ବାଣପୁର: ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଣପୁର ଠାରେ ଆୟୋଜିତ ମଣ୍ଡଳ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ, ମୁଖ୍ୟବକ୍ତା ଭାବେ ପୁରୀ ଲୋକସଭା ସାଂସଦ ଡ଼ାଃ ସମ୍ବିତ ପାତ୍ର ଯୋଗଦେଇ ଅଭିଭାଷଣ ପ୍ରଦାନ କରିଥିଲେ।ପିଲାମାନଙ୍କ ସ୍ଵପ୍ନକୁ ସାକାର କରିବା ସହ ପିଲାଙ୍କ ପ୍ରତିଭାକୁ ବିକଶିତ କରିବାର ଏକ ମାଧ୍ୟମ ଭାବେ ସହାୟକ ହେଉଛି ‘ସୁରଭି’। ଓଡ଼ିଶାର ଆଗାମୀ ଦିନର ଭବିଷ୍ୟତ ଭାବେ ପିଲାମାନଙ୍କ ସାମଗ୍ରିକ ବିକାଶକୁ ଲୋକଙ୍କ ସରକାର ଗୁରୁତ୍ଵ ଦେଉଛନ୍ତି।ସେମାନଙ୍କ ପ୍ରତିଭାକୁ ଆହୁରି ଆଗକୁ ବଢ଼ାଇବା ପାଇଁ ‘ସୁରଭି’ ଭଳି କାର୍ଯ୍ୟକ୍ରମର ଯଥେଷ୍ଟ ଆବଶ୍ୟକତା ରହିଛି।
ରାଜ୍ୟ ସରକାର ଭବିଷ୍ୟତକୁ ଆଧାର କରି ଶିକ୍ଷା କ୍ଷେତ୍ରର ସାମଗ୍ରିକ ବିକାଶକୁ ବିଶେଷ ଗୁରୁତ୍ଵ ଦେଉଛନ୍ତି।ଜାତୀୟ ଶିକ୍ଷାନୀତି ୨୦୨୦ ଲାଗୁ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ଯାଉଛି, ନିପୁଣ ଓଡ଼ିଶା, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ, ପିଏମଶ୍ରୀ ସ୍କୁଲ୍, ଭଳି ଅନେକ ଯୋଜନା ଆଦି ବିଭିନ୍ନ ପଦକ୍ଷେପ ଓଡ଼ିଶାରେ ନିଶ୍ଚୟ ଶିକ୍ଷା ଜଗତକୁ ଆଗକୁ ନେବ ବୋଲି ଉଭୟ ମନ୍ତ୍ରୀ ଓ ସାଂସଦ ମତବ୍ୟକ୍ତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ବାଣପୁର ବ୍ଲକ ଶିକ୍ଷା ଅଧିକାରୀ ସନାତନ ଜାଲି, ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସ୍ୱାଧୀନା ମଞ୍ଜରୀ ବେହେରା, ପିଏମଶ୍ରୀ ସରକାରୀ ବାଣପୁର ଉଚ୍ଚ ବିଦ୍ୟାଳୟ ୧ ପ୍ରଧାନ ଶିକ୍ଷୟିତ୍ରୀ ଝରଣା ଓଝା ଆଦି ଯୋଗ ଦେଇଥିଲେ।