ବାଲୁଗାଁ: ମୋରମ ଚାଲାଣ ବେଳେ ପୋଲିସର ଅତର୍କିତ ଚଢାଉ, ଟିପର ଓ ଜେସିବି ଜବତ, ୪ ଗିରଫ

Published: Nov 19, 2022, 11:47 pm IST

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଧିନସ୍ଥ ଭାଲେରି ପାହାଡ଼ ପାଦ ଦେଶ ବୋରିଆ ସାହି ଜଙ୍ଗଲରୁ ଦୁଇଟି ମୋରମ ବୋଝେଇ ଟିପର ସମେତ ଗୋଟିଏ ଜେସିବି ଗତ କାଲି ବିଳମ୍ବିତ ରାତିରେ ଜବତ କରିଛି ପୋଲିସ। ସୂଚନା ମୁତାବକ ନାଭାଲ୍ ବୁଚୁଡି, ନୂଆଗଡ- ବୋରିଆ ସାହି ନିକଟସ୍ଥ ଜଙ୍ଗଲ ଜମିରୁ ମୋରମ ମାଫିଆମାନେ ସ୍ଥାନୀୟ ପ୍ରଶାସନକୁ ହାତବାରିସ୍ କରି ବେଧଡକ ମୋରମ ଚାଲାଣ କରୁଥିବାର ବାରମ୍ବାର ଅଭିଯୋଗ ହୋଇଆସୁଥିଲା।

ଏହି ପରିପ୍ରେକ୍ଷୀରେ ଶୁକ୍ରବାର ବିଳମ୍ବିତ ରାତିରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ଅତିରିକ୍ତ ଥାନା ଅଧିକାରିଣୀ ରଶ୍ମିବାଳା ସେଠି, ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ କୁମାର ସାହୁ, ଏଏସଆଇ ତିରୁପତି ନାୟକଙ୍କ ସଦଳବଳେ ମୋରମ ଉତ୍ତୋଳନ ସ୍ଥାନରେ ଅତର୍କିତ ଚଢ଼ାଉ କରି ଦୁଇଟି ଟିପର, ଗୋଟିଏ ଜେସିବି ଜବତ କରିବା ସହ ଚାରି ଜଣ ମୋରମ ମାଫିଆଙ୍କୁ କେଶ ନଂ ୨୪୭/୨୦୨୨ ରେ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଆଗକୁ ଏକ ବଡ଼ ଧରଣର ରାକେଟ ଏଥିରେ କାମ କରୁଥିବା ସନ୍ଧେହ ଥିବା ନେଇ ସମ୍ପୃକ୍ତ ଚାରି ଅଭିଯୁକ୍ତଙ୍କ ନାମ ଗୋପନ ରଖାଯାଇଥିବା ବାଲୁଗାଁ ଥାନା ଅଧିକାରୀ ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି।

Related posts