Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ହସ୍ପିଟାଲ୍‌ରେ ଚଳନଶୀଳ ସ୍କିଲ୍ ଲ୍ୟାବ୍‌ରେ ଡାକ୍ତରଙ୍କୁ ପ୍ରଶିକ୍ଷଣ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଠାରେ ଜନସନ ଆଣ୍ଡ ଜନସନ କମ୍ପାନୀ ଦ୍ୱାରା ଯୋଗାଇ ଦିଆଯାଇଥିବା ଏକ ଚଳନଶୀଳ ସ୍କିଲ୍ ଲ୍ୟାବ୍‌ରେ ନଭେମ୍ବର ୨୦ ଓ ୨୧ ତାରିଖରେ ଦୁଇଦିନ ଧରି ସର୍ଜନ ଓ ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀମାନଙ୍କୁ ନେଇ ଶଲ୍ୟ ଚିକିତ୍ସା ବିଷୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।

ଏକ ଭଲଭୋ ବସ୍‌ରେ ସ୍ଥାପିତ ଏହି ସ୍କିଲ ଲ୍ୟାବରେ ୧୦ଟି ୱାର୍କ ଷ୍ଟେସନ ରହିଛି ଓ ଅସ୍ତ୍ରେପଚାର ହୋଇଥିବା ସ୍ଥାନରେ କିପରି ସିଲାଇ କରି କ୍ଷତକୁ ଯୋଡିବାକୁ ପଡେ ଏଥିରେ ସେ ବିଷୟରେ ପ୍ରଶିକ୍ଷଣ ଦିଆଯାଇଥିଲା ବୋଲି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଛନ୍ତି।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସର୍ଜନ ମାନଙ୍କର ଦକ୍ଷତା ବୃଦ୍ଧି ନିମନ୍ତେ ଆୟୋଜିତ ହୋଇଥିଲା ବୋଲି ସେ କହିଥିଲେ। ଉଭୟ ଓପନ ଓ ଲାପାରାସ୍କୋପିକ ସର୍ଜରୀରେ ଏହି ତାଲିମ ସର୍ଜନମାନଙ୍କର ଦକ୍ଷତାକୁ ବୃଦ୍ଧି କରିବ।

ବର୍ତ୍ତମାନ ନ୍ୟାସନାଲ୍ ମେଡିକାଲ କମିଶନ ଡାକ୍ତର ଓ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇ ଏହାକୁ କରିକୁଲମର ଏକ ବିଶେଷ ଅଂଶ ଭାବେ ଗ୍ରହଣ କରିଛି। ସର୍ଜରୀ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ପ୍ରକାଶ କୁମାର ସାହୁ କହିଥିଲେ ଯେ ହସ୍ପିଟାଲରେ ଏକ ସେଂଟ୍ରାଲ୍ ସ୍କିଲ ଲ୍ୟାବ୍ ଓ ସର୍ଜରୀ ବିଭାଗର ଏକ ସ୍ୱତନ୍ତ୍ର ସ୍କିଲ ଲ୍ୟାବ ମଧ୍ୟ ରହିଛି ଯେଉଁଠାରେ ଛାତ୍ରଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ। ଏହି ପ୍ରଶିକ୍ଷଣ ଫଳରେ ସର୍ଜନମାନେ ସେମାନଙ୍କର କାର୍ଯ୍ୟପ୍ରଣାଳୀକୁ ଆହୁରି ଉନ୍ନତ କରିପାରିବେ।

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କାର୍ଯ୍ୟକାରୀ ଡିନ୍ ପ୍ରଫେସର (ଡାକ୍ତର) ସୌମ୍ୟରଂଜନ ଦାସ ମଧ୍ୟ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ଗୁରୁତ୍ୱ ଆରୋପ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ କମ୍ୟୁନିଟି ରେଡ଼ିଓ ପକ୍ଷରୁ ‘ଆମର ବରିଷ୍ଠ, ଆମର ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍‌ ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ ପକ୍ଷରୁ ‘ଆମର ବରିଷ୍ଠ, ଆମର ଅଭିଯାନ’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଭାରତ ସରକାରଙ୍କର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଅଧୀନସ୍ଥ ଅଭୟ ଯୋଜନା ଦ୍ୱାରା ଅଧାରିତ ଓ କମ୍ୟୁନିଟି ରେଡ଼ିଓ ଆସୋସିଏସନ୍ (ସିଆର୍‌ଏ) ଦ୍ୱାରା
ପରିଚାଳିତ ଏହି ଅଟଳ ଭାୟୋ ଅଭ୍ୟୁଦୟ ଯୋଜନା (ଅଭୟ) କାର୍ଯ୍ୟକ୍ରମ ମାଧ୍ୟମରେ ବରିଷ୍ଠ
ନାଗରିକମାନେ ବ୍ୟକ୍ତିଗତ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ତ ସୁବିଧା ପାଇପାରିବେ।

ସେମାନଙ୍କ ଜୀବନଶୈଳୀରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବେତାର କେନ୍ଦ୍ର ମାଧ୍ୟମରେ
ସେମାନଙ୍କୁ ଅବଗତ କରାଯିବାର ଯୋଜନା ସହ ସେମାନଙ୍କୁ ସମ୍ମାନ ଦେବା ଏବଂ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟସେବା, ଯତ୍ନ ଓ ସୁରକ୍ଷା ପ୍ରଦାନ କରିବା ଏହି ଅଭୟ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

ଏହି କାର୍ଯ୍ୟକ୍ରମ ୨୦୨୪ ନଭେମ୍ବର ରୁ ୨୦୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଜାରୀ ରହିବ। ଏହି
କାର୍ଯ୍ୟକ୍ରମ ମାଧ୍ୟମରେ ସମୁଦାୟ ୨୪ଟି ଅଧ୍ୟାୟ ପ୍ରସାରିତ ହେବା ସହ ୧୦ଟି ନ୍ୟାରୋ କାଷ୍ଟିଙ୍ଗ ଦ୍ୱାରା ବୟୋଜ୍ୟେଷ୍ଠ ମାନଙ୍କ ପାଖରେ ସଚେତନତା ବାର୍ତା ପହଂଚାଇବା ସୋଆ କମ୍ୟୁନିଟି ରେଡ଼ିଓର ଲକ୍ଷ୍ୟ ଅଟେ।

ସୋଆ କମ୍ୟୁନିଟି ରେଡ଼ିଓ ପକ୍ଷରୁ ଆୟୋଜିତ ଏହି କାର୍ଯକ୍ରମରେ ୩୦ରୁ ଊର୍ଦ୍ଧ୍ୱ
ବରିଷ୍ଠ ନାଗରିକ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ଅଭୟ ଯୋଜନାକୁ ନେଇ
ପ୍ରସ୍ତୁତ ହୋଇଥିବା ନାଟକକୁ ଶୁଣିବା ସହ ସରକାରଙ୍କ ସମସ୍ତ ଯୋଜନାର ସାରମର୍ମ ବୁଝିଥିଲେ। ଏନେଇ ସମସ୍ତ ପ୍ରଶ୍ନୋତର କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।

ସୋଆ କମ୍ୟୁନିଟି ରେଡ଼ିଓ ଇନ୍‌ଚାର୍ଜ ହନୀ ପଟ୍ଟନାୟକଙ୍କ ତତ୍ୱାବଧାନରେ
ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରେଡିଓ ଜକି ରମାବଲ୍ଲଭ ମହାପାତ୍ର, ଶୁଭଶ୍ରୀ ପାତ୍ର,
ଶୁଭଶ୍ରୀ ସାହୁ ଏବଂ ଶୁଭଶ୍ରୀ ଶୁଭସ୍ମିତା ସ୍ୱାଇଁ ପରିଚାଳନା କରିଥିବା ବେଳେ ସାଉଣ୍ଡ
ଅପରେଟର ଶ୍ରୀ ପବିତ୍ର କୁମାର ସାହୁ ଏବଂ ସାଉଣ୍ଡ ଇଞ୍ଜିନିୟରିଂ ଶ୍ରୀ ସତ୍ୟ ରଞ୍ଜନ ସ୍ୱାଇଁ ସମସ୍ତସହଯୋଗ ଯୋଗାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଉପସଭାପତି ଶାଶ୍ୱତୀ ଦାସଙ୍କୁ ‘ଫେମିନା ଆଚିଭର୍ସ ଇଷ୍ଟ-୨୦୨୪’ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ଉପସଭାପତି ଶ୍ରୀଶାଶ୍ୱତୀ ଦାସଙ୍କୁ ‘ଫେମିନା ଆଚିଭର୍ସ ଇଷ୍ଟ -୨୦୨୪’ ସମ୍ମାନରେ ସମ୍ମାନୀତ କରାଯାଇଛି। ଦେଶର ଅଗ୍ରଣୀ ଇଂରାଜୀ ମହିଳା ପତ୍ରିକା ଫେମିନା ପକ୍ଷରୁ ଶ୍ରୀମତି ଦାସ ଙ୍କୁ ‘ଏକ୍ସଲେନ୍ସ ଇନ୍ ଇନ୍‌ସ୍ପିରେସ୍‌ନାଲ୍ ଲିଡରସିପ୍‌’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି।

ଗତ ନଭେମ୍ବର ୧୫ ତାରିଖ ଦିନ କୋଲକାତା ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା। ସମାଜରେ ସକାରାତ୍ମକ ପରିବର୍ତନ ଆଣିବାରେ ଅଗ୍ରଣୀ ଭୂମିକା ନେଇଥିବା ମହିଳାମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ବିଶେଷ କରି ପୂର୍ବ ଭାରତରେ ସମାଜର ବିଭିନ୍ନ ବର୍ଗରେ ଉନ୍ନତିମୂଳକ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା।

ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ଅବସ୍ଥାପିତ ବ୍ରିଟିଶ ଡେପୁଟି ହାଇକମିଶନର ଡକ୍ଟର ଆଣ୍ଡ୍ରିୟୁ ଫ୍ଲେମିଂ ଏବଂ ଆଲାଏନ୍ସ ଫ୍ରାଂଚାଇଜି ଡୁ ବେଙ୍ଗାଲେ ର ନିର୍ଦ୍ଦେଶକ ନିକୋଲାସ ଫାସିନୋ କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରିଥିଲେ। ଶ୍ରୀମତି ଦାସଙ୍କ ପକ୍ଷରୁ ସୋଆର ଲୋକସମ୍ପର୍କ ଅଧିକାରୀ ଶୁଭଦର୍ଶିନୀ ମିଶ୍ର ଏହି ସମ୍ମାନ ଗ୍ରହଣ କରିଥିଲେ।

ଅନେକ ଜନହିତକର କାର୍ଯ୍ୟ ଏବଂ ବିଶେଷ କରି ପାଠପଢ଼ାରୁ ବଂଚିତ ହେଉଥିବା ଶିଶୁମାନଙ୍କୁ ଶିକ୍ଷିତ କରିବା ସହ ଦକ୍ଷତାପୂର୍ଣ୍ଣ କାର୍ଯ୍ୟରେ ନିୟୋଜିତ କରିବା ଲକ୍ଷ୍ୟ ନେଇ ଶ୍ରୀମତି ଦାସଙ୍କ ଦିଗଦର୍ଶନରେ ସୋଆ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଅନୁଷ୍ଠାନ ‘ଜାଗୋ’ କିଛି ବର୍ଷ ହେବ ଏହି ଉଦ୍ଦେଶ୍ୟରେ କାର୍ଯ୍ୟ କରୁଛି।

Categories
ଆଜିର ଖବର ରାଜ୍ୟ ଖବର

ଶୈଳବାଳା ମହିଳା କଲେଜର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସୋଆରେ ବିଶେଷ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ଠାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ କଟକସ୍ଥିତ ଶୈଳବାଳା ମହିଳା ସ୍ୱୟଂଚାଳିତ ମହାବିଦ୍ୟାଳୟର ଗୃହ ବିଭାଗ ସ୍ନାତକୋତର ଛାତ୍ରୀମାନଙ୍କ ପାଇଁ ନଭେମ୍ବର ୧ରୁ ୧୪ ତାରିଖ ପର୍ଯ୍ୟନ୍ତ ହୋଟେଲ ଅପରେସନ ଉପରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା ଆଜିର ଯୁବପିଢିକୁ ହୋଟେଲ ଶିଳ୍ପର ଚାରିଟି ପ୍ରମୁଖ ବିଭାଗ ଯଥା ଫ୍ରଂଟ ଅଫିସ, ହାଉସ୍ କିପିଙ୍ଗ୍‌, ଫୁଡ୍ ଆଣ୍ଡ ବେଭେରେଜ୍ ସର୍ଭିସ୍ ଓ ପ୍ରଡକ୍ସନ ଉପରେ ପ୍ରଶିକ୍ଷିତ କରାଇ ସେମାନଙ୍କର ଦୃଷ୍ଟିକୋଣ, ଦକ୍ଷତା ଓ ଜ୍ଞାନ ବଢାଇବା ପାଇଁ ଅବସର ପ୍ରଦାନ କରିବା ଏବଂ ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ର୍ରମ ମାଧ୍ୟମରେ ସେମାନଙ୍କୁ ଆବଶ୍ୟକୀୟ ଦକ୍ଷତା ଏବଂ କ୍ଷମତା ପ୍ରଦାନ କରିବା। ଏହି କାର୍ଯ୍ୟକ୍ରମରେ ଗ୍ର୍ରାହକ ସେବା, ଯୋଗାଯୋଗ, ସମସ୍ୟା ସମାଧାନ ଏବଂ ସଂଚାଳନ ଭଳି ଅନ୍ୟାନ୍ୟ କ୍ଷେତ୍ର ଉପରେ ମଧ୍ୟ ପ୍ରାଧାନ୍ୟ ଦିଆଯାଇଥିଲା।

ଏହି ସଂପୂର୍ଣ୍ଣ କାର୍ଯ୍ୟକ୍ରମରେ ପେଶାଦାର ଓ ପ୍ରବୀଣ ବ୍ୟକ୍ତି ବିଶେଷଙ୍କ ତତ୍ୱାବଧାନରେ ଆତିଥ୍ୟ ଓ ପର୍ଯ୍ୟଟନ ଶିଳ୍ପ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ଏଥିରେ ଶୈଳବାଳା ମହିଳା ମହାବିଦ୍ୟାଳୟର ୪୩ ଜଣ ଛାତ୍ରୀ ଓ କିଛି ଅଧ୍ୟାପିକା ଅଂଶ ଗ୍ରହଣ କରିଥିଲେ।

ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଉଦ୍‌ଯାପନୀ ଉତ୍ସବରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଉପକୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୂତି ଭୂଷଣ ପ୍ର୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଉପସ୍ଥିତ ରହି ଛାତ୍ରୀମାନଙ୍କର ଜୀବନରେ ଏହି ପ୍ରଶିକ୍ଷଣର ଉପାଦେୟତା ଓ ଗୁରୁତ୍ୱକୁ ବ୍ୟାଖ୍ୟା କରିଥିଲେ ଏବଂ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ଛାତ୍ରୀମାନଙ୍କୁ  ପ୍ରୋତ୍ସାହିତ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

କ୍ୟୁଏସ୍ ଏସିଆ, ଦକ୍ଷିଣ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗସ୍‌-୨୦୨୫ରେ ସମ୍ମାନଜନକ ସ୍ଥାନରେ ସୋଆ

ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଙ୍ଗ୍‌-୨୦୨୫ (ଅଂଚଳ ଭିତ୍ତିକ) ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦକ୍ଷିଣ ଏସିଆ ଏବଂ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଂରେ ମହତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି।

ଦକ୍ଷିଣ ଏସିଆ ନିମନ୍ତେ ଏସିଆ ୟୁନିଭର୍ସିଟି ର‌୍ୟାଙ୍କିଂରେ ସୋଆ ୨୦୨୪ରେ ୧୪୩ ତମ ସ୍ଥାନ ହାସଲ କରିଥିବା ବେଳେ ୨୦୨୫ରେ ୬୪ ତମ ସ୍ଥାନରେ ପହଂଚିଛି। ସେହିପରି ଏସିଆ ୟୁନିଭର୍ସିଟି ର‌୍ୟାଙ୍କିରେ ୨୦୨୪ରେ ସୋଆ ୫୦୧-୫୫୦ ବ୍ରାକେଟରେ ଥିବାବେଳେ ୨୦୨୫ରେ ଏଥିରେ ଉନ୍ନତି ହୋଇ ୨୭୮ ସ୍ଥାନରେ ପହଂଚିଛି ସୋଆ।
କ୍ୟୁଏସ ୱାର୍ଲ୍ଡ ୟୁନିଭର୍ସିଟି ର‌୍ୟାଙ୍କିଂରେ ୨୦୨୪ରେ ସୋଆ ୧୨୦୧-୧୪୦୦ ବ୍ରାକେଟରେ ଥିବାବେଳେ ନିକଟରେ ପ୍ରକାଶ ପାଇଥିବା ତାଲିକାରେ ଏହି ସ୍ଥିତିକୁ ବଜାୟ ରଖିଛି।

ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର‌୍ୟାଙ୍କିଂ ଫ୍ରେମ୍‌ୱାର୍କ (ଏନଆଇଆରଏଫ) ର‌୍ୟାଙ୍କିଂ ୨୦୨୪ ରେ ସୋଆ ଦେଶରେ ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ର‌୍ୟାଙ୍କ ପାଇଥିଲା। ୨୦୧୬ ରୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ ହୋଇଥିବା ଏନଆଇଆରଏଫ ର‌୍ୟାଙ୍କିଂରେ ପ୍ରତିଥର ଦେଶର ଶ୍ରେଷ୍ଠ ୨୫ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ନିଜକୁ ସ୍ଥାନୀତ କରିପାରିଛି ସୋଆ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଂଟିବାୟୋଟିକ୍‌କୁ ଅଧିକ ବିକଶିତ କରିବା ନିମନ୍ତେ ସମାଜର ସବୁବର୍ଗଙ୍କ ସହଯୋଗ ଆବଶ୍ୟକ: ବିଶେଷଜ୍ଞ

ଭୁବନେଶ୍ୱର: କୋଭିଡ ମହାମାରୀରେ ଭାରତରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜୀବନର ରକ୍ଷାକାରୀ ସାଜିଥିଲା ଜୀବାଣୁକୁ ଅକାମୀ କରୁଥିବା ଆଂଟିବାୟୋଟିକ। ତେଣୁ ଏଭଳି ଆଂଟିବାୟୋଟିକ୍‌ଗୁଡ଼ିକୁ ଅଧିକ ମାତ୍ରାରେ ବିକଶିତ କରିବା ପାଇଁ ସମାଜର ସହଯୋଗର ଆବଶ୍ୟକତା ରହିଛି। ଏହା ଜାତୀୟ ସୁରକ୍ଷା ନିମନ୍ତେ ଆବଶ୍ୟକ ବୋଲି ଶିଳ୍ପ ଏବଂ ସାମୁଦ୍ରିକ ଜୈବପ୍ରଯୁକ୍ତିବିଦ୍ୟା ଉପରେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ବିଶେଷଜ୍ଞ ମତ ଦେଇଛନ୍ତି।

ନଭେମ୍ବର ୪ ଓ ୫ ଦୁଇ ଦିନ ଧରି ‘ରିସର୍ଚ୍ଚ ଆଣ୍ଡ ଇନୋଭେସନ୍‌ସ ଇନ୍ ଇଣ୍ଡଷ୍ଟ୍ରିଆଲ୍ ଆଣ୍ଡ ମେରାଇନ୍ ବାୟୋଟେକ୍ନୋଲେଜି: ଏ ସର୍କୁଲାର ଇକୋନୋମି’ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ କରାଯାଇଥିବାବେଳେ ଏହାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଚେନ୍ନାଇର ବି.ଏସ୍‌. ଅବ୍‌ଦୁର ରହେମାନ୍ କ୍ରେସେଂଟ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲେଜି (ଡିମ୍‌ଡି ଟୁ ବି ୟୁନିଭର୍ସିଟି)ର ଉପକୁଳପତି ପ୍ରଫେସର ଏନ୍‌. ତାଜୁଦ୍ଦିନ କହିଥିଲେ ଯେ ବିଶ୍ୱରେ ବର୍ତମାନ ପରିବେଶର ପ୍ରଦୂଷଣ ଏବଂ ପୁଷ୍ଟିହୀନତା ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏଥି ନିମନ୍ତେ ଜୈବବିଜ୍ଞାନର ସହଯୋଗର ଅନେକ ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି ।

ଏହି ଅବସରରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ କୃଷି କ୍ଷେତ୍ରକୁ ବିକଶିତ କରିବା ପାଇଁ ଜୈବବିଜ୍ଞାନ ହିଁ ଏକ ମାତ୍ର ଆଶାର ଆଲୋକ। କୃଷି ଏବଂ ଜୈବବିଜ୍ଞାନ ହାତ ମିଶାଇଲେ ହିଁ ବିଜ୍ଞାନ ବିକଶିତ ହେବ ବୋଲି ସେ କହିଛନ୍ତି। ଜୈବବିଜ୍ଞାନ ହିଁ ଭବିଷ୍ୟତର ବୈଷୟିକ ଜ୍ଞାନକୌଶଳ ବୋଲି ସେ କହିଥିବା ବେଳେ ଭାରତରେ ବର୍ତମାନ ଜୈବବିଜ୍ଞାନ କ୍ଷେତ୍ରରେ ୬୦୦୦ଷ୍ଟାର୍ଟଅପ୍‌, ୭୬୦ଟି କମ୍ପାନୀ ଏବଂ ୮୦୦ଟି ଉତ୍ପାଦ ଉପଲବ୍ଧ ବୋଲି ସେ ସୂଚନା ଦେଇଥିଲେ।

ପ୍ରତ୍ୟେକ ପଦାର୍ଥର ପୁନଃବ୍ୟବହାର ଏବଂ ପୁନଃପରିଚାଳନା ହେଉଛି ଜୈବବିଜ୍ଞାନର ପ୍ରକୃତ ଉଦ୍ଦେଶ୍ୟ ବୋଲି ପ୍ରଫେସର ରାଉଳ କହିଛନ୍ତି।

ସୋଆ ପରିଚାଳିତ ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର) ଏହି କର୍ମଶାଳାର ଆୟୋଜନ କରିଥିବାବେଳେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଅଧିନସ୍ଥ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ରିସର୍ଚ୍ଚ ବୋର୍ଡ ଏହାର ପୃଷ୍ଠପୋଷକ ରହିଛି। ଏହା ବ୍ୟତୀତ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନଆରଡିସି) ଓ ବାୟୋଟୋକ୍ନୋଲୋଜି ରିସର୍ଚ୍ଚ ସୋସାଇଟି ଅଫ୍ ଇଣ୍ଡିଆର ମିଳିତ ସହଯୋଗରେ ଏହା ଆୟୋଜିତ ହେଉଛି।

କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କହିଥିଲେ ଯେ ୨୦୨୫ ନଭେମ୍ବର ମାସରେ ସୋଆ ପକ୍ଷରୁ ଜୈବବିଜ୍ଞାନକୁ ନେଇ ଏକ ଆନ୍ତର୍ଜାତିକ କର୍ମଶାଳାର ଆୟୋଜନ କରାଯାଉଥିବା ବେଳେ ଏହା ପୂର୍ବରୁ ଏହି ସମ୍ମିଳନୀର ଗୁରୁତ୍ୱ ରହିଛି। ଗବେଷଣାକୁ ଅଧିକ ଗୁରୁତ୍ୱ ଦେଉଥିବା ସୋଆରେ ୧୯ଟି ଗବେଷଣା କେନ୍ଦ୍ର ରହିଥିବା ବେଳେ ସିଆଇବିଆର୍ ଏହାର ୧୮ତମ ଗବେଷଣା କେନ୍ଦ୍ର ବୋଲି ପ୍ରଫେସର ନନ୍ଦ କହି ଏହି ବିଷୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କହିଥିଲେ।

କାର୍ଯ୍ୟକ୍ରମରେ କୋଲକାତା ସ୍ଥିତ ୟୁଜିସି-ଡିଏଇ ସିଏସ୍‌ଆର୍‌ର ପ୍ରମୁଖ ବୈଜ୍ଞାନିକ ଡକ୍ଟର ଅନିନ୍ଦିତା ଚକ୍ରବର୍ତ୍ତୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପ୍ରଯୁକ୍ତିବିଦ୍ୟା ବିନା ବିଜ୍ଞାନର ଅସ୍ତିତ୍ୱ ନାହିଁ ବୋଲି କହିବା ସହ ସୋଆର ଏହି ପଦକ୍ଷେପ ଖୁବ୍ ପ୍ରଶଂସନୀୟ ବୋଲି କହିଥିଲେ।

କାର୍ଯ୍ୟକ୍ରମରେ ସୋଆ ସିଆଇବିଆର୍‌ର ନିର୍ଦ୍ଦେଶକ ତଥା ଏହି ଜାତୀୟ ସମ୍ମିଳନୀର ଆବାହକ ପ୍ରଫେସର ହୃଦୟନାଥ ଥାଟ୍ଟୋଇ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ସଂପୃକ୍ତ କେନ୍ଦ୍ର ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ବର୍ତ୍ତମାନ ପରିସ୍ଥିତିରେ ବିଶ୍ୱରେ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲଜି ଓ ମେରାଇନ୍ ବାୟୋଟେକ୍ନୋଲଜିର ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତନ ଭଳି ଜଟିଳ କ୍ଷେତ୍ରରେ ବିଶେଷ ଭୂମିକା ରହିଛି। ଏହି ବିଷୟ ବସ୍ତୁକୁ ନେଇ ହିଁ ସମ୍ମିଳନୀର ଆୟୋଜନ କରାଯାଇଥିବା ପ୍ରଫେସର ଥାଟ୍ଟୋଇ କହିଥିଲେ।

ସମ୍ମିଳନୀରେ ବିଶିଷ୍ଟ ଗବେଷକ, ଶିଳ୍ପ ବିଶେଷଜ୍ଞ ଏବଂ ନୀତି ନିର୍ଦ୍ଧାରକ ଯୋଗ ଦେଇଛନ୍ତି ।
୨୦୨୩ ମସିହାରେ ସୋଆ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ସିଆଇବିଆର୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମୁଦ୍ର, କୃଷି, ପରିବେଶ, ଫାର୍ମାସ୍ୟୁଟିକ୍ସ ଏବଂ ମେଡିକାଲ୍ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଗବେଷଣାକୁ ଅଧିକ ପ୍ରୋତ୍ସାହିତ କରିବା ବୋଲି ପ୍ରଫେସର ଥାଟ୍ଟୋଇ କହିଛନ୍ତି।

ବର୍ତ୍ତମାନ ବିଶ୍ୱରେ ପରିବେଶକୁ ନେଇ ଉଦ୍‌ବେଗ ସୃଷ୍ଟି ହେଉଥିବା ବେଳେ ହ୍ୱାଇଟ୍ ବାୟୋଟେକ୍ନୋଲୋଜି ଏବଂ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜିର ଅନେକ ଗୁରୁତ୍ୱ ରହିଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଡକ୍ଟର ଶୀବାନି ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅର୍ଗାନାଇଜିଂ ସେକ୍ରେଟାରୀ ଡକ୍ଟର ଅମ୍ରିତା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଡକ୍ଟର ସସ୍ମିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୌରଶକ୍ତିକୁ ନେଇ ଟିପିସିଓଡିଏଲ୍ ପକ୍ଷରୁ ସୋଆରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ‘ଗ୍ରୀଡ୍ କନେକ୍ଟେଡ୍ ରୁଫ୍ ଟପ୍ ସୋଲାର ସିଷ୍ଟମ୍‌’ ଉପରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ ଅକ୍ଟୋବର ୨୮ ଓ ୨୯ ତାରିଖରେ ଆୟୋଜିତ ହୋଇଯାଇଛି।

ଟାଟା ପାୱାର ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ପ୍ରାୟୋଜିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଛି କେନ୍ଦ୍ର ସରକାରଙ୍କ ‘ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜ୍‌ଲି ଯୋଜନା’ କାର୍ଯ୍ୟକ୍ରମକୁ ସଫଳ କରିବା। ଏହାର ମୂଳ ଲକ୍ଷ୍ୟ ହେଉଛି ସାରା ଦେଶରେ ସବୁଜ ଶକ୍ତିକୁ ପ୍ରୋତ୍ସାହନ ଦେଇ ସୌରଶକ୍ତିରୁ ବିଦ୍ୟୁତ୍ ଉତ୍ପାଦନ କରିବା।

ନ୍ୟୁ ଆଣ୍ଡ ରିନ୍ୟୁବଲ୍ ଏନର୍ଜି (ଏମ୍‌ଏନ୍‌ଆରଇ) ମନ୍ତ୍ରଣାଳୟ ପକ୍ଷରୁ ମନୋନୀତ ନ୍ୟାସ୍‌ନାଲ୍ ପାୱାର ଟ୍ରେନିଂ ଇନ୍‌ଷ୍ଟିଚ୍ୟୁଟ୍ (ଏନ୍‌ପିଟିଆଇ) ସହଭାଗିତାରେ ଓଡ଼ିଶାରେ ଏହି ପ୍ରଶିକ୍ଷଣ କାର୍ଯ୍ୟ କରାଯାଉଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ରେ ଏହା ଆୟୋଜିତ ହୋଇଥିଲା।

କର୍ମଶାଳାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା, ଓଡ଼ିଶା ଡିଷ୍ଟକମ୍‌ସ ଏଲ୍ ଆଣ୍ଡ ଡି ମୁଖ୍ୟ ତଥା ସିନିୟର ଜେନେରାଲ ମ୍ୟାନେଜର (ଏଚ୍‌ଆର୍‌) ବୁଦ୍ଧିଶ କୁମାର ବେହେରା ଏବଂ ଦୁର୍ଗାପୁର ସ୍ଥିତ ଏନ୍‌ପିଟିଆଇର ଡେପୁଟି ଡାଇରେକ୍ଟର ମୋତିଲାଲ୍ ସେନାପତି ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସୋଆ ଫାର୍ମାସୀର ନୂତନ ବର୍ଷ ଛାତ୍ରଛାତ୍ରୀଙ୍କର ପାଠ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ (ଏସ୍‌ପିଏସ୍‌) ର ୨୦୨୪ ବ୍ୟାଚର ବି.ଫାର୍ମ ଓ ଏମ୍‌.ଫାର୍ମ ଛାତ୍ରଛାତ୍ରୀ ମାନଙ୍କ ପାଇଁ ବୁଧବାର ଏକ ସ୍ୱତନ୍ତ୍ର ସ୍ୱାଗତ କାର୍ଯ୍ୟକ୍ରମ ସହ ପାଠ୍ୟକ୍ରମ ଆରମ୍ଭ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ଏସ୍‌ପିଏସ୍‌ର ଡିନ୍ ପ୍ରଫେସର (ଡକ୍ଟର) ସୁଦାମ ଚନ୍ଦ୍ର ସି ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କୁ ଏହି ବୃତିଗତ ଶିକ୍ଷାକୁ କିପରି ଆପଣେଇ ସେଥିରେ ଉତ୍କର୍ଷ ଲାଭ କରିପାରିବେ ସେ ବିଷୟରେ ମତ ରଖିଥିଲେ। ସେମାନେ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ସୁଯୋଗ ପାଇଛନ୍ତି ବୋଲି ସେ କହିଥିଲେ। ସେମାନେ ଏହି ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ। ଶୃଙ୍ଖଳା, ସଚ୍ଚୋଟତା, ନୈତିକତା ଓ ସମୟାନୁବର୍ତ୍ତିତା ଉପରେ ସବୁବେଳେ ଗୁରୁତ୍ୱ ଦେବା ଛାତ୍ରଛାତ୍ରୀମାନଙ୍କ କର୍ତବ୍ୟ ବୋଲି ପ୍ରଫେସର ସି କହିଥିଲେ।

ଏସ୍‌ପିଏସ୍‌ର ଆଡିସ୍‌ନାଲ୍ ଡିନ୍ ପ୍ରଫେସର (ଡକ୍ଟର) ଦିବ୍ୟଜ୍ୟୋତି ଦାସ କହିଥିଲେ ଯେ ଜ୍ଞାନ ଆହରଣ ଓ ଶିକ୍ଷା ଗ୍ରହଣ ନିମନ୍ତେ ଏକ ଉଦ୍ଦେଶ୍ୟ ରହିବା ଉଚିତ୍। କେବଳ ଶିକ୍ଷା ଗ୍ରହଣ କରିବା ଛାତ୍ରଛାତ୍ରୀ ମାନଙ୍କର ମୂଳ ଲକ୍ଷ୍ୟ ହେବା ଜରୁରୀ ନୁହେଁ ବରଂ ସେମାନେ ଏହି ବୃତିଗତ ଶିକ୍ଷା ବିଷୟରେ ଅବଗତ ହେବା ଜରୁରୀ। ଫାର୍ମାସି ଓ ବାୟୋଟେକ୍‌ନୋଲୋଜି ସ୍ୱାସ୍ଥ୍ୟକ୍ଷେତ୍ର ସହିତ ଓତଃପ୍ରୋତ ଭାବେ ଜଡିତ। କୌଣସି କାରଣ ବଶତଃ ଫାର୍ମାସିଷ୍ଟ ଭୁଲ୍ କଲେ ତାର ପ୍ରଭାବ ସମାଜ ଓ ସ୍ୱାସ୍ଥ୍ୟକ୍ଷେତ୍ରରେ ପଡିଥାଏ।

ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଏସ୍‌ପିଏସ୍‌ର ଫାର୍ମାସ୍ୟୁଟିକ୍ ବିଭାଗ ର ମୁଖ୍ୟ ପ୍ରଫେସର (ଡକ୍ଟର) ସୁବ୍ରତ ମଲ୍ଲିକ ଯୋଗ ଦେଇ କହିଥିଲେ ଯେ ଏହି ନୂତନ ବର୍ଷର ଫାର୍ମାସୀ ଛାତ୍ରଛାତ୍ରୀମାନେ ସ୍ୱାସ୍ଥ୍ୟକ୍ଷେତ୍ରର ଆଗାମୀ ଭବିଷ୍ୟତ। ସେମାନେ ନିଜର ନୂତନ ଚିନ୍ତାଧାରା ଓ ଜ୍ଞାନକୌଶଳକୁ ପ୍ରୟୋଗ କରି ବହୁତ କିଛି ନୂତନ ଉଦ୍ଭାବନ କରିପାରିବେ। ସେମାନେ ଏହି ବୃତିଗତ ଶିକ୍ଷାକୁ ଚୟନ କରିଥିବାରୁ ସେମାନଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏସ୍‌ପିଏସ୍‌ର ଫାର୍ମାକୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡକ୍ଟର )ଦୁର୍ଗାମାଧବ କର କାର୍ଯ୍ୟକ୍ରମର ବିଶେଷ ବିବରଣୀ ପ୍ରଦାନ କରିଥିଲେ। ଏହି ବୃତିଗତ ଶିକ୍ଷା ଓ ପରୀକ୍ଷା ଇତ୍ୟାଦି ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ ଏସ୍‌ପିଏସ୍‌ର ଆସୋସିଏଟ୍ ପ୍ରଫେସର (ଡକ୍ଟର)ସୁଜାତା ମହାପାତ୍ର।

ଏହି ଅବସରରେ ଏସ୍‌ପିଏସ୍‌ର ପ୍ରଫେସର (ଡକ୍ଟର ) ଲକ୍ଷ୍ମୀଧର ମହାରଣା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଶେଷରେ ଏସ୍‌ପିଏସ୍‌ର ଆସୋସିଏଟ୍ ପ୍ରଫେସର (ଡକ୍ଟର) ଶକ୍ତି କେତନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ମସ୍ତିଷ୍କ ଆଘାତ ଜନିତ ସମସ୍ୟା ବିଶ୍ୱରେ ମୃତ୍ୟୁର ଦ୍ୱିତୀୟ ବୃହତ୍ କାରଣ: ପ୍ରଫେସର ଅଶୋକ ମହାପାତ୍ର

ଭୁବନେଶ୍ୱର: ସାରା ବିଶ୍ୱରେ ହୃଦ୍‌ଘାତ ମଣିଷର ମୃତ୍ୟୁର ପ୍ରଥମ ବୃହତ କାରଣ ହୋଇଥିବା ବେଳେ ମସ୍ତିଷ୍କରେ ଆଘାତ ଅଥବା ବ୍ରେନ୍ ଷ୍ଟ୍ରୋକ୍ ଯୋଗୁଁ ହେଉଥିବା ମୃତ୍ୟୁ ଦ୍ୱିତୀୟ ବୃହତ କାରଣ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପ୍ରମୁଖ ଉପଦେଷ୍ଟା (ସ୍ୱାସ୍ଥ୍ୟ ବିଜ୍ଞାନ) ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ନ୍ୟୁରୋଲୋଜି ବିଭାଗ ପକ୍ଷରୁ ମଙ୍ଗଳବାର ଆୟୋଜିତ ବିଶ୍ୱ ଷ୍ଟ୍ରୋକ୍ ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଫେସର ମହାପାତ୍ର କହିଥିଲେ ଯେ ମସ୍ତିଷ୍କରେ ଆଘାତ ଘଟିଲେ ମଣିଷ ପକ୍ଷାଘାତ, ଦୃଷ୍ଟିହୀନ କିମ୍ବା ବାକ୍‌ଶକ୍ତିହୀନ ହେବା ସହ କୋମାକୁ ମଧ୍ୟ ଚାଲିଯାଇଥାଏ। ଉଚ୍ଚ ରକ୍ତଚାପ, ମଧୁମେହ ଏବଂ ମେଦବହୁଳତା ବ୍ରେନ୍ ଷ୍ଟ୍ରୋକ୍‌ର ପ୍ରମୁଖ କାରଣ। ତେଣୁ ମଣିଷ ଏହି ରୋଗରୁ ନିଜକୁ ଦୂରେଇ ରଖିବା ପାଇଁ ଜୀବନ ଶୈଳୀରେ ପରିବର୍ତନ କରିବା ଜରୁରୀ ବୋଲି ସେ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଷ୍ଟ୍ରୋକ୍‌ରୁ ରୋଗୀ ବହୁ ମାତ୍ରାରେ ସୁସ୍ଥ ହୋଇପାରିବେ। ରୋଗୀଙ୍କ ସୁରକ୍ଷା ନିମନ୍ତେ ହସ୍ପିଟାଲର ଡାକ୍ତରଙ୍କ ସମେତ ସମସ୍ତ କର୍ମଚାରୀମାନଙ୍କୁ ନିରାପତା ଜନିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ବିଭାଗର ନୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ ସାହୁ ହସ୍ପିଟାଲକୁ ଆସୁଥିବା ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଏକ ଷ୍ଟ୍ରୋକ୍ କ୍ଲିନିକ୍ ଆରମ୍ଭ କରିବାର ପ୍ରସ୍ତାବ ଦେଇଥିବା ବେଳେ କାର୍ଯ୍ୟକ୍ରମର ଆୟୋଜକ ପ୍ରଫେସର ଲୁଲୁପ କୁମାର ସାହୁ ଏକ ଷ୍ଟ୍ରୋକ୍ ଟିମ୍ ତଥା ଷ୍ଟ୍ରୋକ୍ କୋର୍ଡିନେଟରଙ୍କ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ରୋଗୀ ହସ୍ପିଟାଲ୍‌କୁ ଆସିଲେ ଯେଭଳି ତାର ଚିକିତ୍ସାରେ ବିଳମ୍ବ ନ ହୁଏ ସେ ଦିଗରେ ଏହି ଷ୍ଟ୍ରୋକ୍ ଟିମ୍ ବେଶ ସହାୟକ ହେବ ବୋଲି ପ୍ରଫେସର ସାହୁ କହିଥିଲେ।

କାର୍ଯ୍ୟକ୍ରମକୁ ନ୍ୟୁରୋଲୋଜି ବିଭାଗର ଆସୋସିଏଟ୍ ପ୍ରଫେସର (ଡାକ୍ତର) ଶ୍ରୀମନ୍ତ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ଅନିଲ ସାହୁ ‘କୋଡ୍ ଷ୍ଟ୍ରୋକ୍‌’ ସମ୍ପର୍କିତ ଏକ ବିବରଣୀ ଉପସ୍ଥାପନା କରିଥିଲେ।

ମଙ୍ଗଳବାର ସକାଳେ ବିଶ୍ୱ ଷ୍ଟ୍ରୋକ୍ ଦିବସ ଅବସରରେ ଏକ ୱାକାଥନ୍‌ର ମଧ୍ୟ ଆୟୋଜନ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ୨୦୨୪-୨୫ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ଶନିବାର ଦିନ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ-୧ରେ ଏମ୍‌ବିବିଏସ୍ ନୂତନ ବର୍ଷର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ସୋମବାର ଦିନ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ୨, ଫୁଲନଖରା କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏହି ଉତ୍ସବର ଆୟୋଜନ କରାଯାଇଥିଲା।

ଶନିବାର ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ-୧ରେ ଆୟୋଜିତ ହ୍ୱାଇଟ୍ କୋଟ ଉତ୍ସବରେ ୨୫୦ ଜଣ ଛାତ୍ରଛାତ୍ରୀ ହିପୋକ୍ରାଟିକ୍ ଶପଥ ନେବା ସହ ମୂଲ୍ୟବୋଧ ଭିତିକ ଚିକିତ୍ସା କରିବା ନିମନ୍ତେ ଶପଥ ନେଇଥିଲେ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଏହା କେବଳ ଏକ କୋଟ ନୁହେଁ ବରଂ ପ୍ରତି ଡାକ୍ତରର ପ୍ରଥମ ପରିଚୟ ଅଟେ ବୋଲି କହିଥିଲେ। ତେଣୁ ଏହାକୁ ପିନ୍ଧି ପ୍ରତ୍ୟେକ ଡାକ୍ତରୀ ଛାତ୍ରଛାତ୍ରୀ ଗର୍ବ ଅନୁଭବ କରିବା ଆବଶ୍ୟକ ବୋଲି ସେ କହିଥିଲେ।

ଏହି ଅବସରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ସେମାନଙ୍କୁ ଅଧ୍ୟୟନରେ ମନୋନିବେଶ କରିବା ସହ ସମାଜ ସେବା ଓ ରୋଗୀଙ୍କ ପ୍ରତି ଦୟାଳୁ ମନୋଭାବ ନେଇ ଉତମ ଡାକ୍ତର ହେବା ପାଇଁ ବାର୍ତ୍ତା ଦେଇଥିଲେ।

ଏହି ଅବସରରେ ହସ୍ପିଟାଲର ସମସ୍ତ ଡାକ୍ତର, ନର୍ସ ଓ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।

ସେହିପରି ସୋମବାର ଦିନ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌-୨ ଫୁଲନଖରା କ୍ୟାମ୍ପସ୍‌ରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରଥମ ବ୍ୟାଚ ତଥା ୨୦୨୪-୨୫ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ୧୫୦ ଜଣ ଏମ୍‌ବିବିଏସ୍ ଛାତ୍ରଛାତ୍ରୀଙ୍କ ନିମନ୍ତେ ହ୍ୱାଇଟ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସମସ୍ତ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କୁ ଆପ୍ରୋନ୍ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ପ୍ରସନ୍ନଜିତ୍ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଛାତ୍ରଛାତ୍ରୀଙ୍କୁ ଆପ୍ରୋନ୍ ପ୍ରଦାନ କରାଯିବା ଦ୍ୱାରା ସମାଜ ପ୍ରତି ସେମାନଙ୍କର ଦାୟିତ୍ୱ ବିଷୟରେ ସେମାନଙ୍କୁ ସଚେତନ କରାଯାଇଛି।
ଭରସା, ବିଶ୍ୱାସ, ଶକ୍ତି, ନୈତିକତା, ସହନଶୀଳତା ଓ ସମୟାନୁବର୍ତିତା ଭଳି ଗୁଣକୁ ଗୋଟିଏ ଡାକ୍ତର ନିଜ ଭିତରେ ସଦାସର୍ବଦା ଗୁରୁତ୍ୱ ଦେବା ଜରୁରୀ ବୋଲି ପ୍ରଫେସର ମହାନ୍ତି କହିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ କହିଥିଲେ ଯେ ଡାକ୍ତର ହେବାର ସ୍ୱପ୍ନ ନେଇ ଆସିଥିବା ଏହି ଛାତ୍ରଛାତ୍ରୀମାନେ ନିଜର ଦାୟିତ୍ୱକୁ କିପରି ସୁଚାରୁ ରୂପେ ତୁଲାଇବେ ତାହା ଜାଣିବା ଆବଶ୍ୟକ। ଏହି କୋଟ ପରିଧାନ କରିବା ପରେ ସେମାନଙ୍କ ଦାୟିତ୍ୱ ଓ କର୍ତବ୍ୟ କ’ଣ ରହିଛି ସେ ବିଷୟରେ ପ୍ରଥମେ ଅବଗତ ହେବା ଜରୁରୀ ବୋଲି କହିବା ସହ ସେ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇଥିଲେ।

ଏହି ଅବସରରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ଯୋଗ ଦେଇ କହିଥିଲେ ଯେ ପ୍ରତି ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଏହି ଦିନଟି ହେଉଛି ଗୁରୁତ୍ୱପୂର୍ଣ୍ଣ। ସେମାନେ ଏହି ଆପ୍ରୋନ୍ ପିନ୍ଧିବା ପରେ ଏହାର ମହତ୍ୱ ଓ ଦାୟିତ୍ୱ ବିଷୟରେ ଜାଣିବା ଆବଶ୍ୟକ। ଡାକ୍ତରୀ ବୃତିରେ ଆଚାର ଓ ବ୍ୟବହାର ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହ ସେ ଛାତ୍ରଛାତ୍ରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ। ନୂତନ ବର୍ଷର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଆସିଷ୍ଟାଂଟ ମେଡିକାଲ୍ ସୁପରିଟେଣ୍ଡେଂଟ ଡଃ ସିଦ୍ଧାର୍ଥ ଗୌତମ ଧନ୍ୟବାଦ ଅର୍ପଣ କରିଥିଲେ।

Categories
ଆଜିର ଖବର

ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ ହେଲା ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଔଷଧୀୟ ସୂତ୍ର

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଗବେଷକଙ୍କ ଦ୍ୱାରା ବିକଶିତ ହୋଇଥିବା ଏକ ଅଭିନବ ଔଷଧୀୟ ସୂତ୍ର ଯାହା ନିମନ୍ତେ ଗତ ବର୍ଷ ନ୍ୟାସ୍‌ନାଲ୍ ରିସର୍ଚ୍ଚ ଡେଭଲପ୍‌ମେଂଟ କର୍ପୋରେସନ୍ (ଏନଆର୍‌ଡିସି) ସହିତ ସୋଆ ବୈଷୟିକ ଅନୁମତି ନିମନ୍ତେ ବୁଝାମଣା କରିଥିଲା ସେହି ସୂତ୍ର ଏବେ ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ ଅଟେ।

ଶୁକ୍ରବାର ଦିନ ଏଠାରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦଙ୍କ ଉପସ୍ଥିତିରେ ‘ରି-ଡିସ୍‌ପର୍ସିବଲ ମ୍ୟୁକୋଆଦେସିଭ୍ ଗାର୍ଗଲ୍ କମ୍ପୋଜିସନ୍‌’ ନାମକ ଏହି ଉତ୍ପାଦର ଟେକ୍ନୋଲଜି ଟ୍ରାନ୍ସଫର ବୁଝାମଣା ଏନ୍‌ଆର୍‌ଡିସି ଏବଂ ଗୁଜରାଟ ସ୍ଥିତ ସୁୟାସ୍ ଫାର୍ମାସ୍ୟୁଟିକାଲ୍‌ସ ମଧ୍ୟରେ ହୋଇଯାଇଛି।

ଏହି ସୂତ୍ରଟିକୁ ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌)ର ପ୍ରଫେସର ଗୌତମ ରଥଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବା ଏକ ଗବେଷକ ଦଳ ବିକଶିତ କରିଛନ୍ତି।

ପ୍ରଥମ ଥର ପାଇଁ ଓଡ଼ିଶାର ଗବେଷକ ମାନଙ୍କ ଦ୍ୱାରା ବିକଶିତ ହୋଇଥିବା କୌଣସି ସୂତ୍ର ବ୍ୟବସାୟିକରଣ ନିମନ୍ତେ ପ୍ରସ୍ତୁତ ହୋଇଛି ବୋଲି ପ୍ରଫେସର ରଥ କହିଛନ୍ତି।

ଏଥି ନିମନ୍ତେ ସୋଆରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ ଏବଂ ପ୍ରଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସୁୟାସ୍ ଫାର୍ମାସ୍ୟୁଟିକାଲ୍‌ସର ନିର୍ଦ୍ଦେଶକ ରାଜୁ ଶରଦଚନ୍ଦ୍ର ଶାହ ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କପିଲ ଶାହ ତଥା ଏନଆରଡିସି ପକ୍ଷରୁ ଶ୍ରୀ ଅମିତାଭ ମିଶ୍ର ଉପସ୍ଥିତ ଥିଲେ।

ଏହି ସୂତ୍ର ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରି ପ୍ରଫେସର ରଥ କହିଛନ୍ତି ଯେ ବର୍ତମାନ ସମୟରେ ଗଳାରେ ସଂକ୍ରମଣ ହେଲେ ଗାର୍ଗଲ ନିମନ୍ତେ ବ୍ୟବହୃତ ଔଷଧର ପ୍ରଭାବ ମାତ୍ର ୧୫ ରୁ ୩୦ ମିନିଟ ରହୁଥିବାରୁ ବାରମ୍ବାର ଏହାକୁ ବ୍ୟବହାର କରିବାକୁ ପଡ଼ୁଛି। ଗବେଷକ ଟିମ୍‌ଙ୍କ ଦ୍ୱାରା ବିକଶିତ ହୋଇଥିବା ଏହି ରି-ଡିସ୍‌ପର୍ସିବୁଲ ମ୍ୟୁକୋଆଦେସିଭ୍ ଗାର୍ଗଲ କମ୍ପୋଜିସନ୍‌କୁ ଥରେ ବ୍ୟବହାର କରିବା ଦ୍ୱାରା ବ୍ୟବହାରକାରୀଙ୍କ ଗଳାକୁ ୪ ଘଂଟା ପାଇଁ ଆରାମ ମିଳିପାରିବ। ଏହି ସୂତ୍ର କେବଳ ଯେ ଔଷଧର ବ୍ୟବହାରର ମାତ୍ରାକୁ କମାଉଛି ତାହା ନୁହେଁ ଔଷଧର ପ୍ରଭାବ ମଧ୍ୟ ବଢ଼ାଉଛି ବୋଲି ସେ କହିଛନ୍ତି।

ରାଜୁ ଶରଦଚନ୍ଦ୍ର ଶାହ ସୋଆ ଗବେଷକଙ୍କ ଦ୍ୱାରା ବିକଶିତ ଏହି ସୂତ୍ରକୁ ନେଇ ଖୁବ୍ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି ଯେ ନାନୋ ଫାଇବରଗୁଡ଼ିକୁ ନେଇ ବିକଶିତ ଏହି ଟେକ୍ନୋଲଜି ସାରା ଦେଶରେ ରୋଗୀମାନଙ୍କ ନିମନ୍ତେ ଖୁବ୍ ସହାୟକ ହେବ।

ସୋଆ ଏପର୍ଯ୍ୟନ୍ତ ୩ଟି ଗୁରୁତ୍ୱପୂର୍ଣ୍ଣ ଫାର୍ମାସ୍ୟୁଟିକାଲ୍ ଟେକ୍ନୋଲୋଜିକୁ ଏନ୍‌ଆରଡିସିକୁ ହସ୍ତାନ୍ତର କରିସାରିଛି। ଏନ୍‌ଆର୍‌ଡିସି ବ୍ୟକ୍ତିବିଶେଷ, କଲେଜ, ବିଶ୍ୱବିଦ୍ୟାଳୟ ଓ ଶିଳ୍ପ ଦ୍ୱାରା ବିକଶିତ ସୂତ୍ରକୁ ନେଇ ତାହାର ବହୁଳ ଉତ୍ପାଦନ ଓ ବିକ୍ରୟ ନିମନ୍ତେ ସହାୟତା କରିଥାଏ। ପ୍ରଫେସର ରଥଙ୍କ ଦଳରେ ପ୍ରଫେସର ଗୌତମ ଘୋଷ, ଡକ୍ଟର ବିଶ୍ୱକାନ୍ତ କର, ଡକ୍ଟର ଭିନିତ କୁମାର ରାଏ, ଜିତୁ ହାଲଦାର ଏବଂ ଦୀପକ ପ୍ରଧାନ ସାମିଲ ଥିଲେ।

ଏହି ବିଷୟରେ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ସମସ୍ତ ପ୍ରକାର ସାହାଯ୍ୟ ଯୋଗାଇ ଦେବା ସହ ଏହିପରି ନୂତନ ଉଦ୍ଭାବନ ଓ ବିକାଶ ନିମନ୍ତେ ଗବେଷକମାନଙ୍କୁ ଉତ୍ସାହିତ କରି ଆସିଛନ୍ତି। ଏସ୍‌ପିଏସର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ଏହି ସଫଳତାରେ ଖୁସି ବ୍ୟକ୍ତ କରିବା ସହ ଗବେଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଫୁଲନଖରା କ୍ୟାମ୍ପସରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ତଥା ଓଡିଶା ସରକାରଙ୍କ ମାନସିକ ସ୍ୱାସ୍ଥ୍ୟ ଉପଦେଷ୍ଟା ପ୍ରଫେସର (ଡାକ୍ତର) ନୀଳମାଧବ ରଥ ଯୋଗଦେଇ ଉତମ ମାନସିକ ସ୍ୱାସ୍ଥ୍ୟର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଚଳିତ ବର୍ଷର ଥିମ୍‌-“ଏଥର କର୍ମକ୍ଷେତ୍ରରେ ମାନସିକ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଅନ୍ତୁୂ” ଉପରେ ଡାକ୍ତର ରଥ ନିଜର ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଅନୁଷ୍ଠାନର ଉପ କୁଳପତି ପ୍ରଫେସର (ଡାକ୍ତର) ପ୍ରସନ୍ନଜିତ୍ ମହାନ୍ତି, ହସ୍ପିଟାଲ୍‌ର ଡିନ୍ ପ୍ରଫେସର ଡାକ୍ତର ଅରକ୍ଷିତ ସ୍ୱାଇଁ, ଆସିଷ୍ଟାଂଟ ମେଡିକାଲ୍ ସୁପରିଟେଣ୍ଡେଂଟ ଡଃ ସିଦ୍ଧାର୍ଥ ଗୌତମ ପ୍ରମୁଖ ଯୋଗଦେଇ କର୍ମକ୍ଷେତ୍ରରେ ସୁସ୍ଥ ମାନସିକତା ସହ ସଠିକ୍ ଭାବେ ନିଜ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନେବା ଆବଶ୍ୟକତା ଆଲୋକପାତ କରିଥିଲେ। ଏଥିରେ ମାନସିକ ବିଭାଗ ତରଫରୁ ବିଭାଗୀୟ ମୁଖ୍ୟ ପ୍ରଫେସର (ଡାକ୍ତର) ଭବାନୀ ଶଙ୍କର ସିଟ୍‌, ଆସିଷ୍ଟାଂଟ ପ୍ରଫେସର (ଡାକ୍ତର) ଅଭିଷେକ ସାମଲ, ଡାକ୍ତର ସାଇପ୍ରସାଦ ରାୟ, ଡାକ୍ତର ସୁଜାତା ସାହୁ, ଡାକ୍ତର ଜ୍ଞାନେନ୍ଦ୍ର ରଘୁବଂଶୀ, ଡାକ୍ତର ସୁଚରିତା ମିଶ୍ର, ସିନିୟର୍ ରେସିଡେଂଟ ଡାକ୍ତର ସୁମାଇଲା ଆସିଫ୍ ପ୍ରମୁଖ ମାନସିକ ରୋଗ ଉପରେ ରହିଥିବା ବିଭିନ୍ନ ଭୁଲ ଧାରଣା, ରୋଗର ବିଭିନ୍ନ ଲକ୍ଷଣ ଏବଂ ଚିକିତ୍ସା ପଦ୍ଧତି ତଥା କର୍ମକ୍ଷେତ୍ରରେ କିପରି ବିଭିନ୍ନ ମାନସିକ ପରିସ୍ଥିତିକୁ ମୁକାବିଲା କରିହେବ ଏବଂ ଏକ ସୁସ୍ଥ ଜୀବନ ଯାପନ କରିହେବ ସେ ସମ୍ବନ୍ଧରେ ସମସ୍ତଙ୍କୁ ଅବଗତ କରାଇଥିଲେ।

ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ଅନ୍ୟ ବିଭାଗର ଡାକ୍ତର, ନର୍ସିଂ କର୍ମଚାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ମଧ୍ୟ ଯୋଗ ଦେଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଜାହାନିଆ ସମୁଦ୍ରକୂଳରେ ସୋଆ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କ ପକ୍ଷରୁ ‘ସ୍ୱଚ୍ଛତା ହି ସେବା’ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟବର୍ତ୍ତୀ ଜାହାନିଆ ସମୁଦ୍ରକୂଳରେ ସଫେଇ କରାଯାଇଛି।

ସମୁଦ୍ରକୂଳ ସଫେଇ ନେଇ ସଚେତନତା, ଉପକୂଳ ପରିବେଶ ସଂରକ୍ଷଣ ଏବଂ ପ୍ରଦୂଷଣ ମୁକ୍ତ ତଟ ବିଷୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ପ୍ରୋଗ୍ରାମ ଅଫିସର ଡକ୍ଟର ମୋଉ ରାୟ, ଡକ୍ଟର ଶ୍ୟାମଳେନ୍ଦୁ ତ୍ରିପାଠୀ, ଡକ୍ଟର ରାକେଶ ରୋଶନ୍ ଶତପଥୀ ଏବଂ ଡକ୍ଟର ଅନନ୍ତ ପ୍ରସାଦ ନନ୍ଦଙ୍କ ନେତୃତ୍ୱରେ ୯୦ ଜଣ ସ୍ୱେଚ୍ଛାସେବୀ ଏହି ସମୁଦ୍ର ତଟର ୫ କିମି ପରିସୀମା ସଫେଇ କରିଥିଲେ। ସେମାନେ ପ୍ଲାଷ୍ଟିକ୍ ପାଣିବୋତଲ, ବସ୍ତୁ ଓ ଚକଲେଟ୍ ଖୋଳ ଭଳି ପଦାର୍ଥ ସଂଗ୍ରହ କରିଥିଲେ। ସମୁଦ୍ରକୂଳ ସଫା କରିବା ପରେ ସ୍ୱେଚ୍ଛାସେବୀଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଥିଲା।

ସଫେଇ କାର୍ଯ୍ୟକ୍ରମ ସମେତ ଏନ୍‌ଏସଏସ୍ ସ୍ୱେଚ୍ଛାସେବୀ ସମୁଦ୍ରକୂଳକୁ ବୁଲି ଆସିଥିବା ପର୍ଯ୍ୟଟକମାନଙ୍କୁ ବର୍ଜ୍ୟବସ୍ତୁକୁ ପକାଇବା ପାଇଁ ଡଷ୍ଟବିନ୍‌ର ବ୍ୟବହାର ନିମନ୍ତେ ସଚେତନ କରାଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ ମାଧ୍ୟମରେ କିର୍ଗିଜ୍ ରିପବ୍ଲିକ୍ ବୁଲିଲେ ସୋଆ ଏନ୍‌ସିସି କ୍ୟାଡେଟ

ଭୁବନେଶ୍ଵର: ୟୁଥ୍ ଏକ୍ସଚେଞ୍ଜ ପ୍ରୋଗ୍ରାମ (ୱାଇପି) ମାଧ୍ୟମରେ ଏନ୍‌ସିସି ପ୍ରତିନିଧି ଦଳରେ ସାମିଲ ହୋଇ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ଛାତ୍ର ଅଭିନାଶ ନନ୍ଦ କିର୍ଗିଜ୍ ରିପବ୍ଲିକ୍ ବୁଲିବା ସହ ଅନେକ ଅନୁଭୂତି ସାଉଁଟି ଭାରତ ଫେରିଛନ୍ତି।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର କମ୍ପ୍ୟୁଟର ସାଇନ୍‌ସ ବିଭାଗର ଛାତ୍ର ଅଭିନାଶ ଭାରତ କିର୍ଗିଜ୍ ସମ୍ପର୍କ ଓ ଶୈକ୍ଷିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଏକ ସପ୍ତାହବ୍ୟାପୀ ସେଠାରେ ବୁଲିବା ପରେ ସେପ୍ଟେମ୍ବର ୩୦ ତାରିଖରେ ଭାରତ ଫେରିଛନ୍ତି।

ଭାରତୀୟ ଏନ୍‌ସିସି ପ୍ରତିନିଧି ଦଳର ୫ ଜଣିଆ ସଦସ୍ୟଙ୍କ ସହ ଅଭିନାଶ ସାମିଲ ହୋଇଥିବା ବେଳେ ସେପ୍ଟେମ୍ବର ୨୪ ତାରିଖରେ ବିସ୍କେକ୍ ପହଂଚିଥିଲେ।

ସେଠାରୁ ଫେରିବା ପରେ ଅଭିନାଶ ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କୁ ଭେଟି ନିଜ ଅନୁଭୂତି ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ। ଏହି ପ୍ରତିନିଧି ଦଳ ସଂପୃକ୍ତ ଦେଶର ପ୍ରତିନିଧିଙ୍କ ସହ ଶିକ୍ଷା, ପ୍ରତିରକ୍ଷା ଓ ପର୍ଯ୍ୟଟନ ସମ୍ପର୍କରେ ଆଲୋଚନା କରିଥିଲେ।

ସେମାନେ ବିସ୍କେକ୍‌ରେ ଅବସ୍ଥିତ ମିଲିଟାରୀ ଇନ୍‌ଷ୍ଟିଚ୍ୟୁଟ୍‌ର ପାସିଂ ଆଉଟ୍ ପରେଡ୍‌ରେ ଭାଗ ନେବା ସହ ଭାରତୀୟ ଦୂତାବାସ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆକୁ ମିଳିଲା ଇନ୍‌ଟରନ୍ୟାସ୍‌ନାଲ ହାୟର ଏଜୁକେସନ୍ ଏକ୍ସିଲେନ୍ସ ପୁରସ୍କାର

ଭୁବନେଶ୍ୱର: ଆରଟିଆଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ପକ୍ଷରୁ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟକୁ ୨୦୨୪ ନିମନ୍ତେ ଇନ୍‌ଟରନ୍ୟାସ୍‌ନାଲ୍ ହାୟର ଏଜୁକେସନ୍ ଏକ୍ସିଲେନ୍ସ ପୁରସ୍କାର ପ୍ରଦାନ କରାଯାଇଛି।

ସେପ୍ଟେମ୍ବର ୨୮ ତାରିଖରେ ଇନ୍‌ଟରନ୍ୟାସ୍‌ନାଲ୍ ରାଇଟ ଟୁ ଇନ୍‌ଫର୍ମେସନ୍ ଦିବସ ଅବସରରେ ନୂଆଦିଲ୍ଲୀ ଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏହି ପୁରସ୍କାର ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସିକିମ୍‌ର ପୂର୍ବତନ ରାଜ୍ୟପାଳ ଡ. ବି.ପି. ସିଂହ, ପୂର୍ବତନ ଇନ୍‌ଫରମେସନ୍ କମିସନର ସୁରେଶ ଚନ୍ଦ୍ର, କନ୍‌ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜର ସଭାପତି ଡ. ପ୍ରିୟ ରଞ୍ଜନ ତ୍ରିବେଦୀ ଓ ଆରଟିଆଇ ବିଶେଷଜ୍ଞ ଡ. ନୀରଜ କୁମାର ଯୋଗ ଦେଇଥିଲେ।

ଆରଟିଆଇ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ ମନୀଷ କୁମାର ଶେଖର ଏହି କାର୍ଯ୍ୟକ୍ରମରେ ସ୍ୱାଗତ ଭାଷଣ ଦେଇଥିଳେ। ଏଥିରେ ସୋଆ ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକଙ୍କ ଓଏସ୍‌ଡି ପ୍ରୀତମ ନାୟକ ମଧ୍ୟ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

‘ପର୍ଯ୍ୟଟନ ଗୌରବ ସମ୍ମାନ’ରେ ସୋଆ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ସମ୍ମାନିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) କୁ ‘ପର୍ଯ୍ୟଟନ ଗୌରବ ସମ୍ମାନ’ରେ ସମ୍ମାନିତ କରାଯାଇଛି। ବିଶ୍ୱ ପର୍ଯ୍ୟଟନ ଦିବସ ପରିପ୍ରେକ୍ଷୀରେ ଓଡିଶା ରାଜ୍ୟ ପର୍ଯ୍ୟଟନ ସଂଘ ପକ୍ଷରୁ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଗତ ଶୁକ୍ରବାର ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସ୍‌ଏଚ୍‌ଏମ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।

ପର୍ଯ୍ୟଟନ ଶିଳ୍ପର ଉତ୍କର୍ଷତା, ବିକାଶ ଏବଂ ଆତିଥ୍ୟ କ୍ଷେତ୍ରରେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ହେତୁ ଏସ୍‌ଏଚ୍‌ଏମ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ଠାରୁ ଏସ୍‌ଏଚ୍‌ଏମ୍‌ର ଡିନ୍ ପ୍ରଫେସର ସୁଶାନ୍ତ ରଞ୍ଜନ ଚଇନି ଏହି ପୁରସ୍କାର ଗ୍ରହଣ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଓଡିଶା ବିଧାନସଭାର ବାଚସ୍ପତି ସୁରମା ପାଢୀ, ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂ, ଓଡିଶା ରାଜ୍ୟ ପର୍ଯ୍ୟଟନ ଗାଇଡ୍ ଆସୋସିଏସନ୍‌ର ସଭାପତି ସନ୍‌ତ କୁମାର ମିଶ୍ର ଓ ସମ୍ବାଦର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ଇଞ୍ଜିନିୟରିଂ ବି.ଟେକ୍ ଓ ଏମ୍‌.ଟେକ୍ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ବିଭିନ୍ନ ବିଭାଗରେ ଅଧ୍ୟୟନ କରି ଶିକ୍ଷା ସମାପ୍ତ କରିଥିବା ବି.ଟେକ୍ ଓ ଏମ୍‌.ଟେକ୍ ଛାତ୍ରଛାତ୍ରୀମାନଙ୍କୁ ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଛି।

ଗ୍ରାଜୁଏସନ୍ କାର୍ଯ୍ୟକ୍ରମର ପ୍ରଥମ ଦିନରେ ଆଇଟିଇଆରର କମ୍ପ୍ୟୁଟର ସାଇନ୍ସ ଇଞ୍ଜିନିୟରିଂ ବିଭାଗର ୨୦୨୪ ଶିକ୍ଷା ବର୍ଷରେ ଶିକ୍ଷା ସମାପ୍ତ କରିଥିବା ବି.ଟେକ୍ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା। ସେହିପରି ଦ୍ୱିତୀୟ ଦିନରେ ସିଭିଲ ଇଞ୍ଜିନିୟରିଂ, ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ, କମ୍ପ୍ୟୁଟର ସାଇନସ୍ ଆଣ୍ଡ ଇନଫରମେସନ ଟେକ୍‌ନୋଲୋଜି ଏବଂ ଇଲେକ୍ଟ୍ରିକାଲ୍ ଆଣ୍ଡ ଇଲେକ୍ଟ୍ରୋନିକ୍ସ ଇଞ୍ଜିନିୟରିଂ ବିଭାଗରେ ୨୦୨୪ ଶିକ୍ଷା ବର୍ଷ ନିମନ୍ତେ ବି. ଟେକ୍ ଓ ଏମ୍‌.ଟେକ୍ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି।

ଆଇଟିଇଆରର ଗଣିତ, ରସାୟନ ବିଜ୍ଞାନ, ପଦାର୍ଥ ବିଜ୍ଞାନ ଓ କମ୍ପ୍ୟୁଟର ଆପ୍ଲିକେସନ୍ (ବିସିଏ ଓ ଏମ୍‌ସିଏ)ରେ ୨୦୨୪ ଶିକ୍ଷା ବର୍ଷରେ ଶିକ୍ଷା ସମାପ୍ତ କରିଥିବା ପୋଷ୍ଟ ଗ୍ରାଜୁଏଟ୍ ଛାତ୍ରଛାତ୍ରୀଙ୍କୁ ମଧ୍ୟ ସ୍ନାତକୋତର ଡିଗ୍ରୀ ପ୍ରଦାନ କରାଯାଇଛି।

ଗ୍ରାଜୁଏସନ୍ କାର୍ଯ୍ୟକ୍ରମର ପ୍ରଥମ ଦିନରେ ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିବା ସହ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସୋଆ ଦେଶର ୧୪ ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ମାନ୍ୟତା ପାଇଥିବା ଦୃଷ୍ଟିରୁ ଏହି ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରୁଥିବା ଛାତ୍ରଛାତ୍ରୀମାନେ ନିଜକୁ ସେହିଭଳି ଢ଼ଙ୍ଗରେ ପ୍ରତିଷ୍ଠିତ କରାଇବା ସହ ଗର୍ବିତ ହେବା ଆବଶ୍ୟକ ବୋଲି ପ୍ରଫେସର ନନ୍ଦ କହିଥିଲେ।

ପ୍ରତିଟି ଛାତ୍ରଛାତ୍ରୀ ଆମ ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ। ନୂତନ ଛାତ୍ରଛାତ୍ରୀ ହୁଅନ୍ତୁ ଅବା ପୁରାତନ ସେମାନେ ସୋଆ ସହିତ ଜଡିତ ହୋଇ ରହିବା ଆବଶ୍ୟକ ବୋଲି କୁଳପତି କହିଥିଲେ।

ସୋଆ ଗବେଷଣା ଓ ବିକାଶ ଦିଗରେ କାର୍ଯ୍ୟ କରୁଛି ବୋଲି ପ୍ରକାଶ କରି ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ଯେ କୌଣସି ଅନୁଷ୍ଠାନରେ ଗବେଷଣା କାର୍ଯ୍ୟ କରିପାରିବେ ବୋଲି ସେ କହିଥିଲେ। ଛାତ୍ରଛାତ୍ରୀମାନେ ଯେଉଁ ଶିକ୍ଷା ଲାଭ କରିଛନ୍ତି ତାହାକୁ ସମାଜର ହିତ ସାଧନ ନିମନ୍ତେ ବ୍ୟବହାର କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଆଇଟିଇଆର୍ ସମ୍ପର୍କରେ ବିସ୍ତୃତ ତଥ୍ୟ ପ୍ରଦାନ କରି ଏହାର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଗବେଷଣାକୁ ଅଧିକ ଗୁରୁତ୍ୱ ଦେବା ସହ ୧୭ଟି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଗବେଷଣା ଉପରେ ଜୋର ଦିଆଯାଉଥିବା କହିଥିଲେ। ତେବେ ଛାତ୍ରଛାତ୍ରୀମାନେ ନିଜକୁ ପ୍ରତିଷ୍ଠିତ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ ବୋଲି ସେ ଆହ୍ୱାନ ଦେଇଥିଲେ। ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍ ) ପ୍ରଫେସର ଧୀରେନ୍ଦ୍ର ନାଥ ଥାଟୋଇ ଏବଂ ସୋଆ ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଂଜନ ଦାସ ମଧ୍ୟ ଉପସ୍ଥିତ ଥିଲେ।

ଆଇଟିଇଆର୍‌ର ଆଡିସ୍‌ନାଲ୍ ଡିନ୍ (ଷ୍ଟୁଡେଂଟ ଆଫେୟାର୍ସ) ପ୍ରଫେସର ରେଣୁ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ।

କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ମୁଖ୍ୟ ଅତିଥି ଭାବେ ସୋଆର କଂଟ୍ରୋଲର ଅଫ୍ ଏଗଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ଉପାଧି ପ୍ରଦାନ କରିଥିଲେ।

ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଏକ ଗୁୁରୁତ୍ୱପୂର୍ଣ୍ଣ ଦିନ ଅଟେ। ଏହି ଡିଗ୍ରୀ ଛାତ୍ରଛାତ୍ରୀମାନଙ୍କର କଠିନ ପରିଶ୍ରମ, ନିଷ୍ଠା, ଶୃଙ୍ଖଳା ଓ ସମୟାନୁବର୍ତିତାର ଫଳ ତଥା ଶିକ୍ଷକ ଓ ଅଭିଭାବକଙ୍କର ସହଯୋଗରେ ସମ୍ଭବପର ହୋଇପାରିଛି ବୋଲି ପ୍ରଫେସର ଦାସ କହିଥିଲେ।

ନିଜର କଠିନ ପରିଶ୍ରମ ଫଳରେ ନିଜର ସ୍ୱପ୍ନକୁ ସାକାର କରିବା ସମ୍ଭବ ହୋଇପାରେ। ସବୁବେଳେ ନିଜ କର୍ମକ୍ଷେତ୍ରରେ ସକାରାତ୍ମକ ମନୋଭାବ ରଖି କାର୍ଯ୍ୟ କଲେ ସବୁ କାର୍ଯ୍ୟରେ ସଫଳତା ମିଳିପାରିବ ବୋଲି ସେ କହିଥିଲେ।

ଦ୍ୱିତୀୟ ଦିନ କାର୍ଯ୍ୟକ୍ରମରେ ସୋଆର ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଟିଇଆର୍ ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍ ) ପ୍ରଫେସର ଧୀରେନ୍ଦ୍ର ନାଥ ଥାଟୋଇ ଏବଂ ଡିନ୍ (ରିସର୍ଚ୍ଚ) ପ୍ରଫେସର ଜୟନ୍ତ କୁମାର ନାଥ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ସୋଆର ଫାର୍ମାସି ଓ ବାୟୋଟେକ୍ନୋଲୋଜି ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ (ଏସ୍‌ପିଏସ୍‌) ଓ ସେଂଟର ଅଫ୍ ବାୟୋଟେକ୍ନୋଲୋଜିରେ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆଜି ଏକ ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ଉପାଧି ପ୍ରଦାନ କରାଯାଇଛି।

ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ସମାପ୍ତ କରିଥିବା ୨୦୨୦-୨୪ ବ୍ୟାଚର ବି.ଫାର୍ମ, ୨୦୨୨- ୨୪ ବ୍ୟାଚର ଏମ୍ ଫାର୍ମ, ୨୦୨୨- ୨୪ ବ୍ୟାଚର ଏମ୍‌.ଏସ୍‌.ସି (ବାୟୋଟେକ୍ନୋଲୋଜି) ଓ ୨୦୧୯-୨୪ ବ୍ୟାଚର ଇନ୍‌ଂଟିଗ୍ରେଡ ଏମ୍‌.ଏସ୍‌.ସି ଇନ୍ ବାୟୋଟେକ୍ନୋଲୋଜି ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ପ୍ରଫେସର ନନ୍ଦ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ମହାମାରୀ ସମୟରେ ଫାର୍ମାସିଷ୍ଟମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥିଲେ। ଏହି ଡିଗ୍ରୀ ଛାତ୍ରଛାତ୍ରୀ ମାନଙ୍କର କଠିନ ପରିଶ୍ରମ, ନିଷ୍ଠା, ଶୃଙ୍ଖଳା, ସମୟାନୁବର୍ତିତା ତଥା ଶିକ୍ଷକ ଓ ଅଭିଭାବକଙ୍କର ସହଯୋଗରେ ଏହା ସମ୍ଭବପର ହୋଇପାରିଛି। ଫାର୍ମାସି ଓ ବାୟୋଟେକ୍ନନୋଲୋଜି ସ୍ୱାସ୍ଥ୍ୟକ୍ଷେତ୍ର ସହିତ ଓତଃପ୍ରୋତ ଭାବେ ଜଡିତ। ସୋଆ ବିଶ୍ୱବିଦ୍ୟାଳୟଏଥିପାଇଁ ଖୁବ୍ ସକ୍ରିୟ ଅଟେ।

ସୋଆ ଅନେକ ବିଦେଶୀ ବିଶ୍ୱବିଦ୍ୟାଳୟ ସହ ବୁଝାମଣା କରିଛି, ଯାହା ଛାତ୍ରଛାତ୍ରୀଙ୍କ ପାଇଁ ଲାଭଦାୟକ ହେବ ବୋଲି ସେ କହିଥିଲେ।

ପ୍ରଫେସର ନନ୍ଦ କହିଥିଲେ ଯେ ସୋଆ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ୨୦୨୪ରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ୍ ର‌୍ୟାଙ୍କିଙ୍ଗ ଫ୍ରେମ୍‌ୱାର୍କ (ଏନ୍‌ଆଇଆର୍‌ଏଫ୍‌) ର‌୍ୟାଙ୍କିଙ୍ଗ୍ ଅନୁଯାୟୀ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବାକୁ ସୁଯୋଗ ପାଇଛନ୍ତି। ସେମାନେ ଏହି ବିଶ୍ୱବିଦ୍ୟାଳୟର ଗର୍ବ ଓ ଗୌରବ।

ପ୍ରଫେସର ନନ୍ଦ କହିଥିଲେ ଯେ, ଗବେଷଣା କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବା ନିମନ୍ତେ ସୋଆରେ ଅନେକ ଲ୍ୟାବ୍ ପ୍ରତିଷ୍ଠା କରାଯାଇଛି ଏବଂ ଅଟଳ ଇନୋଭେସନ୍ ମିଶନ ଅଧୀନରେ ଏକ ଇନ୍‌କ୍ୟୁବେସନ୍ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ବିଶ୍ୱବିଦ୍ୟାଳୟ ପକ୍ଷରୁ ଗବେଷଣା, ସହଭାଗିତା, ପାଟେଂଟ ଓ ଷ୍ଟାର୍ଟଅପ୍‌କୁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେ କହିଥିଲେ। ଏହି କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିବାକୁ ଛାତ୍ରଛାତ୍ରୀମାନେ ଆଗ୍ରହ ରଖୁଛନ୍ତି।

ଏହି କାର୍ଯ୍ୟକ୍ରମରେ ଏସ୍‌ପିଏସ୍‌ର ଡିନ୍ ପ୍ରଫେସର ସୁଦାମ ଚନ୍ଦ୍ର ସି ମହାବିଦ୍ୟାଳୟର ରିପୋର୍ଟ ପ୍ରଦାନ କରିଥିବାବେଳେ ଏସ୍‌ପିଏସ୍‌ର ପ୍ରଫେସର ଦିବ୍ୟଜ୍ୟୋତି ଦାସ ସ୍ୱାଗତ ଭାଷଣ ଦେଇଥିଲେ।

ଏହି ଅବସରରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବିଭିନ୍ନ ବିଭାଗର ମୁଖ୍ୟ, ଏକାଡେମିକ କାଉନ୍‌ସିଲ୍ ସଦସ୍ୟ ଏବଂ ଫ୍ୟାକଲ୍ଟିମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୩୨ ଗବେଷକ

ଭୁବନେଶ୍ୱର: ପ୍ରସିଦ୍ଧ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୩୨ ଜଣ ବିଶିଷ୍ଟ ଗବେଷକ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି। ୨୦୨୪ ନିମନ୍ତେ ଆମେରିକାର ଏହି ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଷୟବସ୍ତୁ ଆଧାରକୁ ନେଇ ପ୍ରକାଶିତ ୨ ପ୍ରତିଶତ ବୈଜ୍ଞାନିକମାନଙ୍କ ତାଲିକାରେ ସୋଆର ଏହି ଗବେଷକମାନେ ସାମିଲ ହୋଇଛନ୍ତି।

୨୦୨୩ରେ ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରସ୍ତୁତ ଏହି ସମ୍ମାନଜନକ ତାଲିକାରେ ସୋଆର ୨୨ ଜଣ ଗବେଷକ ସ୍ଥାନ ପାଇଥିବାବେଳେ ୨୦୨୪ ନିମନ୍ତେ ପ୍ରକାଶ ପାଇଥିବା ତାଲିକାରେ ସେମାନଙ୍କ ମଧ୍ୟରୁ ୨୦ ଜଣ ସ୍ଥାନ ପାଇଛନ୍ତି।

ଷ୍ଟାନ୍‌ଫୋର୍ଡ ଦ୍ୱାରା ପ୍ରକାଶିତ ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକା ଏକ ଗୁରୁତ୍ୱପୂର୍ଣ୍ଣ ର‌୍ୟାଙ୍କିଙ୍ଗ ଯାହାକି ଗବେଷଣା କ୍ଷେତ୍ରରେ ଉଚ୍ଚମାନର କାର୍ଯ୍ୟ କରୁଥିବା ଗବେଷକମାନଙ୍କୁ ସ୍ଥାନିତ କରିଥାଏ।

ଏହି ତାଲିକାରେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ୧୪ ଜଣ ଗବେଷକ ସ୍ଥାନ ପାଇଥିବା ବେଳେ ସୋଆ ପକ୍ଷରୁ ସ୍ଥାପିତ ହୋଇଥିବା ୧୯ଟି ଗବେଷଣା କେନ୍ଦ୍ର ମଧ୍ୟରୁ ୬ଟି ଗବେଷଣା କେନ୍ଦ୍ରର ୧୧ ଜଣ ଗବେଷକ ସ୍ଥାନ ପାଇଛନ୍ତି।

ସୋଆ ଅଧିନସ୍ଥ ମଲ୍ଟିଡିସିପ୍ଲିନାରୀ ରିସର୍ଚ୍ଚ ସେଲ୍‌ର ନିର୍ଦ୍ଦେଶକ ପ୍ରଫେସର ପ୍ରଦୀପ୍ତ କୁମାର ଦାଶ ଏବଂ ବିଶିଷ୍ଟ ନ୍ୟୁରୋସର୍ଜନ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପତ୍ରଙ୍କ ମଧ୍ୟ ଏହି ସମ୍ମାନଜନକ ତାଲିକାରେ ସାମିଲ ହୋଇଛନ୍ତି। ଏହି ଦୁଇ ଗବେଷକ ପୂର୍ବରୁ ସୋଆର କୁଳପତି ଦାୟିତ୍ୱ ବହନ କରିଛନ୍ତି।

ସୋଆର ସେଂଟର ଫର୍ ନାନୋ ସାଇନ୍‌ସେସ୍ ଆଣ୍ଡ ନାନୋ ଟେକ୍ନୋଲୋଜି (ସିଏନ୍‌ଏସ୍‌ଏନ୍‌ଟି)ର ୫ ଜଣ ବୈଜ୍ଞାନିକ ଏହି ତାଲିକାରେ ସାମିଲ ହୋଇଥିବା ବେଳେ ବାୟୋଫୁଏଲ୍ସ ଆଣ୍ଡ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ୨ ଜଣ ଗବେଷକ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି। ସେହିପରି ସେଂଟର ଫର୍ ଇଣ୍ଡଷ୍ଟ୍ରିଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ (ସିଆଇବିଆର୍‌), ମଲ୍ଟି ଡିସିପ୍ଲିନାରୀ ରିସର୍ଚ୍ଚ ସେଲ୍ (ଏମ୍‌ଡିଆର୍‌ସି), ସେଂଟର ଫର୍ ଇନ୍‌ଟରନେଟ ଅଫ୍ ଥିଙ୍ଗ୍‌ସ (ସିଆଇଓଟି) ଏବଂ ସେଂଟର ଅଫ୍ ଏକ୍ସିଲେନ୍ସ ଇନ୍ ଥିଓରେଟିକାଲ ଆଣ୍ଡ ମ୍ୟାଥମେଟିକାଲ ସାଇନ୍‌ସେସ୍ (ସିଇଟିଏମ୍‌ଏସ୍‌)ର ଜଣେ ଲେଖାଏଁ ଗବେଷକ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ସମ୍ମାନଜନକ ତାଲିକାରେ ସିଏନ୍‌ଏସ୍‌ଏନ୍‌ଟିର ନିର୍ଦ୍ଦେଶକ ପ୍ରଫେସର କୁଳମଣି ପରିଡ଼ା, ବାୟୋ-ଫୁଏଲ୍ସ ଆଣ୍ଡ ବାୟୋ-ପ୍ରୋସେସିଙ୍ଗ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଲା, ସେଂଟର ଫର୍ ଇଣ୍ଡଷ୍ଟ୍ରି୍ରଆଲ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚର ନିର୍ଦ୍ଦେଶକ ପ୍ରଫେସର ହୃଦୟନାଥ ଥାଟ୍ଟୋଇ ଏବଂ ସେଂଟର ଫର୍ ବାୟୋଟେକ୍ନୋଲୋଜିର ନିର୍ଦ୍ଦେଶକ ପ୍ରଫେସର ସଂଘମିତ୍ରା ନାୟକ ସାମିଲ ହୋଇଛନ୍ତି।

ଆଇଟିଇଆର୍ ଗବେଷକ ପ୍ରଫେସର ଆର.ଏନ୍‌.ପି. ଚୌଧୁରୀ, ପ୍ରଫେସର ମନୋହର ମିଶ୍ର, ପ୍ରଫେସର ରଶ୍ମି ଆଚାର୍ଯ୍ୟ, ପ୍ରଫେସର ଏସ୍‌.ଆର୍ ମିଶ୍ର, ପ୍ରଫେସର ରାଜଶ୍ରୀ ଦାଶ, ପ୍ରଫେସର ବିନୋଦ କୁମାର ସାହୁ, ପ୍ରଫେସର ରେଣୁ ଶର୍ମା, ପ୍ରଫେସର ନିହାରବାଳା ଦେବୀ, ଡଃ ମନୋଜ କୁମାର ନାୟକ, ଡଃ ଶୁଭଶ୍ରୀ ଚୌଧୁରୀ, ଡଃ ଅକ୍ଷୟ କୁମାର ବର୍ମା, ଡଃ ଶେଷଦେବ ସାହୁ, ଡଃ ସନ୍ତୋଷ କୁମାର ପରିଡା ଏବଂ ଡଃ ଅକ୍ଷୟ କୁମାର ପାତ୍ର ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ଏହି ତାଲିକାରେ ସାମିଲ ହୋଇଥିବା ଅନ୍ୟତମ ଗବେଷକମାନେ ହେଉଛନ୍ତି ଫାର୍ମାସ୍ୟୁଟିକ୍‌ସର ପ୍ରଫେସର ଗୌତମ ରଥ, ଡଃ ଅମିତ କୁମାର ନାୟକ ଏବଂ ଡଃ ବିନୀତ କୁମାର ରାୟ, ସେଂଟ୍ରାଲ ରିସର୍ଚ୍ଚ ଲ୍ୟାବ୍‌ର ପ୍ରଫେସର ରବୀନ୍ଦ୍ର ନାଥ ପାଢ଼ୀ, ସିଏନ୍‌ଏସ୍‌ଏନ୍‌ଟିର ଡଃ ସୁସଙ୍ଗିନୀ ନାୟକ, ଡଃ ସୁଲଗ୍ନା ପଟ୍ଟନାୟକ, ଡଃ ସତ୍ୟବ୍ରତ ସୁବୁଦ୍ଧି ଏବଂ ଡଃ ଦିପ୍ତୀ ପ୍ରଭା ସାହୁ, ଏଗ୍ରିକଲ୍‌ଚରାଲ ସାଇନ୍‌ସେସର ପ୍ରଫେସର ଜ୍ଞାନ ରଞ୍ଜନ ରାଉତ, ବାୟୋ-ଫୁଏଲ୍ସ ଆଣ୍ଡ ବାୟୋ-ପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ଡଃ. ଦେବବ୍ରତ ପ୍ରଧାନ, ସିଇଟିଏମ୍‌ଏସ୍‌ର ପ୍ରଫେସର ତାପସ ରଞ୍ଜନ ରାଉତରାୟ ଏବଂ ସିଆଇଓଟିର ଡକ୍ଟର ରାହୁଲ ପ୍ରିୟଦର୍ଶୀ।

Categories
ଆଜିର ଖବର ରାଜ୍ୟ ଖବର

ସୋଆ ମ୍ୟାନେଜମେଂଟ ଏବଂ ହୋଟେଲ୍ ମ୍ୟାନେଜମେଂଟ ଛାତ୍ରଛାତ୍ରୀଙ୍କ ଗ୍ରାଜୁଏସନ୍ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଓ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌) ରେ ପାଠ୍ୟକ୍ରମ ସମାପ୍ତ କରିଥିବା ଛାତ୍ରଛାତ୍ରୀମାନଙ୍କୁ ବୁଧବାର ଉପାଧି ପ୍ରଦାନ କରାଯାଇଛି।

ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ସମାପ୍ତ କରିଥିବା ୨୦୨୧- ୨୪ ବ୍ୟାଚର ବ୍ୟାଚଲର ଅଫ୍ ବିଜିନେସ୍ ଆଡମିନିଷ୍ଟ୍ରେସନ୍ (ବିବିଏ), ୨୦୨୨- ୨୪ ବ୍ୟାଚର ଏମ୍‌ବିଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟ ଓ ୨୦୨୨- ୨୪ ବ୍ୟାଚର ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ (ଏମ୍‌ବିଏ) ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀ ମାନଙ୍କ ନିମନ୍ତେ ଆୟୋଜିତ ଏହି ସ୍ୱତନ୍ତ୍ର ଗ୍ରାଜୁଏସନ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଛାତ୍ରଛାତ୍ରୀମାନଙ୍କୁ ଉପାଧି ପ୍ରଦାନ କରିଥିଲେ।

ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଶପଥ ପାଠ କରାଇବା ସହ ପ୍ରଫେସର ନନ୍ଦ କହିଥିଲେ ଯେ ଗୋଟିଏ ଛାତ୍ରଛାତ୍ରୀର ଜୀବନରେ ଶ୍ରେଷ୍ଠ ଓ ମହତ୍ୱପୂର୍ଣ୍ଣ ଦିନ ହେଉଛି ଗ୍ର୍ରାଜୁଏସନ୍ କାର୍ଯ୍ୟକ୍ରମ। ଶୃଙ୍ଖଳା, ସମୟାନୁବର୍ତିର୍ତା ଓ ଉତମ ମନୋଭାବ ଛାତ୍ର ଜୀବନର ଅବିଚ୍ଛେଦ୍ୟ ଅଙ୍ଗ। ସେ ସେମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ଦେଶର ଶ୍ରେଷ୍ଠ ୧୪ତମ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମାନକୁ ଉଚ୍ଚକୁ ନେବେ ବୋଲି ସେ ଆଶା ପ୍ରକାଶ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାନୁଷ୍ଠାନର ବ୍ରାଣ୍ଡ ଆମ୍ବାସାଡର ଭାବେ କାର୍ଯ୍ୟକରିବାକୁ ପ୍ରଫେସର ନନ୍ଦ ଆହ୍ୱାନ ଜଣାଇଥିଲେ।

ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ୍ (ଆଇବିସିଏସ୍‌) ଡିନ୍ ପ୍ରଫେସର ଅନୁପ କୁମାର ସାମନ୍ତରାୟ ମହାବିଦ୍ୟାଳୟର ରିପୋର୍ଟ ପ୍ରଦାନ କରିବା ସହିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌)ର ଡିନ୍ ପ୍ରଫେସର ସୁଶାନ୍ତ କୁମାର ଚଇନି ମଧ୍ୟ ରିପୋର୍ଟ ପ୍ରଦାନ କରିଥିଲେ।

ଏହି ଅବସରରେ ଆଇବିସିଏସ୍‌ର ସିନିୟର୍ ପ୍ରଫେସର ପି.କେ. ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

ବିଗତ ବର୍ଷରେ ବିଶ୍ୱବିଦ୍ୟାଳୟରୁ ୨୦୨୦-୨୪ ବ୍ୟାଚର ବ୍ୟାଚେଲର୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଆଣ୍ଡ କ୍ୟାଟରିଂ ଟେକ୍ନୋଲୋଜି (ବିଏଚ୍‌ଏମ୍‌ସିଟି) ଓ ଏମ୍‌ବିଏ ଇନ୍ ହସ୍ପିଟାଲିଟି ମ୍ୟାନେଜମେଂଟରେ ଶିକ୍ଷା ସମାପ୍ତ କରିଥିବା ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଶିତିକଣ୍ଠ ମିଶ୍ର, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଏକାଡେମିକ୍ କାଉନ୍‌ସିଲର ସଦସ୍ୟ ଓ ଫ୍ୟାକଲ୍ଟି ମେମ୍ବରମାନେ ଉପସ୍ଥିତ ଥିଲେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଆର୍ନ୍ତଜାତିକ ଗେଟ୍‌ବଲ୍ ଚମ୍ପିୟାନ୍‌ସିପରେ ଭାରତୀୟ ଟିମ୍‌ରେ ପ୍ରତିନିଧିତ୍ୱ କରିବେ ସୋଆ ପ୍ରଫେସର

ଭୁବନେଶ୍ୱର: ଆସନ୍ତା ମାସ ତାଓୟୁଆନ୍‌, ତାଇୱାନ ଠାରେ ଆୟୋଜିତ ହେବାକୁ ଥିବା ଦ୍ୱିତୀୟ ଏସିଆ ପାସିଫିକ୍ ଆର୍ନ୍ତଜାତିକ ଗେଟ୍‌ବଲ୍ ଚମ୍ପିୟାନ୍‌ସିପରେ ଭାରତୀୟ ଟିମ୍‌ରୁ ପ୍ରତିନିଧିତ୍ୱ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଣେ ସିନିୟର ପ୍ରଫେସର୍ ମନୋନୀତ ହୋଇଛନ୍ତି।

ସୋଆର ଫାକଲ୍ଟି ଅଫ ଇଞ୍ଜିନିୟରିଂ ଆଣ୍ଡ ଟେକନୋଲଜି, ଇନଷ୍ଟିଚ୍ୟୁଟ୍ ଅଫ ଟେକନିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପ୍ରଦୀପ କୁମାର ସାହୁ ଇଣ୍ଡିଆନ୍ ଗେଟ୍‌ବଲ୍ ୟୁନିୟନ ପକ୍ଷରୁ ମନୋନୀତ ହୋଇଥିବା ୭ ଜଣିଆ ଭାରତୀୟ ଟିମ୍‌ରେ ସ୍ଥାନ ପାଇଛନ୍ତି।

ଅକ୍ଟୋବର ୪ ରୁ ୭ ତାରିଖ ପର୍ଯ୍ୟନ୍ତ ତାଓୟୁଆନ୍ ଠାରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟ କ୍ଲାସିକ, ଟ୍ରିପିଲ୍ସ ଓ ଡବଲ୍ସ ଭିତିରେ ଖେଳାଯିବ। “ଏହା ଖୁବ୍ ଆକର୍ଷଣୀୟ ଟୁର୍ଣ୍ଣାମେଂଟ ହେବ ଏବଂ ମୋ ପାଇଁ ଗୋଟିଏ ଆର୍ନ୍ତଜାତିକ ପ୍ରତିଯୋଗିତାରେ ଦେଶକୁ ପ୍ରତିନିଧିତ୍ୱ କରିବା ଗର୍ବର ବିଷୟ” ବୋଲି ସିଭିଲ୍ ଇଞ୍ଜିନିୟରିଂ ବିଭାଗର ଏହି ୬୪ ବର୍ଷୀୟ ପ୍ରଫେସର କହିଛନ୍ତି।

ଭାରତୀୟ ଦଳରେ ଅନ୍ୟ ସଦସ୍ୟ ମାନଙ୍କ ମଧ୍ୟରେ ରଞ୍ଜନ କୁମାର ପାତ୍ର ଅଧିନାୟକ ଏବଂ ଉମାକାନ୍ତ ପାଣି, ଶରତ କୁମାର ପାତ୍ର, ଦିଲ୍ଲିପ କୁମାର ଷଡ଼ଙ୍ଗୀ, ସର୍ବେଶ୍ୱର ବ୍ରହ୍ମାନନ୍ଦ ମହାପାତ୍ର ଖେଳାଳୀ ଭାବେ ସାମିଲ୍ ହୋଇଥିବାବେଳେ ଦ୍ୱିୟପାୟନ ପଟ୍ଟନାୟକ ଉଭୟ ଖେଳାଳୀ ଓ ମ୍ୟାନେଜର୍ ଦାୟିତ୍ୱ ବହନ କରିବେ।

କ୍ରୋକେଟ୍ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ଗେଟ୍‌ବଲ୍ ଏକ ଗତିଶୀଳ ନନ୍ କଂଟାକ୍ଟ ଓ ହାଇଲି ଷ୍ଟାଟ୍ରେଜିକ୍ ଦଳଗତ କ୍ରୀଡା ଯାହାକି ଯେ କୌଣସି ବୟସରେ ଉଭୟ ପୁରୁଷ ଓ ମହିଳା ଖେଳି ପାରିବେ। ଏହି କ୍ରୀଡା ଜାପାନ, ଚୀନ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ଭିଏତନାମ, ଥାଇଲାଣ୍ଡ ଓ ତାଇୱାନରେ ଖୁବ୍ ଲୋକପ୍ରିୟ।