ମହାନ୍ ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ

Published: Nov 23, 2021, 11:34 pm IST

ଭୁବନେଶ୍ୱର: ମହାନ୍ ବିପ୍ଲବୀ , ସର୍ବୋଦୟ ନେତା ,ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ଓ ସଫଳ ବ୍ୟକ୍ତିତ୍ୱର ଅଧିକାରୀ। ଜଣେ ନିଷ୍ଠାପର କର୍ମୀ ତଥା ଓଡିଶାର ଦରିଦ୍ର, ଅବହେଳିତ, ନଷ୍ପେସିତ ବର୍ଗଙ୍କ ପ୍ରକୃତ ବନ୍ଧୁ। ସମ୍ଭ୍ରାନ୍ତ ଓ ଜମିଦାର ବଂଶର ବ୍ୟକ୍ତି ଥିଲେ ମଧ୍ୟ ସମାଜର ମୁଲିଆ ଓ ଦଳିତ ବର୍ଗର ଲୋକଙ୍କ ପାଇଁ ସେ ଜୀବନବ୍ୟାପି ସଂଗ୍ରାମ କରିଥିଲେ।

ତାଙ୍କରି ଆଦର୍ଶ ଓ ମାନବୀୟ ଗୁଣର ମୂଲ୍ୟବୋଧକୁ ବୁଝି ଆଜିର ଯୁବପିଢି ରାଜ୍ୟ ଓ ଦେଶର ବିକାଶ ପାଇଁ ବ୍ରତୀ ହେବାକୁ ଆଜି ସଂଧ୍ୟାରେ ଜୟଦେବ ଭବନଠାରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ନବକୃଷ୍ଣ ଚୌଧୁରୀ ଜୟନ୍ତୀରେ ଯୋଗଦେଇ ବକ୍ତାମାନେ ପ୍ରକାଶ କରିଛନ୍ତି ।

ଉଭୟ ମଂଚ ଓ ଆଭାସୀ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଥମେ ଅତିଥିମାନଙ୍କ ଦ୍ୱାରା ସ୍ୱର୍ଗତ ନବକୃଷ୍ଣ ଚୌଧୁରୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦାପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ବଡଚଣା ବିଧାୟକ ଶ୍ରୀ ଅମର ପ୍ରସାଦ ଶତପଥୀ ଯୋଗଦେଇ କହିଲେ ଯେ, ନବକୃଷ୍ଣ ଚୌଧୁରୀ, ମହାତ୍ମା ଗାନ୍ଧିଙ୍କ ଜୀବନ ଓ ଆଦର୍ଶକୁ ପରୀକ୍ଷା ନିରୀକ୍ଷା କରି ନିଜ ଜୀବନରେ ଓ ଲୋକଙ୍କ ସେବାରେ ବ୍ରତୀ ଥିଲେ ।

କ୍ଷମତାର ଅହଂଭାବ, ଅହମିକା ତାଙ୍କର ନଥିଲା । ନବକୃଷ୍ଣ କଠୋର ଜୀବନଶୈଳୀ, ନିଷ୍ଠା ଓ ତ୍ୟାଗର ମୂର୍ତିମନ୍ତ ପ୍ରତୀକ ଥିଲେ ବୋଲି ସେ ପ୍ରକାଶ କରିବା ସହିତ ଇତିହାସରେ ଜଣେ ମାନବବାଦୀ ଓ ଦରିଦ୍ର ଲୋକଙ୍କ ହୃଦୟତନ୍ତ୍ରକୁ ଚିହ୍ନିଥିବା ଏହି ମହାନ୍ ବ୍ୟକ୍ତିଙ୍କ ସଂପର୍କରେ ଆଜିର ଯୁବ ପିଢି ଅଧିକରୁ ଅଧିକ ଜାଣିବାର ଆବଶ୍ୟକତା ରହିଛି ବୋଲି ବିଧାୟକ ଶ୍ରୀ ଶତପଥୀ କହିଥିଲେ ।

ସମ୍ମାନିତ ଅତିଥି ଉତ୍କଳ ପ୍ରସଙ୍ଗ ଏବଂ ଓଡିଶା ରିଭ୍ୟୁର ସଂପାଦକ ଡଃ. ଲେନିନ୍ ମହାନ୍ତି ଯୋଗଦେଇ କହିଲେ ଯେ, ୧୯୫୦ରୁ ୧୯୫୬ ମସିହା ପର୍ଯ୍ୟନ୍ତ ଓଡିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ନବକୃଷ୍ଣ ଚୌଧୁରୀ ଜଳେ ପ୍ରଜାବତ୍ସଳ ମୁଖ୍ୟମନ୍ତ୍ରୀ ଥିଲେ । ଯେଉଁ ଚିନ୍ତା, ଚେତନା ଓ ଉଦ୍ଦୀପନାର ସହ ଆମର ପୂର୍ବସୂରୀମାନେ ଆମ ପାଇଁ କାର୍ଯ୍ୟକରି ଯାଇଛନ୍ତି, ଜାତିପ୍ରେମରେ ଉଦ୍‌ବୁଦ୍ଧ ହୋଇ ଆମ୍ଭେମାନେ ସେମାନଙ୍କୁ ସ୍ମରଣ କରି ଦେଶ ଓ ଜାତିପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି ଡଃ ମହାନ୍ତି କହିଥିଲେ ।

ମୁଖ୍ୟ ବକ୍ତା ଭାବେ ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ଡଃ. ଜୟନ୍ତୀ ରଥ ଯୋଗଦେଇ ଗାନ୍ଧି ଓ ଆଚାର୍ଯ୍ୟ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ନବକୃଷ୍ଣଙ୍କ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ, ଜମିଦାରୀ ପ୍ରଥା ଉଚ୍ଛେଦ, ସାମ୍ୟବାଦ ଧାରା ପ୍ରଚଳନ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀତ୍ୱ କାଳରେ ରାଜ୍ୟର ବିଭିନ୍ନ ଉନ୍ନତି ଏବଂ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସେବା ଓ ସାଧନାକୁ ସର୍ବାଧିକ ଗୁରୁତ୍ୱ ଦେଉଥିଲେ ବୋଲି ପ୍ରକାଶ କରିଥିଲେ ।

ରାଜ୍ୟ ସୂଚନା ଓ ଲୋକ ସଂପର୍କ ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଅଧ୍ୟକ୍ଷତା କରି ସ୍ୱାଗତ ଭାଷଣ ପ୍ରଦାନ ପୂର୍ବକ ସ୍ୱର୍ଗତ ଚୌଧୁରୀଙ୍କୁ ଜଣେ ମହାନ୍ ଦେଶଭକ୍ତ ଓ ଦେଶ ସେବକ ଭାବରେ ଅଭିହିତ କରିଥିଲେ । ସୂଚନା ଓ ଲୋକ ସଂପର୍କ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସୁରେନ୍ଦ୍ରନାଥ ପରିଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଅଧିକାରୀ ଶ୍ରୀ ସଚ୍ଚିଦାନନ୍ଦ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

Related posts