେବେ ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କ ତତ୍ତ୍ବାବଧାନରେ ବାଣପୁର, ବାଲୁଗାଁ ଓ ନାଚୁଣୀ ଆଇଆଇସି ଏକ ଟିମ ଗଠନ କରି ଉକ୍ତ ଗ୍ୟାଙ୍ଗକୁ ଧରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ତେବେ ଗତ କାଲି ନାଇଟ ପାଟ୍ରୋଲିଂ କରୁଥିବା ବେଳେ ଅଭିଯୁକ୍ତ ମାନସ ପଲେଇ ଓ ଗ୍ୟାଙ୍ଗ ଶାଳିଆ ଡ୍ୟାମ ନିକଟସ୍ଥ ଏକ ଘରେ ଡକାୟତି କରିବା ପାଇଁ ଏକତ୍ରିତ ହୋଇଥିବାର ଖବର ପାଇଥିଲା ପୋଲିସ। ରାତି ୨.୩୦ ରେ ଉଭୟ ବାଣପୁର ଓ ବାଲୁଗାଁ ପୋଲିସର ଟିମ ଉକ୍ତ ସ୍ଥାନରେ ପହଞ୍ଚି ସମ୍ପୃକ୍ତ ଘରକୁ ଘେରାଉ କରିଥିଲେ। ଏହାଦେଖି ଅଭିଯୁକ୍ତ ମାନେ ପୋଲିସ ଉପରକୁ ମାରଣାସ୍ତ୍ରରେ ଆକ୍ରମଣ କରିବାକୁ ପଛାଇନଥିଲେ। କିନ୍ତୁ ପୋଲିସ ପରିଶେଷରେ ଉକ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ୩ ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ତେବେ ଉକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ଏକାଧିକ ଅପରାଧିକ ମାମଲା ଥିବା ଏସପି କହିଛନ୍ତି। ଆଜିର ପ୍ରେସ ମିଟରେ ଏସପି ଙ୍କ ସମେତ ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ବାଣପୁର ଆଇଆଇସି ଜୟପ୍ରକାଶ ପରିଡ଼ା, ବାଲୁଗାଁ ଆଇଆଇସି ରଶ୍ମିରଞ୍ଜନ ଦାସ, ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନା ଆଦି ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ବାଲୁଗାଁ ମଙ୍ଗେଇ ପୋଖରୀରେ ବୁଡି ମହିଳା ମୃତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସାନ୍ତରାପୁର ସହିଦ ନଗରରେ ଅଭାବନୀୟ ଘଟଣା ଘଟିଯାଇଛି। ବାବୁ ପଣ୍ଡାଙ୍କ ସ୍ତ୍ରୀ ଟିକିନି ପଣ୍ଡା (୩୫) ନିକଟସ୍ଥ ମଙ୍ଗେଇ ପୋଖରୀରେ ଗାଧୋଉ ଥିବାବେଳେ ଅସାବଧାନତା ବଶତଃ ତାଙ୍କର ଗୋଡ ଖସି ଯିବାରୁ ପୋଖରୀ ମଧ୍ୟକୁ ପଶି ଯାଇଥିଲେ। ସେଠାରେ ଅନ୍ୟ ଜଣେ ମହିଳା ତାଙ୍କୁ ଦେଖି ସ୍ଥାନୀୟ କିଛି ବ୍ୟକ୍ତିଙ୍କୁ ଡାକିଥିଲେ। ହେଲେ କିଛି ଲୋକ ପୋଖରୀ ମଧ୍ୟରେ ଖୋଜାଖୋଜି କରିଥିଲେ ସୁଦ୍ଧା କୌଣସି ସୁଫଳ ନମିଳିବାରୁ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଖବରପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପୋଖରୀରେ ବହୁ ସମୟ ଧରି ଖୋଜାଖୋଜି କରିବାପରେ ମହିଳାଙ୍କୁ ପାଇ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ମାତ୍ର ଡାକ୍ତର ସେଠାରେ ମହିଳାଙ୍କୁ ମୃତ ଘୋଷଣା କରିଛନ୍ତି।

Categories
ଆଞ୍ଚଳିକ

ବାଣପୁର-ବାଲୁଗାଁରେ ଚଢା ଦରରେ ବିକ୍ରି ହେଉଛି ପରିବା, ଖାଉଟି ହନ୍ତସନ୍ତ, ପ୍ରଶାସନର ନାହିଁ ଲଗାମ

ସୀତାରାମ ଅଗ୍ରୱାଲ

ଚିଲିକା: ଶ୍ରାବଣ ମାସ ଆସିବାକୁ ଆଉ ଦିନ କେଇଟା ବାକି ଅଛି। ହେଲେ ଏହା ପୂର୍ବରୁ ପରିବା ଦର ଆକାଶ ଛୁଆଁ ହୋଇଛି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଓ ବାଲୁଗାଁ ବଜାରରେ ପରିବା ଦର ନାହିଁ ନଥିବା ମୂଲ୍ୟରେ ବିକ୍ରି ହେଉଛି। ଖାଉଟିମାନେ କେଉଁ ପରିବା କେତେ ପରିମାଣର ନେବେ ଦ୍ଵନ୍ଦରେ ପଡୁଥିବା ଦେଖାଯାଇଛି।

ଆଗରୁ କେବଳ ଟମାଟ ଦର ୧୨୦ ଟଙ୍କା ଥିବାବେଳେ ଏବେ ପ୍ରାୟ ସବୁ ପନିପରିବା ଦର ଆକାଶଛୁଆଁ। ବଜାରରେ ପୋଟଳ ୧୦୦ ଟଙ୍କା, ବିନସ ୨୦୦ ଟଙ୍କା, କଲରା ୮୦ ଟଙ୍କା, ଜହ୍ନି ୮୦ଟଙ୍କା, ବାଇଗଣ ୬୦ ଟଙ୍କା ଥିବାବେଳେ ମଧ୍ୟବିତ୍ତ ପରିବାର ବଜାରରୁ ପରିବା କିଣିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।

ପରିବା ବ୍ୟବସାୟୀଙ୍କ କହିବା ମୁତାବକ ସ୍ଥାନୀୟ ଫସଲ ନ ଥିବା କାରଣରୁ, ମାତ୍ର ଶତକଡା ୨୫ ଭାଗ ପନିପରିବା ସ୍ଥାନୀୟ ଫସଲରୁ ଆସୁଛି। ତେଣୁ ଲୋକଙ୍କ ଚାହିଦା ଅନୁଯାୟୀ ପନିପରିବା ନିମନ୍ତେ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପାଇଁ ଚଳିତ ବର୍ଷ ଚାଷୀମାନେ ପରିବା ଫସଲ କରିପାରି ନାହାନ୍ତି। ତେଣୁ ଆଗାମୀ ଦିନରେ ବର୍ଷାହେଲେ ପରିବା ଦର କମିବାର ଆଶା ରଖିଛନ୍ତି ବ୍ୟବସାୟୀ।

ସେପଟେ ପନିପରିବା ଦର ଉପରେ ପ୍ରଶାସନ କୌଣସି ଅଙ୍କୁଶ ଲଗାଇବାର ନିୟମ ନ ଥିବାରୁ ଲାଭଖୋର ବ୍ୟବସାୟୀ ମାନେ ଏହାର ଫାଇଦା ନେଉଛନ୍ତି ବୋଲି ଗ୍ରାହକ ଅଭିଯୋଗ କରିଛନ୍ତି।