ରଣପୁର: ଶିକ୍ଷା ଜଗତରେ ଦୀର୍ଘ ବର୍ଷର ନିଷ୍ଠା, ତ୍ୟାଗ ଓ ଉତ୍ସର୍ଗୀକୃତ ସେବା ପାଇଁ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବିଜୟା ମିଶ୍ରଙ୍କ ଉଦ୍ଦେଶ୍ୟରେ ବଧିପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା। ଏହି ଅବସରରେ ଶିକ୍ଷା, ଶିକ୍ଷକତା ଓ ସମାଜ ଗଠନରେ ତାଙ୍କର ଅବଦାନକୁ ସ୍ମରଣ କରି ଅତିଥି ଓ ଗ୍ରାମବାସୀମାନେ ଭୂୟସୀ ପ୍ରଶଂସା କରିଥିଲେ।
କାର୍ଯ୍ୟକ୍ରମରେ ରଣପୁରର ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ମାଧବ ଚନ୍ଦ୍ର ମାଝୀ ମୁଖ୍ୟ ଅତିଥି, ଭାପୁରର ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରଭାକର ସାମନ୍ତରାୟ ବିଶିଷ୍ଟ ଅତିଥି ଏବଂ ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ମହାସଚିବ ଜ୍ୟୋତି ରଞ୍ଜନ ଦାଶ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଶ୍ୱଜିତ ମହାପାତ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ।
ଏହା ସହିତ ରଣପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅଶୋକ କୁମାର ବେହେରା, ରଣପୁର ଏନ୍.ପି.ଏସ୍. ଶିକ୍ଷକ ସଂଘର ସଭାପତି ଜ୍ୟୋତି ରଞ୍ଜନ କର, ସରପଞ୍ଚ ତ୍ରିନାଥ ରାଉତ, ସମିତିସଭ୍ୟ ଉମାକାନ୍ତ ପଲେଇ, ଶିକ୍ଷାବିତ୍ ପ୍ରଫୁଲ୍ଲ ବିଶ୍ୱାଳ, ଜଗନ୍ନାଥ ଦାଶ ଓ ଅଶୋକ କୁମାର ଦାଶ, ଗ୍ରାମ ସଭାପତି ଅରୁଣ ପଟ୍ଟନାୟକ, ଆଲୁମିନି ସଭାପତି କବିର ନାୟକ, ସାଧନ କେନ୍ଦ୍ର ସଂଯୋଜକ ସୁଶୀଲ କୁମାର ରଣା, ସଞ୍ଜୟ କୁମାର ବରାଡ଼, ଅକ୍ରୁର ରାଉତ୍ତରାୟ, ସୁବାଷ ମହାପାତ୍ର ଓ ସୁଧାକର ମିଶ୍ରଙ୍କ ସମେତ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇଥିଲେ।
ଅତିଥିମାନେ ନିଜ ନିଜ ଅଭିଭାଷଣରେ ବିଜୟା ମିଶ୍ରଙ୍କ ଶିକ୍ଷାଦାନ ପ୍ରତି ନିଷ୍ଠା, ଛାତ୍ରଛାତ୍ରୀଙ୍କ ପ୍ରତି ସ୍ନେହ ଓ ଦାୟିତ୍ୱବୋଧକୁ ସ୍ମରଣ କରିବା ସହ ତାଙ୍କର କର୍ମମୟ ଜୀବନ ଅନ୍ୟ ଶିକ୍ଷକମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମର ମୁଖ୍ୟ ଆବାହକ ମହନ୍ତ ଗୋପାଳ ଚରଣ ଦାଶ ଥିବାବେଳେ ପବିତ୍ର ମୋହନ ସାମନ୍ତରାୟ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ, ବଧିପାଟଣା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଶିକ୍ଷୟିତ୍ରୀ ଜେମାମଣି ବେହେରା, ମଞ୍ଜୁଲତା ଦେଇ, ମାଳତୀ ସାହୁ ଓ ରଶ୍ମିତା ମହାନ୍ତିଙ୍କ ସହ ନିକଟବର୍ତ୍ତୀ ବିଦ୍ୟାଳୟର ଶିକ୍ଷକ ବ୍ରଜ କିଶୋର ଦାଶ, ରମାକାନ୍ତ ସାହୁ, ସୁରେଶ କୁମାର ସାହୁ ଓ ଅମ୍ରିତା ଦାଶ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।
ଶିକ୍ଷକ ମାନସ ରଞ୍ଜନ ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିବାବେଳେ ରମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ବଧିପାଟଣା ଗ୍ରାମବାସୀ, ବିଦ୍ୟାଳୟ ପରିଚାଳନା କମିଟି ଓ ଆଲୁମିନି କମିଟିଙ୍କ ସୌଜନ୍ୟରେ ଆୟୋଜିତ ଏହି ସଭାରେ ଅଞ୍ଚଳର ଶିକ୍ଷକ ସମାଜ ଓ ଗ୍ରାମବାସୀଙ୍କ ଉପସ୍ଥିତି ଏକ ଆତ୍ମୀୟ ପରିବେଶ ସୃଷ୍ଟି କରିଥିଲା।


