
ସୀତାରାମ ଅଗ୍ରୱାଲ
ଚିଲିକା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପାଠ ପଢା ଆରମ୍ଭ ହୋଇଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ. ସି ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଖୋଲିଛି। ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ତହସିଲଦାର ପୁନମ ମହାପାତ୍ର ଚିଲିକା ବ୍ଲକ ଓ ବାଲୁଗାଁ ଏନ.ଏ. ସି ର ବିଭିନ୍ନ ବିଦ୍ୟାଳୟଗୁଡିକ ପରିଦର୍ଶନକୁ ଯାଇ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ କୋଭିଡ କଟକଣା ତଦାରଖ କରିଥିଲେ।
ବିଦ୍ୟାଳୟଗୁଡିକ ବିଶୋଧନ ହେବାସହ ସେଠାରେ ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି ଏବଂ କୋଭିଡ଼ ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟଗୁଡିକରେ ଆଇସୋଲେସନ ରୁମ ଖୋଲାଯାଇଛି। ଯଦି କାହାର ଲକ୍ଷଣ ଥାଏ ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯୋଗାଯୋଗ କରିଯିବା ସହ ଚିକିତ୍ସା କରାଯିବ। ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ପ୍ରତି ସେକ୍ସନକୁ ଦୁଇ ଗୋଟି ସବ ସେକ୍ସନରେ ବିଭକ୍ତ କରାଯାଇଛି ଏବଂ ପ୍ରତି ସବ ସେକ୍ସନ ରେ ସର୍ବାଧିକ ୨୦ ରୁ ୨୫ ଛାତ୍ରଛାତ୍ରୀ ପଢ଼ୁଥିବାର ଦେଖିବାକୁ ପାଇଥିଲେ ତହସିଲଦାର।
ଏତତବ୍ୟତୀତ ତହସିଲଦାର ବିଦ୍ୟାଳୟର ବିଭିନ୍ନ ଛାତ୍ରଛାତ୍ରୀମାନଙ୍କୁ ପାଠ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରିବା ସହ ସେମାନଙ୍କୁ ଉତ୍ସାହିତ ମଧ୍ୟ କରିଥିବାର ଦେଖାଯାଇଥିଲା। ମୋଟାମୋଟି କହିବାକୁ ଗଲେ ସ୍କୁଲ ଗୁଡିକର କୋଭିଡ ଗାଇଡଲାଇନ ବ୍ୟବସ୍ଥା ପାଳନ ଉପରେ ତହସିଲଦାର ସନ୍ତୁଷ୍ଟ ଥିବା ଜଣାପଡିଛି। ତେବେ ବିଭିନ୍ନ ବିଦ୍ୟାଳୟଗୁଡିକରେ ଏହିପରି ପରିଦର୍ଶନ ଆଗାମୀ ଦିନରେ ମଧ୍ୟ ଜାରିରହିବ ବୋଲି ତହସିଲଦାର ପୁନମ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।