
ସୀତାରାମ ଅଗ୍ରୱାଲ
ବାଣପୁର: ଆସନ୍ତା ୭ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଓ ପାଣିପାଗ ବିଭାଗର ଆକଳନକୁ ନଜରରେ ରଖି ସରକାରଙ୍କ ନିର୍ଦ୍ଦେଶକ୍ରମେ ଖୋର୍ଦ୍ଧା ଜିଲ୍ଲା ବାଣପୁର ପ୍ରଶାସନ ତପ୍ତର ହୋଇ ଉଠିଛି। ଆଜି ପୂର୍ବାହ୍ନରେ ବାଣପୁର ବ୍ଲକ ଅନ୍ତର୍ଗତ କୁମାରାଙ୍ଗ, ତୁମୁରାପୁଟ ଓ ଭେଟେଶ୍ୱର ପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ବିଡ଼ିଓ ଶୀତଲ ଅଗ୍ରୱାଲ, ଜିପିଇଓ ମମତା ମଞ୍ଜରୀ ଚିନ୍ନାରା, ବିଧାୟକଙ୍କ ପ୍ରତିନିଧି ମନୋଜ ପ୍ରଧାନ ଓ ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସ ବୁଲି ସେଠାରେ ବିଦ୍ୟୁତ, ପାଣି ଏବଂ ଅନ୍ୟାନ୍ୟ ବ୍ୟବସ୍ଥା ବାବଦରେ ତନଖି କରିଛନ୍ତି।
ଅନୁରୂପ ଭାବେ ବାଣପୁର ତହସିଲଦାର କୁଞ୍ଜବିହାରୀ ବଡ଼ଜେନା ଅପରାହ୍ନରେ କୁଲେଇ ଓ ମୋରାମରୀ ପଞ୍ଚାୟତ ଠାରେ ଥିବା ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକୁ ପରଖିଛନ୍ତି। ବ୍ଲକରେ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇ ପ୍ରତ୍ୟେକ ପଞ୍ଚାୟତ ପାଇଁ ଜଣେ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଥିବାର ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ସୂଚନା ଦେଇଛନ୍ତି।
ତତସହିତ ଓଡ୍ରାଫ ଟିମକୁ ମଧ୍ୟ ସଜାଗ ରଖି ପରିସ୍ଥିତି ଉପରେ ନଜର ରଖାଯାଇଥିବାର ଜଣାପଡ଼ିଛି।