ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପାଇଁ ଯୋଗ୍ୟ ବିବେଚିତ ହେଲେ ବାଣପୁରର କୃଷ୍ଣା

Published: Mar 10, 2021, 12:20 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଓଡିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ୨୦୧୯ -୨୦ ବର୍ଷ ପାଇଁ ଓଡିଶା ନ୍ୟାୟିକ ସେବା(ଓଜେଏସ) ପରୀକ୍ଷାର ଫଳାଫଳ ମଙ୍ଗଳବାର ଦିନ ଅପରାହ୍ନରେ ପ୍ରକାଶ ପାଇଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର କୃଷ୍ଣା ସୁବୁଦ୍ଧି (୨୮) କୃତିତ୍ଵ ଲାଭ କରିଛନ୍ତି।

ବାଣପୁର ଏନ.ଏ.ସି ଅନ୍ତର୍ଗତ ବଜାର ସାହିର ଅବସର ପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଅଭିମନ୍ୟୁ ସୁବୁଦ୍ଧି ଓ ସ୍ୱର୍ଗତା ଲକ୍ଷ୍ମୀ ସୁବୁଦ୍ଧିଙ୍କ ଏକମାତ୍ର ଝିଅ ହେଉଛନ୍ତି କୃଷ୍ଣା। ସେ ପିଲାଟି ଦିନରୁ ଜଣେ ମେଧାବୀ ଛାତ୍ରୀ ହୋଇଥିବା ବେଳେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକ ପ୍ରାପ୍ତ କରିଛନ୍ତି। ଏବଂ କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକୋତ୍ତର(ଏଲଏଲଏମ) ହାସିଲ କରିଛନ୍ତି। ପରେ ସେ ଭୁବନେଶ୍ୱରରେ ପ୍ରଶିକ୍ଷଣ ନେଇ ନ୍ୟାୟିକ ସେବା ପାଇଁ ପ୍ରସ୍ତୁତି ଚଳାଇଥିଲେ।

ଗତ ବର୍ଷ ରାଜ୍ୟ ଲୋକସେବା ଆୟୁକ୍ତ ପକ୍ଷରୁ ୫୨ଟି ନ୍ୟାୟିକ ପଦବୀ ପାଇଁ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏଥିରେ ସମୁଦାୟ ୪୭ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ସୁଶ୍ରୀ ସୁବୁଦ୍ଧି ପ୍ରଥମ କୋଡିଏ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଓଡିଶା ନ୍ୟାୟିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସେ ବର୍ତ୍ତମାନ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଭାବେ ନିଯୁକ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ନିଜର ସଫଳତା ପାଇଁ ବାପା ଅଭିମନ୍ୟୁଙ୍କ ସମେତ ପ୍ରଶିକ୍ଷକ ଉମାଚରଣ ମିଶ୍ର ଓ ଆଶୁତୋଷ ମିଶ୍ରଙ୍କ ସମେତ ସମସ୍ତ ଗୁରୁଜନଙ୍କୁ ଶ୍ରେୟ ପ୍ରଦାନ କରିଥିବା ବେଳେ ଯୁବ ସମାଜ ପାଇଁ ପ୍ରଚୁର ସୁଯୋଗ ରହିଥିବା କହିଛନ୍ତି କୃଷ୍ଣା। ତେବେ କୃତକାର୍ଯ୍ୟ ହେବା ପାଇଁ ପରିଶ୍ରମ ଓ ଏକାଗ୍ରତା ଏକାନ୍ତ ଲୋଡ଼ା ବୋଲି ସେ ପ୍ରକାଶ କରିଛନ୍ତି। ଏହି ଖବର ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଅନୁଷ୍ଠାନମାନ କୃଷ୍ଣା ସୁବୁଦ୍ଧିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Related posts