ପଞ୍ଚାୟତ ସାରା କୁଢକୁଢ ଆବର୍ଜନା: ଖତ ଖାଉଛି ଅଳିଆ ବୁହା ଗାଡି

Published: Dec 27, 2023, 9:05 am IST

ବଡଚଣା: କଥାରେ ଅଛି “ଗାଁ ପରିମଳ ଧୋବା ତୁଠରୁ” ପରିଷ୍କାର ପରିଚ୍ଛନ୍ନତା ଏକ ମାନବୀୟ ଜୀବନର ମୁଖ୍ୟ ଆଦର୍ଶଣୀୟ ଜୀବନଚର୍ଯ୍ୟା। କେବଳ ପାଠ୍ୟପୁସ୍ତକର ଅଧ୍ୟାୟ ଭାବରେ ନୁହେଁ ବା କୈାଣସି ସାର ଗର୍ଭକ ଭାଷଣର ଧାଡି, ସୁଧ ଆଚରଣ ଯେପରି ଜଣେ ମଣିଷର ଉତ୍ତମ ବ୍ୟକ୍ତିତ୍ୱକୁ ପ୍ରଦର୍ଶିତ କରିଥାଏ ସେହିଭଳି ସ୍ୱଚ୍ଛତାକୁ ଜଣେ ନିଜ ଚେତନାର ଜାଗରଣ ଭାବରେ ଚିନ୍ତା କରିବା ଏବଂ ଏହାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିବାର ପ୍ରାସଙ୍ଗିକତା ରକ୍ଷା କରେ।

ବଡଚଣା ବ୍ଲକ ଅନ୍ତର୍ଗତ ପତରାଜପୁର ଗ୍ରାମପଞ୍ଚାୟତର ସ୍ୱଚ୍ଛତା ବାଟବଣା ହୋଇଅଛି। ପଞ୍ଚାୟତର ଚାରିଆଡେ କମ୍ପୋଷ୍ଟପିଟ ଓ ଡଷ୍ଟବିନ ତିଆରି ହୋଇଥିବାର ଦେଖିବାକୁ ମିଳୁଛି। କିନ୍ତୁ ସେସବୁ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଅଛି। ସେହି ଅଳିଆ ଗୁଡିକ ବହୁ ଦିନ ରହିଯିବାରୁ ସେହି ସ୍ଥାନରୁ ଦୁର୍ଗନ୍ଧ ଗ୍ୟାସ ବାହାରୁଅଛି। ଦୀର୍ଘ ଦିନରୁ ଏହି ଅଳିଆ ଗଦା ହୋଇଥିବାବେଳେ ଏହାପ୍ରତି କାହାର ନଜର ନାହିଁ କି ଅଳିଆ ସଫା କରିବା ପାଇଁ ଉଦ୍ୟମ କରାଯାଇନାହିଁ।

ଅନ୍ୟପଟେ ପଞ୍ଚାୟତ ସମ୍ମୁଖରେ ଦୁଇଟି ଅଳିଆ ବୁହା ଗାଡି ଛିଡା ହୋଇଥିବାର ଦେଖିବାକୁ ମିଳୁଛି। ବହୁ ଦିନ ଧରି ଖରା ବର୍ଷାରେ ବାହାରେ ଛିଡା ହୋଇଥିବାରୁ ସେଗୁଡିକ କଳଙ୍କି ଲାଗି ନଷ୍ଟ ହୋଇଗଲାଣି। ପଞ୍ଚାୟତର ବିଭିନ୍ନ କାନ୍ଥ ମାନଙ୍କରେ ଅଳିଆ ବାହାରେ ପକାଇଲେ ଦଣ୍ଡନୀୟ ଅପରାଧ ବୋଲି ଲେଖାହୋଇଅଛି। ଦିନକୁ ଦିନ ପରିବେଶ ପ୍ରଦୂଷିତ ହେବାରେ ଲାଗିଛି। ମାଟି,ପାଣି ଓ ପବନ ଏହି ପ୍ରଦୂଷଣ ମଧ୍ୟରେ ଅର୍ନ୍ତଭୂକ୍ତ। ଲୋକମାନେ ଅଳିଆ ଗଦାରେ ଅଳିଆ ପକାଇଲା ପରେ ସେଗୁଡିକ ସଫା କରାଯାଉନଥିବାରୁ ସେମାନେ ଅଳିଆ କେଉଁଠାରେ ପକାଇବେ ବୋଲି ପ୍ରଶ୍ନ ଉଠାଇଛନ୍ତି।

ପଞ୍ଚାୟତରେ ଏଣେତେଣେ ପଡିଥିବା ଅଳିଆ ଆବର୍ଜନାକୁ ଯଥାସମ୍ଭବ ମିଳିଥିବା ଅଳିଆ ଗାଡି କିମ୍ବା ଅନ୍ୟ ଉପାୟରେ ସଫାସୁତୁରା କରାଗଲେ ପରିବେଶ ଦୂଷିତ ହେବ ନାହିଁ ବୋଲି ଗ୍ରାମବାସୀମାନେ ମତ ରଖିଛନ୍ତି।

Related posts