
କନ୍ଦର୍ପ ବେହେରା
ରେଢାଖୋଲ: ଅତୀତରେ ନାକଟିଦେଉଳ ବ୍ଲକ୍ର ଆଭ୍ୟନ୍ତରୀଣ ଅଂଚଳ ଗଞ୍ଜେଇ ଚାଷ ପାଇଁ ବେଶ୍ ପରିଚିତ ଥିଲା। ଦୀର୍ଘ ଦିନର ନିରବତା ପରେ ପୁଣି ଥରେ ଏ ଅଂଚଳରେ ଗଞ୍ଜେଇ ଚାଷ ହେବାର ପ୍ରଶାସନ ଠାରେ ଖବର ପହଂଚିଥିଲା। କିଛି ଦିନ ତଳେ ନାକଟିଦେଉଳ ବ୍ଲକ୍ ହିତସରା ଗ୍ରାମରେ ଥିବା ପାହାଡ ଅଂଚଳରେ ଥିବା ସରକାରୀ ଜଙ୍ଗଲରେ ଗଞ୍ଜେଇ ଚାଷ ହୋଇଥିବା ପ୍ରଶାସନ ଠାରେ ଖବର ପହଂଚିବା ପରେ ଚଢଉ କରି ନଷ୍ଟ କରାଯାଇଥିଲା।
ଏ ଅଂଚଳର ଲୋକମାନେ ବେଆଇନ୍ ଗଂଜେଇ ଚାଷରୁ ନିବୃତ କିପରି ରହିବେ ସେଥିପାଇଁ ବାଟଗାଁ ଠାରେ ପ୍ରଶାସନ ପକ୍ଷରୁ ଆଜି ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।
ଏହି ସଚେତନତା ସଭାରେ ରେଢାଖୋଲ ଏସଡିପିଓ ପ୍ରଶାନ୍ତ ମେହେରଙ୍କ ସଭାପତିତ୍ୱରେ ରେଢାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ଅବକାରୀ ଡେପୁଟି କମିଶନର ଡମ୍ବରୁଧର ଖଣ୍ଡା, ସମ୍ବଲପୁର ଅବକାରୀ ମୋବାଇଲ ଇନସ୍ ପେକଟର ଅନ୍ନପୂର୍ଣ୍ଣା ରଥ, ରେଢାଖୋଲ ଅବକାରୀ ନିରୀକ୍ଷକ ବିଷ୍ଣୁଚରଣ ମଲ୍ଲିକ, ନାକଟିଦେଉଳ ଥାନା ଅଧିକାରୀ ବିଭୁତିଭୂଷଣ ଦଳେଇ, ବିଡିଓ ବିବେକାନନ୍ଦ ସାହୁ ଏବଂ ରେଞ୍ଜ ଅଧିକାରୀ ଅଶ୍ୱିନୀ କୁମାର ବେହେରା ପ୍ରମୁଖ ଯୋଗଦେଇ ଲୋକମାନଙ୍କ ଗଞ୍ଜେଇ ଚାଷ ନ କରିବାକୁ ବୁଝାଇଥିଲେ।
ଗଞ୍ଜେଇ ଚାଷରୁ ଲୋକମାନେ କିପରି ନିବୃତ ରହିବେ ସେଥିପାଇଁ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସଂପୃକ୍ତ ବିଭାଗର କର୍ମଚାରୀ, ବାଟଗାଁ ପଂଚାୟତର ଜନପ୍ରତିନିଧି ଏବଂ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।