ବାଣପୁରର ବିଭିନ୍ନ ଅଞ୍ଚଳରେ ବେଶ ଧୂମଧାମରେ ପାଳନ ହେଲା ରାମନବମୀ

Published: Mar 31, 2023, 11:22 am IST

ସୀତାରାମ ଅଗ୍ରୱାଲ

ବାଣପୁର :- ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କର ଜନ୍ମ ଦିବସ ଗତକାଲି ପାଳିତ ହୋଇଛି। ଓଡିଶାର ପୂରପଲ୍ଲୀରେ ଚୈତ୍ରମାସ ଶୁକ୍ଳ ନବମୀ ଦିନଟିକୁ ରାମନବମୀ ଭାବେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ବାଣପୁରର ଭେଟେଶ୍ୱର, ମଙ୍ଗରାଜପୁର, ପଦନପୁର ସମେତ ବହୁ ସ୍ଥାନରେ ରାମନବମି ପୂଜା ଅନୁଷ୍ଠିତ ହୋଇଯାଇଛି।

ପୁରାଣ କଥା ଅନୁଯାୟୀ ଭଗବାନ ବିଷ୍ଣୁଙ୍କ ଦଶ ଅବତାର ଭିତରେ ତ୍ରେତୟାଯୁଗରେ ପ୍ରଭୁ ରାମଚନ୍ଦ୍ର ସପ୍ତମ ଅବତାର ଗ୍ରହଣ କରିଥିଲେ। ଅତ୍ୟାଚାରୀ ରାବଣକୁ ବଧ କରିବା ସହିତ ବିଭନ୍ନ ଅତ୍ୟାଚାରରୁ ସୃଷ୍ଟିକୁ ରକ୍ଷା କରିବା ଏବଂ ସତ୍ୟ ରକ୍ଷା କରିବା ନିମିତ୍ତ ଏ ଧରାଧାମରେ ପ୍ରଭୁ ରାମଚନ୍ଦ୍ରଙ୍କର ଆବିର୍ଭାବ ହୋଇଥିଲା। ତେଣୁ ପ୍ରତ୍ୟେକ ହିନ୍ଦୁ ସନାତନ ଧର୍ମୀ ଲୋକମାନଙ୍କ ପାଇଁ ଆଜିର ଦିନଟି ହେଉଛି ଏକ ପବିତ୍ର ଦିନ।

ମଙ୍ଗରାଜପୁର ଗ୍ରାମରେ ରାମ ନବମୀ ଠାରୁ ପାଞ୍ଚ ଦିନ ବ୍ୟାପି ଏହି ପୂଜା ମହାଡ଼ମ୍ବରରେ ପାଳନ ହେଉଛି। ଗ୍ରାମର ବହୁ ମହିଳା ଓ ପୁରୁଷ ନିଜ ନିଜର ମାନସିକ କରି ରାମନବାମୀ ଦିନ ସଂକଳ୍ପ କରି କୁମ୍ଭ ଧାରଣ ପୂର୍ବକ ନଗର ପରିକ୍ରମା କରିଥିଲେ। ପ୍ରତ୍ୟେକ ଦିନ ହବିଷ୍ୟlଦି ଗ୍ରହଣ କରି ମାନସିକ ଧାରୀ ମାନେ ରାମାୟଣ ପୁସ୍ତକ ପଠନ ଓ ଶ୍ରବଣ କରି ରାମଙ୍କର ଲୀଳାକୁ ସ୍ମରଣ କରିଥାନ୍ତି।

ପୂଜାର ଶେଷ ଏବଂ ଅନ୍ତିମ ଦିନରେ ପୂର୍ଣ୍ଣାହୁତି କରାଯାଇ ରାମାୟଣ ପୁସ୍ତକ ପଠନ ସମ୍ପୂର୍ଣ୍ଣ କରାଯିବାର ଵିଧି ପ୍ରଚଳିତ ଅଛି। ଗ୍ରାମରେ ଉକ୍ତ ପଞ୍ଚାଦିନ ବ୍ୟାପି ଗ୍ରାମବାସୀ ଆମିଷ ଭକ୍ଷଣ ଠାରୁ ଦୂରରେ ରହି ରାମଚନ୍ଦ୍ରଙ୍କର ଗୁଣ ଗାନ କରିଥାନ୍ତି।

Related posts