କଡ଼ା ପୋଲିସ ସୁରକ୍ଷା ମଧ୍ୟରେ ବାଣପୁର ପଞ୍ଚାୟତ ସମିତିର ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ

Published: Feb 15, 2023, 6:51 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧ୍ୟକ୍ଷତାରେ ପଞ୍ଚାୟତ ସମିତି ସଭାଗୃହରେ ସମିତିର ଦ୍ଵିତୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ବୈଠକରେ ଉପାଧ୍ୟକ୍ଷ ରୀନା ଦେଇ, ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା, ବିଡ଼ିଓ ବୁଲବୁଲ ବେହେରା, ଏବିଡ଼ିଓ ସୀମାଦ୍ରୀ ପାତ୍ର, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣୀ ମମତା ମଞ୍ଜରୀ ଚିନ୍ନାରାଙ୍କ ସମେତ ସତର ଗୋଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ବ୍ଲକ ଶିକ୍ଷା ଅଧିକାରୀ, ସ୍ୱାସ୍ଥ୍ୟ ଅଧିକାରୀ, ବିଦ୍ୟୁତ ବିଭାଗ, କୃଷି ବିଭାଗ ଏବଂ ଅନ୍ୟ ସମସ୍ତ ସରକାରୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ସମିତିର ସମସ୍ତ ସଭ୍ୟ ଓ ସଭ୍ୟାମାନେ ବୈଠକରେ ଉପସ୍ଥିତ ରହି ସକାରାତ୍ମକ ଆଲୋଚନାରେ ଭାଗ ନେଇଥିବା ବେଳେ ବୈଠକ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ ହୋଇଥିବାର ଖବର ହସ୍ତଗତ ହୋଇଛି। କୃଷି ବିଭାଗ ଅଧିକାରୀଙ୍କ କାର୍ଯ୍ୟକଳାପକୁ ନେଇ ସମିତି ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଫଳରେ ବିଭାଗର ସମସ୍ତ ତଥ୍ୟ ସମିତିର ସଭ୍ୟମାନଙ୍କୁ ଅବଗତ କରାଇବାକୁ ନେଇ ବ୍ଲକ କୃଷି ଅଧିକାରୀଙ୍କୁ ତାଗିଦ କରଯାଇଛି।

ଉନ୍ନୟନ ମୁଳକ କାର୍ଯ୍ୟ ବିଷୟରେ ଆଲୋଚନା କରାଯାଇ ତାହାକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ସର୍ବ ସହମତକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିବାର ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରିଣି ଶ୍ରୀମତୀ ଚିନ୍ନାରା ସୂଚନା ଦେଇଛନ୍ତି। ତେବେ ରାଜନୈତିକ ପାଣିପାଗ ମୁତାବକ ବାଣପୁର ବ୍ଲକ ବେଶ ସମ୍ବେଦନଶୀଳ ସ୍ଥାନ ହୋଇଥିବାରୁ ସମିତି ବୈଠକ ନିମନ୍ତେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଏବଂ ଆଇଆଇସି ଜୟପ୍ରକାଶ ପରିଡାଙ୍କ ଉପସ୍ଥିତିକ୍ରମେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।

ଅନୁରୂପ ଭାବେ ତହସିଲଦାର କୁଞ୍ଜ ବିହାରୀ ବଡ଼ଜେନା ମଧ୍ୟ ସମିତି ବୈଠକ ଚାଲୁଥିବା ବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରତି ତୀକ୍ଷ୍ଣ ନଜର ରଖିଥିଲେ।

Related posts