Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ମାଗଣା ମଧୁମେହ ଚିକିତ୍ସା ଓ ସଚେତନତା ଶିବିର ଅନୁଷ୍ଠିତ

ବ୍ରହ୍ମପୁର: ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଶୀତଳାପଲ୍ଲୀ କ୍ୟାମ୍ପସ୍‌ରେ ଏପ୍ରିଲ୍ ୨୮ ତାରିଖ ଦିନ ମଧୁମେହ ରୋଗୀଙ୍କ ନିମନ୍ତେ ଏକ ସମ୍ପୂର୍ଣ୍ଣ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଆୟୋଜିତ ହୋଇଯାଇଛି। ବ୍ରହ୍ମପୁର ଏବଂ ଏହାର ନିକଟବର୍ତ୍ତୀ ଅଂଚଳବାସୀଙ୍କ ନିମନ୍ତେ ଆୟୋଜିତ ଏହି ଚିକିତ୍ସା ଓ ସଚେତନତା ଶିବିରରେ ୧୫୦ ରୁ ଊର୍ଦ୍ଧ୍ୱ ପୁରୁଷ ଓ ସ୍ତ୍ରୀ ଯୋଗ ଦେଇଥିଲେ।

ରବିବାର ସକାଳ ୯ ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ଏହି ଶିବିରରେ ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ରୋଗୀମାନଙ୍କୁ ଚିକିତ୍ସା କରିବା ସହ ଖାଦ୍ୟ ଗ୍ରହଣ, ବ୍ୟାୟାମ ଏବଂ ସୁସ୍ଥ ଜୀବନ ଶୈଳୀ ବିଷୟରେ ପରାମର୍ଶ ଦେଇଥିଲେ। ଶିବିରକୁ ଆସିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କର ରକ୍ତ ନମୁନା ପରୀକ୍ଷା କରିବା ସହ ଆଖି ପରୀକ୍ଷା (ରେଟିନୋସ୍କୋପି), ରକ୍ତଚାପ ପରୀକ୍ଷା ଓ ଡାଇବେଟିସ୍‌ରେ ପାଦର ଯତ୍ନ ସମ୍ବନ୍ଧୀୟ ଚିକିତ୍ସା କରାଯାଇଥିଲା।

ଏହି ଅବସରରେ ହସ୍ପିଟାଲ୍‌ର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ସୂଚନା ଦେଇଛନ୍ତି ଯେ ହସ୍ପିଟାଲ୍ ପକ୍ଷରୁ ଆଗାମୀ ୩ ମାସ ପର୍ଯ୍ୟନ୍ତ ପ୍ରତ୍ୟେକ ମାସର ଚତୁର୍ଥ ରବିବାର ଦିନ ମାଗଣା ମଧୁମେହ ଚିକିତ୍ସା ଶିବିରର ଆୟୋଜନ କରାଯିବ। ଏହି ଶିବିର ସକାଳ ୯ ରୁ ଦିନ ୧ ପର୍ଯ୍ୟନ୍ତ ଆୟୋଜନ କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି। ତେଣୁ ଜନସାଧାରଣ ମଧୁମେହ ରୋଗ ସମ୍ପର୍କିତ ଚିକିତ୍ସା ଓ ପରାମର୍ଶ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।

ରବିବାର ଶିବିରରେ ରୋଗୀମାନଙ୍କର ଡାଇବେଟିସ୍ ସମ୍ପର୍କିତ ସଚେତନତା ଯେପରି କି ଏହି ରୋଗର ସମସ୍ୟା, ଜଟିଳତା ଓ ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତି ନିଜ ଜୀବନ ଶୈଳୀରେ କିଭଳି ପରିବର୍ତନ ଆଣିପାରିବେ ଓ ପାଦର ଯଦ୍ନ ନେଇପାରିବେ ସେ ନେଇ ପରାମର୍ଶ ଦିଆଯିବା ସହ ଯେଉଁମାନେ ଦୀର୍ଘ ବର୍ଷ ଧରି ମଧୁମେହ ସମସ୍ୟା ସମ୍ପର୍କରେ ଅବଗତ ନୁହଁନ୍ତି ସେମାନେ କିଭଳି ଏ ରୋଗ ସମ୍ପର୍କରେ ଅଧିକ ଜାଣିବେ ଓ ନିଜର ଚିକିତ୍ସା କରାଇବେ ସେ ସମ୍ପର୍କରେ ବିସ୍ତୃତ ଭାବେ ବିଶେଷଜ୍ଞମାନେ ବୁଝାଇ ଦେଇଥିଲେ।

ଏଥି ସହିତ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ସିବିସି, ଏଚ୍‌ବିଏ୧ସି, ଏଫ୍‌ବିଏସ୍‌, ପିପିବିଏସ୍‌, କିଡ୍‌ନୀ ଫଙ୍କସନ୍ ଟେଷ୍ଟ, ଲିପିଡ ପ୍ରୋଫାଇଲ୍ (କୋଲେଷ୍ଟ୍ରାଲ୍ ଟେଷ୍ଟିଂ) ଓ ୟୁରିନ୍ ଆର୍‌/ଏମ୍ ଭଳି ସ୍ୱାସ୍ଥ୍ୟ ପରୀକ୍ଷାର ପ୍ୟାକେଜ୍‌ରେ ରିହାତି ଦିଆଯିବ ବୋଲି ଶ୍ରୀ ଦାଶ କହିଛନ୍ତି।

ମଧୁମେହ ଭଳି ସମସ୍ୟା ସମ୍ପର୍କରେ ଅନେକେ ଅବଗତ ନଥିବା ବେଳେ ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ଶିବିର ଓ ପରାମର୍ଶ ଜରିଆରେ ଏହି ରୋଗ ସମ୍ପର୍କରେ ସଚେତନ କରାଇବା ଆମର ଲକ୍ଷ୍ୟ ବୋଲି ଶ୍ରୀ ଦାଶ କହିଛନ୍ତି।

ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେଂଟ ଡାକ୍ତର ଆନନ୍ଦ ଶଙ୍କର ଶାସ୍ତ୍ରୀ କହିଥିଲେ ଯେ ବ୍ରହ୍ମପୁର ଓ ଆଖପାଖ ଅଂଚଳର ଲୋକଙ୍କ ପାଇଁ ସମ୍ ହସ୍ପିଟାଲ୍ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ପ୍ରୟାସ କରୁଛି ଯେପରିକି ସେମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ। ସେହିପରି ମଧୁମେହ ବିଶେଷଜ୍ଞ ଡାକ୍ତର ଅମର କୁମାର ଦାସ କହିଥିଲେ ଯେ ମଧୁମେହ ରୋଗର କାରଣ ଜାଣିବା ସହ ରୋଗୀଙ୍କୁ ଚିହ୍ନଟ କିରବା ଓ ଜଟିଳତା ବିଷୟରେ ସଚେତନତା ସୃଷ୍ଟି ଏହି ଶିବିରର ଲକ୍ଷ୍ୟ।

ଏହି ଶିବିରରେ ଏଣ୍ଡୋକ୍ରାଇନୋଲୋଜି ବିଶେଷଜ୍ଞ ଡାକ୍ତର ଜୀବନ ପ୍ରଧାନ ଓ ଚକ୍ଷୁ ଚିକିତ୍ସା ବିଭାଗର ବିଶେଷଜ୍ଞ ଡାକ୍ତର ସ୍ନିଗ୍ଧା ରୋଗୀମାନଙ୍କୁ ପରୀକ୍ଷା କରିଥିଲେ। ହସ୍ପିଟାଲ୍‌ର ସମସ୍ତ ଡାକ୍ତର, ନର୍ସ ଓ କର୍ମଚାରୀମାନେ ଶିବିରକୁ ସୁଚାରରୂପେ ପରିଚାଳନା କରିଥିଲେ।

Categories
ଆଜିର ଖବର ରାଜ୍ୟ ଖବର ସ୍ବାସ୍ଥ୍ୟ

ଶୀତଳାପଲ୍ଲୀ ସମ୍ ହସ୍ପିଟାଲରେ ଡାଏଲିସିସ୍ ସେବା ଆରମ୍ଭ

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଲକ୍ଷ୍ୟରେ ଏଠାରେ ପ୍ରତିଷ୍ଠିତ ହୋଇଥିବା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ (ଶୀତଳାପଲ୍ଲୀ କ୍ୟାମ୍ପସ୍‌) ଠାରେ ଗତ ଗୁରୁବାର ଠାରୁ ଆରମ୍ଭ ହୋଇଛି ଡାଏଲିସିସ୍ ଚିକିତ୍ସା। ପ୍ରଥମ ପର୍ଯ୍ୟାୟରେ ଦୈନିକ ୧୦ଜଣଙ୍କୁ ଏଠାରେ ଡାଏଲିସିସ୍ ସେବା ପ୍ରଦାନ କରାଯିବାର ବ୍ୟବସ୍ଥା ହୋଇଛି। ଆଗାମୀ ଦିନରେ ରୋଗୀମାନଙ୍କର ସ୍ୱାସ୍ଥ୍ୟ ସେବା ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ।

ନେଫ୍ରୋଲୋଜି ବିଭାଗର ଡାକ୍ତର ବିଶ୍ୱରଂଜନ ମହାନ୍ତିଙ୍କ ତତ୍ୱାବଧାନରେ ଏହି ଡାଏଲିସିସ୍ ସେବା ଆରମ୍ଭ କରାଯାଇଛି। ହସ୍ପିଟାଲକୁ ଡାଏଲିସିସ୍ ପାଇଁ ଆସୁଥିବା ରୋଗୀ ସଂଖ୍ୟା ବୃଦ୍ଧି ଯୋଗୁଁ ଅତ୍ୟାଧୁନିକ ହେମୋ ଡାଏଲିସିସ୍ ସୁବିଧା ସହିତ ଏହି ସେବା ଆରମ୍ଭ କରାଯାଇଛି ଯାହା ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାରେ ସହାୟକ ହୋଇପାରିବ।

ଏହି ପଦ୍ଧତିରେ ଅଲଟ୍ରା ପିୟୋର୍ ୱାଟର୍ ବ୍ୟବହାର କରାଯାଉଛି। ଏଥିପାଇଁ ହସ୍ପିଟାଲ ପରିସରରେ ଅଲଟ୍ରା ପିୟୋର୍ ୱାଟର୍ ପ୍ଲାଂଟ୍ ସ୍ଥାପନ କରାଯାଇଛି। ହସ୍ପିଟାଲ୍ ଦ୍ୱାରା ହେଉଥିବା ଡାଏଲିସିସ୍‌ରେ ଅଲଟ୍ରା ପିୟୋର୍ ୱାଟର୍‌କୁ ବ୍ୟବହାର କରାଯିବା ଯୋଗୁଁ ଏହି ଚିକିତ୍ସା ରୋଗୀଙ୍କ କ୍ଷେତ୍ରରେ ଫଳପ୍ରଦ ସାବ୍ୟସ୍ତ ହେଉଛି ବୋଲି ନିର୍ଦ୍ଦେଶକ ଦେବପ୍ରସାଦ ଦାଶ କହିଛନ୍ତି।

ଆଗାମୀ ଦିନରେ ଦୈନିକ ୪୦ରୁ ୫୦ ଜଣ ରୋଗୀଙ୍କୁ ଡାଏଲିସିସ୍ ସେବା ପ୍ରଦାନ କରାଯିବାର ଯୋଜନା ରହିଛି ବୋଲି ଡାକ୍ତର ମହାନ୍ତି କହିଛନ୍ତି। ପ୍ରତ୍ୟେକ ଗୁରୁବାର ଭୁବନେଶ୍ୱର ସମ୍ ହସ୍ପିଟାଲ୍‌ର ନେଫ୍ରୋଲୋଜି ବିଭାଗରୁ ବରିଷ୍ଠ ଡାକ୍ତରମାନେ ସମ୍ ଶୀତଳାପଲ୍ଲୀ କ୍ୟାମ୍ପସ୍‌ର ଓପିଡିରେ ରୋଗୀଙ୍କ ଚିକିତ୍ସା କରିବେ। ଫଳରେ ହସ୍ପିଟାଲରେ ରୋଗୀମାନେ ଅଧିକ ସଂଖ୍ୟାରେ ଉତମ କିଡ଼ନୀ ଚିକିତ୍ସା ଓ ସେବା ପାଇପାରିବେ ବୋଲି ସେ କହିଛନ୍ତି।

Categories
ଜାତୀୟ ଖବର ନିର୍ବାଚନ ଖବର ବିଶେଷ ଖବର ରାଜ୍ୟ ଖବର

ଗଞ୍ଜାମ ଜିଲ୍ଲାର ୩୯୫୨ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହିତ ଅନେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରଥମେ ହିଞ୍ଜିଳି-ଶେରଗଡ଼ ଯାଇ ସେଠାରେ ୧୮୧.୭୮ କୋଟି ଟଙ୍କା ବିନିଯୋଗରେ ନିର୍ମିତ ୭ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହିତ ୧୩୬.୭୮ କୋଟି ଟଙ୍କାର ୮ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ପରେ ଶୀତଳାପଲ୍ଲୀଠାରେ ୬୩୯.୮୧ କୋଟି ଟଙ୍କା ମୂଲ୍ୟର ୨୪ ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିବା ସହିତ ୨୯୯୪ କୋଟି ଟଙ୍କାର ୫୪ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଶେରଗଡ଼ଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ସହଯୋଗରେ ହିଞ୍ଜିଳି-ଶେରଗଡ଼ ଦେଶର ଶ୍ରେଷ୍ଠ ବ୍ଲକ୍ ଭାବେ ପରିଚୟ ପାଇଛି ଏବଂ ଏହି ନିର୍ବାଚନ ମଣ୍ଡଳୀ ଏକ ଆଦର୍ଶ ନିର୍ବାଚନ ମଣ୍ଡଳୀରେ ମଧ୍ୟ ପରିଣତ ହୋଇଛି। ୫-ଟି ଉପକ୍ରମରେ ରୂପାନ୍ତର ଅଭିଯାନର ଭିତ୍ତି ପ୍ରଥମେ ହିଞ୍ଜିଳି-ଶେରଗଡ଼ରୁ ହିଁ ଆରମ୍ଭ ହୋଇଥିଲା।

ମା’ତାରାତାରିଣୀ ପୀଠର ଉନ୍ନତି ସହିତ ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟ ଏଠାରୁ ଆରମ୍ଭ ହୋଇଥିଲା। ଏହିସବୁ ରୂପାନ୍ତର କାର୍ଯ୍ୟ ଆଜି ଦେଶବିଦେଶକୁ ଆକର୍ଷିତ କରୁଛି । ଆଜି ହାଇସ୍କୁଲ ରୂପାନ୍ତର କାର‌୍ୟ୍ୟ ଶେଷହୋଇ ସାରା ରାଜ୍ୟରେ ୮୦୦୦ରୁ ଅଧିକ ହାଇସ୍କୁଲ ରୂପାନ୍ତରିତ ହୋଇଛି।

ପିଲାମାନଙ୍କ ଖୁସି ଓ ଲୋକଙ୍କ ଖୁସି ଦେଖି ସେ ବି ଆନନ୍ଦିତ ବୋଲି କହିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶେରଗଡ଼ ଗ୍ରାମପଞ୍ଚାୟତକୁ ଏନ୍‌.ଏ.ସି ଭାବେ ଘୋଷଣା କରିଥିଲେ ଏବଂ ହିଞ୍ଜିଳି-ଶେରଗଡ଼ର ବିକାଶକୁ ଏକ ନୂଆ ସୋପାନରେ ପହଞ୍ଚାଇବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଶୀତଳାପଲ୍ଲୀଠାରେ ଆୟୋଜିତ କାର‌୍ୟ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ସରସ୍ୱତୀ ପୂଜାର ଶୁଭ ଅବସରରେ ଗଞ୍ଜାମ ଜିଲ୍ଲା ପାଇଁ ୫ ହଜାର କୋଟିରୁ ଅଧିକ ଟଙ୍କାର ଜଳସେଚନ ପ୍ରକଳ୍ପ, ପାନୀୟ ଜଳ ପ୍ରକଳ୍ପ ଆରମ୍ଭ କରାଗଲା।

ସେହିପରି ଗୋପାଳପୁର ଶିଳ୍ପ ପାର୍କରେ ଏସିଏମ୍‌ଇ ଓ ଆଭାଡ଼ା ଦ୍ୱାରା ଗ୍ରୀନ୍ ଫୁଏଲ୍ ପ୍ରକଳ୍ପ ଏବଂ ଗୋପାଳପୁରଠାରେ ଇଡ୍‌କୋର ୟୁଟିଲିଟି କରିଡ଼ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ହେଲା। ଏହା ଦ୍ୱାରା ଜିଲ୍ଲାରେ ଶିଳ୍ପ ବିକାଶ ସହିତ ନିଯୁକ୍ତି ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି କହିଥିଲେ । ଆଜି ଓଡ଼ିଶା ପୁଞ୍ଜିନିବେଶ କ୍ଷେତ୍ରରେ ଦେଶରେ ଦ୍ୱିତୀୟ ସ୍ଥାନରେ ଅଛି। ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ଓଡ଼ିଶା ଖାଦ୍ୟ ଯୋଗାଉଛି।

ବିଶ୍ୱର ବଡ଼ ବଡ଼ ଆଇଟି କମ୍ପାନି ଓଡ଼ିଶାରେ ସେମାନଙ୍କର କମ୍ପାନି ପ୍ରତିଷ୍ଠା କରୁଛନ୍ତି। କ୍ରୀଡ଼ା ଓ ବିପର‌୍ୟ୍ୟୟ ପରିଚାଳନା କ୍ଷେତ୍ରରେ ଓଡ଼ିଶା ସୁନାମ ଅର୍ଜନ କରିଛି। ଆମର ୫-ଟି ଉପକ୍ରମ ଶିକ୍ଷା-ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ବ୍ୟାପକ ରୂପାନ୍ତର ଆଣିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ସମଲେଈ ପ୍ରକଳ୍ପ ଓ ମା’ ତାରାତାରିଣୀ ପୀଠର ରୂପାନ୍ତର ଓଡ଼ିଶାକୁ ଗୌରବାନ୍ୱିତ କରିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ଚିକିତ୍ସା ଚିନ୍ତା ଦୂର କରିଛି।

ରାଜ୍ୟରେ ମା’ମାନେ ଆଜି ଉଦ୍ୟୋଗୀ ହେବା ପାଇଁ ଆଗଭର ହେଲେଣି। ଚାଷୀମାନଙ୍କ ପାଇଁ ମା’ମାନଙ୍କ ପାଇଁ ଓ ଯୁବଗୋଷ୍ଠୀ ପାଇଁ ବିନାସୁଧରେ ଋଣ ବ୍ୟବସ୍ଥା ସେମାନଙ୍କ ପାଇଁ ସୁଯୋଗ ଆଣିଦେଉଛି। ଛାତ୍ରଛାତ୍ରୀଙ୍କ ପାଇଁ ନୂଆ-ଓ ଛାତ୍ରବୃତ୍ତି ଆରମ୍ଭ ହେବାକୁ ଯାଉଛି। ସମସ୍ତଙ୍କ ସହଯୋଗରେ ଓଡ଼ିଶା ଆଜି ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବୋଲି କହି ଆଗାମୀ ଦିନରେ ଓଡ଼ିଶାକୁ ବିକାଶର ନୂଆ ସୋପାନରେ ପହଞ୍ଚାଇବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ମୁଖ୍ୟମନ୍ତ୍ରୀ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶୀତଳାପଲ୍ଲୀଠାରେ ନବନିର୍ମିତ ୨୦୦ ଶଯ୍ୟାବିଶିଷ୍ଟ ସମ୍ ସୁପରସ୍ପେସିଆଲିଟି ହସ୍‌ପିଟାଲ୍‌କୁ ଲୋକାର୍ପିତ କରିବା ସହିତ ଘରପାଖରେ ଆପଣମାନେ ଏହା ମାଧ୍ୟମରେ ଭଲ ଚିକିତ୍ସା ସୁବିଧା ପାଇବେ ବୋଲି କହିଥିଲେ। ଏଥି ସହିତ ମୁଖ୍ୟମନ୍ତ୍ରୀ ଗୋପାଳପୁରଠାରେ ୨୭ ହଜାର କୋଟି ଟଙ୍କା ନିବେଶରେ ଏ.ସି.ଏମ୍‌.ଇ ଦ୍ୱାରା ୧.୧୦ ଏମ୍‌.ଏମ୍‌.ଟି.ପି.ଏ ଗ୍ରୀନ୍ ଆମୋନିଆ ପ୍ଲାଣ୍ଟ ଏବଂ ୮ ହଜାର କୋଟି ଟଙ୍କା ନିବେଶରେ ଆଭାଡ଼ା ଗ୍ରୀନ୍ ହାଇଡ୍ରୋଜେନ୍ ପ୍ରକଳ୍ପ ପାଇଁ ଭିତ୍ତି ରଖିଥିଲେ। ଏହି ଦୁଇ ପ୍ରକଳ୍ପ ଦ୍ୱାରା ପ୍ରାୟ ୫୨୦୦ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ମୁଖ୍ୟମନ୍ତ୍ରୀଙ୍କ ସହିତ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି. କାର୍ତ୍ତିକ ପାଣ୍ଡିଆନ୍ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପ୍ରକଳ୍ପ ସଂପର୍କରେ ଲୋକମାନଙ୍କ ସହ ଆଲୋଚନା କରିଥିଲେ।