ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଆସୋସିଏଟ ଏନସିସି ଅଫିସର ଅଧ୍ୟାପକ ଚନ୍ଦନ କୁମାର ନାଏକଙ୍କୁ ମହାବିଦ୍ୟାଳୟର ଏନସିସି ଶାଖା ଓ ଶିକ୍ଷକ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ନିକଟରେ ନାଗପୁରସ୍ଥିତ ରାଷ୍ଟ୍ରୀୟ ଏନସିସି ଅଫିସର୍ସ ତାଲିମ କେନ୍ଦ୍ରରେ ତିନିମାସିଆ ଅଧିକାରୀ ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ଶେଷ କରିଥିବାରୁ ଅର୍ଥନୀତି ବିଭାଗ ଅଧ୍ୟାପକ ଚନ୍ଦନ ନାଏକଙ୍କ ସମ୍ମାନାର୍ଥେ ମହାବିଦ୍ୟାଳୟ ସଭାଗୃହରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି।
ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମ୍ବର୍ଦ୍ଧନା ସଭାରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ଝରଣା ନାଥ ଯୋଗଦେଇ ଅଧ୍ୟାପକ ନାଏକଙ୍କ ତାଲିମ ଏନସିସିର କାର୍ଯ୍ୟ ଦକ୍ଷତା ଓ ଗୌରବ ବୃଦ୍ଧିକରିବାରେ ସହାୟକ ହେବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ଏହାପରେ ସହଯୋଗୀ ଏନସିସି ଅଧିକାରୀ ଚନ୍ଦନ ନାୟକଙ୍କୁ ଏନସିସି ପକ୍ଷରୁ ସମ୍ବର୍ଦ୍ଧନା କରାଯାଇଥିଲା।
ଏହି ଅବସରରେ ଏନସିସି କ୍ୟାଡେଟ ମାନେ ଅଧ୍ୟାପକ ନାଏକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନୁରୂପ ଭାବେ ଶିକ୍ଷକ ସଙ୍ଘ ପକ୍ଷରୁ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ଅଧ୍ୟକ୍ଷଙ୍କ ସମେତ ଶିକ୍ଷକ ସଙ୍ଘ ସଭାପତି ଡକ୍ଟର ମୋନାଲିସା ମାନସିଂହ ଓ ସମ୍ପାଦକ ଅଧ୍ୟାପକ ବିଦ୍ୟାଧର ଜୁଝାରସିଂହ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଧନ୍ୟବାଦ ପ୍ରଦାନ କରିଥିଲେ ଏନସିସି କ୍ୟାଡେଟ ଅନିଶା ବେହେରା।


