ଗାଈ ଚରାଇବାକୁ ଯାଇ ନାଳରେ ଭାସିଯାଇ ବୃଦ୍ଧ ମୃତ

Published: Sep 16, 2023, 8:51 pm IST

କନ୍ଦର୍ପ ବେହେରା
ରେଢ଼ାଖୋଲ: ଗାଈ ଚରାଇବାକୁ ଯାଇ ନାଳରେ ଭାସି ଯାଇ ରେଢ଼ାଖୋଲ ଥାନା ମଧୁପୁର ଗ୍ରାମରେ ଜନୈକ ବୃଦ୍ଧ ମୃତ୍ୟୁବରଣ କରିଥିବା ଖବର ହସ୍ତଗତ ହୋଇଛି।

ଖବରରୁ ପ୍ରକାଶ ଯେ ,ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା କଦଳିଗଡ ପଞ୍ଚାୟତ ଅନ୍ତର୍ଗତ ମଧୁପୁର ଗ୍ରାମର ନାଗାର୍ଜ୍ଜୁନ ପ୍ରଧାନ (୬୧) ଗାଈ ଚରେଇବାକୁ ଯାଇ ପାଖ ଜୁର ପାଣିରେ ବୁଡି ମୃତ୍ୟୁ ହୋଇଥିବା ଜଣାପଡ଼ିଛି ବୃଦ୍ଧ ଜଣକ ଜଣେ ଚାଷୀ। ଗାଁ ରେ ଲୋକମାନେ ଚାଷଜମିରେ ଗାଇ ଗୋରୁ ନ ପଶିବା ପାଇଁ ସାପ୍ତାହିକ ପାଳି ହିସାବରେ ଗୋରୁ ଗାଈ ଜଙ୍ଗଲକୁ ଚଳାଇବା ପାଇଁ ନେଇଥାନ୍ତି। ଠିକ୍ ପ୍ରତ୍ୟେକ ଦିନ ଭଳି ନାଗାର୍ଜୁନ ମଧ୍ୟ ଗୋରୁଗାଈ ଚରାଇ ପାଖ ଜଙ୍ଗଲକୁ ଯାଇଥିଲେ। ହେଲେ କିଛି ଗାଈଗୋରୁ ଖାଦ୍ୟ ଅନ୍ୱେଷଣରେ କେରାଣ୍ଡି ଜୋର ଡେଇଁ ଆରପାଖକୁ ପଳାଇଥିଲେ। ସେମାନଙ୍କୁ ଘଉଡାଇ ଆଣିବାକୁ ଯାଇ ନାଗାର୍ଜୁନ ମଧ୍ୟ ଜୋରରେ ବଢୁଥିବା ପାଣିର ସ୍ରୋତ କମ୍ ଥିବ ଭାବି ଡେଇଁ ପଡ଼ିଥିଲେ। ହେଲେ ପାଣିର ସ୍ରୋତ ଅଧିକ ଥିବା ହେତୁ ଜୋରରେ ଭାସିଯାଇ ଥିଲେ।

ପରେ ସେଠାରେ ଆଖପାଖ ଲୋକ ଦେଖି ବୃଦ୍ଧ ଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ରେଢ଼ାଖୋଲ ଡାକ୍ତରଖାନାକୁ ଆଣିଥିଲେ। ହେଲେ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ରେଢ଼ାଖୋଲ ପୋଲିସ୍ ପହଞ୍ଚି ମୃତଦେହ କୁ ଜବତକରି ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।

Related posts