ଚ଼ିଲିକା: ଆଜି ଚ଼ିଲିକା ବିଧାନସଭା କ୍ଷେତ୍ର ଅନ୍ତର୍ଗତ ନାଚୁଣୀ ମହାବିଦ୍ୟାଳୟର ୪୫ତମ ପ୍ରତିଷ୍ଠା ଦିବସ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇ ରାଜ୍ୟ ତଥା ଦେଶର ଆଗାମୀ ଭବିଷ୍ୟତଙ୍କୁ ସମ୍ବୋଧିତ କରିଥିଲେ।
ମହାବିଦ୍ୟାଳୟ ହେଉଛି ଏକ ମନ୍ଦିର। ବିଦ୍ୟାର ଏହି ମନ୍ଦିରରୁ ଛାତ୍ରଛାତ୍ରୀ ମାନେ ଶିକ୍ଷା, ସଂସ୍କାର ଓ ଉତ୍ତମ ଚରିତ୍ର ଗଠନର ମାର୍ଗପ୍ରାପ୍ତ କରିଥାନ୍ତି, ଯାହା ସେମାନଙ୍କ ଭବିଷ୍ୟତକୁ ସରସ ଓ ସୁନ୍ଦର କରି ଗଢି ତୋଳିବାରେ ସହାୟକ ହୁଏ। ଏଥିପ୍ରତି ପ୍ରତ୍ୟେକ ଅଧ୍ୟାପକ ଓ ଅଧ୍ୟାପିକା ମାନେ ଦାୟିତ୍ୱବାନ ଏବଂ କର୍ତ୍ତବ୍ୟନିଷ୍ଠ ହେବା ଆବଶ୍ୟକ।
ଏକବିଂଶ ଶତାବ୍ଦୀର ଆବଶ୍ୟକତାକୁ ଲକ୍ଷ୍ୟ କରି ରାଜ୍ୟର ଯୁବବର୍ଗଙ୍କୁ ଦକ୍ଷ ଓ ସଶକ୍ତ କରିବା ସହ ଉତ୍ତମ ଶିକ୍ଷା ଭିତ୍ତିକ ଯୁବଶକ୍ତି ମାଧ୍ୟମରେ ସମୃଦ୍ଧ ତଥା ବିକଶିତ ଓଡିଶା ଗଠନ ଆମର ମୁଖ୍ୟ ଉଦ୍ଦେଶ୍ୟ।ଏଥିରେ ନାଚୁଣୀ ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକା ମାନେ ନିଜର ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ସୂଚାରୁରୂପେ ନିର୍ବାହ କରିବା ପାଇଁ ଆଗେଇ ଆସିବାକୁ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ଆହ୍ୱାନ କରିଥିଲେ।
ଏହି କାର୍ଯ୍ୟକ୍ରମ ଅବସରରେ ନାଚୁଣୀ ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ଡ଼ାଃ ବିଭୂତି ଭୂଷଣ ହରିଚନ୍ଦନ , ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ,ନାଚୁଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ରାଜକିଶୋର ସାହୁ, ନାଚୁଣୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରସନ୍ନ କୁମାର ଶତପଥୀଙ୍କ ସମେତ ଅନ୍ୟ ବରିଷ୍ଠ ଅତିଥି ଗଣ ପ୍ରମୁଖ ଉପସ୍ଥିତ ଥିଲେ।