
ସୀତାରାମ ଅଗ୍ରୱାଲ
ବାଣପୁର: ରାଜ୍ୟରେ ପୌର ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି। ଆସନ୍ତା ୨୪ ତାରିଖରେ ଏହି ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନିର୍ବାଚନ ତାତି ବଢ଼ିବାରେ ଲାଗିଛି। ଉଭୟ ଏନଏସି ରେ ୨ ପ୍ରମୁଖ ରାଜନୈତିକ ଦଳ ବିଜେପି ଏବଂ ବିଜେଡି ମଧ୍ୟରେ କଡ଼ ଟକ୍କର ହେବ ବୋଲି ପୂର୍ବାନୁମାନ କରାଯାଉଥିବାବେଳେ ଟିକେଟ ବଣ୍ଟନ କ୍ଷେତ୍ରରେ ଚଳିତ ଥର ବିଜେପି ବିଜେଡି ଠାରୁ ଆଗରେ ଥିବା ଜଣାପଡିଛି।
ବିଜେପି ପକ୍ଷରୁ ଉଭୟ ଏନଏସି ପାଇଁ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିବା ବେଳେ ବିଜେଡି ଏଯାବତ କୌଣସି ଏନଏସି ରେ ଅଧ୍ୟକ୍ଷ ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରିନାହିଁ। ବାଲୁଗାଁ ଏନଏସି ରେ ଅଧ୍ୟକ୍ଷ ପଦବୀ ମହିଳାଙ୍କ ପାଇଁ ସରଂକ୍ଷିତ ଥିବା ବେଳେ ଏଠାରେ ସ୍ୱପ୍ନା ବଡ଼ଜେନାଙ୍କୁ ବିଜେପି ପ୍ରାର୍ଥୀ ଭାବେ ଘୋଷଣା କରିଛି।
ସେହିପରି ଭାବେ ବାଣପୁର ଏନଏସିର ଅଧ୍ୟକ୍ଷ ପ୍ରାର୍ଥୀ ଭାବେ ନନ୍ଦ କିଶୋର ମିଶ୍ରଙ୍କ ନାମକୁ ବିଜେପି ମୋହର ମାରିଛି। ନନ୍ଦ କିଶୋର ବାଣପୁର ଅଞ୍ଚଳର ଜଣେ ବିଶିଷ୍ଟ ବ୍ୟବସାୟୀ ଭାବେ ବେଶ ଜଣାସୁଣା।
ତେବେ ପ୍ରାର୍ଥୀ ଘୋଷଣା କରିବାରେ ବିଜେଡି ପକ୍ଷରୁ ବିଳମ୍ବ ହୋଇଛି। ଅଦ୍ୟାବଧି ଦଳ ପକ୍ଷରୁ ବିଧିବଦ୍ଧ ଭାବେ ୨ ଏନଏସି ପାଇଁ ଅଧ୍ୟକ୍ଷ ପ୍ରାର୍ଥୀ ଘୋଷଣା କରାଯାଇନଥିବା ବେଳେ ବାଲୁଗାଁ ପାଇଁ ବିଶିଷ୍ଟ ବ୍ୟବସାୟୀ ଶଙ୍କର ପାଇକରାୟଙ୍କ ଧର୍ମପତ୍ନୀ ସୁକାନ୍ତି ପାଇକରାୟ ଏବଂ ବାଣପୁର ପାଇଁ ମିଟୁ ନାୟକଙ୍କ ନାମ ଏକ ରକମର ଚୁଡାନ୍ତ ହୋଇଥିବାର କର୍ମୀମହଲ ସୂତ୍ରରୁ ଖବର ମିଳିଛି।
ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଚିଲିକା ନିର୍ବାଚନ ମଣ୍ଡଳୀରେ ଜିଲ୍ଲା ପରିଷଦ ଆସନ ୬ ରୁ ୪ ବିଜେଡି ଜିତିଥିବା ବେଳେ ସରପଞ୍ଚ ତଥା ସମିତି ନିର୍ବଚନରେ ବିଜେପି ଉଭୟ ସ୍ଥାନରେ ଭଲ ପ୍ରଦର୍ଶନ କରିଛି। ଏପରିକି ୨ ବ୍ଲକରେ ବିଜେପି ସରକାର ଗଠନ କରିବ ବୋଲି ଦାବି କରିଛି।