
ସୀତାରାମ ଅଗ୍ରହୱାଲ
ବାଣପୁର: ରବିବାର ସନ୍ଧ୍ୟାରେ ବାଣପୁର ସ୍ଥିତ ବିଧାରପୁର ଠାରେ ଥିବା ଶୁଭମଙ୍ଗଳ କଲ୍ୟାଣ ମଣ୍ଡପ ନିକଟରେ ଗୋଲଖ ପରିଡାଙ୍କ ଆନୁକୂଲ୍ୟରେ ପରିଡା ପାଠାଗାରର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ପାଠାଗାରକୁ ପାରିକୁଦ ରାଜା ସନ୍ତୋଷ କୁମାର ମାନସିଂହ ମର୍ଦରାଜ ଉଦଘାଟନ କରିଥିଲେ। ଏହି ଅବସରରେ ରାଜାଙ୍କୁ ବିଧାରପୁର ଠାରୁ ପାଠାଗାର ପର୍ଯ୍ୟନ୍ତ ବାଜା ଓ ରୋଷଣୀ ମାଧ୍ୟମରେ ପାଛୋଟି ନିଆଯାଇ ଗ୍ରାମ ପରିକ୍ରମା କରାଯାଇଥିଲା। ଶ୍ରୀଯୁକ୍ତ ମର୍ଦରାଜ ପରିଡା ପାଠାଗାରକୁ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ।
ଉକ୍ତ ଉଦଘାଟନ ଉତ୍ସବକୁ ସାହିତ୍ୟ ସିନ୍ଦୁରା ତରଫରୁ ସରସ ସୁନ୍ଦର କରାଯାଇଥିଲା। ଏହି ଉପଲକ୍ଷେ ମା ଭଗବତୀ କଳାନିକେତନର ବାର୍ଷିକ ଉତ୍ସବ ନିମନ୍ତେ ଏକ ସଂଗୀତ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ସାହିତ୍ୟ ସିନ୍ଦୁରା ତରଫରୁ କବିତା ପାଠ ଉତ୍ସବ ଓ ଭଜନ ପରିବେଷଣ କରାଯାଇଥିଲା। ଅଂଚଳର କବି ମାନଙ୍କ ଦ୍ୱାରା ସ୍ଵଲିଖିତ କବିତା ଗୁଡିକୁ ସେମାନେ ଆବୃତ୍ତି କରିଥିଲେ।
ଉକ୍ତ ଉଦଘାଟନ ଉତ୍ସବରେ ଅତିଥି ଭାବେ ସାହିତ୍ୟିକ ବାଳମୁକୁନ୍ଦ ଦାସ, କୈଳାଶ ମହାରଣା, ନରସିଂହ ମିଶ୍ର ଏବଂ ଗୋଲଖପରିଡା ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ପ୍ରକାଶ ଥାଉକି ସାହିତ୍ୟିକ ଗୋଲଖ ପରିଡାଙ୍କ ଆବାହକତ୍ୱରେ ଏବଂ ନିଜସ୍ୱ ଖର୍ଚରେ ପାଠାଗାର ନିର୍ମିତ ହୋଇଥିବା ବେଳେ ଉଦଘାଟନ ପରଠାରୁ ପଠନ କାର୍ଯ୍ୟକ୍ରମ ଚାଲୁ ହୋଇଛି। ଉକ୍ତ ପାଠାଗାର ନିର୍ମାଣ ଦ୍ୱାରା ଗ୍ରାମ ପରିବେଶ ସୁନ୍ଦର ହେବା ସହ ବାଣପୁର ଅଞ୍ଚଳରେ ଏକ ସୁ ବାତାବରଣ ସୃଷ୍ଟି ହେବ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି।