ପୂର୍ତ୍ତ ବିଭାଗର ସାବତ ପୁଅ ନୀତିକୁ ବିରୋଧ କଲେ ବାଣପୁରବାସୀ: ଆନ୍ଦୋଳନ ଚେତାବନୀ

Published: Dec 1, 2022, 7:59 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ମୁଖ୍ୟମନ୍ତ୍ରୀ ଗ୍ରାମୀଣ କ୍ଷେତ୍ରର ଉନ୍ନତି ପାଇଁ ବିଶେଷ ଧ୍ୟାନ ଦେଉଥିବା ବେଳେ ଗମନାଗମନ ପାଇଁ ସବୁ ସ୍ଥାନରେ ପକ୍କା/ପିଚୁ ସଡ଼କ ନିର୍ମାଣ କରାଯାଉଛି। କିନ୍ତୁ ସରକାରୀ ବାବୁମାନଙ୍କ ଉଦାସୀନତା ଲାଗି ଏହାର ସଫଳ ରୂପାୟନ ହେଉପାରିନଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଞ୍ଚଳରେ।

ପୂର୍ତ୍ତବିଭାଗ ଅଧୀନରେ ଥିବା ଦୋଳବେଦି ଠାରୁ ଆୟତ୍ତପୁର ରାସ୍ତା ମଧ୍ୟବର୍ତ୍ତୀ ବରଡ଼ି ଗ୍ରାମ ନିକଟରେ ପିଚୁ ରୋଡ ଅଧା ଧୋଇହୋଇ ନଷ୍ଟ ହୋଇଯାଇଛି। ତେବେ ଉକ୍ତ ସଡ଼କ ପାର୍ଶ୍ୱରେ ବାଉଁଶ ନଦୀ ପ୍ରବାହିତ ହୋଇଥିବାରୁ ବର୍ଷାଦିନେ ପ୍ରବଳ ଜଳସ୍ରୋତରେ ନଦୀ ଜଳ ରାସ୍ତାରେ ପ୍ରବାହିତ ହୋଇ ପିଚୁ ସଡ଼କକୁ ନଷ୍ଟ କରିଦେଉଛି। ଉକ୍ତ ରାସ୍ତା ଦେଇ ପ୍ରତିଦିନ ହଜାର ହଜାର ଜନସାଧାରଣ ଯା’ ଆସ କରୁଥିବା ବେଳେ ରାସ୍ତାଟି ନଷ୍ଟହୋଇଯାଇଥିବାରୁ ଏକାଧିକ ଦୁର୍ଘଟଣା ନିତିଦିନର ଘଟଣା ପାଲଟିଛି। ଏପରିକି କିଛି ମାସ ପୂର୍ବେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି।

ହେଲେ ନଦୀ ଜଳରୁ ରାସ୍ତାକୁ ରକ୍ଷା କରିବାପାଇଁ ସେଠାରେ ଏକ ସୁରକ୍ଷା ପ୍ରାଚୀର ନିର୍ମାଣ ପାଇଁ ଜନୈକ ଠିକାଦାରଙ୍କୁ ଦାଇତ୍ୱ ଦିଆଯାଇଥିଲା। କିନ୍ତୁ ସ୍ତାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ ନିମ୍ନମାନର କାମ ଯୋଗୁଁ ଅଳ୍ପଦିନ ତଳେ ନିର୍ମାଣ କରାଯାଇଥିବା ସୁରକ୍ଷା ପ୍ରାଚୀରଟି ବର୍ଷାରେ ଭୁଶୁଡି ନଦୀ ମଧ୍ୟକୁ ଚାଲିଯିବାରୁ ରାସ୍ତାଟି ସଂକୀର୍ଣ୍ଣ ହୋଇଯାଇଛି।

ତେବେ ରାସ୍ତାଟି ଧୋଇ ହୋଇ ସଂକୀର୍ଣ୍ଣ ହୋଇଯିବା ଫଳରେ ମାସ ମାସ ଧରି ଏହାର ସ୍ଥାୟୀ ମରାମତି ପୂର୍ତ୍ତ ବିଭାଗ କରୁନାହିଁ। କେବେଳ ବାଉଁଶ ଓ ବାଲି ବସ୍ତା ପକାଇ ଉକ୍ତ ରାସ୍ତାକୁ ରଖାଯାଇଛି, ଯାହାକି ଦୂରରୁ ସମୁଦ୍ର ଜୁଆରର ଭ୍ରମ ସୃଷ୍ଟି କରୁଛି। ତେବେ ଏ ନେଇ ଵିଭାଗୀୟ ଯନ୍ତ୍ରୀ ପ୍ରଭାକର ଚୌଧୁରୀଙ୍କୁ ପଚାରିବାରୁ ରାସ୍ତାର ନିର୍ମାଣ ଦାଇତ୍ୱ ସନ୍ଧ୍ୟା କନଷ୍ଟ୍ରକସନ ନାମକ ଠିକା ସଂସ୍ଥା ନେଇଥିଲା, କିନ୍ତୁ ପ୍ରାଚୀର ଭୁସିଡିଲା ପରେ ତାହାର କୌଣସି ବିଲ ପଇଠ କରାଯାଇନଥିବା ଯନ୍ତ୍ରୀ ପଶ୍ରୀ ଚୌଧୁରୀ ସଫେଇ ଦେଇଛନ୍ତି।

ବର୍ତ୍ତମାନ ସ୍ଥାୟୀ ମରାମତି ପାଇଁ ଅଟକଳ ସରିଛି ଓ ୨-୩ ମାସରେ ଟେଣ୍ଡର ଆହ୍ୱାନ କରାଯିବ ବୋଲି ମଧ୍ୟ ଶ୍ରୀ ଚୌଧୁରୀ କହିଛନ୍ତି। ଏଠି ପୂର୍ତ୍ତବିଭାଗର ଦାୟିତ୍ୱହୀନତା ସ୍ପଷ୍ଟ ବାରି ହେଉଛି। ଧନଜୀବନ ଗଲାପରେ ମଧ୍ୟ ଯଦି ପୂର୍ତ୍ତ ବିଭାଗ ଏହାକୁ ହାଲୁକାରେ ନେଉଛି, ତେବେ ଆଗାମୀ ଦିନରେ ବୋଧେ କିଛି ବଡ ଅଘଟଣ ଘଟିଲେ ପୂର୍ତ୍ତବିଭାଗ ଚେତିବ।

ତେବେ ଏ ନେଇ ଖୋର୍ଦ୍ଧା ଜିଲ୍ଲା ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ସତୀଶ ପଟ୍ଟନାୟକଙ୍କୁ ଏକାଧିକ ଥର ଫୋନ କରାଯାଇଥିଲେ ମଧ୍ୟ ତାଙ୍କ ସହ ଯୋଗାଯୋଗ ହୋଇପାରିନାହିଁ। ନିର୍ବାହୀ ଯନ୍ତ୍ରୀ କୁଆଡ଼େ ନିଜର ଅବସର ଆଉ ମାତ୍ର ଦୁଇ ମାସ ଥିବା ସମସ୍ତଙ୍କୁ କହି ବୁଲୁଥିବାର ଶୁଣାଯାଉଛି। ହେଲେ ଅବସର ଖୁସିରେ ନିଜ ରାଜଧର୍ମ ଭୁଲିଯିବା କେବେବି ଶୋଭନୀୟ ନୁହେଁ।

ଜନସାଧାରଣଙ୍କ ଅଭିଯୋଗର ମାଧ୍ୟମ ଗଣମାଧ୍ୟମ ହୋଇଥିବା ବେଳେ ତାହାକୁ ଗୁରୁତ୍ୱ ନଦେବା ବୁଦ୍ଧିଜୀବୀ ମହଲରେ ନାପସନ୍ଦର ବିଷୟ ପାଲଟିଛି। ଯେଉଁଠି ଗୋଟାଏ ସ୍ଥାନରେ ୫ଟି ସଚିବଙ୍କ ଗସ୍ତ ଉପଲକ୍ଷେ ପୂର୍ତ୍ତବିଭାଗ ତତ୍ପରତା ଦେଖାଇ ଶୀତୁଆ ରାତିରେ ଲାଗିପଡ଼ି ନୂଆ ପିଚୁ ଚକଚକ ରୋଡ ନିର୍ମାଣ କରିପାରୁଛି, ଅନ୍ୟ ସ୍ଥାନରେ ହଜାର ହଜାର ଜନସାଧାରଣ ପ୍ରତି ମୁହୂର୍ତ୍ତରେ ମରଣାନ୍ତକ ଯନ୍ତ୍ରଣା ଭୋଗୁଥିଲେ ମଧ୍ୟ ପୂର୍ତ୍ତବିଭାଗ ନୂଆ ରୋଡ ନିର୍ମାଣ ତ ଦୂରର କଥା ଏହାର ପକ୍କା ମରାମତି କରିବାକୁ ମଧ୍ୟ ପଛଘୁଞ୍ଚା ଦେଉଛି।

ଜନସାଧାରଣମାନେ ପୂର୍ତ୍ତବିଭାଗର ଏପରି ସାବତ ପୁଅ ନୀତିକୁ ବିରୋଧ କରିବା ସହ ଆଗାମୀ ଏକ ସପ୍ତାହରେ ଯଦି ଉକ୍ତ ରାସ୍ତାର ପକ୍କା ମରାମତି କାର୍ଯ୍ୟ ନକରାଯାଏ, ତେବେ ବାଧ୍ୟହୋଇ ରାସ୍ତା ଅବରୋଧ କରି ଧାରଣା ଦେବେ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

Related posts