ସୀତାରାମ ଅଗ୍ରୱାଲ
ଚିଲିକା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରି କେନ୍ଦ୍ର ସରକାରଙ୍କ ନାମକୁ ଲୁଚାଇ ବିଜୁ ପକ୍କା ଘର ଯୋଜନା ନାମରେ ଷ୍ଟିକର ଲଗାଇ ଜନସାଧାରଣଙ୍କୁ ବିଭ୍ରାଟ କରୁଥିବା ପ୍ରତିବାଦରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏତଲା ଦେଇଛି ଚିଲିକା ବିଜେପି।
ଏହି ପ୍ରରିପ୍ରେକ୍ଷୀରେ ଆଜି ଚିଲିକା ବିଜେପି ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ବରେ ଚିଲିକା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକରେ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ଚିରାଯାଇଛି। ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପାଇଁ ରୀତିମତ ଯୋଜନା କରୁଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଛି। ଏହା ସହିତ ବାଣପୁର ଥାନାରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଆଇପିସି ୪୨୦ ଦଫା ଅନୁଯାୟୀ ମୁକଦମା ରୁଜ୍ଜୁ କରାଯାଇଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରସ୍ତୁତ ଘରେ ଲାଗୁଥିବା ଫଳକରେ ଖୁବ୍ ଛୋଟ ଅକ୍ଷରରେ ପ୍ର.ଆ.ଯୋ ଲେଖିଥିଲା ବେଳେ ଚଞ୍ଚକତା କରି ବିଜୁବାବୁଙ୍କ ଫଟୋ ଲୋଗୋ ସହ ବଡବଡ ଅକ୍ଷରରେ ବିଜୁ ପକ୍କାଘର ଯୋଜନା ଲେଖି ନିର୍ମିତ ଗୃହରେ ଷ୍ଟିକର ମାରୁଥିବା ଅଭିଯୋଗ କରିଛନ୍ତି ଶ୍ରୀ ହରିଚନ୍ଦନ। ଚଞ୍ଚକତା କରି ରାଜ୍ୟ ସରକାର କେନ୍ଦ୍ରୀୟ ଯୋଜନାକୁ ରାଜ୍ୟ ଯୋଜନା ବୋଲି ପ୍ରଚାର କରିବା ସହ ରାଜ୍ୟବାସୀଙ୍କୁ ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ଏକ ଚିଠି ବାଣ୍ଟୁଛନ୍ତି। ଯେଉଁଥିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବୋଲି ନକରି ସବୁ ପକ୍କାଘର ତାଙ୍କ ସରକାର ଯୋଗାଇ ଦେଇଥିବା ଏକ ମିଥ୍ୟା ବାର୍ତ୍ତା ଦେଇ ରାଜ୍ୟବାସୀଙ୍କୁ ପ୍ରଦାନ କରୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି।
ଏହି ପ୍ରତିବାଦ ରାଲିରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ବିଜେପି ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି, ଜିଲ୍ଲା ଉପସଭାପତି ବିଜୟ ବିଶ୍ଵାଳ, ଜିଲ୍ଲା ପରିଷଦ ସଭ୍ୟ ସର୍ବେଶ୍ୱର ପ୍ରଧାନ, ମଣ୍ଡଳ ସଭାପତି କୈଳାଶ ବରାଳ, ସୌମ୍ୟରଂଜନ ସାମନ୍ତରାୟ, ଜିତେନ୍ଦ୍ର ଭୋଳ, ଦିଲ୍ଲୀପ ମହାନ୍ତି, ବିଭିନ୍ନ ପଞ୍ଚାୟତ ସରପଞ୍ଚ ରମେଶ ପ୍ରଧାନ, ଦୀପକ ପ୍ରଧାନ, ଅଜୟ ମାର୍ଥା, ଇନ୍ଦୁ ଜାଲି, ସୁଜାତା ବିଶ୍ୱାଳ, ଲକ୍ଷ୍ମୀ ସେଠି, କଳ୍ପନା ଦୈରିଗଞ୍ଜନ ଏବଂ ଦଳର ବହୁ ବରିଷ୍ଠ ନେତା ଓ କର୍ମୀମାନେ ଉକ୍ତ ଦୁଇ ବ୍ଲକ ଆନ୍ଦୋଳନରେ ଯୋଗ ଦେଇଥିଲେ।