Categories
ବିଶେଷ ଖବର

ସାଧାରଣ ନିର୍ବାଚନରେ ବିଜେପି ହାରିଲେ ସେୟାର ବଜାର ୨୫% ହ୍ରାସ ପାଇବ!

ନୂଆଦିଲ୍ଲୀ: ୨୦୨୪ରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନର ଫଳାଫଳ କ’ଣ ହେବ? କ୍ଷମତା ପରିବର୍ତ୍ତନ ହେବ କି ନାହିଁ? ସ୍ଥିର ସରକାର ଆସିବ କି ନାହିଁ ? ଏହିସବୁ ଜିନିଷର ପ୍ରଭାବ ଷ୍ଟକ୍‍ ବଜାର ଉପରେ ମଧ୍ୟ ପଡ଼ିଥାଏ। ମେଣ୍ଟ ଏବଂ ମେଣ୍ଟ ସରକାର ପ୍ରାୟତଃ ଷ୍ଟକ୍‍ ବଜାର ଉପରେ ସକାରାତ୍ମକ ପ୍ରଭାବ ପକାନ୍ତି ନାହିଁ। ଏବେ ଆମେରିକୀୟ ନିବେଶ ବ୍ୟାଙ୍କ ଜେଫରିଜ୍ ଏଲ୍ଏଲ୍‍ସି ପକ୍ଷରୁ ଏକ ଆକଳନ କରାଯାଇଛି। ଜେଫରିଜ୍ ଏଲ୍ଏଲ୍‍ସିର ଗ୍ଲୋବାଲ୍ ହେଡ୍ ଅଫ୍ ଇକ୍ୱିଟି ଷ୍ଟ୍ରାଟେଜି କ୍ରିସ୍ ଉଡ୍ ଏକ ବଡ଼ କଥା କହିଛନ୍ତି। ତାଙ୍କ ମତରେ ଯଦି ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦଳ କ୍ଷମତାକୁ ନ ଆସେ, ତେବେ ଭାରତରେ ଇକ୍ୱିଟି ମାର୍କେଟ ଖରାପ ଭାବେ ହ୍ରାସ ପାଇବ।

ଯଦି ବିଜେପି ହାରିଯାଏ ତେବେ ବଜାର ୨୫% ହ୍ରାସ ପାଇବ

ମୁମ୍ବାଇର ବିଜନେସ୍ ଷ୍ଟାଣ୍ଡାର୍ଡ ଖବରକାଗଜଦ୍ୱାରା ଆୟୋଜିତ ଏକ ଶିଳ୍ପ କାର୍ଯ୍ୟକ୍ରମରେ ଉଡ୍ କହିଛନ୍ତି, ଯଦି ଶାସକ ଭାରତୀୟ ଜନତା ପାର୍ଟି ୨୦୦୪ ଭଳି ଜାତୀୟ ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟର ସମ୍ମୁଖୀନ ହୁଏ, ତେବେ ମୁଁ ଆଶା କରିବି ଯେ ବଜାର ୨୫% କିମ୍ବା ତା’ଠାରୁ ଅଧିକ ହ୍ରାସ ପାଇବ।

ବିଶ୍ୱର ଶ୍ରେଷ୍ଠ ଅଭିବୃଦ୍ଧି କାହାଣୀ

ଉଡ୍ କହିଛନ୍ତି ଯେ ସରକାର ବିଶ୍ୱସ୍ତରୀୟ ଯୋଗାଣ ଲାଇନକୁ ଆକୃଷ୍ଟ କରିବା ପାଇଁ ଉଚ୍ଚାକାଂକ୍ଷୀ ଉତ୍ପାଦନ-ଲିଙ୍କ୍‍ଡ଼ ପ୍ରୋତ୍ସାହନ କାର୍ଯ୍ୟକ୍ରମ (ପିଏଲ୍ଆଇ) ଭଳି ସଂସ୍କାର କାର୍ଯ୍ୟକାରୀ କରିଛନ୍ତି। ଯଦି ବିଜେପି ପୁଣିଥରେ କ୍ଷମତାକୁ ନ ଆସେ ତେବେ ବଡ଼ ଧରଣର ଅବନତି ଘଟିବ, କିନ୍ତୁ ଗତି ଏମିତି ହେବ ଯେ ଏହା ପୁଣି ଥରେ ଫେରିବ। ବିଶ୍ୱରେ ଏବଂ ବିଶେଷ କରି ଏସିଆରେ ଭାରତର ଅଭିବୃଦ୍ଧିର କାହାଣୀ ସବୁଠାରୁ ଭଲ। ନିଶ୍ଚିତ ଭାବରେ ଚୀନର ସମସ୍ୟା ଏହି ମତକୁ ଆହୁରି ମଜବୁତ କରିଛି।

୨୦୦୪ରେ ବଜାର ୨୦% ହ୍ରାସ ପାଇଥିଲା

୨୦୦୪ ମେ’ ମାସରେ ବିଜେପି ନେତୃତ୍ୱାଧୀନ ସରକାର ଜାତୀୟ ନିର୍ବାଚନରେ ଅପ୍ରତ୍ୟାଶିତ ପରାଜୟର ସମ୍ମୁଖୀନ ହେବା ପରେ ଦୁଇ ଦିନ ମଧ୍ୟରେ ଭାରତର ଷ୍ଟକ୍‍ ବଜାର ପ୍ରାୟ ୨୦% ହ୍ରାସ ପାଇଥିଲା। କଂଗ୍ରେସ ନେତୃତ୍ୱାଧୀନ ମେଣ୍ଟ ସରକାର ଦେଶ ଓ ବଜାର ଖୋଲିବା ଉଦ୍ଦେଶ୍ୟରେ ନୀତି ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆଗାମୀ କିଛିଦିନ ମଧ୍ୟରେ ବଜାରରେ କିଛି କ୍ଷତି ଭରଣା ହୋଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ‘ଆମ ଓଡିଶା ନବୀନ ଓଡିଶା’ ଉଦଘାଟନକୁ ବୟକଟ କରିବ ବିଜେପି

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳିର ଉଭୟ ବାଣପୁର ଓ ଚିଲିକା ବ୍ଲକରେ ଆସନ୍ତାକାଲି ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ଭରଚୁଆଲି ଉଦଘାଟନ କରିଵେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥି ନିମନ୍ତେ ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି।

ତେବେ ଉକ୍ତ ଯୋଜନାର କାର୍ଯ୍ୟକାରିତାକୁ ବିରୋଧ କରିବ ବିରୋଧୀ ବିଜେପି। ଏ ନେଇ ଆଜି ନାଚୁଣୀରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ।

ଆସନ୍ତାକାଲି ଉଭୟ ବ୍ଲକରେ କାର୍ଯ୍ୟକ୍ଷମ ହେବାକୁ ଥିବା ‘ଆମ ଓଡିଶା ନବୀନ ଓଡିଶା’ ଯୋଜନାକୁ ବୟକଟ କରିବ ବିଜେପି ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ଚିଲିକା ନିର୍ବାଚନ ମଣ୍ଡଳିର ଉଭୟ ବ୍ଲକର ଦୁଇ ଅଧ୍ୟକ୍ଷ, ଉପାଧ୍ୟକ୍ଷଙ୍କ ସମେତ 23 ଜଣ ବିଜେପି ସମର୍ଥିତ ସରପଞ୍ଚ ଏବଂ 24 ଜଣ ସମିତି ସଭ୍ୟ ଉକ୍ତ ଉଦଘାଟନ କାର୍ଯ୍ୟକ୍ରମକୁ ଯିବେ ନାହିଁ। ତତସହିତ ଉଭୟ ବ୍ଲକରେ ଉକ୍ତ ଯୋଜନାର କାର୍ଯ୍ୟକାରିତାକୁ ବିରୋଧ କରିବେ।

ଦରକାର ପଡ଼ିଲେ ଆନ୍ଦୋଳନକୁ ଓଲ୍ହାଇବା ସହ ନ୍ୟାୟାଳୟ ର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି ଶ୍ରୀ ହରିଚନ୍ଦନ। ସରକାର ମନଇଛା ଉକ୍ତ ଯୋଜନାକୁ ଲାଗୁ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସରପଞ୍ଚ, ସମିତି ସଭ୍ୟ ତଥା ୱାର୍ଡ ମେମ୍ବରଙ୍କ ସୁପାରିଶ ଆଧାରରେ ପ୍ରକଳ୍ପ ଜାରି ନକରି ଶାସକ ଦଳର ନେତାମାନଙ୍କ ସୁପାରିଶ କ୍ରମେ ଏହାକୁ ଲାଗୁ କରୁଛନ୍ତି ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ।

ଚିଲିକା ନିର୍ବାଚନମଣ୍ଡଳିରେ ଏହାକୁ ପ୍ରବଳ ବିରୋଧ କରାଯିବ ଏବଂ ଉଭୟ ବ୍ଲକରେ ଏହାକୁ କାର୍ଯ୍ୟକାରୀ କରିବାକୁ ଦିଆଯିବନି ବୋଲି କହିଛନ୍ତି ଶ୍ରୀ ହରିଚନ୍ଦନ। ଉକ୍ତ ଯୋଜନା ଅନ୍ତର୍ଗତ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ପୁନଃ ସୂଚୀ କରାଯାଉ ଏବଂ ତାହା ପଲ୍ଲିସଭା/ଗ୍ରାମ ସଭା, ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ଙ୍କ ସହମତିରେ କରାଯାଉ ବୋଲି ଦାବି କରିଛି ବିଜେପି।

ଏହି ସାମ୍ବାଦିକ ସମ୍ମିଳନୀରେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଚିଲିକା ବ୍ଲକ ଅଧ୍ୟକ୍ଷା ଜ୍ୟୋତ୍ସ୍ନା ବେହେରା, ଚିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ ଏବଂ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶରେ ବିଜେପିକୁ ଝଟକା: ଇସ୍ତଫା ଦେଲେ ଅବସରପ୍ରାପ୍ତ ଆଇପିଏସ୍ ଏବଂ ପୂର୍ବତନ ମନ୍ତ୍ରୀ ରୁସ୍ତମ୍ ସିଂ

ନୂଆଦିଲ୍ଲୀ: ଅବସରପ୍ରାପ୍ତ ଆଇପିଏସ୍ ତଥା ପୂର୍ବତନ ମନ୍ତ୍ରୀ ରୁସ୍ତମ ସିଂ ବିଜେପିରୁ ଇସ୍ତଫା ଦେଇଛନ୍ତି। ଟିକେଟ୍ ବଣ୍ଟନ ଉପରେ ରୁସ୍ତମ ସିଂ ଅସନ୍ତୁଷ୍ଟ ହୋଇଛନ୍ତି। ରୁସ୍ତମ ସିଂଙ୍କ ପୁଅ ରାକେଶ ସିଂ ବିଏସପିରୁ ନିର୍ବାଚନ ଲଢୁଛନ୍ତି। ୨୦୦୩ ରୁ ୨୦୧୮ ପର୍ଯ୍ୟନ୍ତ ମୋରେନା ବିଧାନସଭା ଆସନରୁ ବିଜେପି ତାଙ୍କୁ ଚାରିଥର ଟିକେଟ୍ ଦେଇଥିଲା। ୨୦୦୩ ଏବଂ ୨୦୧୩ ରେ ସେ ନିର୍ବାଚନ ଜିତିଥିଲେ। ୨୦୦୮ ଏବଂ ୨୦୧୮ ନିର୍ବାଚନରେ ରୁସ୍ତମ ​​ହାରିଯାଇଥିଲେ। ବିଜେପି ସରକାରରେ ସେ କ୍ରୀଡା, ସ୍ୱାସ୍ଥ୍ୟ, ଖାଦ୍ୟ, ପଞ୍ଚାୟତ ଏବଂ ଗ୍ରାମୀଣ ବିକାଶ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ।

ବିଧାନସଭା ଟିକେଟ ନ ପାଇ ରୁସ୍ତମ ସିଂ ଏବଂ ତାଙ୍କ ପୁଅ ରାକେଶ ନାରାଜ ହୋଇଥିଲେ। ଦୁଇ ଦିନ ପୂର୍ବେ ପୂର୍ବତନ ମନ୍ତ୍ରୀ ରୁସ୍ତମ ସିଂଙ୍କ ପୁଅ ରାକେଶ ବିଏସପିରେ ଯୋଗ ଦେଇଥିଲେ। ବିଏସପି ପକ୍ଷରୁ ରାକେଶ ରୁସ୍ତମ ସିଂ ମୋରେନା ବିଧାନସଭାରୁ ପ୍ରାର୍ଥୀ ହୋଇଛନ୍ତି। ବିଜେପି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ରୁସ୍ତମ ସିଂ ଦଳର ପ୍ରାଥମିକ ସଦସ୍ୟତା ଏବଂ ଦାୟିତ୍ୱରୁ ଇସ୍ତଫା ଦେଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର

ବିଜେପି ସହ ସମ୍ପର୍କ କାଟିଲେ ଏହି ତାମିଲ ଅଭିନେତ୍ରୀ: ଆଣିଲେ ଏଭଳି ଅଭିଯୋଗ

ନୂଆଦିଲ୍ଲୀ: ତାମିଲ ଅଭିନେତ୍ରୀ ଗୌତମୀ ତଡିମଲ୍ଲା ୨୫ ବର୍ଷ ଧରି ବିଜେପି ସଦସ୍ୟ ହେବା ପରେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ତାଙ୍କ ତରଫରୁ ଏକ ବିବୃତ୍ତି ଜାରି କରାଯାଇଛି ଯେଉଁଥିରେ ସେ ଇସ୍ତଫା ଦେବାର କାରଣ ଦର୍ଶାଇଛନ୍ତି। ଗୌତମୀ କହିଛନ୍ତି ଯେ, ଦଳ ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ସେ ସମ୍ମାନିତ କରିଛନ୍ତି, କିନ୍ତୁ ତାଙ୍କୁ ବିଜେପି ପକ୍ଷରୁ କୌଣସି ସମର୍ଥନ ମିଳିନାହିଁ। ଏହି କାରଣରୁ ସେ ତାଙ୍କ ଜୀବନର ସବୁଠାରୁ ବଡ ସଙ୍କଟରେ ଅଛନ୍ତି।

ଗୌତମୀ କହିଛନ୍ତି ଯେ, ‘ଆଜି ମୁଁ ମୋ ଜୀବନରେ ଏକ ଅବାଞ୍ଛିତ ସଙ୍କଟର ସମ୍ମୁଖୀନ ହୋଇଛି। ମୁଁ ଦଳର ନେତାଙ୍କଠାରୁ କୌଣସି ସହଯୋଗ ପାଇ ନାହିଁ। ମୁଁ ଜାଣିବାକୁ ପାଇଛି ଯେ, ମୁଁ ଏପରି ବ୍ୟକ୍ତିଙ୍କୁ ସାହାଯ୍ୟ କରୁଛି ଏବଂ ସମର୍ଥନ କରୁଛି ଯିଏ କେବଳ ମୋତେ ବିଶ୍ୱାସଘାତକତା କରିନାହାଁନ୍ତି ବରଂ ମୋ ଜୀବନର ରୋଜଗାର ମଧ୍ୟ ଛଡ଼ାଇ ନେଇଛି। ବାସ୍ତବରେ ସି ଅଲଗପନଙ୍କ ଆଡକୁ ଗୌତମୀ ସୂଚାଉଥିଲେ, ଯିଏ କି ତାଙ୍କ ସାଥୀ ଥିଲେ।

ସି ଅଲଗପନଙ୍କ ବିରୋଧରେ ମାମଲା ଦାୟର କରାଯାଇଛି:

ଅଲଗପନ ବିଷୟରେ ଅଭିନେତ୍ରୀ କହିଛନ୍ତି ଯେ, ସେ ତାଙ୍କ ଟଙ୍କା, ସମ୍ପତ୍ତି ଏବଂ ଡକ୍ୟୁମେଣ୍ଟ୍ ସହିତ ତାଙ୍କୁ ପ୍ରତାରଣା କରିଛନ୍ତି। ସେ କହିଛନ୍ତି ଯେ, ତାମିଲନାଡୁ ସରକାର ଏବଂ ନ୍ୟାୟ ବିଭାଗ ଉପରେ ତାଙ୍କର ବିଶ୍ୱାସ ରହିଛି ଏବଂ ସେ ନିଜ ତଥା ପିଲାଙ୍କ ଭବିଷ୍ୟତ ପାଇଁ ନ୍ୟାୟ ପାଇଁ ଲଢୁଛନ୍ତି। ସେପ୍ଟେମ୍ବରରେ ଗୌତମୀ ପୋଲିସ ନିକଟରେ ଅଭିଯୋଗ ଆଣିଥିଲେ ଯେ, ଭେଲାଚେରୀରେ ରହୁଥିବା ତାଙ୍କ ପରିଚିତ ସି ଅଲଗପନଙ୍କ ଏବଂ ତାଙ୍କ ପତ୍ନୀ ନାଚଲ 2୨୫ କୋଟି ଟଙ୍କା ଏବଂ ସମ୍ପତ୍ତିର ଅପବ୍ୟବହାର କରିଥିଲେ।

ଗୌତମୀ କହିଛନ୍ତି ଯେ, ତାମିଲନାଡୁରେ ୨୦୨୧ ବିଧାନସଭା ନିର୍ବାଚନ ସମୟରେ ବିଜେପି ତାଙ୍କୁ ରାଜପଲାୟମ ଆସନ ଅଫର ଦେଇଥିଲା। ଆସନ ତାଙ୍କୁ ଦିଆଯିବ ବୋଲି ଦଳ ପକ୍ଷରୁ ଏକ ଆଶ୍ଵାସନା ମଧ୍ୟ ଦିଆଯାଇଥିଲା। ତେବେ ଶେଷ ମୁହୂର୍ତ୍ତରେ ଏହି ଆସନ ଦିଆଯାଇନଥିଲା। ତାମିଲ ଅଭିନେତ୍ରୀ କହିଛନ୍ତି ଯେ, ଏହି ସବୁ ଘଟଣା ପରେ ମଧ୍ୟ ସେ ଦଳ ପ୍ରତି ବିଶ୍ୱସ୍ତ ରହିଥିଲେ। କିନ୍ତୁ ଯେତେବେଳେ ସେ ଦଳର ସମର୍ଥନ ପାଇନଥିଲେ ସେତେବେଳେ ସେ ଭାଙ୍ଗି ପଡିଥିଲେ।

Categories
ଆଜିର ଖବର ଜାତୀୟ ଖବର

ରାଜସ୍ଥାନରେ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ, ୩୩ ପ୍ରାର୍ଥୀଙ୍କୁ ମିଳିଲା ଟିକେଟ୍, ପଢନ୍ତୁ ତାଲିକା

ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନ ୨୦୨୩ ପାଇଁ ବିଜେପିର ଦ୍ୱିତୀୟ ତାଲିକା ସହିତ କଂଗ୍ରେସ ମଧ୍ୟ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ମୋଟ ୩୩ ଟି ନାମ ଘୋଷଣା କରାଯାଇଛି ଯେଉଁଥିରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସର୍ଦ୍ଦାରପୁରରୁ ଟିକେଟ ଦିଆଯାଇଛି। ଏଥି ସହିତ ସଚିନ ପାଇଲଟ ପୁଣିଥରେ ଟୋଙ୍କରୁ ନିର୍ବାଚନ ଲଢେଇରେ ପ୍ରବେଶ କରିଛନ୍ତି। ଲକ୍ଷ୍ମଣଗଡରୁ ରାଜ୍ୟ ସଭାପତି ଗୋବିନ୍ଦ ସିଂ ଡୋଟାସରାଙ୍କୁ ପ୍ରାର୍ଥୀ କରାଯାଇଛି। ଏହା ବ୍ୟତୀତ ସିପି ଯୋଶୀ ନାଥଦ୍ଵାରାରୁ ଟିକେଟ ପାଇଛନ୍ତି।

ଏହିପରି କଂଗ୍ରେସ ଆଜି ପ୍ରଥମ ତାଲିକାରେ ୩୩ ଜଣଙ୍କ ନାମ ଘୋଷଣା କରିଛନ୍ତି। ପଢନ୍ତୁ ସଂପୂର୍ଣ୍ଣ ତାଲିକା….

Categories
ଆଞ୍ଚଳିକ

ଚିଲିକା: ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ସହଯୋଗରେ ଦୁବାଇରୁ ଫେରିଲା ଶ୍ରମିକଙ୍କ ମୃତ ଦେହ

ଚିଲିକା (ସୀତାରାମ ଅଗ୍ରୱାଲ): ଚିଲିକା ବିଧାନସଭା ଅନ୍ତର୍ଗତ ସିଙ୍ଗେଶ୍ୱର ପଞ୍ଚାୟତ ସ୍ଥିତ ପାଟ୍ଟସାଣିପୁର ଗ୍ରାମର ବାସିନ୍ଦା ଲକ୍ଷ୍ମୀଧର ସାହୁ ହୃଦଘାତ ଜନିତ ସମସ୍ୟାରେ ପୀଡିତ ହୋଇ ଗତ ୧୦ ତାରିଖ ଦିନ ଦୁବାଇରେ ମୃତ୍ୟୁବରଣ କରିଥିଲେ। ତାଙ୍କ ପରିବାର ଲୋକ ଏହି ଖବର ଶୁଣି ମର୍ମାହତ ହୋଇଥିଲେ।

ତେବେ ଲକ୍ଷ୍ମୀଧରଙ୍କ ପରିବାରବର୍ଗ ଅତ୍ୟନ୍ତ ଗରିବ ଥିବାରୁ ଦୁବାଇରୁ ତାଙ୍କ ମର ଶରୀର ନିଜ ଗ୍ରାମକୁ ଆଣିବା ପାଇଁ ତାଙ୍କ ପରିବାରବର୍ଗଙ୍କ ପାଖେ ଆବଶ୍ୟକ ସାଧନ ନ ଥିଲା। ଏହି ବିଷୟରେ ସ୍ଥାନୀୟ କାର୍ଯ୍ୟକର୍ତ୍ତାଙ୍କ ଦ୍ୱାରା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଜାଣିବା ପରେ, ସେ ବିଦେଶ ମନ୍ତ୍ରୀ ଏସ. ଜୟ ଶଙ୍କରଙ୍କ ସହିତ ଯୋଗାଯୋଗ କରି ଲକ୍ଷ୍ମୀଧରଙ୍କ ଶବ ଦୁବାଇରୁ ଚିଲିକା ଆଣିବାର ସମସ୍ତ ବ୍ୟବସ୍ଥା କରିଥିଲେ।

ଗତ କାଲି ବିଳମ୍ବିତ ରାତିରେ ଲକ୍ଷ୍ମୀଧରଙ୍କ ଶବ ଚିଲିକାରେ ପହଂଚିଲା ପରେ ତାଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି ସମ୍ବିତ ପାତ୍ର। ସମ୍ବିତଙ୍କ ଉକ୍ତ କାର୍ଯ୍ୟକୁ ଚିଲିକାବାସୀ ପ୍ରଶଂସା କରିଥିବା ବେଳେ, ସେ ସଦାସର୍ବଦା ଚିଲିକା ବାସୀଙ୍କ ସେବା ପାଇଁ ସମର୍ପିତ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Categories
ବିଶେଷ ଖବର

ଦିଲ୍ଲୀ ଗସ୍ତ ବେଳେ ଓଡିଶାବାସୀଙ୍କ ସ୍ୱାର୍ଥ ପ୍ରସଙ୍ଗ ଉଠାଉ ବିଜେପି: ବିଜେଡି

ଭୁବନେଶ୍ୱର: ବିଜେପି ନେତା ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ସେ ଏବଂ ଓଡିଶାର ସମସ୍ତ ବିଜେପି ବିଧାୟକ ଖୁବ୍ ଶୀଘ୍ର ଦିଲ୍ଲୀ ଯିବେ। ଆମେ ଆଶା କରୁଛୁ ସେମାନେ ଏଥର ଦିଲ୍ଲୀ ଗସ୍ତ କାଳରେ ରାଜନୀତି ନକରି ବରଂ ସେଠାରେ ଲୋକମାନଙ୍କ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର।

ଡକ୍ଟର ପାତ୍ର ଗଣମାଧ୍ୟମକୁ କହିଛନ୍ତି ଯେ ଲୋକଙ୍କର ଏହିସବୁ ସମସ୍ୟା ମଧ୍ୟରେ ରହିଛି ସମ୍ବଲପୁରରୁ କଟକ ପର୍ଯ୍ୟନ୍ତ ଲମ୍ବିଥିବା ଜାତୀୟ ରାଜପଥର ଦୂରାବସ୍ଥା । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତି ୨୯୩୦ ଟଙ୍କା କରିବାକୁ ଓଡିଶା ବିଧାନସଭାରେ ସର୍ବସମ୍ମତ କ୍ରମେ ପାରିତ ହୋଇଥିବା ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା। ଓଡ଼ିଶାର କୃଷକମାନଙ୍କୁ ଫସଲ ବୀମା ଟଙ୍କା ଏବଂ ଆବଶ୍ୟକ ସାର ଯୋଗାଇବା। ସର୍ବନିମ୍ନ ସହାୟକ ମୂଲ୍ୟକୁ ଉତ୍ପାଦନ ଖର୍ଚ୍ଚର ୧.୫ ଗୁଣ ଧାର୍ଯ୍ୟ କରିବା ଏବଂ ସ୍ୱାମୀନାଥନ ଆୟୋଗ ରିପୋର୍ଟ ସୁପାରିଶକୁ କାର୍ଯ୍ୟକାରୀ କରିବା।

ସେହିଭଳି ପଶ୍ଚିମ ଏବଂ ଦକ୍ଷିଣ ଓଡିଶାରେ ଦୁର୍ବଳ ଟେଲି-ସାନ୍ଧ୍ରତା ଏବଂ ବ୍ୟାଙ୍କିଙ୍ଗ୍ ସେବାର ଅଭାବ। ଓଡିଶା ପାଇଁ ଅଟକା ଯାଇଥିବା ୭ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ବିଶେଷକରି ପଶ୍ଚିମ ଏବଂ ଦକ୍ଷିଣ ଓଡିଶାର ଲକ୍ଷ ଲକ୍ଷ ଆଦିବାସୀ ଭାଇ ଓ ଭଉଣୀଙ୍କ ସ୍ୱାର୍ଥକୁ ଅଣଦେଖା କରାଯିବା। କେନ୍ଦୁ ପତ୍ର ଉପରେ ୧୮% ଜିଏସଟିକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରାଯାଉ କାରଣ ପଶ୍ଚିମ ଓଡିଶାର ଅଧିକାଂଶ ବିଜେପି ବିଧାୟକ ୨୦୧୯ ରେ ସେହି କେନ୍ଦୁ ପତ୍ର କର୍ମଚାରୀଙ୍କ ଭୋଟ୍ ପାଇ ନିର୍ବାଚିତ ହୋଇଛନ୍ତି। ଆମେ ଆଶା କରୁଛୁ ଏଥର ବିଜେପି ନେତାମାନେ ଲୋକଙ୍କର ଏହିସବୁ ସମସ୍ୟା ଉଠାଇବେ ବୋଲି ଡକ୍ଟର ପାତ୍ର କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ସରକାରୀ ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ବିରୋଧୀଙ୍କ ଅଭିଯୋଗ, ଜବାବ ରଖିଲା ବିଜେଡି

ଭୁବନେଶ୍ୱର: ଆଜି ରାଜ୍ୟ ସରକାରଙ୍କ ତରଫରୁ ପ୍ରକାଶିତ ଏକ ବିଜ୍ଞାପନରେ ଶଙ୍ଖ ଚିହ୍ନ ରହିଥିବା  ନେଇ ବିରୋଧ କରିଛନ୍ତି ବିରୋଧୀ। ସରକାରଙ୍କ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିଭିନ୍ନ ଖବରକାଗଜରେ ବିଜ୍ଞାପନ ଦିଆଯାଇଛି। ସେଥିରେ ଶଙ୍ଖର ଏକ ଗ୍ରାଫିକାଲ ଚିତ୍ର ପ୍ରଦାନ କରାଯାଇଛି। ଯାହାକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି।

ବିଜେପି କହିଛି ଯେ, ସରକାରୀ ବିଜ୍ଞାପନରେ କଣ ପାଇଁ ବିଜୁ ଜନତା ଦଳର ଶଙ୍ଖ ଚିହ୍ନକୁ ସ୍ଥାନିତ କରାଯାଇଛି। ସରକାରୀ ବିଜ୍ଞାପନରେ ଦଳୀୟ ପ୍ରଚାର ଅଗଣତାନ୍ତ୍ରିକ ବୋଲି ବିଜେପି ଅଭିଯୋଗ କରିଛି। ବିରୋଧୀଦଳର ନେତା ଜୟନାରାୟଣ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନର ବ୍ୟବହାର ଘୃଣ୍ୟ ପରମ୍ପରା, ବେଆଇନ ବୋଲି କହିଛନ୍ତି।

ତେବେ ଏହାର ଜବାବ ଦେଇଛି ବିଜେଡି। ଦଳ କହିଛି ଯେ, ” ଶଙ୍ଖ – ଓଡିଆ ଜାତି ଓ ସଂସ୍କୃତିର ଅବିଛେଦ୍ୟ ଅଙ୍ଗ। ଆମ ପରମ୍ପରା ଅନୁସାରେ ସବୁ ଶୁଭ କାର୍ଯ୍ୟ ଆରମ୍ଭରେ “ଶଙ୍ଖ’ ବଜାଯାଏ। ରାଜ୍ୟ ବିଜେପି ନେତା କଣ ଚାହୁଁଛନ୍ତି ଏହା ବନ୍ଦ ହେଉ? ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରକୁ ଶଙ୍ଖକ୍ଷେତ୍ର କୁହାଯାଏ। ଏହାର ନାମ ପରିବର୍ତ୍ତନ କରିବାକୁ କଣ ବିରୋଧୀ ଦଳ ଚାହୁଁଛନ୍ତି କି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଡକ୍ଟର ଅରୁଣ ସାହୁ।

ଡକ୍ଟର ସାହୁ କହିଛନ୍ତି ଯେ ଆମ ଓଡିଶା, ନବୀନ ଓଡିଶା – ଓଡିଶାର ଜନସାଧାରଣଙ୍କ ପାଇଁ କରାଯାଉଥିବା କାର୍ଯ୍ୟକ୍ରମ। ଜନତା ନିଜ ପଞ୍ଚାୟତରେ ଯେଉଁ ପ୍ରକଳ୍ପ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ, ତାକୁ ଏହି ଯୋଜନାରେ କାର୍ଯ୍ୟକାରୀ କରାଯାଉଛି। ଲୋକଙ୍କ ପାଇଁ ହେଉଥିବା ଭଲ କାମରେ ଶୁଭ ଶଙ୍ଖ ରହିଲେ ରାଜ୍ୟ ବିଜେପି ନେତାଙ୍କୁ କଷ୍ଟ କ’ଣ ପାଇଁ ହେଉଛି? ପ୍ରତି କଥାରେ ରାଜନୀତି କରିବା ବିରୋଧୀ ଦଳର ଅଭ୍ୟାସ ହୋଇଗଲାଣି।

ଓଡିଶାରେ ହେଉଥିବା ଦ୍ରୁତ ବିକାଶ ଜନତା ଦେଖୁଛନ୍ତି ଆଉ ଅନୁଭବ ମଧ୍ୟ କରୁଛନ୍ତି । ଯାହା ବିରୋଧୀଙ୍କୁ ଅସହ୍ୟ ହେଉଛି। ତେଣୁ ରାଜ୍ୟ ବିଜେପି ନେତା ଜନବିରୋଧୀ କାର୍ଯ୍ୟରେ ନିଜକୁ ସାମିଲ କରି ବିକାଶ ପ୍ରକ୍ରିୟାରେ ବାଧା ଆଣୁଛନ୍ତି। ସାଢେ ୪ କୋଟି ଓଡିଶାବାସୀ ଏଭଳି ଜନବିରୋଧୀଙ୍କୁ ଲଗାତାର ପ୍ରତ୍ୟାଖ୍ୟାନ କରି ଆସୁଛନ୍ତି ଏବଂ ଆଗକୁ ମଧ୍ୟ କରିବେ। ଯେଉଁଥିପାଇଁ ବିରୋଧୀ ଦଳ ହତାଶ ହୋଇଗଲେଣି ବୋଲି ଡକ୍ଟର ସାହୁ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଜୟନାରାୟଣ ମିଶ୍ରଙ୍କୁ ପୁଣି ଆଘାତ କଲା ବିଜେଡି, କହିଲା ତାଙ୍କର ମାନସିକ ସ୍ଥିତି ଠିକ ନାହିଁ

ଭୁବନେଶ୍ୱର: ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ରଙ୍କୁ ଆଜି ତୀବ୍ର ସମାଲୋଚନା କରିଛି ବିଜେଡି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଜୟନାରାୟଣଙ୍କୁ ପୁଣି ଥରେ ତାଙ୍କର ମାନସିକ ସ୍ଥିତି ଠିକ ନାହିଁ ବୋଲି କହିଛନ୍ତି। ଆଜି ଜୟନାରାୟଣ ଏକ ସାମ୍ବାଦିକ ସମ୍ମିଳନୀ କରି ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମକୁ ବିରୋଧ କରିଛନ୍ତି।

ଏହି ସମୟରେ ଜୟନାରାୟଣ ମିଶ୍ର ଅମିତ ସାହା ପାଣ୍ଡିଆନଙ୍କ ଭେଟଘାଟକୁ ନେଇ ତାଙ୍କର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ସାହା ପାଣ୍ଡିଆନଙ୍କୁ ଡାକି ତାଗିଦ କରିଛନ୍ତି। ଓଡିଶାରେ ଶିଘ୍ର ନିର୍ବାଚନ କଲେ ଆମେ ରାଷ୍ଟ୍ରପତି ଶାସନ ଲାଗୁ କରିଦେବୁ। ଏହାକୁ ନେଇ ତାହାର ଜବାବ ଦେଇଛି ବିଜେଡି।

ବିଜେଡି କହିଛି ଯେ, ସବୁବେଳେ ଆମେ କହି ଆସିଛୁ, ଜୟନାରାୟଣ ମିଶ୍ରଙ୍କର ମାନସିକ ସ୍ଥିତି ଠିକ୍ ନାହିଁ। କୋଲକାତାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ସକ୍ ଟ୍ରିଟମେଣ୍ଟକୁ ଡରି ସେ ଲୁଚିକି ପଳାଇ ଆସିଛନ୍ତି। ଯେହେତୁ ଚିକିତ୍ସା ସମ୍ପୂର୍ଣ୍ଣ ହୋଇନି, ତେଣୁ ପ୍ରତିଦିନ କିଛି ନା କିଛି ବାଉଳିଚାଉଳି ହେଉଛନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି।

ବିଜେଡି ମୁଖପାତ୍ର ଡକ୍ଟର ମହାନ୍ତି କହିଛନ୍ତି ଯେ ଏହି ବାଚଳାମିର ଆଉ ଏକ ଉଦାହରଣ ସଭିଏଁ ଦେଖିଲେ। କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଓଡିଶା ଆସିଥିବା ବେଳେ ଜୟନାରାୟଣ ମିଶ୍ର କୋଲକାତାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ।

ତେଣୁ ସେତେବେଳେ କଣ ଘଟିଥିଲା ତାହା ଜାଣିବା ତାଙ୍କ ପକ୍ଷେ ସମ୍ଭବପର ନଥିଲା। ସେଥିପାଇଁ ଗଣମାଧ୍ୟମ ସାମ୍ନାରେ ପୁଣି ନିଜର ପାଗଳାମି ଦେଖାଇଛନ୍ତି।

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ ଅନୁରୋଧ, ତୁରନ୍ତ ଶ୍ରୀଯୁକ୍ତ ମିଶ୍ରଙ୍କର ଚିକିତ୍ସା ବ୍ୟବସ୍ଥା କରାନ୍ତୁ। ଆଉ ଚିକିତ୍ସା ନସରିଲା ପର୍ଯ୍ୟନ୍ତ ଦୟାକରି ସମ୍ବଲପୁର ଯାଆନ୍ତୁନି।

ନଚେତ ବଲାଙ୍ଗୀରରେ ସିନା ଆପଣ ଅଳ୍ପକେ ମାଡ ଖାଇବାରୁ ବର୍ତ୍ତିିଗଲେ, ହେଲେ ସମ୍ବଲପୁରରେ ଜୟନାରାୟଣ ମିଶ୍ରଙ୍କ ବାଚଳାମିରୁ ଆପଣ ବର୍ତ୍ତି ପାରିବେ ନାହିଁ । ମନେଅଛି ନା ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସହ କଣ ଘଟିଥିଲା?

ଦୟାକରି ରାଜ୍ୟ ବିଜେପି ନେତାଏଁ ଜୟନାରାୟଣ ମିଶ୍ରଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଅଣଦେଖା କରନ୍ତୁ ନାହିଁ। ଯେତେଶୀଘ୍ର ପାରୁଛନ୍ତି ତୁରନ୍ତ ତାଙ୍କୁ ଉତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ କରାନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଆମ ଓଡିଶା ନବୀନ ଓଡିଶାକୁ ନେଇ ବିରୋଧୀଙ୍କ ବିରୋଧ, ଜୟନାରାୟଣ କହିଲେ ଏପରି କଥା

ଭୁବନେଶ୍ୱର: ଆଜି ରାଜ୍ୟ ସରକାର ଆରମ୍ଭ କରିଥିବା ‘ଆମ ଓଡିଶା ନବୀନ ଓଡିଶା ଯୋଜନା’କୁ ସମାଲୋଚନା କରିଛନ୍ତି ବିରୋଧୀ ବିଜେପି। ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀରେ ଏହି କାର୍ଯ୍ୟକ୍ରମକୁ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ତୀବ୍ର ବିରୋଧ କରିଛନ୍ତି।

ଏହି ଯୋଜନାକୁ ଜୟନାରାୟଣ କଟାକ୍ଷ କରି କହିଛନ୍ତି ଯେ ଏହା ବାସ୍ତବରେ ହେଉଛି ନବୀନ ଓଡିଶା ଲୁଟ୍ ଓଡିଶା। ଏହି ଯୋଜନାରେ ଖର୍ଚ୍ଚ ହେବାକୁ ଥିବା ୪୦୦୦କୋଟି ଟଙ୍କାରୁ ୫୦ପ୍ରତିଶତ ପିସି ହାରରେ ୨୦୦୦କୋଟି ଟଙ୍କା ବିଜୁ ଜନତା ଦଳ ସରକାର ଲୁଟ୍ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି। ଖାଲି ସେତିକି ନୁହେଁ, ସରକାରୀ ବିଜ୍ଞାପନରେ ବିଜୁ ଜନତା ଦଳର ଦଳୀୟ ଚିହ୍ନକୁ ବ୍ୟବହାର କରି ଏକ ଘୃଣ୍ୟ ପରମ୍ପରା ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ବିଜ୍ଞାପନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ବିଜୁ ଜନତା ଦଳର ଲୋକପ୍ରିୟତା ରସାତଳ ହୋଇଛି। ସେଥିପାଇଁ ସେମାନେ ଏବେ ସରକାରୀ ଯୋଜନାରେ ନିଜର ଦଳୀୟ ଚିହ୍ନକୁ ଥୋପିବା ପାଇଁ ଅପଚେଷ୍ଟା କରିଛନ୍ତି । ସରକାରୀ ବିଜ୍ଞାପନରେ କୌଣସି ବି ହାଲତରେ ଦଳୀୟ ଚିହ୍ନ, ଦଳୀୟ ପ୍ରଚାର କରାଯାଇ ପାରିବନାହିଁ।

ଆଜି ରାଜ୍ୟ ସରକାର ସମସ୍ତ ନୀତିନିୟମକୁ ଭାଙ୍ଗି ଯେଉଁ ଭଳି ଭାବରେ ସରକାରୀ ଅର୍ଥରେ ବିଜୁ ଜନତା ଦଳର ଚିହ୍ନର ପ୍ରଚାର କରିଛନ୍ତି ଏହାର ଜବାବ ଆଗାମୀ ଦିନରେ ଦିଆଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲ୍ଲୀପ ମଲ୍ଲିକ ଓ ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶ ନିର୍ବାଚନ: ବିଜେପି ଜାରି କଲା ଚତୁର୍ଥ ପ୍ରାର୍ଥୀ ତାଲିକା, ଏହି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ଶିବରାଜ

ନୂଆଦିଲ୍ଲୀ: ଏହି ସମୟର ସବୁଠାରୁ ବଡ ଖବର ମଧ୍ୟପ୍ରଦେଶରୁ ଆସୁଛି। ନିର୍ବାଚନ ଆୟୋଗଙ୍କ ଦ୍ଵାରା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଭାରତୀୟ ଜନତା ପାର୍ଟି ମଧ୍ୟପ୍ରଦେଶ ପାଇଁ ଚତୁର୍ଥ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ସମୁଦାୟ ୫୭ ନାମ ଅଛି, ଯେଉଁଥିରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ ଅନେକ ବଡ ଚେହେରା ଅନ୍ତର୍ଭୁକ୍ତ। ଏହି ତାଲିକା ପ୍ରକାଶ ପାଇବା ପରେ ଏହା ସ୍ପଷ୍ଟ ହୋଇଛି ଯେ, ଶିବରାଜ ସିଂ ଚୌହାନ ବୁଦ୍ଧନି ଆସନରୁ ନିର୍ବାଚନ ଲଢିବେ। ମଧ୍ୟପ୍ରଦେଶ ସହିତ ବିଜେପି ଛତିଶଗଡ ଏବଂ ରାଜସ୍ଥାନ ପାଇଁ ପ୍ରାର୍ଥୀ ତାଲିକା ମଧ୍ୟ ପ୍ରକାଶ କରିଛି।

Categories
ବିଶେଷ ଖବର

NCP କାହାର?: ଆଜି ଶୁଣାଣି କରିବେ ନିର୍ବାଚନ ଆୟୋଗ, ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ପାଇଁ ବଡ ଦିନ

ମୁମ୍ବାଇ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ର ନାମ ତଥା ନିର୍ବାଚନ ଚିହ୍ନ ଉପରେ ଦାବି ସମ୍ପର୍କରେ ଶରଦ ପାୱାର ଏବଂ ଅଜିତ ପାୱାରଙ୍କ ଦଳ ପକ୍ଷରୁ ଦାଖଲ ହୋଇଥିବା ଆବେଦନ ଆଜି ନିର୍ବାଚନ ଆୟୋଗ ଶୁଣାଣି କରିବାକୁ ଯାଉଛନ୍ତି। ଅଜିତ ପାୱାର ଭାରତ ଜନତା ପାର୍ଟି (ବିଜେପି) ସରକାରରେ ଯୋଗଦେବା ପରେ ଏହି ସମଗ୍ର ବିବାଦ ଆରମ୍ଭ ହୋଇଥିଲା। ଏହା ପରେ ଅଜିତ ମଧ୍ୟ ଏନସିପି ଉପରେ ନିଜର ଦାବି ରଖିଥିଲେ।

ପୁତୁରାଙ୍କ ଏହି ପଦକ୍ଷେପ ବିରୋଧରେ ଦାଦା ଶରଦ ପାୱାର ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇଥିଲେ। ବର୍ତ୍ତମାନ ଉଭୟ ଗୋଷ୍ଠୀଙ୍କୁ ନିର୍ବାଚନ ଆୟୋଗଙ୍କ ନିକଟରେ ନିଜର ମତ ଉପସ୍ଥାପନ କରିବାକୁ ପଡିବ। ଏହାପୂର୍ବରୁ ନିର୍ବାଚନ ଆୟୋଗ ଶରଦ ପାୱାର ଗୋଷ୍ଠୀ ବିରୋଧରେ ଏକ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଅଜିତ ପାୱାର ଦଳ ଦ୍ଵାରା ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ, ଅଜିତ ପାୱାରଙ୍କୁ ଏନସିପି ସଭାପତି ଘୋଷିତ କରାଯିବା ଉଚିତ ଏବଂ ନିର୍ବାଚନ ଚିହ୍ନ ଆଦେଶ, ୧୯୬୮ ଅନୁଯାୟୀ ପାର୍ଟି ଚିହ୍ନ ମଧ୍ୟ ବଣ୍ଟନ କରାଯିବା ଉଚିତ।

ଏହି ପ୍ରସଙ୍ଗରେ ଶରଦ ପାୱାର କହିଛନ୍ତି ଯେ, ଏନସିପି କିଏ ପ୍ରତିଷ୍ଠା କରିଛି ଏବଂ ପାରତି କାହାର ବୋଲି ସମସ୍ତେ ଭଲଭାବେ ଜାଣିଛନ୍ତି। ଏହା ପରେ ମଧ୍ୟ ଦଳକୁ ନିଜ ହାତ ମୁଠାକୁ ନେବା ପାଇଁ ଉଦ୍ୟମ କରାଯାଉଛି। ନିଷ୍ପତ୍ତି ଯାହା ବି ହୋଇପାରେ, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ମୁଁ ବିଭିନ୍ନ ଚିହ୍ନ ଉପରେ ଅନେକ ଥର ପ୍ରତିଦ୍ୱନ୍ଦ୍ୱିତା କରି ଜିତିଛି। ଏଥି ସହ ଅଜିତ ପାୱାର କହିଛନ୍ତି ଯେ, ନିର୍ବାଚନ ଆୟୋଗ ଯାହା ନିଷ୍ପତ୍ତି ନେବେ ତାହା ଗ୍ରହଣ କରାଯିବ।

ସମ୍ପୂର୍ଣ୍ଣ ଘଟଣା ଜାଣନ୍ତୁ:

ନଭେମ୍ବର ୨୦୧୯ ରେ ବିଜେପି ସହ ସରକାର ଗଠନ କରିବାରେ ତାଙ୍କର ଅସଫଳ ଉଦ୍ୟମ ପରେ ଶରଦ ପାୱାର ଅଜିତ ପାୱାରଙ୍କୁ ସମ୍ପୂର୍ଣ୍ଣ ଭାବେ ଅଲଗା କରିଦେଇଥିଲେ।

ଜୁଲାଇ ୨ ତାରିଖ ୨୦୨୩ରେ ଅଜିତ ପାୱାର ଶିବସେନା (ସିନ୍ଦେ ଗ୍ରୁପ୍) + ବିଜେପି ସରକାରରେ ଉପ-ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ (ମୋଟ ୩୭ ଏନସିପି ବିଧାୟକ ମେଣ୍ଟରେ ଯୋଗ ଦେଇଥିଲେ)।

ଜୁଲାଇ ୫ ତାରିଖ ୨୦୨୩ରେ ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଠାରୁ ଦଳର ନିର୍ବାଚନ ଚିହ୍ନ ଏବଂ ତାଙ୍କ ଦଳର ସାଂସଦ ତଥା ବିଧାୟକଙ୍କ ସମର୍ଥନରେ ୪୦ ଟି ଆଫିଡେଭିଟ୍ ଗ୍ରହଣ କରିଥିଲେ (ଏହି ଚିଠି ଜୁନ୍ ୩୦ ତାରିଖରେ ନିର୍ବାଚନ ଆୟୋଗଙ୍କ ନିକଟକୁ ପଠାଯାଇଥିଲା)।

Categories
ଆଜିର ଖବର ଜାତୀୟ ଖବର

ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ: ଜେଲରୁ ମୁକୁଳିବା ପରେ ଏଭଳି ଅଭିଯୋଗ ଆଣିଲେ ଅଭିଷେକ ବାନାର୍ଜୀ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀର କୃଷି ଭବନରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଏବଂ ଅନ୍ୟ ନେତାମାନଙ୍କୁ ଗିରଫ କରିବା ପରେ ଦିଲ୍ଲୀ ପୋଲିସ ଛାଡି ଦେଇଥିଲା। ଅଭିଷେକ ବାନାର୍ଜୀ ବାହାରକୁ ଆସିବା ମାତ୍ରେ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ, ଭାରତୀୟ ଗଣତନ୍ତ୍ର ପାଇଁ ଏହା ଏକ କଳା ଦିନ। ରାଜ୍ୟରେ ହାରିଯାଇଥିବାରୁ ବିଜେପି ପଶ୍ଚିମବଙ୍ଗର ଲୋକଙ୍କ ଅଧିକାର ଛଡ଼ାଇ ନେଉଛି।

ଅଭିଷେକ ବାନାର୍ଜୀ ଆହୁରି କହିଛନ୍ତି ଯେ, ଯେଉଁମାନେ ବଙ୍ଗଳାବାସୀଙ୍କ ପାଇଁ ଲଢୁଛନ୍ତି ସେମାନଙ୍କୁ ୩ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଦିଆଯାଇଛି। ଆମେ ସେଠାରେ ଶାନ୍ତିରେ ବସିଥିଲୁ, କିନ୍ତୁ ମହିଳାଙ୍କ ସମେତ ଆମ ସମସ୍ତଙ୍କୁ ଦୁର୍ବ୍ୟବହାର କରାଯାଇଥିଲା। ଯେଉଁଭଳି ଭାବରେ ଆମକୁ ନିଷ୍ଠୁର ଭାବରେ ଟାଣି ନିଆଯାଇଥିଲା ଏବଂ ଅପମାନିତ କରାଯାଇଥିଲା, ଆଜି ଗଣତନ୍ତ୍ର ପାଇଁ ଏକ କଳା ଦିନ ଏବଂ ଆମର ସାଂସଦମାନେ ଯେପରି ହଇରାଣ ହୋଇଥିଲେ ତାହା ମଧ୍ୟ ସମସ୍ତଙ୍କୁ ଦୃଶ୍ୟମାନ ହେଉଛି।

‘ରାଜଭବନ ଅଭିଯାନ’ ର ଘୋଷଣା:

କୋଲକାତାରେ ‘ରାଜ ଭବନ ଅଭିଯାନ’ ଆହ୍ଵାନ ଦେଇ ଏମସି ନେତା କହିଛନ୍ତି ଯେ, ଏହି ଅଭିଯାନ ଅକ୍ଟୋବର ୫ ତାରିଖ ଅପରାହ୍ନ ୩ ଟାରୁ ଆରମ୍ଭ ହେବ। କେବଳ ଏତିକି ନୁହେଁ ସେ କହିଛନ୍ତି ଯେ, ଆମେ ରାଜ୍ୟପାଳଙ୍କୁ ମଧ୍ୟ ଭେଟିବୁ ଏବଂ ତାଙ୍କୁ ୫୦ ଲକ୍ଷ ଚିଠି ହସ୍ତାନ୍ତର କରାଯିବ।

କେନ୍ଦ୍ର ମନ୍ତ୍ରୀ ସାଧବୀ ନିରଂଜନଙ୍କ ଉପରେ ଅଭିଯୋଗ କରି ଅଭିଷେକ ବାନାର୍ଜୀ କହିଛନ୍ତି ଯେ, ସାଧଭି ନିରଂଜନଙ୍କ ସହ ଆମର ସାକ୍ଷାତ ମଙ୍ଗଳବାର ଦିନ ଧାର୍ଯ୍ୟ କରାଯାଇଥିଲା। ଆମେ ତାଙ୍କୁ ୯୦ ମିନିଟ୍ ଅପେକ୍ଷା କରିଥିଲୁ, ଯାହା ପରେ ଆମକୁ କୁହାଯାଇଥିଲା ଯେ, ସେ ଆମ ସହିତ ସାକ୍ଷାତ କରିବାକୁ ସମର୍ଥ ହେବେ ନାହିଁ।

ଏଥି ସହ କେନ୍ଦ୍ର ମନ୍ତ୍ରୀ ସାଧଭି ନିରଂଜନ ଟିଏମସିର ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ତୃଣମୁଲ ସାଂସଦଙ୍କୁ ଅପେକ୍ଷା କରି କରି ସେ ୮.୩୦ ରେ ଅଫିସ ଛାଡିଥିଲେ। ତୃଣମୁଲ କଂଗ୍ରେସ ସାଂସଦ ଏବଂ ବଙ୍ଗଳାର ମନ୍ତ୍ରୀଙ୍କ ପ୍ରତିନିଧି ଦଳ ଅଫିସରେ ୬ ଟା ସମୟରେ ସାକ୍ଷାତ ପାଇଁ ସମୟ ନେଇଥିଲେ।

Categories
ଆଜିର ଖବର ଜାତୀୟ ଖବର

‘ଇଣ୍ଡିଆ’ ମେଣ୍ଟରେ ନିତୀଶ କୁମାରଙ୍କ ପ୍ରୟାସକୁ ନେଇ ବଡ଼ ଖୁଲାସା କଲେ ଏଚଡି ଦେବେଗୌଡା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି ବିରୋଧରେ ସଂଗଠିତ ବିରୋଧୀ ଦଳର ‘ଇଣ୍ଡିଆ’ ମେଣ୍ଟରେ ଅନ୍ତର୍ଭୁକ୍ତ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିଷୟରେ ବରିଷ୍ଠ ନେତା ଏଚଡି ଦେବେଗୌଡା ଏକ ବଡ଼ ଖୁଲାସା କରିଛନ୍ତି। ସେ ଦାବି କରିଛନ୍ତି ଯେ, ୪ ମାସ ପୂର୍ବେ ଜେଡିୟୁ ନେତା ନୀତୀଶ କୁମାର ତାଙ୍କୁ ତାଙ୍କ ସହ ଆସିବାକୁ ପ୍ରସ୍ତାବ ଦେଇଥିଲେ।

ଜନତା ଦଳ ସେକୁଲାର (ଜେଡିଏସ) ମୁଖ୍ୟ ଦେବଗୌଡା କହିଛନ୍ତି ଯେ, ନୀତୀଶ କୁମାର ଜନତା ଦଳର ପୂର୍ବତନ ଗୋଷ୍ଠୀକୁ ମିଶାଇ ‘ଜନତା ଫ୍ରିଡମ ଫ୍ରଣ୍ଟ’ ଗଠନ କରିବାକୁ ଚାହୁଁଥିଲେ। ଏଥିପାଇଁ ତାଙ୍କୁ ଏକ ଅଫର ମଧ୍ୟ ଦିଆଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଦେବ ଗୌଡା ଦାବି କରିଛନ୍ତି ଯେ, ସେ ଜନତା ଦଳ ୟୁନାଇଟେଡ (ଜେଡିୟୁ) ସହିତ ଯିବାକୁ ମନା କରି ଦେଇଥିଲେ ଏବଂ ତାଙ୍କୁ କଂଗ୍ରେସରୁ ମିଳିଥିବା ବିଶ୍ୱାସଘାତକତାକୁ ମନେ ପକାଇ ଦେଇଥିଲେ।

ଦେବ ଗୌଡା ଆଉ କ’ଣ କହିଥିଲେ?:

ଏନଡିଟିଭି କୁ ଦେଇଥିବା ଏକ ସାକ୍ଷାତକାରରେ ଦେବ ଗୌଡା କହିଛନ୍ତି ଯେ, ସେ ନୀତୀଶ କୁମାରଙ୍କ ପ୍ରତିନିଧୀଙ୍କୁ କହିଥିଲେ ଯେ ତାଙ୍କୁ ୯୧ ବର୍ଷ ବୟସ ହୋଇଛି ଏବଂ କୌଣସି ଜାତୀୟ ପଦବୀ ପାଇଁ ତାଙ୍କର ଅଭିଳାଷ ନାହିଁ। ନୀତୀଶ କୁମାର ଏବଂ କଂଗ୍ରେସକୁ ଇଣ୍ଡିଆ ମେଣ୍ଟରେ ଅନ୍ତର୍ଭୁକ୍ତ କରାଯିବା ସମ୍ପର୍କରେ ଦେବ ଗୌଡାଙ୍କ ବିବୃତ୍ତି ଚର୍ଚ୍ଚାରେ ରହିଛି।

ସେ କହିଛନ୍ତି ଯେ, “ପ୍ରାୟ ଚାରିମାସ ପୂର୍ବେ ନୀତୀଶ କୁମାର ତାଙ୍କ ଦଳର ସଭାପତି ତଥା ଅନ୍ୟ ବରିଷ୍ଠ ନେତାମାନଙ୍କୁ ମୋତେ ମନାଇବା ପାଇଁ ପଠାଇଥିଲେ କିନ୍ତୁ ମୁଁ ଏଥିରେ ସହମତ ନଥିଲି। ମୁଁ ସେମାନଙ୍କୁ କହିଥିଲି ଯେ, ମୁଁ କଂଗ୍ରେସର ବିଶ୍ୱାସଘାତକତା ଦେଖିଛି। ଯଦି ଆପଣ ଆଗକୁ ବଢିବାକୁ ଚାହାଁନ୍ତି, ତେବେ ଅନ୍ୟ ଦଳଗୁଡିକ ସହ ଯୋଗାଯୋଗ କରିପାରିବେ।”

ସାକ୍ଷାତକାରରେ ଦେବ ଗୌଡା କହିଛନ୍ତି ଯେ, ସେମାନେ (କଂଗ୍ରେସ) କର୍ଣ୍ଣାଟକରୁ ଜେଡିଏସ୍ ହଟାଇବେ ବୋଲି ଭାବୁଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ସମ୍ପର୍କରେ ସେ କହିଛନ୍ତି ଯେ, ମୁଁ ତାଙ୍କୁ ରାଜନୀତିକୁ ଆଣିଥିଲି, କିନ୍ତୁ ଆଜି ସେ କହିଛନ୍ତି ଯେ ଯଦି ଜେଡିଏସ୍ ଆସେ (ବିରୋଧୀ ଦଳ ମେଣ୍ଟ) ତେବେ ସେ ଏଥିରୁ ବାହାରିଯିବେ।

ସୂଚନାଯୋଗ୍ୟ ଯେ, ୨୦୧୮ ରେ ଜେଡିଏସ୍ ଏବଂ କଂଗ୍ରେସ ମିଳିତ ଭାବେ କର୍ଣ୍ଣାଟକରେ ସରକାର ଗଠନ କରିଥିଲେ, କିନ୍ତୁ ଏହି ମେଣ୍ଟ ଦୀର୍ଘ ଦିନ ଧରି ରହିଲା ନାହିଁ। ଏଥର ଜେଡିଏସ୍ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେପି ସହିତ ଏକ ମେଣ୍ଟ ଗଠନ କରିଛି।

Categories
ଆଜିର ଖବର ରାଜ୍ୟ ଖବର

ଓଡିଶା ବିଜେପି ଘୋଷଣା କଲା ଯୁବମୋର୍ଚ୍ଚା ପଦାଧିକାରୀ ଏବଂ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଆଜି ଯୁବ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ବିଭିନ୍ନ ବିଭାଗ ପାଇଁ ସଂଯୋଜକ ଓ ସହ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।

ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ବିଶ୍ୱଜିତ ଷଡଙ୍ଗୀ, ସଂଗ୍ରାମ ପାତ୍ର, ନିଳାଦ୍ରୀ ପାତ୍ର, ଅଙ୍କୁଶ ବର୍ମା, ସଞ୍ଜଳୀ ମୁର୍ମୁ, ପ୍ରକାଶ ମଲ୍ଲିକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସାଧାରଣ ସଂପାଦକ ଭାବେ ଦୀପକ ଗୋଚ୍ଛାୟତ ଓ ସୁଜିତ୍ ସିଂହ; ରାଜ୍ୟ ସଂପାଦକ ଭାବେ ସୁବ୍ରତ ବିଶ୍ୱାଳ, ଜୀବନ ରାଉତ, ଗଗନ ଓଝା, ମାନସ ସାହୁ, ଟୁଟୁନ ପାତ୍ର ଓ ପ୍ରଶାନ୍ତ ପାଇକରାୟ; କୋଷାଧ୍ୟକ୍ଷ ଭାବେ ରାଜେଶ ମହାକୁଡ ଏବଂ ସହ କୋଷାଧ୍ୟକ୍ଷ ଭାବେ ଆଶୁତୋଷ ସାହୁଙ୍କୁ ନିଆଯାଇଛି।

ସେହିପରି କାର୍ଯ୍ୟାଳୟ ସଂପାଦକ ଭାବେ ଆଶୁତୋଷ ବେହେରା; ଗଣମାଧ୍ୟମ ସଂଯୋଜକ ଭାବେ ସ୍ମରଜିତ୍ ମହାନ୍ତି; ସାମାଜିକ ଗଣମାଧ୍ୟମ ସଂଯୋଜକ ଭାବେ ଓମ୍ ପ୍ରିୟଦର୍ଶୀ ଛୋଟରାୟଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି ।

ଯୁବ ମୋର୍ଚ୍ଚାର ବିଭିନ୍ନ ବିଭାଗ ପାଇଁ ସଂଯୋଜକ ଓ ସହ ସଂଯୋଜକ ଭାବେ ୭୭ ଜଣ; ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ୨୯ ଜଣ; ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ୩୧ଜଣଙ୍କୁ ମନୋନୀତ କରାଯାଇଛି ବୋଲି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପଣ୍ଡା ପ୍ରେସ୍ ବାର୍ତାରେ ଜଣାଇଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ବାଚସ୍ପତିଙ୍କ ପୋଡିୟମ ଉପକୁ ଡାଲି ଫିଙ୍ଗି ଦୁଇ ବିଜେପି ବିଧାୟକ ନିଲମ୍ବିତ

ଭୁବନେଶ୍ବର: ଆଜି ବିଧାନସଭାରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ବିରୋଧୀ ବିଜେପି ବିଧାୟକ ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରି ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିଥିଲେ। ଯାହାକୁ ନେଇ ଦୁଇ ଜଣ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ। ସେମାନେ ହେଲେ ମୋହନ ମାଝି ଓ ମୁକେଶ ମହାଲିଙ୍ଗ। ଚଳିତ ଅଧିବେସନ ଶେଷ ପର୍ଯ୍ୟନ୍ତ ତାଙ୍କୁ ନିଲମ୍ବିତ କରାଯାଇଛି।

ଆଜି ଶୂନ୍ୟ କାଳରେ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ନିଜର ବିବୃତି ରଖୁଥିଲେ। ହେଲେ ତାଙ୍କର ସମୟ ସରିଯିବା ପରେ ଅଧିକ କହିବା ପାଇଁ ବାଚସ୍ପତି ଅନୁମତି ଦେଇ ନ ଥିଲେ। ଏହାକୁ ନେଇ ଜୟନାରାୟଣ ଉତକ୍ଷିପ୍ତ ହୋଇ ଯାଇଥିଲେ। ଫଳରେ ବିଜେପି ବିଧାୟକଗଣ ଗୃହ ମଧ୍ୟକୁ ଆସି ପାଟି କରିଥିଲେ। ଏଥିସହିତ ମେଣ୍ଟାଲ ହେଲଥ ଡିସଅଡର ଶଦ୍ଦକୁ ବାଦ ଦେବା ପାଇଁ ବିଜେପି ବିଧାୟକ ଦାବୀ କରିଥିଲେ।

ଏହି ସମୟରେ ପଲିଥିନରେ ଆଣିଥିବା ଡାଲିକୁ ବାଚସ୍ପତିଙ୍କ ଉଦ୍ଦେଶ୍ୟରେ ବିଜେପି ସଦସ୍ୟ ଦେଖାଇଥିଲେ। ଏହାପରେ ବାଚସ୍ପତିଙ୍କ ଉପରକୁ ଏହି ଡାଲି ଫିଙ୍ଗିଥିଲେ। ଏହାକୁ ନେଇ ମୁକେଶ ମହାଲିଙ୍ଗ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ବାଚସ୍ପତି ଡାଲି ଭଲ ପାଆନ୍ତି। ସେଥିପାଇଁ ତାଙ୍କୁ ଡାଲି ଉପହାର ଦେବା ପାଇଁ ଆଣିଥିଲୁ। ହେଲେ ବାଚସ୍ପତି ନିର୍ଦ୍ଦଳିୟ ନିଷ୍ପତି ନେବା କଥା ତାହା କଲେ ନାହିଁ।

ସେହିପରି ମୋହନ ମାଝି ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ମୋତେ ବିନା ଦୋଷରେ ସସପେଣ୍ଡ କରାଯାଇଛି। ମୁଁ ଡାଲି ଆଣି ନାହିଁ କି ଫୋପାଡି ନାହିଁ। ହେଲେ ମୋତେ କାହିଁକି ସସପେଣ୍ଡ କରାଗଲା ମୁଁ ଜାଣି ପାରୁ ନାହିଁ। ସେ ଡାଲି ଭଲ ପାଉଛନ୍ତି ବୋଲି ଆମ ବିଧାୟକ ତାଙ୍କୁ ଉପହାର ଦେବାକୁ ଆଣିଥିଲେ। ହେଲେ ମୁଁ ଏହା କରି ନାହିଁ।

ଏହାକୁ ନେଇ ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର ମଧ୍ୟ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସେମାନେ ମୋତେ ଗୃହରେ ମେଣ୍ଟାଲ ଡିସଅଡର ବୋଲି କହିଲେ। ତାହାକୁ ଗୃହର ବିବରଣୀରୁ ବାଦ ଦେବା ପାଇଁ ଆମେ ବାଚସ୍ପତିଙ୍କୁ କହିଲୁ। ହେଲେ ବାଚସ୍ପତି ତାହାକୁ ଗ୍ରହଣ କଲେ ନାହିଁ। ବାଚସ୍ପତି ନିରପକ୍ଷ ନୁହଁନ୍ତି। ସେ ଦଳୀୟ ନେତାଙ୍କ ପରି ବ୍ୟବହାର କରୁଛନ୍ତି।

 

Categories
ଆଜିର ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପିରେ ସାମିଲ ହେଲେ ପୂର୍ବତନ କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ, ମାଳବିକା ଦେବୀ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ କଳାହାଣ୍ଡି ଲୋକସଭାର ପୂର୍ବତନ ସାଂସଦ ଶ୍ରୀ ଅର୍କ କେଶରୀ ଦେଓ ଏବଂ ଶ୍ରୀମତୀ ମାଳବିକା ଦେବୀ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି।

ସେହିପରି ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଦନପୁର-ରାମପୁର ରାଜ ପରିବାରର ଶ୍ରୀମତୀ ସଂଯୁକ୍ତା ସିଂହଦେଓ ଏବଂ ତନ୍ମୟ ପ୍ରସାଦ ସିଂଦେଓ ମଧ୍ୟ ବିଜେପିରେ ଯୋଗଦାନ କରିଛନ୍ତି।

ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ପୂର୍ବତନ ରାଜ୍ୟ ସଭାପତି ତଥା କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା, ଭବାନୀପାଟଣା ବିଧାୟକ ତଥା ପୂର୍ବତନ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ, ଜିଲ୍ଲା ସଭାପତି ଶ୍ରୀ ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ଦେଶ ତଥା ରାଜ୍ୟର ସାମୁହିକ ବିକାଶ ପାଇଁ ପ୍ରକୃତ ରାଜନୈତିକ ଦଳ ହେଉଛି ଭାରତୀୟ ଜନତା ପାର୍ଟି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ବିଜେପି ସରକାର ଗତ ୯ ବର୍ଷର ଶାସନ କାଳରେ ବହୁ ଗରୀବକଲ୍ୟାଣକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ହୋଇଛି।

ସାଧାରଣ କାର୍ଯ୍ୟକର୍ତା ଭାବେ ପାର୍ଟିର ସଂଗଠନକୁ ସୁଦୃଢ କରିବା ଏବଂ ବିଜେପିର ପ୍ରତିଷ୍ଠାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମୋ ବାପା ସ୍ୱର୍ଗତଃ ବିକ୍ରମ କେଶରୀ ଦେଓଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ହେଉଛି ମୋର ପ୍ରାଥମିକତା।

ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ରରେ ମୋଦିଜୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ସହିତ ରାଜ୍ୟରେ ମଧ୍ୟ ବିଜେପିର ଡବଲ୍ ଇଞ୍ଜିନ ସରକାର ନିଶ୍ଚିତ ହେବ ଶ୍ରୀ ଦେଓ କହିଛନ୍ତି।

ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ଦୁଇ ଥରର ବ୍ଲକ ଅଧ୍ୟକ୍ଷ ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ରେବତୀ ନାୟକ, ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀ ସୁଧାଂଶୁ ଶେଖର ନାୟକ ଆଜି ବିଜେଡି ଦଳ ଛାଡି ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି ।

ଏଥିସହ ବନ୍ତ ବ୍ଲକର ପୂର୍ବତନ ବିଜେଡି ସଭାପତି କମଳାକାନ୍ତ ସାହୁ, ପୂର୍ବତନ ସରପଂଚ ରବିନ୍ଦ୍ରନାଥ ପଣ୍ଡା, କୃପାସିନ୍ଧୁ ସେଠୀ, ପୂର୍ବତନ ସମିତି ସଭ୍ୟ ସୁବାଷ ଚନ୍ଦ୍ର ଜେନା, ସୁଜାତା ସେଠୀ ପ୍ରମୁଖ ନିଜ ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଠାନିକ ବିଜେପିରେ ଯୋଗଦାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁଶାସନ, ଗରୀବ କଲ୍ୟାଣ କାର୍ଯ୍ୟକ୍ରମ ଓ ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିବା ସମସ୍ତ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ।

ରାଜ୍ୟରେ ଗଣତନ୍ତ୍ର ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡିଛି। ବ୍ୟାପକ ଦୁର୍ନୀତି ଓ ଭ୍ରଷ୍ଟାଚାର ରାଜ୍ୟର ବିକାଶରେ ବଡ ବାଧକ ସାଜିଛି। ମୋଦି ସରକାରଙ୍କ ଉପରେ ସାଧାରଣ ଜନତାଙ୍କ ଆସ୍ଥା ବୃଦ୍ଧି ପାଇଚାଲିଛି। ଆଗାମୀ ଦିନରେ ଓଡିଶାରେ ମଧ୍ୟ ଭାରତୀୟ ଜନତା ପାର୍ଟି ନିଶ୍ଚିତ ଭାବେ ଡବଲ୍ ଇଂଜିନ ସରକାର ଗଠନ କରିବ। ଆଜିର ଏହି ମିଶ୍ରଣ ପର୍ବ ପାର୍ଟିର ସଂଗଠନକୁ ଆହୁରି ସୁଦୃଢ କରିବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି।

ଏହି ମିଶ୍ରଣ ପର୍ବ ଅବସରରେ ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ରାଜ୍ୟ ସାଧାରଣ ସଂପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ସଂପାଦକ ଅଭିମନ୍ୟୁ ସେଠୀ ଓ ସରୋଜ କର, ଭଦ୍ରକ ଜିଲ୍ଲା ସଭାପତି ହେମନ୍ତ ପାଢୀ ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

Categories
ବିଶେଷ ଖବର

ଦିଲ୍ଲୀ ସିଏମ ନିବାସ ମାମଲାରେ ତଦନ୍ତ ଆରମ୍ଭ କଲା ସିବିଆଇ, ବିଜେପିକୁ ଟାର୍ଗେଟ କଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନର ନବୀକରଣରେ ଅପଚୟ ବ୍ୟୟ କିମ୍ବା ଆର୍ଥିକ ଅନିୟମିତତା ହୋଇଛି କି ନାହିଁ ସିବିଆଇ ଏହାର ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ଅକ୍ଟୋବର ୩ ତାରିଖ ସୁଦ୍ଧା ମୁଖ୍ୟମନ୍ତ୍ରୀ ବାସଭବନର ନବୀକରଣ ସହ ଜଡିତ ସମସ୍ତ ଦଲିଲ ଦାଖଲ କରିବାକୁ ସିବିଆଇ ଦିଲ୍ଲୀ ସରକାରଙ୍କ PWD ବିଭାଗକୁ କହିଛି। ସିଏମ୍ ବାସଭବନର ନବୀକରଣ ପାଇଁ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏହି ସମୟରେ ଆମ୍ ଆଦମୀ ପାର୍ଟି (ଏଏପି) ର ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। AAP କହିଛି ଯେ, ବିଜେପି ଯେତେ ଚାହିଁବ ତଦନ୍ତ କରିପାରିବ, କିନ୍ତୁ ଏହା ପୂର୍ବରୁ କିଛି ବାହାରି ନଥିଲା। ଏବେ କିଛି ବାହାରିବ ନାହିଁ।

ଚଳିତ ବର୍ଷ ମେ ମାସରେ ଦିଲ୍ଲୀ ଏଲଜି ଭି.କେ ସକ୍ସେନା ସିବିଆଇ ନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖି ତଦନ୍ତ ଦାବି କରିଥିଲେ। ଦିଲ୍ଲୀ ସିଏମ ବାସଭବନରେ ହୋଇଥିବା ଏହି ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏହି ପ୍ରସଙ୍ଗରେ ଗୃହ ମନ୍ତ୍ରଣାଳୟ ଦ୍ୱାରା CAG ଦ୍ୱାରା ଏକ ସ୍ୱତନ୍ତ୍ର ଅଡ଼ିଟ୍ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଛି।

ଦିଲ୍ଲୀ ସିଏମଙ୍କ ବାସଭବନ ୬- ଫ୍ଲାଗ ଷ୍ଟାଫ ରୋଡରେ ଅବସ୍ଥିତ। ସିବିଆଇ ପିଡବ୍ଲ୍ୟୁଡି ବିଭାଗରୁ ଟେଣ୍ଡର ପ୍ରଦାନ (ନାଇଟ୍) ନୋଟିସରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପରିବର୍ତ୍ତନ ସମ୍ପର୍କରେ ସମୟ ସମୟରେ ନୋଟିସ୍ ଜାରି ସମ୍ପର୍କରେ ସୂଚନା ମାଗିଛି। ଏହା କୁହାଯାଉଛି ଯେ ପ୍ରାଥମିକ ତଦନ୍ତ ଏକ ଅପରାଧିକ ମାମଲା ନୁହେଁ, କିନ୍ତୁ ଏହା ଅପରାଧିକ ତଦନ୍ତ ଆରମ୍ଭ। ଯଦି ଭୁଲ୍ ପ୍ରମାଣ ମିଳେ ତେବେ ସିବିଆଇ ଏକ ମାମଲା ପଞ୍ଜିକରଣ କରିବ।

ଆମ୍ ଆଦମୀ ପାର୍ଟି କ’ଣ କହିଲା?:

AAP କହିଛନ୍ତି, ଆମ୍ ଆଦମୀ ପାର୍ଟିକୁ ଧ୍ୱଂସ କରିବା ପାଇଁ ବିଜେପି ନିଜର ସମସ୍ତ ଶକ୍ତି ବ୍ୟବହାର କରିଛି। ଆଜି ସମଗ୍ର ଦେଶରେ କେବଳ ଆମ୍ ଆଦମୀ ପାର୍ଟି ଅଛି ଯାହା ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ କରି ଭୋଟ୍ ମାଗିଛି। କିନ୍ତୁ ଗରିବ ଲୋକଙ୍କୁ ଭଲ ଶିକ୍ଷା ଏବଂ ଉତ୍କୃଷ୍ଟ ସ୍ୱାସ୍ଥ୍ୟ ସୁବିଧା ପାଇବାକୁ ବିଜେପି ଚାହୁଁନାହିଁ। ଏହା ସହ ବିଜେପିର ଧର୍ମ ଏବଂ ଜାତି ରାଜନୀତି ପରାସ୍ତ ହେବ।

ଦଳ କହିଛି ଯେ, ଏହି କାରଣରୁ ଦେଶର ଶ୍ରେଷ୍ଠ ଶିକ୍ଷା ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କୁ ଜେଲରେ ରଖାଯାଇଛି। ବର୍ତ୍ତମାନ ସମସ୍ତ ତଦନ୍ତକାରୀ ସଂସ୍ଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିବା ପାଇଁ ନିୟୋଜିତ ହୋଇଛନ୍ତି। କିନ୍ତୁ ଦିଲ୍ଲୀର ଦୁଇ କୋଟି ଲୋକଙ୍କ ପ୍ରେମ ଏବଂ ଆଶୀର୍ବାଦ ଅରବିନ୍ଦ କେଜ୍ରିୱାଲଙ୍କ ସହ ଅଛି।

AAP କହିଛି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ୫୦ ରୁ ଅଧିକ ମାମଲା ଦାୟର କରିଛନ୍ତି ଏବଂ ତଦନ୍ତ ଶେଷ କରିଛନ୍ତି। ସେଥିରେ କୌଣସି ଜିନିଷ ମିଳିନାହିଁ। ଏଥିରୁ ମଧ୍ୟ କିଛି ମିଳିବ ନାହିଁ। ବିଜେପି ଯେତେ ତଦନ୍ତ କରିଲେ ମଧ୍ୟ ଅରବିନ୍ଦ କେଜ୍ରିୱାଲ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ସଂଗ୍ରାମ ଜାରି ରଖିବେ। ଅରବିନ୍ଦ କେଜ୍ରିୱାଲ ଶପଥ ନେଇଛନ୍ତି ଯେ, ସେ ଭାରତକୁ ବିଶ୍ୱର ଏକ ନମ୍ବର ଦେଶରେ ପରିଣତ କରିବେ। ଏଥିପାଇଁ କୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ।

ଦିଲ୍ଲୀ ସିଏମ ହାଉସକୁ ନେଇ ବିଜେପି ଏହି ଦାବି କରିଛି:

ଦିଲ୍ଲୀ ସିଏମ ହାଉସ ସମ୍ପର୍କରେ ଦିଲ୍ଲୀ ବିଜେପି ଅନେକ ଅଭିଯୋଗ ଆଣିଛି। ବିଜେପି ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲ କୋଭିଡର ୧୬ ମାସରେ ତାଙ୍କ ଘର ଏବଂ କାର୍ଯ୍ୟାଳୟରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରିବା ତାଙ୍କ ସମ୍ବେଦନଶୀଳତାର ଏକ ବଡ଼ ପ୍ରମାଣ। ବିଜେପି ମୁଖପାତ୍ର ସମ୍ବିଟ୍ ପାତ୍ର କହିଛନ୍ତି ଯେ, ଆବାସ ପାଇଁ କିଣାଯାଇଥିବା ଆଠଟି ପରଦା ମଧ୍ୟରୁ ଗୋଟିଏର ମୂଲ୍ୟ ୭.୯୪ ଲକ୍ଷରୁ ଅଧିକ ହୋଇଥିବାବେଳେ ସବୁଠାରୁ ଶସ୍ତା ପରଦା ମୂଲ୍ୟ ୩.୫୭ ଲକ୍ଷ ଟଙ୍କା ରହିଛି। ଡା ପାତ୍ର କହିଛନ୍ତି ଯେ, ଭିଏତନାମରୁ ୧.୧୫ କୋଟିରୁ ଅଧିକ ମୂଲ୍ୟର ମାର୍ବଲ ଅଣାଯାଇଥିବାବେଳେ ପୂର୍ବ ନିର୍ମିତ କାଠ କାନ୍ଥରେ ୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

Categories
ଆଜିର ଖବର ଜାତୀୟ ଖବର

ଇସ୍କନ ଉପରେ ମନେକା ଗାନ୍ଧୀଙ୍କ ଅଭିଯୋଗ ପରେ ବିଜେପିକୁ ଟାର୍ଗେଟ କଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଇସ୍କନ ଉପରେ ବିଜେପି ସାଂସଦ ମନେକା ଗାନ୍ଧୀଙ୍କ ବିବୃତ୍ତି ପରେ ରାଜନୈତିକ ଲଢେଇ ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଏବଂ ଏସପି ମୁଖ୍ୟ ଅଖିଳେଶ ଯାଦବ ଆଜି ବିଜେପିକୁ ଟାର୍ଗେଟ କରିଛନ୍ତି।

ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଯେ, ବିଜେପି ଲୋକମାନେ ପ୍ରଥମେ ଜମି ମାଫିଆଙ୍କ ସହ ମିଶି ରାଧାସ୍ୱାମୀ ସତସଙ୍ଗକୁ ଟାର୍ଗେଟ କରିଥିଲେ ଏବଂ ବର୍ତ୍ତମାନ ବିଜେପି ଲୋକମାନେ ଗୋପାଳକ ପ୍ରଭୁ କୃଷ୍ଣଙ୍କ ପୂଜକମାନଙ୍କ ବିରୁଦ୍ଧରେ ଗାଈ ବିକ୍ରି କରୁଥିବା ଅଭିଯୋଗ କରୁଛନ୍ତି। ଏହି ଅଭିଯୋଗ ଦ୍ୱାରା ସାରା ବିଶ୍ୱରେ ଇସ୍କନ ଅନୁଗାମୀମାନେ ବ୍ୟଥିତ ଏବଂ ଦୁଃଖିତ।

ବିଜେପି ଉପରେ ଅଖିଳେଶ ଯାଦବଙ୍କ ଆକ୍ରମଣ:

ପୂର୍ବତନ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଜେପି ସରକାରଙ୍କୁ ଏକ ସ୍ପଷ୍ଟୀକରଣ ଦେବାକୁ ପଡ଼ିବ, କାରଣ ଏହା କେବଳ ରାଜ୍ୟ ଏବଂ ଦେଶ ସହିତ ନୁହେଁ, ଅନ୍ତର୍ଜାତୀୟ ପ୍ରତିଛବି ସହିତ ମଧ୍ୟ ଜଡିତ। କାରଣ କୃଷ୍ଣ ଚେତନା ପାଇଁ ଉତ୍ସର୍ଗୀକୃତ ISKCON ସମଗ୍ର ବିଶ୍ୱରେ ବ୍ୟାପିଛି। ଜନସାଧାରଣଙ୍କ ପ୍ରଶ୍ନ ହେଉଛି ଯେ, ବିଜେପିର ଲୋକମାନେ ସମାଜରେ ଏପରି ଶତ୍ରୁତା ବିସ୍ତାର କରିବାକୁ ଚାହୁଁଛନ୍ତି ଏବଂ କାହାର ଆଦେଶରେ? ISKCON ବିରୋଧରେ ହୋଇଥିବା ଅଭିଯୋଗ ଏକ ବଡ଼ ଷଡଯନ୍ତ୍ରର ସଙ୍କେତ ଅଟେ।

ISKCON ବିରୋଧରେ ମାନେକା ଗାନ୍ଧୀଙ୍କ ଅଭିଯୋଗ:

ମାନେକା ଗାନ୍ଧୀ ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କଂଶନସନେସ (ISKCON) କୁ ଦେଶର ସବୁଠାରୁ ବଡ ଠକ ସଂଗଠନ ବୋଲି ବର୍ଣ୍ଣନା କରିଥିଲେ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ISKCON ଏହାର ଗୋଶାଳାର ଗାଈମାନଙ୍କୁ କଂସାଇମାନଙ୍କୁ ବିକ୍ରି କରୁଛି। ଗୋଶାଳାର ରକ୍ଷଣାବେକ୍ଷଣ ନାମରେ ଏହା ସରକାରଙ୍କଠାରୁ ଲାଭ ପାଇଥାଏ |

ଆନ୍ଧ୍ରପ୍ରଦେଶର ISKCON ର ଅନନ୍ତପୁର ଗୋଶାଳା ଗସ୍ତ ବିଷୟରେ ଉଲ୍ଲେଖ କରି ବିଜେପି ସାଂସଦ କହିଛନ୍ତି ଯେ, ସେ ସେଠାରେ ଗାଈ ପାଇଲେ ନାହିଁ ଯାହା କ୍ଷୀର ଦେଉଥିଲେ। ସେଠାରେ ଗୋଟିଏ ବି ବାଛୁରୀ ମଧ୍ୟ ନଥିଲେ। ଏହାର ଅର୍ଥ ସବୁ ବିକ୍ରି ହୋଇଥିଲେ।

ଏହି ଅଭିଯୋଗ ଉପରେ ISKCON କ’ଣ କହିଛି?:

ତେବେ, ISKCON ଏହି ଅଭିଯୋଗକୁ ଭିତ୍ତିହୀନ ଏବଂ ମିଥ୍ୟା ବୋଲି କହିଛି। ଇସ୍କନ୍ ଜାତୀୟ ମୁଖପାତ୍ର ଯୁଧିଷ୍ଠିର ଗୋବିନ୍ଦା ଦାସ କହିଛନ୍ତି ଯେ, କେବଳ ଭାରତରେ ନୁହେଁ ବିଶ୍ୱବ୍ୟାପୀ ଗାଈ ଓ ଷଣ୍ଢର ସୁରକ୍ଷା ତଥା ଯତ୍ନ ନେବାରେ ଧାର୍ମିକ ସଂଗଠନ ଆଗରେ ରହିଛି। ଗାଈ ଓ ଷଣ୍ଢ ସେମାନଙ୍କର ଜୀବନସାରା ଯତ୍ନ ନିଅନ୍ତି ଏବଂ କଂସାଇମାନଙ୍କୁ ବିକ୍ରୟ କରାଯାଏ ନାହିଁ, ଯେପରି ଅଭିଯୋଗ ହୋଇଛି।

Categories
ଆଜିର ଖବର ଜାତୀୟ ଖବର

ମଧ୍ୟପ୍ରଦେଶରେ ରାଜନୈତିକ ତାପମାତ୍ରା ବୃଦ୍ଧି: କୈଳାଶ ବିଜୟବର୍ଗିୟଙ୍କୁ ବିଜେପି ଟିକେଟ୍ ଦେବା ପରେ କଂଗ୍ରେସର ଟାର୍ଗେଟ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟଙ୍କୁ ଇନ୍ଦୋର ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ଘୋଷଣା କରିବା ଦିନଠାରୁ କଂଗ୍ରେସ ଶିବିରରେ ଆତଙ୍କ ଖେଳିଯାଇଛି। ବାସ୍ତବରେ, ଅଦ୍ୟାବଧି କଂଗ୍ରେସ ବିଧାନସଭା ଆସନ ନମ୍ବର ୱାନକୁ ସୁରକ୍ଷିତ ବୋଲି ବିଚାର କରୁଥିଲା ଏବଂ ବିଶ୍ୱାସ କରାଯାଉଥିଲା ଯେ ଏଥର ମଧ୍ୟ ସଞ୍ଜୟ ଶୁକ୍ଲା ଏଠାରୁ ଟିକେଟ ପାଇବେ। ୨୦୧୮ ରେ ସଞ୍ଜୟ ଶୁକ୍ଲା ଏଠାରୁ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରି ବିଜେପିର ସୁଦର୍ଶନ ଗୁପ୍ତାଙ୍କୁ ପରାସ୍ତ କରିଥିଲେ। କୈଳାଶ ବିଜୟବର୍ଗିୟଙ୍କୁ ପ୍ରାର୍ଥୀ ଘୋଷିତ କରାଯିବା ପରେ ବର୍ତ୍ତମାନ ବିଧାୟକ ସଞ୍ଜୟ ଶୁକ୍ଲାଙ୍କ ଏକ ବଡ ବିବୃତ୍ତି ବାହାରିଛି।

ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ରାଜନୈତିକ ତାପମାତ୍ରା ବଢୁଛି। ଭାରତୀୟ ଜନତା ପାର୍ଟି ସୋମବାର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଯେଉଁଥିରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ପଟେଲଙ୍କ ସହ ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟବର୍ଗିୟଙ୍କୁ ପ୍ରାର୍ଥୀ ତାଲିକାରେ ସାମିଲ କରାଯାଇଛି। ବିଧାନସଭା ନିର୍ବାଚନରେ ​​ଦଳର ବରିଷ୍ଠ ନେତାମାନଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ବିଜେପିର ଉଦ୍ଦେଶ୍ୟ ସ୍ପଷ୍ଟ ଯେ, ମଧ୍ୟପ୍ରଦେଶରେ ପୁଣି ଥରେ ସରକାର ଏବଂ କ୍ଷମତା ହାସଲ କରିବାକୁ ଚାହୁଁଛି।

ସେଥିପାଇଁ ବିଧାନସଭା ନିର୍ବାଚନ ପାଇଁ ବଡ ନେତାମାନଙ୍କୁ ଟିକେଟ୍ ଦିଆଯାଉଛି, କିନ୍ତୁ ଏସବୁ ମଧ୍ୟରେ କଂଗ୍ରେସରୁ ମଧ୍ୟ ପ୍ରତିକ୍ରିୟା ଆସୁଛି, ଏହି ପ୍ରସଙ୍ଗରେ ଇନ୍ଦୋର ବିଧାନସଭା-୧ ର ବିଧାୟକ ସଞ୍ଜୟ ଶୁକ୍ଲା ଗଣମାଧ୍ୟମ ସହ ଆଲୋଚନା କରି କହିଛନ୍ତି ଯେ, କୈଳାଶ ବିଜୟବର୍ଗିୟ ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଇ ଜଣେ ନୁହେଁ ବରଂ ଦୁଇ ପୁଅକୁ ବଳିଦାନ ଦେଇଛନ୍ତି।

ସଞ୍ଜୟ ଶୁକ୍ଲା କ’ଣ କହିଥିଲେ?:

ବାସ୍ତବରେ, ଯେତେବେଳେ ସାମ୍ବାଦିକ ବିଧାୟକ ସଞ୍ଜୟ ଶୁକ୍ଲାଙ୍କୁ ଭେଟିବାକୁ ଆସିଥିଲେ, ସେ କହିଥିଲେ ଯେ ଅନେକ ସମୟରେ ଦେଖାଯାଏ ଯେ ଜଣେ ପିତା ନିଜ ପୁଅର ଭବିଷ୍ୟତକୁ ନେଇ ଚିନ୍ତିତ ଅଛନ୍ତି, କିନ୍ତୁ ଭାରତୀୟ ଜନତା ପାର୍ଟିରେ କୈଳାଶ ବିଜୟବର୍ଗିୟ ଏହାର ବିପରୀତ କାର୍ଯ୍ୟ କରିଛନ୍ତି। ପୁନର୍ବାର ପୁଅ ଆକାଶଙ୍କୁ ଟିକେଟ ପାଇବା ପରିବର୍ତ୍ତେ ସେ ନିଜେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବା ଭଲ ବୋଲି ଭାବିଛନ୍ତି ଏବଂ ଏହିପରି ସେ ତାଙ୍କର ଦୁଇ ପୁଅଙ୍କୁ ବଳିଦାନ ଦେଇଛନ୍ତି। ଆଗକୁ କଥା ହୋଇ ସଞ୍ଜୟ ଶୁକ୍ଲା କହିଛନ୍ତି ଯେ, ମୁଁ ଦୁଇ ପୁଅ କହୁଛି କାରଣ ମୁଁ ମଧ୍ୟ ତାଙ୍କ ପୁଅ ପରି ଏବଂ କୈଳାଶ ବିଜୟବର୍ଗିୟ ଆଜି ତାଙ୍କର ଦୁଇ ସନ୍ତାନଙ୍କୁ ବଳିଦାନ ଦେଇଛନ୍ତି।

ସଞ୍ଜୟ ଶୁକ୍ଲା ବିଧାନସଭାରେ ବହୁତ ସକ୍ରିୟ ଅଛନ୍ତି:

ବିଧାୟକ ସଞ୍ଜୟ ଶୁକ୍ଲାଙ୍କ ବିଷୟରେ କହିବାକୁ ଗଲେ ସେ ବିଧାୟକ ହେବା ଦିନଠାରୁ ସେ ବିଧାନସଭାରେ ବହୁତ ସକ୍ରିୟ ଥିଲେ। ସଞ୍ଜୟ ଶୁକ୍ଲା ଧାର୍ମିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ବିଭିନ୍ନ ସାମାଜିକ କାର୍ଯ୍ୟକଳାପ ପର୍ଯ୍ୟନ୍ତ ଅନେକ କାର୍ଯ୍ୟ କରିଥିଲେ। ସେ ଏହି ଅଞ୍ଚଳର ଲୋକଙ୍କ ପାଇଁ ଧାର୍ମିକ ଭ୍ରମଣ ମଧ୍ୟ କରିଥିଲେ, ଏହା ବ୍ୟତୀତ ସଞ୍ଜୟ ଶୁକ୍ଲା ମଧ୍ୟ କରୋନା ସମୟରେ ପୀଡିତମାନଙ୍କୁ ବହୁତ ସାହାଯ୍ୟ କରିଥିଲେ।

ବିଧାନସଭା ୧ରେ ଅନେକ ଜଳ ସମସ୍ୟା ଦେଖାଦେଇଥିଲା, ତାଙ୍କର ଘନିଷ୍ଠ ବନ୍ଧୁମାନେ କହିଛନ୍ତି ଯେ ସଞ୍ଜୟ ଶୁକ୍ଲା ତାଙ୍କ ବିଧାନସଭାରେ ନିଜ ଖର୍ଚ୍ଚରେ ଲୋକମାନଙ୍କୁ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରିଥିଲେ। ତେବେ ଅପରପକ୍ଷେ, କୈଳାଶ ବିଜୟବର୍ଗୀୟ କହିଛନ୍ତି ଯେ, ବିଧାନସଭାରେ ବିକାଶର ସମ୍ଭାବନା ରହିଛି ଏବଂ ସେଠାରେ ଅନେକ ବେଆଇନ ଉପନିବେଶ ଅଛି, ଯାହା ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରି ବିକଶିତ ହେବ।

Categories
ବିଶେଷ ଖବର

ମୋଦିଙ୍କ ପଦକ୍ଷେପରେ କଂଗ୍ରେସ ଅପେକ୍ଷା ବିଜେପି ନେତା ଅଧିକ ଚିନ୍ତିତ

ଭୋପାଳ: ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ ଏମିତି ରାଜନୈତିକ ଗୁଗୁଲି ଫିଙ୍ଗିଛନ୍ତି ଯେ ଗୋଟିଏ ଓଭରରେ ୪ ୱିକେଟ୍ ନେଇଥିବା ସିରାଜ ମଧ୍ୟ ସମକକ୍ଷ ହୋଇପାରିବେ ନାହିଁ। ଦିନରେ ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ ଦ୍ୱାଦଶ ଖେଳାଳି କରିବାକୁ ସଙ୍କେତ ଦେଇଥିବାବେଳେ ସନ୍ଧ୍ୟାରେ ୱିକେଟ୍ ରକ୍ଷକଙ୍କୁ ବ୍ୟାଟିଂ ପାଇଁ କ୍ରିଜକୁ ପଠାଯାଇଥିଲା। ଏହାବ୍ୟତୀତ ସେ ଟିମ୍ ମ୍ୟାନେଜରଙ୍କୁ ‘ଖେଳାଳି’ ମଧ୍ୟ କରିଥିଲେ। ମୋଦିଙ୍କ ଏହି କାରିଗରୀରେ କଂଗ୍ରେସ ଚକିତ ହୋଇଛି। କିନ୍ତୁ ନିଜ ଦଳର ନେତାମାନେ ମଧ୍ୟ କିଛି ବୁଝି ପାରୁନାହାନ୍ତି। ସେମାନେ ପିଚର ଲାଇନ ଦେଖୁଥିବାବେଳକୁ ସେମାନଙ୍କ ଗିଲ୍ ଭାଙ୍ଗି ଯାଇଥିଲା।

ପ୍ରଥମ ଦିନର ଘଟଣା ଏମିତି। ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ଅବସରରେ ନରେନ୍ଦ୍ର ମୋଦି ଭୋପାଳ ଆସି କର୍ମକର୍ତ୍ତା ମହାକୁମ୍ଭକୁ ସମ୍ବୋଧିତ କରିଥିଲେ। କୋଟି କୋଟି ଟଙ୍କା ବ୍ୟୟରେ ଡକାଯାଇଥିବା ଏହି ସମ୍ମିଳନୀରେ ୧୦ ଲକ୍ଷ ବିଜେପି କର୍ମୀ ଏକତ୍ରିତ ହୋଇଥିବା କୁହାଯାଉଛି। କିନ୍ତୁ ଏତେ ଫୋର୍ସ ସତ୍ତ୍ୱେ ଦାବିର ଏକ ଚତୁର୍ଥାଂଶ କର୍ମୀ ପହଞ୍ଚି ପାରିନଥିଲେ।

ଏହି ସମ୍ମିଳନୀରେ ନରେନ୍ଦ୍ର ମୋଦି ହଠାତ୍ ଅନେକ ପରିବର୍ତ୍ତନ କରିଛନ୍ତି। ଦଳୀୟ ନେତା ଓ କର୍ମୀମାନେ ତାଙ୍କୁ ସ୍ୱାଗତ କରିବା ପରିବର୍ତ୍ତେ କେବଳ ମହିଳାଙ୍କ ସହ ତାଙ୍କୁ ସ୍ୱାଗତ କରିଥିଲେ। ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ଫୁଲ ବର୍ଷାରେ ସେ ପାଦରେ ଚାଲି ଚାଲି ଯାଇଥିଲେ। ଏପରିକି ମଞ୍ଚରେ କେବଳ ମହିଳାମାନେ ତାଙ୍କୁ ସ୍ୱାଗତ କରିଥିଲେ।

ସବୁଠାରୁ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ପ୍ରଧାନମନ୍ତ୍ରୀଙ୍କ ଭାଷଣ ସମୟରେ। ସେ ପୂର୍ବଭଳି ଆକ୍ରମଣାତ୍ମକ ଶୈଳୀରେ କଥା ହୋଇଥିଲେ। ମୋଦି କଂଗ୍ରେସ କଡ଼ା ସମାଲୋଚନା କରିଥିଲେ। ମହିଳା ସଂରକ୍ଷଣ ବିଲର ପୂରା ଶ୍ରେୟ ନେଇଛନ୍ତି। ଆଦିବାସୀ ମହିଳାଙ୍କୁ ରାଷ୍ଟ୍ରପତି କରିବାର ଶ୍ରେୟ ନେବାକୁ ମଧ୍ୟ ଭୁଲି ନ ଥିଲେ। ସେ ମଧ୍ୟ ଇଣ୍ଡି ମେଣ୍ଟକୁ ଅହଂକାରୀ କହିବାକୁ ଭୁଲି ନ ଥିଲେ।

ଶିବରାଜ ସିଂହ ଚୌହାନଙ୍କ ନାଁ ନେଇନାହାନ୍ତି

କିନ୍ତୁ ହାତୀଠାରୁ ଅଧିକ ସ୍ମୃତି ଶକ୍ତି ଥିବା ନରେନ୍ଦ୍ର ମୋଦି ତାଙ୍କ ପୂରା ଭାଷଣରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନାମ ଉଲ୍ଲେଖ କରିବାକୁ ଭୁଲି ଯାଇଥିଲେ। ସେ ମଞ୍ଚରେ ଶିବରାଜଙ୍କ ଆଡ଼କୁ ଚାହିଁନଥିଲେ କି ତାଙ୍କ ସରକାରଙ୍କ କୌଣସି ଯୋଜନା ବିଷୟରେ ଉଲ୍ଲେଖ କରିନଥିଲେ। ପ୍ରଧାନମନ୍ତ୍ରୀ ଅନେକ ଥର ମହିଳା ସଂରକ୍ଷଣ ବିଲ୍ ବିଷୟରେ ଉଲ୍ଲେଖ କରିଥିଲେ କିନ୍ତୁ ଶିବରାଜଙ୍କ ଲାଡଲି ବେହନା ଯୋଜନା ବିଷୟରେ କିଛି କହି ନ ଥିଲେ। ଶିବରାଜ ଏହି ଯୋଜନା ମାଧ୍ୟମରେ ଗେମ୍ ଚେଞ୍ଜର ହେବାର ସ୍ୱପ୍ନ ଦେଖୁଛନ୍ତି। ଏଥିପାଇଁ ରାଜ୍ୟର ୧ କୋଟି ୩୫ ଲକ୍ଷ ମହିଳାଙ୍କୁ ମାସକୁ ୧୨୫୦ ଟଙ୍କା ଦିଆଯାଉଛି।

କେହି କିଛି କହିବାକୁ ପ୍ରସ୍ତୁତ ନୁହଁନ୍ତି

ଭାଷଣ ଦେବା ପରେ ମୋଦି ଉଡ଼ି ଯାଇଥିଲେ। କିନ୍ତୁ ଏବେ ଶିବରାଜଙ୍କ କ’ଣ ହେବ ତାହାକୁ ନେଇ ବିଜେପି ନେତା ଓ କର୍ମୀମାନେ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି। ଅପରପକ୍ଷରେ ଶିବରାଜ ଓ ତାଙ୍କ ଘନିଷ୍ଠ ବନ୍ଧୁମାନେ କ’ଣ ଭାବୁଛନ୍ତି ତାହା କେବଳ ଅନୁମାନ କରାଯାଇପାରିବ। ଏବେ ଶିବରାଜ ଏକମାତ୍ର ନୁହଁନ୍ତି ଯିଏ ଦିଲ୍ଲୀ ପ୍ରତି ଆଖି ବୁଜିପାରିବେ। ସମସ୍ତେ ତାଙ୍କ ଅସହାୟତା ଓ ଦୁଃଖକୁ ମୁହଁରେ ଅନୁଭବ କରିଥିଲେ।

ଏହାଛଡ଼ା ଦିଲ୍ଲୀ ଆଉ ଏକ ଗୁଗଲି ଫିଙ୍ଗିଦେଇଥିବା ଚର୍ଚ୍ଚା ହେଉଛି। ଏକ ବଲ୍ ଯାହା ଏକାସାଙ୍ଗରେ ଅନେକ ୱିକେଟରେ ବାଜିଛି। ସେପଟେ ଶିବରାଜଙ୍କୁ ଏପରିଭାବେ ଘେରି ଦିଆଯାଇଥିଲା ଯେପରି ସ୍ପିନରଙ୍କ ବୋଲିଂରେ ଫିଲଡରମାନେ ବ୍ୟାଟ୍ସମ୍ୟାନଙ୍କୁ ଘେରି ରହିଥାନ୍ତି।

ବିଜେପି ହାଇକମାଣ୍ଡ ଗତକାଲି ବିଳମ୍ବିତ ସନ୍ଧ୍ୟାରେ ନିଜର ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି। ଏହି ତାଲିକା କଂଗ୍ରେସ ପାଇଁ ଏକ ବଡ଼ ଝଟକା ଥିଲା, କିନ୍ତୁ ଏହା ବିଜେପିର ବରିଷ୍ଠ ନେତାମାନଙ୍କୁ ମଧ୍ୟ ଦୋହଲାଇ ଦେଇଛି। ୩୯ ଜଣିଆ ଦ୍ୱିତୀୟ ତାଲିକାରେ ମୋଦି ତାଙ୍କ କ୍ୟାବିନେଟର ୩ ଜଣ ପ୍ରମୁଖ ସଦସ୍ୟଙ୍କ ସମେତ ମୋଟ ୭ ଜଣ ସାଂସଦଙ୍କୁ ବିଧାନସଭା ପ୍ରାର୍ଥୀଭାବେ ଘୋଷଣା କରିଛନ୍ତି। ଦିଲ୍ଲୀରୁ ଆସିଥିବା ନରେନ୍ଦ୍ର ସିଂହ ତୋମାର କେନ୍ଦ୍ର କୃଷି ମନ୍ତ୍ରୀଭାବେ ରାଜ୍ୟର ନିର୍ବାଚନ ପ୍ରଭାରୀଭାବେ ଦାୟିତ୍ୱ ତୁଲାଇଥିଲେ। ଏବେ ସେ ମୋରେନା ଜିଲ୍ଲାର ଡିମନି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ। ରାଜ୍ୟମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଏବଂ ଫଗନ ସିଂହ କୁଲସ୍ତେଙ୍କୁ ମଧ୍ୟ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରାଯାଇଛି।

ଶିବରାଜଙ୍କ ସମକକ୍ଷଙ୍କୁ ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି

ଏହି ତିନି କେନ୍ଦ୍ରମନ୍ତ୍ରୀଙ୍କ ସହ ୪ ଜଣ ସାଂସଦ ଗଣେଶ ସିଂହ, ରାକେଶ ସିଂହ, ଉଦୟ ପ୍ରତାପ ସିଂହ ଓ ରିତି ପାଠକଙ୍କୁ ମଧ୍ୟ ବିଧାନସଭା ଟିକେଟ୍ ଦିଆଯାଇଛି। ଏମାନଙ୍କ ବ୍ୟତୀତ ତାଲିକାରେ ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ କୈଳାସ ବିଜୟବର୍ଗୀୟଙ୍କ ନାମ ମଧ୍ୟ ରହିଛି। ଇନ୍ଦୋର ସହରରୁ ତାଙ୍କୁ ବିଧାନସଭା ଟିକେଟ ମଧ୍ୟ ଦିଆଯାଇଛି।

ବିଧାନସଭା ନିର୍ବାଚନରେ ବିଜେପି ହଠାତ୍ ୮ ଜଣ ପ୍ରମୁଖ କେନ୍ଦ୍ରୀୟ ନେତାଙ୍କୁ ପ୍ରାର୍ଥୀ କରିବା ପରେ କଂଗ୍ରେସ ଆଶ୍ଚର୍ଯ୍ୟ ହୋଇଯାଇଛି। ସେପଟେ ବିଜେପି ନେତାମାନେ ସାପ ଭଳି ଗନ୍ଧ ପାଉଛନ୍ତି। ବିଳମ୍ବିତ ରାତିରେ ଆସିଥିବା ଏହି ତାଲିକା ସେମାନଙ୍କୁ ନିଦ ହଜାଇ ଦେଇଛି।

ଅନ୍ୟପକ୍ଷରେ ଶିବରାଜ ସିଂହଙ୍କୁ ଦ୍ୱିତୀୟ ବଡ଼ ଝଟକା ଲାଗିଛି। ତେବେ ଶିବରାଜ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ଅମିତ ଶାହା ଗତ ମାସରେ ସ୍ପଷ୍ଟ କରିଥିଲେ। ତଥାପି ସେମାନେ ପୂରା ଶକ୍ତି ସହ ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଥିଲେ। ରାଲିରେ ପ୍ରଧାନମନ୍ତ୍ରୀ ତାଙ୍କ ନାମ ନ ରଖିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ସହ ବିଜେପି ଜିତିଲେ ସେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। କିନ୍ତୁ ଦ୍ୱିତୀୟ ତାଲିକାରେ ରାଜ୍ୟର ୪ ଜଣ ବଡ଼ ନେତାଙ୍କ ନାମ ଦେଖି ସେ ଆହୁରି ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ନରେନ୍ଦ୍ର ସିଂହ ତୋମାର, କୈଳାସ ବିଜୟବର୍ଗୀୟ, ପ୍ରହ୍ଲାଦ ସିଂହ ପଟେଲ ଓ ଫଗନ ସିଂହ କୁଲସ୍ତେ ଶିବରାଜଙ୍କ ସମକାଳୀନ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଏହି ୪ ଜଣଙ୍କ ନାମ ମଧ୍ୟ ବେଳେବେଳେ ଚର୍ଚ୍ଚାରେ ରହିଛି। ବିଧାନସଭା ନିର୍ବାଚନରେ ଏହି ୪ ଜଣଙ୍କୁ ଏକାଠି ପ୍ରାର୍ଥୀ କରି ମୋଦି ଶିବରାଜଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଶିବରାଜ ସିଂ ଚୌହାନ ବିନା ନିର୍ବାଚନରେ ଲଢ଼ିବେ ନା ରାଜ୍ୟରେ ପଞ୍ଚମ ଥର ପାଇଁ ବିଜେପି ସରକାର ଗଠନ ପାଇଁ ପ୍ରଚାର କରିବେ! କାରଣ ମୋଦି ରହିଲେ କିଛି ବି ସମ୍ଭବ! ମୋଦି ଆଜି ମଧ୍ୟ ଏହା କହିଛନ୍ତି।

ଶିବରାଜଙ୍କୁ ସାଥ ଦିଆଯାଉଛି କି ?

ମଧ୍ୟପ୍ରଦେଶ ଇତିହାସରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ନେତୃତ୍ୱ ହାତରେ ସର୍ବସାଧାରଣରେ ଅବହେଳିତ କରାଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୧୦ ବର୍ଷ ତଳେ ମୋଦିଙ୍କ ସମକକ୍ଷ ହୋଇ ୧୭ ବର୍ଷରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହି ବିଜେପିରେ ରେକର୍ଡ ସୃଷ୍ଟି କରିଥିବା ଶିବରାଜ ଆଜି କିଛି କହିପାରୁନାହାନ୍ତି। ଲାଡଲି ବେହନା ଯୋଜନା ମାଧ୍ୟମରେ ସେ ପ୍ରତ୍ୟେକ ଗାଁ ଓ ସହରର କାନ୍ଥରେ ନିଜର ନାମ ଲେଖିଛନ୍ତି। ତାଙ୍କ ନିଜ ଦଳ ଏହାକୁ ପୋଛି ଦେଉଛି। ସେମାନେ କେବଳ ଦେଖୁଛନ୍ତି।